ଆମେ ଓଡିଆ
ଆମେ ଓଡିଆ
ବିଶ୍ଵନାଥ ମହାପାତ୍ର ଉର୍ଫ ବିଶୁବାବୁ ଆମ ଅଞ୍ଚଳର ଜଣାଶୁଣା କୁଜି ନେତା।କୁଜି ଏଇ ଦୃଷ୍ଟିରୁ ଯେ ଟୁଜି ଭଳି ଘୋଟାଲାରେ ତାଙ୍କ ନାଁ ନାହିଁ,ଛୋଟକାଟିଆ ହଡପରେ ଥିବାର ସ୍ପଷ୍ଟ ପ୍ରମାଣ ଅଛି।ସେ'ଟା ଧର୍ତ୍ତବ୍ୟ ନୁହେଁ,କାରଣ ନେତାହେବାର ସର୍ବନିମ୍ନ ଯୋଗ୍ୟତା ହଉଚି 'ମାରୁ ଗୁଣ'।ନାମଜାଦା ଚୋର ନହେଲେ ବି କଖାରୁ ଚୋରି,ବାଇଗଣ ଚୋରି ଇତ୍ୟାଦିର ରେକର୍ଡ ନିହାତି ରହିବା ଦର୍କାର,ନହେଲେ କି ନେତାହେ ସିଏ?
ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସରେ ଗାଁ'ପିଲାମାନଙ୍କୁ ଧରି ପ୍ରଭାତଫେରି କରାଇବାପାଇଁ ସେ ବେଶ୍ ଜଣାଶୁଣା।ଏକଥା ଅଲଗା ଯେ ମୂଖ୍ୟ ଅତିଥିଙ୍କଦ୍ୱାରା ପତାକା ଉତ୍ତୋଳନ ଓ ଭାଷଣ ପରେ ତାଙ୍କୁ ଯେତେବେଳେ କିଛି କହିବାର ସୁଯୋଗମିଳେ ସେ ଗଣତନ୍ତ୍ର ଦିବସକୁ ସ୍ୱାଧୀନତା ଦିବସ କହନ୍ତି ଓ ସ୍ୱାଧୀନତା ଦିବସକୁ ଗଣତନ୍ତ୍ର ଦିବସ ବୋଲି କହନ୍ତି।ଉପସ୍ଥିତ ସମାଗମରେ ଏ ସମ୍ବନ୍ଧୀୟ ଚାପା ହସର ଗୁଞ୍ଜନକୁ ସେ ତାଙ୍କର ଭାଷଣର ପ୍ରଶଂସାବୋଲି ଭାବି ନିଅନ୍ତି।
ଥରେ ପରେଡ ସମୟରେ ଜାତୀୟ ପତାକାପ୍ରତି ଅବମାନନା ଦୋଷରେ ପୁଲିସ ତାଙ୍କୁ ଥାନାକୁ ଭିଡିନେଲା,କାରଣ ଜାତୀୟ ପତାକାଟିକୁ ସେ ଓଲଟା ଧରି(ସବୁଜ ରଂଗକୁ ଉପରକୁ ରଖି) ପରେଡର ଆଗେ ଆଗେ ଯାଉଥିଲେ।ତାଙ୍କର ଜଣେ ନିନ୍ଦୁକ ଥାନାରେ ଅଭିଯୋଗ କଲାପରେ ଥାନାବାବୁ ତାଙ୍କୁ ଦି'ଘଣ୍ଟା ଅଟକ ରଖିଦେଲେ।ସ୍ଥାନୀୟ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଥାନାବାବୁ ତାଙ୍କୁ ଛାଡିଲେ।
