Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସାହିତ୍ୟ ସୃଜନ
ସାହିତ୍ୟ ସୃଜନ
★★★★★

© Jyotiranjan Sahu

Inspirational

3 Minutes   366    25


Content Ranking



ଆଜି ମୁଁ ଚୁପଚାପ୍ ବସିଥାଏ ଘର ପଛ ଅଗଣାରେ । ଆଗରେ ଛୋଟ ଛୋଟ ଗେଣ୍ଡୁ ଗଛ ଆଉ ସେଥିରେ ଉଡିବୁଲୁଥିବା ପ୍ରଜାପତି ଗୁଡିକୁ ମୁଁ ଅନ୍ୟମନସ୍କ ଭାବେ ଦେଖିଚାଲିଥାଏ । ହଠାତ୍ ପଛରୁ ମୋ ଧର୍ମପତ୍ନୀ ଆସି ମୋତେ ହଲାଇଦେଇ କହିଲେ " ପୁଣି ଭାବନା ରାଜ୍ୟରେ ବୁଲୁଛ ! କେତେ ଆଉ ଭାବିବ ! ଟିକିଏ ଏଇ ଦୁନିଆଁକୁ ଆସ । କେତେ ଏଆଡୁ ସେଆଡୁ ଲେଖିବ ! ଯାହାଟିକିଏ ସମୟ ମିଳୁଛି ତାକୁ ଏମିତି ନଷ୍ଟ କରନି । କଣ ମିଳୁଛି ସେ ଲେଖାରୁ କହିଲ ! କିଏ ପଢୁଛି ତୁମ ଲେଖା ? ସେଇ ଫେସ୍ ବୁକ୍ ରେ ଦି ଚାରିଟା କମେଣ୍ଟ ଆଉ ଆଠ ଦଶଟା ଲାଇକ୍ ଛଡା ଆଉ କଣ ମିଳୁଛି ତୁମକୁ ! ଏବେ ଏସବୁ ଲେଖାଲେଖି ବନ୍ଦକର କିଛିଦିନ ପାଇଁ " । ପତ୍ନୀଙ୍କ ତାଗିଦାକୁ ଦେଖି ମୁଁ କିଛିଟା ବେକ୍ ଫୁଟ୍ କୁ ଚାଲିଆସିଲି । ମନେମନେ ଭାବିଲି ତା ଦୃଷ୍ଟିକୋଣରୁ ସିଏ ପୁରାପୁରି ଠିକ୍ । ତେବେ ଭୁଲ୍ ଟା ଆଉ ମୋର ହୋଇଯାଉନି ତ ! ମୋତେ ଚୁପଚାପ୍ ତାଙ୍କ ମୁହଁକୁ ଚାହିଁ ରହିବା ଦେଖି ସେ ଚିଡିଚିଡି ହୋଇ କହିଉଠିଲେ " ହୋଇହୋ ! ମୋତେ ଏମିତି କଣ ଚାହିଁଛ " ? ଟିକିଏ ଚମକି ଉଠିଲି ମୁଁ । ଆଉ ତାପରେ କହିଲି " ନାଁ ! ଏମିତି ଟିକିଏ ଚେଷ୍ଟା କରୁଥିଲି ତୁମ ନାରୀମାନଙ୍କ ଆଖି ଗୁଡିକୁ ପଢିବାକୁ " ! ପତ୍ନୀ ପ୍ରଶ୍ନ କଲେ " କଣ ପଢିଲ " ? ମୁଁ କହିଲି " ପଢିଲି ତୁମ ଆଖିରେ ଥିବା ଯନ୍ତ୍ରଣାକୁ ; ସେହି ଯନ୍ତ୍ରଣା ଭିତରେବି ଭଲପାଇବା ନିଜ ସଂସାରକୁ ; ଆଉ ନିଜ ମନ ଶରୀର ପ୍ରାଣ ସବୁକିଛି ସମର୍ପି ଦେବା ଜୀବନର ଅଧାବାଟରେ ଦେଖା ହୋଇଥିବା ମୋ ଭଳି ଜଣେ ଅଚିହ୍ନା ଲୋକଟାକୁ " । " ବାସ୍ ବାସ୍ ଆଉ ଅଧିକା କୁହନି । ପୁଣି ଆରମ୍ଭ ହୋଇଗଲା ତୁମ ସାହିତ୍ୟ " ! କହି ଅଭିମାନ ମୁଦ୍ରାକୁ ଚାଲିଗଲେ ମୋର ସହଧର୍ମିଣୀ । ତାଙ୍କ ଅଭିମାନକୁ ଦେଖି ମୁଁ ଚେୟାରରୁ ଉଠି ଟିକିଏ ପାଖକୁ ଲାଗି ଛିଡାହେଲି ଆଉ କହିଲି :" ବୁଝିଲ ଇତି ! ଜାଣିଛ ନାରୀ ଜୀବନରେ ସବୁଠାରୁ କଷ୍ଟ ଆଉ ସବୁଠାରୁ ଆନନ୍ଦ ର