Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kamala Satpathy

Inspirational Tragedy

1.0  

Kamala Satpathy

Inspirational Tragedy

ନାଲି ବାକ୍ସ

ନାଲି ବାକ୍ସ

11 mins
15K


“ଡ୍ୟାଡି ... ଏଇ ନାଲି ବାକ୍ସଟା ପକେଇ ଦେବି କି ?”

“କୋଉଟା ?”

“ଏଇ ରଙ୍ଗ ଛଡା ଡବାଟା ! ଯେଉଁଥିରେ ଦୁଇ ତିନିଟା ଚୁଡି ବି ଅଛି !”

“ହଁ ପକେଇ ଦେ । ବହୁତ ପୁରୁଣା ହେଇ ଗଲାଣି ... କ’ଣ ହେବ ସେଇଟା !”

ବାପ ଝିଅଙ୍କ କଥା ଶୁଣି ଚମକି ଉଠିଲା ସଚଳା । ନାଲି ବାକ୍ସ .. ଚୁଡି ..!! ଦଉଡି ଆସିଲା ରୋଷେଇ ଘରୁ ସେ । କୋଉ ବାକ୍ସ ବିଷୟରେ କଥା ହେଉଛନ୍ତି ସେମାନେ ? ତାରି ବାକ୍ସଟା ନୁହେଁ ତ ? ହେଲେ ସେ’ଟାକୁ କୋଉଠୁ ପାଇଲେ ସେମାନେ !!

ଶୋଇବା ଘରର ଦରଜା ପାଖରେ ପହଞ୍ଚୁ ପହଞ୍ଚୁ ଦୁମ୍ କରି ଗୋଟାଏ ଶବ୍ଦ ତା’ କାନକୁ ଶୁଭିଲା । ଦଉଡି ଆସୁଥିବା ପାଦ ତା’ର ଦରଜା ପାଖରେ କାଠ ପାଲଟିଗଲା । ତା’ ଆଖି ଆଗରେ ଦି’ ଫାଳ ହୋଇ ପଡିଥିଲା ଗୋଟିଏ ଅଦରକାରୀ, ଅସୁନ୍ଦରିଆ, ରଙ୍ଗ ଛଡା କୁନି ନାଲି ବାକ୍ସ ; ଆଉ ତାରି ଭିତରୁ ଛିଟିକି ଆସିଥିଲା ଚୁଡିର କିଛି ଭଙ୍ଗା ଟୁକୁଡା ।

ଭାଙ୍ଗିଗଲା !! ହଁ, ଭାଙ୍ଗିଗଲା .. ସବୁ ଭାଙ୍ଗିଗଲା ! ଏତେ ବର୍ଷର ସାଇତା ପିଲା ଦିନ ତା’ର, ବାପ ଝିଅଙ୍କ ଘର ସଫା ଅଭିଯାନରେ ଆଜି ବଳି ପଡିଗଲା । ଆଉ ତା’ ସହିତ ବଳି ପଡିଗଲା ସଚଳାର “ମୋର” ବୋଲି ହୋଇ ରହିଥିବା ନିହାତି ଆପଣାର ଜିନିଷଟା । ଜିନିଷ ନୁହେଁ ତ, ସେଇଟା ଥିଲା ତା’ ପିଲା ଦିନର ସ୍ନେହ ଭିଜା ଚେନାଏ ସ୍ମୃତି ! ତା’ ଦରିଦ୍ର ପିତାର ପ୍ରଥମ ଆଉ ଶେଷ ଉପହାର । ବଣ ମାଳ ଜଙ୍ଗଲର ଝିଅ ‘ସଚୁ’ର ଏକମାତ୍ର ନିବିଡ ଅସ୍ତିତ୍ଵ !

ଆଜି ସବୁ ଭାଙ୍ଗିଗଲା । ଜୀବନର ଡୋରଟା ତା’ ମୂଳ ନଟେଇରୁ କଟି ପୂରା ଅଲଗା ହେଇ ଗଲା !!

ଦୁର୍ବଳ ଆଖିପତା ଆପେ ଆପେ ବୁଜି ହେଇ ଆସିଲା । ବହି ଆସୁଥିବା ଲୁହ ଧାରକୁ ରୋକିବାକୁ ଚାହୁଁଥିଲା ସେ । ଭିତରର ଅଦୃଶ୍ୟ କ୍ଷତକୁ ଲୁଚେଇ ପକେଇବାକୁ ଚାହୁଁଥିଲା । କିନ୍ତୁ କିଛି ବି କରିପାରୁ ନଥିଲା । ବରଂ ଆଶ୍ଚର୍ଯ୍ୟ ହେଉଥିଲା – ସମବେଦନାର ସ୍ୱର ବଦଳରେ, ତାଚ୍ଛଲ୍ୟର ସ୍ୱର ଶୁଣି ଶୁଣି ପଥର ହେଇ ସାରିଥିବା ହୃଦୟ ଭିତରେ ତା’ର ଏତେ ନମନୀୟତା କ’ଣ ସତରେ ଲୁଚି ରହିଥିଲା !

ଦରଜା ପାଖରୁ ହି’ପାଦ ଫେରେଇ ସେ ଚାଲିଆସିଲା । ଭଙ୍ଗା ନାଲି ବାକ୍ସଟିକୁ ଗୋଟେଇ ଆଣି ସାଇତି ରଖିବାର ସାହାସ ତା’ର ନଥିଲା । କେହି ପଚାରିଲେ, କ’ଣ କହିବ? ନିଜ କଷ୍ଟୋପାର୍ଜିତ ଚାରଣା ପଇସାକୁ ଖର୍ଚ୍ଚ କରି ଯାତ୍ରାରୁ ତା’ ପାଇଁ ବାପା କିଣି ଦେଇଥିଲେ, କହିପାରିବ କି ସେ ଏକଥା ? ନା ମୋଟେ ନୁହେଁ । ସେ କ’ଣ ଜାଣିନାହିଁ, ସେକଥା ଶୁଣିଲା ପରେ କ’ଣ ହେବ ସମସ୍ତଙ୍କ ପ୍ରତିକ୍ରିୟା ?

