Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramesh Patra

Others

3.6  

Ramesh Patra

Others

ବୃହତ୍ ପୃଥିବୀ

ବୃହତ୍ ପୃଥିବୀ

19 mins
21.9K


ବୃହତ୍ ପୃଥିବୀ

ପ୍ରତ୍ୟାଶା ଯେଉଁଠି କମ୍, ତାର ହତାଶବୋଧ ଅନୁରୂପ ଭାବେ କମ୍ l ଆଜିକାଲି ସୁବଳ ହସ-ଖୁସୀର ମଣିଷଟିଏ ଭଳି ମନେ ହୁଏ l ଏବେ ବଜାର ଦର ବହୁତ ଚଢା l ଯାହା ଲାଗୁଛି,  ବଡ ମାଛ ସବୁ ପାଖ ବଜାରରେ ଆଉ ନାହାନ୍ତି l କେବଳ ଛୋଟ ମାଛ ଆକ୍ଷିରେ ପଡନ୍ତି l ଘର କୋଣରେ ମାଛ ଧରା ଜାଲ ଦୁଇଟା କାମରେ ନ ଲାଗି, ବହୁତ ଦିନ ହେବ ପଡିଛନ୍ତି l ବଡ ମାଛବେପାରୀଙ୍କ ଠାରୁ ମାଛ କିଣି, ବଜାରରେ ବିକ୍ରି କରିବା ଏବେ ଅଭ୍ୟାସରେ ପଡିଗଲାଣି l ଏତେ ହାଡ ଭଙ୍ଗା ଖଟଣୀ ପରେ ଲାଭ ବି ଦିନକୁ ତିନି ଟଙ୍କାରୁ ଚାରି ଟଙ୍କା
ଭିତରେ l ତଥାପି ତା ଛାତି ଭିତରେ ଗୋଟାଏ ଅଜଣା ସୌଭାଗ୍ୟର ସମ୍ଭାବନା ବସା ବାନ୍ଧେ l ସାଢେ ଚାରି ହଜାର ଟଙ୍କା l ଗୋଟେ ସାଦା କାଗଜରେ ଟିପ ଚିହ୍ନର ଦାମ୍ ଏତେ ହେଇପାରେ ? ବେଳେ ବେଳେ ଡାହାଣ ହାତର ବୁଢା ଆଙ୍ଗୁଠିକୁ ସୁବଳ କଣେଇ ଚାହେଁ l ମନେ ହୁଏ, ସେ ଆଙ୍ଗୁଠିକୁ ଚୁଚୁମି ପକାନ୍ତା l ତାର ପୂର୍ବ ପୁରୁଷ ଏକାବେଳକେ ଏତେ ଟଙ୍କା କେବେ ଦେଖି ନ ଥିବେ l

      ଅଢେଇଟା ବାଲିରଗଡା ମାଛ ବଳି ପଡିଛି, ବିକ୍ରି ହେବାକୁ ବାକି l ମାଛ ପଚିବା ସଙ୍ଗେ ସଙ୍ଗେ ଗଣଗଣିଆ ମାଛିମାନେ ଚକ୍କର କାଟିଲେଣି l ଦୁଇ ଟଙ୍କା ଚାରି ଅଣାକୁ ଦାମ୍ ଖସାଇବା ପରେ ବି ଗରାଖଙ୍କ ଦେଖା ଦର୍ଶନ ନାହିଁ l କାଳେ ଦାମ୍ ଆହୁରି କମିବ, ସେଇ ଆଶାରେ  ଜଣେ ବୟସ୍କ ଖରିଦଦାର ଏପଟ ସେପଟ ହେଉଛନ୍ତି lହଠାତ୍ ସୁବଳ ହାଲୁକା ମନରେ ସ୍ଥିର କଲା ଯେ, ସେ ଏହି ବାଲିଗରଡା ମାଛ ବିକ୍ରି କରି ଘରକୁ ନେଇଯିବ l ଅନେକ ଆଗରୁ ନିତାଇ ତାର ବେପାର ସାରି ସୁବଳକୁ ଅପେକ୍ଷା କରିଛି l ସାଙ୍ଗ ହୋଇ ଫେରିବେ l ସୁବଳ ହଠାତ୍ ଉପରକୁ ମାଛ ଟୋକେଇ ଉଠେଇବା ବେଳେ, ନିତାଇକୁ ଡାକିଲା – “ଚାଲ ଯିବା, ଆଉବସି ପାରୁନି”, ଦରଜ ହୋଇଗଲାଣି l ତୋ ପାଖରେ ବିଡି ଖଣ୍ଡେ ହେବ କି ? ନିତାଇ କହିଲା  –  ‘ଦାଦା ମୋ ପାଖରେ ନାହିଁ l କିଣିବାକୁ ହେବ, ଚାଲ ଯିବା l ମୋତେ ଗୋଟିଏ କେଜି ଚାଉଳ କିଣିବାକୁ ପଡିବ l’

      “ଆଜି ଚାଉଳ ଦର କେମିତି” ସୁବଳ ପଚାରିଲା l

      ମୋଟା ଚାଉଳ କିଲୋ ଦୁଇ ଟଙ୍କା ତିରିଶି ପଇସା l ଚାଲ୍ ତେବେ ବାଗୁଇ ହାଟକୁ ଯିବା, ସେଠି କିଲୋ ପିଛା ପନ୍ଦର ପଇସା କମରେ ଚାଉଳ ମିଳିବ l

ନିତାଇ ବେଶ ପୋଷାକରେ କିଛିଟା ମାର୍ଜିତ l ସେ କୁର୍ତ୍ତା ପିନ୍ଧେ l ପ୍ଲାଷ୍ଟିକ୍ ବ୍ୟାଗରେ ପଇସା ରଖେ l ସୁବଳର ଏ ସବୁ ପ୍ରତି ଧ୍ୟାନ ନ ଥାଏ l ତାର କଳା ମଚମଚ ଚିକ୍କଣ ଦେହ l ଆଣ୍ଠୁ ଉପର ଧୋତିରେ ଲାଲ ଗାମୁଛାଟାଏ ଅଣ୍ଚାରେ ଭିଡି ଦେଇଥାଏ l ତା ଟଙ୍କା ପଇସା ସବୁ ତାରି ଭିତରେ ଥାଏ l କାମିଜ କି ମୋଟା ସ୍ୱେଟର ଅଡୁଆ, ସଫା କରିବା ଗୋଟାଏ ବୋଝ l ଗାଡିଆରେ ଦୁଇ ତିନି ଡୁବ ଦେଲେ ଦେହ ପୁରା ସଫା, କିଛି ଝାମେଲା ନାହିଁ l

ନିତାଇ ଚାଉଳ ଓ ଶୁଖିଲା ଲଙ୍କା କିଣିଲା l ସୁବଳ ଆଗରୁ ସଉଦା କିଣିଥିଲା l ତେଣୁ ଆଉ କିଛି କିଣିବା ଦରକାର ନ ଥିଲା l କେବଳ ଅଧା କିଲୋ ଲୁଣ କିଣିଲା l ତାପରେ ଥତମତ ହୋଇ ବିଡି କିଣିବାକୁ ମନ ଦେଲା ନାହିଁ l ତା ମନକୁ ଚିନ୍ତା ଆସିଲା l ଯଦି ସେ ବିଡି କିଣିବ, ତାହେଲେ ନିତାଇ ବିଡିରୁ ଖଣ୍ଡେ ଟାଣି ପାରିବ ନାହିଁ l ବରଂ କେଷ୍ଚୋପୁର ରାସ୍ତାରୁ ନିତାଇ ବାଟ ଭାଙ୍ଗି ଗଲା ବେଳେ ବିଡି କିଣିବ l

ବଡ ରାସ୍ତାରେ ପହଞ୍ଚିବା ପରେ ନିତାଇ ବିଡି ପାଟିରେ ପୁରାଉ ପୁରାଉ କହିଲା, ଦେଖ କେମିତି ଦିନ ବଦଳିଯାଉଛି l ଏ ଆଖପାଖରେ କେତେ କୋଠା ଘରମାନ ଠିଆ ହୋଇକଲୋଣିl ନିଜର ସୌଭାଗ୍ୟ କଥା ଚିନ୍ତା କରି ସାମାନ୍ୟ ଛାତି ଫୁଲାଣିଆ ଢଙ୍ଗରେ ସୁବଳ କହିଲା l ସବୁ ଜିନିଷ କଣ ସବୁଦିନେ ସେୟା ହୋଇ ରୁହେ ?ମୁଁ ନିଜେ ଦେଖିଛି, ଦିନେ ଏଠି ସବୁ କେତେ ବଡ ବଡ କୁମ୍ଭୀର ପାଟି ମେଲେଇ ପାଣିରେ ପହଁରୁଥିଲେ l  

କୁମ୍ଭୀର ? ପଚାରିଲା ନିତାଇ l

ହଁ l ଖାଲି କଣ କୁମ୍ଭୀର ? କେତେ ବଡ ବଡ ଚିତ୍ତଳ ମାଛ ….. ଏବେ ଦେଖତ, କେତେ ବସ୍ ସବୁ ଏ ଜାଗାରେ ମାଡି ଚାଲିଛନ୍ତି l

