Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁଧାର
ସୁଧାର
★★★★★

© Prakash Ranjan Parida

Others

10 Minutes   7.4K    14


Content Ranking

ପ୍ରକାଶ ରଂଜନ ପରିଡ଼ା

ରାସ୍ତା ମଝିରେ ପାଣି ଧାରଟିଏ ଲମ୍ବିଥିଲା ଆଗକୁ । ଗାଁ ମଣ୍ଡପ ଯାଏ । ପାଣିଧାରକୁ ଆଡ଼େଇ ଦୁଇ ପଟେ ଯାଉଥିଲେ ପଦଯାତ୍ରୀ, ସାଇକଲ, ମଟର ସାଇକଲ ଆରୋହୀ । ଅନ୍ୟମନସ୍କ ସାଇକଲ ଆରୋହୀଙ୍କ ସାଇକଲ ଚକ ବେଳେବେଳେ ପଶିଯାଉଥିଲା କାଦୁଅ ଭିତରକୁ । ଲଟ୍‌ପଟ୍‌ ହୋଇଯାଉଥିଲା ଚକ ଆଉ ପାଦ । ଅପରିଚିତ ଲୋକଙ୍କ ଅବିରାମ ଗତିକୁ ମଣ୍ଡପରେ ବସି ଦେଖୁଥିଲେ ଅବସର କାଟୁଥିବା ପ୍ରାୟ ଦେଢ଼ ଡଜନ ସରିକି ବୟସ୍କ ବ୍ୟକ୍ତି । ସେମାନଙ୍କ ଭିତରେ ଥିଲେ ଅଲିଖିତ, ସ୍ବଘୋଷିତ ଗାଁ ମୁଖିଆ, ପୂର୍ବତନ ସରପଞ୍ଚ, ବର୍ତ୍ତମାନର ୱାର୍ଡମେମ୍ବର, ବେପାରୀ ଓ ଆଉ କିଛି ମାନ୍ୟଗଣ୍ୟ ବ୍ୟକ୍ତି । ମଣ୍ଡପ ଡାହାଣ ପଟେ ଥିବା ବିଶାଳ ବରଗଛ ସିକଡ଼ରେ ଗୋଡ଼ ଲମ୍ବେଇ ବସିଥିଲା ମହି । କର୍ମମୟ ଜୀବନରେ ଯାହାର କିଛି ବି କାମ ନାହିଁ, ସେ ହେଉଛି ମହି । ପୂରା ଗାଁ’ରେ ସେ ଅକର୍ମା ମହି ନାମରେ ହିଁ ପରିଚିତ । ଆଉ ଗୋଟେ ଗୁପ୍ତ ପରିଚୟ ବି ଅଛି ମହିର । ଯାହା କେବଳ ଗୁପ୍ତଭାବରେ କାନରୁ କାନକୁ ଡିଏଁ । ସେ କୁଆଡେ ଗୋଟେ ଅଣପୁରୁଷା । ଦିନର ଅଧାରୁ ଅଧିକ ସମୟ ସେ ଏଇ ସ୍ଥାନରେ ବିତାଉଥିଲା । ଅନ୍ୟକେହି ସେହି ତ୍ରିକୋଣୀୟ ସିକଡ଼ ଉପରେ ବସିଥିଲେ ମହି ଆସିବା ପରେ ସ୍ଥାନ ଛାଡ଼ି ଦେଉଥିଲେ । ବେଳେବେଳେ ମଣ୍ଡପରେ ବସିଥିବା ବୟୋଜ୍ୟେଷ୍ଠ ବ୍ୟକ୍ତି, ଅନ୍ୟ କେହି ବସିଥିଲେ ଜଣାଇଦେଉଥିଲେ ହେଇ..ମହି ଆସିଲାଣି.... ।

କିଛି କାମ ନଥିବା କ’ଣ ଗୋଟେ କାମ ନୁହେଁ । ରାସ୍ତାରେ ଯାଉଥିବା ଆସୁଥିବା ଲୋକଙ୍କୁ ଠିକଣା ସ୍ଥାନ ବତାଇ ଦେବା କ’ଣ ଗୋଟେ କାମ ନୁହେଁ । ବେଳେବେଳେ ମାଗଣା ଉପଦେଶ ବି । କାମ ବୋଇଲେ କଣ ଖାଲି ବିଲକୁ ଯିବା, ଚାଷ କରିବା, ଚାକିର କରିବା । ଗୁମ୍‌ ମାରି ବସିଥିବା ମହିକୁ ଶୁଭିବା ପରି କହୁଥିଲେ ଚକ୍ରଧର ସାର୍‌ । ଚକ୍ରଧର ସାର୍‌ ଏକମାତ୍ର ଲୋକ ଯିଏ ବେଳେବେଳେ ମହିକୁ ହସାଇ ପାରନ୍ତି । ଯଦିଓ ଦାନ୍ତ ଦିଶିବା ପରି ହସ ମହି ହସିବା କେହି ଦେଖିନାହିଁ ଆଜିଯାଏ । ଆସେ ବସେ, କେହି କିଛି ପଚାରିଲେ ଖୁବ ସଂକ୍ଷେପରେ ଉତ୍ତର ଦିଏ । କଦ୍‌ବା କେମିତି ତା ସ୍ବର ଶୁଣି ପାରନ୍ତି ମାତ୍ର କେଇ ଗଜ ଦୂରରେ ବସଥିବା ଗାଁ ଲୋକେ । ବର୍ଷ ବର୍ଷ ଧରି ତା’ର ଏପରି ସ୍ବଭାବ ସହ ପରିଚିତ ଥିବା ଲୋକଙ୍କ ପାଇଁ ସେ ଗୋଟିଏ ଗୁମ୍‌ସୁମ୍‌ ପିଲା । ଯାହା ପାଇଁ ଘର, ପରିବାର ଏକ ଅନ୍ନଛତ୍ର । ଭୋକ ଲାଗିଲେ ଯାଅ, ନହେଲେ ନାଇଁ ।