ବାପାଙ୍କ କରୁଣ ମୁହଁଟା ଆଖି ଆଗରେ ଭାସି ଉଠିଲା । ଥର ଥର ହାତର ଆଶୀର୍ବାଦ, ଭଙ୍ଗା ଦଦରା କଣ୍ଠର ଅସ୍ପଷ୍ଟ କଥା, ପୁଣି ଥରେ ଆଜି ତା’ କାନ ପାଖରେ ଗୁଞ୍ଜରି ଉଠିଲା । ଏସବୁ ମନେ ନପକେଇବାକୁ କେତେ ଚେଷ୍ଟା ସେ କରିଛି ! କେତେ ସାବଧାନତା ଅବଲମ୍ୱନ କରିଛି ହୃଦୟର ସବା ତଳ ଥାକରେ ମାଡିକି ରଖିଦେବାକୁ ! କିନ୍ତୁ ସବୁ ସାବଧାନତାକୁ ଅତିକ୍ରମ କରି ଆବେଗର ଗୋଟିଏ ମୃଦୁ ଧକ୍କାରେ ବାହାରକୁ ବାରମ୍ବାର କୁଦି ପଡେ ସେଗୁଡା । ଥକି ଯାଏ ସେ .. ହାରିଯାଏ ସେ ! ନିଜ ପାଖରେ ବି .. ଆଉ ନିଜ ସ୍ମୃତି ପାଖରେ ବି ।

ଅବଶ୍ୟ ହାରିବାଟା ତା’ ଜୀବନର ଏକ ଅଙ୍ଗ ବିଶେଷ । ତଥାପି ସବୁ ହାରିବା, ଆଉ ଏ ହାରିବା ଭିତରେ ରହିଥିବା ଆକାଶ ପାତାଳ ପ୍ରଭେଦଟା ତାକୁ ଦିନୁଦିନ କେତେ ବେଶି ଶୂନ୍ୟତାରେ ଭରି ଚାଲିଛି, ସେ କ’ଣ କାହାକୁ କହିପାରିଛି କେବେ !

‘ବାପା’ ! ଏ ଶବ୍ଦର ଉଚ୍ଚାରଣ ବି ଆଉ ତା’ର ମନେ ନାହିଁ । କେତେ ବର୍ଷ ବିତିଗଲାଣି ? ନା, ଯୁଗ ବିତି ସାରିଲାଣି ! ୟା’ ଭିତରେ ସେ ତ ଭୁଲି ବି ସାରିଲାଣି ଯେ ଦିନେ ସେ ବି ‘ବାପା’ ବୋଲି ଡାକ ଡାକୁଥିଲା ! ହାଡୁଆ ଦେହ, ଧୁଡୁଧୁଡିଆ ଚମ, ଲଇଁ ଯାଇଥିବା ଅଣ୍ଟା, କଙ୍କାଳିଆ ଛାତି ଆଉ ତାଆରି ବାଟକୁ ଚାହିଁ ବସିଥିବା ଦୁଇଟି ପଥୁରିଆ, ପେଜୁଆ ଆଖି ବିଶିଷ୍ଟ ‘ବାପା’ ! ଆଣ୍ଠୁ ଲୁଚୁ ନଥିବା ଗାମୁଛାଟିଏ ଭିତରେ ନିଜର ସମସ୍ତ ଅସହାୟତାକୁ ଲୁଚେଇବାକୁ ଚେଷ୍ଟା କରି ବାଡିରୁ ଦାଣ୍ଡକୁ ଘୋଷାରି ହେଇ ହେଇ ଆଗେଇ ଯାଉଥିବା ତା’ ବାପା, ମାମୁଁଙ୍କ ପଛରେ ବିକଳ ହୋଇ ଦଉଡି ଦଉଡି ଆସୁଥିବା ତା’ର ସେଇ ବାପା, ଯାହାଙ୍କୁ ଛାଡି ଆସିଲା ବେଳେ ଥର ଥର କଣ୍ଠରେ ସେ ଏତିକି କେବଳ କହିଥିଲେ, “ତୋ’ ପାଇଁ କିଛି କରି ପାରିଲିନି ରେ ମା’, .. କିଛି ବି କରି ପାରିଲିନି ମୁଁ ! ମତେ କ୍ଷମା କରିଦେବୁ । ଭୁଲିଯିବୁ, ଏପଟେ କେହି ଜଣେ ତୋର ଥିଲା ! ଯା’, ଚାଲି ଯା’, … ସୁଖର ସଂସାର କର ..।“

ସେ ଚାଲି ଆସିଥିଲା ସବୁ ଦିନ ପାଇଁ .. ସେପଟ ଦୁନିଆକୁ ପଛ କରିଦେଇ । ହେଲେ କେବେ ବି ଭୁଲି ପାରିନଥିଲା ଯେ ସେପଟେ ତା’ର କେହି ଜଣେ ଅଛି ବୋଲି । ଆଉ ସୁଖର ସଂସାର ..? କିଏ ଜାଣେ, ସେଇଟା କାହାକୁ କହନ୍ତି !!

