Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଏଇ ବୋଧେ ପ୍ରେମ
ଏଇ ବୋଧେ ପ୍ରେମ
★★★★★

© TAPASWINI BEHERA

Others

10 Minutes   1.4K    6


Content Ranking

ବସନ୍ତ ସନ୍ଧ୍ୟାର ମୃଦୁ ମଳୟର ଆବାହନ ସାଥେ ଉନ୍ମୁକ୍ତ ଗଗନର ବକ୍ଷ ଦେଶେ ପାଦ ଦେଇ ଓହ୍ଲାଇ ଆସୁଥାନ୍ତି ଅଳସୀ ପ୍ରେମର ପ୍ରିତୀ ଜ୍ୟୋସ୍ନା ଢାଳି ପୂର୍ଣ୍ଣମୀର ଜହ୍ନ ,ଆଉ ରିତୁ ସେଇ ମଧୁଛନ୍ଦାରୁ ମେଞ୍ଚେ ପିଇବାର ପ୍ରଚେଷ୍ଟାରେ ଲେଖିଚାଲିଥାଏ କେତେ ଅସଜଡ଼ା କବିତା ଅମୁଙ୍କ ସ୍ମୃତିରେ।ଅମୁ ଓରଫ ଅମୀୟ,ରିତୁର ପ୍ରିୟତମ,ପୂର୍ବତନ ପ୍ରେମିକ ଅବା କହିପାର ପ୍ରଥମ ପ୍ରେମର ସ୍ଥାୟୀ ଠିକଣା,ଯାହାର ସ୍ମୃତି ପୁଣି ଥରେ ତାଜା ହେଇ ଡେଇଁ ପଡିଛି କବିତାର ରୂପ ନେଇ ଓହଳିବାକୁ ରିତୁର ମନରେ।ସେଇଥିପାଇଁ ତ କେତେ ଲେଖି ସାରି କାଗଜ ପେଣ୍ଡୁ କରି ଘର ସାରା ଫିଙ୍ଗା ଫିଙ୍ଗି ସରିଲାଣି ଆଉ କେତୋଟି ଏ ଯାଏଁ ଅସମ୍ପୂର୍ଣ୍ଣ ହେଇ ବି ଆଗେଇ ଚାଲିବାର ଅଦମ୍ୟ ପ୍ରୟାସରେ ଅଣନିଶ୍ଵାସୀ ହୋଇ ଧାଉଁଛନ୍ତି କେଜାଣି କେତେବେଳୁ। ଅକ୍ଷର ଯେମିତି ବେଯୋଡ଼ା ହେଲେ ଶବ୍ଦର ସ୍ଥାନ ନେଇ ପାରେନି ଠିକ୍ ସେମିତି ତା କବିତାର ଶବ୍ଦଗୁଡା କେହି କାହା ସହ ଖାପ ନ ଖାଇବାର ପଣ ନେଇ ଯେମିତି ବାରମ୍ବାର କବିତାର ପରିଚୟ ସୃଷ୍ଟି କରିବାରେ ବିଫଳ ହେଉଥାନ୍ତି ଅବା ଏମିତି ବି ହେଇପାରେ ଅମୀୟଙ୍କ ସେ ପୁରୁଣା ସ୍ମୃତିର ସଂଜ୍ଞାରୁ ସେ ଏତେ ଦୂରକୁ ଚାଲିଯାଇଛି ଯେ ତାକୁ ନେଇ କବିତା ଲେଖିବାକୁ ଶବ୍ଦ ମାନେ ବି ନାରାଜ।କେମିତିବା ନାରାଜ ନ ହେବେ ଯେ..?ଶବ୍ଦମାନଙ୍କୁ ଯୋଡିକି ଅମୀୟ ଯେଉଁ ବାକ୍ୟ ସେଦିନ କହିଥିଲେ, ତାଙ୍କ ପାଇଁ ହୁଏତ ସାଧାରଣ କଥା ଟିଏ ହେଇଥିବ,ହେଲେ ସେ ବି ବୁଝିଲେନି ଯେ କେହି ଜଣେ ସେଇ ବାକ୍ୟର ପ୍ରତିଧ୍ୱନିରେ ଗଢିଥିବ ହଜାରେ ସ୍ବପ୍ନ।ଯେଉଁ ସ୍ୱପ୍ନମାନେ ଆଜି ମୃତପ୍ରାୟ।କଥା ଦେଇ କଥା ନ ରଖିବା କେବେ କଣ କାହାକୁ କଷ୍ଟ ଦିଏନି,ଯଦି ସେ ଅତି ନିଜର ଭାବୁଥିବା ଲୋକ ଟିଏ ହୋଇଥିବ..?ଦୀର୍ଘ ୭ବର୍ଷର ନିବିଡ଼ ସମ୍ପର୍କକୁ ପାଦରେ ଦଳିଦେଇ ଚାଲିଯିବା ଆଗରୁ ଥରୁଟିଏ ସେ ପଛକୁ ଚାହିଁ ନ ଥିଲେ।ତାଙ୍କର ଶେଷ ପଦ କଥା ଥିଲା-"ଦେଖ ରିତୁ,ମତେ ତୁମେ ଭୁଲିଯାଅ।ମୋ ବାପା,ବୋଉ,ମୋ ପାଇଁ ବହୁତ ଅଧିକ।ତାଙ୍କ ବିନା ମୁଁ କୌଣସି ନିଷ୍ପତ୍ତି ନେଇ ପାରିବିନି।ଘରେ ପ୍ରସ୍ତାବ ଦେଇଥିଲି କିନ୍ତୁ ସେମାନେ ରାଜି ନୁହଁନ୍ତି।ଜାତି,ଗୋତ୍ରର ବିରାଟ ଲକ୍ଷ୍ମଣରେଖା ଟାଣି ଦେଇଛନ୍ତି ମୋ ଚାରି କଡ଼ରେ।ମତେ ତୁମେ କ୍ଷମା କରିବ। ଭାବିନେବ ତୁମ ସହ ମୋର ଏ ସମ୍ପର୍କ ଗୋଟେ ଅଭିଶପ୍ତ ଅଧ୍ୟାୟ ଥିଲା। ମୁଁ ତୁମ ପାଇଁ ଯୋଗ୍ୟ ନୁହେଁ ବରଂ ତୁମକୁ ମୋ ଠୁ ଶହେ ଗୁଣ ଭଲ ମଣିଷଟେ ମିଳିଯିବ।"ବାସ୍!ସେ ଏକା ନିଃଶ୍ବାସରେ ଏତେ ଗୁଡାଏ ବାକ୍ୟ କହିଦେଲେ ଯେ, ସବୁ ଯେମିତି ସେ ଆଗରୁ ଶହେ ଥର ଘୋଷି ନେଇଥିଲେ।ରିତୁ ବି ଚୁପ୍ ଚାପ୍ ଛିଡା ହେଇ ଶୁଣିବାର ଧୈର୍ୟ୍ଯ ଭାଙ୍ଗି ଶବ୍ଦ ଉଦ୍ଗିରଣ କରିଚାଲିଥିଲା,-କି ଅଧିକାର ଥିଲା ତୁମର ମୋ ହୃଦୟକୁ ଶତ ବାର ବିଦୀର୍ଣ୍ଣ କରିବା..?ଅଲୋଡ଼ା ସ୍ବପ୍ନ ମାନଙ୍କୁ ମୋ ଆଖିରେ ପରସ୍ତ ପରସ୍ତ କରି ଲେସିବା..?ପ୍ରେମର ଅନୁଭବ କରି ନ ଥିବା ଗୋଟେ ସରଳ ମନକୁ କ୍ଷତ ବିକ୍ଷତ କରି ମିଛଟାରେ କ୍ଷମା ପ୍ରାର୍ଥନା କରିବାରେ ତୁମକୁ କେଉଁ ଆତ୍ମତୃପ୍ତି ମିଳିଗଲା ?ନିଜକୁ ଦୋଷୀ କହି ଖସିଯିବାର ବାହାନା କରି ଭଲ ଖେଳ ତୁମେ ଖେଳିଲ ,କେଜାଣି କେଉଁ କଳଙ୍କିତ ମୁହୂର୍ତ୍ତରେ ମୁଁ ତୁମକୁ ମୋ ଆତ୍ମା ସହ ଛନ୍ଦି ଥିଲି"।ଅମୀୟ ସେଦିନ ତା ସାମନାରେ ମୁହଁ ତଳକୁ କରି ଛିଡା ହେଇ ନୀରବରେ ଅଶ୍ରୁ ଢାଳି ଚାଲିଥିଲେ ।ଆଉ ରିତୁ ସବୁ ଦୁଃଖର ଅଭିମାନକୁ ତାଙ୍କ ଉପରେ ଫିଙ୍ଗି ଚାଲିଥିଲା,ମୁହୂର୍ତ୍ତକ ଭିତରେ ତା ଆଖି ସାମ୍ନାରେ ଧୂଳିସାତ ହେଉଥିବା ଅନେକ ଆଶାର ଉଚ୍ଚାଟ ଇମାରତ ମାନଙ୍କୁ ନିଜ ଲୁହର ବନ୍ୟାରେ କେଉଁ ଗୋଟେ ଅପହଞ୍ଚ ଇଲାକାରେ କବର ଦେବା ପାଇଁ। କଢ଼ିରୁ ସଜ ଫୁଟିଥିବା ପ୍ରିତୀଫୁଲକୁ ସାଇତି ରଖିବ ନା ସମୟ ସ୍ରୋତରେ ଭସେଇ ଦେଇ ଏଇ ସମ୍ପର୍କର ତର୍ପଣ ଦେବାର ଭାବନାରେ ଛନ୍ଦି ହେଇ ଯାଉଥିଲା ତା ହୃଦତନ୍ତ୍ରୀ।ମନ କବରୀରେ ସଜେଇ ରଖିଥିବା ସୁରଭିତ ପ୍ରେମ ସତେକି ଝାଉଁଳି ପଡୁଥିଲା ଅସମୟରେ।ଅତୀତର ସେ ବ୍ୟଥିତ ମୁହୂର୍ତ୍ତ ଆଜି ଅଜାଣତରେ ଗୋଟି ଗୋଟି ହେଇ ଖୋଲିଯାଉଥିଲା ପୁଣିଥରେ ରିତୁ ସମ୍ମୁଖରେ ।