ସେଦିନ ସଂଧ୍ୟାରେ ମଣ୍ଡପରେ ତାସ୍‌ ଖେଳ ପରେ ମେଲାଣି ବେଳାରେ ଚକ୍ରଧର ସାର୍‌ ଯାହା କହିଲେ କେହି ସହଜରେ ବିଶ୍ବାସ କରିପାରିଲେ ନାହିଁ । କେମିତି ବା ବିଶ୍ବାସ କରିବେ ? ଆଜିକୁ ଦଶ ବର୍ଷ ହେବ ଚକ୍ରଧର ସାର୍‌ ଗାଁ ସ୍କୁଲରୁ ଅବସର ଗ୍ରହଣ କଲେଣି । ଏଭିତରେ ସେ ଗାଁରେ ଗୋଟିଏ କ୍ଲବ, ଗୋଟିଏ ପାଠାଗାର, ଗଣେଶ ପୂଜା ଓ ଲକ୍ଷ୍ମୀ ପୂଜା କମିଟି, ଘର ଡିହ ନଥିବା ଛଅଟି ପରିବାରକୁ ଜମିପଟ୍ଟା ଯୋଗାଇବା ସହ ବିନା ଫି’ରେ ଦଶ ବର୍ଷ ହେଲା ଗାଁ ପିଲାଙ୍କୁ ପାଠ ପଢାଇବାରେ ନିଜକୁ ନିୟୋଜିତ କରିଛନ୍ତି । ଏକଥା ଅବଶ୍ୟ ସମସ୍ତଙ୍କୁ ଜଣା ଯେ ଚକ୍ରଧର ସାର୍‌ଙ୍କୁ ମହି ବିଷୟରେ ସବୁଠୁ ଅଧିକ ଜଣା ଅଛି । କିନ୍ତୁ ମହି….. ।

ମହାମାରୀ ପରି କାନ କୁହା କଥା ଧିରେ ଧିରେ ବ୍ୟାପିଲା ଗାଁ’କୁ ଗାଁ । କଥା ଶୁଣିଥିବା ବାହାର ଗାଁ’ର ଲୋକେ ଯେତେବେଳେ ଆମ ଗାଁ’ର କାହାକୁ ବି ଦେଖୁଥିଲେ ପ୍ରଥମେ ମହି ପ୍ରସଙ୍ଗରୁ କଥା ଆରମ୍ଭ କରୁଥିଲେ । ଏବେଏବେ ଯିବା ଆସିବା ଲୋକଙ୍କ ପାଇଁ ବରଗଛ ମୂଳେ ବସିଥିବା ମହିକୁ ସ୍ବଚକ୍ଷୁରେ ଦେଖିବା ଏକ ଆକର୍ଷଣ ପାଲଟି ଯାଇଥିଲା । କେଉଁଠି ବାହାର ଗାଁରେ ଆନନ୍ଦନଗର ଗାଁ ନାଁ କହୁକହୁ ଲୋକେ ଚଟ୍‌କିନି ମହିକୁ ସ୍ମରଣ କରୁଥିଲେ । କେହି କେହି ମହି ସହ କଥା ହେବାକୁ ନୂଆ ନୂଆ ଫିକର ପାଞ୍ଚୁଥିଲେ । ଏ ଗାଁ’ର କଥା ଆର ଗାଁରେ ପହଞ୍ଚିବାବେଳକୁ ଆଉ ଟିକେ ରୋଚକ ହୋଇଯାଉଥିଲା । ଏମିତି ଏମିତି ମହିକୁ ନେଇ ଦୁଇଟି ଗୋଷ୍ଠୀଙ୍କର ଆବିର୍ଭାବ ହେଲା । ସପକ୍ଷବାଦୀ ଓ ବିପକ୍ଷବାଦୀ । ଦଳେ ମହି ସମର୍ଥନରେ ରାସ୍ତାକୁ ବାହାରିଲେ ତ ଆଉ ଦଳେ ପଛରେ ରହି କୁତ୍ସାରଚନା କରୁଥିଲେ । ଏହି ପ୍ରସଙ୍ଗକୁ ନେଇ କ୍ଷେତ୍ରପୁର ଓ ଆନନ୍ଦନଗର ମଧ୍ୟରେ ଦୂରତା ବଢ଼ିଲା । ଯାହା ଥିଲା ଆନନ୍ଦନଗର ଗାଁଲୋକଙ୍କ ପାଇଁ ଅସହ୍ୟ । ଯେତେହେଲେ ବି ସେମାନେ ନିଚ୍ଚ ଜାତିର ଲୋକ । ଆମ ଉପରେ ହାକିମାତି କରିବେ? କ୍ଷେତ୍ରପୁର ଥିଲା ଆନନ୍ଦନଗର ପାଇଁ ପୋଷ୍ୟଗ୍ରାମ । ଏପରିକି କ୍ଷେତ୍ରପୁରର ବାସିନ୍ଦା ବାହାରେ ମଧ୍ୟ ନିଜକୁ ଆନନ୍ଦନଗର ବାସିନ୍ଦା ଭାବରେ ପରିଚୟ ଦେବାକୁ ଭୁଲ ବୋଲି ଭାବୁ ନଥିଲେ । ଦୁଇ ପଡ଼ୋଶୀ ଗାଁ’ର କଳି ନିଆଁରେ ଘୃତ ଢାଳୁଥିଲେ ପଡୋଶୀ ଗାଁ ଅପର୍ତ୍ତିପାଳ ଗାଁ ଲୋକେ । କିଛି ଲୋକ ନିଜ ପୁରୁଣା ରାଗ ଶୁଝାଇବାକୁ ଏହାକୁ ଉଚିତ ସମୟ ବୋଲି ଭାବିନେଇଥିଲେ । ସୀମା ବିବାଦ ନେଇ ବେଶ୍‌ କିଛି ବର୍ଷ ଧରି ଆନନ୍ଦନଗର ଓ ଅପର୍ତ୍ତିପାଳ ଗାଁ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିରହିଥିଲା ।