ଟୋପା ଟୋପା ହେଇ ଲୁହ ଗୁଡା କୋଉଠୁ ଖସି ପଡୁଥିଲା । ତାରି ଆଖିରୁ କି ? କେଜାଣି ? ସେ ତ ଏ ଭିତରେ ଭୁଲି ଯାଇଛି ଯେ ତା’ ଆଖିରେ ଲୁହ ବି ଥାଇପାରେ ! ଆଜି କୋଉଠୁ ଆସିଲା ପୁଣି ସେସବୁ ! ଯୋଉ ଖୁସି, ଯୋଉ ଆନନ୍ଦ ‘ନାଲି ବାକ୍ସ’ ସେଦିନ ତା’ ଅଣ୍ଟିରେ କୁଢେଇ ଦେଇଥିଲା, ଆଜି ସେସବୁ ଖାଲି ହେଇଗଲା ବୋଲି କ’ଣ ଏ ଲୁହଗୁଡା ସେଇ ସ୍ଥାନ ଆବୋରି ନେଉଛି କି ?

ପୁଣି ଥରେ ବୁଲି ଚାହିଁଲା ସେ ଶୋଇବା ଘର ଭିତରକୁ । ବାପ ଝିଅ ଆଜି ସକାଳ ପହରୁ ଘର ସଫାସଫିରେ ଲାଗିଛନ୍ତି । ଢେର ଦିନ ହେଲା ଅଳିହା ଆବର୍ଜନାରେ ଘର ଭର୍ତ୍ତି ହେଇ ଗଲାଣି । କିଛି ସଫାସଫି କରୁନାହିଁ .. ଜିନିଷପତ୍ରର ଯତ୍ନ ନେଉନାହିଁ ବୋଲି ସଚଳା ଉପରେ କାଲି ଗାଳି ବର୍ଷଣ ହେଇ ଯାଇଛି .. । .. ସେ କୁଆଡେ ଅନ୍ୟ ସ୍ତ୍ରୀଲୋକମାନଙ୍କ ପରି ନୁହେଁ । ଘର ଦ୍ୱାର ସଫା କରି ରଖିବା, ସଜାସଜି କରିବା, ନିଜକୁ ସଜେଇବା, ମନ ପସନ୍ଦିଆ ରୋଷେଇ କରି ଖାଇବାକୁ ବାଢିବା .. କିଛି ବି ତ ତାକୁ ଜାଣନାହିଁ ! ସେ ଗୋଟିଏ ଏମିତି ବ୍ୟକ୍ତି, ଯାହାର ଜୀବନ ତ ଅଛି, କିନ୍ତୁ ଆବେଗ ନାହିଁ । ରୂପ ଅଛି, ହେଲେ ଔଜଲ୍ୟତା ନାହିଁ । ଶରୀରଟା ଅଛି, ହେଲେ ତା’ ଭିତରେ ମା’ର ହୃଦୟଟିଏ ନାହିଁ । ଏମିତି କେତେ ନାହିଁ ନାହିଁର ସମ୍ଭାରରେ ଭରା ତା’ର ବ୍ୟକ୍ତିତ୍ୱ !

ଏପରି ବ୍ୟକ୍ତିକୁ କିଛି କହିବା ଯାହା, ନ କହିବା ବି ତାହା । ତାକୁ ଯେତେ ସୁଧାରିବାକୁ ଚାହିଁଲେ ବି ସେ ସୁଧୁରିବ ନାହିଁ । ତେଣୁ ତା’ର ପଦସ୍ଥ ସରକାରୀ ଚାକିରିଆ ପତି, ନିଜ ଛୁଟି ଦିନରେ ଘରକୁ ବାଗେଇବାର କାମ, ଝିଅ ସହିତ ମିଶି କରିପକାନ୍ତି । କଲେଜ ପଢୁଆ ଝିଅ ତା’ର, ବାପାଙ୍କର ପୂରା ଆଜ୍ଞାଧିନା । ମା’ର ଅସ୍ତିତ୍ୱକୁ ଏକ ଅନ୍ଧାରର ଛାଇ ଭାବେ ଗ୍ରହଣ କରିନେଇ ପ୍ରତି କଥାରେ ବାପାଙ୍କୁ ଅନୁସରଣ କରିବାକୁ ସ୍ୱଇଚ୍ଛାରେ ଆଗେଇଯାଏ । ବାପା କହୁଥିବା ପ୍ରତିଟି କଥା ଠିକ୍ । ବାପା କରୁଥିବା ପ୍ରତିଟି କାମ ଠିକ୍ । ଏପରିକି ମା’କୁ ଗାଳିଦେବା, କେବେକେବେ ହାତ ଉଠେଇ ଦେବା, ସବୁ କଥା ଠିକ୍ । ଏତେ ସବୁ ଠିକ୍ ଭିତରେ କେମିତି ପଛକୁ ପଛକୁ ପେଲି ହେଇଯାଏ ସଚଳା ! ଇଚ୍ଛା କରି ମଧ୍ୟ ଆଗେଇ ଆସିପାରେନି କି, ଏତେ ଠିକ୍ ଭିତରେ ତା’ ପ୍ରତି ରହି ଯାଉଥିବା ଭୁଲ୍ କୁ ଆଙ୍ଗୁଠି ଦେଖେଇ ପାରେନି।

ବାପ ଝିଅଙ୍କ ବନ୍ଧନ ଭିତରେ ତଳକୁ ତଳକୁ ଚାପି ହେଇ ଯାଉଥିବା ତା’ ଅଧିକାର ବିଷୟରେ ସେ ଜାଣିଶୁଣି ଉଦାସୀନ ରୁହେ । ଯାଉ .. ଚାଲିଯାଉ । କ’ଣ ଲାଭ ସେସବୁକୁ ଧରି ରଖିବାରେ ! ଯୋଉ ବନ୍ଧନ ସେ ଦୁଇ ଜଣଙ୍କୁ ଏତେ ନିବିଡ ଭାବରେ ବାନ୍ଧି ରଖିଛି, ସେଇ ବନ୍ଧନକୁ ସେ ନିଜେ କ’ଣ ଭୁଲିପାରିଛି ? ବାପାଙ୍କ ସହିତ କାଟି ଦେଇଥିବା ପିଲା ଦିନର ସେଇ କେତୋଟି ବର୍ଷ, ଯେତେ ଧୂଆଁଳିଆ ହେଇ ଗଲେ ବି କ’ଣ ଲିଭିପାରିଛି !

