Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଯଦୁର ଜଳଖିଆ ଦୋକାନ
ଯଦୁର ଜଳଖିଆ ଦୋକାନ
★★★★★

© Arabinda Rath

Inspirational Tragedy

14 Minutes   14.1K    11


Content Ranking

ସମସ୍ତ ସ୍ଥାନର କିଛି ନା କିଛି ବୈଶିଷ୍ଟତା ଥାଏ। ଯେମିତି ପ୍ରସିଦ୍ଧ ; ହୀରାକୁଦର ନଦୀବନ୍ଧ, ପୁରୀର ଜଗନ୍ନାଥ ମନ୍ଦିର ଓ ସମୁଦ୍ର କୂଳ, କୋଣାର୍କର ସୂର୍ଯ୍ୟ ମନ୍ଦିର, କଟକର ବାରବାଟୀ ଦୁର୍ଗ ଓ କାଠଯୋଡି ; ଠିକ୍ ସେମିତି ମଧୁପୁର ଗ୍ରାମର ଯଦୁ ଗୁଡିଆ ପ୍ରସିଦ୍ଧ ଥିଲା। ଆଖପାଖ ପଚିଶି ସରିକି ଗାଁଆରେ ଯଦୁର ନାମ ଡାକ ଥିଲା। ତା ନାଁଆ ଶୁଣିଲେ, ଗୋଟିଏ ମଧ୍ୟ ବୟସ୍କ, ତୁମ୍ବା ପେଟିଆ ଓ ଲଣ୍ଡାମୁଣ୍ଡିଆ ଲୋକର ଛବି ମନକୁ ଆପେ ଆପେ ଚାଲିଆସେ। ମୁହଁ ଅନ୍ଧାରିଆରୁ ଚୁଲି ପାଖରେ ସେ ନିଜର ସଂସାର ମେଲେଇ ବସେ ସଞ୍ଜ ବେଳ ଯାଏ। ଦୋକାନ ବୋଇଲେ ଚାଳଘର ବଖରାଏ, ତା ଭିତରେ ଦୁଇଟି କାଠ ଟେବୁଲ ସାଙ୍ଗକୁ ପଥର ଉପରେ ରଖା ଯାଇଥିବା ଇଲେକ୍ଟ୍ରି ଖୁଣ୍ଟର ସିମେଣ୍ଟ ବେଞ୍ଚ। ଦୋକାନର ସବୁଠାରୁ ମୂଲ୍ୟବାନ ଚିଜଟି ଥିଲା, ଗୋଟିଏ କାଠ ତିଆରି କାଚ ଲଗା ଆଲମାରୀ। ଯାହା ଭିତରେ ଯଦୁ ଭଳି କିଭଳି ମିଠା ସଜେଇ କରି ରଖିଥାଏ। ସେ ଆଲମାରୀର ଚାରିଟି ଖୁଣ୍ଟ ସଦାବେଳେ ବୁଡି ରହିଥାନ୍ତି ଗିନା ପରି ଦେଖାଯାଉଥିବା ସିମେଣ୍ଟ ପାତ୍ର ଭିତରେ। ଉଦ୍ଦେଶ୍ୟ ହେଲା ମିଠା ରଙ୍କୁଣିଆ ପିମ୍ପୁଡି ଜନ୍ଦାଙ୍କୁ ଜଣାଇ ଦେବା ଯେ ଆଲମାରୀଟି ସେମାନଙ୍କ ପାଇଁ ନିଷିଦ୍ଧ ଅଞ୍ଚଳ। ଉପରକୁ ଚଢିଲେ ହାତରେ ଦଳି ହୋଇ ନିଜର ସତ୍ତା ହରାଇବା ଛଡା ଅନ୍ୟ ଗତି ନାହିଁ।

ଗାଁଆର ପିଲା ପିଚିକା ଠାରୁ ଆରମ୍ଭ କରି ବୁଢାହଡା ସଭିଏଁ ଯଦୁ ଦୋକାନକୁ ମନ୍ଦିର ପ୍ରାୟ ଦେଖନ୍ତି। ସତେ କି ଅସରନ୍ତି ଖାଦ୍ୟ ଭଣ୍ଡାରର ଦେବତା ସେଇଠି ବିରାଜମାନ କରିଛନ୍ତି। ବରା, ଗୁଲୁଗୁଲା, କାକରା ପିଠା, ସରୁ ଚକୁଳି ସହ ଗୁଡ, ଆଳୁଚପ,ସିଙ୍ଗଡା, ଲବଙ୍ଗଲତା, ପାନ ତୁଆ, ମାଲପୁଆ, ଖାସ୍ତା ଗଜା, ଗୁଡ ଜିଲାପି, ବୁନ୍ଦି ଲଡୁ ଆହୁରି କେତେ ଦରବର ପସରା ଏପରି ମେଲି ଥାଏ ଯେ, ଦେଖିବା ଲୋକ ଦଣ୍ଡେ ଭାବିବ, କଣ ଖାଇବ, କଣ ଛାଡିବ। ଜିନିଷ ଦର ବି ସେମିତି ବେଶି ନୁହଁ, ଟଙ୍କା ଦଶଟାରେ ପେଟ ପୁରିଯିବ। ସବୁ ଦିନ ସୁରୁଜ ଠାକୁର ଆକାଶକୁ ଡେଇଁବା ପରେପରେ ଆରମ୍ଭ ହୋଇଯାଏ ଯଦୁ ଦୋକାନ ଆଗରେ ଛୋଟ କାଟିଆ ମେଳନ ଉତ୍ସବ। ବୁଢାହଡା ଲୋକେ ପୋଖରୀ ପାଣି ସାରି ଗାଧେଇ ପାଧେଇ କାନ୍ଧରେ ଓଦା ଲୁଗା ପକାଇ ଯଦୁ ଦୋକାନ ଆଗରେ କୁହାଟ ଛାଡନ୍ତି। ନିଜ ପେଟ ପୂଜା କରି ସାରିବା ପରେ ଘରକୁ କଣ ଦୁଇଟା ନେଇ ଯାଆନ୍ତି। ତେଣେ ନାତି ନାତୁଣୀଏ ଘରେ ଚାତକ ପରି ଚାହିଁଥାନ୍ତି, ବୁଢା ଗାଧୁଆ ତୁଠରୁ ଫେରିଲା ବେଳେ ସାଙ୍ଗରେ କଣ ନେଇ ଆସିବ ସେଇ ଉତ୍କଣ୍ଠାରେ। ମାଇପି ଓ ବୁଢୀ ମାନେ ଦୋକାନ ଆଗରେ ଛିଡା ହୋଇ ଖାଇବାଟା ଅସୁନ୍ଦର ହେବ; ତେଣୁ ସେମାନେ ଦୋକାନ ପାଖ ବରଗଛ ମୂଳେ ଛିଡା ହୋଇ ବଡପାଟିରେ କଥା ହୁଅନ୍ତି, ଯେମିତି ଯଦୁ ଜାଣିବ ଯେ ସେମାନେ ଜଳଖିଆ ପାଇଁ ପହଞ୍ଚି ଗଲେ। ସେମାନଙ୍କୁ ଦେଖିବା ମାତ୍ରେ ପାଖକୁ ଯାଇ, କାହାକୁ ମାଆ, କାହାକୁ ଭଉଣୀ କହି ସେମାନଙ୍କ ବରାଦଟା ବୁଝି ଦେଇ ଆସେ। ପିଲାଝିଲାଙ୍କ କଥା ନ କହିବା ଭଲ। ହାତରେ ଟଙ୍କେ ଚାରଣା ପଡିଗଲେ, ସେମାନଙ୍କ ଖୁସି ଦେଖେ କିଏ!! !!! ହରିଣ ଛୁଆ ପରି ଡିଆଁଚିରା ମାରି ଦୋକାନ ଆଗରେ ହାଜର। ପାଖରେ ପଇସା ଅଳପ ଥିଲେ କ'ଣ ହେବ, ବରାଦ ଜିନିଷର ତାଲିକା ଢେର୍ ଲମ୍ବା। ମନ କଥା ଜାଣିଲା ପରି, ଯଦୁ ପିଲା ମାନଙ୍କୁ ଅଧିକ ଜିନିଷ ଶାଳ ପତ୍ର ତିଆରି ଠୋଲାରେ ପୁରେଇ ବଢେଇ ଦିଏ। ପିଲା ମାନଙ୍କୁ କୃତ୍ରିମ ରାଗ ଦେଖେଇ କୁହେ