ଅମୀୟଙ୍କ ସହ ରିତୁର ପ୍ରଥମ ଦେଖା ବରମୁଣ୍ଡା ବସ୍ ଷ୍ଟାଣ୍ଡ୍। ବସ୍ ଷ୍ଟାଣ୍ଡ୍ ସାରା ସେ ବସ୍ କୁ ଖୋଜି ଚାଲିଥାଏ।ସାମ୍ନାରେ ଅତି ଭଦ୍ର,ସମ୍ଭ୍ରାନ୍ତ ପରିବାରର ଦିଶୁଥିବା ଜଣେ ଯୁବକଙ୍କ ପାଖକୁ ଯାଇ ପଚାରିଲା-"ଏକ୍ସକ୍ୟୁଜ ମି! ଆପଣ ଭଦ୍ରକ ଯାଉଥିବା କୋଉ ବସ୍ କୁ ଜାଣିଛନ୍ତି କି..?ସେ କେତେବେଳେ ଆସିବ ଆଉ କୋଉଠି ରହିବ?ତା ପ୍ରଶ୍ନରେ ଅମୀୟ ହସିଦେଲେ,ମନେ ମନେ ସେ କିନ୍ତୁ ରାଗିକି ଖପ୍ପା ହେଇଗଲା।ପ୍ରଶ୍ନ ଟିଏ ତ ପଚାରିଲି,ଏଥିରେ ଏତେ ମୁରୁକି ହସ ଫୁଟେଇବାର କଣ ଅଛି..?ତା ପରେ ଭଦ୍ର ଭାବୁଥିବା ସେ ବ୍ୟକ୍ତି ଜଣକ କହିଲେ" ମୁଁ ବି ଏଠି ନୂଆ,କିନ୍ତୁ ହଁ, ମୁଁ ବି ଭଦ୍ରକ ଯିବି,ଇଣ୍ଟରଭ୍ୟୁ ପାଇଁ,ସେଥିପାଇଁ ଏଇଠି ଛିଡା ହେଇଛି, ତୁମେ ଯଦିପାରିବ ଛିଡା ହେଇଯାଅ,ବସ୍ କୁ ଅପେକ୍ଷା କରିନେବା ଆଉ ସମୟ ବି କଟିଯିବ।" ସ୍ମିତ ହସରୁ ଧାରେ ଢାଳି ଦେଇ ସେ ବି ଛିଡାହେଲା ଦଶ ହାତ ଦୂରରେ।୨୦ ମିନିଟର ସମୟ ଅବଧି ପରେ ବସ୍ ଟି ଆସି ପହଞ୍ଚିଗଲା,ମିଠା ବଣ୍ଟା ହେଲା ଭଳିଆ ଧସ୍ତା ଧସ୍ତି ଲୋକାରଣ୍ୟ ବସ୍ ବନ୍ଧ।ରିତୁକୁ ଆଗ ଚଢ଼ିବାର ଇସାରା ଦେଇ ଅମୀୟ ବ୍ୟାଗ ଧରୁ ଧରୁ କହିଥିଲେ-"ଅଚିହ୍ନା ଭାବି ସଙ୍କୋଚ କରିବା ଠିକ୍ ,କିନ୍ତୁ ଏଇଟା ମୋ ହ୍ୟୁମାନିଟି ଭାବିନେବ।ତୁମକୁ ଯଦି କେବେ ଏମିତି ସୁଯୋଗ ମିଳେ ସାହାଯ୍ୟ କରିବାରେ ସଙ୍କୋଚ କରିବନି କହି ବସ୍ ର ବନ୍ଧଟାକୁ ଅଟକେଇ ରଖିଥିଲେ ତା ଚଢିବା ପର୍ଯ୍ୟନ୍ତ,କେହି ଜଣେ ପଛରୁ କହୁଥାଏ-"ଆଉ କାହାକୁ ଚଢେଇ ଦେବନି ନା କଣ,ବନ୍ଧଟାକୁ ଏକା ଆବୋରି ବସିଛ"।ତା ମନ କଥା ବୁଝିଲା ଭଳିଆ ଝରକା ପାଖ ସିଟ୍ ରେ ରିତୁକୁ ବସିବାର ଇଙ୍ଗିତ ଦେଇ ସେ ବ୍ୟାଗ ସଜାଡି ରଖୁ ରଖୁ କହିଥିଲେ,"ଏମିତି ଅଜଣା ହାତ ମାନେ ମୋ ମୁଣ୍ଡ ଉପରେ ଏତେ ଯେ, ଅପରିଚିତ ମୁହଁ ଯାହା ବି ହଉ,ସବୁ ପରେ କେହି ଜଣେ ମଣିଷ ତ ନିଶ୍ଚିନ୍ତ,ଆଉ ଏବେ ଆପଣ ପାଖ ସିଟ୍ ରେ ବସିବାର ଅନୁମତି ନଦେଲେ,୪ଘଣ୍ଟା ଛିଡା ହେବାର କସରତ କରିବାର ଦ୍ଵିଧା ନାହିଁ।"ବସିବାକୁ ହାତ ଠାରି ହସି ଦେଇ କଥା ବାଁରେଇବାରେ ପ୍ରବୀଣ ରିତୁ କହୁଥିଲା,ଏତେ ଶୀଘ୍ର ମୋ ଅନ୍ତରର କଥା ବୁଝିନେଲେ, ମୋତେ ବସ୍ ର ଝରକା ଦେଇ ବାହାରର ନଜାରା ଦେଖିବାକୁ ଭାରି ଭଲଲାଗେ।ବସ୍ ର ଶିଥିଳ ଗତି କ୍ରମେ ଦ୍ରୁତତର ହେବା ସାଥେ ସାଥେ ଅମୀୟଙ୍କ ମୁହୂର୍ତ୍ତ ମୁହୂର୍ତ୍ତ ସ୍ନେହ ଯେମିତି କ୍ଷଣ ଟିଏ ପାଇଁ ରିତୁ ହୃଦୟର ବୀଣାକୁ କେଉଁ ଅଜଣା ସଙ୍ଗୀତରେ ପ୍ରଖର ବେଗଗାମୀ କରି ଦେଉଥିଲା ।ଦୀର୍ଘ ୪ ଘଣ୍ଟାର ସମୟ ଭିତରେ ଅମୀୟଙ୍କ ମାତ୍ର ୪ମିନିଟ କଥା,ତାଙ୍କ ବିଷୟରେ ୪ଘଣ୍ଟା ଭାବିବାକୁ ଯେମିତି ବାଧ୍ୟ କରିଦେଇଥିଲା ରିତୁକୁ।ତା ପରେ ସେ ଆସିଯାଇଥିଲା ତା କଲେଜ ହଷ୍ଟେଲକୁ ।