ଅସମୟରେ ବୋଉ ଚାଲିଯିବା ପରେ ଯେତେବେଳେ ମାମୁଁ ଘର ଆସି ତାକୁ ଜୋର ଜବରଦସ୍ତି କରି ବାପାଙ୍କ ପାଖରୁ ଛଡେଇ ନେଇଥିଲେ, ସେତେବେଳେ ସେ ବୁଝି ପାରିନଥିଲା ଯେ ବାପାଙ୍କ ସହିତ ସବୁ ବନ୍ଧନକୁ କାଟିଦେବା ପାଇଁ ଏହା ଏକ ସଶକ୍ତ ଉଦ୍ୟମ ମାତ୍ର । ବୋଉର ଆବର୍ତ୍ତମାନରେ ଶୂନ୍ୟ ହେଇ ଉଠିଥିବା ଘର ଅଗଣାକୁ ଛାଡି, ମନକୁ କିଛି ଦିନ ପାଇଁ ଅନ୍ୟ କୋଉଠି ଲଗେଇ ରଖିବା ତା’ ପାଇଁ ନିହାତି ଆବଶ୍ୟକ ଥିଲା । ଆଉ ଏଥିପାଇଁ ମାମୁଁ ଘର ଠାରୁ ଉପଯୁକ୍ତ ସ୍ଥାନ ଆଉ କ’ଣ ବା ହେଇ ପାରେ ଭାବି, ସେଦିନ ସେ ମାମୁଁଙ୍କ ସାଙ୍ଗରେ ତାଙ୍କ ଘରକୁ ଚାଲିଯିବାକୁ ଖୁସିରେ ରାଜି ହେଇଯାଇଥିଲା । ହେଲେ ଜାଣିନଥିଲା ଯେ ତା’ର ଏଇ ସମ୍ମତିରେ ବାପାଙ୍କର କେତେ ବଡ ପରାଜୟର କାହାଣୀ ଲେଖି ହେଇଗଲା !

ବହୁତ କାକୁତି ମିନତି କରିଥିଲେ ବାପା, ତାକୁ ଛାଡିଦେଇ ଚାଲିଯିବାକୁ । କିନ୍ତୁ ମାମୁଁ ଶୁଣିନଥିଲେ । ବୋଉ ପରି ସେ ବି ଟୋପାଏ ଔଷଧ ନପାଇ କୋଉଦିନ ଛଟପଟ ହେଇ ଏମିତି ମରିଯିବ ବୋଲି, ଗର୍ଜି ଉଠିଥିଲେ ମାମୁଁ ।

ସେ ବୁଝି ପାରିନଥିଲା ଏପରି ଆକ୍ଷେପ ସହିତ ବାପାଙ୍କର କି ସମ୍ପର୍କ ! ବୋଉ ମରିବା ପାଇଁ ବାପା ଦୋଷୀ ହେଇପାରିବେ, ଏକଥା ସ୍ଵପ୍ନରେ ବି ସେ ଭାବି ପାରୁନଥିଲା । ସେ କେବଳ ଏତିକି ଜାଣିଥିଲା ଯେ ବାପାଙ୍କ ପାଖରେ ଯଦି କିଛି ପଇସା ଥାଆନ୍ତା, ତେବେ ବୋଉକୁ ସହରକୁ ନେଇ ସେ ଭଲ ଡାକ୍ତରକୁ ଦେଖେଇ ପାରିଥାନ୍ତେ । ହୁଏତ, ତା’ପରେ ବୋଉ ବଞ୍ଚି ରହିପାରିଥାନ୍ତା !

କିନ୍ତୁ ଏତେ ସବୁ କଥା ଚିନ୍ତା କରିବାର ମନର ଅବସ୍ଥା ତା’ର ସେତେବେଳେ ନଥିଲା । ସେ ତ ଖାଲି ଭାବୁଥିଲା କିଛି ଦିନ ଯାଇ ମାମୁଁ ଘରେ ରହି କି ଆସିଲେ ମନଟା ଭଲ ଲାଗିବ । ମାତ୍ର ଏଇ ‘କିଛି ଦିନ’ ଯେ ସବୁ ଦିନରେ ଏମିତି ପରିବର୍ତ୍ତିତ ହେଇ ଯିବ, ଆଉ ବାପାଙ୍କୁ ଛାଡିବା, ଏ ଘର ଅଗଣାକୁ ଛାଡିବା, ସେବେଠାରୁ ହିଁ ଆରମ୍ଭ ହେଇ ଯିବ, ସେ କ’ଣ କଳ୍ପନାରେ ବି ଭାବିଥିଲା !!

ତା’ ପରଦିନ ସକାଳୁ ସକାଳୁ ମାମୁଁଙ୍କ ସାଥିରେ ତା’ର ଚାଲିଯିବାର ଥିଲା । ସଚଳା ନିଜ ଲୁଗାପଟା ସଜାଡୁଥିଲା । ବାପା ଆସି ଖଟ ଉପରେ ଶୂନ୍ୟକୁ ଚାହିଁ ବସିଗଲେ । କେମିତି କରୁଣିଆ ଦିଶୁଥିଲା ତାଙ୍କ ଆଖି ! ବହୁତ କିଛି କହି ପକେଇବାକୁ ଇଚ୍ଛା ଥାଇ ବି ପାଟି ଖୋଲି ନପାରିବାର ଦୁଃଖ ଗୁଡା ତାଙ୍କ ଛାତି ଉପରେ ମହଣ ମହଣ ହେଇ କୁଢେଇ ପଡୁଥିଲା । ମାମୁଁ ସେଠି ବସି ଜିନିଷପତ୍ର ରଖାରଖିରେ ସାହାଯ୍ୟ କରୁଥିଲେ । କେମିତି ଏକ ବୋଝିଲା ବାତାବରଣର ଢେଉ ଘରଟା ଭିତରେ ହାବୁକେଇ ଉଠୁଥିଲା । ବଡ କଷ୍ଟରେ ପାଟି ଖୋଲିଲେ ବାପା, “ପାଖ ଗାଁରେ ଯାତ୍ରା ହଉଛି ; ସଚୁକୁ ଟିକିଏ ଯାତ୍ରା ଦେଖଇ ଆଣିବି ?”

ଜନ୍ମଦାତାଟିଏ ପୁଣି ଏତେ କାକୁସ୍ଥ ବି ହେଇପାରେ !!

ଘଡିକ ପାଇଁ ଶୂନ୍ୟ ଦୃଷ୍ଟିରେ ଚାହିଁ ରହିଲେ ମାମୁଁ । କ’ଣ ଭାବିଲେ କେଜାଣି, ନିରବ ସମ୍ମତି ଜଣେଇ ଆଖି ଫେରେଇନେଲେ ।

ସେଦିନ ପ୍ରଥମ ଥର ପାଇଁ, ବାପାଙ୍କ ହାତ ଧରି ଏକା ଏକା ସଚଳା ଯାତ୍ରା ଦେଖିବାକୁ ଗଲା । ରଙ୍ଗବେରଙ୍ଗ ବେଲୁନ୍ ଦେଖିଲା । ବାଜା ଶୁଣିଲା । ମନଭରି ନାଚଗୀତ ଦେଖିଲା । ସାରା ସମୟ ବାପା ଏକଦମ୍ ଚୁପଚାପ୍ ଥିଲେ । କ’ଣ ଖେଳୁଥିଲା ତାଙ୍କ ମନରେ ?

ଏଜି ଏତେ ବର୍ଷ ପରେ ବି ତା’ର ଉତ୍ତରକୁ ଖୋଜିକି ପାଇନି ସଚଳା । ଫେରନ୍ତି ବାଟରେ ଥରେ ଖାଲି ସେ ପାଟି ଖୋଲି ପଚାରିଲେ, “ମା’ରେ, ତୁ ତ କିଛି କିଣିଲୁନି ?”

ମୁଣ୍ଡ ହଲେଇ ଦେଲା ସଚଳା । ସେ କ’ଣ ଜାଣିନାହିଁ ବାପାଙ୍କ ଆର୍ଥିକ ଅବସ୍ଥା ! ବୋଉ ଥିଲା ବେଳେ ତ ସେ କେବେ କୋଉ ଜିନିଷ ପାଇଁ ଅଳି କରିନାହିଁ । ଆଉ ଆଜି ବୋଉ ଗଲା ପରେ ବାପାଙ୍କୁ ବା ସେ କ’ଣ କହିପାରିବ ?

ବାପା କିନ୍ତୁ ଗୋଟିଏ ଛୋଟିଆ ଦୋକାନକୁ ତାକୁ ନେଇ ଯାଇଥିଲେ । ଦୋକାନ ନୁହେଁ ତ, ରାସ୍ତା କଡରେ ବୁଢାଟିଏ ଅଖା ପକେଇ କିଛି ହାତଗଢା ଖେଳନା ବିକୁଥିବା ଗୋଟେ ଜାଗା । ଛୋଟ ବଡ କରି ଦଶ ବାରଟି ଖେଳନା ଭିତରୁ ଛୋଟିଆ ‘ନାଲି ବାକ୍ସ’ଟିଏ ଉଠେଇ ଆଣି ତା’ ହାତରେ ବାପା ଧରେଇ ଦେଇଥିଲେ । ଖୁସି ହେଇ ଯାଇଥିଲା ସଚଳା । ଏତେ ସୁନ୍ଦର ବାକ୍ସଟେ ! କେତେ ସୁନ୍ଦର ପୁଣି ତା’ ରଙ୍ଗ ! କେତେ ସୁନ୍ଦରିଆ ହ୍ୟାଣ୍ଡେଲ ! ଆଖ ତା’ର ଖୁସିରେ ଚକ୍ ଚକ୍ କରି ଉଠିଲା । ସେ ଏଇଟା ନିଶ୍ଚୟ ନେବ । ସବୁ ସାଙ୍ଗମାନଙ୍କୁ ଦେଖେଇବ । ବାପା ମନକୁ କିଣିକି ଦେଇଛନ୍ତି ବୋଲି ଗର୍ବରେ କହିବ ।

