Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅହ୍ୟ ଡେଙ୍ଗୁରା
ଅହ୍ୟ ଡେଙ୍ଗୁରା
★★★★★

© Aravinda Das

Inspirational

3 Minutes   746    34


Content Ranking

ରୁମର ଦୁଇଟା ଯାକ ଖିଡିକି ବନ୍ଦ କରିଦେଲେ ସାବିତ୍ରୀ।ଯେତେ ମନା କଲେ ବି ପ୍ରମୋଦ ସକାଳୁ ସକାଳୁ କବାଟ ଝରକା ସବୁ ଠିଆମେଲା କରିଦିଅନ୍ତି।

- ତମେ କଣ ଦିନକୁ ଦିନ ଛୋଟ ପିଲା ହୋଇଯାଉଛ ?ବାହାରର ଥଣ୍ଡା ପବନ ବାଜିଲେ ଶ୍ଵାସବେମାରୀ ପୁଣି ବାହାରିବ ନା ନାହିଁ ?ତମେ ସୁଇଟର କାହିଁକି ପିନ୍ଧିନ ?ତମକୁ କଣ ଶୁଭୁନିକି ?

ବୁଲିପଡ଼ି ସ୍ତ୍ରୀଙ୍କୁ ଅନାଇ ଟିକେ ହସିଦେଇ ପ୍ରମୋଦ କହିଲେ, "ଏତେ ସକାଳୁ ଟିଉସନ ଆରମ୍ଭ କରିଦେଲ ?ତୁମକୁ ଉଠାଇବା ପାଇଁ ଝର୍କା ଖୋଲିଦେଲି।ସକାଳୁ ଆଜି ମନ୍ଦିର ଯିବ ବୋଲି କହୁଥିଲ ପରା।ଏତେ ସକାଳୁ ଗାଧେଇ ପାଧେଇ ନିଜ ଦେହ ଖରାପ କରୁଛ ଆଉ ଠାକୁରଙ୍କ ନିଦ ବି।ଆଛା,ଆଗରୁ ସିନା ମୋ ପ୍ରମୋସନ,ପିଲାଙ୍କ ଭଲ ମାର୍କ, ଚାକିରୀ ପାଇଁ ଠାକୁରଙ୍କୁ ତେଲ ମାରୁଥିଲ ।ଏବେ କଣ ମାଗୁଛ ?

ସାଲ ଟା ଆଣି ପ୍ରମୋଦଙ୍କ ଦେହରେ ଗୁଡାଇଦେଇ ସାବିତ୍ରୀ କହିଲେ,"ସ୍ୱାମୀମାନେ ସ୍ତ୍ରୀ ମାନଙ୍କ ମନକଥା କେବେ ବୁଝିପାରିବେ ନାହିଁ।"

ଘଣ୍ଟା ଦେଖିଲେ ସାବିତ୍ରୀ।ଛଅଟା ବାଜିବ।ପୁଅ ବୋହୁ ଉଠୁଉଠୁ ଆହୁରି ଘଣ୍ଟାଏ।ସେଥିପାଇଁ ନିଜବେଡ଼ରୁମ ପାଖରେ ଥିବା ଛୋଟ ରୁମରେ ଗ୍ୟାସ ଚୁଲା ରଖିଛନ୍ତି ସାବିତ୍ରୀ।ପ୍ରମୋଦଙ୍କ'ର ଅବେଳରେ ବି ଚା,କଫି ଦରକାର ହୁଏ।କେତେବେଳେ ପ୍ରମୋଦଙ୍କର କଣ ଦରକାର ତାହା ସାବିତ୍ରୀ ହିଁ ଜାଣନ୍ତି।ଖାଇବା,ପିଇବା, ଔଷଧ ଠାରୁ ଆରମ୍ଭ କରି ଗାମୁଛା,ରୁମାଲ,ଜାମାପ୍ୟାଣ୍ଟ ,ଚଷମା ସବୁ ହାତ ପାଖକୁ ଯୋଗାଇଦିଅନ୍ତି ସେ।ଦାମ୍ପତ୍ୟ ଜୀବନ'ର ଏହାତ ରହସ୍ୟ; ଏକ ଅମୃତ ନିଆରା ଅନୁଭବ।ସ୍ତ୍ରୀଟି ଅନ୍ତର୍ଯ୍ୟାମୀ ହୋଇଥାଏ।