ସୁବଳ ଦା ! ତୁମେ ଜମି ବିକ୍ରି କରିବକି ? ଶୁଣିଲି ଜମି ଦର ସାଢେ ତିନି ହଜାର  ପର୍ଯ୍ୟନ୍ତ ଗଲାଣି l

ସବଜାନତାପଣିଆ ଦେଖେଇ ସୁବଣ କହିଲା, ଆରେ ସାଢେ ତିନି ହଜାର  କଣ ? ଦିନେ ଦର ଦଶହଜାର ଛୁଇଁବ l ମୁଁ ଏ ପର୍ଯ୍ୟନ୍ତ ଠିକ୍ କରି ନାହିଁ l  ସେମାନେ ମୋତେ ବୋକା ବୋଲି ଠଉରେଇ ପାରିବେ ନାହିଁ l କେସ୍ତୋପୁର ଛକରୁ ଭିତରକୁ ଦେଢ ମାଇଲ ଗଲେ ନିତେଇ ଘର, ସୁବଳ ଘର ଆକ୍ଷି ପାହାନ୍ତାରେ l ଦିଟା ଶାଗୁଣା ତାଳ ଗଛ ଉପରେ ବସିଛନ୍ତି l ବଜ୍ଜାତ୍ ଦିଟା l ସବୁଦିନେ ସେଠି ବସନ୍ତି l ରାସ୍ତାର ଦୁଇ ପଟେ ଦୁଇଟି କେନାଲ୍ l ବାଁ ପଟଟା ପୁରୁଣା l ଡାହାଣ ପଟଟି ନୂଆଁ l ଯେତେବେଳେ ନୂଆଁ ରାସ୍ତା ଫିଟେ, କେନାଲ୍ ଆପଣା ଛାଏଁ ତିଆରି ହୋଇ ଯାଏ l କେନାଲରୁ ମାଟି ଉଠେଇ ରାସ୍ତା ଉଚ୍ଚା କରାଯାଏ l ଡାହାଣ ହାତ କେନାଲ ବନ୍ଧ ଠାଏ ଠାଏ ନାହିଁ l ଏ ବର୍ଷ ଜୋର୍ ବର୍ଷାରେ ଧୋଇ ଯାଇଛି l ଶେଷ ଅସରା ବର୍ଷାର ପାଣି କୁଳୁ କୁଳୁ ହୋଇ ବହିଚାଲିଛି l ଚିଙ୍ଗୁଡି ଚାଷ ପାଇଁ ଏ ବର୍ଷା ପାଣି ଭାରି ଭଲ l ସୁବଳ ଆଣ୍ଠୁ ଉପରକୁ ଲୁଗା ଉଠେଇ କେନାଲକୁ ଗଡିଲା l କୋଉଠି ପାଣି କମ୍ ତାକୁ ଭଲ ଭାବରେ ଜଣା l ତଥାପି ଲୁଗା ଉପରକୁ ଉଠାଇବାକୁ ହେଲା l ପାଣି ଚବର୍ ଚବର୍ କରି କେନାଲ୍ ପାର ହୋଇ ଘରକୁ ଗଲା l ଅଗଣା ସାରା ପାଣି ଭର୍ତ୍ତି l କଖାରୁ ଓ ଲଙ୍କା ଗଛ ସବୁ ସଢି ଗଲେଣି l ଗଲା ଦୁଇ ପୁରୁଷ ହେଲା, ଏମିତି ବର୍ଷା କେବେ ହୋଇ ନ ଥିଲା l

ଅଗଣା ପାଣିରେ ଟୁବୁଟୁବୁ, ଘର ସାରା ପାଣି ଭର୍ତ୍ତି l ରୋଷେଇ ଘର ବି ବାଦ୍ ପଡି ନାହିଁ l ଏ ସବୁ ସତ୍ତ୍ୱେ ଭୀଷଣ ବର୍ଷା ସୁବଳ ଭିତରେ କେମିତି ଗୋଟାଏ ଖୁସିର ଭାବ ସୃଷ୍ଟି କରିଦେଲା l ଜମି, ବାଡି, କ୍ଷେତ, ପଡିଆ, ଟୁବ, କେନାଲ ସବୁ ବେକାର, ଜଳାର୍ଣ୍ଣବ l ସେନଗୁପ୍ତ ବାବୁଙ୍କ ଗ୍ୟାରେଜ୍ ଭିତରେ ପାଣି ପଶି ତାଙ୍କ କାରକୁ ଅଧା ଡୁବେଇ ସାରିଲାଣି l ବାବୁମାନେ ଅଣ୍ଟାଯାଏ ଧୋତି ଟେକି ପାଣି ଚବର ଚବର କରି ବାହାରକୁ ଯିବାର ଦେଖି ସୁବଳ ବହୁତ ଖୁସୀ l ତାକୁ ଦେଖି ସଦାବେଳେ ନାକ ଟେକୁ ଥିବା ସେନଗୁପ୍ତ ଘରର ଚାକରାଣୀ ଅଣ୍ଟା ଉପରକୁ ଲୁଗା ଟେକି ପାଣିରେ ମା ଆସ କହିବାର ସୁବଣ ଦେଖିଲାଣି l ଏତେ ଅସୁବିଧା ସତ୍ତ୍ୱେ ସୁବଳର ଲାଭର ଆଶା ଥାଏ l ତା ଗାଡିରେ ବଡମାଛ ପହଁରିବାର ସେ ଲକ୍ଷ୍ୟ କରିଛି l ତାକୁ ସେମାନଙ୍କୁ ଅଟକେଇ ରଖିବା ପାଇଁ ଗୋଟିଏ ଅଖାରେ ସେ ଶୁଖିଲା ଗୋବର ଭର୍ତ୍ତି କରି ଗାଡିଆ ମଝିରେ ରଖି ଦେଇଛି l ସେଇ ବାସ୍ନାରେ ମାଛ ସବୁ ତା ଗାଡିଆ ଛାଡି ଆଉ କେଉଁ ଆଡେ ଯିବେ ନାହିଁ l ପାଣି କମିଲେ ତା ଜାଲର କରାମତି ଦେଖାଇବ l ଏତେ ବର୍ଷା ହେଲେ ବି ଅଗଣାର ତୁଳସୀ ଚଉରା ଉଚ୍ଚ ଜାଗାରେ ଥିବାରୁ ଗଛର କିଛି କ୍ଷତି ହୋଇନାହିଁ l

ବୋଧହୁଏ ଅଗଣାରେ ଥିବା ତୁଳସୀ ଗଛ ପାଇଁ ତାର କିଛି ଅସୁବିଧା ହୋଇ ନାହିଁ l ଏ ଜାଗା ସନ୍ତସନ୍ତିଆ, ଚାରି ପଟେ ବେଣା ଗଛ, ଗୋଟାଏ ମାଛ ବନ୍ଧ ଥିଲା, ପୁରୁଷ ପୁରୁଷ ଧରି ସୁବଳର ପୂର୍ବ ପୁରୁଷମାନେ ଏଠିକାର  ବାସିନ୍ଦା ଥିଲେ l ତା ଗୋସିଁ ବାପା ଅମଳର ଉଚ୍ଚ ଚଳଣୀ କଥା ତାର ଝାପସା ମନେ ପଡେ l ପାଇକ ପଡାର ଜମିଦାରମାନଙ୍କୁ ତା ଜେଜେ ବାପା ମାଛ ଯୋଗାଇ ଆସୁଥିଲା l ମହିଷା ବନରେ ଗୋଟାଏ ମାଛ ଆଡି ବନ୍ଧ କିଣିବା ପାଇଁ ଏଠିକାର ସବୁ ଜମିବାଡି ବିକ୍ରି କରିଦେଲା, ଏ ସନ୍ତସନ୍ତିଆ ଜାଗା କିଏ କିଣିବ ? ବିନା ମାପଚୁପରେ ବିଘା ପିଛା ପଚସ୍ତରୀ ଟଙ୍କାରେ ଜାଗା ବିକ୍ରି ହୋଇଗଲା l ହଠାତ୍ ଭାଗ୍ୟ ବଦଳିଗଲା l ସରକାରୀ ଲୋକ ଆସି ତମ୍ବୁ ପକାଇ ରହିଲେ, ସନ୍ତସନ୍ତିଆ ଜାଗା ସବୁକୁ ଗଙ୍ଗା କୂଳରୁ ମାଟି ଆଣି ପୋତି ନୂଆ ଉଚ୍ଚ ଜାଗା ତିଆରି କଲେ l ଜାଗାର ନାଁ ସଲ୍ଟ୍ ଲେକ୍ ହୋଇଗଲା l ନୂଆ ରାସ୍ତା VlIlPl ରୋଡ୍ ତିଆରି ହୋଇ ଦୁଇ ଲେନରେ ଗାଡି ସବୁ ଯା ଆସ କରିବା ଆରମ୍ଭ କଲେ l ସାପୁଆ କେଳା ଓ ଛପର ଘରେ ରହୁଥିବା ଶ୍ରମିକ ମାନେ ଚଢା ଦାମରେ ଜାଗା ବିକ୍ରୀ କରି ଜାଗା ଛାଡି ଚାଲିଗଲେ ; ସୁବଳ ମଧ୍ୟ ଏଠି ରହି ନ ଥାନ୍ତା , ତାର ଦୁଇ ଭାଇ ଭିଟା ମାଟି ବିକ୍ରି କରି, ଟଙ୍କା ପଇସା ଧରି ହାତିୟାରା ଓ କୈଖାଲୀ ଆଡେ ଘର ଦ୍ୱାର କରି ରହିଲେ l କେବଳ ସୁବଳ ଯାହା ତା ମା ବୁଢୀ ଆଉ ଅଗଣା ତୁଳସୀ ଗଛ ପାଇଁ ଏଠି ବାନ୍ଧି ହୋଇ ରହିଗଲା l ଭାଇ ଭାଗ ବଣ୍ଟାରେ ତା ଭାଗରେ ପୂର୍ବ ପୁରୁଷ ସମ୍ପତ୍ତି ପଡିଲା l ତା ମା ତୁଳସୀ ଚଉରା ମୂଳେ ଲମ୍ବ ହୋଇ, ବଡ ପାଟିରେ କହିବାକୁ ଲାଗିଲା, ତୁ କଣ ପାଇଁ ପୂର୍ବ ପୁରୁଷଙ୍କ ଜାଗା ବିକ୍ରି କରିବୁ ? ହେ ଭଗବାନ ଏ ଚିନ୍ତା ତୋ ମୁଣ୍ଡକୁ କେମିତି ଜୁଟିଲା ? ତୁ କଣ ଜାଣିନୁ ଘରର ବଡ ପୁଅ ଯଦି ବାପର ସମ୍ପତ୍ତି ବିକ୍ରି କରେ, ତେବେ ରକ୍ତ ବାନ୍ତି କରି ମରିଯାଏ ? ତା କରିବା ପୂର୍ବରୁ ମୋ ତଣ୍ଟି ଚିପି ମାରି ଦେ l ମୋ ପେଟରୁ ଏମିତି ପିଲା ଜନ୍ମ ହେଲା କେମିତି ? ତୁଳସୀ ଗଛ ଉପାଡି ଦେଲେ କୁଷ୍ଠ ହୋଇ ଯିବରେ l ସୁବଳ ଏ କାନ୍ଦଣାରେ ଦବି ଯିବା ଲୋକ ନୁହେଁ l ଚାରି ହଜାର ପାଞ୍ଚ ଶହ ଆଗରେ ଏ କାନ୍ଦଣା ଚିରା ଜାଲରେ ମାଛ ଧରିବା ସଙ୍ଗେ ସମାନ l ଅସଲ କଥା, ତା ସ୍ତ୍ରୀ ଏଥିରେ ବାଧକ ସାଜିଲା l ସୁବଳ ଗୋଡ ତଳେ ପଡି ପୈତୃକ ଭିଟା ମାଟି ଛାଡି ନ ଯିବା ପାଇଁ ନେହୁରା ହେଲା l ଶାଶୁ ଓ ବୋହୁ ଦୁଇ ଜଣଙ୍କର କାକୁତି ମିନତି ପାଇଁ ସୁବଳ ଗଲା ନାହିଁ l

