Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshay Kumar Behera

Romance Tragedy

4.8  

Akshay Kumar Behera

Romance Tragedy

ବିଛେଦ ବିରହ ଯନ୍ତ୍ରଣା

ବିଛେଦ ବିରହ ଯନ୍ତ୍ରଣା

4 mins
632



ରାତି ସାରା ଭୋଳା ଆଖିରେ ନିଦ ନାହିଁ । ସତେ ଯେପରି ତାଆଖିରୁ ନିଦ ମାଉସୀ ବହୁଦୂର, କୋଉଁ ଅଜଣା ସହରରେ ହଜି ଯାଇଛି । ଦେବୀ କହିଥିବା କଥାଟି ତା ମନ ଭିତରେ ଘାଣ୍ଟି ହେଉ ଥାଏ । ପିଲାଟି ଦିନରୁ ଦୁହିଁଙ୍କର ଭଲ ପାଇବା ଗାଁରେ ଗୋଟିଏ ଉଦାହରଣ ପାଲଟି ଯାଇଛି ।


କେବଳ ରାତିଟା ଛାଡି ଦେଲେ କେହି କାହାକୁ ନଦେଖି ଘଡିଏ ରହି ପାରନ୍ତି ନାହିଁ । କିନ୍ତୁ ଆଜି ସମୟ ତାଙ୍କ ଭାଗ୍ୟ ସହ ଖେଳ ଖେଳୁଛି । ତାଙ୍କ ଭଲପାଇବାର ସୁନ୍ଦର ବସାରେ ଢମଣା ପଶି ଯାଇଛି । ଆଖିରେ ଅସରନ୍ତି ଲୁହର ବନ୍ୟା, ହୃଦୟେ ଜଳୁଛି ବିରହର ନିଆଁ ।


କ'ଣ ବା କରି ପାରନ୍ତା ଭୋଳା ପାଠଶାଠ ସିନା ପଢିଛି ହେଲେ ଚାକିରୀ ଖଣ୍ଡିଏ ପାଇଁ କେତେ ଅଫିସକୁ ସେ ନଧାଇଁଛି । କେତେ ବାବୁ ମାନଙ୍କ ନିକଟରେ ଗୁହାରୀ କରି ନେହୁରା ହୋଇଛି । ତଥାପି କୌଠି ଚାକିରୀଟି ଠିକ୍ ହୋଇ ପାରିଲା ନାହିଁ । ଏଇ କିଛି ଦିନ ତଳେ ଚାକିରୀ ପାଇଁ ରାଜଧାନୀକୁ ଯାଇ ଫେରିଛି ।


ମନରେ ବେଳେ ବେଳେ ଭାବେ ସରକାରୀ ଚାକିରୀଟି ନହେଲା ନାହିଁ, ସହରକୁ ଯାଇ କୈଣସି କାରଖାନାରେ କାମ କରିନେବ । ନହେଲେ କେମିତି ଘର ସଂସାର ଚଳିବ । ଚାଷ ଜମି ସେମିତି ନାହିଁ, ଆପାତତ୍ ବର୍ଷ ଯାକ ଭାତଟା ହେବ । ଲୋକ ମାନଙ୍କ ଦେଉଣି ଟଙ୍କା କେମିତି ଶୁଝବ, ମୁଣ୍ଡରେ ଭାରି ଚିନ୍ତା ।


ବାପାର ବଡ ପୁଅ ସବୁ ବୋଝ ନିଜ ମୁଣ୍ଡ ଉପରେ । ସାନ ଭଉଣୀ ପୂଜାକୁ ଅଠର ବର୍ଷ ପୁରୁଣୁ ଧାର କରଜ କରି ବାହାଘର ସାରିଛି । ଲୋକ ମାନଙ୍କ ଟଙ୍କା ଶୁଝା ସରିନି, ଏପଟେ ସାନ ଭାଇ ଟା ମନ୍ଦିରରେ ବାହାଘର ସାରି ଶଶୁର ଘରେ ରହୁଛି । ଘର କଥା ସେ କିଛି ବୁଝେନା ।


ପିଲା ମାନଙ୍କୁ ଟିଉସନ୍ ପଢାଇ ଯାହା ରୋଜଗାର ହୁଏ ସେଥିରେ ଚଳିଯାନ୍ତି । ତା ସାଙ୍ଗକୁ ବନ୍ଧୁ ବାନ୍ଧବ ପୁଣି ଅଛନ୍ତି । ଏତେ କଥା ଭିତରେ ସଂସାର ଚାଲିଛି । କିଛି ଗୋଟେ କଲେ ବାହା ହେବ ବୋଲି ମନରେ ଚିନ୍ତା କରିଛି । ନହେଲେ ବୋଝ ଉପରେ ନଳିତା ବିଡା ପଡିବ ।