ବିଶୁବାବୁ ଭାଷା ଆନ୍ଦୋଳନର ଜଣେ ଆଗଧାଡିର ନେତା।ନିଜକୁ କବିଭାବରେ ପ୍ରତିଷ୍ଠିତ କରିବାର ଅଦମ୍ୟ ଅଭିଳାଷା।ଓଡିଆ ଶାସ୍ତ୍ରୀୟଭାଷାର ମାନ୍ୟତା ପାଇବାପରଠାରୁ ପ୍ରାୟ ପ୍ରତଦିନ ଅବୋଧ୍ୟ,ଦୁର୍ବୋଧ୍ଯ ଏବଂ ଅର୍ଦ୍ଧବୋଧ୍ୟ କବିତାର ଝଡି ଲଗେଇ ଦେଇଛନ୍ତି ସାମାଜିକ ଗଣମାଧ୍ୟମରେ।କେତେଥର ମାନପତ୍ର ଓ ପ୍ରଶସ୍ତିପତ୍ର ମଧ୍ୟ ପାଇସାରିଛନ୍ତି।ନିନ୍ଦୁକମାନେ କହନ୍ତି ଯେ ଅର୍ଥବିନିମୟରେ ସେ ତାହା ହାସଲ କରିଛନ୍ତି,କିନ୍ତୁ ଆମ୍ଭେ ତାହା ବିଶ୍ୱାସ କରୁନା।ରାଧାନାଥ ଓ ଗଂଗାଧରଙ୍କ କବିତା ତାଙ୍କର ନାପସନ୍ଦ।ସେ କହିବାକଥା,ଯେଉଁ କବିତାକୁ ପଢୁ ପଢୁ ଅର୍ଥ ଜାଣିହୁଏ,ସେ କି କବିତା?ସେଥିରେ କଳାକାରିତା ଓ ପ୍ରତିଭା କାହିଁ?
ପ୍ରତିଭାବାନ ଏହି ଭାଷାପ୍ରେମୀ ବଂଧୁ ତାଙ୍କର ଏକମାତ୍ର ବିଶିକେଶନ କାଶୀନାଥ ଉର୍ଫ ଖାସି ବାବୁକୁ ଇଁରାଜୀ ମାଧ୍ୟମରେ ଉଚ୍ଚ ଶିକ୍ଷାଦେଇ ଆଇ ଆଇ ଏମ୍ କରାଇ ବଡ ଚାକିରୀରେ ଅବସ୍ଥାପିତ କରିଛନ୍ତି।ପିଲାଦିନୁ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢି ଖାସିବାବୁ ଓଡିଆ ଅକ୍ଷର ଚିହ୍ନିପାରନ୍ତିନାହିଁ।ତେଣୁ ଓଡିଆ ବହି ତାଙ୍କପାଇଁ 'କାଲା ଅକ୍ଷର ଭୈଂଷ୍ ବରାବର'।ଗତ ପୂଜାଛୁଟିରେ ବାବୁ ସପରିବାରେ ଗାଁକୁ ଆସିଥିଲେ।ଓଡିଆଭାଷାରେ ବାବୁଙ୍କର ଜ୍ଞାନ ଦେଖି ଜଣେ ପିତୃସ୍ଥାନୀୟ ଲୋକ ବିଶୁବାବୁଙ୍କୁ କହିଲେ " ପିଲାଟାକୁ କି ପାଠ ପଢେଇଲୁ ଯେ ଅ ଆ ଆସୁନି ?ଖାଲି ହିନ୍ଦୀ ଇଁଲିଶ୍ ଚୋବୋଉଚି।"
ବିଶୁ ବାବୁଙ୍କୁ ଅପମାନ ଲାଗିଲା।କହିଲେ " ମୋ ପୁଅ ଯେତେ ପାଠ ପଢିଚି,ଏ ଗାଁରେ କିଏ ପଢିଚି କହିଲ?ଆଇ ଆଇ ଏମ୍ କରିଚି,ଆଇ ଆଇ ଏମ୍।ଶଗଡେ ଟଙ୍କା ଖର୍ଚ୍ଚ କରିଚି ତା ପାଠପଢାରେ,ଜାଣିଚ?"ପିତୃସ୍ଥାନୀୟ ଭଦ୍ରଲୋକ ଜଣକ କହିଲେ "ଛେନା ଗୁଡଟା ପଢେଇଚୁ।ହଇରେ ଯେ ମାତୃଭାଷାରେ ଶ୍ରୀଅକ୍ଷର ବରୁଣେଇ ପାହାଡ,ସେ ଯେତେ ପଢିଲେ ମଧ୍ୟ ତାକୁ ସାକ୍ଷର କୁହାଯିବ?"