-- ଆରେ ପିଲେ, ତୁମ ମାନଙ୍କୁ ଏମିତି ଜିନିଷ ଦାନ କରିବି ଯଦି ମୋ ଦେକାନ ଚାଲିବ ତ? ଏଇଥରଟା ସିନା ଦେଲି, ଆର ପାଳିକୁ ବେଶି ପଇସା ନେଇ ଆସିବ, ନହେଲେ ଯେତେ କନ୍ଦା ଛିଟିକା କଲେ ମୁଁ ଜମା ଶୁଣିବିନି। ସେ ସିଙ୍ଘାଣିନାକିଆ ପିଲା ଗୁଡା କଣ ବୁଝନ୍ତି କେଜାଣି, ମୁଣ୍ଡ ଟୁଙ୍ଗାରୀ ହଁ ଭରି ମନ ଖୁସିରେ ଡିଆଁ ମାରି ଗାଁଆ ପାଖ ଆମ୍ବ ତୋଟାକୁ ଦଉଡି ପଳାନ୍ତି।

ସଭିଙ୍କର ପ୍ରିୟ ଜଳଖିଆ ଥିଲା ଗୁଲୁଗୁଲାକୁ ଘୁଘୁନି। ତା ଦୋକାନ ଗୁଲୁଗୁଲା ପରି ଖାଦ୍ୟ ଜଗତରେ ମଳିବ କି ନାହିଁ ସନ୍ଦେହ। ଏମିତି କଡା ଖାସ୍ତା କରି ସେଗୁଡିକୁ ତିଆରି କରିଥିବ ଯେ, ଖାଇଥିବା ଲୋକ ପାଖରେ ଛିଡାହେଲେ କୁଡୁକାଡ ଶବ୍ଦ ଶୁଣି ପାରିବ। ଖାଇ ସାରିବାର ବହୁତ ସମୟ ଯାଏ ହେଉଡି ମାରିଲେ, ମଧୁର ପାନମଧୁରୀର ବାସ୍ନାରେ ପାଟି ଭିତରଟା ମହକି ଯାଉଥିବ। ସେଇ ଗୁଲୁଗୁଲାର କାଟତି କାହିଁରେ କଣ ଓ ପିଲା ବୁଢା ସଭିଙ୍କର ପ୍ରିୟ ଜିନିଷ। ପାକୁଆ ବୁଢା ମାନେ ଦୋକାନକୁ ଗଲେ, ଯଦୁ ଅତି ଯତ୍ନର ସହ ଗୁଲୁଗୁଲାକୁ ଭାଙ୍ଗି ଗୁଣ୍ଡ କରି ସେଥିରେ ଟିକେ ଘୁଘୁନି ଦେଇ ହାତକୁ ବଢେଇ ଦିଏ। ଚୋବେଇ ନ ପାରିଲେ କଣ ହେବ, ପାଟିରେ କିଛି କ୍ଷଣ ଜାକି ଢୋକିଦେଲା ପରେ, ସେମାନଙ୍କ ମୁହଁରେ ଯେଉଁ ଆତ୍ମ ସନ୍ତୋଷ ଭାବଟି ଉକୁଟି ଆସେ, ତାକୁ ନ ଦେଖିଲା ଲୋକ ବୁଝି ପାରିବନି। ଗାଁଆ ମେହେନ୍ତର ଠାରୁ ଅଫିସର ଯାଏ ସଭିଏଁ ତା ଦୋକାନର ଗ୍ରାହକ। କାହାର କାମ ନିମିତ୍ତ ହେଲେ, ମିଠା ଜିନିଷର ବରାଦଟା ସେ ହିଁ ପାଏ। ମିଠା ଜିନିଷର ଭାଗମାପ ତା ଠାରୁ ବେଶି ଭଲ କିଏ ଜାଣିଥିବ ସେ କଥା ବିଶ୍ଵାସଯୋଗ୍ୟ ଲାଗେନି।

ଏମିତି ସଚ୍ଚୋଟ ଲୋକଟିଏ ପାଇବା ସମୁଦ୍ର ବାଲିରୁ ମୋତି ପାଇବା ସହ ସମାନ। ଖାଣ୍ଟି ଜିନିଷରେ ସବୁ ଜିନିଷ ତିଆରି କରିବ, ନ ହେଲେ ନାହିଁ। ପ୍ରତି ରବିବାର ସାଇକେଲ ପେଲି ସେ ସହରକୁ ଯାଏ ଜିନିଷ ଖରିଦ୍ କରିବାକୁ। ଅଓ୍ବଲ୍ ନମ୍ବର ତେଲ, ଅଟା, ମଇଦା, ଚାଉଳ ଆଦି ଜିନିଷ ଲଦି ଫେରେ। ସେଦିନ ଦୋକାନ ବନ୍ଦ ରୁହେ, ତେଣୁ ଟକଳିଆ ଗ୍ରାହକଙ୍କ ମନଟା ବିଥେଇ କୁନ୍ଥେଇ ହୁଏ। ମହାଜନ କେତେ ଥର କହିଲାଣି--

-- ଆରେ କାହିଁ ସହରରୁ ଏକ ନମ୍ବର ଜିନିଷ କିଣି କ୍ଷତି ସହୁଛୁ? ମୋ ପାଖରେ ସବୁ ଭେଜାଲ ଜିନିଷ ଅଛି। ଯବକାଚ ପକେଇ ଦେଖିଲେ ବି ଅସଲ ନକଲ ର ଭେଦ ଜାଣି ପାରିବୁନି, ମୋ ପାଖରୁ ନେ। ଓ୍ବାଜିବ୍ ଦର ଲଗେଇବି। କଥା ଆମ ଦୁଇ ଜଣଙ୍କ ଭିତରେ ଗୁପ୍ତ ରହିବ, କାନକୁ ଦି କାନ ହେବନି। ତୁ କାହିଁ ଭାବୁଛୁ ଯେ ଭେଜାଲ ଜିନିଷ ଖାଇଲେ ଲୋକ ଝାଡାବାନ୍ତି ହୋଇ ମରିବେ ବୋଲି!!? ଆଜିକାଲି ତ ସହରରେ ଲୋକଙ୍କୁ ଭେଜାଲ୍ ନ ଦେଇ , ଭଲ ଜିନିଷ ଦେଲେ ତାଙ୍କର ଝାଡାବାନ୍ତି ହୋଇଯିବ। କଟକ ଚିନ୍ତା ବାଇମୁଣ୍ଡିକୁ ହେଲା ପରି, କାହିଁକି ତୋତେ ଏତେ ଚିନ୍ତା ମାଡି ବସୁଛି? ଥରେ ମୋ ପାଖରୁ ଜିନିଷ ନେଇ ଦେଖ୍ , ଏତିକି ରୋଜଗାର ହେବ ଯେ ତୋତେ ବ୍ୟାଙ୍କରେ ଖାତା ଖୋଲିବାକୁ ପଡିବ।