ରାସ୍ତାର ଆର ପଟେ ସୁବଳର ଘର, ଅଳ୍ପକେ ରାସ୍ତାରୁ ବଞ୍ଚିଗଲା l ସରକାର ଯଦି ତା ଜାଗା ଦଖଲ କରିଥାଆନ୍ତେ ତାର ଆପତ୍ତି କରିବାର କିଛି ଚାରା ନ ଥିଲା l ତା ମାଆର କାନ୍ଦଣା ବି କିଛି କାମରେ ଆସି ନ ଥାନ୍ତା l ହରି ଦାସ ସାପୁଆ କଥା ଭଳି ହୋଇ ଥାଆନ୍ତା l ସେ ଜମି ବିକିବାକୁ ନାରାଜ ଥିଲା l ମାରଓ୍ୱାଡି ତାକୁ ଅଧିକ ଦର ଦେବା ପାଇଁ ରାଜି ଥିଲା l ତା ଜମି ରାସ୍ତା ମଝିରେ ପଡୁଥିବାରୁ ସରକାରକୁ ଅଳ୍ପ ଦାମରେ ଦେବା ପାଇଁ ବାଧ୍ୟ ହେଲା l କେବଳ ସରକାରଙ୍କୁ ଛାଡି ଅନ୍ୟମାନେ ଜମି ମୂଲଚାଲ କଲେ ସାଇକେଲ୍ କମ୍ପାନୀ ଜାଗା ମାଗୁଥିଲା , ସେନଗୁପ୍ତ ବାବୁମାନେ ତାଙ୍କ ଇଲାକା ବଢାଇବା ପାଇଁ ଏକ କଠାନ ଛଟାଙ୍କି ଜାଗା ଚାହୁଁଥିଲେ l ଦାମ୍ ବଢି ଚାରି ହଜାର ପାଞ୍ଚ ଶହ ଯାଏ ଗଲା ବେଳେ ସୁବଳ ରାଜି ହେଲା ନାହିଁ  l ତା ମା ମରିବା ଯାଏ ଅପେକ୍ଷା l ତା ମା ମରିବା ପରେ ଯେ କୌଣସି ଦିନ ସାଦା କାଗଜରେ ଟିପ ଚିହ୍ନ ଦେଇ ଟଙ୍କା ହାତେଇବା ଆଶାରେ ତାର ଗୋପନ ଆନନ୍ଦର କାରଣ l କିଏ ଜାଣେ ଦର ଆହୁରି ନ ବଢିବ ?

ସୁବଳକୁ ଏବେ ଏକଚାଳିଶ l ତାର ନଅଟା ପିଲାରୁ ସାତ ଜଣ ବଞ୍ଚିଛନ୍ତି l ବଡ ପୁଅ ବାପ ଠାରୁ ଅଲଗା ହୋଇ ହାତୀ ବାଗାନରେ ପରିବା ବେପାର କରି ତା ସଂସାର ଚଳେଇଛି l ପ୍ରତି ବର୍ଷ ସୁବଳ ସ୍ତ୍ରୀ ପ୍ରସୂତି ହୁଏ l ଗଲା ଦୁଇ ବର୍ଷ ହେଲା ପିଲା ଜନ୍ମ ହୋଇନାହାନ୍ତି l କିଏ ଜାଣେ କେତେବେଳେ ସିଏ ପୁଣି ମାଆ ହେବ l ପିଲାମାନେ ପାଣିରେ ଖେଳୁଛନ୍ତି l ପାଣି ଯେ ଶୋଇବା ଘର ଛୁଇଁଲାଣି ଏ କଥା ସେମାନେ ଜାଣି ପାରୁନାହାନ୍ତି l ସୁବଳକୁ ଏ କଥା ଅଡୁଆ ଲାଗିଲା ଓ ତା ରାଗ ପଞ୍ଚମକୁ ଉଠିଗଲା l ସବୁଯାକ ରାଗ ବଡ ଝିଅ ଖୁସୀ ଉପରେ, ସାନ ସାନ ଭାଇ ଭଉଣୀଙ୍କୁ ନ ବୁଝେଇ ଖେଳରେ ମାତି ଯାଇଛି, ହାଡେ ହାଡେ ବଦମାସ୍, ରୋଷେଇ ଘରୁ ଲୁଚେଇକି ଖାଏ, ଅନ୍ୟମାନେ ଉପାସ ରୁହନ୍ତି, ଗୋଟିଏ ରାକ୍ଷାସୁଣୀ ଭଳି ଭୋକ ତାର l ମାଛ ଟୋକେଇ ପିଣ୍ଡା ଉପରେ ରଖି ଡାକିଲା ଖୁସି ! ଏଠିକୁ ଆ …..  l ଖୁସି ପିନ୍ଧା ଲୁଗାକୁ ଜଙ୍ଘ ଉପରକୁ ଉଠେଇ ଛାତି ଉପରେ ସଜାଡି ଆସିଲା l ତା ଆକ୍ଷିରେ ଭୟ l ସୁବଳ ତା ମୁଣ୍ଡରୁ ଚୁଟି ପୁଳାଏ ଧରି ପଚାରିଲା ; ‘ତୁ ବଦମାସ୍ ଏଠି କଣ କରୁଛୁ ?’

କାନ୍ଦଣା ସ୍ୱରରେ ଖୁସି କହିଲା, ‘ଚଉରା ପାଖ ପାଣିରେ ଲବା ମାଛ ଧରୁଥିଲି’

ସୁବଳ ତା ଗାଲରେ ଚାପୁଡା ମାରିବା ଆରମ୍ଭ କରିବା ସଙ୍ଗେ ସଙ୍ଗେ ଗର୍ଜନ କରି କହିଲା, ‘ଲବା ମାଛ’, ହାରାମଜାଦୀ, ତୋ ପାଟିରେ ସେ ମାଛକୁ ଭର୍ତ୍ତି କରି ଦେବି l ‘ଅନା ତାକୁ l ଘରେ କିଛି କାମ ନାହିଁ ’ l ତୁ ନ ମଲୁ କାହିଁକି ? ସାନଟା ଦେହରେ ଖଇ ଫୁଟା ତାତି, ତାକୁ ନେଇ ପାଣିରେ ଖେଳୁଛୁ ?