ପ୍ରକୃତ କଥା ହେଉଛି ଏପର୍ଯ୍ୟନ୍ତ ଆନନ୍ଦନଗର ଏକ ସ୍ବତନ୍ତ୍ର ଗାଁ’ର ମାନ୍ୟତା ପାଇନଥିଲା । ଅପର୍ତ୍ତିପାଳ ଗାଁ’ର ଏକ ୱାର୍ଡ ଭାବରେ ଆନନ୍ଦନଗରକୁ ନ୍ୟାଯ୍ୟ ପ୍ରାପ୍ୟ ମଧ୍ୟ ଅନେକ ସମୟରେ ମିଳୁନଥିଲା । ବିଭିନ୍ନ ସରକାରୀ ସୁବିଧାକୁ ଏକତରଫା ଭାବେ ହଡ଼ପ କରାଯାଉଥିବା ଅଭିଯୋଗ କରୁଥିଲେ ଆନନ୍ଦନଗର ବାସିନ୍ଦା । ସ୍ବତନ୍ତ୍ର ଗାଁ ହେବାର ଯୋଗ୍ୟତାକୁ ପ୍ରମାଣିତ କରିବା ପାଇଁ ଆନନ୍ଦନଗର ବାସିନ୍ଦାଙ୍କ ଯୋଜନାକୁ ସଫଳ ହେବାକୁ ଦେଉନଥିଲେ ଅପର୍ତ୍ତିପାଳ ବାସିନ୍ଦା । ଶତ୍ରୁ ପକ୍ଷକୁ ଦୁର୍ବଳ କରିବାକୁ ଏହାକୁ ଏକ ସୁଯୋଗ ମଣିନେଲେ ଅପର୍ତ୍ତିପାଳ ଗାଁରେ ରାଜନୀତିରେ ସକ୍ରିୟ ଥିବା କିଛି ବ୍ୟକ୍ତି । ପ୍ରଥମେ ରାସ୍ତା ରାଜନୀତି, ପରେ ପୂଜା ରାଜନୀତି ତା’ପରେ ନିମନ୍ତ୍ରଣ ପତ୍ର ରାଜନୀତି । ଆନନ୍ଦନଗର ଦେଇ ଯାଇଥିବା ରାସ୍ତାରେ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ଅପର୍ତ୍ତିପାଳ ଗାଁ ଲୋକେ । ଦୀର୍ଘବର୍ଷ ଧରି ଆନନ୍ଦନଗରରେ ହୋଇଆସୁଥିବା ଲକ୍ଷ୍ମୀ ପୂଜା ଓ ଗଣେଶ ପୂଜାକୁ ବର୍ଜନ କରି ସ୍ବତନ୍ତ୍ର ଭାବରେ ପୂଜା ମଣ୍ଡପ ସ୍ଥାପନ କରାଗଲା । ଆନନ୍ଦନଗରର କୌଣସି ଲୋକଙ୍କ ବିବାହ ଉତ୍ସବ, ଶ୍ରାଦ୍ଧବାର୍ଷିକୀ, ଜନ୍ମଦିନ ପାର୍ଟି, ଅଷ୍ଟପ୍ରହରୀ ଆଦି କାର୍ଯ୍ୟରେ ଛପାଯାଉଥିବା ନିମନ୍ତ୍ରଣ ପତ୍ରରେ ଠିକଣା ସ୍ଥାନରେ ଆନନ୍ଦନଗର ଉଲ୍ଲେଖ କରାଯାଉଥିବାରୁ କାର୍ଯ୍ୟକ୍ରମରେ ଯୋଗନଦେବାକୁ ଗ୍ରାମବାସୀଙ୍କୁ ତାଗିଦ କରାଯାଇଥିଲା । ଯଦି କେହି ତାଗିଦକୁ ଅମାନ୍ୟ କରି କାର୍ଯ୍ୟକ୍ରମରେ ଯୋଗଦେବା ଜଣାପଡ଼େ ତେବେ ହଜାରେ ଟଙ୍କା ଜରିମାନା ସହ ଗ୍ରାମବାସୀଙ୍କ ସାମ୍ନାରେ ଆଣ୍ଠୁମାଡ଼ି ବସିବାକୁ ଅଲିଖିତ ନିୟମ ପାରିତ ହୋଇଥିଲା । ଏପଟେ ପ୍ରତିଶୋଧ ପରାୟଣ ହୋଇ ପଡ଼ିଲେ ଆନନ୍ଦନଗର ବାସିନ୍ଦା । ସଂଘର ପ୍ରରୋଚନାରେ କିଛି ଅବିଭାବକ ଅପର୍ତ୍ତିପାଳ ଗାଁ’ରେ ଥିବା ନିମ୍ନ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ପିଲାମାନଙ୍କୁ ଆଣି କ୍ଷେତ୍ରପୁର ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟହେଲେ । ଫାଟ ଲୁଚିଲାନି ବରଂ ଦିନକୁ ଦିନ ବଢ଼ିବାକୁ ଲାଗିଲା । ସାମାଜିକ ଲକ୍ଷ୍ମଣ ରେଖା କାରଣରୁ ବଳି ପଡ଼ିଲା ବନ୍ଧୁତ୍ବ । ବନ୍ଧୁତା ଥିଲେ ବି ଏପଟର କୌଣସି ପିଲା ସେପାଖ ପିଲାଙ୍କଠୁ ଦୂରେଇ ରହିଲେ ।