ଘରେ ଲୋକ କହିଲେ ବାପା ବୋଉ ଙ୍କୁ ନେଇ ତିନି ପ୍ରାଣୀ । କେତେଥର କହିଲେ ବାହାଘର ପାଇଁ, ହେଲେ ପାଖରେ ଟଙ୍କା ନାହିଁ କ'ଣ ବା କରିବ ସିଏ । ଦେବୀ ବାପା ଜିଦ୍ ଧରି ବସିଛନ୍ତି ଯେ ପ୍ରଯ୍ୟନ୍ତ ଭୋଳା କିଛି ଗୋଟେ ଚାକିରୀ ନ କରିଛି ତା ହାତରେ ମୋ ଝିଅ ହାତ ଦେବି ନାହିଁ ।


ଗାଁରେ ଦୁହିଙ୍କ ଭଲପାଇବା କଥାକୁ ନେଇ ଚର୍ଛା ଜୋର୍ ଧରିଲାଣି । ବାଟରେ ଘାଟରେ ମାଇପି ମାନେ କେତେ କଥା କହୁଛନ୍ତି । ଲାଜରେ ଘରୁ ପଦାକୁ ଦୁହେଁ ବାହାରି ପାରିଲେନି । ଦେବୀକୁ ଦେଖିଲେ କହନ୍ତି ଆଲୋ ତ ସାଙ୍ଗ ଝିଅ ମାନେ ଦୁଇ ଦୁଇଟା ପିଲାର ମାଆ ହେଲେଣି ତୁ ଭୋଳାକୁ ଚାହିଁ ବୁଢି ହେବୁ ।


କାହା ମୁହଁକୁ କି ଆଉ ବନ୍ଦ କରିହେବ । ତେଣୁ ଘରେ ବାପା ବୋଉ, ପ୍ରେମିକା ଦେବୀକୁ ବୁଝାଇ ଶୁଝାଇ ରୋଜଗାର ପାଇଁ ଭୋଳା ଗାଆଁ ଛାଡି ସହରକୁ ଗଲା । କିଛି ଟଙ୍କାର ଯୋଗାଡ ହେଲେ ଗାଆଁ କୁ ଫେରି ଦେବୀକୁ ବୋଧୂ ବେଶେ ସଜେଇ ବାଜା, ବାଣ, ରୋଷଣୀ ରେ ଘରକୁ ଆଣିବ ।


ମନରେ ଅସୁମାରୀ ଆଶାଭରା ସ୍ବପ୍ନ ସାଉଁଟୁ ଥାଏ ଭୋଳା । ଏଇ କଥାକୁ ପଣକରି ଭୋଳା ଗୋଟେ କାରଖାନାରେ କାମ ଆରମ୍ଭ କରିଛି । ନିଜର ଦକ୍ଷତା ଯୋଗୁଁ ଭଲ ଦରମା ମଧ୍ୟ ପାଉଛି । ମଝିରେ ମଝିରେ ଘରକୁ ଫୋନ କରି ବାପା ବୋଉ କଥା ବୁଝୁଛି ।


ଦେବୀର ଭାଉଜ ନିକଟକୁ ଫୋନ୍ କରି ଭୋଳା, ଦେବୀ ସହ ବେଳେ ବେଳେ ସୁଖ ଦୁଃଖ ହୁଏ । ଆଜି କିନ୍ତୁ ଦେବୀ କହିଥିବା କଥା ମନ ଭିତରଟା ଜାଳିି ଦେଉଛି । ଲୋକ ମାନଙ୍କ ଟାହିଟପରା ସହି ନପାରି ଦେବୀର ବାପା ତା ବାହାଘର ଠିକ୍ କରି ଦେଲେ । ଏକଥା ଶୁଣି ଭୋଳା ମୁଣ୍ଡରେ ଚଡ଼କ ପଡିଛି ।


କ'ଣ କରିବ କିଛି ବୁଦ୍ଧି ଦିଶୁନି, ମାଲିକ ନିକଟରେ ତାପରଦିନ ସବୁ କଥା ଖୋଲି କହିଲା ଭୋଳା । ଏ କଥା ଶୁଣି ମାଲିକ ମନରେ ଦୟା ଆସିଲା ତେଣୁ ଘରକୁ ଫେରିବାର ଦିନ ଧାର୍ଯ୍ୟହେଲା । ବାହାଘର ପାଇଁ ଭୋଳାକୁ କିଛି ଟଙ୍କା ଦେବେ ବୋଲି ମଧ୍ୟ କହିଲେ ।


କିଛି ଦିନ ପରେ ହାତରେ ଟଙ୍କା ଧରି ମାଲିକ ଠାରୁ ବିଦାୟ ନେଇ ଗାଆଁ ଅଭିମୁଖେ ଯାତ୍ରା ଆରମ୍ଭ କଲା ଭୋଳା । ଗାଡିରେ ବସି କେତେ କଥା ମନରେ ଭାବି ଯାଉଥାଏ । କେତେ ବେଳେ ସେ ଗାଆଁ ଛକରେ ପହଁଞ୍ଚିଗଲା ଜଣା ପଡିଲାନି । ଗାଡିରେ ଓହ୍ଲାଇ ଘରକୁ ଯିବା ବାଟରେ ସବୁ ଲୋକ ଭୋଳାକୁ ଚାହିଁ ରହିଥାନ୍ତି । କିଛି ନବୁଝି ଭୋଳା ଘରକୁ ପହଁଞ୍ଚିଲା ।