ହେଲେ ବାକ୍ସଟିର ଦାମ୍ ଶୁଣି ବାପ ଝିଅଙ୍କ ମୁହଁର ରଙ୍ଗ ଫିକା ପଡିଗଲା । ବିନା କୌଣସି ଭୂମିକା କରି ଚୁପଚାପ୍ ବାକ୍ସଟିକୁ ତଳେ ଥୋଇଦେଲା ସେ । ଘରୁ ଆସିଲା ବେଳେ ନିଜ ମାଟି ଘଡି ଭାଙ୍ଗି ଚାରଣୀଟିଏ ବାପା ଆଣିଥିବାର ସେ ଦେଖିଥିଲା । ତାହା ହିଁ ଥିଲା ବାପାଙ୍କର ଶେଷ ପୁଞ୍ଜି । କିନ୍ତୁ ବାକ୍ସଟିର ମୂଲ୍ୟ ଆଠଣା ଥିଲା ।

କରୁଣ ହେଇଉଠିଲା ତା’ର ମୁହଁଟା । ଏତେ ସୁନ୍ଦର ଜିନିଷଟେ ପାଇ ସାରି ହରେଇ ଦେବାର ଦୁଃଖ ଥିଲା ଅବର୍ଣ୍ଣନୀୟ । ବାପା ବଡ କାକୁତି ମିନତି ହେଇ ବୁଢାଟିକୁ କ’ଣ ସବୁ କହିଗଲେ । ବୁଢାଟି ଥରେ ବାପାଙ୍କ ମୁହଁକୁ, ଆଉ ଥରେ ତା’ ମୁହଁକୁ ଚାହିଁ ସାରି ବାକ୍ସଟିକୁ ତା’ ହାତକୁ ବଢେଇ ଦେଇଥିଲା । ଦୁଇ ହାତରେ ମୁହଁକୁ ଲୁଚେଇ କଇଁ କଇଁ ହୋଇ କାନ୍ଦି ଉଠିଲେ ବାପା ।

ଘରକୁ ଆସିଲା ପରେ, ରଜସଂକ୍ରାନ୍ତିକୁ କାଚରା ପାଖରୁ ବୋଉ କିଣି ଦେଇଥିବା ଚୁଡିକୁ କାଢି ଆଗ ସେଥିରେ ଭରି ଦେଇଥିଲା । ଏପଟ ସେପଟ କରି ଦଶ ଥର ତାକୁ ଦେଖିଲା । ଖୁସିରେ ପାଦ ତଳେ ଲାଗୁନଥିଲା । ରାତିରେ ଯେତେ ଥର ଆଖି ବୁଜିବାର ଚେଷ୍ଟାକଲା, ନାଲି ବାକ୍ସର ସୁନ୍ଦର ରୂପ ଆଖି ସାମନାକୁ ଆସି ତା’ର ନିଦ ଉଡେଇ ନେଲା ।

ପରଦିନ ସକାଳୁ ସକାଳୁ ମାମୁଁଙ୍କ ହାତ ଧରି ଆଗେଇ ଯାଇଥିଲା ସେ ଏକ ଅଜଣା ଆଉ ଅଦେଖା ଭବିଷ୍ୟତ ଆଡେ । ପଛରେ ଗୋଡେଇ ଗୋଡେଇ ବାପା ଷ୍ଟେସନ୍ ପର୍ଯ୍ୟନ୍ତ ଆସିଥିଲେ । ବ୍ୟାକୁଳ ସ୍ୱରରେ ମାମୁଁଙ୍କ ହାତକୁ ଧରି କେତେ କ’ଣ ସବୁ କହି ଚାଲିଥିଲେ । ‘ହଁ’ କି ‘ନା’, କିଛି ବି କହୁନଥିଲେ ମାମୁଁ । ଗୁମସୁମ୍ ହେଇ, ଚୁପଚାପ୍ ହେଇ ସେ କେବଳ ଆଗକୁ ଆଗକୁ ବଢି ଚାଲିଥିଲେ । ସେତେବେଳେ ବି ପରିବେଶ, ପରିସ୍ଥିତି, ସବୁକିଛିରୁ ପୃଥକ୍ ରହି ସଚଳା ହଜି ଯାଇଥିଲା ନିଜ ନାଲି ବାକ୍ସର ସୁନ୍ଦର ସ୍ୱପ୍ନରେ ।

ସେ ସ୍ୱପ୍ନ ଭଙ୍ଗହେଲା ଦୀର୍ଘ ଦିନ ପରେ, ଯେତେବେଳେ ସେ ବୁଝିଲା ଯେ ବାପାଙ୍କ ସହିତ ସେଦିନର ସେଇ ଦେଖା ହିଁ ଥିଲା ତା’ର ଶେଷ ଦେଖା ! ସେଇ ଘର ଅଗଣାର ଧୂଳି ମାଟିରେ ଗଢା ହୋଇଥିବା ତା’ର ପିଲା ଦିନକୁ ସେଇଠି ସେ ଛାଡିଯାଇଛି, ସବୁ ଦିନ ପାଇଁ । ଆଉ ସେସବୁ କେବେ ଫେରିବାର ନୁହେଁ, କି ପାଇବାର ନୁହେଁ ।