ଚାରି ଦିନ ପରେ ରଜ ସଂକ୍ରାନ୍ତି । ଆନନ୍ଦନଗର ଓ ପଡୋଶୀ କ୍ଷେତ୍ରପୁର ଗାଁ’ର ଯୁବକମାନେ ଆରମ୍ଭ କରିସାରିଥିଲେ ପ୍ରସ୍ତୁତି । ଆନନ୍ଦନଗରରେ ବିରାଜୁଥିଲା ଆନନ୍ଦ । ବାହାରେ ଚାକିର କରୁଥିବା ଗାଁ’ପିଲାଙ୍କଠାରୁ ମୋଟା ଅଙ୍କର ଚାନ୍ଦା ଆଦାୟ ହୋଇଥିଲା । ଗାଁ ମଣ୍ଡପ ଚାରିପଟକୁ ସଫା କରୁଥିଲେ ପିଲାମାନେ । ଗତବର୍ଷଠାରୁ ଏବର୍ଷ ଧୁମ୍‌ଧାମ୍‌ରେ ରଜ ପାଳନ କରିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଦିନରେ ରଜ ପାନ ଖାଇ ଦୋଳି ଖେଳିବା ସହ ବିଭିନ୍ନ ଖେଳ ପ୍ରତିଯୋଗିତା ଓ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆଯୋଜନ କରିଥିଲା ଯୁବ ସଂଘ । ଭଳିକି ଭଳି ଦୋଳି ବନ୍ଧା ଯାଇଥିଲା । ମଣ୍ଡପର ଚାରିପଟେ ଥିବା ଦଶଟି ବରଗଛ ଓହଳରେ ଲାଗିଥିଲା ପନ୍ଦରଟି ପଟା ଦୋଳି । ଅଲେଖ ମଠ ସାମ୍ନାରେ ଲାଗିଥିଲା ଚକ୍ରି ଦୋଳି । ରାସ୍ତା ଧାରରେ ଛୋଟ ପିଲାଙ୍କ ପାଇଁ ଲାଗିଥିଲା ଦୁଇ ଶହରୁ ଅଧିକ ରଶି ଦୋଳି । ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ରଜମଉଜ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଖପାଖ ଗାଁର ସମ୍ମାନୀୟ ବ୍ୟକ୍ତିଙ୍କୁ ଦିଆଯାଇଥିଲା ନିମନ୍ତ୍ରଣ ପତ୍ର ।

ମହି ସବୁ ଦେଖୁଥିଲା । କଦ୍‌ବା କେମିତି ପିଲାଙ୍କ ପାଖକୁ ଯାଉଥିଲା । ଗାଁ ମଣ୍ଡପରେ ହିଁ ମଞ୍ଚ ସଜ୍ଜା ହୋଇଥିଲା । ମଣ୍ଡପ କଡ଼ରେ ଯାଇଥିବା ପାଣିଧାରଟିକୁ ଅସ୍ଥାୟୀ ଭାବରେ ଭିନ୍ନମୂଖୀ କରିଦିଆଯାଇଥିଲା । ଅଲେଖ ମଠ ସାମ୍ନାରେ ଥିବା କୂଅମୂଳେ ଗାଧେଇବାକୁ ବାରଣ କରାଯାଇଥିଲା । ଶୁଣିବାକୁ ମିଳିଲା ଏବର୍ଷ ରଜମଉଜ କାର୍ଯ୍ୟକ୍ରମରେ ଅପର୍ତ୍ତିପାଳ ଓ କ୍ଷେତ୍ରପୁରର କୌଣସି ବ୍ୟକ୍ତି ଅତିଥିଭାବରେ ଯୋଗଦେବେନି । ନିମନ୍ତ୍ରଣ ପତ୍ରରେ କାର୍ଯ୍ୟକ୍ରମ ଠିକଣା ସ୍ଥାନରେ ଆନନ୍ଦନଗର ଉଲ୍ଲେଖ ଥିବାରୁ ଅପର୍ତ୍ତିପାଳ ଲୋକେ ପର୍ବରେ ସାମିଲ ହେବେ ନାହିଁ ବୋଲି ଖୋଲା ଖୋଲି କହୁଥିଲେ । ଦ୍ବିତୀୟରେ ମହି ପ୍ରସଙ୍ଗକୁ ନେଇ କ୍ଷେତ୍ରପୁର ଲୋକେ ଆନନ୍ଦନଗରଠୁ ଦୂରେଇ ଯାଇଥିଲେ ।

ସମାଜରେ ଚଳିବାକୁ ହେଲେ ସମାଜର ଲକ୍ଷ୍ମଣରେଖାକୁ ସମ୍ମାନ ଦେବାକୁ ପଡ଼େ । ନିତି ନିୟମର ଶୃଙ୍ଖଳକୁ ମାନିବାକୁ ପଡ଼େ । ନିୟମ ସେପଟକୁ ଗଲେ ଦୋଷୀ । ଏପଟେ ରହିଲେ ଭଦ୍ରଲୋକ । ମହି ସମାଜର କୋଉ ନିୟମ ମାନେନାହିଁ । ତଥାପି ତାକୁ ବ୍ୟତିକ୍ରମ ଭାବରେ ଗଣାଯାଏ । କାରଣ ସେ କାହାର କିଛି କ୍ଷତି କରେନି । ନିଜ ଦୁନିଆ ଭିତରେ ସେ ଥାଏ ।

