Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Inspirational

3  

Prakas Tripathy

Inspirational

ଶିଖା ଅପା

ଶିଖା ଅପା

5 mins
7.7K


ଶିଖା ଯେଉଁ ଦିନ ପୋଷ୍ଟିଂଗ ଅର୍ଡର ପାଇଲା, ସେଦିନ ତାଙ୍କ ଘରେ ସବୁଠାରୁ ଅଧିକ ଖୁସି ହୋଇଥିଲା ତା ସାନ ଭାଇ ରାଜା। ରାତିରେ ଶୋଇଲା ବେଳେ ସେ ଶିଖାକୁ ଚୁପି ଚୁପି ପଚାରିଥିଲା, ଅପା, ତୁ କେତେ ଦରମା ପାଇବୁ ?. ମୋ ଦରମାରୁ ତୁ କଣ ପାଇବୁ ।ରାଜାକୁ ପାଖକୁ ଭିଡି ଆଣି ଶିଖା ପୁଣି କହିଲା, ମାସକୁ ପ୍ରାୟ ଚାଳିଶ ହଜାର ଖଣ୍ଡେ ମିଳିବ । ରାଜା ଚାଳିଶ ହଜାର ଶୁଣି ଯେତିକି ଖୁସି ହେଲା ତା ଠାରୁ ଅଧିକ ଆଚମ୍ବିତ ହେଲା। କହିଲା,ଅପା ତୁ ଏତେ ଟଙ୍କା କଣ କରିବୁ ? ମୋତେ ବେଶି ନୁହେଁ, ମାସକୁ ଦୁଇ ଶହ ଟଙ୍କା ଖର୍ଚ୍ଚକୁ ଦେବୁ ? । ବାପାଙ୍କୁ ଯେତେବେଳେ ବି ଟଙ୍କା ମାଗିଲେ ପୂର୍ବ ଟଙ୍କାର ଖର୍ଚ୍ଚର ହିସାବ ମାଗୁଛନ୍ତି। ମୋ ସାଙ୍ଗ ମାନେ ନୂଆ ନୂଆ ସ୍ପୋର୍ଟସ ସାଇକେଲରେ ସ୍କୁଲ ଆସୁଛନ୍ତି, ମୋର ସେଇ ପୁରୁଣା ଧତଡା ସାଇକେଲ। ବାପା ଚିଡିବେ ବୋଲି ବୋଉକୁ କେତେଥର ନୂଆ ସାଇକେଲ କିଣିଦେବାକୁ କହିଲିଣି ।ବୋଉ କହୁଚି, ବାପାଙ୍କ ପେନସନ୍ ଟଙ୍କା ହିଁ ଆମ ଘରର ଏକମାତ୍ର ଆୟ ।ନୂଆ ସାଇକେଲଟେ କିଣିବାକୁ ହେଲେ ଅତିକମରେ ୩ହଜାର ଟଙ୍କା ଦରକାର ।ଏତେ ଟଙ୍କା ଏବେ କୁଆଡୁ ଆସିବ । ତୁ ସେଇଥିରେ ଚଳେଇ ଦେ ।ଶିଖା ଅନ୍ଧାର ରେ ନିଜ ଆଖିରୁ ଲୁହ ପୋଛିଲା ।ସାନ ଭାଇ ମୁଣ୍ଡରେ ହାତ ବୁଲାଇ କହିଲା, ତୁ ବ୍ୟସ୍ତ ହୁଅନା। ତୋ ଅପା ଏବେ ଚାକିରୀ ପାଇଗଲାଣି । ତୋର ସବୁ ପାଠ ପଢା ଖର୍ଚ୍ଚ ମୁଁ ଦେବି। ପ୍ରଥମ ମାସ ଦରମା ରେ ତୋ ପାଇଁ ସାଇକେଲ କିଣାହେବ ।

