Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ବୀରେଇ ବିଶାଳ-2

ବୀରେଇ ବିଶାଳ-2

5 mins
7.5K


ଦିନେ ସଞ୍ଜବେଳେ ମାମୁଁ ମାଇଁ ପିଣ୍ଡାରେ ବସିଛନ୍ତି, ବୀରେଇ କାମ ଧନ୍ଦା ସାରି ଯାଇ ପାଖରେ ବସିଲା । ମାମୁଁ ମାଇଁ ଦିନବେଳର କାମ ପାଇଟି କଥା ପଚାରିଲେ । କାମ ପାଇଟି କଥା ଛଡ଼ା ମାମୁଁ ମାଇଁ ସାଙ୍ଗରେ ବୀରେଇର ଆଉ କିଛି କଥା ଭାଷା ହୁଏ ନାହିଁ । ବୀରେଇ ଜବାବ୍ ଦେଇ ପାଖରେ ବସିଥାଏ । ମାମୁଁ ପଚାରିଲେ, “କିରେ ବୀରେଇ ! ଆଉ କିଛି କଥା ଅଛି ?” ବୀରେଇ ଦଣ୍ଡେ ଗୁମ୍ ମାରି ବସି ଦୁଇଟା ହାଇ ମାରି କହିଲା, “ମାମୁଁ ମୁଁ ଏବେ ଆପଣା ଘରକୁ ଯିବି ।” ମାମୁଁ ମାଇଁ ତ ଶୁଣି ଚମକି ପଡ଼ିଲେ, ତାଙ୍କ ମୁଣ୍ଡରେ ଯେମନ୍ତ ବଜ୍ରଟାଏ ଭାଙ୍ଗି ପଡ଼ିଲା । ମାମୁଁ ମାଇଁ ଦୁଇଜଣଙ୍କର ଦୁଇ ବର୍ଷ ହେଲା ଶ୍ୱାସ ବେମାରୀ । ସଞ୍ଜବେଳେ ଚାରି ଅଣାର ଟେଳାଏ ଟେଳାଏ ଆପୁ ଗିଳି ପକାଇଲେ ଟିକିଏ ଚାଲବୁଲ ହୋଇପାରନ୍ତି । ମାମୁଁ ତ ପିଣ୍ଡାରୁ ଓହ୍ଲାଇବାକୁ ନାହିଁ, ଚଣ୍ଡିଆର ତ ଏହି ଦଶା, ବୀରେଇ ବାହାରିଗଲେ ଆଉ କ’ଣ ଘରକରଣା ରହିବ । ମାମୁଁ ଦୁଇ ଚାରିଟା ନିଶ୍ୱାସ ପକାଇ କଅଁଳେଇ କଅଁଳେଇ କହିଲେ, “ହଁ ରେ ବାପ ଘରକୁ ଯିବୁ ନାହିଁ କ’ଣ ! ରହ, ମୁଁ କନ୍ୟାଟିଏ ଖୋଜା ଖୋଜି କରୁଛି, ବାହାଘର କରାଇ ଦେବି, ଦି’ପ୍ରସ୍ତ ଘର ବନାଇ ଦେବି । ତୁ ଉଛୁଣିକା ପିଲାଟାଏ, ଅଲଗା ଏକୁଟିଆ ହୋଇ କ’ଣ ରହିପାରିବୁ ? ଏ ଗାଁ ଲୋକଙ୍କ କଥା ବୁଝି ନାହୁଁ । ମୁଁ ବୁଝି ବୁଝି ବୁଢ଼ା । ସବୁ ତୋ ପାଖରୁ ଛଡ଼ାଇ ନେବେ, ଭକୁଆ ହୋଇ ବସିଥିବୁ । କ’ଣ କହୁଛୁରେ ବାପ ? ହେଉ ହେଉ ଆଉ ଯୋଡ଼ାଏ ବର୍ଷ ରହିଯା’ । କ’ଣ କହୁଛୁରେ ବାପ ?” ବୀରେଇ କହିଲା, “ନା, ମୁଁ ଘରକୁ ଯିବି ।” ମାଇଁ ଟିକିଏ ରାଗୀ- ଚଣ୍ଡୀ ହଜାର ଦୋଷ କରୁ, କିଛି କହିବେ ନାହିଁ, ଆଉ କେହି ତାଙ୍କ କଥା ଟିକିଏ ଅମାନ୍ୟ କଲେ ଘଡ଼ିଏ ଯାଏ ଗର୍ଜୁ ଥିବେ । ଟିକିଏ ରାଗିଯାଇ କହିଲେ, “କିରେ ବୀରେଇ ! ମାମୁଁ ସେ, ମୁରବି, ତାଙ୍କ କଥା ଅମାନ୍ୟ କରୁଛୁ । ଗାଁ ଲୋକଙ୍କ ବୁଦ୍ଧିରେ ପଡ଼ିଲୁଣି କିରେ ! ଆରେ କହିବାକୁ ଢେର, ବହିବାକୁ କିଏ ରେ ? ଯୋଗନୀଖିଆ ଘରଭଙ୍ଗା ଲୋକଙ୍କ ବୁଦ୍ଧିରେ ପଡ଼ ନା । ପାଞ୍ଚ ବର୍ଷର ଛେଉଣ୍ଡ ଲଙ୍ଗଳା ହୋଇ ପଡ଼ିଥିଲୁ, ଏଇ ମାମୁଁ ଥିଲେ ବୋଲି ଅଣ୍ଡାଟିରୁ ଭେଣ୍ଡିଆ ହୋଇ ଆଜି କଥା କହୁଛୁ । ଏହି ଯୋଗନୀଖିଆଏ ସମସ୍ତେ ତ ଥିଲେ, ତୋ ତୁଣ୍ଡରେ ପେଜ ମନ୍ଦାଏ କେହି ଦେଲେ ନାହିଁ । ନଣନ୍ଦେ ମରିବା ବେଳେ ମୋ ହାତ ଧରି ବାର ବାର କହି ଯାଇଛନ୍ତି, ଖବରଦାର ! ମୋ ବୀରେଇକୁ କାହିଁ ଛାଡ଼ି ଦେବ ନାହିଁ ବରାବର ଘରେ ରଖିବ । ଅଳପାଇସିଆ ଗାଁ ଲୋକେ ତାକୁ ଫୁସୁଲାଇଲେ ଶୁଣିବାକୁ ଦେବ ନାହିଁ । ତୁ ମା’ କଥା, ବାପ ବଦଳରେ ମାମୁଁ କଥା ଯଦି ନ ଶୁଣିବୁ, ଆପେ ପୋଡ଼ି ଉଡ଼ିଯିବୁ, କାହାର କ’ଣ ଯିବ ?” ମାମୁଁ କହିଲେ, “ଥାଉ ଥାଉ, ସେ ସବୁ କଥା ପଛେ ହେବ, କଥା କ’ଣ ପଳାଉଛି ? ଦିଅ ଦିଅ, ବୋହୂକୁ ଡାକିଦିଅ, ଛୁଆଟା କାମ ପାଇଟି କରି ଥକିଛି, ଆଗେ ତାକୁ ଭାତ ଦିଅ, ଚଣ୍ଡିଆ ନ ଆସିଲା ନାହିଁ ।” ବୀରେଇ ମନ ମଧ୍ୟରେ ବଡ଼ ହସିଲା, “ଓହୋ, ଆଜି ଯେ ମାମୁଁଙ୍କର ବଡ଼ ଦୟା ! ରୋଜ ତ ଚଣ୍ଡୀ ନ ଆସିଲେ ଖିଆପିଆ ହୁଏ ନାହିଁ ।” ଚଣ୍ଡୀ ଗାଁ ବୁଲି ବାହୁଡ଼ିବାରୁ ରାତି ଛ’ଘଡ଼ି । ମାମୁଁ ମାଇଁଙ୍କର ଶ୍ୱାସରୋଗ, ତାହା ଉପରେ ଆପୁର ନିଶା, ରାତିସାରା ନିଦ ହୁଏ ନାହିଁ, ଖୁଁ ଖୁଁ ହୋଇ କାଶୁଥାନ୍ତି, ପାହାନ୍ତିଆ ପହର ଥଣ୍ଡା ପବନ ଲାଗିଲେ ଟିକିଏ ନିଦ ମାଡ଼େ, ଚିନ୍ତା ଭାବନାରେ ଆଜି ସେ ନିଦ ବି ନାହିଁ ।