ହାତ ଯୋଡି ସହଜ ଭାବରେ କୁହେ ସେ-- ବାବୁ, ସେ କାମ ମୋ ଦେଇ ହେବ ନାହିଁ। ମୋର କିଏ ଅଛି ଯେ କାହା ପାଇଁ ପଇସା ସଞ୍ଚିବି। ପେଟକୁ ଦୁଇ ଓଳି ଦାନା ଓ ଦେହକୁ କନା ମିଳି ଯାଉଛି, ସେତିକି ଯଥେଷ୍ଟ। ଭଗବାନ ଢେର୍ ଦେଇଛି, ବେଶି ଲୋଭ କଣ ପାଇଁ କରିବି ଯେ? ଜୀବନ ଥିବା ଯାଏ ଯଦି ଲୋକଙ୍କୁ ଭଲରେ ଖୁଆଇ ପାରିଲି, ସେତିକି ଯଥେଷ୍ଟ। ମଲା ପରେ ସ୍ଵର୍ଗ ନ ମିଳୁ, ନର୍କ କୁ ତ ଯିବିନି।

ମହାଜନ ରାଗିଯାଇ କୁହେ-- ଧେତ୍, ତୁ ତ ଓଥରା ଟା, ତୋତେ ବୁଝେଇଲେ କି ଲାଭ ମିଳିବ। ତୋ ମାଇପ, ପିଲା ଥିଲେ ସିନା ଜାଣନ୍ତୁ; ସଂସାର ଚଳାଇବା ଯାହା ଲୁହା ଗରଡା ଚୋବାଇବା ସେୟା। ଦୁନିଆରେ ସବୁଠାରୁ ମୂଲ୍ୟବାନ ଚିଜ ହେଲା ଟଙ୍କା, ସେତିକି ନ ଥିଲେ କେହି ପଚାରିବେନି ରେ ଯଦୁଆ। ଆଜି ସିନା ବେପାର ଭଲରେ ଚାଲିଛି ବୋଲି ଧରାକୁ ସରା ମଣୁଛୁ ; କାଲି ଯଦି ଦୋକାନରେ ମାଛି ନ ଉଡିବେ, ସେତେବେଳକୁ ମୋ କଥା ହେଜୁଥିବୁ।

ସମସ୍ତଙ୍କ ମନରେ ଯଦୁର ଅତୀତକୁ ନେଇ ଅନେକ ପ୍ରଶ୍ନ ଥାଏ। କିନ୍ତୁ ଏତେ ବର୍ଷ ହେଲାଣି କେହି ପଚାରିବାର ସୁଯୋଗ ପାଇ ନାହାଁନ୍ତି। ପାଇବେ ବା କେମିତି, ଦୋକାନକୁ ଗଲେ ସେ ଗ୍ରାହକଙ୍କ ସୁଖଦୁଃଖ ବୁଝିବାରେ ଏମିତି ଲାଗିଯାଏ ଯେ ତାକୁ କିଛି ପଚାରିବାର ଅବକାଶ ଯୁଟି ନ ଥାଏ। ତଥାପି, ଗାଁଆ ପୋଖରୀ ତୁଠ ମୂଳିଆ ଫୁସୁରୁ ଫାସୁରୁ କଥାରୁ ଯାହା ଜଣା ପଡେ, ଯଦୁର ଅତୀତଟା ବଡ ଦୁଃଖମୟ ଥିଲା। ସେ ପିଲା ଥିଲା ବେଳେ ମାଆ ମରିଗଲା ଓ କିଛି ଦିନ ପରେ ବାପା ପୁଣି ହାତକୁ ଦି ହାତ ହେଲା। ସାବତ ମାଆଟା ଯଦୁର ହସଖୁସିଆ ମୁହଁଟା ଦେଖି ନ ପାରି ନାନା ଯାତନା ଦେଲା। ବାପା ସାମନାରେ ଖଚ ଚୁଗୁଲି କରି ବିଚରାକୁ ବହେ ମାଡ ଗାଳି ଖୁଆଇଲା। ଶେଷରେ ଯଦୁର ଜୀବନ ନେବାର ଚେଷ୍ଟା ବି କଲା। ଦିନେ ରାତିରେ ଯଦୁ କାହାକୁ କିଛି ନ କହି ଘର ଛାଡି ସହର ଚାଲିଗଲା। ସହରର ବଡ ଜଳଖିଆ ଦୋକାନରେ ରହି କାମ ଶିଖିଲା। ଭଲ କାମ କରୁଛି ଜାଣିବା ପରେ ସେ ଦୋକାନର ମୁଖ୍ୟ ମିସ୍ତ୍ରୀ ତାର ଶତ୍ରୁ ହେଲା। ନିଜ ସ୍ଥାନ ଅସୁରକ୍ଷିତ ହେବ ଭାବି, ନାନା ପେଞ୍ଚ ଫିକର କରି ଦୋକାନରୁ ତଡେଇଦେଲା। କେମିତି ସେ ଏ ଗାଁଆକୁ ଆସିଲା କେହି ଜାଣି ନାହାଁନ୍ତି। କିନ୍ତୁ ଖାଲି ପଡିଥିବା ସରକାରୀ ଯାଗାରେ କୁଡିଆ ଖଣ୍ଡେ କରି ପ୍ରଥମେ ଚାହା ଦୋକାନଟେ ଖୋଲିଲା। ବେପାର ଜମିବାରୁ, ଧିରେ ଧିରେ ଦୋକାନର କଳେବର ବଢି ଏବେକାର "ଯଦୁ ଜଳଖିଆ ଦୋକାନ " ଭାବରେ ରୂପାନ୍ତରିତ ହେଲା।

ଦିନ ପରେ ଦିନ ବିତି ଚାଲିଲା। ଯଦୁର ଲଣ୍ଡା ପ୍ରାୟ ମୁଣ୍ଡରେ ଯେଉଁ କେତେଟି କଳା ଚୁଟି ଲହ ଲହ ହେଉଥିଲେ, ସେମାନେ ଧଳା ପଡିବାକୁ ଆରମ୍ଭ କଲେ। ନାକ ଓ କାନ ପୁଡାରୁ କେଶ ମାନେ ଟିକେ ବେଶି ବାହାରକୁ ଚାଲିଆସି ପବନରେ ଲହଡି ମାରିଲେ। ଦିନରାତି ନିଆଁ ପାଖରେ ଗୋଟିଏ ଭଙ୍ଗୀରେ ବସିବା କାରଣରୁ ଅଣ୍ଟାବ୍ୟଥା, ପିଠି ବ୍ୟଥା ଆଦି ରୋଗ ବଇରାଗ ମଝିରେ ମଝିରେ ତାକୁ ଡାକ୍ତରଖାନା ମୁହାଁ କରିବାକୁ ବାଧ୍ୟ କଲା। ତା ଯତ୍ନ ନେବାକୁ କେହି ନ ଥିଲେ। ଦୋକାନ ରେ ପିଲା ରଖିଥିଲେ, ସେ ବା କିଛି ସାହାଯ୍ୟ କରନ୍ତା। କିନ୍ତୁ ଦୋକାନ ଖୋଲିବା ଦିନରୁ ଯଦୁ ନିଜେ ହିଁ ସବୁ ସମ୍ଭାଳେ, ଏତିକି ଦିନ ଭିତରେ ସେ କାହାର ସାହାଯ୍ୟ ଲୋଡା କରିନି। ଯେତେ ରୋଗ ବାଧିକି ହେଲେ ବି ସେ ଦୋକାନ ଖୋଲିବାରେ କେବେ ହେଳା କରିନି। ଦେହ ଅଖଞ୍ଜ ଲାଗିଲେ ମନେମନେ ଭାବେ-- ଆଜି ଦୋକାନଟା ନ ଖୋଲିଲେ ଲୋକେ କେତେ ହଇରାଣ ହରକତ ହେବେ। ସକାଳୁ ବୁଢା ବୁଢୀ ମାନେ କାହା ପାଖେ ଚାହା ମୁନ୍ଦେ ପିଇବେ, ଅଫିସ ଯିବା ଲୋକ କାହା ପାଖେ ଟିକେ ଜଳଖିଆ କରିବେ, ସ୍କୁଲ ଛୁଟି ହେଲେ ପିଲା ମାନେ କାହା ଦୋକାନ ଆଗରେ ଖେଳ କଉତୁକ କରି ବରା ପକୁଡି ଖାଇବେ। ଏମିତି ଚିନ୍ତା ମାନେ ମାଡି ବସିଲେ ତା ଦେହରୁ ଅଶକତ ଭାବ କଟିଯାଏ ଓ ସେ ଦୋକାନ ଖୋଲି ଚୁଲି ପଛରେ ବସିବାକୁ ସଜବାଜ ହୁଏ।