ରିତୁ ଗ୍ରାଜୁଏସନର ପ୍ରଥମ ବର୍ଷ ଛାତ୍ରୀ। ପହିଲି କରି ଗୋଟେ ନୂଆ କଲେଜ,ଚିହ୍ନା ଜଣା ହାତ ଗଣତି ମୋଟେ ଦୁଇ ଜଣଙ୍କୁ ସେ ଜାଣିଥିଲା କିନ୍ତୁ ଠିକ୍ ରେ ବି ନୁହେଁ କାରଣ ଆଡ଼ମିଶନ ସମୟରେ ଯାହା ଦେଖା ସାକ୍ଷାତ ସେତିକି।ତାଙ୍କ ଛଡା ସେ କଲେଜର ଗଛ,ପତ୍ର ଆଉ ଗୋଡି,ମାଟି ବି ରିତକୁ ଯେମିତି କୋଉ ଗୋଟେ ଅଜଣା ଉପଗ୍ରହର ପରି ଲାଗନ୍ତି।ପ୍ରଥମ ଦିନର ପ୍ରଥମ କ୍ଲାସ ସାରି ସେ ଏକ ମୁହାଁ ହଷ୍ଟେଲ ଆଡେ ଧାଉଁ ଥାଏ।କେହି ଜଣେ ପଛ ଆଡୁ ଡାକିନେଲା -"ଏକ୍ସକ୍ୟୁଜ ମି!କଣ ଚିହ୍ନି ପାରୁଛନ୍ତି ନା ନ ଚିହ୍ନିଲା ପରି ଅଭିନୟ କରି ବାଟ ଭାଙ୍ଗି ଚାଲିଯିବାର ପ୍ରୟୋଜନ କରୁଥିଲେ"।ଏମିତି ଏକ ଚିହ୍ନା ସ୍ୱରକୁ ଶୁଣି ପଛକୁ ବୁଲି ପଡିଲା ରିତୁ,କିନ୍ତୁ ଏ କଣ କେହି ତ ନାହାଁନ୍ତି?ବୋଧ ହୁଏ ସେ ବସ୍ ର ଅପରିଚିତ ମୋ ହୃଦୟର ଚଗଲା ନଈକୁ ଚହଲେଇ ଦେଇ ଥିବାରୁ ଏମିତି ଭ୍ରମ ସୃଷ୍ଟି ହେଇଛି, ସେ ଆଗକୁ ଚାଲିବାର ପାଦଟେ ବଢ଼େଇଲା ପରେ ପୁଣି ଥରେ ଶବ୍ଦଟେ ଆସି କାନ ପାଖେ ପିଟିହେଲା -"କୁଆଡେ ଖୋଜୁଛନ୍ତି,ତୁମ ବାମ ପଟ ସିମେଣ୍ଟ ବେଞ୍ଚ ଉପରେ ମୁଁ ବସିଛି"। ଚାହିଁଦେଲା ପରେ କେଜାଣି କାହିଁକି କ୍ଷଣ ଟିଏ ପାଇଁ ରିତୁ ସତରେ ଚହଲି ଗଲା,ନିଜକୁ ପ୍ରକୃତିସ୍ଥ କରି କହିଲା-"ମନେମନେ ମୁଁ ବି ଆପଣଙ୍କୁ ଖୋଜୁଥିଲି,ସେଦିନର ସାହାଯ୍ୟ ପାଇଁ ଲୋଡା ଧନ୍ୟବାଦର ଅଧିକାର ଦେଇ ନ ଥିବାରୁ।ହେଲେ ଏଠି ଆପଣ କଣ କରୁଛନ୍ତି ଦର୍ଶନଶାସ୍ତ୍ର ବହିଟେ ହାତରେ ଧରି..?କଣ ଦାର୍ଶନିକ ହେବେ କି,ନା ଇଣ୍ଟରଭ୍ୟୁ ବି ଦର୍ଶନଶାସ୍ତ୍ରକୁ ନେଇ ଥିଲା?ସେ କିନ୍ତ ସେଇ ମୁରୁକି ହସା ଚେହେରା ତଳେ ନୀରବରେ ଚାହିଁଥିଲେ ରିତୁ ଆଡେ,ଆଉ ରିତୁ ବି ଏତେ ଗୁଡ଼ାଏ ପ୍ରଶ୍ନର ବଳୟ ତାଙ୍କ ଚାରିପାଖରେ ଗୁନ୍ଥିଦେଲା ଯେ ,ସେ କୋଉ ପ୍ରଶ୍ନର ଉତ୍ତର ଦେବେ ଭାବୁଥିଲେ ବୋଧ ହୁଏ।ରିତୁ ଚିହ୍ନା ଲୋକ ପାଖେ ନନ୍ ଷ୍ଟପ୍ ଗପୁଡି, ଆଉ ଅଚିହ୍ନାଙ୍କ ପାଖେ ନିଃଶ୍ୱାସ ଠୁ ବି ଆହୁରି ନିରବ।ହେଲେ ଏଠି ବୋଧେ ରିତୁର ମନରେ ଅମୀୟ ଗୋଟେ ଚିହ୍ନା ମୁହଁ ହେଇ ସାରିଥିଲେ,ସେଇପାଇଁ ତ ପାଗଳିଙ୍କ ଭଳି କହିଚାଲିଥାଏ ଆଉ ଅମୀୟ ଶୁଣୁଥାନ୍ତି ନିର୍ଦ୍ବନ୍ଦ୍ୱରେ।"ମତେ ଏ ଦର୍ଶନଶାସ୍ତ୍ର ଆଦୋୖ ଭଲ ଲାଗେନି ପଢିବାକୁ ,ହେଲେ ବାଧ୍ୟ ବାଧକତାରେ ପଢିବାକୁ ପଡୁଛି।ଖାଲି ଗପ ହିଁ ଗପ,ଓଃ!!କି ବୋରିଂ!!ତୁମେ କେମିତି ଏଗୁଡା ପଢୁଛ,ଇଚ୍ଛାରେ ନା ମୋ ଭଳି ..?" ନାଇଁ, ନିଜ ଇଚ୍ଛାରେ,ଏମିତି କିଛି କଥା କହୁ କହୁ କେତେବେଳେ ଯେ ହଷ୍ଟେଲ ସାମ୍ନାରେ ଦୁହେଁ ଆସି ଯାଇଥିଲେ ଜଣା ନ ଥିଲା।ତୁମ ସହ ଦେଖା ହେଇ ଖୁସି ଲାଗିଲା,ଶେଷରେ ଧନ୍ୟବାଦ ଜଣେଇ ରିତୁ ବି ହଷ୍ଟେଲ ମୁହାଁ ହେଲା ଆଉ ଅମୀୟ "ବାଏ" କହି ସେଇଠି ଛିଡା ହେଇ ରିତୁ ଆଡେ ଚାହିଁଥିଲେ ତାଙ୍କ ନଜର ଆଢୁଆଳରୁ ସେ ଲୁଚି ଯିବା ପର୍ଯ୍ୟନ୍ତ।