ତହିଁ ଆର ଦିନ ସଖାଳେ ବୀରେଇ ଆଣ୍ଠୁ ଯୋଡ଼ିକ କୁଣ୍ଢେଇ ପିଣ୍ଢାରେ ତୁନି ହୋଇ ବସିଛି । ଖରା ପିଢ଼ା ଉପରୁ ମଝି ବାହାରକୁ ଗଡ଼ି ପଡ଼ିଲାଣି, ମାମୁଁ ଉଠି ଆସି ବୀରେଇକୁ ଦେଖି କହିଲେ, “କିରେ ବାପ ! ତୁନି ହୋଇ ବସିଛୁ । ଯା’ ଯା’ ବେଙ୍ଗଳା ଖେଳାଇ ଦେ ଯା’ ! ଭଙ୍ଗା ପୁଞ୍ଜିଟା ରଣବଣ ହୋଇ ପଡ଼ିଛି ।” ବୀରେଇର ଏକା ପଦେ କଥା, “ନା, ମୁଁ ଘରକୁ ଯିବି ।” ମାମୁଁ ଆଜି ବି ଢେର୍ ବୁଝାଇଲେ । ଟେକାଟେକି କରି କଥା କହିଲେ । ବୀରେଇର ସେହି ଉତ୍ତର, “ଘରକୁ ଯିବି ।” ମାଇଁ ବିଛଣାରୁ ଉଠି ଆସି ଆଖି ମଳି ମଳି ସବୁ କଥା ଶୁଣୁଥିଲେ, ଏକାବେଳକେ ଖପାଟା ହୋଇ କହିଲେ, “ଯିବୁ ତ ଚାଲି ଯା’ । ଯିବି- ଯିବି ଭଜନମାଳ ଧରିଛୁ ଯେ ।” ବୀରେଇ କହିଲା, “ମୋ ବାପର ଯାହା ସବୁ ଚିଜବସ୍ତ ଆଣିଥିଲ, ଫେରାଇ ଦିଅ ।” ମାଇଁ ସେହିପରି ତେଜରେ କହିଲେ, “ଚିଜବସ୍ତ କ’ଣରେ ? ପାଣ୍ଠି ପଲାଣ ଦି’ଖଣ୍ଡ ଆଣିଥିଲେ, ଯା, ଯା, ଉଇ ଖାଇ ଯାଇପଡ଼ିଛି ମୁଣ୍ଡାଇ ଘେନି ଯା’ । ବରଷେ ନୁହେଁ, ଦି’ବରଷ ନୁହେଁ, କୋଡ଼ିଏ କୋଡ଼ିଏ ବର୍ଷକାଳ ଖୁଆଇ ପିଆଇ ଭେଣ୍ଡିଆଟିଏ କରିଦେଲୁ, ଏଣିକି ମୁଣ୍ଡକୁ ହାତ ପାଇଲା କି ନା । ମୁଁ ତାଙ୍କୁ ବାରବାର ତେତିକିବେଳେ କହିଥିଲି- ପରପୁଅ ଗୁଞ୍ଜାରୁଅ ସେ ବଳେଇରେ ପଶ ନା । ଶୁଣିଲେ ନାହିଁ, ଏବେ ଭୋଗ ।” ବୀରେଇ ତୁନି ହୋଇ ଏକକାନିଆ ପାଞ୍ଚଣ ଖଣ୍ଡ ଧରି ଉଠିଗଲା ।

ମକ୍ରୁ ବିଶାଳର ସରବରି ପନ୍ଦର ମାଣ ଚାଷ ଜମି ଥିଲା । ଜମିଟା ବଡ଼ ଭଲ, ମଟାଳିଆ, ଏକଚକିଆ, କଳିନ୍ଦ । ପୀତେଇ ପାତ୍ରେ ସେ ଜମିଟା ଆପଣା ନାମରେ କରିନେବା ଲାଗି ଢେର ଫନ୍ଦି ପିକର କରିଥିଲେ । ଜମିଦାର ଶ୍ୟାମ ସ୍ୱାଇଁଙ୍କୁ ଲାଞ୍ଚ ରିସପତ୍ ଯାଚିଥିଲେ । ମାତ୍ର ସ୍ୱାଇଁଏ ବଡ଼ ବିବେକୀ ଲୋକ, ପୁଣି ଗାଁର ପାଞ୍ଚ ଜଣଙ୍କ ଡରରେ ସେହି ମକ୍ରୁ ବିଶାଳ ନାମରେ ରଖି ଦେଇଛନ୍ତି । ବୀରେଇ ଗାଁରେ ମୂଲ ଲାଗେ । ଚାଷ ସଜ ନାହିଁ, ଜମିଗୁଡ଼ିକ ବଟରା ଲଗାଇ ଦେଲା ।