କେମିତି ଏକ ଅବ୍ୟକ୍ତ ଦୁଃଖର ଭାରରେ ନଇଁ ପଡିଲା ସେ ଦିନକୁ ଦିନ । ବାପାଙ୍କର କରୁଣ ଆଖି, କାନ୍ଦ କାନ୍ଦ ମୁହଁ, ଥର ଥର ସ୍ୱର, ତା’ ଅସ୍ତିତ୍ଵକୁ ଦିବା ରାତ୍ର କୋରି ଖାଇ ଚାଲିଲା । ବ୍ୟସ୍ତ ବିବ୍ରତ ହୋଇ ସେ ଖାଲି ଘୂରି ବୁଲିଲା ସିନା, ହେଲେ ଫେରିବାର କୌଣସି ଉପାୟ ତା’ ପାଖରେ ଆଉ ନଥିଲା । ‘ବାପା’ ନାମକ ଶବ୍ଦଟା ଧିରେ ଧିରେ ତା’ ପାଟିରୁ ହଜିଯାଇ ଖାଲି ହୃଦୟ ଭିତରେ ରହିଗଲା । କେମିତି ଏକ ନିର୍ବେଦ ପଣିଆ ତା’ ଉପରେ ସବାର ହେଇ ହେଇ ଚାଲିଲା । ସବୁକିଛି ଥାଇ, ସବୁକିଛି ପାଇ ମଧ୍ୟ କଇଁଛ ଖୋଳପା ଭିତରେ ନିଜକୁ ଲୁଚେଇ ରଖିଲା ।

ଆଗ ଆଗ କେତେ ଥର ବାପାଙ୍କ ପାଖକୁ ଫେରି ଚାଲିଯିବାକୁ ସେ ଖୁବ୍ ଅଳି କରୁଥିଲା । କିନ୍ତୁ ମାମୁଁଙ୍କର ବଜ୍ର ଗମ୍ଭୀର ସ୍ୱରର ‘ନାହିଁ’ ତା’ର ସବୁ ଅଳିକୁ ସେଇ ଘରର କାନ୍ଥ ସେପଟକୁ ବି କେବେ ବାହାରି ଯିବାକୁ ଦେଇନଥିଲା । ସେ ଫେରି ପାରିନଥିଲା କେବେ ନିଜର ସେଇ ପିଲା ଦିନକୁ ।

ସମୟ ଦ୍ରୁତ ବେଗରେ ତାକୁ ଦଉଡେଇ ନେଇଗଲା । ଆଖି କାନ ବନ୍ଦ କରିଦେଇ ଦଉଡି ଯିବାକୁ ସେ ପ୍ରାଣପଣେ ଚେଷ୍ଟା ବି କରୁଥିଲା । ହେଲେ ଝୁଣ୍ଟି ପଡୁଥିଲା ବାରମ୍ୱାର । ଫେରି ଚାହୁଁଥିଲା ଥରକୁ ଥର । ସବୁକିଛି ଦିଶୁଥିଲା ଧୂଆଁଳିଆ ଧୂଆଁଳିଆ .. ଅସ୍ପଷ୍ଟ । ତାରି ଭିତରେ କିନ୍ତୁ ନାଲି ବାକ୍ସଟି ରହିଥିଲା ଯେମିତିକୁ ସେମିତି ! ଅଟକି ରହିଯାଇଥିଲା ବୟସ ସେହି ସ୍ଥାନରେ, ଯୋଉଠି ଛାଡିଥିଲେ ଦିନେ ତାକୁ ବାପା !

ବାପାଙ୍କ ସ୍ମୃତି ଆନ୍ଦୋଳିତ କଲେ, ନାଲି ବାକ୍ସଟିକୁ ଖୋଲି କି ସେ ବସି ପଡେ। ତା’ ସହିତ କଥା ହୁଏ, ଗୀତ ଗାଏ, ସୁଖଦୁଃଖ ସବୁ କୁହେ । କ୍ଷଣିକ ପାଇଁ ମନ ତଳର ସବୁ ଉଦ୍ ବେଳନ ଉଭେଇଯାଏ । ବାପାଙ୍କ ହାତ ଧରି ଗାଁ ଗୋହିରୀରେ ବାଟ ଚାଲୁଥିବାର ଅଦ୍ଭୁତ ଅନୁଭବରେ ତା’ର ସମଗ୍ର ସତ୍ତା ଉଲୁସି ଉଠେ । ତା’ ଭିତରୁ ଚୁଡି କାଢି ହାତରେ ଧରିନେଲେ, ବୋଉ ଆସିକି ପାଖରେ ଠିଆ ହେଇଯିବାର ଅନୁଭବ କରିପାରେ । ବାପା ବୋଉ ଉଭୟଙ୍କୁ ଖୁବ୍ ନିକଟରେ ପାଇବାର ଆନନ୍ଦରେ ସେ ଅଭିଭୂତ ହୋଇପଡେ ।

ଝରକା ସେପାଖରେ ସୂର୍ଯ୍ୟ ଉଏଁ ଆଉ ଅସ୍ତ ଯାଏ । ଚନ୍ଦ୍ର ତାରା ସବୁ ନିଜ ନିଜ ସମୟରେ ଆସି ଫେରିଯାନ୍ତି । ଋତୁ ପରେ ଋତୁ ବଦଳି ଚାଲେ । ଦିନ, ବାର, ମାସ ବଦଳି, ବର୍ଷ ବଦଳେ । କିନ୍ତୁ ସଚଳାର ଜୀବନରେ ସବୁକିଛି ରହିଯାଏ ସେମିତି ସ୍ଥିର ହେଇ, ସେଇ ନାଲି ବାକ୍ସରେ ବନ୍ଦ ହେଇ ।