ରିତୁର ଦର୍ଶନଶାସ୍ତ୍ର କ୍ଲାସ।ଇଚ୍ଛା ନ ଥାଇ ବିରକ୍ତିରେ ଯାଇ ଶେଷ ବେଞ୍ଚରେ ବସିଥାଏ। "ଲଭ ଆଟ ଫାର୍ଷ୍ଟ ସାଇଟ୍" ଉପନ୍ୟାସ ଖୋଲି ପଢୁଥାଏ।ହଠାତ ପୁଣି ସେଇ ଚିହ୍ନା ସ୍ୱରର ଶବ୍ଦସବୁ କାନରେ ବାଜିଲା କ୍ଷଣି ଚମକି ପଡିଲା ରିତୁ।କଣ ସେ ଏଥର ସତରେ ଭ୍ରମିତ ହେଉନି ତ?କଳାପଟ ମୁହଁ ଆଡେ ମୁହଁକରି ଲେଖୁଥିବା ମଣିଷଟା କଣ ସେହି ଭଦ୍ରବ୍ୟକ୍ତି!ସେ ଛନ୍ଦି ହେଉଥାଏ ତା ନିଜ ପ୍ରଶ୍ନରେ ଥରକୁ ଥର। କଳା ପଟରୁ ମୁହଁ ବୁଲେଇଲା ପରର ମଣିଷକୁ ଦେଖି ରିତୁ ଆଶ୍ଚର୍ଯ୍ୟରେ ଚାହିଁଥିଲା ତାଙ୍କ ଆଡେ।ଏ କଣ ଦର୍ଶନଶାସ୍ତ୍ରର ଅଧ୍ୟାପକ ମିଷ୍ଟର ଅମୀୟ ରଞ୍ଜନ ପଟ୍ଟନାୟକ!ଯାହାଙ୍କ ଆଗରେ ସେ ସେଇ ବିଷୟର ଯେତେ ସବୁ ଦୋଷ ଦୁର୍ବଳତାକୁ କେତେ କଣ କଥା ଛଳରେ କହିଦେଇଥିଲା..?କଣ କହିବ ଆଉ କିଛି ଭାବି ପାରୁ ନ ଥିଲା ରିତୁ।ସବୁ ବୁଝିଗଲା ଭଳିଆ ତାଙ୍କ ପ୍ରତିଟି କଥାକୁ ଢକ ଢକ କରି ପିଇ ଯାଉଥିଲା ଏବେ।ଭାବୁଥିଲା,ଏ କଣ ସେଇ ଅଧ୍ୟାପକ ଯାହାଙ୍କୁ ନେଇ ପ୍ରତି ସନ୍ଧ୍ୟାରେ ସିନିୟର ଦିଦିମାନେ ହଷ୍ଟେଲରେ ତାଙ୍କ ମୁଖ୍ୟ ଆଲୋଚନାର ବିଷୟ ଭାବେ ବାଛି ନେଇଥାନ୍ତି..?କେହି ଜଣେ ପୁଣି କହୁଥାଏ,ସେ ଦର୍ଶନଶାସ୍ତ୍ର ପଢିବାକୁ କିଏ ଯାଏ କି?ଆମେ ତ ତାକୁ ପଢ଼ଉଥିବା ଅଧ୍ୟାପକଙ୍କୁ ଦେଖିବାକୁ ଯାଉ,ଏତେ ହ୍ୟାଣ୍ଡସମ୍ ପୁଣି ଭଦ୍ର ଯେ କଳିଯୁଗର ରାମଚନ୍ଦ୍ରଙ୍କ ପରି ଲାଗୁଥାନ୍ତି।ସତରେ ତାଙ୍କୁ ଯିଏ ବହାହେବ,ସେ ବହୁତ ଭାଗ୍ୟବତୀ ହେଇଥିବ,ଏମିତି କେତେ କଣ।ସେ ଖାଲି ଶୁଣୁ ଥିଲା ଚୁପ୍ ଚାପ୍ ଆଉ ମନେ ମନେ ଯାହାଙ୍କୁ ଦେଖିବାକୁ ଚେଷ୍ଟା କରୁଥିଲା ତାଙ୍କୁ ଯେ ସେ କେତେବେଳୁ ଜାଣେ ,ଏକଥା ଭାବିଲା ବେଳେ ଅଜଣା ଆନନ୍ଦରେ ଏକା ଏକା ହସୁଥିଲା ରିତୁ।କ୍ଲାସ ସରିଗଲା ତାର ।କ୍ଳାସ୍ ରୁମର ମସୃଣ ଚଟାଣ ତଳୁ ନଜର ଉଠେଇ ଚାହିଁଲା ବେଳେ ସାମ୍ନାରେ ଅଧ୍ୟାପକ ଅମୀୟ ରଞ୍ଜନ ପଟ୍ଟନାୟକ।ଆଖିର ନଜର ପଡୁ ପଡୁ ସେଇ ସରଳିଆ ହସଟେ ଯେବେ ଛିଡିକି ପଡିଗଲା ରିତୁ ଉପରେ ସେ ଅଧା ଲାଜରେ ଗୋଟାପଣ ଓଦା ହେଇ ସାରିଥିଲା। କାଳେ ଆଉ କେହି ଚାହିଁଦେଇ କଣ ଭାବିଦେବ,ସେ ଡରରେ ନଜର ତଳକୁ କରି ଧାଇଁ ଚାଲି ଆସିଲା ହଷ୍ଟେଲକୁ।