ବୀରେଇଟି ବଡ଼ କାମିକା, ପର ନ’ ଛ’ରେ ନ ଥାଏ, ଆପଣା ଦୁଃଖ ଧନ୍ଦାରେ ଲାଗିଥାଏ । ସଞ୍ଜବେଳେ ପାଇଟିରୁ ଫେରିଆସି ମୁଢ଼ିମୁଢ଼ା ପୁଞ୍ଜାଏ ପାଟିରେ ପକାଏ । କୋଡ଼ିଟାଏ କାନ୍ଧରେ ପକାଇ ବାହାରି ପଡ଼େ । ଆପଣା ଡିହରେ ବର୍ତ୍ତମାନ ରହିବା ଭଳି ଗୋଟିଏ ସାନ ଘର ବନାଇଲା । କାନ୍ଥ ଯିମିତି ଛିଡ଼ା କରିଛି, ମଉସା ପିଉସା ଗାଁର ଆଉ ଆଉ ପାଞ୍ଚ ଜଣ ଡକରା ନାହିଁ, ହକରା ନାହିଁ, ବୀରେଇ କାହାରିକୁ କିଛି କହି ନାହିଁ, ଧାଇଁ ଆସିଲେ, ଆପଣା ଆପଣା ଘରୁ କାଠ କୁଟା ବାଉଁଶ ଆଣି ଘରଟାଏ ଛିଡ଼ା କରାଇ ଦେଲେ । ବୀରେଇର ଅଉଲ ବିଲ-ଭାରି କଳିନ୍ଦ । ଧାନ ପାଚିବାରୁ ତିରିଶ ଭରଣ ସରିକି ଭାଗ ପାଇଲା । ବର୍ଷକ ଖାଇବା ଭଳି କିଛି ରଖି ସବୁ ଧାନଗୁଡ଼ିକ ବିକି ପକାଇଲା । ସେହି ଟଙ୍କାରେ ହଳିଆ ବଳଦ, ଚାଷ ସରଞ୍ଜାମ କିଣି ଆପଣା ଚାଷରେ ଲାଗିଗଲା । ବର୍ଷଚାରିଟା ଭିତରେ ବୀରେଇ ବାପ ଅମଳିକା ଘର ଛିଡ଼ା କରି ଦେଲାଣି । ସେହିପରି ତିନି ପ୍ରସ୍ତ ଘର, ମାଈ ଅଣ୍ଡିରା ଦେଢ଼ ବୋଡ଼ି ଗୋରୁ ପରା ଧାନ ପାଞ୍ଚ ଛ’ଟା ମରେଇ ଛିଡ଼ା ।