ବାହାଘର ସ୍ଥିର ହେଇଗଲା ପରେ, ତା’ ଅଜାଣତରେ ଅଜା ଦିନେ ତାକୁ ନେଇ ଆସିଥିଲେ ବାପାଙ୍କ ସହିତ ଦେଖା କରେଇ ନେବାକୁ । ଦୀର୍ଘ ବାର ବର୍ଷ ପରେ ସେ ଆସିଥିଲା ସେଇଠିକୁ, ଯୋଉଠି ତା’ର ସବୁକିଛି ରହିଥିଲା । କିନ୍ତୁ କାହିଁକି କେଜାଣି, ତା’ ଭିତରେ କୌଣସି ପ୍ରକାରର ଭାବାତ୍ମକ ଆବେଗକୁ ସେ ଅନୁଭବ କରି ପାରୁନଥିଲା । ସେଇ ଘର ଅଛି, ସେଇ ଅଗଣା ଅଛି, ସେଇ ଆମ୍ବ ଗଛ, ବାଡି କୂଅ, ଚାଳ ଛପରର ଘର, ଗୁହାଳ ଘର, ସବୁକିଛି ରହିଛି ଯେମିତି ସେମିତି । ଅଥଚ ସେ କିଛି ବି ଖୋଜି ପାଉନଥିଲା ।

କ’ଣ ଖୋଜୁଥିଲା ସେ ? ନିଜକୁ ? ନା ନିଜ ଅତୀତକୁ ?

ଘରୁ ଫେରିଲା ବେଳେ ରୋଗିଣା, ହାଡୁଆ ଦେହରେ ଘୁଷୁରି ଘୁଷୁରି ଷ୍ଟେସନ୍ ପର୍ଯ୍ୟନ୍ତ ଆସିଲେ ବାପା । ଟ୍ରେନ୍ ରେ ଚଢିଲା ପୂର୍ବରୁ ତା’ ମୁଣ୍ଡ ଆଉଁଷି ଦେଇ ଥର ଥର କଣ୍ଠରେ କହିଲେ, “ତୋ’ ପାଇଁ କିଛି କରିପାରିଲିନିରେ ମା’ ….”

ଚମକି ପଡିଲା ସଚଳା । ଅଜାଣତରେ ମୁଣ୍ଡ ଉପରକୁ ହାତଟା ଚାଲି ଯାଇଥିଲା । ଏବେ ବି ସେଇଠି ରହିଛି ବାପାଙ୍କ ହାତର ସ୍ପର୍ଶ । ଦୁଇ ତିନିଟା ପିଜୁଳି ପତ୍ର ପଡିଛି ତା’ ମୁଣ୍ଡ ଉପରେ । ବାପା ଥିଲେ ସାଙ୍ଗେ ସାଙ୍ଗେ ମୁଣ୍ଡଟା ଝାଡିଦେଇ କହିଥାନ୍ତେ, “ବାୟାଣୀଟା ! ଏଠି ଆସି ଏଇ ଗଛ ତଳେ ଠିଆହେଇଛୁ ! କେତେ ଖୋଜିଲିଣି ତତେ ! ..”

ଦୁଃଖ ଗୁଡା ତରଳିକି ତା’ ଆଖି ବାଟ ଦେଇ ବାହାରି ଯାଉଥିଲା । ସେ ରୋକିବାକୁ ଚେଷ୍ଟା କଲାନି । ପାଷାଣରୁ ବି କେବେକେବେ ପାଣି ବାହାରେ ଯେ ! କାହିଁକି ବାହାରିବନି ? କେତେ ଦିନ ଆଉ ନିଜ ଭିତରେ କୁଢ କୁଢ କରି ଜମା ରଖିଥିବ ସେସବୁ ?

ଭଲ ହେଲା, ନାଲି ବାକ୍ସଟା ଭାଙ୍ଗିଗଲା । ତା’ ଭିତରେ ବନ୍ଦିଥିବା ତା’ ପିଲା ଦିନଟା ମୁକ୍ତ ହେଇ ଉଡି ଉଡି ଆଜି ଦୂରକୁ ଚାଲିଯାଉଛି । ତାକୁ ଧରିବାକୁ ଆଉ କେବେ ସେ ଚେଷ୍ଟା କରିବ ନାହିଁ କି ତା’ ପାଇଁ ନିଜ ଆଖିରୁ ଲୁହ ବି ଝରେଇବ ନାହିଁ ।

‘ନାଲି ବାକ୍ସ’ ପରେ କ’ଣ ଜୀବନ ନଥାଏ ? ... ନିଶ୍ଚୟ ଥାଏ !

ଉଠିଲା ସେ । ଏଥର ତାକୁ ଫେରିବାକୁ ହେବ ନିଜ ସଂସାର ଭିତରକୁ । ‘ନାଲି ବାକ୍ସ’ ବାହାରର ଜୀବନକୁ । ଆଖିରୁ ତଥାପି ଝରୁଛି ଲୁହ । ପୋଛିବାକୁ ହାତ ଉଠେଇଲା ନାହିଁ । କ’ଣ ପାଇବ ଆଉ ତାକୁ ପୋଛିଦେଇ ?

ଫେରି ଚାହିଁଲା ସଚଳା ଆକାଶ ଆଡେ ! ବାପା ଚାହିଁଛନ୍ତି .. ବୋଉ ବି ଚାହିଁଛି ; ଆଉ ବାପାଙ୍କ ହାତକୁ ଫେରିଯାଇଛି ତା’ର ସେହି ପ୍ରିୟ ନାଲି ବାକ୍ସଟି .. । ତା’ ଆଖିର ଲୁହ ଏବେ ବାପାଙ୍କ ଆଖିକୁ ସଞ୍ଚରି ଯାଇଛି । ଆଉ ସେ କେବେ କାନ୍ଦିବନି ..! ସତରେ ଜମା କାନ୍ଦିବନି …!! କମ୍ ସେ କମ୍ ନାଲି ବାକ୍ସ ପାଇଁ ତ ମୋଟେ ବି ନୁହେଁ !!

-0-


Rate this content
Log in

Similar oriya story from Inspirational