ସୁବଳର ସ୍ତ୍ରୀ ବାହାରି ଆସି ଖୁସି ପିଠି ଉପରେ ବିଧା ବର୍ଷା କରି ଚାଲିଲା l ମାରୁଥିବା ବେଳେ, ଗାଳି କରି କହୁଥାଏ, ‘ଘୁଅଖାଇ, କିଛି ଶୁଣୁନି’l ତାକୁ ଲଙ୍କା ବାଟିବାକୁ କହିଲି l ହେଲେ ମୋ କଥାରେ କଣ ତାର କାନ  ?

ଖୁସି ସ୍ୱାସ୍ଥ୍ୟବତୀ l ତାକୁ ଦେଖିଲେ ଲାଗିବନି ଯେ ତାକୁ ମାତ୍ର ଷୋହଳ l ଅନ୍ୟ ଭାଇ – ଭଉଣୀମାନେ ଦୁର୍ବଳିଆ l ତେଣୁ ବାପା ମାଆଙ୍କର ହାତ ସୁଖ ଖୁସିର ପିଠିରେ ମେଣ୍ଟି ଥାଏ l ସେ କନ୍ଦାକଟା ନ କରି ମୁହଁ ଫୁଲେଇ ଘର ଭିତରକୁ ଗଲା l

ସୁବଳ ସବୁବେଳେ ସୁର୍ଯ୍ୟ ଉଠିବା ଆଗରୁ ଚାଲି ଚାଲି ବଉ ବାଗାନର ପାଇକାରୀ ମାଛ ହାଟକୁ ଯାଏ l ସେଠୁ ମାଛ କିଣି ବିକିବା ପାଇଁ ନାଗେର ବଜାରକୁ  ଆସିଥାଏ l ସେଠି ବିକ୍ରି ବଟା ସାରି, ଉଦୁଉଦିଆ ଖରାରେ ଘରକୁ ଫେରେ l ଘରକୁ ବାହୁଡିବା ପରେ ପୁଅ କି ଝିଅ ଯିଏ ହାବୁଡେ ତାକୁ ମରାପିଟା କରିବା ତାର ଅଭ୍ୟାସ ହୋଇଯାଇଥିଲା l ମୁଣ୍ଡରେ ସୋରିଷ ତେଲ ମାଖି ପାଖ କେନାଲରେ ଡୁବ ମାରେ l ବାରଣ୍ଡାରେ ସଉପ ପକେଇ ଖାଇବାକୁ ବସେ l ପ୍ରଥମେ ସେ ଖାଇବ, ତାପରେ ପିଲାମାନେ l ଏଇଟା ଧରାବନ୍ଧା ନିୟମ l ଯଦି ସେ ଖାଇ ପିଇ ସୁସ୍ଥ ନ ରହେ, ଏତେ ବଡ ପରିବାର ଚଳିବ କେମିତି  ? ତା ଦେହ ଖରାପ ହେଲେ ଚଳେଇବ କିଏ  ? ଏନାମେଲ୍ ଥାଳିରେ ତା ସ୍ତ୍ରୀ ଭାତ ବାଢିଲା l ସୁବଳ ଭାତ ମଳା କରି ମସୁର ଡାଲି ଅଜାଡି, ଖାଇବା ଆରମ୍ଭ କଲା l କେତେବେଳେ ମାଛ ତରକାରୀ ହେଉ କି କଖାରୁ ବଟା ହେଉ ସୁବଳ ଖୁସିରେ ଖାଏ l ଚାଟି ଚୁଟି ଖାଇ ଦିଏ ଯେ, ବାସନ ଧୋଇବା ଆଉ ଦରକାର ହୁଏ ନାହିଁ l ତା ପରେ ସନ୍ଧ୍ୟା ଯାଏ ନିଘୋଡ ନିଦରେ ଶୋଇ ପଡେ l ନିଦରୁ ଉଠି ବେଳେ ପିଲାମାନଙ୍କୁ ଆଉ ଅସରାଏ ମାଡ ବି ଦିଏ l ବେଣା ଘାସରେ ପଟି ତିଆରି କରେ l ନହେଲେ ଚାଳ ଉପରକୁ ଉଠି କଷି କଷି କଖାରୁ ଗଣେ l କଖାରୁ ଡଙ୍କରେ ପୋକ ଲାଗିଥିଲେ ଚୁନ ଲଗାଏ l ଯଦି କୌଣସି ଦିନ ଏଥିରେ ଆଗ୍ରହ ନ ଥାଏ, ଅନ୍ଧାରରେ ଲଣ୍ଠନ ନ ଲଗାଇ ବସି ରହେ l ଭିlଆଇlପିl ରୋଡର ବତୀ ଖୁଣ୍ଟର ହଳଦିଆ ଆଲୁଅ କେନାଲ ପାଣି ଉପରେ ପଡୁଥାଏ l କିଛି ସମୟ ଏପଟ ସେପଟ ହେବା ପର, କେସ୍ତୋପୁର ଆଡକୁ ମୁହାଁଏ l ସେଠି ସଞ୍ଜରେ ପୁରୁଣା ପରିଚିତମାନଙ୍କ ସହ ପାଞ୍ଚ ଛଅ ଅଣାର ତାଡି ପିଇ ଗପସପ କରେ l ନିତାଇ ସାଙ୍ଗେ ଗୋଟେ ବଡ ମାଛର ବ୍ୟବସାୟ ଆରମ୍ଭ କରିବା ପାଇଁ କଥା ହୁଏ l ଘରକୁ ଫେରି ଗୁଡ ପାଣି ସହ ରୁଟି ଖାଇ ନିଘୋଡ ନିଦରେ ଶୋଇ ପଡେ l  ଯୋଉ ଦିନ ସେ କେସ୍ତୋପୁର ନ ଯାଇ ଘରେ ରହିଯାଏ, ସେ ଦିନ ସମୟ ଜମ୍ମା ସରେ ନାହିଁ lଶୀଘ୍ର ଖାଇବା ପାଇଁ ବରାଦ ଦିଏ l ଅଯଥା କିରୋସିନି ଖର୍ଚ୍ଚ ହେଉଛି ବୋଲି ବିଡ୍ ବିଡ୍ ହୁଏ l ଆଲୁଅ ନ ଲଗାଇ ଝୋଟ ଅଖାର ଶେଯ ଧରି ଶୋଇ ପଡେ l ଶୋଇବା ଘର କହିଲେ ଗୋଟାଏ  l ପିଲାମାନେ ଧାଡି ବାନ୍ଧି ଝୋଟ ଅଖା ଓ କନ୍ଥା ବିଛେଇ ଶୋଇ ଯାଆନ୍ତି l ସୁବଳ କବାଟ ପାଖରେ ଶୁଏ l ବାହାର ବାରଣ୍ଡାକୁ ଝାଟିମାଟିର ବାଡ ଦେଇ ଥିବା ଜାଗାରେ ତା ସ୍ତ୍ରୀର ଶୋଇବା ଜାଗା l ସବଳ ଶୋଇ ରହି ବାରମ୍ବାର ବିଡି ଟାଣୁଥାଏ l ନିଦ ଆସିବା ଆଗରୁ ଏକ ଅଦ୍ଭୁତ ଅସ୍ଥିରତାରେ ସେ ବିଚଳିତ ହେଉଥାଏ l ଘରର ବାସନ କୁସନ ଧୋଇ ବାଗଲା ଶୋଇବାକୁ ଆସେ l ସେ ଘରକୁ ନ ପହଞ୍ଚୁଣୁ ସୁବଳ ତାକୁ ଧରି ପକାଏ l ପିଲାମାନେ ଶୋଇଛନ୍ତି କି ଚେଇଁଛନ୍ତି ସେ ଯାଏ ତାର ଅପେକ୍ଷା ନ ଥାଏ l ତା ଦେହ ସହିତ ଖେଳିବା ଆରମ୍ଭ କରିଦିଏ l ରୁଗଣ ଦୁର୍ବଳିଆ ସ୍ତ୍ରୀ କ୍ଲାନ୍ତିରେ ଗୋଟେ କମାର ଶାଳର ଭାଟି ଭଳି ଧକେଇ ହୁଏ l କେବେ କେବେ ଅସ୍ପଷ୍ଟ ସ୍ୱରରେ କୁହେ, ‘ମୋ ପେଟରେ ଆଉ ଗୋଟେ ଅଲୋଡା ଜୀବନ ବଢୁଛି’, ଏଡେ ବୟସରେ ତୁମକୁ ଏ ସବୁ ଜିନିଷ କେମିତି ଭଲ ଲାଗୁଛି ? ସୁବଳ ଲଜ୍ଜା ଏଡେଇବାକୁ ଖାଲି ହସେ l

