ଲକ୍ଷ ବିହଙ୍ଗ - ୨
ଲକ୍ଷ ବିହଙ୍ଗ - ୨
କିଶୋରୀ ଚରଣ ଦାସ
ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍ ପୁରୀ ତାକୁ ଚାମୁଚେ ଚାମୁଚେ କରି ପାଟିକୁ ନେଲେ । ଚାରି ପାଞ୍ଚ ଚାମୁଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଜୋକ୍ ପରେ ସେ ଖଟ ଉପରେ ବସିଲେ ଓ କପ୍ଟିକୁ ହାତକୁ ଆଣି ସାଧାରଣ ଭାବରେ ଚୁମୁକି ଦେଲେ । ଖୋଲା ବହି ଖଟରେ ଓଲଟା ହୋଇରହିଥାଏ । ମିସେସ୍ ପୁରୀ କଫି ଖାଇବା ସାଙ୍ଗରେ କ’ଣ ମନେ ପକାଇଲା ପରି ଦେଖା ଯାଉଥାଆନ୍ତି ।
ବିହଙ୍ଗମାନେ ତାଙ୍କର ସ୍ମୃତିବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ, -ତାଙ୍କର କ’ଣ ମନେ ପଡୁଛି ?
ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ । କାରଣ ସ୍ମରଣିକା ଚଳନ୍ତା ଆଲୁଅ- ଛାଇ ପରି ଲାଗୁଛି, ସେଥିରେ ସଂହତି ନାହିଁ । ବୋଧହୁଏ ତା’ର କାୟା ଗଢ଼ିଉଠିଲେ ସେ ଅସୁନ୍ଦର ହୋଇଯିବ । ତେଣୁ ମିସେସ୍ ପୁରୀ ତା’ର ଅନିଶ୍ଚତପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି ତାକୁ ଗଢ଼ିଉଠିବାକୁ ଦେଉନାହାନ୍ତି ।
ମିସେସ୍ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍ ପଢୁଥିଲେ । ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟା ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷଙ୍କ ଚେହେରା । ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର । ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇପାରନ୍ତା ନାହିଁ । କିନ୍ତୁ ଦୁଇଟି ସମ୍ବନ୍ଧହୀନ ପୁରୁଷ ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ବ ଆଉ କେତେ ଜଣକର ଥାଇପାରେ ? ଏହାକୁ ହିଁ ତ ସୃଷ୍ଟି କହନ୍ତି ।
ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟିଉଠୁଥିଲା । ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ । ଏହି ସମୟରେ ପାଖରେ ଜୟରାମ ପହଞ୍ଚିଲା । ତା’ ହାତରେ ପରିବା ଥଳି ।
ଜୟରାମ ଷୋଳ ସତର ବର୍ଷର ଟୋକା । କଳା ମଚମଚ ବଳିଷ୍ଠ ଦେହ । ଖଣ୍ଡେ ଗେଞ୍ଜି ଓ ହାଫ୍ପ୍ୟାଣ୍ଟ୍ ପିନ୍ଧିଛି । ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳବିନ୍ଦୁ । ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ, ଯେପରି କି ସେ କହିବାକୁ ଚାହେଁ ଯେ, ସେ ଜୟରାମ୍, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାଆନ୍ତା ।
ଜୟରାମ ଦୁଆରବନ୍ଧର ଏପାଖକୁ ଛିଡ଼ାହୋଇ କହିଲା, -ମୁଁ ଯାଉଛି ।
ମିସେସ୍ ପୁରୀ କଳ୍ପନାରୁ ଫେରିଆସିଲେ, ଜୟରାମକୁ ଦେଖିପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ‘ଆଚ୍ଛା’ । ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ବର୍ଯ୍ୟ ଓ ଉଦାରତା । ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତା’ର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି ।
ଜୟରାମ ଫେରିଯାଉଥିଲା । ଏହି ସମୟରେ ମିସେସ୍ ପୁରୀ ତାକୁ ପଛରୁ ଡାକିଲେ । କହିଲେ- “ଶୁଣ୍, ଆରଥର ପୋଟଳ ଖରାପ ପଡ଼ିଲା, ବିନ୍ଗୁଡ଼ାକ ବି ଶୁଖିଲା ଥିଲା । ତୁ ସୋନାଚାନ୍ଦ୍ ବଜାରକୁ ଯାଉନୁ ? ମିସେସ୍ ମିତ୍ରା କହୁଥିଲେ ଯେ, ସେ ସେଠୁ ବଢ଼ିଆ ବିନ୍ ପାଇଛନ୍ତି, କିଲୋ ମୋଟେ ବାରଅଣା- । ”
ଜୟରାମ ଟିକିଏ ଭାବିଲା ପରି ହେଲା ଓ କହିଲା, “ସୋନାଚାନ୍ଦ୍ ବଜାର ? ସେ ତ ହେଉଛି ଯାଇ କଲେଜ ପାଖରେ, ରେଲ୍ଲାଇନ୍ ସେପାଖରେ । ” ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା । ତା’ ଚାହାଣୀରେ ପ୍ରଶ୍ନ ଥିଲା, -ସେଠିକୁ ଯିବା କ’ଣ ଦରକାର ?