ମିଶ୍ର ବାବୁ ୧୫ ବର୍ଷ ମିଲିଟାରି ସର୍ଭିସ କରିବା ପରେ ଅବସର ନେଇଛନ୍ତି ।ପତ୍ନୀ ଅମ୍ବିକା ,ଝିଅ ଶିଖା ଓ ପୁଅ ରାଜା କୁ ନେଇ ତାଙ୍କର ଛୋଟିଆ ପରିବାର। ପେନସନ୍ ଵାଵଦରେ ଯେତିକି ଟଙ୍କା ମିଳେ,ସେଥିରେ ଅତି ସ୍ଵାଚ୍ଛନ୍ଦ୍ୟରେ ନହେଲେ ମଧ୍ୟ ଭଲରେ ଚଳିଯାନ୍ତି ।ତାଙ୍କ ପରିବାର ଟି ଅତି ଶୃଙ୍ଖଳିତ ପରିବାର ଭାବେ ବି ତାଙ୍କ ସାହିରେ ସମସ୍ତେ ଜାଣନ୍ତି। ଆପ ବ୍ୟୟକୁ ମିଶ୍ର ବାବୁ ବିରୋଧ କରନ୍ତି,କିନ୍ତୁ ଯାହା ଆବଶ୍ୟକ , ସେଥିପାଇଁ ଖର୍ଚ୍ଚ କରିବାକୁ ସେ କେବେ ବାଧା ଦିଅନ୍ତି ନାହିଁ ।ପିଲାଙ୍କ ପାଠପଢ଼ାକୁ ସେ ଅଧିକ ଗୁରୁତ୍ୱ ଦିଅନ୍ତି । ତାଙ୍କର ଯୁକ୍ତି ହେଲା, କିଛିଦିନ ପାଠ ପଢିବାରେ କଠୋର ପରିଶ୍ରମ କର, ସାରା ଜୀବନ ଖୁସି ରହିବ। ଶିଖା ଓ ରାଜା ବି ବାପାଙ୍କ କଥା କୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ଶିଖାର ପିଜି ସରୁ ସରୁ ସରକାରୀ ଚାକିରୀ ମିଳିଗଲା ଓ ରାଜା 95% ମାର୍କ ରଖି ମାଟ୍ରିକ ପାସ କଲା ପରେ ସାଇନ୍ସ ପଢୁଛି।

ନିର୍ଦ୍ଧିଷ୍ଟ ଦିନ ନିଜ ନୂଆ ସରକାରୀ ଚାକିରୀ ରେ ଜଏନ କରିବାକୁ ଶିଖା ପୁରୀ ଚାଲିଗଲା। ତା ପୂର୍ବ ରୁ ଶିଖା ପାଇଁ ପୁରୀ ର ଭଡା ଘରଟିଏ ବି ମିଶ୍ର ବାବୁ ଯୋଗାଡ଼ କରି ସାରିଥାନ୍ତି ।ଶିଖାକୁ ଛାଡିବା ପାଇଁ ପରିବାରର ସମସ୍ତେ ପୁରୀ ଯାଇଥିଲେ ।ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଶିଖା ଅଫିସରେ ଜଏନ କରିଥିଲା। ସେଦିନ ପୁରୀରୁ ଫେରିବା ବେଳେ ଅପା କାନରେ ରାଜା ଚୁପି ଚୁପି କହିଥିଲା, ଅପା, ମୋ କଥା ମନେ ଅଛି ଟି ? ଶିଖା ମନେ ମନେ ହସିଥିଲା, ଏତେ ବଡ଼ଟାଏ ହେଲାଣି, ପିଲାଳିଆମି ଗଲାନାହିଁ।

ପ୍ରତି ଶନିବାର ଦିନ ଶିଖା ପୁରୀରୁ ଟ୍ରେନ ଅଵା ବସ ଯୋଗେ ବ୍ରହ୍ମପୁର ଯାଇଥାଏ । କାହାପାଇଁ କିଛି ନନେଲେ ନାହିଁ, ରାଜା ପାଇଁ ନିଶ୍ଚିତ କିଛି ନ କିଛି ନେଇଥାଏ। ଶନିବାର ପୂର୍ବରୁ ଶିଖା ଅପା କୁ ଅବଶ୍ୟ ରାଜା ତା ମାନ ପସନ୍ଦର ଜିନିଷର ନାଁ କହିଦେଇଥାଏ। ପ୍ରଥମ ମାସର ଦରମାରେ ତ ରାଜା ପାଇଁ ତା ମନ ପସନ୍ଦର ସାଇକେଲ କିଣା ସାଇଥିଲା ।ଏଇ ବର୍ଷକ ମଧ୍ୟରେ ରାଜା ପାଇଁ କେତେ ଯେ ପ୍ୟାଣ୍ଟ, ଟି ସାର୍ଟ, ଜୋତା, ବେଲ୍ଟ କିଣାଯାଇଛି ତାହା ରାଜା ଓ ତା ଅପା ଜାଣନ୍ତି। ବେଳେବେଳେ ତ ମିଶ୍ର ବାବୁ ଏଥିପାଇଁ ଶିଖା ଉପରେ ଚିଡନ୍ତି। କୁହନ୍ତି, ଯେତେ ଅୟସ କରୁଛି କରୁ, ପରୀକ୍ଷାରେ ଯଦି ଖରାପ କଲା, ତେବେ ତମେ ଭାଇ ଭଉଣୀ ଦି’ଟା ମତେ ଚିହ୍ନିବ।

