ଓଡ଼ିଆ ଗଳ୍ପ ଓ କବିତା - ୧

Children


3  

ଓଡ଼ିଆ ଗଳ୍ପ ଓ କବିତା - ୧

Children


ଜହ୍ନମାମୁଁ-22

ଜହ୍ନମାମୁଁ-22

4 mins 7.0K 4 mins 7.0K

ମହାଭାରତ 2

ଶଲ୍ୟ ଏହି କଥା ଧର୍ମରାଜଙ୍କୁ ଶୁଣାଇବା ପରେ ସେ ଦୁର୍ଯ୍ୟୋଧନଙ୍କୁ ଭେଟିବା ପାଇଁ ଗଲେ ।

ଦ୍ରୁପଦଙ୍କ ପୁରୋହିତ ପାଣ୍ଡବଙ୍କ ଦୂତ ରୂପେ ହସ୍ତିନାପୁରଠାରେ ଯାଇ ପହଁଚିଲେ । ଏହା ପୂର୍ବରୁ ପାଣ୍ଡବକୌରବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନେକ ରାଜା ଓ ସେମାନଙ୍କର ସେନାନୀ ନିଜ ପକ୍ଷର ଶିବିରରେ ପହଁଚି ସାରିଥିଲେ ।

ପାଣ୍ଡବଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ସାତ ଅକ୍ଷୌହିଣୀ ସେନା ଉପପ୍ଲାବ୍ୟ ଠାରେ ଆସି ପହଁଚିଥିଲେ । ମହାରଥୀ ଯୁଯୁଧାନ ଓ ଚେଦିର ରାଜା ଧୃଷ୍ଟକେତ ନିଜ ସହିତ ଏକ ଅକ୍ଷୌହିଣୀ ଲେଖାଏଁ ସୈନ୍ୟ ଆଣିଥିଲେ । ପାଣ୍ଡ୍ୟ ଦେଶର ରାଜା ପାର୍ବତ୍ୟ ଯୋଦ୍ଧାଙ୍କ ସହିତ ଧର୍ମରାଜଙ୍କ ସହାୟତା କରିବା ପାଇଁ ଆସି ପହଁଚି ଥିଲେ । ଦ୍ରୁପଦଙ୍କ ସହିତ ତାଙ୍କର ପୁତ୍ର ଓ ଅନେକ ରଥୀ ମହାରଥୀ ଆସି ପହଁଚିଲେ । ମତ୍ସ୍ୟଦେଶର ରାଜା ବିରାଟ ଗିରିଜନ ସୈନିକଙ୍କ ସହିତ ଆସିଲେ ।ଏହା ବ୍ୟତୀତ ଅନେକ ଦେଶର ରାଜା ସେମାନଙ୍କର ଧ୍ୱଜ ସହିତ କୌରବ ପକ୍ଷରେ ଯୋଗ ଦେବା ପାଇଁ ମଧ୍ୟ ଆସିଲେ । ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଏଗାର ଅକ୍ଷୌହିଣୀ ସୈନ୍ୟ ଏକତ୍ରିତ ହୋଇଥିଲେ । ନରକାସୁରର ପୁତ୍ର ଭଗଦତ କିରାତମାନଙ୍କୁ ନେଇ ଗଠିତ ଏକ ଅକ୍ଷୌହିଣୀ ସେନା ସହିତ ଦୁର୍ଯ୍ୟୋଧନଙ୍କ ନିକଟକୁ ଆସିଲେ । ଭୁରିଶ୍ରବ୍ଧ, ଶଲ୍ୟଙ୍କର ମଧ୍ୟ ଏକ-ଏକ ଅକ୍ଷୌହିଣୀ ସୈନ୍ୟ ଥିଲେ । ପତ୍ର, ପୁଷ୍ପ ଆଦିର ମାଳା ପରିଧାନ କରିଥିବା ବଳିଷ୍ଠ ଯୋଦ୍ଧାଙ୍କ ସହିତ କୃତବର୍ମା ଆସି ସେଠାରେ ପହଁଚିଲେ । ସିଂଧୁ, ସାବୀର ପ୍ରଦେଶରୁ ଜୟଦ୍ରଥ ଆଦି ଅନେକ ରାଜା ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୋଗ ଦେଲେ । ଦାକ୍ଷିଣାତ୍ୟର ମାହୀସ୍ମତୀପୁରରୁ ଭୟଙ୍କର ଆୟୁଧଯୁକ୍ତ ବଳଶାଳୀ ଯୋଦ୍ଧାମାନେ ଓ ଅବନ୍ତୀ ଦେଶର ରାଜାଙ୍କ ସହିତ ଦୁଇ ଅକ୍ଷୌହିଣୀ ସୈନ୍ୟ ମଧ୍ୟ ଆସିଲେ । ଏତଦ୍ବ୍ୟତୀତ ଅନ୍ୟାନ୍ୟ କ୍ଷୁଦ୍ର ରାଜ୍ୟମାନଙ୍କରୁ ଆସିଥିବା ସୈନିକଙ୍କର ସଂଖ୍ୟା ତିନି ଅକ୍ଷୌହିଣୀ ହେବ ।

ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିବା ପାଇଁ ଅନ୍ୟ ଦେଶରୁ ଆସିଥିବା ରାଜା ଓ ସୈନ୍ୟଙ୍କର ରହଣୀ ନିମନ୍ତେ ହସ୍ତିନାପୁର ଯଥେଷ୍ଟ ନ ଥିଲା । ଏତେ ବିରାଟ ସେନାବାହିନୀକୁ ସୁବ୍ୟବସ୍ଥିତ କରିବା ନିମନ୍ତେ କୌରବମାନେ ପଂଚନଦ, ଗୁରୁଜାଙ୍ଗଲ, ରୋହିତାକାରଣ୍ୟ ମରୁଭୂମି, ଅହିଦୂତ୍ର, କାଳକୁଟ, ଗଙ୍ଗାକୂଟ, ବାରଣ, ନାଧୋନମ୍ ଓ ବିସ୍ତୀର୍ଣ୍ଣ ଯମୁନା ତଟ ଆଦି ଅଂଚଳରେ ବ୍ୟବସ୍ଥା କରାଇଲେ ।

ବିଭିନ୍ନ ପ୍ରଦେଶରୁ ଆସି ଏକତ୍ରିତ ହୋଇଥିବା ସେନାନୀଙ୍କୁ ଦେଖି ଦେଖି ଦ୍ରୁପଦଙ୍କ ପୁରୋହିତ ହସ୍ତିନାପୁରଠାରେ ଆସି ପହଁଚିଲେ । ଧୃତରାଷ୍ଟ୍ରଙ୍କ ରାଜ ସଭାରେ ପ୍ରବେଶ କରିବା ମାତ୍ରେ ବିଦୁର, ଭୀଷ୍ମ, ଧୃତରାଷ୍ଟ୍ର ଆଦି ସେହି ବୃଦ୍ଧ ବ୍ରାହ୍ମଣଙ୍କୁ ସ୍ୱାଗତ-ସତ୍କାର କଲେ ଓ ପାଣ୍ଡବମାନଙ୍କର କୁଶଳ – ମଙ୍ଗଳ ପ୍ରଶ୍ନ କଲେ । ସେହି ବ୍ରାହ୍ମଣ କୌରବମାନଙ୍କର କୁଶଳ କାମନା କରିବା ପରେ ରାଜସଭାକୁ ସମ୍ବୋଧିତ କରି କହିଲେ, “ହେ ସଭାସଦ୍ଗଣ, ଧୃତରାଷ୍ଟ୍ର ଓ ପାଣ୍ଡୁରାଜା ଏକ ଦମ୍ପତ୍ତିଙ୍କର ସନ୍ତାନ ଅଟନ୍ତି । ପିତାମହ ପିତାଙ୍କର ସମ୍ପତ୍ତିରେ ଉଭୟଙ୍କର ସମାନ ଅଧିକାର ରହିଛି, ତେଣୁ କେବଳ ଧୃତରାଷ୍ଟ୍ରଙ୍କ ପୁତ୍ରଗଣ ପୈତୃକ – ସମ୍ପତ୍ତି ଉପଭୋଗ କରିବାର ଅଧିକାର କାହିଁକି ପାଇଛନ୍ତି? ପାଣ୍ଡବମାନେ ଏପରି ଅଧିକାର ପ୍ରାପ୍ତି ନିମନ୍ତେ ଯୋଗ୍ୟ ନୁହଁନ୍ତି କି? ଆପଣମାନଙ୍କ ମଧ୍ୟରୁ କେହି ଏହାର ଯଥାଯଥ କାରଣ ବତାଇ ପାରିବେ କି? ଆପଣମାନେ ସମସ୍ତେ ଦୁର୍ଯ୍ୟୋଧନର ପାଣ୍ଡବଙ୍କ ପ୍ରତି ଏଭଳି ଅତ୍ୟାଚାର ସମ୍ବନ୍ଧରେ ଜାଣିଛନ୍ତି । ସେମାନେ ନିଜର ପୂଣ୍ୟବଳରେ ଏପରି କଷ୍ଟରୁ ରକ୍ଷା ପାଇ ପାରିଛନ୍ତି । ନଚେତ୍ କେବେଠାରୁ ସେମାନଙ୍କର ବିଲୋପ ଘଟିସାରନ୍ତାଣି । ଖାଲି ଏତିକି ନୁହେଁ ପାଣ୍ଡବମାନେ ନିଜ ଶକ୍ତିରେ ଯେଉଁ ରାଜ୍ୟ ଜୟ କରିଥିଲେ, ତାହା ମଧ୍ୟ ଦୁର୍ଯ୍ୟୋଧନ କପଟ ପଶା ଖେଳରେ ହରାଇ ସେମାନଙ୍କଠାରୁ ଛଡାଇ ନେଇଛି । ଶକୁନିର