ସୁବଳ ଘରେ ନଥିବା ବେଳେ ପିଲାମାନେ ଏଣେ ତେଣେ ଧାଁ ଧପଡରେ ମାତି ଥାଆନ୍ତି l କୁଆଡକୁ ନଜର ନଥାଏ l କେତେବେଳେ କେମିତି ଯଦି ରାସ୍ତା କଡରେ କାର୍ ଅଟକିଯାଏ, ପିଲାମାନେ କୌତୁହଳ ହୋଇ, କାର୍ ଭିତରେ ବସିଥିବା ସୌଖିନ୍ ବାବୁ ଓ ସୁନ୍ଦର ସ୍ତ୍ରୀ ଲୋକମାନଙ୍କୁ ଆବାକାବା ହୋଇ ଅନାଇ ରୁହନ୍ତି lବଡ ପୁଅ ଦିଟା ସିଗାରେଟ୍ ମୁଣ୍ଡି, ସୋଡା ବୋତଲର ଠିପି, ଆଉ ପାଉଁରୁଟିର ଟୁକୁଡା ଗୋଟାଇବାରେ ଲାଗିଯାଆନ୍ତି l ପିଲାମାନଙ୍କ ଭିତରୁ ହରନ୍, ଯୋଉଟିକୁ ବାର ବର୍ଷ, ଏଇ କେତେ ଦିନ ହେବ ପ୍ରାଇମେରୀ ସ୍କୁଲକୁ ପାଠ ପଢିବା ପାଇଁ ଯାହା ଯାଏ l ମୋଟାମୋଟି ସୁବଳର ସ୍ତ୍ରୀ ପିଲାଙ୍କୁ ଜଗା ରଖା କରିପାରେନା l କେବଳ ଖୁସି ଉପରେ ଯାହା ଆକ୍ଷି ରଖିଥାଏ l ମଝିରେ ମଝିରେ ବଡ ପାଟିରେ ଡାକ ପକାଏ, ‘ଖୁସି ! ତୁ କୋଉଠି ମରୁଛୁ ? ’ ଯଦି ଖୁସିର କିଛି ଜବାବ ବା ପାଟି ଶୁଣି ପାରେ ନାହିଁ, ପାଖରେ ଥିବା ପିଲାଙ୍କୁ ମୂର୍ଖ କୋଉଠିକାର କହି ଖୁସିକୁ ଖୋଜିବା ପାଇଁ କହେ l କିଛି ସମୟ ପରେ ଖୁସି ଜୋରରେ ଧକେଇ ଧକେଇ ଆସି ପହଞ୍ଚେ, ଆଉ କହେ, ‘କଣ ପାଇଁ ଏଡେ ପାଟି କରୁଛୁ  ? ମୁଁ ଏଇ ରାସ୍ତାରେ ଟିକେ ଠିଆ ହୋଇଥିଲି l’ ‘ଯଦି ପାଟି ନ କରି ଡାକେ, ତୋତେ କଣ କୀର୍ତ୍ତନ କରି ଡାକିବି ? ’ ଖୁସିର ମାଆ ଗରଗର ହୋଇ କହେ l ‘ତୋ ବାପ ଆଜି ଆସୁ, ରାସ୍ତାରେ ତୋର ଏତେ କାମ କଣ ? ତୁ ଭାବୁଛୁ ମୁଁ କଣ କିଛି ଜାଣିପାରୁନି ? କେମିତି ବେଢଙ୍ଗରେ ଲୁଗା ପିନ୍ଧୁଛୁ ଯେ, ତୋ ଛାତି ଦେଖାଯାଉଛି l ଏତେ ବଢିଲା ପିଲା ହେଲୁଣୁ, ବାଗ ଢଙ୍ଗ କିଛି ନାହିଁ ? ’ ଖୁସି ଲୁଗା ସଜାଡୁ ସଡାଡୁ କହେ, ତୋତେ କେତେ ଥର ଫ୍ରକ୍ ପାଇଁ କହିଲିଣି l ଆଜି କାଲି ସମସ୍ତେ ଫ୍ରକ୍ ପିନ୍ଧୁଛନ୍ତି l

‘ ତୋ ପାଇଁ ଫ୍ରକ୍ କିଣିବି ? ଝାଡୁରେ ପିଟିବା କଥା l ’ ତୋତେ ମୁଁ ଲଙ୍ଗଳା ରଖିନି l ତୋ ପେଟ ପୁରିବା ପାଇଁ ଘରେ ଚାଉଳ ଅଛି କି ? ଲୁଗାପଟା ପାଇଁ ଯାହା ଅଲାଜୁକକ ଭଳି ନାଟ କରୁଛୁ ?

ମାଆ ଝିଅଙ୍କର କଥା କଟାକଟି ବେଳେ ରାସ୍ତାରେ ଦୁଇଟି କାର୍ ଅଟକି ଗଲା l ସେଥିରୁ ଚାରିଜଣ ଭଦ୍ର ଲୋକ ଓହ୍ଲାଇ ତାଙ୍କ ଘର ଆଡକୁ ଆଙ୍ଗୁଠି ଦେଖେଇ କଣ କଥାବାର୍ତ୍ତା ହେଲେ l ସୁବଳ ବି ସେଠାରେ ଥିଲା l ବଗଲା ସେମାନଙ୍କୁ ତୀକ୍ଷ୍ମ ଦୃଷ୍ଟିରେ ଅନାଇ, ମନେ ମନେ ଭାବିଲା, ବଜ୍ଜାତ୍ ଗୁଡାକ ମୋ ପୁଅକୁ ଫୁସୁଲା ଫୁସୁଲି କରିବାକୁ ଏଥରକ ବି ଆସିଛନ୍ତି l ବାରଣ୍ଡା ଉପରକୁ ଉଠି ବଡ ପାଟିରେ କହିଲା, ‘ସୁବଳ, ହେ ସୁବଳ ସେମାନଙ୍କ ସଙ୍ଗେ କଣ କଥା ହେଉଛୁ ? ’

ନଜର ନ ହଟେଇ ସୁବଳ ସେମାନଙ୍କ ସହ ଗପି ଚାଲିଥାଏ l ଭିlଆଇlପିl ରାସ୍ତାରୁ ଓହ୍ଲାଇ କିଛି ବାଟ ଚାଲି ଚାଲି ସୁବଳ ଘର ପାଖରେ ସେମାନେ ଅଟକି, ଘରକୁ ଖୁବ୍ ପାଖରୁ ଦେଖିବାରେ ଲାଗିଗଲେ l ଖୁସି ତା ଜେଜେ ମା ପାଖରେ ଠିଆ ହୋଇଥାଏ l ଜଣକର କାମୁକ ଦୃଷ୍ଟି ଖୁସିର ଯୌବନ ସ୍ଫୁର୍ତ୍ତ ଦେହ ଚାରିପଟେ ଘୁରିବାକୁ ଲାଗିଲା l ଏଥରକ ବୁଢୀ ଖୁସିକୁ ଆଢୁଆଳରେ ରଖି ସାମ୍ନାକୁ ଆସି ସୁବଳକୁ ବଡ ପାଟିରେ ଡାକିଲା -  ‘ଏଠିକୁ ଆସ l ମୋ କଥା ଶୁଣ l ତୁ ସାବଧାନ ରହ l ତୁ ଯେମିତି ଭୁଲି ନ ଯାଉ, ଏ ମୋ ଶ୍ୱଶୁରଙ୍କ ଭିଟା ମାଟି l ମୁଁ ମାଟି ମାରି ଦେବି l’

ସୁବଳ ଓଲଟିପଡି ବଡ ପାଟିରେ ଧମକ ଦେଇ କହିଲା  ‘ ଚୁପ୍ – ପାଟି ବନ୍ଦ କର l ’ ନହେଲେ ସବୁ ଦିନ ପାଇଁ ତୋତେ ଚୁପ୍ କରେଇ ଦେବି l ଏତକ କହି ପୁଣି ସେମାନଙ୍କ ସହ କଥାବାର୍ତ୍ତାରେ ମାତି ଗଲା l

କିଛି ସମୟ ପରେ ସୁବଳ ଖୁସି ମନରେ ଘରକୁ ଫେରିଲା l ତା ହାତରେ ମୁଠାରେ ଟଙ୍କା ବିଡା l ବଗଲା ଆଶଙ୍କିତ ହୋଇ ତଳ ଓଠକୁ ଦାନ୍ତରେ ଦାବି ସୁବଳକୁ ପଚାରିଲା, ‘ ତୁ କଣ କଲୁ ? ଶେଷରେ ଟିପ ଚିହ୍ନ ଦେଲୁ ?’

ସୁବଳ ଅଳ୍ପ ହସି ହଁ କଲା l “କଣ ମୋ ମରିବା ଆଗରୁ ତୁ ଏୟା କଲୁ ?” – ବୁଢୀ କହିଲା l

ଆସ୍ l ତଳେ କାହିଁକି ବସି ପଡିଲୁ ? ଆଗେ ମୁଁ କଣ କହୁଛି ଶୁଣ l ତୁମ ସ୍ତ୍ରୀ ଜାତିର ସ୍ୱଭାବ ହେଲା, ଘଟଣା କିଛି ନ ବୁଝି ହାଉଳି ଖାଇବା l ମୁଁ ତୋତେ କଥା ଦେଇଛି ନା, ତୁ ମରିବା ପୂର୍ବରୁ ଘର ବିକ୍ରି ହେବ ନାହିଁ l ଆଉ ତୁ ଏତେ ଶୀଘ୍ର ମରୁନୁ l ଗରିବ ଘରର ସ୍ତ୍ରୀ ଲୋକମାନଙ୍କ ପାଇଁ ଡେରିରେ ମରଣ ଆସେ l ସୁବଣଳ କହିଲା l

କଣ ପୁଅ ? କଣ ହେଲା ? ସେଇ ଲୋକମାନେ କଣ ପାଇଁ ଆସିଥିଲେ ? କଣ ପାଇଁ ତୋତେ ଟଙ୍କା ଦେଲେ ?  ବୁଢୀ ଏକା ନିଃଶ୍ୱାସରେ ପଚାରୁଥାଏ l