କ୍ଷଣଟା କଣ " ! ଚୁପଚାପ୍ ସେ ଚାହିଁ ରହିଲେ ମୋ ମୁହଁକୁ । ତାଙ୍କ ନିରବତାକୁ ଦେଖି ମୁଁ ପୁଣି କହିଲି " ନିଜ ଗର୍ଭର ଯନ୍ତ୍ରଣାଟା ନାରୀ ପାଇଁ ସବୁଠାରୁ କଷ୍ଟର ମୁହୂର୍ତ୍ତ ଆଉ ସେହି ଯନ୍ତ୍ରଣାକୁ ସହି ସିଏ ଯେତେବେଳେ ମାତୃତ୍ବର ସ୍ପର୍ଶପାଏ ସେଇଟା ହେଉଛି ତା ଜୀବନର ସବୁଠାରୁ ଆନନ୍ଦର ମୁହୂର୍ତ୍ତ । ଏତେ କଷ୍ଟ ଜାଣି ମଧ୍ୟ ନାରୀ ଟିଏ ମା ହେବାପାଇଁ ବ୍ୟଗ୍ର । କାହିଁକି ଜାଣ ! କାହିଁକି ନା ସେ ସୃଜନା କରେ ଗୋଟିଏ ନୂତନ ସୃଷ୍ଟି ର । ସେହିଥିରେ ନାରୀ ମନଟା ତାର ପାଏ ପୂର୍ଣ୍ଣତା । ଜାଣିଛ ଜୀବନ ମାନେ ହିଁ ଦୁଃଖ କଷ୍ଟ ଆଉ ପରିଶେଷରେ ମୃତ୍ୟୁ । ଏହା ଜାଣିବି ଜୀବନ କେବେ ହାରି ଯାଇନି କି ସୃଷ୍ଟି କେବେ ସ୍ଥିର ହୋଇଯାଇନାହିଁ । ସବୁକିଛି ସୃଷ୍ଟିହୁଏ ଦିନେ ଧ୍ବଂସ ହେବାପାଇଁ । କିନ୍ତୁ ଧ୍ବଂସ ହେବା ଭୟରେ ସୃଷ୍ଟି କେବେ ନିରବୀଯାଇନି । ସୃଷ୍ଟି ଠିକ୍ ଜାଣିଛି ତା ସମୟ ଆଉ ସ୍ଥାନ " । ଏତିକି କହି ମୁଁ ହାତ ବଢେଇଲି ଅଗଣାରେ ପଡିଥିବା ସିମେଣ୍ଟ ଟାଇଲ୍ସ ଆଡକୁ ଆଉ ମୋ ପତ୍ନୀଙ୍କ ଉଦ୍ଦେଶ୍ୟରେ କହିଲି " ସେଇଠି ଦେଖୁଛ ଇତି ! ସେହି ଟାଇଲ୍ସ ମଝିରେ କେମିତି ଘାସ ଫୁଲଟିଏ ଫୁଟିଛି ! ସେ ଘାସଗୁଡା କେତେ ପାଦର ଭାର ସହିଛି । କେତେଥର ଶୁଖିଯାଇଛି । ତଥାପି ସେ ହାରିନି । ସେହିଠାରେ ପୁଣି ସୃଷ୍ଟି ହୋଇଛି ସେ ଘାସ ଫୁଲ । ତେଣୁ ସୃଷ୍ଟି କେବେ ଥକିଯାଏନି କି କାହାପାଇଁ କେବେ ଅପେକ୍ଷା କରେନି । ଆମର ଜ୍ଞାତ ଆଉ ଆଜ୍ଞାତ ସାରରେ କେତେ ସୃଷ୍ଟିର ସୃଜନା ହେଉଛି ତାହା ଆମେ ଜାଣୁନା । ତେଣୁ ଭାବିନିଅ ଦୁନିଆଁ ପାଇଁ ସେହିଭଳି ଗୋଟିଏ ଅଜ୍ଞାତ ସାହିତ୍ୟ ସୃଜକ ଙ୍କ ଏହି ସାହିତ୍ୟ ସୃଜନ" ।


   ମୋ ମୁହଁଟାକୁ ଚୁପଚାପ୍ ଦେଖୁଥାନ୍ତି ମୋ ଧର୍ମପତ୍ନୀ । ମୁଁ ପଚାରିଲି " କଣ କିଛି ବୁଝିପାରିଲ " ? ଟିକିଏ ହସିଦେଇ ସିଏ କହିଲେ " କଣ ଆଉ ବୁଝିବି ! ତୁମକୁ କେବେ କଥାରେ ମୁଁ ପାରିଛି ଯେ ଆଜି ପାରିବି " ! 


॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com

ସାହିତ୍ୟ ସୃଜନ ଘାସ ଫୁଲ

Rate the content


Originality
Flow
Language
Cover design

Comments

Post

Some text some message..