ବେଳେବେଳେ ସମାଜିକତାକୁ ଗ୍ରହଣ କରୁନଥିବା ବ୍ୟକ୍ତି ବି ଅସାମାଜିକ ନୁହଁନ୍ତି, ମହି କ୍ଷେତ୍ରରେ ଏହି ନିୟମଟି ବୋଧହୁଏ ଲାଗୁ ହୋଇଥିଲା । ବେଳେବେଳେ ଫସଲ କିଆରୀକୁ ସୁରକ୍ଷିତ ରଖିବା ପାଇଁ ପାଳଭୂତର ଯେମିତି ଆବଶ୍ୟକତା ପଡିଥାଏ ଠିକ୍‌ ସେହିପରି ଏକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା ମହି ସାମନ୍ତ । ସବୁ ଶୁଣୁଥିଲା, ଦେଖୁଥିଲା କିନ୍ତୁ ମୁହଁ ଖୋଲୁନଥିଲା । ହଁ ମହିର ଗୋଟିଏ ଦୋଷ ଥିଲା । ସେ କିଛି ନିର୍ଦ୍ଦିଷ୍ଟ କିସମର ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିଲା । ଯାହା ପ୍ରତି ତା ମନରେ ଭଲପାଇବା ଆସୁଥିଲା, ତା’ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲା । କିଏ କହୁଥିଲା ଗେ, କିଏ କହୁଥିଲା ହିଞ୍ଜଡ଼ା । ମହିକୁ କୌଣସି ଶବ୍ଦରେ ଅପମାନିତ କରିବାକୁ ଭାଷା ନଥିଲା କାହା ପାଖରେ ।

ରାତି ପାହିଲେ ପହିଲି ରଜ । ହଠାତ୍‌ ଆନନ୍ଦନଗର ଆକାଶରେ ଘୋଟିଆସିଥିଲା କଳା ବାଦଲ, ଘୂର୍ଣ୍ଣିଝଡ଼ । କେଉଁ ଅଶୁଭ ଶକୁନୀର କ୍ରୁର ଦୃଷ୍ଟିରେ ପଡ଼ିଯାଇଥିଲା ଆନନ୍ଦନଗର । କ୍ଷେତ୍ରପୁରର ଯୁବକମାନେ ଅଚାନକ ଫେରେଇ ନେଇଥିଲେ ସହଯୋଗର ହାତ । ମିତ୍ରରୁ ବନିଯାଇଥିଲେ ଶତ୍ରୁ । ଯୁଦ୍ଧ ପାଇଁ ଖୋଲା ଆହ୍ବାନ ଦେଇ ଗାଁ ସୀମାରେ ଠୁଳ କରୁଥିଲେ ଢେଲା ପଥରର ପାହାଡ଼ । ରାତାରାତି ବଦଳି ଯାଇଥିଲା ସଂଘର ଠିକଣା । ଦୀର୍ଘବର୍ଷ ଧରି ଆନନ୍ଦନଗର ଓ କ୍ଷେତ୍ରପୁରର ଆତ୍ମାଥିଲା ଗୋଟିଏ । ଗୋଟିଏ ଯାତ୍ରା କମିଟି, ଗୋଟିଏ ପୂଜା କମିଟି, ଗୋଟିଏ କ୍ରିକେଟ ଦଳ । ସବୁଥିଲା ଗୋଟିଏ । ବାସ୍‌ ଏବେ କଡ଼ ଲେଉଟାଉଥିଲା ଇତିହାସର ପୃଷ୍ଠା ।

ତୀବ୍ର ବେଗରେ ଆସୁଥିବା ମାଙ୍କଡ଼ା ପଥରଟିଏ ବାଜିଥିଲା ମହି ମୁଣ୍ଡରେ । ଯୁଦ୍ଧ ଆରମ୍ଭରେ ଶଙ୍ଖନାଦ ପରି ମହିର ଚିତ୍କାର ଗାଁ ଲୋକଙ୍କୁ ମଣ୍ଡପ ମୁହାଁ କରିଥିଲା । ଧାର ଧାର ରକ୍ତରେ ଭିଜି ଯାଇଥିଲେ ବରଗଛର ସିକଡ଼ । ମୁଣ୍ଡକୁ ଚାପି ଧରି ସେଇଠି ଗଡ଼ି ପଡ଼ିଥିଲା ମହି । ତା’ପରଠୁ ଆକାଶରୁ ପଥର ବୃଷ୍ଟି । ବିଜୁଳି ବେଗରେ ଆସୁଥିଲା ଚୁନ ବୋଳା କାଚ ବୋତଲ । ଠିକ୍‌ ଆଲେଖ ମଠ ଆଗରେ ପଡ଼ିଲା ଗୋଟିଏ ବୋମା । ଛିନ୍ନଛତ୍ର ହୋଇଗଲା ଚକ୍ରି ଦୋଳି । ଅପ୍ରସ୍ତୁତ ଆନନ୍ଦ ନଗରର ଯୁବକମାନଙ୍କ ପାଦ ଫେରୁଥିଲା ପଛକୁ ପଛ । ଆହୁରି ଆହୁରି ଆଗକୁ ମାଡ଼ି ଆସୁଥିଲା କ୍ଷେତ୍ରପୁରର କ୍ରୋଧ ।