ସମୟ ରାତି ୯ଟା।ଗୋଟେ ଅଜଣା ନମ୍ୱରରୁ ଫୋନ ଆସିଲା,ରିତୁ ରିସିଭ୍ କଲାନି।ପୁଣି ୫ମିନିଟ ପରେ ଫୋନ ଆସିଲା ସେଇ ଏକା ନମ୍ୱରରୁ, ରିସିଭ୍ କଲା, କିନ୍ତୁ ସେପଟୁ କାହାର କଣ୍ଠସ୍ୱର ନ ଶୁଭିଲାରୁ ନିଜ ଆଡୁ କାଟିଦେଲା। ପୁଣି ଥରେ କଲ୍ ଆସିଲା,ବିରକ୍ତିରେ ରିସିଭ୍ କରି ଆଗ କହିଦେଲା,କଣ ପାଇଁ ବାରମ୍ବାର ଫୋନ କରି ମୋତେ ଡିଷ୍ଟର୍ବ କରୁଛନ୍ତି?ଆରପଟ କଥା ଠାରୁ ସେ ସ୍ୱର ଶୁଣି ସେ ହତବାକ୍ ହେଇ ଯାଇଥିଲା।ଏତିକି ହୋସରେ ଶୁଣିଥିଲା-"ମୁଁ ଅମୀୟ ପଟ୍ଟନାୟକ,ଦର୍ଶନଶାସ୍ତ୍ର ଅଧ୍ୟାପକ କହୁଛି।ଏ ନମ୍ବର ଆପଣଙ୍କର ମୁଁ ଆଡ଼ମିଶନ ରେଜିଷ୍ଟର୍ ରୁ ଆଣିଲି।ପଚାରିବାର ଥିଲା ଯେ ଏବେ ସେଇ ଦର୍ଶନଶାସ୍ତ୍ର ବିଷୟ ପ୍ରତି ଘୃଣା ଭାବ ଦୂର ହେଲାଣି ନା ନାହିଁ?"ଧୀର କଣ୍ଠରେ ରିତୁ ହଁ ମାରି ,କିଛି ସମୟର ନୀରବତା ପରେ କହିଲା,ଆଜ୍ଞା ସାର୍,ଆପଣଙ୍କ ଭଳି ଜ୍ଞାନରଞ୍ଜିତ କରୁଥିବା ବ୍ୟକ୍ତିତ୍ୱ ଥିଲେ କେହି କଣ କେବେ କିଛି ଘୃଣା କରିପାରେ..?"ସାର୍ ନୁହେଁ ମୋତେ ଅମୀୟ ଡାକିପାର।ବନ୍ଧୁ ଭାବେ ଗ୍ରହଣ କରି ପାରିବନି କି?"ମୋତେ ଋତୁପର୍ଣ୍ଣା ଓରଫ ରିତୁ ବୋଲି ଡାକିପାର,ଅମୀୟ ନୁହେଁ ମୁଁ ଅମୁ ଡାକିବି,କଥା ମଝିରେ ଅଧିକାର ସାବ୍ୟସ୍ତ କରି କହିଦେଇଥିଲା ସେଦିନ ରିତୁ।ସେବେଠାରୁ ଦୁହେଁ କେବେ ପଛକୁ ଫେରିନଥିଲେ,ଅମୀୟଙ୍କ ସହ ପାଦକୁ ପାଦ ମିଶେଇ ବେଶ୍ ଭଲଭାବରେ ଚାଲି ପାରୁଥିଲା ରିତୁ।ଗ୍ରାଜୁଏସନର ୩ବର୍ଷ କେମିତି କଟିଗଲା ସେ ବି ଜାଣିନଥିଲା।