ଇତି ମଧ୍ୟରେ ଶିଖାର ବିବାହ ପାଇଁ କେତେଟା ଜାଗାରୁ ଭଲ ଭଲ ପ୍ରସ୍ତାବ ଆସିଲାଣି । ପଢା ସରିଲା, ଚାକିରୀ ବି ପାଇଗଲା, ବିବାହରେ ଆଉ ଡେରି କାହିଁକି। ମିଶ୍ରବାବୁ ଓ ତାଙ୍କ ପତ୍ନୀ ଶେଷରେ ଭୁବନେଶ୍ୱରର ଗୋଟିଏ ପ୍ରସ୍ତାବରେ ରାଜି ହେଲେ। ପୁଅଟି ଦେଖିବାକୁ ଭଲ,ସେକ୍ରେଟାରିଆଟେରେ କ୍ଳାସ ଟୁ ଅଫିସର ଅଛି। ଭୁବନେଶ୍ୱରରେ ନିଜ ଘର। ଶିଖା ର ମତାମତ ପଚରାଗଲା। ସେ ବି ଅରାଜି ହେବାର କିଛି କାରଣ ନଥିଲା। ରାଜାର ବି ଖୁସି କାହିଁରେ କଣ। ସେ ଗୋଟେ ଭିଣେଇ ପାଇଯିବ।

ନିର୍ଦ୍ଧିଷ୍ଟ ତିଥିରେ ଶିଖାର ବିବାହ ହୋଇଗଲା। ଦେବା ନେବାରେ ମିଶ୍ରବାବୁ କେଉଁଥିରେ ଉଣା କରିନଥିଲେ। ଶିଖା ବି ବାପାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲା। ଖୁବ ଜାକଜମକରେ ବାହାଘର ହୋଇଥିଲା। ସାତ ଦିନିଆ କୁଣିଆ ହୋଇ ରାଜା ଅପାର ଭୁବନେଶ୍ୱର ଶାଶୁ ଘରକୁ ଗଲା।

ବାହାଘର ପାଇଁ ପନ୍ଦର ଦିନ ଛୁଟି ନେଇଥିଲା ଶିଖା ।ଛୁଟି ସରିବା ପୂର୍ବରୁ ଶିଖା ଓ ତା ବର ଦିନୁ ଟିଏ ପାଇଁ ବ୍ରହ୍ମପୁର ଯାଇଥିଲେ ।ସେଦିନ ମିଶ୍ର ବାବୁ ଓ ତାଙ୍କ ପତ୍ନୀଙ୍କ ଗୋଡ଼ ତଳେ ଲାଗିନଥିଲା। ରାଜା ର ତ ଖୁସି ଅବର୍ଣ୍ଣନୀୟ। ଖୁବ ଚର୍ଚା ହୋଇଥିଲେ ଝିଅ ଜ୍ଵାଇଁ ।ଫେରିବା ବେଳେ ସାଥିରେ ଭୁବନେଶ୍ୱର ଯିବାକୁ ଶିଖା ଡାକିଥିଲା ରାଜା କୁ। ପରୀକ୍ଷା ଅଛି କହି ରାଜା ଅପା ସହ ଆସିନଥିଲା ।ଅପା ସେଦିନ ଫେରିବା ବେଳେ ରାଜାର ମନଟା ଭାରି ଉଦାସିଆ ହୋଇଗଲା। ଏମିତି ଉଦାସିଆ କାହିଁ ବାହାଘର ଦିନ ହୋଇନଥିଲା ।ସେଦିନ ରାତିରେ ଶୋଇବା ବେଳେ ରାଜା ଖୁବ ଏକଲା ଅନୁଭବ କଲା। ଅପା ସହ କଟିଥିବା ପ୍ରତିଟି ମୁହୁର୍ତ୍ତ ତାକୁ ଖିନଭିନ କରିପକାଇଲା, ଅସ୍ତଵ୍ୟସ୍ତ କରିପକାଉ ଥିଲେ ତାକୁ ସେହି ପୁରୁଣା ସ୍ମୃତିଗୁଡିକ। ଅପା ସହ ସେ ବିତାଇଥିବା ଅତି ଅନ୍ତରଙ୍ଗ ପବିତ୍ର ମୁହୂର୍ତ୍ତ ଗୁଡିକ ସିନେମାର ଚିତ୍ର ଭଳି ଭାସି ଚାଲିଲା ତା ଆଖି ଆଗରେ। ଆଖି ଲୁହ ରେ ତକିଆ ଓଦା ହେଉ ହେଉ କେତେବେଳେ ଯେ ତାକୁ ନିଦ ଆସିଯାଇଥିଲା ସେ ଜାଣି ପାରିନଥିଲା।