‘‘ତମ ପିଣ୍ଡା ତଳେ କ’ଣ ଜୀବନସାରା ଗୋଲାମୀ କରିବୁ ବୋଲି ଭାବୁଛ ଆନ୍ଦନଗ୍ରିଆ’’..ଢୋ...ଢୋ…‘‘ରୁହ ଶୁକ୍ରବାର କରିବାକୁ ଗୋଟେ ତଳା ବି ରଖିବୁନି’’ ...ଢୋ ... ‘‘ମାରିଦବୁ ସମସ୍ତଙ୍କୁ’’ … ଢୋ...ଢୋ… ‘‘ଶଳେ ଆମ ଗାଁ ଝିଅଙ୍କୁ ଶାଳୀ ଭାବୁଛ ନା’’….ଢୋ...ଢୋ… ‘‘ଆମର ବି ତାକତ୍‌ ଅଛି’’…‘‘ତମ ବାଇଶ ବରଗଛ’’...ହୁଙ୍କାର ଦେଇ ମାଡ଼ି ଆସୁଥିଲା କ୍ଷେତ୍ରପୁରର ଶକ୍ତି । କ୍ଲବ ଘର ଉପରେ ଢଳା ସରିଥିଲା ପେଟ୍ରୋଲ...ଦିଆସିଲ କାଠିରେ ନିଆଁ ଧରିବା ପୂର୍ବରୁ ପହଞ୍ଚିଥିଲା ପୋଲିସ ଗାଡ଼ି । କେଇ ମିନିଟ ଭିତରେ ପୁରା ପଡ଼ିଆରେ ରାଜୁତି କରୁଥିଲା ନିରବତା । କେହି କୁଆଡେ ନଥିଲେ । ବିଚ୍ଛୁରିତ ହୋଇ ପଡ଼ିଥିଲା ଟେକା, ପଥର, କାଚ ଖଣ୍ଡ, ଠେଙ୍ଗା, ତଲୱାର, ଅଫୁଟା ବମ୍ବ୍‌ । ଘାସ ଉପରେ ପଡ଼ିଥିଲା ଟୋପା ଟୋପା ସତେଜ ରକ୍ତ । ଝଡ଼ ପରର ନିରବତାକୁ ଖଣ୍ଡନ କରୁଥିଲା କେବଳ ଗୋଟିଏ କରୁଣ, କାତର କଣ୍ଠସ୍ବର । ପୃଥିବୀର ଧୈର୍ଯ୍ୟକୁ ଖଣ୍ଡନ କରିବାକୁ ସମର୍ଥ ଥିଲା ଆରତିର ଆକୁଳ ଚିତ୍କାର ।

ପୋଲିସ ଗାଡ଼ିରେ ଆରତୀ କୋଳରେ ସୁନା ପିଲା ପରି ଶୋଇଥିଲା ମହି । ଏକଦମ ଚୁପ୍‌ଚାପ ମହି ପରି । ପୂରା ଶରୀର ବୁଡ଼ିଥିଲା ରକ୍ତରେ । ପୋଲିସ ଗାଡିରେ କଇଁ କଇଁ ହୋଇ କାନ୍ଦୁଥିଲା ଆରତୀ । ପଚରା ଯାଉଥିବା କୌଣସି ପ୍ରଶ୍ନର ଉତ୍ତର ତା’କୁ ଜଣାନଥିଲା । ଓଲଟି ପୋଲିସର ପ୍ରଶ୍ନ ତା ଆଖିରେ ଆଙ୍କୁଥିଲା ଅଷ୍ଟମ ଆଶ୍ଚର୍ଯ୍ୟର ରେଖା । ପୂରା ଘଟଣା, ଦୁର୍ଘଟଣା ବିଷୟରେ ଅନଭିଜ୍ଞ ଥିଲା ଆରତୀ । ତାକୁ କାହିଁକି ଏସବୁ ପ୍ରଶ୍ନ ପଚରା ଯାଉଛି… । ‘‘ମୁଁ କିଛି ଜାଣିନି । ମୋ ମହିକୁ ଭଲ କରିଦିଅ...ମୁଁ ଚାଲିଯିବି ।’’ ଚାରି ଘଣ୍ଟା ପରେ ମହିର ଚେତା ଫେରିବା ପରେ ପାଣି ପିଇଲା ଆରତୀ । ପୋଲିସ ମୁହଁରୁ ଶୁଣିଥିବା କଥା ସବୁକୁ ମହିକୁ ପଚାରିବାକୁ ମନ ହେଉଥିଲା ଆରତୀର । କିନ୍ତୁ ମହି ମୁହଁକୁ ଚାହିଁବା ପରେ ସେ ସବୁ ଭୁଲିଗଲା ।

ପୁରୁଷଶୂନ୍ୟ ଥିଲା ଦୁଇ ଦୁଇଟି ଗାଁ । ବ୍ରହ୍ମ ଚଣ୍ଡାଳ ରାଗର ନିଶା ମୁଣ୍ଡରୁୁ ଉତୁରିଯିବା ପରେ ବୋଧହୁଏ ଅନୁତାପର ଅନଳରେ ଜଳିବାକୁ ନିର୍ଜନତା ଲୋଡୁଥିଲେ ଲୋକେ । ‘ଭୁଲ, ଠିକ୍‌ର ହିସାବ କରିବାକୁ ଲୋଡ଼ାଥିଲା ଏମିତି ଏକ ଆତ୍ମ ନିର୍ବାସନ । ଯେଉଁଠି ଶତ୍ରୁ ଆଉ ଶତ୍ରୁ ହୋଇ ନଥାଏ । ହରେଇବା ପୂର୍ବରୁ କେହି କ’ଣ ହିସାବ କରିପାରେ ଶାନ୍ତିର ମୂଲ ।’