ଦୋକାନ ଆରମ୍ଭ କରିବା ଦିନରୁ ଆଜିଯାଏ, ଯଦୁର ପକେଟ କେବେ ଖାଲି ପଡିନି। ସେ ରୋଜଗାର କରିଛି ଯେତିକି, ତା ଠାରୁ ଢେର୍ ଅଧିକା ବାଣ୍ଟିଛି। ବଳକା ନିଜିଷ ଗାଁଆର ଗରୀବ ପିଲାଙ୍କୁ ସବୁ ଦିନ ସଞ୍ଜ ବେଳେ ଦେଇ ଦିଏ। ସେଥିପାଇଁ ତ ସଞ୍ଜ ବେଳେ ତା ଦୋକାନ ଆଗରେ ଲଙ୍ଗଳା ମୁକୁଳା ପିଲା ଓ ଭିକାରିଙ୍କ ଲମ୍ବା ଧାଡି ଲାଗିଥାଏ। ଜିନିଷ ଖରାପ ହେଲେ ଗାତ ଖୋଳି ପୋତି ଦିଏ ସିନା, କାହା ପାଟିରେ ବାଜିବାକୁ ଦିଏ ନାହିଁ। ସବୁ ଦିନ ସକାଳୁ ଦୋକାନରେ ଟାଙ୍ଗିଥିବା ଲକ୍ଷ୍ମୀ ଠାକୁରାଣୀଙ୍କ ଧୂଆଁ ବାଜି କଳା ପଡି ଆସିଥିବା ଫଟୋ ଆଗରେ ଧୂପ ବୁଲେଇ କୁହେ-- ମାଆ ଲୋ, ମୋ ଉପରେ କୃପା ଦୃଷ୍ଟି ରଖିଥିବୁ। ପଇସା ଆସୁ ନ ଆସୁ ପରବାୟ ନାହିଁ, କିନ୍ତୁ ମୋ ଜିନିଷ ଖାଇ ଲୋକଙ୍କ ଦେହ ଖରାପ ନ ହେଉ। ସତକୁ ସତ ମାଆଙ୍କ କୃପାରୁ ସେ ଦୋକାନ ଖୋଲିଥିବା ଦିନ ଠାରୁ ତା ଜିନଷ ଖାଇ କାହାର ପେଟ ଖରାପ ହେବାର ନଜିର ନାହିଁ।

ଏଇ କିଛି ଦିନ ହେଲା ତା ଦୋକାନ ଠୁ କିଛି ଦୂରରେ, ସେଇ ଗାଁଆର ପରମ ଟାଉଟର ଟୋକା ମାଧବ ଜଳଖିଆ ଦୋକାନଟେ ଖୋଲିଛି। କିନ୍ତୁ ତା ମନରେ ଟିକେ ବି ଡର ନାହିଁ। ଆରେ, ସେ ବା କାହିଁକି ଡରିବ? ଦୁନିଆର ଭଲମନ୍ଦ ଜାଣିବା ଦିନରୁ ସେ ଚୁଲି ପଛରେ ବସି ସିଝୁଛି। ତା ଦେହରୁ ଯେତିକି ଝାଳ ନିଗିଡିଛି ତା ଠାରୁ ବେଶି ଗରମ ତେଲ ଛିଟିକା ପଡି ଫୋଟକା ହୋଇଛି। ଭୋକରେ ପେଟ ଜଳି ଯାଉଥିଲେ ବି ଲକ୍ଷ୍ମୀ ଦୋକାନ ଜିନିଷ ଅଇଁଠା କରିବନି ବୋଲି, ଜଳଖିଆରେ ଟିପ ଛୁଆଁଇନି। ବର୍ଷ ବର୍ଷ କାଳ ତପସ୍ୟା କଲା ପରି କାମ କରି ବିଭିନ୍ନ ଜିନିଷ ତିଆରି କରିବାର କଳାକୁ ସେ ଆୟତ୍ତ କରିଛି। ସେ ବା କାହିଁକି ଡରିବ, ସେ ଗଞ୍ଜୋଡ, ଜୁଆଡୀ, ଧପାବାଜ୍ ମାଧବକୁ। ଖାଲି କଣ ସହରି ମିସ୍ତ୍ରୀ ଆଣିଲେ ଖାଇବା ଚିଜ ସୁଆଦିଆ ହୋଇଯିବ? ନିଆଁ ପାଣି କଥା, ଯେତେ ବାହାସ୍ଫୋଟ ମାରିଲେ ବି ସବୁ ଲୋକଙ୍କ ହାତରେ ଏ କାମ ହୁଏନି। ତାର ବିଶ୍ଵାସ ଥିଲା, ଯେତେ ଯାହା ହେଲେ ବି ଲୋକ ତା ଦୋକାନ ଦୁଆର ଛାଡି କୁଆଡେ ଯିବେନି। ଏତେ ବର୍ଷର ସମ୍ପର୍କ, କଣ ଏମିତି ହଠାତ୍ ଛାଡି ସେମାନେ ମାଧବ ଆଡକୁ ମୁହାଁଇବେ? ସେମାନେ କଣ ଜାଣି ନାହାଁନ୍ତି କି, ଏଇ ମାଧିଆ ପରା ପିଲା ଦିନେ ଫୁଙ୍ଗୁଳା ଦେହରେ ତା ଦୋକାନ ଆଗରେ ହାତପାତି ଛିଡା ହେଉଥିଲା, ବଳକା ଜିନିଷ ଖାଇବା ପାଇଁ। ବାପ ଛେଉଣ୍ଡ ପିଲା ବୋଲି ଯାହା ଦୟା ଦେଖେଇଥିଲା, ଅଲାଜୁକ ସେହି ରୂଣ ଶୁଝାଇବାକୁ ତା ଦୋକାନ ପାଖକୁ ଲାଗି ଦୋକାନ ଖୋଲିଛି? ସତରେ ପରା, ଘୋର କଳିଯୁଗ। ଯିଏ ଭଲ କାମ କରିବ ସିଏ ହିଁ କୀଳା ଖାଇବ।