“ମୁଁ ଘର ବିକ୍ରି କରି ନାହିଁ l ଜମ୍ମାରୁ ନୁହେଁ l ଏ ପର୍ଯ୍ୟନ୍ତ ଘର ବିକ୍ରି କଥା ଚିନ୍ତା କରି ନାହିଁ l କିଛି ନ କରି ତିରିଶି ଟଙ୍କା ଉଠେଇଛି l ସେମାନେ ଏଠାରେ ଗୋଟେ ଛବି ଟାଙ୍ଗିବେ l କେବଳ ସେଇଥି ପାଇଁ ମାସକୁ ପନ୍ଦର ଟଙ୍କା ଦେବେ l”

“ ତୋତେ ଛବି ଟାଙ୍ଗିବା ପାଇଁ ପଇସା ଦେବେ , କୋଉ ଛବି ? ” ବୁଢୀ ଆଶ୍ଚର୍ଯ୍ୟ ହୋଇ ପଚାରୁଥାଏ l

“ମୁଁ ଜାଣିନି କୋଉ ଛବି ଟଙ୍ଗେଇବେ  ବି ମୋର ଜାଣିବା ଦରକାର ନାହିଁ l ସେମାନେ କଣ ଆର୍ଡଭାଟେଇଜ୍  ‘ମେଣ୍ଟ୍’  -

କଥା କହୁଥିଲେ l ”

“ଆର୍ଡଭାଟେଇଜମେଣ୍ଟ୍ ? ସେଇଟା ପୁଣି କଣ ? ”

“ ମୁଁ କହିଲି ନା – ଛବି l ସକାଳୁ ଉଠି କାହା ମୁହଁ ଚାହିଁଲି l ଯେମିତି ଭଗନାନ ମୋ ହାତରେ ଟଙ୍କା ଗୁଞ୍ଜି ଦେଲେ l ଯାଏ, ନିତାଇକୁ ଖବର ଦିଏ l” – ସୁବଳ କହିଲା l

 “ସେମାନେ ସବୁ ମାସରେ ଦେବେ l”

ସୁବଳର ଖୁସି କହିଲେ ନ ସରେ l ତା ମାଆ ବୁଢୀ ପାଇଁ ଚାରି ଟଙ୍କା ଚାରି ଅଣାର କମ୍ବଳ କିଣିବ ବୋଲି କହି ପକାଇଲା l ହରନ୍ ତା ଦାବୀ ପେଶ୍ କଲା l ଯଦି ଖାତା ପେନସିଲ୍ କିଣା ନ ହୁଏ, ତାହେଲେ ସ୍କୁଲରୁ ତାକୁ ବିଦା କରି ଦେବେ l

ସୁବଳ ସ୍ତ୍ରୀ କହିଲା “ଶୁଣ ! ଖୁସି ଏବେ ତ ବଡ ପିଲା l ତା ପାଇଁ ବ୍ଲାଉସଟେ ଦରକାର l ଲୋକେ ବାର କଥା କହୁଛନ୍ତି l ” ହଠାତ୍ ମନେ ହେଲା ଏଇ ମାସିକ ପନ୍ଦର ଟଙ୍କା ଆୟ ଯେମିତି ସୁବଳର ଘରକରଣାର ସମସ୍ତ ଅଭାବ ମେଣ୍ଟାଇଦେବ l

ତିନି ଚାରି ଦିନ ପରର ଘଟଣା l ସୁବଳ ଘର ଆଗରେ ବୋଝେଇ ଟ୍ରକ୍ ରହିଲା l ସେଥିରୁ ଚାରି ପାଞ୍ଚ ଜଣ ପ୍ୟାଣ୍ଚ୍ କମିଜ୍ ପିନ୍ଧା ଲୋକ ପାଣି ପାର ହୋଇ ସୁବଳ ଘର ପାଖରେ ପହଞ୍ଚିଲେ l ଘରର ଦୁଇ ପାଖରେ ମଜବୁତ୍ ଲୁହା ଖମ୍ବ ପୋତା ହେଲା l ସୁବଳର ମାଟି ଘରେ କେବଳ ବାଉଁଶ ଓ ଶାଳ କାଠର ବହ୍ଲା ଦିଆ ହୋଇ ଥିଲା l ପ୍ରଥମ ଥର ପାଇଁ ଲୁହାର ଖମ୍ବ ମାଟିରେ ପୋତା ହୋଇ ତା ଉପରେ ପୁଣି ଲୁହାର ରେଲିଂ ଗୋଟାଏ l ଏୟାରଲାଇନର ବଡ ଆର୍ଡଭାଇଟାଇଜର୍ ହୋର୍ଡିଂ ସ୍ଥିର କରାଗଲା l ପୁରା ହୋର୍ଡିଂଟା ନୀଳ ରଙ୍ଗର l  ଡାହାଣ ପଟେ ଉପରେ ଗୋଟାଏ ବଡ ଉଡାଜାହାଜର ଉପରକୁ ଉଠୁଥିବାର ଛବି, ବାମ ପଟ ତଳେ ଗୋଟାଏ ଦୂର ଆଧୁନିକ ନଗରର ଚିତ୍ର l ଘର ସବୁର ମଥାନ ମନ୍ଦିରର ଚୂଡା ଭଳି l ଯେମିତି ସ୍ୱପ୍ନର ସ୍ୱର୍ଗଟିଏ l ତଳେ ହାତ ଛନ୍ଦା ଛନ୍ଦି ହୋଇ ସାହେବ ଓ ମେମ୍ ଦୌଡୁଛନ୍ତି , ପବନରେ ମେମର ସ୍କାର୍ଟ୍ ଉଡିଯାଉଛି l ଖୋଲା ଦେହ ଓ ନିଟୋଳ ସ୍ତନର ଛବି l ବେଶ୍ ଆକ୍ଷି ଦେଖାଣିଆ l ହୋର୍ଡିଂ ମଝି ମଝିରେ ସୁଦୃଶ୍ୟ ଇଂରାଜୀରେ ଲେଖା ହୋଇଛି, କ୍ୱାଣ୍ଟାସର ପୃଥିବୀରେ ଉଡି ବୁଲନ୍ତୁ l

ହୋର୍ଡିଂଟା ସୁବଳର ଚାଳ ଘରକୁ ପୁରା ଗିଳି ପକାଇଲା ଭଳି, ଏପଟରୁ ସେପଟ l ତିନି ଘଣ୍ଟାରେ କାମ ସାରି ବାବୁମାନେ ଫେରିଗଲେ l  ହୋର୍ଡିଂରେ ଥିବା ଚିତ୍ର ପଟ ଆକ୍ଷି ଦୃଶିଆ ଭାବେ ଏତେ ଝଲମଲ ହେଉଥିଲା ଯେ, କେବଳ ପିଲାମାନେ ନୁହନ୍ତି ସୁବଳ ବହୁ ସମୟ ଯାଏ ଆଁ କରି ବିମୁଗ୍ଧ ଭାବେ ଅନାଇ ରହୁଥିଲା, ଯେମିତି ତା ଚାଳ ଘରର ପରିପାଟୀ ପୁରା ବଦଳି ଯାଇଛି, ଖାଲି ସେତିକି ନୁହେଁ ଭିlଆଇlପି ରୋଡରେ ଯାଉଥିବା ଲୋକମାନେ ସୁବଳ ଘର ଓ ହୋର୍ଡିଂ ଉପରେ ଆକ୍ଷି ବୁଲେଇ ନେଉଥିଲେ l ମନେ ହେଉଥିଲା ସତେ ଯେମିତି ମେମଟି ସାହେବର ହାତ ଧରି ଦୌଡିବା ଆରମ୍ଭ କରିଛି ଓ ଉଡାଜାହାଜର ଶବ୍ଦ ଏଇ ମାତ୍ର ଶୁଣାଯିବ l ଆଉ ଚିତ୍ରର ସେ ଘର ସବୁ ? ଦୈବାତ୍ ଯେମିତି ଆକାଶରୁ କିଛି ଅଂଶ ଚିରା ହୋଇ ସ୍ୱର୍ଗରୁ କିଛି ଦୃଶ୍ୟମାନ ହେଉଛି l ସୁବଳ ହାତ ମାରି ଲୁହା ଖମ୍ବର ଶକ୍ତିକୁ କଳନା କରି ଅନୁଭବ କରେ l ଉପର ଛବିଟିକୁ ଅନେଇ ଖୁଣ୍ଟିକୁ ବେଳେବେଳେ ଆଲିଙ୍ଗନ କରି ପକାଏ l ହୋର୍ଡିଂ ଲାଗିବା ପରେ ଶାଗୁଣା ବସୁଥିବା ତାଳ ଗଛବି ତା ଆଗରେ ମଳିନ ପଡିଯାଇଥାଏ l ତଥାପି ବି ସେଇ ଶାଗୁଣା ଦିଟା ସେ ଗଛ ଉପରେ ବସିଥାଆନ୍ତି l  ବଜ୍ଜାତ୍ ଦିଟାକୁ ସହଜରେ ତଡି ହେବ ନାହିଁ l ସୁବଳ ଭାବେ ସେ ତାଳ ଗଛ ଦିଟାକୁ ହାଣି ଦେଲେ ଶାଗୁଣା ହଳକୁ ସେ  ହୋର୍ଡିଂ ଉପରେ ବସିବେ କି ?