ପନ୍ଦର ଦିନର ଛୁଟି ନେବା ପରେ ଶିଖା ପୁରୀ ଅଫିସରେ ଜଏନ କରିଥିଲା। ଏଥର ଶିଖା ସହ ତା ବାପା, ବୋଉ କି ତା ଭାଇ ଆସିନଥିଲେ। ଆସିଥିଲେ ଶିଖାର ସ୍ୱାମୀ । ଶିଖା ଖୁବ ସୁନ୍ଦର ଦେଖାଯାଉଥିଲା ।ବାହାଘର ପରେ ସବୁ ଝିଅ କାହିଁକି ଏମିତି ସୁନ୍ଦର ଦେଖାଯାନ୍ତି କେଜାଣି। ଶିଖା ପୁରୀ ଅଫିସରେ ଜଏନ କରିଥିବା ଖବର ବି ସେ ବାପା ମିଶ୍ର ବାବୁଙ୍କୁ ବି ଜଣାଇଥିଲା। ରାଜା ପୁଣି ଖୁଶି। ଶିଖା ଅପା ଜଏନ କଲା।

ସେଦିନ ଥାଏ ଶନିବାର। ରାଜାର ଖୁସି କହିଲେ ନ ସରେ। ଏଥର ସେ ତା ଅପାକୁ ନିଜ ମନ ପସନ୍ଦର ଜିନିଷର ନାଁ କହିଲା ନାହି। ଭାବୁଥିଲା, ଦେଖିବା ଅପା ତା ବାହାଘର ପରେ ସାନ ଭାଇ ପାଇଁ କଣ ଆଣିକି ଆସୁଛି। ସନ୍ଧ୍ୟା ହେଲା ।ରାଜା ଟିୟୁସନ ନଯାଇ ଅପାକୁ ଅପେକ୍ଷା କରି ଘରେ ରହିଲା। ବାପା ବୋଉ ପଚାରିବାରୁ ଆଜି ଟିୟୁସନ ନାହିଁ ବୋଲି ମିଛ ବି କହିଲା ।ରାତି ଆଠଟା ହେଲା। ଅପାର ଦେଖା ନାହିଁ। ଅପା ଆଜି କାହିଁକି ଆସିଲାନି ।ସବୁ ଶନିବାର ତ ଅପା ସନ୍ଧ୍ୟା ଛଅଟା ପୂର୍ବରୁ ଘରେ ପହଂଚିଯାଏ। ଆଜି କାହିଁକି ଆସୁନି ?ତାକୁ କିଛି ଭଲ ଲାଗିଲା ନାହିଁ। ବୋଉ ରୋଷେଇରେ ଅଛି। ଅପା ତାକୁ ନିଶ୍ଚିତ ଫୋନ କରିଥିବ । ରାଜା ଧିରେ ଧିରେ ରୋଷେଇ ଘରକୁ ଗଲା। ପଚାରିଲା, ବୋଉ, ଅପା ର ଆଜି ଏତେ ଡେରି କାହିଁକି। ସେ ଆସିବନି ବୋଲି ତୋତେ ଫୋନ କରିଥିଲା କି ।ବୋଉ ତା ମୁହଁକୁ ଚାହିଁଲା ।ସେ ଚାହାଣି ଥିଲା କରୁଣାସିକ୍ତ। କହିଲା, ସେ ଏଠିକି କାହିଁକି ଆସିବ, ସେ ପୁରୀରୁ ଭୁବନେଶ୍ଵର ଗଲା ପରା। ବୋଉ ମୁହଁ ବୁଲେଇ ଦେଲା, କିନ୍ତୁ ତା ପୂର୍ବ ରୁ ବୋଉ ଆଖିର ଲୁହକୁ ରାଜା ଦେଖିପାରିଥିଲା।

ରାଜା କିଛି କିଛି ବୁଝି ପାରୁଥିଲା ।ତଥାପି କିଛି ଅବୁଝା ପଣ ତା ଆଖିକୁ ଲୋତକାପ୍ଳୁତ କରିଦେଇଥିଲା। ଭାବୁଥିଲା, ସତରେ କଣ ତା ଶିଖା ଅପା ଆଉ ଶନିବାର ଦିନ ବ୍ରହ୍ମପୁର ଆସିବନି ?।


Rate this content
Log in

Similar oriya story from Inspirational