କୁମନ୍ତ୍ରଣା, ଅଗ୍ନିରେ ଘୃତ ସଦୃଶ ଦୁର୍ଯ୍ୟୋଧନର ପାପକର୍ମକୁ ପ୍ରୋତ୍ସାହିତ କରୁଛି । ତେରବର୍ଷକାଳ ପାଣ୍ଡବଗଣ ପତ୍ନୀ ସମେତ ବନବାସରେ ବିତାଇଲେ । ସେହି ସମୟର କ୍ଳେଶ ଅବର୍ଣ୍ଣନୀୟ । ବିରାଟନଗରୀରେ ବିତାଇଥିବା ଅଜ୍ଞାତବାସ କାଳ ସମ୍ବନ୍ଧରେ କହିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ । ଶୁଣିବା ପାଇଁ ଆପଣମାନଙ୍କର ମଧ୍ୟ ଧୈର୍ଯ୍ୟ ରହିବ ନାହିଁ । କିନ୍ତୁ ଏତେ ସବୁ ଘଟିଯିବା ପରେ, ପାଣ୍ଡବମାନେ କୌରବଙ୍କ ସହିତ ଶାନ୍ତିପୂର୍ଣ୍ଣ ସମ୍ବନ୍ଧ ସ୍ଥାପନ କରିବା ନିମନ୍ତେ ଆଗ୍ରହୀ ଅଟନ୍ତି । କୌରବଙ୍କ ସହିତ ଯୁଦ୍ଧ ହେଲେ, ଅକାରଣରେ ଅନେକ ନିରୀହ ଜୀବନ ବଳି ପଡିବେ । ଭୀଷଣ ହତ୍ୟାକାଣ୍ଡ ସଂଘଟିତ ହେବ । କାହାର କିଛି କ୍ଷତି ହେବା ପୂର୍ବରୁ ପାଣ୍ଡବମାନେ ସେମାନଙ୍କର ରାଜ୍ୟ ଫେରି ପାଇବା ପାଇଁ ଅନୁରୋଧ କରିଛନ୍ତି । ଦୁର୍ଯ୍ୟୋଧନ ନିଜର ଶକ୍ତି ଉପରେ ଗଭୀର ବିଶ୍ୱାସ ରଖିଛନ୍ତି । ତାଙ୍କ ପକ୍ଷରେ ଅଗଣିତ ସୈନିକ ଏକଜୁଟ୍ ହୋଇଛନ୍ତି । ତେଣୁ ସେ ବିଜୟର ବରମାଲ୍ୟ ପିନ୍ଧିବା ବିଷୟରେ ନିଃସନ୍ଦେହ ହୋଇ ଯାଇଛି । କିନ୍ତୁ ମୋ ବିଚାରରେ ଏହା କେବଳ ତା’ର ଏକ ଭ୍ରମ ମାତ୍ର । ଦୁର୍ଯ୍ୟୋଧନ ପକ୍ଷରେ ଅସଂଖ୍ୟ ଯୋଦ୍ଧା ରହିଥିଲେ ମଧ୍ୟ କ’ଣ ଲାଭ ମିଳିବ? ପାଣ୍ଡବଙ୍କର ସେନା ମଧ୍ୟରେ ସାତ୍ୟକୀ, ଭୀମ, ନକୁଳ, ସହଦେବ ଏକାକୀ ଏକ ଅକ୍ଷୌହିଣୀ ସୈନ୍ୟ ସହିତ ସମାନ ଅଟନ୍ତି । ଏକମାତ୍ର ଅର୍ଜୁନଙ୍କୁ ଏହି ସମଗ୍ର ସେନାମଣ୍ଡଳୀ ପର୍ଯ୍ୟାପ୍ତ ନୁହେଁ, ଆହୁରି ପୁଣି କୃଷ୍ଣଙ୍କ ପରି ବିଚକ୍ଷଣ ଶୂରବୀର ସେମାନଙ୍କ ପକ୍ଷରେ ଅଛନ୍ତି । ଏପରି ଅମିତ ବଳଶାଳୀ ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିବା ଏକ ମୂର୍ଖତା ବ୍ୟତୀତ ଅନ୍ୟ କିଛିବି ନୁହେଁ । ବୁଦ୍ଧିମାନ ଲୋକଙ୍କ ନିମନ୍ତେ ପାଣ୍ଡବମାନଙ୍କ ସହିତ ବନ୍ଧୁତା ସ୍ଥାପନ ପାଇଁ ଏହା ଏକ ସୁବର୍ଣ୍ଣ ଅବସର । ଏପରି ଅବସର ସମ୍ବନ୍ଧରେ ବିଚାର ଆଲୋଚନା କରନ୍ତୁ ।”