କଲେଜ ହଷ୍ଟେଲ ଛାଡିବାର ଶେଷ ଦିନ।ଅମୀୟ ମୃଦୁ ହସରୁ ଛିଟାଏ ଫିଙ୍ଗିଦେଇ,ରିତୁ ଆଡେ ଚାହିଁ କହୁଥିଲେ-"କଲେଜରୁ ଯାଉଛ,ମୋ ଜୀବନରୁ ନୁହେଁ"।ହେଲେ ଓଠଠାରୁ ଆଖି ଯେ ସବୁ ସତକୁ ଧରାପକେଇ ଦିଏ ତାଙ୍କ ଆଖିକୋଣରେ ଜକଉଥିବା ଲୁହ ସବୁ ପ୍ରମାଣ ସ୍ୱରୂପ ଦର୍ଶେଇ ଦଉଥିଲେ।ଉତ୍କଳ ବିଶ୍ଵବିଦ୍ୟାଳୟରେ ରିତୁ ସ୍ନାତକୋତ୍ତରେ ଆଡ଼ମିଶନ ପାଇଁ ଏଣ୍ଟ୍ରାନ୍ସ ପରୀକ୍ଷାର ପ୍ରସ୍ତୁତି ବେଳେ ଅମୀୟଙ୍କ ବ୍ୟସ୍ତତା ରିତୁକୁ ଏତେ ବ୍ୟତିବସ୍ତ କରୁଥିଲା ଯେ ସେ କହୁଥିଲା-"ମୋତେ ଲାଗୁଛି,ପରୀକ୍ଷା ମୁଁ ନୁହେଁ ତୁମେ ଦେଉଛ।" ଜୀବନର ତମାମ ରାସ୍ତାରେ ଚାଲିଲା ବେଳେ ଭିନ୍ନ ଭିନ୍ନ ମୋଡ଼ରେ ଅମୀୟ ସାଜୁଥିଲେ ରିତୁ ଜୀବନର ମାର୍ଗଦର୍ଶକ।ସବୁ ଦୂରତ୍ୱ ଭିତରେ ମନର ନିକଟବର୍ତ୍ତିତାର ପ୍ରତ୍ୟେକ ମୁହୂର୍ତ୍ତରେ ଦୁହେଁ ଉଜ୍ଜୀବିତ କରୁଥିଲେ ଶାଶ୍ୱତ ପ୍ରେମର ଅସ୍ତିତ୍ବ।

ଦିନେ ହଠାତ୍ ଏମିତି ଅଜାଣତରେ ରିତୁ ନିଜର ମେଲ୍ ଚେକ କରୁ କରୁ ଜାଣିବାକୁ ପାଇଲା ସେ ଓପିଏସସିର ଏସଏସବିରେ ସିଲେକ୍ଟ ହେଇଛି ପୁଣି ଦର୍ଶନଶାସ୍ତ୍ରରେ ଯାହାକୁ ସେ ଦିନେ ବୋରିଂ କହି କହି ଅମିୟଙ୍କ ସହ ତାକୁ ବି ଭଲ ପାଇ ଯାଇଥିଲା।ସେ ସଫଳତାର ଶତ ପ୍ରତିଶତ ଅଂଶୀଦାର ଭାବେ ଅମୀୟଙ୍କ ପାଖକୁ ଫୋନ କରିବାକୁ ମନ ଯେମିତି ଏକରକମ ବାଧ୍ୟ କରି ଦେଇଥିଲା।କଲ୍ କରି ଏତିକି କହିଲା-" କାଲି ରବିବାର,ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଦିନ ୧୧ଟାରେ ଦେଖା କରିବ କହ ଫୋନ ହିଁ କାଟିଦେଲା,କାରଣ ଖୁସିର କାରଣ ସାଜିଥିବା ମଣିଷ ସମ୍ମୁଖରେ ଖୁସି ବଖାଣିଲା ବେଳେ ସେ ଖୁସି ବି ଆହୁରି ଦ୍ବିଗୁଣିତ ହେଇଯାଏ।ସକାଳକୁ ଅପେକ୍ଷା କଲା ବେଳେ ରାତିର ଲମ୍ବା ଚଉଡା କ୍ଷେତ୍ରଫଳର ମାପ କେବଳ ଅପେକ୍ଷାରତ ଅନିଦ୍ରା ଆଖିଟାକୁ ହିଁ ବେଶୀ ଜଣାଥାଏ।