କିଛି ଦିନ ବିତି ଗଲା। ଯଦୁ କୁ ଲାଗିଲା ତା ଦୋକାନ ରେ ଗ୍ରାହକ ଟିକେ ପତଳା ହେବାକୁ ଆରମ୍ଭ କଲେଣି। ଭାବିଲା, ଥରେ ଯାଇ ଲୁଚି ମାଧବ ଦୋକାନ ଆଡେ ଘେରାଏ ବୁଲି ଆସିବ। ମୁଣ୍ଡରେ ଗାମୁଛା ମାରି ତା ଦୋକାନ ଭିତରକୁ ଗଲା। ଯୋଗକୁ ମାଧବ ଦୋକାନରେ ନ ଥିଲା। ସେ ଦେଖିଲା ଦେକାନ ଭିତରଟା ବଡ ଚକଚକିଆ ହୋଇଛି। ଛାତରୁ ବାଦୁଡି ପରି ପାଞ୍ଚଟା ପଙ୍ଖା ଓ ପୁଞ୍ଜାଏ ଲାଇଟି ଝୁଲିଛି। ପଙ୍ଖା ଏମିତି ପବନ ଫିଙ୍ଗୁଛି ଯେ ଦେହଟା ହେମାଳ ହୋଇଯିବ। ନାଲି ରଙ୍ଗର ଗୋଲ ଟେବୁଲ ଦଶଟା ସରିକି ପଡିଛି ଓ ପ୍ରତି ଟେବୁଲ ଚାରି ପଟେ ଚାରିଟା ଚେୟାର ସଜେଇ ଦେଲା ପରି ରଖା ଯାଇଛି। ମଝିରେ କାଚ ଜଗରେ ପାଣି ସାଙ୍ଗକୁ ସୁନ୍ଦରିଆ କାଚ ଗିଲାସ ବି ରଖା ଯାଇଛି। କାନ୍ଥରେ ଖାଇବା ଚିଜର ବଡ ବଡ ଫଟୋ ସାଙ୍ଗକୁ ଥଣ୍ଡା ପାନୀୟର ଛବି ଭାରି ମନଲୋଭା ଦିଶୁଛି। ପଇସା ନେବା ଯାଗାରେ ଜଣେ ଝିଅ ବସିଛି। ଗରାଖଙ୍କ ସାଙ୍ଗେ କଥା ହେଲା ବେଳକୁ ହସିହସି ଭୂଇଁରେ ଲୋଟି ପଡିବା ପରି ତାର ଅବସ୍ଥା। କେବଳ ସେତିକି ନୁହଁ, ସେ ଝିଅ ପାଖରେ ମଣିଷେ ଉଚ୍ଚାର କାଚ ଦୁଆରବାଲା ଫ୍ରିଜ୍ ରଖା ଯାଇଛି। ଫ୍ରିଜ୍ ଭିତରେ ଭଳି କି ଭଳି ଅଣ୍ଡା ପାନୀୟ ଓ ଆଇସକ୍ରିମ ଥାକ ମାରି ସଜା ଯାଇଛି। କାନ୍ଥରେ ଗୋଟେ ରଙ୍ଗୀନ୍ ଟେଲିଭିଜନ୍ ବି ଲାଗିଛି ଓ କେତେ ନାଚଗୀତ ଅନବରତ ଚାଲିଛି। ଜଣେ ଗ୍ରାହକକୁ ସେ ପଚାରିଲା-- ଭାଇ, ଖାଇବା କେମିତି ହୋଇଛି।

--- କେମିତି ମାନେ ? ଖାଇବାଟା ଖାଇବା ପରି ହୋଇଛି , ଆଉ କେମିତି ହୁଅନ୍ତା । ନିଜେ ଖାଇ ଦେଖୁନ, ମୋତେ କାହିଁକି ପଚାରୁଛ? ନିହାତି ବେପରବାୟ ଢଙ୍ଗରେ କହିଲା ସେ ଲୋକଟି।

ପୁଣି ଜଣଙ୍କୁ ପଚାରିଲା ବେଳକୁ ଜାଣିଲା, ସେ ଲୋକଟି ତାଆରି ଦୋକାନର ପୁରୁଣା ଗ୍ରାହକ। ଯାହା ହେଉ ଲୋକଟି ଯଦୁ ସହ କଥା ହୋଇ ସବୁ କହିଲା।

– ବୁଝିଲ ମଉସା, ତୁମ ଜଳଖିଆର ଯୁଗ ସରିଲା ବୋଲି ଜାଣ। ଆଜିକାଲି ଲୋକଙ୍କୁ ବରା, ଗୁଲୁଗୁଲା ଲୋଡା ନାହିଁ । ସେମାନେ ଚାହୁଁଛନ୍ତି- ପିଜା, ବରଗର, ପେଟିସ୍, ପାସ୍ତା, ମଞ୍ଚୁରିୟାନ୍, ମୋମୋ, ସ୍ପ୍ରିଙ୍ଗ ରୋଲ୍ ଆଦି ଜିନିଷ। ଲୋକଙ୍କ ସ୍ଵାଦ ବଦଳିଲାଣି, ଦୁନିଆ ବଦଳିବା ସହ। ତୁମେ ସେଇ ସ୍ଵାଧୀନତା ଅମଳର ଜିନିଷ ତିଆରି କଲେ, ଲୋକେ ଖାଇବେ? ଏବେ ଲୋକେ ଭାତ ଡାଲମା ଚାହୁଁ ନାହାଁନ୍ତି, ସେମାନଙ୍କର ବିରିୟାନୀ ସହ ତନ୍ଦୁରୀ ଚିକେନ ଦରକାର। ସେ ଆଳୁଚପ, ସିଙ୍ଗଡା କୁ ମାର ଗୁଳି ; ଏବେ ଲୋକଙ୍କର ଚିଲି ଚିକେନ୍, ଚିକେନ ପକୋଡା, ଚିକେନ୍ ରୋଲ ଦରକାର।

--ପୁଅ, ତୁମେ ଯେଉଁ ଜିନିଷ ସବୁ ର ନାମ ଗଳଗଳ କରି ଗାଇ ଗଲ, ସେଗୁଡାକ ମୋ ତୁଣ୍ଡରେ ଠିକ୍ ରେ ପଶୁନି, ତୁମ ପେଟରେ କେମିତି ପଶିବ କେଜାଣି? ଏ ଜାଗାରେ କଣ ଆମିଷ ନିରାମିଷ ର ବାଛ ବିଚାର ନାହିଁ? ମୁଁ ଦେଖୁଛି ଖାଇବା ଜିନିଷ ଗୁଡାକ ତେଲ ଓ ରଙ୍ଗରେ ଭାସିଲା ପରି ଦିଶୁଛି। ଏସବୁ ଖାଇଲେ ପେଟର ଅବସ୍ଥା କଣ ଜାଣିଛ ତ?

--ସେ ଯୁଗ ଗଲାଣି ମଉସା। ଯେଉଁ ଖାଇବାରେ ତେଲ ବେଶି ଓ ରଙ୍ଗ ନ ଥିବ ସେଗୁଡାକ ଖାଦ୍ଯରେ ଗଣାଯାଉନି ଆଜିକାଲି। ଏମନ୍ତ ଖାଇବା ଦେଖିଲେ ଲୋକର ପାଟି, ଆଖି, ନାକ ସବୁ ସନ୍ତୁଷ୍ଟ ହୋଇଯିବ। ଯୁବ। ପାଣି, ପବନ, ପରିବା, କ୍ଷୀର ସବୁ ତ ଭେଜାଲ୍। ଯେତେବେଳେ ସାରା ଦୁନିଆଟା ଭେଜାଲିଆ ଢଙ୍ଗରେ ଚାଲିଛି, ଭଲ ଜିନିଷ ଖୋଜୁଛି କିଏ? ବାକି ରହିଲା ଆମିଷ ନିରାମିଷର କଥା। ପାଟିକୁ ସୁଆଦ ଲାଗିଲେ ସେ ବାଛ ବିଚାର କଥା କାହା ମୁଣ୍ଡରେ ପଶୁଛି? ତୁମେ ଆଳୁଚପରେ ଆଳୁ ଚକଟା ପୁରଉଥିଲ, ଏବେ ଆଳୁଚପ୍ ର ଯୁଗ ଯାଇ ମଟନ୍ ଚପ୍, ଚିଙ୍ଗୁଡି ଚପ୍ ଓ ଚିକେନ୍ ଚପ୍ ର ଯୁଗ ପହଞ୍ଚିଲାଣି।

– – କିନ୍ତୁ, ମାଧବ ପରି ଲୋକ ପାଖରେ ଏତେ ପଇସା ଆସିଲା କୁଆଡୁ?