ତେବେ କିଛି ବା ଅନେକ ମାତ୍ରାରେ ସ୍ବାମୀମାନେ ବି ସ୍ତ୍ରୀର ସୁବିଧା ଅସୁବିଧାକୁ ଅନୁଭବ କରନ୍ତି।

ଚା କପ ଓ ଦୁଇଟା ବିସ୍କୁଟ ସହିତ ଟାଵଲେଟ ଗୋଟାଏ ବଢ଼ାଇଦେଇ। କହିଲେ," ଥଣ୍ଡା ପାଣିରେ ଗାଧେଇବନି।ମୁଁ ଆସିଲେ ଗରମ ପାଣି କରିଦେବି।ଆଣ୍ଠୁରେ କାଲି ରାତିରେ ତେଲ ମାଲିସ୍ କରିଦେଇଥିଲି,ଆଜି କେମିତି ଲାଗୁଛି ? "

ଖବର କାଗଜଟା ମେଲାଇ ଦେଇ ପ୍ରମୋଦ କହିଲେ,"ତମ ହାତରେ ପରା ଯାଦୁ ଅଛି।ଦରଜ କମିଯାଇଛି।ହେଲେ ଅଣ୍ଟାରେ ଟିକେ ଦରଜ ଅଛି।"

- ଏତେ ଆଉ ଘସା,ମୋଡା ଦେବାକୁ ମୋର ବଳ ନାହିଁ।ୟାଙ୍କ'ର ସବୁ କାମ ମୁଁ ହିଁ କରିବି।ତମ ପୁଅ ବୋହୁଙ୍କୁ କୁହ ନହେଲେ ଲୋକ ରଖ।"

ଟିକେ ଚୁପ୍ ହୋଇଗଲେ ପ୍ରମୋଦ।ପେପର ପଢିବାକୁ ଆରମ୍ଭ କଲେ।

ଚଷମା ଟା ତାଙ୍କ ଆଖିରେ ପିନ୍ଧାଇ ଦେଇ ସାବିତ୍ରୀ କହିଲେ, "ବିନା ଚଷମାରେ ତମକୁ ତ ଦିଶୁନି।ଚେୟାର ରୁ ଉଠି ଚାଷମାଟା ବି ଆଣିବନି ?"

ସେ ଜାଣନ୍ତି ତାଙ୍କ ବିନା ଘଣ୍ଟାଏ ବି ଚଳିପାରିବେନି ପ୍ରମୋଦ।ଆତ୍ମ ଅଭିମାନ ଓ ବିରକ୍ତି ର ଫେଣ୍ଟାଫେଣ୍ଟି ଅନୁଭବ ଲାଗେ।

ଗାଧେଇ,ପୂଜା ଡାଲା ଧରି ବାହାରିଗଲେ ସାବିତ୍ରୀ।ମନ୍ଦିରରୁ ଫେରିଲା ବେଳେ ପଡିଶା ମିସେସ ସାହୁ ଓ ମିସେସ ପଣ୍ଡା ଦେଖା ହେଲେ।ସମସ୍ତେ ମିଶି ଫେରିଲା ବେଳେ ସାମ୍ନାରୁ ଶୁଭିଲା,"ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ।"। ଶବ ଯାତ୍ରା ଆଗରେ ଦୁଇଜଣ ବାଜା ବଜାଇ ଆସୁଥିଲେ।

- ଅହ୍ୟ ଡେଙ୍ଗୁରା ବାଜୁଛି ମ।ସଧବା ହୋଇ କିଏ ଚାଲିଗଲା।କେଡେ ଭାଗ୍ୟବତୀ ସ୍ତ୍ରୀ ଲୋକ !"

- ପଛ ପଟ କଲୋନୀ ର କୁନା ବୋଉ ପରା।କାଲି ରାତିରେ ହାର୍ଟ ଆଟାକ ରେ ଚାଲିଗଲେ।ମର୍ଣିଂଗ୍ ୱାକରେ ଦେଖା ହୁଏ।ତାଙ୍କ ସ୍ବାମୀଙ୍କ ଦେହ ବି ଭଲ ନଥିଲା।ବୁଢୀକୁ ଦେଖ, ଅହ୍ୟ ହୋଇ ସିନ୍ଦୁର ଅଳତା ଲଗାଇ ଚାଲିଗଲା।ବୁଢ଼ା ଆଗୁଆ ମରିଥିଲେ କୁନାବୋଉ ବିଧବା ହୋଇ ମଶାଣୀକୁ ଯାଇଥାନ୍ତା।ଏହାକୁ କହିବ ଭାଗ୍ୟ।"