ସକାଳର ସୂର୍ଯ୍ୟ ଝାଡ଼ି ଝୁଡ଼ି ଉଠିଲା ବେଳକୁ ରିତୁ ନିଜକୁ ପ୍ରସ୍ତୁତ କରୁଥାଏ,ବାରମ୍ବାର ନିଜକୁ ଦର୍ପଣ ଆଗରେ ଛିଡା କରି ଟିକେ ହସୁଥାଏ,ଟିକେ ଲାଜଉଥାଏ,ଯେମିତି ସେ ସବୁବେଳେ ନିଜକୁ ଅମୀୟଙ୍କ ସାମ୍ନାରେ ଉପସ୍ଥାପିତ କରେ।ଅମୀୟଙ୍କ ପାଇଁ ରିତୁ କେବେ ନିଜକୁ ସଜାଏନି,କାହିଁକିନା ଅମୀୟ କୁହନ୍ତି-"ଗୋଲାପ ପାଇଁ ଅତର କଣ ଦରକାର,ସେ ତ ନିଜ ଚାହାଣିରେ ମତୁଆଲା କରି ପାରେ ଶହେ ଭଅଁରଙ୍କୁ ଆଉ ରିତୁ ଝଟ୍ କରି ଲାଲ ପଡ଼ିଯାଏ ମିଛ ଅଭିମାନରେ।"

ଦିନ ୧୨ଟା ସାମ୍ନାରେ ଅମୀୟ,କିନ୍ତୁ ପୁରା ଚୁପଚାପ୍, ନୀରବ, ନିଶ୍ଚଳ।ତାଙ୍କ ଚେହେରା ଉପରେ ନଜର ପଡୁ ପଡୁ ରିତୁ କିଛି କହିବାର ପ୍ରୟାସ କରି ପାରୁ ନଥିଲା,ବଦଳି ଯାଇଥିଲା ଅମୀୟଙ୍କ ମୁହଁର ଭୂଗୋଳ।ଗୋଲ୍ ଗାଲ ଚେହେରାଟା ଶୁଖି କଳାକାଠ ପଡିଯାଇଛି,ଆଖି ଫୁଲିକି ଲାଲ୍।ଥିରି ଥିରି ପଚାରିଲା ରିତୁ-"କଣ ରାତି ସାରା ଶୋଇନ କି?ଅଧ୍ୟାପକ ଅମୀୟ ପଟ୍ଟନାୟକ ଆଉ କି ପରୀକ୍ଷା ପାଇଁ ପଢୁଛନ୍ତି?ନିଜ ଚେହେରାକୁ ଟିକେ ଦେଖିଲ,ଚିହ୍ନି ପାରିବନି ନିଜେ ବି ନିଜକୁ ,ଆଉ କେହି ବି କହିବେନି ଏ ପୁଣି ଜଣେ ଯୁବ,ଦକ୍ଷ,ରୂପବାନ ଅଧ୍ଯାପକ,ଯାହାଙ୍କ ଗାରିମା ଚର୍ଚ୍ଚା ହୁଏ କଲେଜର ନିଃଶ୍ୱାସ ପ୍ରଶ୍ୱାସରେ।ବୁଝେଇବା ଢଙ୍ଗରେ ରିତୁ କହିଚାଲିଥିଲା ଦର୍ଶନଶାସ୍ତ୍ରଜ୍ଞଙ୍କୁ ଜୀବନର ଦର୍ଶନ ଶାସ୍ତ୍ର ବିଷୟରେ।ଖୁସିରେ ଗଦ୍ ଗଦ୍ ହେଇ କହିପକେଇଲା ରିତୁ-" ଜାଣିଛ,ମୁଁ ଏସ୍ଏସବି ରେ ସିଲେକ୍ଟ ହେଇଗଲି,ଆଉ ଏସବୁ ଈଶ୍ୱରଙ୍କ ଆଶୀର୍ବାଦ ଆଉ ତୁମ ପବିତ୍ର ଭଲପାଇବାର ଆବଦାନର ସମନ୍ବୟ, ନ ହେଇଥିଲେ ଅଧ୍ୟାପକ କିଏ ନା ମୁଁ କିଏ!ଆକାଶ କଇଁଆ ଚିଲିକା ମାଛ ପରି ସ୍ବପ୍ନଟେ ଥିଲା ମୋ ପାଇଁ।ଆମର ଏଇ ଚାକିରିରେ ବହୁତ ଖୁସି ଆଉ କୋଉଥିରେ ତୁମେ ମୁଣ୍ଡ ପୁରାଅନି।ଆମେ ଏଇଠି ହିଁ ଭଲରେ ରହିବା,କେବଳ ଦୁହେଁ ସାଥିରେ ସବୁଦିନ...।ରିତୁ ଆଉ କିଛି କହିବା ପୂର୍ବରୁ ତା ପାଟିଉପରେ ହାତ ଦେଇ ଅମୀୟ ଅତି ସନ୍ତର୍ପଣରେ ଧରିନେଲେ ରିତର ହାତକୁ,ହାତରେ ଧରେଇ ଦେଲେ ଗୋଟେ ଲଫାପା।ଆଖିରେ ଆଖିଏ ଲୁହ ଭରେଇ ପାଗଳଙ୍କ ଭଳି ଗପି ଚାଲିଲେ-"ହାରିଗଲି ମୁଁ ରିତୁ, ମୋତେ କ୍ଷମା କର।ଆଉ ଛଳନା କରିପାରୁନି ତୁମ ନିଚ୍ଛକ ପ୍ରେମ ଆଗରେ।ବହୁ ଆଗରୁ ତୁମକୁ ମୋର ଜଣେଇ ଦେବାର ଥିଲା,ହେଲେ ତୁମ ପରୀକ୍ଷା ଥିଲା ଆଉ ଏତେ ଶୀଘ୍ର ସବୁ କିଛି ଘଟି ଚାଲିଥିଲା ଯେ ମୁଁ ଆପଣାଛାଏଁ ଛନ୍ଦି ହେଇ ଚାଲିଗଲି ମୋ ଅଜାଣତରେ।ତୁମ ହାତରେ ମୋ ବାହାଘର ନିମନ୍ତ୍ରଣ ପତ୍ର।ଆର ମାସ ୧୩ ତାରିଖରେ ମୋ ବାହାଘର।ଅଲଗା ଜାତିରେ ବାହା ନ କରିବାର ନିଷ୍ପତ୍ତି ନେଇ ଏ ସମ୍ପର୍କକୁ ସମ୍ମତି ଦେବାକୁ ବାପା ରୋକ ଠୋକ ମନା କରିଦେଲେ। ମାଙ୍କ ରାଣ ଆଉ ହୃଦ ରୋଗରେ ଆକ୍ରାନ୍ତ ବାପାଙ୍କ ଶବ୍ଦପରିଧିର ସୀମାରେଖା ଡେଇଁ ଆସିବାର ମାନବିକତା ମୋ ପାଖରେ ନଥିଲା।ମୁଁ ତୁମର ଦୋଷୀ,ମତେ ଦଣ୍ଡ ଦେଇପାର।"ରିତୁ ସ୍ଥିର ଦୃଷ୍ଟିରେ ଚାହିଁଥିଲା ଅମୀୟଙ୍କ ଆଡେ।ପାଦତଳୁ ଭୂମି ଯେମିତି ସପ୍ତ ଫାଳ ହେଲା ପରି ପ୍ରତୀତ ହେଉଥିଲା ରିତୁର।ଇଚ୍ଛା ହଉଥିଲା, ହୁଅନ୍ତା କି ସେ ସୀତା,ଯେମିତି କହିବା କ୍ଷଣି ମାଟି ସତକୁ ସତ ଫାଟିଯିବ ଆଉ ସେ ତା ଭିତରେ କେଉଁଠି ହଜିଯିବ।ପ୍ରତିରୋଧ କରିବ ଯଦି କାହାକୁ ଯିଏ ନିଜ ଜୀବନର ଅର୍ଦ୍ଧେକ ତା ନାଁରେ ଲେଖିଦେଇଥିଲେ ନା ପ୍ରତିଶୋଧ ନେବ ତାଙ୍କଠୁ ଯିଏ ଦୋଷୀ କହି ନିଜକୁ ଧିକାର କରି ଚାଲିଥିଲେ ବାରମ୍ବାର।ଭାଙ୍ଗିଯାଉଥିଲା ରିତୁ ନିଜକୁ ସମ୍ଭାଳିବାର ଶତ ଚେଷ୍ଟା କଲା ବେଳେ,କହୁଥିଲା ଖନେଇ ଖନେଇ-"ଏ କଣ କଲ ଅମୀୟ..? ମୋ ପ୍ରାଣରୁ ହୃଦୟକୁ ଭିଡି ନେଲ ଯଦି ନିଃଶ୍ବାସ କାହିଁକି ଯେ ଛାଡ଼ିଗଲ,ୟାକୁ କଣ ବଞ୍ଚିବା କୁହାଯାଏ..?"ନିଗୁଡୁଥିବା ଲୁହକୁ ପୋଛି ଅମୀୟ କହୁଥିଲେ -"ସାର୍ ନୁହେଁ,ବନ୍ଧୁ ହେଇ ରହିବାକୁ ଚାହେଁ,ଅମୁ ହିଁ ଡାକ,ତୁମ ବିନା ସେ ଡାକ ଡାକିବାର ଅଧିକାର ନା କେହି ପାଇଛନ୍ତି ନା ପାଇବେ।ଏତେ ସବୁ ପରେ ଦେଖ ମୁଁ ବଞ୍ଚିଛି ଆଉ ତୁମକୁ ମୋ ଠାରୁ ଲକ୍ଷେ ଗୁଣ ଭଲ ସାଥୀଟେ ମିଳିବ,ଯିଏ ତୁମ ଭିତରୁ ମୋ ଅସ୍ତିତ୍ବକୁ ଧୋଇଦେବ।"ମୃଦୁ ହସି ଦୃଢ ଭାବେ କହିବାର ଚେଷ୍ଟା କଲା ବେଳେ ତାଙ୍କ ଅଜାଣତରେ ଏକାକାର ହେଉଥିବା ଲୁହ ଲାଳରେ ବୁଝିହେଉ ନ ଥିଲା,ସେତେବେଳେ ସେ ରିତୁକୁ ସାନ୍ତ୍ୱନା ଦଉଥଲେ କି ନିଜକୁ?