ନଈ କୂଳ ଆମ୍ବ ତୋଟାରେ ହିଁ ଥିଲା ସମାଧାର ସୁତ୍ର । କାଲି ଶତ୍ରୁ ହୋଇ ପରସ୍ପରକୁ ଆକ୍ରମଣ କରିଥିବା ମଣିଷମାନେ ଆଜି ନିର୍ବିବାଦରେ ସ୍ବୀକାର କରୁଥିଲେ ନିଜ ଭୁଲ । ‘‘ଏମିତି ହେବ ବୋଲି ମୁଁ ଜାଣି ନଥିଲି । ସବୁ ସେଇ ନୀଳମଣୀ ମାଷ୍ଟ୍ର ପାଇଁ ...ଆମ ମୁଣ୍ଡରେ ଭୂତ ପୂରେଇଥିଲା ସେ ।’’ ଆନନ୍ଦନଗରର ଚକ୍ରଧର ସାର୍‌ଙ୍କ ଆଗରେ ଆଣ୍ଠୁମାଡ଼ି ବସିଥିଲା କ୍ଷେତ୍ରପୁରର ଅପୂର୍ବ ସାମଲ । ‘‘ପିଟବେ ସେ ଶାଲାକୁ….କାଲି ମୋ ବାପାକୁ ହାଣିବାକୁ ଗୋଡେଇଥିଲା ଏ ସାମଲ ପୁଅ… ।’’ ଦୂରରୁ ଅପୂର୍ବକୁ ଦେଖି ଅଣ୍ଟିରେ ଗାମୁଛା ଗୁଡ଼ାଇ ଦୌଡି ଦୌଡ଼ି ଆସୁଥିଲା କେଦାର ।

ରହ...ଥୟ ଧର । ଚୁପ୍‌ କର କେଦାର...ମୋ ଗୋଡରେ ବି ଚୋଟ ବାଜିଛି । ସମସ୍ତେ ଆସ, ଯିଏ ଯୋଉଠି ଅଛ । ଚକ୍ରଧର ସାର୍‌ଙ୍କ ପାଟି ଶୁଣି ପୂରା ଆମ୍ବ ତୋଟାର କୋଣ ଅନୁକୋଣରୁ ବାହାରି ଆସିଲେ ପଚାଶରୁ ଅଧିକ ଲୋକ । ସେ ଭିତରେ ଥିଲେ କ୍ଷେତ୍ରପୁରର ଜଗୁ, ଆର୍ତ୍ତ, ଦିନା, ଫୁକୁନୁ, ମକରା...ଥିଲେ ବି ଆନନ୍ଦନଗରର ପପୁ, ବିପିନା, ମିଟା, ତପୁ…ଆହୁରି କେତେ । ମୁହାଁ ମୁହିଁ ଆନନ୍ଦନଗର ଓ କ୍ଷେତ୍ରପୁର । ପୁଣି ଗୋଟେ ମହାଭାରତ ହୋଇଯିବ କି ? ନଈ କୂଳ ଏଇ ଆମ୍ବ ତୋଟା ଥିଲା କାଲି ରାତିରେ ଉଭୟ ପକ୍ଷଙ୍କ ଆଶ୍ରୟ ସ୍ଥଳ । ତୋଟା ସଂଲଗ୍ନ ଜଙ୍ଗଲରେ ପୋଲିସ ଆଖିରୁ ଆତ୍ମ ଗୋପନ କରିଥିଲେ ଉଭୟ ଗାଁ’ର ଲୋକେ । ସେଇ ଗୋଟିଏ ରାତିରେ ହିଁ ବଦଳି ଯାଇଥିଲା ହୃଦୟ । ତୁଟି ଯାଇଥିଲା ରକ୍ତର ନିଶା । ସାରା ରାତି ଅନିଦ୍ରା ହୋଇ କାଲିର ଉତ୍ତେଜନାକୁ ପୁଣ୍ୟତୋୟାରେ ସମର୍ପଣ କରୁଥିଲେ ଉଭୟ ଗାଁ’ର ଲୋକେ ।

‘‘ରକ୍ତ ନଝରିବା ଯାଏ ରକ୍ତର ମୂଲ୍ୟ କ’ଣ ବୁଝିହୁଏ ?’’ ସମାଧାନର ସରଳ ରାସ୍ତାଟିକୁ ଭୁଲି ଯାଇଥିବା ଲୋକେ ଚକା ଆସନ ପାରି ବସିଥିଲେ ଚକ୍ରଧର ସାର୍‌ଙ୍କ ଆଗରେ । ଖବର ପାଇ ଆସିଥିଲେ ଜଣେ ପରେ ଜଣେ । ଗାଁ ମୁଣ୍ଡ ନଈ କୂଳରେ ମଧ୍ୟ ପହଞ୍ଚିଥିଲା ପୋଲିସ । ଆପୋଷ ସମାଧାନର ରାସ୍ତାଟିଏ ମିଳିଯାଇଥିବାରୁ ପୋଲିସ ମଧ୍ୟ ବଢ଼ାଇଥିଲା ସହଯୋଗର ହାତ । ଥାନାରୁ ମୁକ୍ତ ହୋଇ ସଭାସ୍ଥଳରେ ପହଞ୍ଚିଥିଲା ମହି । ସାଥିରେ ଥିଲା ଆରତୀ ।