ତମ ତମ ହେଇ ଘରକୁ ଫେରିଲା ବେଳକୁ ଦେଖିଲେ ଗାଁ'ମୁଣ୍ଡରେ ନାତୁଣୀ (ଖାସିବାବୁଙ୍କ ଝିଅ) ସାଙ୍ଗପିଲାମାନଙ୍କୁ ଡାକୁଚି "ଏ ଟୋକୀମାନ ଆସ ଖେଳିବା।"ବିଶୁବାବୁ ଅଟକିଗଲେ ।କହିଲେ "ଆଲୋ ମାଆ ସେମିତି ଡାକନ୍ତି ?କହିବୁ- ଝିଅମାନେ ଆସ,ଖେଳିବା।କିମ୍ବା ସାଙ୍ଗମାନେ ଆସ ଖେଳିବା।"
ନାତୁଣୀ କହିଲା "ନାଇଁ ଜେଜେ,ଝିଅ ପିଲା ମାନଙ୍କୁ ଟୋକୀ କହନ୍ତି ବୋଲି ମାମା ମତେ କହିଚି।" ବିଶୁବାବୁ କହିଲେ " ସେମିତି ଡକାଯାଏନାହିଁ।ତୋ ମାମାତ ପିଲାଦିନୁ ଦିଲ୍ଲୀରେ ରହି ଇଁରାଜୀ ସ୍କୁଲରେ ପଢିଲା,ଓଡିଆ ଭାଷା ବିଷୟରେ ଜାଣିବ କେମିତି ?"
ଘରେ ପହଞ୍ଚି ବିଶୁବାବୁ ସ୍ତ୍ରୀଙ୍କୁ କିଛି କହିବାକୁ ଯାଉଥିଲେ,ଶ୍ରୀମତୀ ହସିହସି କହିଲେ "ଆହେ ଶୁଣୁଚ,ବୋହୂ ଆମର ଯିଦ୍ କରୁଚି ଆଜି ରାତିରେ ମଶାଣିରେ ଶୋଇବ,କାରଣ ଘରେ ବହୁତ୍ ଗରମ।"
ବିଶୁ ବାବୁଙ୍କ ମୁଣ୍ଡ ଗରମ୍।କହିଲେ "ତମ ମୁଣ୍ଡ ଠିକ୍ ଅଛି ନା ଗଞ୍ଜେଇ ଟାଣିଚ ?"
ପତ୍ନୀ କହିଲେ ସେ ଅଭ୍ୟାସ ତମର ସିନା ଅଛି,ମୋର ନାହିଁ।ବୋହୂ କହୁଚି 'ଏଠି ବହୁତ୍ ଗରମ,ରାତିରେ ମଶାଣିରେ(ମଶିଣାରେ ବା ସଉପ ପାରି)ଶୋଇବ।ତମ ବୋହୂର ଓଡିଆଭାଷାଜ୍ଞାନ ଜଣେଇ ଦବାକୁ ଚାହୁଁଥିଲି,ତମେ ଏମିତି ଭଡକୁଚ କାହିଁକି?"
ବିଶୁବାବୁ ମୁଣ୍ଡରେ ହାତଦେଇ ବସିପଡିଲେ।ଠିକ୍ କଲେ ଯେ ଆଉ ଏଣିକି ମୂଖ୍ୟମନ୍ତ୍ରୀଙ୍କ ଭାଷାଜ୍ଞାନ ଉପରେ ଚୁଟକୁଲି କରିବେ ନାହିଁ।
'ଗୋଦରୀଲୋ ନିଜ ଗୋଡକୁ ଚାହାଁ'।