ମିସେସ୍ ପୁରୀ ତା’ ଚାହାଣୀକୁ ଅବଜ୍ଞା କଲେ ନାହିଁ, ନିରୁତ୍ତର ରହିଲେ । ମନେ ହେଉଥିଲା ଯେ, ସେ ତା’କୁ ତା’ ନିଜ ଦ୍ବିଧାର ସମାଧାନ କରିବାକୁ ଦେଉଛନ୍ତି । କେତୋଟି ମୁହୂର୍ତ୍ତ ପରେ ସେ ପଚାରିଲେ “କ’ଣ ଯାଇପାରିବୁ ନାହିଁ ?”
ଭର୍ତ୍ସନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ବାସ । ଜୟରାମର ଦ୍ବିଧା ତୁଟିଗଲା । ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା । ତା’ ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା ।
ମିସେସ୍ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ । ତା’ର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା । ସେ ସ୍ବାଗତ ଅନୁମୋଦନ କଲେ, -ଟୋକା …ମଜବୁତ୍… ।
ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ । ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍ ପୁରୀଙ୍କ ଆଡ଼କୁ ଚାହିଁଲେ । ତା’ର କାରଣ ହେଉଛି ଯେ, ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା । ସେମାନଙ୍କ ମନରେ ଆସିଥିଲା ଯେ, ଜୟରାମଠାରେ ଦେବତାର ଅଂଶ ଅଛି, କାହିଁକି ନା ସେ ପାରିବ, ତା’ର ଶକ୍ତି ଅଛି । ସେ ତାତିଲା ଭୂଇଁରେ ଏତେ ବାଟ ଚାଲିଚାଲି ଯାଇ ତାଜା ପରିବା କିଣିପାରିବ । କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍ ପୁରୀ । ଅଳ୍ପ କଥା, ସାମାନ୍ୟ ଇଙ୍ଗିତରେ ସେ ତା’ର ଦେବତ୍ବକୁ ଖଟାଇପାରିଲେ । ମହୀୟସୀ ନାରୀ, – ଦେବତମହୀୟସୀ ନାରୀ, – ଦେବତାଠୁଁ ବଡ଼ !
ମିସେସ୍ ପୁରୀ ପୁଣି ଖଟ ଉପରେ ଲୋଟିପଡ଼ିଲେ । ଜୋକ୍ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ୍ ଉପରୁ ଖଣ୍ଡେ ମ୍ୟାଗାଜିନ୍ ଆଣି ହାତରେ ଧରିଲେ ।
ମ୍ୟାଗାଜିନ୍ଟି କେବଳ ସ୍ତ୍ରୀ ଲୋକମାନଙ୍କ ପାଇଁ । ଚୋଲିର ନୂଆ ଢଙ୍ଗ, ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି, ଘରେ ରିଫ୍ରିଜେରେଟର୍ ଥିଲେ ହଠାତ୍ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ । ମିସେସ୍ ପୁରୀ ପୃଷ୍ଠା ଓଲଟାଇଗଲେ । ହଠାତ୍ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍ନାର କାନ୍ଥ ଆଡ଼କୁ !