‘‘ଗଲା ତିନି ମାସ ହେଲା ଆରତି ମହି ପାଖରେ ଅଛି । ତମେ ସମସ୍ତେ ଜାଣିଛ ଆରତି ଏବେ ଚାରି ମାସର ଅନ୍ତସତ୍ତ୍ବା । ତମ ଗାଁ’ର ବିଧବା ଏବେ ଆମ ଗାଁର ବୋହୁ ହୋଇସାରିଛି । ...ଯାହା ହବାର ଥିଲା ହୋଇସାରିଛି । ଯଦି ଆରତୀକୁ ଅପହରଣ କିମ୍ବା ତା’ ଇଚ୍ଛା ବିରୋଧରେ ମହି ଆଣିଛି ତେବେ ତମେ ତାକୁ ସାମ୍ମାସାମ୍ନି ପଚାରିପାର । ...ମହି ଭୂଲ କରିଛି ଏକଥା ସତ । ଆମେ ବି ମାନୁଛୁ । ଜାତିଭାଇ, ସମାଜକୁ ଅବଜ୍ଞା କରି ମହି ହାତକୁ ଦି’ହାତ ହୋଇଛି । କାହାକୁ ପଚାରିନି । ତାକୁ କଣ ଦଣ୍ଡ ଦିଆଯିବା ଉଚିତ, ତୁମେ ବିଚାର କର ।….ହଁ ମୁଁ କହିବାକୁ ଚାହୁଁନି କିନ୍ତୁ ବାଧ୍ୟହେଉଛି କହିବାକୁ ...ନୀଳମଣି ଯାହା କରିଛି କଣ ଠିକ….କୁହ ଚତୁର୍ଥୀ ପୂର୍ବରୁ ବିଧବା ହୋଇଥିବା ଆରତୀ ଗର୍ଭବତୀ ହେଲା କେମିତି ? ବାସ୍‌ ଏତିକି...ମୁଁ ଆଉ କିଛି କହିବାକୁ ଚାହୁଁନି ।’’ ଚକ୍ରଧର ସାର୍‌ ତୁନି ପଡ଼ିଲେ ।

ଯେଉଁ ସଂଧ୍ୟାରେ ଚକ୍ରଧର ସାର ଗାଁ ମଣ୍ଡପରେ ମହି ଓ ଆରତୀ ବିଷୟରେ ସର୍ବସମ୍ମୁଖରେ କହିଲେ ସେଦିନ ଲୋକମାନଙ୍କର ମୁହଁରୁ କଥା ସରିଯାଇଥିଲା । ଲୋକଙ୍କଠାରୁ କିଛି ପ୍ରତିକ୍ରିୟା ମିଳିପାରିନଥିଲା । ଆରତୀ ଥିଲା ମହିର ଦୂର ସମ୍ପର୍କିୟ । ଦୁର୍ଘଟଣାରେ ସ୍ବାମୀକୁ ହରେଇବା ପରେ ସାହା ଭରଷା ନଥିବା ଆରତୀକୁ ଗଣଭୋଗ୍ୟା ହେବାକୁ ଛାଡିଦେବା ପରିବର୍ତ୍ତେ ନିଜ ଘରେ ତାକୁ ସମ୍ମାନର ସହ ଆଶ୍ରୟ ଦେବାକୁ ନିଷ୍ପତ୍ତି ନେଇଥିବା ମହି କଣ ଭୂଲ କରିଥିଲା ?

ତା’ ପରଠୁ କ୍ଷେତ୍ରପୁର ପାଇଁ ମହାପାପୀ ପାଲଟିଯାଇଥିଲା ମହି । ଏପରିକି ସବୁ ଜାଣି ବି ଆନନ୍ଦନଗର ଲୋକେ ତାକୁ ବାସନ୍ଦ କରିନଥିବାରୁ ଆନନ୍ଦନଗର ସହ ସମ୍ପର୍କ ଛିନ୍ନ କରିବାକୁ ଆହ୍ବାନ ଦେଇଥିଲେ ପୂର୍ବତନ ୱାର୍ଡମେମ୍ବର ନୀଳମଣୀ ମାଷ୍ଟ୍ରେ। ‘‘ଆନ୍ଦନଗ୍ରିଆ କେବଳ ଆମ ଉପରେ ମାଲିକାନା ଜାହିର କରୁନାହାଁନ୍ତି ଆମ ଝିଅ, ବୋହୁଙ୍କ ଉପରେ ମଧ୍ୟ ପାପ ନଜର ପକାଉଛନ୍ତି । ଆମେ ପ୍ରତିଶୋଧ ନେବା ।’’ ନୀଳମଣୀ ସାମଲର ଏତିକି କଥା କ୍ଷେତ୍ରପୁର ବାସିନ୍ଦାଙ୍କ ମନରେ ଭରିଦେଇଥିଲା ଜହର ।

ସରିଯାଇଥିଲା ରଜମଉଜ । ଆନନ୍ଦନଗର ଓ କ୍ଷେତ୍ରପୁରର ଯୁବକମାନେ ଅବିର ବୋଳି ହୋଇ ରଜ ବାଟେଇବାକୁ ଚାଲିଥିଲେ ଗାଁ ଦାଣ୍ଡରେ । ସଦ୍ୟ ଡାକ୍ତରଖାନାରୁ ଫେରିଥିବା ମହି ଚାଲିଥିଲା ସମସ୍ତଙ୍କ ଆଗରେ । ସାଙ୍ଗରେ ଓଢଣା ଦେଇ ଚାଲିଥିଲା ଆରତୀ । ମଣ୍ଡପରେ ବସିଥିଲେ ଚକ୍ରଧର ସାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ମହିଟା ଭଲ ପିଲାଟେରେ- ବାଟରେ ଯାଉ ଯାଉ ଅଟକି ଯାଇଥିବା କେହି ଜଣେ ଅପରିଚିତ ବାଟୋଇ କହୁଥିଲା ବଡ଼ ପାଟିରେ । ପୂର୍ବପରି ରାସ୍ତା ମଝିରେ ଚାଲିଥିଲା ପାଣିଧାରଟିଏ ଆଗକୁ ଆଗକୁ ।।

………..

‘ନିଶିପ୍ରଦୀପ’, କଏଳପାଳ, ବାତୋ, କେନ୍ଦୁଝର-୪୩

ମୋବାଇଲ- ୯୪୩୮୦୮୦୫୮୩

E-mail: litp.ranjan@gmail.com

ଚକ୍ରଧର ସାର୍‌ ମହି ଆନନ୍ଦନଗର

Rate the content


Originality
Flow
Language
Cover design

Comments

Post

Some text some message..