– – ପଇସା ନୁହଁ ମଉସା, ଟଙ୍କା କୁହ। ସେ ଟଙ୍କା ଗଛ ଲଗେଇଛି। ଯାବତୀୟ ଦୋ ନମ୍ବରି କାମ କରି ଲକ୍ଷଲକ୍ଷ ରୋଜଗାର କରୁଛି। ଗଞ୍ଜେଇ ବେପାର, ମଦ ବେପାର, ଟେଣ୍ଡର ଫିକ୍ସିଂ, ଠିକାଦାରି କାମ ଆହୁରି କେତେ କଣ। କଳା ଟଙ୍କାକୁ ଧଳା କରିବାକୁ ଏ ହୋଟେଲ ଖୋଲିଛି। ତୁମେ ଏତେ ପେଞ୍ଚ ଫାନ୍ଦ ବୁଝି ପାରିବନି। ଖାଲି ଏତିକି ଜାଣ ଯେ ତୁମ ଦୋକାନ, ମାଧବ ଆଗରେ ତିଷ୍ଠିବା ଅସମ୍ଭବ। ଯଦି ପାରୁଛ ଦୋକାନ ବନ୍ଦ କରି ଅନ୍ୟ ବେପାର କର।

ରାଗରେ ପାଚି ଲାଲ୍ ପଡିଗଲା ଯଦୁ। ଶ୍ଯଃ , ଇଏ କାଲିକା ମେଞ୍ଚଡ ଟୋକା, ତାକୁ ବେପାରରେ ଟକ୍କର ଦେବ!!!? ! ହଉ ଦେଖିବା କଉ ପାଣି କୁଆଡେ ଯାଉଛି। ଏ ବିଷ ଖାଇ ଯେତେବେଳେ ଲୋକେ ଝାଡାବାନ୍ତିରେ ପଡିବେ,ସେତେବେଳକୁ ତା କଥା ହେଜିବେ। ବରଷା ଦିନିଆ ବେଙ୍ଗ କେତେ ରଡିବ ରଡୁ, ସେ ବି ଦେଖିବ, କେତେ ଦିନ ଏ ପେଖନା ଚାଲିବ। ଉପରେ ରାଗିଲେ ବି ଯଦୁର ମନର ଭିତରଟା ମନ୍ଥି ହେଲା ପରି ଲାଗୁଥିଲା। ଜୀବନ ରେ ପ୍ରଥମ ଥର ପାଇଁ ତାକୁ ବଡ ଅସୁରକ୍ଷିତ ଓ ଡର ଲାଗିଲା। ଲୋକେ ମାଧବର ଚକମକିଆ ଦୋକାନ ଛାଡି ତା ଝାଟିମାଟି ଘେରା ଦୋକାନକୁ ଆସିବେ ତ? ଏ ଭେଜାଲ ଜିନିଷର ସୈନ୍ୟ ସାଆନ୍ତଙ୍କ ଆଗରେ ତା ଏକନମ୍ବରି ଜିନିଷ ତିଷ୍ଠି ପାରିବେ ତ?

ସବୁ ଦିନ ପରି ଯଦୁ ଦୋକାନ ଖୋଲି ବସିଲା ସତ କିନ୍ତୁ ବିକ୍ରି କମି କମି ଚାଲିଲା। ସକାଳୁ ସଞ୍ଜ ଯାଏ ବସି ରହିଲେ ବି ତା ତେଲ କଡେଇରୁ ସେ ସୁମଧୁର ଚେଁ ଚାଁ ଶବ୍ଦ ଶୁଭିଲାନି। ମାଧବ କି ଯାଦୁ କଲା କେଜାଣି, ଟୋକା ବୁଢା ସବୁ ତା ଦୋକାନକୁ ପିମ୍ପୁଡି ପରି ଧାଡି ଲମ୍ବେଇଲେ। ସହରରେ ମିଳୁଥିବା ଖାଇବା ଯେତେ ବେଳେ ଗାଁଆରେ କମ୍ ଦାମରେ ମିଳୁଛି ଏ ରଙ୍କରାଡିଆ ଲୋକେ ଛାଡିବେ କୁଆଡୁ? ଅଭ୍ୟାସ ବଶତଃ ଗାଁଆର ଲଙ୍ଗଳା ପିଲା ଓ ଭିକାରୀ , ଯଦୁ ଦୋକାନ ଛାଡି ମାଧବ ଦୋକାନ ଆଗରେ ବଳକା ଖାଇବା ଜିନିଷ ନେବା ପାଇଁ ଧାଡି ଲଗେଇଲେ। କିନ୍ତୁ ହାୟରେ ବିଧାତା, ସେମାନଙ୍କ ଉପରକୁ ଗରମ ତେଲ ଓ ଗରମ ପାଣି ଫୋପଡା ଗଲା । ଆଖି ଆଗରେ ଯଦୁର ସ୍ଵପ୍ନର ମହଲ ଚୁରମାର ହେବାକୁ ବସିଲା। ଏବେ ସାରା ଦିନ ବସି ରହିଲେ ବି ଟଙ୍କା ପାଞ୍ଚଟା ବେପାର କରିବା କଷ୍ଟ। ଗଲା ମାସରେ କିଣି ଥିବା ତେଜରାତି ଜିନିଷ ବର୍ତ୍ତମାନ ପର୍ଯ୍ୟନ୍ତ ସରିନାହିଁ। କିନ୍ତୁ ମାଧବ ବସ୍ତା ବସ୍ତା ଜିନିଷ ଗାଁଆ ମହାଜନ ପାଖରୁ ବୋହି ନେଉଛି। ମହାଜନ କେମିତି ଜିନିଷ ବିକେ ସେ ବି ଜାଣିଛି ଓ ଗାଁଆ ଲୋକେ ବି ଜାଣିଛନ୍ତି। ତଥାପି ମୁଣ୍ଡରେ ବୁଦ୍ଧି ପଶୁନି। ମରିବେ ସବୁ, କାହାର କଣ ଯାଉଛି-- ବିରକ୍ତିରେ ବିଳିବିଳେଇ ଉଠେ ସେ। କିନ୍ତୁ ତା କଥା ଶୁଣିବାକୁ ପାଖରେ କିଏ ଥିଲେ ତ! !! ମନେମନେ ଭୀଷଣ ରାଗେ ନିଜ ଉପରେ। ଯଦି ସେ ସବୁ ଟଙ୍କା ଖର୍ଚ୍ଚ ନ କରି ସଞ୍ଚି ଥାଆନ୍ତା, ଆଜି କେତେ ବଡ ଘର ତିଆରି କରି ଅୟସରେ ରହୁଥାଆନ୍ତା। ଜମା ଟଙ୍କାର ସୁଧରେ ଚଳି ଯାଉଥାଆନ୍ତା, ବେପାର ହେଲେ ଢୋ ନ ହେଲେ ଢୋ। କିନ୍ତୁ ସେ ହରିଶ୍ଚନ୍ଦ୍ରିଆ ଗୁଣ କାଢି ପାଇଲା କଣ? ତା ହାତରେ ଫଟା ଆହୁଲାଏ ବି ନାହିଁ। ଅବସ୍ଥା, ଏପରି ଯେ ଖାଇବ କଣ ଭାବି ହେଉନି। ସେ ଜାଣି ସାରିଥିଲା ଯେ ଆଉ ତା ଦୋକାନରୁ ଜିନିଷ ବିକ୍ରି ହେବାର କୌଣସି ଆଶା ନାହିଁ। ତାର ପୁରୁଣା ଗ୍ରାହକ ମାନେ ସବୁ ମରି ହଜି ଗଲେଣି। ନୂଆ ମାନଙ୍କ ପାଇଁ ସେ ଗୋଟେ ପୁରୁଣା କାଳିଆ ମଫସଲିଆ ଜଳଖିଆ ଦୋକାନୀ। ମାଧବର ଚକମକିଆ ପଙ୍ଖା ଲାଇଟି ଦିଆ ଦୋକାନ, ପ୍ଲାଷ୍ଟିକ୍ ଟେବୁଲ, କାଚ ଗିଲାସ ଛାଡି ସେମାନେ କାହିଁକି ବା ତା ଦୋକାନର ଭଙ୍ଗା ଟେବୁଲ ଓ ସିମେଣ୍ଟ ବେଞ୍ଚକୁ ଆଦର କରିବେ!! ଆଜିକାଲି ଲୋକ ମାନଙ୍କ ପାଖରେ ଦୁଃଖସୁଖ ହେବା ପାଇଁ ସମୟ ବା କେଉଁଠୁ ଆସିବ। ସେ ସିନା ଗରାଖଙ୍କ ସୁଖଦୁଃଖ ବୁଝୁଥିଲା, କିନ୍ତୁ ମାଧବ ଦୋକାନର ସେ ଛତର ଖାଇ ଝିଅ ଲୋକଙ୍କ ସହ ହସ ଖୁସିରେ ଲୋଟି ପଡୁଛି। ଗରାଖ ସେ ଝିଅକୁ ଛାଡି ତା ସହ କାହିଁକି କଥା ଭାଷା ହେବେ। କାହା ପାଖରେ ସମୟ ଅଛି ? ସବୁ ତ ଦଉଡୁଛନ୍ତି "ହା ଟଙ୍କା ହା ଟଙ୍କା ରାବ ଦେଇ"। ଛାଡ, ଗ୍ରାହକଙ୍କୁ ଦୋଷ ଦେଲେ କି ବା ଲାଭ ମିଳିବ!, ତା ଭାଗ୍ୟ ଯେତେବେଳେ ଫଟା, କିଏ କଣ କରି ପାରିବ।