ଶବଯାତ୍ରାକୁ ଅନାଇଲେ ସାବିତ୍ରୀ।ଖଇ,କଉଡି, ଖୁଚୁରା ପଇସା ବିଞ୍ଚା ହେଉଥିଲା।

- ସାବିତ୍ରୀ, ଆସ ଆସ କଉଡି ଓ ପଇସା କିଛି ଗୋଟାଇବା।ୟାକୁ ସାଇତିଲେ ପୁଣ୍ୟ ହୁଏ ପରା।ନିଜେ ଅହିଅ ହେବାର ମଉକା ମିଳେ।"କହି ମିସେସ ପଣ୍ଡା ଓ ସାହୁ ଅନ୍ୟମାନଙ୍କ ସହ କିଛି କଉଡି ଓ ପଇସା ଗୋଟାଇଲେ।କଉଡି ଗୋଟାଏ ଆଣି ସାବିତ୍ରୀଙ୍କ ହାତକୁ ବଢ଼ାଇବାରୁ ,ସାବିତ୍ରୀ ମନାକରି କହିଲେ,

- ଠାକୁର ମନ୍ଦିରରେ ଏଇନା ମାନସିକ କରି ଆସିଛି ପା।ଏହାକୁ ନେଇ କଣ କରିବି ?

- ସ୍ବାମୀଙ୍କ ଲମ୍ବା ଜୀବନ କାମନା କରି ଆମେ ବି ପୂଜା କରି ପାଣି ଲାଗି କରାଇଛୁ।ଅହିଅ ଡେଙ୍ଗୁରା ବଜେଇ ନିଜ ଘରୁ ବାହାରିବାକୁ କେଉଁ ସ୍ତ୍ରୀ ଚାହେଁନା ?

- ମୁଁ ଚାହେଁନା ଅହିଅ ସୁନ୍ଦରୀ ହେବାକୁ ।"ଗମ୍ଭୀର ସ୍ୱରରେ କହିଲେ ସାବିତ୍ରୀ।ଟିକେ ନିଶ୍ବାସ ନେଇ ପୁଣି କହିଲେ,

-ମୋ ବିନା ଦିନଟେ ଚଳିବା ୟାଙ୍କ ପାଇଁ କାଠିକର ବୋଲି ମୁଁ ଅନୁଭବ କରେ।ଛୋଟ ପିଲାଙ୍କ ଭଳି ସବୁ ଅଳି ଅର୍ଦଳି ସମ୍ଭାଳିଛି।ଯଦି ମୁଁ ଆଗରୁ ଚାଲିଯାଏ, ତେବେ ୟାଙ୍କର କଣ ହେବ ଭାବି ମୋତେ ରାତିରେ ନିଦ ଆସେନା।ସେ ଅବହେଳିତ ହୁଅନ୍ତୁ ବା କାହାର ଦୟା'ର ପାତ୍ର ହୁଅନ୍ତୁ ତାହା ମୁଁ ଚାହେଁନା।ଠାକୁରଙ୍କୁ ସବୁଦିନ ଡାକେ, କି ମୋ ଆଗରୁ ତାଙ୍କୁ ନେଇଯାଆନ୍ତୁ।ଶାନ୍ତିରେ ଅନ୍ତତଃ ମୁଁ ଆଖି ବୁଜି ପାରିବି।"

ଚୁପ୍ ହୋଇଯାଇଥିଲେ ସମସ୍ତେ ଏହି ଅପ୍ରିୟ ସତ୍ୟ ଶୁଣି।ଜକେଇ ଆସୁଥିବା ଲୁହକୁ ପୋଛି ପକାଇ ଆଗେଇଲେ ସାବିତ୍ରୀ।ପ୍ରେମ ର ଭିନ୍ନ ଏକ ସ୍ୱରୂପ, ପବିତ୍ର ଦାମ୍ପତ୍ୟ ପ୍ରେମ ଆଉ କଣ କି ?

ଘରେ ପହଁଚି ଠାକୁରଙ୍କ ଭୋଗ ସ୍ୱାମୀଙ୍କ ପାଟିରେ ଦେଲାବେଳେ ପ୍ରମୋଦ ପଚାରିଲେ,"ବାହାରେ କି ବାଜା ବାଜୁଥିଲା ?କିଏ କିଛି ମାଗିବାକୁ ଆସିଥିଲା କି ?

ଟିକିଏ ଚମକି ପଡି ସାବିତ୍ରୀ କହିଲେ,"ହଁ ,ମୁଁ ମନା କରିଦେଇ କହିଲି ଏବେ ମୋ ପାଖରେ ସମୟ ନାହି।"

(@ଅରବିନ୍ଦ ଦାସ)

ରୁମ ପ୍ରମୋଦ ସାବିତ୍ରୀ

Rate the content


Originality
Flow
Language
Cover design

Comments

Post

Some text some message..