ସେ କଥା ସେ ଜମ୍ମାରୁ କରେଇ ଦେବନି l ସୁବଳ ମନ ଭିତରେ ଏଇ କେତେ ଦିନ ହେବ ହୋର୍ଡିଂ ଓ ଛବିର ମାଲିକାନା ଭାବ ଆସି ଗଲାଣି l ପିଲାମାନେ ବି ଅନୁରୂପ ଭାବେ ଆନନ୍ଦିତ, ଉତ୍ସାହିତ l ଖୁସି ବାରମ୍ବାର ଛବିଟିକୁ ଚାହୁଁଥାଏ l ଏତେ ଖୁସି ଯେ, କାହା ସହିତ ଅନୁଭବ ଭାଗ ବାଣ୍ଟିବ ଜାଣିପାରୁ ନ ଥାଏ l ଚିତ୍ରର ଯୁବକ ଯୁବତୀ ବହୁତ ସୁନ୍ଦର l ତାର କଳ୍ପନାର ବାହାରେ l ସେହି ରାସ୍ତା ଦେଇ କାରରେ ବହୁତ ସାହେବ୍ ଓ ମେମମାନେ ଏୟାରପୋର୍ଟକୁ ଯିବା ଆସିବା କରନ୍ତି l ହେଲେ ଚିତ୍ରରେ ଥିବା ଯୁବକ ଯୁବତୀ ଠାରୁ ଅଧିକ ସୁନ୍ଦର କେହି ନ ଥିଲେ l ପୁରୁଷଟିର ପ୍ରଶସ୍ତ କାନ୍ଧ ଓ ଯୁବତୀର ଗୋଡ ଦୁଇଟି ସବୁଠୁ ଅଧିକ ଭଲ ଲାଗୁଥିଲା l ତା ସହ ଗୋଲାପୀ ଓ ଚିକ୍କଣ ମୁହଁ ବି l ନିଶ୍ଚିତ ଭାବେ ମେମ୍ ପିନ୍ଧିଥିବା ଫ୍ରକଟି ବହୁତ ଦାମିକା l

ହରନ୍ ହେଉଛି ସେ ଘରେ ଏକ ମାତ୍ର ପଢୁଆ ପିଲା l  ତାକୁ ଛାଡି ଦେଲେ ଆଉ କାହାକୁ ବଙ୍ଗଳା କିମ୍ବା ଇଂରାଜୀ ଜଣା ନାହିଁ l ତେଣୁ ଛବି ମଝିରେ ଥିବା ଅକ୍ଷରକୁ କେହି ପଢି ପାରନ୍ତି ନାହିଁ କି ବୁଝିପାରନ୍ତି ନାହିଁ l ତେଣୁ ହରନ୍ ଖନେଇ ଖନେଇ ଅକ୍ଷର ପରେ ଅକ୍ଷର ଉଚ୍ଚାରଣ କରେ, ‘ପ୍ଲାଇ’ , ଫ୍ଲା – ଇ ଇ l ହଡବଡେଇ ଯାଇ ହରନ୍ ଚୁପ୍ ରହିଗଲା l ଚିତ୍ରରେ ମାଛର ଚିହ୍ନ ବର୍ଣ୍ଣ ହିଁ ନାହିଁ l ତା ତଳର ଭାଇ ନାବୁ ଯିଏ କି ଅପେକ୍ଷାକୃତ ଅଧିକ ବୁଝିବାର ପିଲା, ‘ମା ଦେଖ – ସେ ଝିଅ ପୁରା ଲଙ୍ଗଳା – ଛି – ଛି ’ l କିଛି କାରଣ ନ ଥାଇ ଖୁସି ତାକୁ ଚାପୁଡାଟେ ମାରିଲା l ତା ମା ଖୁସି ଉପରେ ବିରକ୍ତ ହେଇ ରାଗରେ କହିବାକୁ ଲାଗିଲା, “ବିନା ଦୋଷରେ ସଞ୍ଜ ବେଳଟାରେ ପିଲାଟାକୁ କାହିଁକି ମାରୁଛୁ ?” ଏବେ ତୋର ଦିମାକ ବଢି ଯାଉଛି, ତୋତେ ମୁଁ ଦେଖୁଛି l

ଏ ଭଳି ଅଘଟଣ ଘଟିବା ସତ୍ତ୍ୱେ ଖୁସି ଆଶା କରୁଥାଏ ଯେ ରାତିରେ ଭାତ ଖାଇବାକୁ ମିଳିବ l ତା ମାର ଏ ବିଷୟରେ ଆଦୌ ଚିନ୍ତା ନ ଥାଏ l ସୁବଳ ଘରେ ନ ଥାଏ l ତାଡି ପିଇବା, ମଉଜ କରିବା ପାଇଁ ବୋଧେ କେସ୍ତୋପୁରକୁ ଯାଇଛି l ଖୁସି ଅଟା ଦଳିବାକୁ ବସିଲା l ମୁଣ୍ଡ ପିଛା ଦୁଇଟି ରୁଟି  l ଏତିକିରେ ଭୋକ ମରେ ନାହିଁ l ବରଂ ଭୋକ ବଢେ l କିନ୍ତୁ ମୁଠାଏ ଭାତ ହେଲେ  ବି ଖାଇବାରେ ତୃପ୍ତି ଆସେ l ଖୁସି ରନ୍ଧା ଘର କବାଟ ପାଖରେ ଅଟା ଦଳିବାରେ ବ୍ୟସ୍ତ l ସଞ୍ଜ ଅନ୍ଧାର ହୋଇ ଆସୁଛି l ବାହାରେ ବେଙ୍ଗମାନଙ୍କର ରଡି l ବୋଧହୁଏ କୋଉଠି ସାପଟେ ବେଙ୍ଗକୁ ଗିଳିବାରେ ଲାଗିଛି l ଛୋଟ ଶିଶୁର କାନ୍ଦଣା ଭଳି ଶୁଭୁଛି l ବର୍ଷାଦିନେ ଏ ଜାଗାରେ ସାପଙ୍କର ଉତ୍ପାତ l ବେକ ମୋଡି ଖୁସି ହୋର୍ଡିଂକୁ ଅନେଇଲା l ଛବି ଦେଖା ଯାଉ ନାହିଁ ଅନ୍ଧାର ଯୋଗୁଁ l ତାଳ ଗଛରୁ ଶାଗୁଣାଙ୍କ ଡେଣାର ଫଡ୍ ଫଡ୍ ଶବ୍ଦ ଶୁଭୁଛି l

ହଠାତ୍ ଖୁସି ଗୁଣ୍ଡୁଚି ମୂଷାର ସିଟି ମାରିବା ଶବ୍ଦ ଭଳି କିଛି ଶୁଣିପାରିଲା l ଅସ୍ତବ୍ୟସ୍ତ ହୋଇ ରାସ୍ତା ଆଡେ ଚାହିଁଲା l ହାତରୁ ଓଦା ଅଟା ଗୁଳାକୁ ପୋଛି ପକାଇ ଡାକ ଛାଡିଲା - “ଦାଦି ମା l ମୁଁ ଅଟା ଦଳି ସାରିଛି l ତୁମେ ରୁଟି ସେକି ଦିଅ ତ l” ତା ମା ରୋଷେଇ ଘରୁ ଡାକ ଛାଡିଲା l କଣ ହେଲା ? ତୋର କୁଆଡେ କାମ ଅଛି କି ?

“ମୁଁ ଶୀଘ୍ର ଫେରିବି ” -

ଶୀଘ୍ର ଫେରିବି – ମାନେ ? ତୋର ଏତେବେଳେ ରାତିରେ ବାହାରେ କାମ ଅଛି ?

ଖୁସି ବି ଦବିବାର ଝିଅ ନୁହେଁ l ସେ ବଡ ପାଟିରେ କହିଲା, ଏ ଘରେ ବାହାରକୁ ଝାଡା ଯିବା ପାଇଁ କଣ ଅଟକ ହୋଇଛି କି ?

ଘର ପଛ ପଟକୁ ଯାଇ, ମୋଡ ବୁଲି ଭିlଆଇlପି ରୋଡରେ ଚୁପ୍ ଚାପ୍ ପହଞ୍ଚିଗଲା l କାର୍ ସବୁ ଜୋରରେ ଯା ଆସ କରୁଥାନ୍ତି l ରାସ୍ତା ପାର ହୋଇ ଆର ପଟକୁ ଆସିଲା l ଗଡାଣି ପାର ହୋଇ ଗାଡିଆ ପାଖ ଅରମା ବୁଦା ପାଖକୁ ଚାଲି ଆସିଲା l ହଠାତ୍ ଗୋଟିଏ ଯୁବକର ମଜବୁତ ହାତ ଖୁସିକୁ ତା ଜଙ୍ଘ ଉପରକୁ ଟାଣି ନେଲା ଏବଂ ଖୁସିର ମୁହଁ ପାଖରେ କାଗଜ ପ୍ୟାକେଟଟିଏ ତୋଳି ଧରି କହିଲା ଦେଖ, ତୋ ପାଇଁ ଆଳୁ ଚିପସ୍ ଆଣିଛି l ତୋତେ ଆଳୁ ଚିପସ୍ ପସନ୍ଦ ତ ?