କିଛିଦିନ ହେଲାଣି ଯଦୁ ଦୋକାନ ଖୋଲୁନି। ମାଧବ ବାହାସ୍ଫୋଟ ମାରି ତା ବିଜୟ ଗାଥା ଗାଁଆରେ ଗାଇ ବୁଲୁଛି। ଅଚାନକ ସମସ୍ତଙ୍କ ପାଇଁ ଅଲୋଡା ପାଲଟି ଯାଇଥିବା ଯଦୁ କଥା ପଚାରିବାକୁ ବି କାହା ପାଖରେ ସମୟ ନାହିଁ। ଦୋକାନ ପଛ ଚାଳିଆ ଘରେ ମସିଣା ଉପରେ ପଡି ରହି ଯଦୁ କଷ୍ଟରେ ବିଳିବିଳଉ ଥାଏ। ତିନି ଦିନ ହେଲାଣି ପେଟରେ ଦାନା ପଡିନି। ପାଖରେ ଫଟା ଆହୁଲାଏ ନାହିଁ। ଜୀବନ ଯୁଦ୍ଧରେ ସମ୍ପୁର୍ଣ୍ଣ ପରାସ୍ତ ହେବା ପୂର୍ବରୁ ସେ ଲଢିଛି, କିନ୍ତୁ ନିଷ୍ଫଳ ହୋଇଛି। ମନରେ ଥିବା ଗର୍ବ ଓ ସ୍ଵାଭିମାନକୁ ପାଦ ତଳେ ମାଡି ମକଚି, ସେ ଯାଇଥିଲା ମାଧବ ପାଖକୁ ତିନିଦିନ ତଳେ। କେତେ ନେହୁରା ହୋଇ କହିଥିଲା ତାକୁ ଦୋକାନରେ ମିସ୍ତ୍ରୀ କରି ରଖିବା ପାଇଁ। କିନ୍ତୁ ମାଧବ ତା ବେକରେ ଗଳା ଧକ୍କା ଦେଇ ବିଦା କରିଦେଲା। ହାତରେ ଥାଳିଆ ଖଣ୍ଡେ ଧରେଇ କହିଲା-- ଯଦୁ, ତୋ ଦୋକାନୀ ପଣିଆ ଛାଡିବାର ଦିନ ଆସିଗଲାଣି। ଯଦି ପାରୁଛୁ ମୋ ଦୋକାନ ଆଗରେ ଏଇ ଥାଳଟା ଧରି ବସ, ଗ୍ରାହକ ଯାହା ଭିକ ଦେବେ ସେଥିରେ ତୋ ଗୁଜୁରାଣ ମେଣ୍ଟିଯିବ। ତୁ ପରା ଚାରିଆଡେ କହିବୁଲୁଛୁ ଯେ ମୋ ପିଲା ଦିନେ ମୋତେ ମାଗଣା ଖାଇବା ଦେଇଛୁ ବୋଲି? ଏବେ ଦେଖ୍ କିଏ କାହା ପାଖରେ ହାତ ପତଉଛି।

ଭୟଙ୍କର ମାନସିକ ଧକ୍କାରେ ଯଦୁର ଆତ୍ମା ଛିନ୍ନ ବିଛିନ୍ନ ହୋଇଗଲା। କୋହ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି କହିଲା-- ମାଧବରେ, ତୋ ପିଲା ଦିନ କଥା ଏତେ ଶୀଘ୍ର ଭୁଲିଗଲୁ? ଏଇ ହାତରେ ତୋତେ କେତେ ଜିନିଷ ଦେଇଛି ମୁଁ, ଶେଷରେ ତୁ ମୋତେ ଭିକାରୀ କରି ସଜେଇଦେଲୁ। ଥାଉ, ମୋର ଭିକାରୀ ହେବାର ନାହିଁ। ତୋ ଦୋକାନ ଭଲରେ ଚାଲୁ,, ତୁ ଭଲରେ ଥାଆ। ଆଉ କଣ କହି ଆଣିଲା ବେଳକୁ ମଦ ନିଶାରେ ଚୁର୍ ଥିବା ମାଧବ ତା ଉପରକୁ ଗରମ ପାଣି ଫିଙ୍ଗି ଦେଇ କହିଲା-- ଭାଗ୍ ମୋ ଦୋକାନ ଆଗରୁ, ଭିକାରୀ କୋଉଠିକାର।

ପାଦ ଘୋଷାରି ଯଦୁ ତା ବସାକୁ ଫେରିଲା। ରାତି ସାରା କାନ୍ଦିକାନ୍ଦି ତକ୍ତପୋଷ ଭିଜାଇଲା ସିନା, ତା ଆତ୍ମା ଶାନ୍ତ ହେଲାନାହିଁ। ସକାଳକୁ ଦେହରେ ଭୀଷଣ ତାତି। ଭୋକରେ ପେଟ ପୋଡି ଗଲା ପରି ଲାଗୁଛି, ସେଇ ବିଛଣା ଉପରେ ଭକଭକ ବାନ୍ତି କରି ପକେଇଲା। ଉଠିବାକୁ ଯେତେ ଚେଷ୍ଟା କଲେ ବି ଉଠି ହେଉନି, ପାଟି କେମିତି ଖନି ମାରିଦେଲା ପରି ଲାଗୁଛି। ତେବେ କଣ ସେ ଏହି ଅବସ୍ଥାରେ ହିଁ କାଟିବ ଜୀବନର ଶେଷ ମୁହୂର୍ତ୍ତ?