ଭୋଳାର ଆସିବା ଖବର ପାଇ ସାଙ୍ଗ ହରି ଆସି ପହଁଞ୍ଚଲା । ଦେବୀ ସହ ଘଟିଯାଇଥିବା ସବୁ କଥା ତା ଆଗରେ ବଖାଣିଲା । ଗୋଟିଏ ବଡ ଘରର ବିବାହ ପ୍ରସ୍ତାବରେ ଦେବୀର ବାପା ବୋଉ ତା ବାହାଘର ଠିକ୍ କରି ଦେଲେ । ସେ ଅରାଜି ହେବାରୁ ଜୀବନ ହାରିବାର ଧମକ ଦେଲେ ।


ତେଣୁ କିଛି ଉପାୟ ନପାଇ ସେ ବାହାଘର ପାଇଁ ରାଜି ହୋଇଗଲା । ନିର୍ବନ୍ଧ ପାଇଁ ଗହଣା କିଣିବାକୁ ବଜାର ଯାଇଥିବା ବେଳେ ଦେବୀ ସହ ଗାଡି ଦୃଘଟଣା ଘଟିବା ଯୋଗୁ ଡାକ୍ତରଖାନାରେ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛି । ଏ ପ୍ରଯ୍ୟନ୍ତ କାହାସହ କଥା ହୋଇ ନାହିଁ । 


ଏ ଅବସ୍ତା ଜାଣି ପୁଅ ଘର ଲୋକେ ବାହା ଘର ପାଇଁ ମନା କରିଦେଲେ । ସବୁ ଶୁଣିଲା ପରେ ଭୋଳା କିଛି ବୁଝିନ ପାରିଲା ପରି ହରିକୁ ଚାହିଁ ରହିଲା । ଏତିକି ବେଳେ ତା ବୋଉ କହିଲେ ବାପରେ ଏ ସମୟରେ ଯାଇ ତା ପାଖରେ ଠିଆ ହେବା ନିହାତି ଜରୁରୀ ଅଟେ । ଭୋଳା ବାପା ମଧ୍ୟ ସନ୍ମତି ଦେଲେ ।


ସାଙ୍ଗରେ ଆଣିଥିବା ଟଙ୍କାକୁ ଧରି ଭୋଳା ଡାକ୍ତରଖାନା ଯିବାକୁ ବାହାରି ପଡିଲା । ଯାଇ ପହଁଞ୍ଚିବା ବେଳକୁ ଦେବୀର ବାପା ବୋଉ ଭୋଳାକୁ କୁଢାଇ ଭୋଭୋ ହୋଇ କାନ୍ଦିବାରେ ଲାଗିଲେ । ଧୈର୍ଯ୍ୟର ସହ ଭୋଳା ଦୁହିଁଙ୍କୁ ସବୁ ଠିକ୍ ହୋଇ ଯିବ କହି କେତେ କଥା ବୁଝାଇଲା ।


ଯେତେ ଯାହା ହେଲେବି ମନ ତାର ଦେବୀ ପାଖରେ, ସଙ୍ଗେ ସଙ୍ଗେ ଯାଇ ତାକୁ ରଖିଥିବା କୋଠରୀ ଭିତରେ ପ୍ରବେଶ କଲା । ଦେବୀକୁ ଦେଖି ଚିହ୍ନି ହେଉନଥାଏ, ମୁଣ୍ଡରେ ପଟି ଗୁଡା ହୋଇଛି । ହେଲେ ଭୋଳାକୁ ଦେଖି ସତେ ଯେପରି ଦେବୀ ପୁଣି ନୂଆ ଜୀବନ ଫେରି ପାଇଲା । 


ଆଖିରୁ ଦୁଇଧାର ଲୁହ ଦେବୀ ଝରାଇବାକୁ ଲାଗିଲା, ଏହାଦେଖି ଭୋଳା ନିଜକୁ ସମ୍ଭାଳି ନପାରି ପିଲାଙ୍କପରି କାନ୍ଦି ପକାଇଲା । ସତରେ ଦୁଇ ପ୍ରେମ ପକ୍ଷୀର ଭଲପାଇବା ବସାରେ "ବିଛେଦ ବିରହ ଯନ୍ତ୍ରଣା" ର ଢମଣାଟା ପଶି ସବୁ କିଛି ଅଲଟପାଲଟ କରି ଦେଇଛି ।



Rate this content
Log in

Similar oriya story from Romance