ଖୁସି ଉପରେ ଘରେ ସମସ୍ତେ ଚିଡ୍ ଚିଡ୍ ଓ ଖପ୍ପା l ଏମିତିରେ ଯାହା ଖାଇବାକୁ ଦିଆଯାଏ, ତା ପେଟ ପୁରେନା l ସଦାବେଳେ ତାର ଭୋକ l ତାବୁ ବୋଲି ଯୋଉ ପିଲାଟା  ତାକୁ ଭଲ ପାଏ, ଭଲ ମନ୍ଦ ଖାଇବାକୁ ଦିଏ l ତାବୁ ସାଇକେଲ୍ କାରଖାନାରେ କାମ କରେ l ଖୁସି ମନ ଖୁସିରେ ଆଳୁ ଚିପସ୍ ବାଇଗଣ ଭଜା ଖାଇବାରେ ଲାଗିଗଲା l

ତାବୁ ଖୁସିର ଶାଢୀ ଭିତରେ ହାତ ଭର୍ତ୍ତି କରି ତାର ନରମ ଛାତିରେ ହାତ ବୁଲେଇବାରେ ଲାଗିଲା l ଖୁସି କିଛି ଖାଇ ସାରିବା ପରେ ପଚାରିଲା, “ତାବୁ ଦା – ତୁମେ କିଛି ଖାଇବନି କି ? ହେ ଭଗବାନ୍ l ମୋ ସହିତ ଏମିତି ଲାଗ ନାହିଁ l ମୋତେ କୁତୁ କୁତୁ କର ନାହିଁ l ”

“ ଚୁପ୍ l ଚୁପ୍ l ଜମାରୁ ପାଟି କର ନାହିଁ l ”

ମୋତେ ଜମାରୁ ଛୁଅଁ ନାହିଁ l “ମନେ ରଖ l ମୁଁ ରଡି କରି ଡାକିବି l”

ହଁ l ଠିକ୍ ଅଛି l ତୁ ଗୋଟେ ବୋକି l

ତାବୁ ତା ଜଙ୍ଘ ଉପରୁ ହାତ ଉଠାଇ ପିଚା ଉପରେ ରଖିଲା l କିଛି ସମୟ ପରେ ପୁଣି ତା ହାତ ଖୁସିର ଦେହର ଚାରି ପଟେ ବୁଲିବାକୁ ଲାଗିଲା l ଖୁସି ତା ହାତରୁ ଖସି ଯିବା ପାଇଁ ମାଟି ଉପରେ ଶୋଇ ପଡିଲା l ତାବୁ ତା ପାଖକୁ ଲାଗି ଶୋଇ ପଡିଲା l

ଅନ୍ଧାରରେ ଦୁହେଁ ସେ ଗଡାଣିଆ ଜାଗାରେ ଶୋଇ ରହିଲେ l

ମୁଣ୍ଡ ଉପରେ ରାସ୍ତାରେ କାର୍ ସବୁ ଯା ଆସ କରୁଥାନ୍ତି l ସେ ଦୁଇଜଣଙ୍କୁ କେହି ଦେଖି ପାରୁ ନ ଥାନ୍ତି l ଖୁସି ଫିସ୍ ଫିସ୍ ହୋଇ କହୁଥାଏ, “ ଆମ ଘରେ ଆଜି ଗୋଟେ ଛବି ଟଙ୍ଗା ହୋଇଛି” l

“କୋଉ ଛବି ?”

“ ଆରେ ତୁମେ ଦେଖିନ ? ହେ ଭଗବାନ ! ଏତେ ସୁନ୍ଦର ଛବିl ତୁମେ ନ ଦେଖିଲେ ବିଶ୍ୱାସ କରି ପାରିବ ନାହିଁ l ଏବେ ତ ଅନ୍ଧାର l କାଲି ଦିନ ବେଳା ଆସି ଦେଖି ପାର l” ହଠାତ୍ ଖୁସି ବିସ୍ମୟାଭୁତ ହୋଇଗଲା l ଯେମିତିକି ସେ କୌଣସି ଅଲୌକିକ ଦୃଶ୍ୟଟେ ଦେଖୁଛି l କାରର ଉଜ୍ଜ୍ୱଳ ଆଲୋକ ପଡି, ଘର ଉପରେ ଥିବା ହୋର୍ଡିଂର ଫ୍ଲୋରୋସେଣ୍ଟ୍ ପେଣ୍ଟର ଛବି ଉଜ୍ଜ୍ୱଳି ଉଠି, ପୁଣି ପର ମୁହୂର୍ତ୍ତରେ ଅନ୍ଧାରରେ ମିଳେଇ ଗଲା l ପର ମୁହୂର୍ତ୍ତରେ ପୁଣି ସବୁ ଅନ୍ଧାର, ଅଦୃଶ୍ୟ l

ଖୁସି ପଚାରିଲା, ତୁମେ ଦେଖିଲ ?  ଦେଖି ପାରିଲ କି ନାହିଁ ?

କଣ ଦେଖି ଥାଆନ୍ତି ? ଆସ୍ତେ କହ l କେହି ବଜ୍ଜାତ୍ ଯଦି ଜାଣିପାରେ ?

ଆମ ଘର ଉପରକୁ ଦେଖ l ପୁଣି ଆଉ ଗୋଟେ ମୁହୂର୍ତ୍ତ ପାଇଁ ଛବିଟି ଆଲୋକିତ ହୋଇ ଉଠିଲା l ତାକୁ କହିଲା “ଏଥର ମୁଁ ଦେଖିଲି, ସେଇଟା ଆଡଭାଟାଇଜ୍ ଟା l ତୁମ ଘର ଉପରେ କେବେ ଲଗେଇଲେ ? ଅତି ସୁନ୍ଦର ହୋଇଛି ?”

“ସତରେ ସୁନ୍ଦର ନାହିଁକି ? ଯୁବକ – ଯୁବତୀ ଦୁଇ ଜଣ l ”

କ୍ଷଣକୁ କ୍ଷଣ ଆଲୋକିତ ହେଉଥିବା ଛବିକୁ ଉଚ୍ଚକିତ ହୋଇ ଖୁସି ଦେଖୁଥାଏ l ତା ଦେହ ସାରା ତାବୁର ହାତ ବୁଲିବାକୁ ଲାଗିଥାଏ l ଖୁସି ପ୍ରତିବାଦ କରୁ ନ ଥାଏ l ଖୁସିର ଓଠକୁ ତରବରରେ କାମୁଡୁ ଥାଏ ତାବୁ l ଲୁଣିଆ ଝରା ରକ୍ତକୁ ଜିଭରେ ଚାଟୁ ଚାଟୁ ଖୁସି ପଚାରୁଥାଏ, “ତାବୁ ଦା – ସେଇ ଯୁବକ ଯୁବତୀ କଣ ପାଇଁ ବ୍ୟସ୍ତ ହୋଇ ଦଉଡୁଛନ୍ତି ?”

ସେମାନେ ଉଡାଜାହାଜ ଧରିବା ପାଇଁ ଦଉଡୁଛନ୍ତି l ହଁ କଡ ମାଡି ଏ ପଟକୁ ଶୋଇ ଯା l ବାସ୍ l ଠିକ୍ ଅଛି l

“ସେମାନେ କଣ ଉଡାଜାହାଜରେ ଯୋଉ ଘର ସବୁ ଦେଖା ଯାଉଛି, ସେଇଠିକୁ ଯିବେ ?”

“ହଁ ବୋଧେ llll”

“ ସେ ଜାଗା କେଉଁଠି ? ”

“କିଏ ଜାଣେ ? ଲଣ୍ଡନ୍ ହୋଇଥିବ l”

“ଆମ ଘର ଉପରେ ସେ ଛବି କାହିଁକି ଟାଙ୍ଗିଛନ୍ତି ? ”

“ଚୁପ୍ ରହ l ମୋତେ ବିଶ୍ୱାସ କର l ମୁଁ ତୋତେ ବହୁତ ଭଲ ପାଏ l କାଲି ତୋ ପାଇଁ କଟଲେଟ ଆଣିବି l”

“ସେମାନଙ୍କ ମୁହଁ ବହୁତ ସୁନ୍ଦର l ” – ଖୁସି କହୁଥାଏ l

ଦେହ ସାରା ଅଜଣା ରୋମାଞ୍ଚରେ ପୁଲକିତ ଖୁସି, ବାରମ୍ବାର ବେକ ମୋଡି, ଅନ୍ଧାରରେ ମଝିରେ ମଝିରେ ଉଜ୍ଜଳି ଉଠୁଥିବା ହୋର୍ଡିଂକୁ ବିହ୍ୱଳିତ ଆକ୍ଷିରେ ଦେଖୁଥାଏ l

(Indian Literature “Nov-Dec 2012” ରେ ପ୍ରକାଶିତ ସୁନୀଲ୍ ଗଙ୍ଗୋପାଧ୍ୟାୟଙ୍କ ‘The Great World’ର ଅନୁବାଦ)

ରମେଶ ଚନ୍ଦ୍ର ପାତ୍ର

ଦାସଙ୍କ ପୋଖରୀ ନିକଟ

ସୁନ୍ଦରପଦା

ଭୁବନେଶ୍ୱର

ଓଡିଶା -  751002

 


Rate this content
Log in