ମାଧବ ଦୋକାନ ନାମରେ ନାନା ଆପତ୍ତି ଅଭିଯୋଗ ଆସିବା ପରେ, ସେଦିନ ସକାଳୁ ପୋଲିସ୍ ଓ ଖାଦ୍ୟ ବିଭାଗର ଲୋକେ ଦୋକାନରେ ମିଳିତ ଚଢଉ କଲେ। ଦୋକାନ ଭିତରୁ ଯାହା ମିଳିଲା, ଦେଖିଲେ ଦେହ ଶିତେଇ ଯିବ। ରୋଷେଇ ଘରେ କୁକୁର , କୁଆ, ପାରା, ବଗ ଆଦିଙ୍କର କଟା ମୁଣ୍ଡ ସହ କଟା ଯାଇଥିବା ମାଂସ। ସେଇ ମାଂସରେ ମାଧବ ଦୋକାନରେ ବିଭିନ୍ନ ଖାଇବା ଜିନିଷ ତିଆରି କରାଉଥିଲା। ବିଚରା ଗ୍ରାହକ ମାନେ ଯେଉଁ ବିରିୟାନୀକୁ ଖାଣ୍ଟି ଖାସି ମାଂସର ଭାବୁଥିଲେ, ତାହା ଅସଲରେ ଥିଲା ବୁଲା କୁକୁରଙ୍କ ମାଂସ। ସେହିପରି ଚିକେନ୍ ନାମରେ ସେ ପରଷୁ ଥିଲା ପାରା,ବଗ, କୁଆ ଆଦିଙ୍କର ମାଂସ। ଅତ୍ୟଧିକ ତେଲ ମସଲା ଓ ମନୋହରୀ ରଙ୍ଗର ଆଢୁଆଳରେ ସେ ଏତେ ଦିନ ଧରି ନିରୀହ ଗ୍ରାହକ ମାନଙ୍କୁ ଖାଦ୍ୟ ନାମରେ ବିଷ ଖୁଏଇ ଚାଲିଥିଲା। କେବଳ ସେତିକିରେ କଥା ସରି ନଥିଲା, ଫ୍ରିଜ୍ ଭିତରୁ ପଚାସଢା ବାସି ଖାଇବା ଜିନିଷ ମିଳିଲା, ଯାହାକୁ ଗରମ କରି ପୁଣି ପରଷା ଯାଉଥିଲା। ଦୋକାନ ଭିତରେ ଥିଲା ଏକ ଗୁପ୍ତ ଘର, ତା ଭିତରୁ ପୋଲିସ୍ ପାଇଲେ ପେଟି ପେଟି ମଦ, ଗଞ୍ଜେଇ ଓ ନାନା ନିଶା ଦ୍ରବ୍ୟର ଅସୁମାରୀ ଭଣ୍ଡାର। ଦେଖିବା ଲୋକ ତାଟକା ହୋଇ ଚାହିଁଥିଲେ। ସେମାନଙ୍କର ବାରମ୍ବାର ଦେହ ଖରାପର କାରଣ ମାଧବ ହୋଟେଲର ଖାଇବା ବୋଲି ଜାଣି ସାରିବା ପରେ, ସେମାନେ ହୋଃ ହାଲାଃ ଆରମ୍ଭ କରିଦେଇଥିଲେ। ମଣିଷ ଏତେ ଘୃଣ୍ୟ ହୋଇପାରେ ବୋଲି ସେମାନେ ଚିନ୍ତା କରି ପାରୁ ନ ଥିଲେ। ମାଧବ ହାତରେ ହାତକଡି ପକେଇ ପୋଲିସ୍ ଘୋଷାରିଲା ବେଳେ ଉତ୍ୟକ୍ତ ଲୋକେ ଟେକା ପଥର ଫିଙ୍ଗିବା ଆରମ୍ଭ କରି ଦେଲେ।

ସେତିକି ବେଳକୁ ଯଦୁ ଦୋକାନ ପାଖରେ ଲୋକ ଗହଳି ଦେଖି ପୋଲିସ୍ ସେ ଆଡକୁ ଗଲେ। ଦୋକାନ ବନ୍ଦ ଅଛି, କିନ୍ତୁ ଦୋକାନ ପଛ ବଖରାଏ ଘରୁ ପଚା ଗନ୍ଧ ଆସୁଛି ଓ ମାଛି ମାନେ ଭଣ ଭଣ ହୋଇ ଉଡୁଛନ୍ତି। ଗାଁଆ ଲୋକେ ଭାବିଲେ ମାଧବ ସହ ଯଦୁ ମିଶି ଯାଇଛି ଓ ଦୋକାନ ବନ୍ଦ କରି, ତା ଘରେ ମାଧବ ହୋଟେଲ ପାଇଁ ଖାଇବା ତିଆରି କରୁଛି। ଉତ୍ୟକ୍ତ ଲୋକେ ଯଦୁ ଦୋକାନ ଓ ଘର ଉପରକୁ ଢେଲା ମାରିବା ଆରମ୍ଭ କଲେ। "ଟାଣି ଆଣ ତାକୁ" "ଜାଳି ଦିଅ ତା ଦୋକାନ " "ଚୋରଟା, ମାଧବ ସାଙ୍ଗେ ମିଶି ବେପାର ଚଳାଇଛି" ଆଦି ଧ୍ଵନିରେ ସେ ଜାଗାଟି କମ୍ପି ଉଠୁଥିଲା। ଜଣେ ହାବିଲଦାର ଯଦୁ ଘର ଭିତରୁ ରଡି ଛାଡି ବାହାରକୁ ଦଉଡି ଆସିଲା। ପୋଲିସ୍ ଓ ଲୋକମାନେ ସେ ଘର ଭିତରକୁ ଧସେଇ ପଶି ଯାହା ଦେଖିଲେ, ପଥର ଆଖିରୁ ବି ଲୁହ ଝରି ଆସିବ।

ମସିଣା ଉପରେ ମରି ପଡିଥିଲା ଯଦୁ ଓ ତା ମୃତ ଶରୀର ପଚିବାକୁ ଆରମ୍ଭ କରିଦେଇଥିଲା। ମଡାଟା ଉପରେ ମାଛି ଭଣ ଭଣ ହେଉଥିଲେ। ବିଚରା ଛାତିରେ ଜାକି ଧରିଥିଲା ତା ପ୍ରିୟ ଚଟୁଟିକୁ, ଯେଉଁଥିରେ ଏତେ ବର୍ଷ ଧରି ନାନା ଜିନିଷ ଛାଣି ଗାଁଆ ଲୋକଙ୍କୁ ପରଷି ଦେଇଥିଲା। ମୁହଁଟି କଷ୍ଟରେ ମୋଡି ହୋଇଯାଇଥିଲା ସତ, କିନ୍ତୁ ଓଠରେ ଥିଲା ମଳିନ ପ୍ରଶ୍ନିଳ ହସ । ତା ମୃତ ଶରୀର ଗାଁଆ ଲୋକ ମାନଙ୍କଠାରୁ କିଛି ଉତ୍ତର ଚାହୁଁଥିଲା, କିନ୍ତୁ ଲୋକେ ଥିଲେ ନିରୁତ୍ତର। କଣ ବା କହିବେ ସେମାନେ ? କିନ୍ତୁ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ବାରମ୍ବାର ଆସୁଥିଲା--”ଯଦୁର ମୃତ୍ୟୁ ପାଇଁ ଆମେ ଦାୟୀ ନୁହଁ ତ?” ।

ଏବେ ଯଦୁ ଦୋକାନ ନାହିଁ, ସେ ଯାଗାରେ ତା ସ୍ମୃତିରେ ତିଆରି ହୋଇଛି ଏକ ମୂର୍ତ୍ତି। ଯଦୁ ମୃତ୍ୟୁର ପାପରୁ ତ୍ରାହି ପାଇବା ପାଇଁ ହେଉ ବା ତାକୁ ଚିରଦିନ ମନେ ରଖିବା ପାଇଁ ହେଉ ସେଇ ମୂର୍ତ୍ତିଟି ଗାଁଆ ଲୋକେ ତିଆରି କରିଛନ୍ତି ଓ ସେ ମୂର୍ତ୍ତିଟି ହସ ହସ ମୁହଁରେ ମନେ ପକେଇ ଦେଉଛି ଯେ - - - ଏ ଜାଗାରେ ଗୋଟିଏ ଜଳଖିଆ ଦୋକାନ ଥିଲା ଓ ତା'ର ନାମ ଥିଲା "ଯଦୁର ଜଳଖିଆ ଦୋକାନ" ।

....ସମାପ୍ତ...

ଲେଖକ- ଅରବିନ୍ଦ ରଥ

ପ୍ରସିଦ୍ଧ ଯଦୁ ଜଳଖିଆ ଦୋକାନ

Rate the content


Originality
Flow
Language
Cover design

Comments

Post

Some text some message..