ସେବେଠାରୁ ରିତୁ କବିତା ଲେଖେ,ଗଳ୍ପ ଲେଖେ,ଆଉ ସେଇଥିରେ ଭରପୂର ପୂଜା କରେ ତା ପ୍ରେମ ଆଉ ପ୍ରେମିକକୁ। ସେଇ ଶେଷ ଦେଖାପରେ କେବେ କେବେ ଲିଟିଲ ଅମୀୟ ପଟ୍ଟନାୟକ ଫୋନ କରି ରିତୁକୁ ଆଣ୍ଟି ଡାକି ଦେଲା ବେଳେ ଦି ଟୋପା ଲୁହ ଅଜାଣତରେ ମମତାର ସ୍ପର୍ଶରେ ଝଲସି ଉଠେ ତା ଆଖିରେ।ଅମୁଙ୍କୁ ଭୁଲିବାର ଶତ ଚେଷ୍ଟାରେ ପୁଣି ଥରେ ଧସେଇ ପଶି ଆସେ ଅମୁଙ୍କ ସ୍ମୃତି ତା ସ୍ପନ୍ଦନର ପ୍ରତିଧ୍ୱନିରେ। ଆଉ ରିତୁ ତାର ସେ ଦୁଷ୍ଟ ହୃଦୟକୁ ବୁଝେଇ କହେ,ଏ ପ୍ରେମ ହିଁ ଏମିତିକା,ସମସ୍ତଙ୍କ ଦ୍ୱାରା ହୁଏନି।ଆଉ ଯଦି ବି ହେଇଯାଏ ସବୁ ପ୍ରେମ ବିବାହର ସିନ୍ଥିରେ ମହକି ପାରେନି।ସମାପ୍ତିରେ ଶାନ୍ତି ନ ଥାଏ ,ଆଉ ଗୋଟେ ନୂଆ ସୃଷ୍ଟି ହେଇଯାଏ ,ସେଇଥିପାଇଁ ସତ ପ୍ରେମ ଏମିତି ଅଧା ଗଢ଼ା ହେଇ ରହିଯାଏ ପୂଜ୍ୟ ଆଉ ପୂଜକ ଭିତରେ।ଏଇ ବୋଧେ ପ୍ରେମ ଆଉ ତାର ଅଭିନ୍ନ ସଂଜ୍ଞା।

ଅଶ୍ରୁ ଗପ ସଂଜ୍ଞା

Rate the content


Originality
Flow
Language
Cover design

Comments

Post

Some text some message..