ବନ୍ଧୁ ବାନ୍ଧବ ହାମଦରଦୀ ପାଞ୍ଚ ଜଣ କେତେ ଥର କହିଲେଣି, “ଆରେ ବୀରେଇ । ତୁ କି ସବୁ ଦିନେ ଡାଙ୍ଗୁଆ ମାଙ୍ଗୁଆ ହୋଇ ରହିଥିବୁ । ଏଣିକି ପିତୃଲୋକ ପାଣି ମୁଠାଏ ପାଇବାର ବାଟ କର ।” ବୀରେଇ ବି ବୁଝିଲାଣି, ବିଭାଟାଏ ନ ହେଲେ ନୁହେଁ । କାମପାଇଟିରୁ ଆସି ରନ୍ଧାବଢ଼ା କରିବାଟା ଏଣିକି ବଡ଼ ଦିକ୍ ଲାଗିଲାଣି । ବାଧିକା ପଡ଼ିଲେ ପାଣି ମନ୍ଦାଏ ଦେବାକୁ, ଗୋଡ଼ ହାତରେ ହାତ ବୁଲାଇ ଦେବାକୁ କେହି ଭରସା ନାହିଁ । ବିଭା କରିବାକୁ ମନ କଲା ସତ, ହେଲେ ଏତେ ଟଙ୍କା କାହିଁ । ଆଉ ପାଟକୁ ନୁହେଁ ଯେ, ମନ କଲା ତ ବିଭା ହୋଇ ପଡ଼ିଲା । କିପାଇଁ କେଜାଣି, ବଳରାମଗୋତ୍ରୀ ପନ୍ଥାରେ କନ୍ୟାର ବଡ଼ ଅଭାବ, ପୁଣି ଦର ଭାରି ଚଢ଼ା । ଗୋଟିଏ ଗୋଟିଏ କନ୍ୟା ପାଞ୍ଚଶ ଠାରୁ ହଜାରେ ଦୁଇ ହଜାର ଟଙ୍କାରେ ବିକ୍ରି ହେବାର ଏ ଲେଖକଙ୍କୁ ଜଣା । ଅଜଣା ପାଠକ ଆପଣେ ପଚାରିବେ, କନ୍ୟାର ଦାମ ଏତେ ଊଣା ଅଧିକ କିଆଁ । କନ୍ୟାଗୁଡ଼ିକ ଫୁଟ ଗଜରେ ମାପ ବା ଦଣ୍ଡି ତରାଜୁରେ ଓଜନ ହେଉଥିବ, ମାପ ବା ଓଜନ ଊଣା ଅଧିକରେ ଦର ଊଣା ଅଧିକ ହୁଏ । ନାହିଁ ନାହିଁ, ତାହା ନୁହେଁ, ଆମ୍ଭମାନଙ୍କୁ ଭିତିରିଆ କଥା ଭଲ ଜଣା । ସେଥିର ଅସଲ ହାଲ ଚୁମ୍ୱକରେ ଦୁଇ ଚାରି କଥାରେ କହିବୁ । ବଳରାମଗୋତ୍ରୀ ପନ୍ଥାରେ ନ ଥିଲା ଲୋକ ନାହାନ୍ତି ବୋଲନ୍ତୁ, ସେମାନେ ଭାରି ପରିଶ୍ରମୀ ଏବଂ ଖରଚପତ୍ରରେ ଭାରି ଚିପା । ବଳେ ସମସ୍ତଙ୍କ ହାତରେ କିଛି କିଛି ଟଙ୍କା ଜମିଯାଏ । କନ୍ୟାର ବୟସ ବା ରୂପ ଗୁଣ ବିଷୟରେ କିଛି ଚିନ୍ତା ନାହିଁ- ବରର ବୟସକୁ ଧରି କନ୍ୟାର ଦରଦାମ କଷାଯାଏ । ବରର ବିବାହର ବୟସ ହେଲା । ଏଣେ ଘରେ ତେତେ ଟଙ୍କା ନାହିଁ, ଆପେ ପରିଶ୍ରମ କରି ଟଙ୍କା ଜମାଏ । ଟଙ୍କାଟା ଠିକ୍ ହେଉ ହେଉ ବରର ବୟସ ହୋଇ ଗଲାଣି ପଚାଶ, କିମ୍ୱା ଧନବନ୍ତ ଲୋକ ଦୋଜବର ଓ ତେଜବର ବୟସ ଷାଠିଏ । ଏଣେ କନ୍ୟାଟିର ବୟସ ୧୦/୧୧ ଭିତରେ । ସେହି ସମସ୍ତ ଜାଗାରେ କନ୍ୟାର ଦର ବଢ଼ିଯାଏ । ଦରର ଏହିପରି ହାଲ ଜାଣିବ । ବୀରେଇ ବିଭା ହେବା ଲାଗି ଟଙ୍କାଏ ମସାଏ ଯାହା ହାତରେ ପଡ଼େ ଥୋଇ ଦିଏ । ଘରକଣରେ ଅନ୍ଧାରିଆ ଗୋଟିଏ ଠେକି ପୋତିଛି, ସେଥିରେ ପକାଇ ଦିଏ ।


Rate this content
Log in

Similar oriya story from Classics