ଦ୍ରୁପଦଙ୍କ ପୁରୋହିତ ତାଙ୍କର ବକ୍ତବ୍ୟ ଶେଷ କରିବା ପରେ ଭୀଷ୍ମ କହିଲେ, “ହେ ବ୍ରାହ୍ମଣ ଶ୍ରେଷ୍ଠ, ତୁମର କଥା ନିଷ୍ଠୁର ହେଲେ ମଧ୍ୟ ନିରାଟ ସତ୍ୟ ଅଟେ । ପାଣ୍ଡବମାନେ ଏ ଯୁଦ୍ଧପାଇଁ ପ୍ରସ୍ତୁତ ହେଉଛନ୍ତି ସତ କିନ୍ତୁ ତା ସହିତ ସେମାନେ ଶାନ୍ତି ପାଇଁ ମଧ୍ୟ ଆଶା ରଖିଛନ୍ତି । ପାଣ୍ଡବମାନଙ୍କର ସହନଶକ୍ତି ଅତୀବ ପ୍ରଶଂସନୀୟ ଅଟେ । ଅର୍ଜୁନ ଅନେକ ପ୍ରକାର ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଅଟେ । ସେହି ମହାଯୋଦ୍ଧାର ସମକକ୍ଷ ବୀର ଏଠାରେ ଆଉ କେହି ମଧ୍ୟ ନାହାଁନ୍ତି । ଏପରିକି ବଜ୍ରାୟୁଧଧାରୀ ଇନ୍ଦ୍ର ମଧ୍ୟ ତା ସମ୍ମୁଖରେ ଆଦୌ ତିଷ୍ଠି ପାରିବେ ନାହିଁ ।”

ଭୀଷ୍ମଙ୍କ କଥା ସରିବା ମାତ୍ରେ କର୍ଣ୍ଣ ନିଜ ଆସନରୁ ଉଠିପଡି କହିଲେ, “ହେ ବିପ୍ରବର, ଆପଣ ଏଠାରେ ଯାହା କିଛିବି କହିଲେ, ତାହାତ ସମସ୍ତେ ଜାଣନ୍ତି । ଧର୍ମରାଜ ବଚନ ରକ୍ଷା ନିମନ୍ତେ ଭାଇ ଓ ପତ୍ନୀଙ୍କ ସହିତ ବନବାସ ଯାଇଥିଲେ । ଏହି ବିଷୟରେ କୌରବମାନଙ୍କର କିଛି ଦୋଷ ନାହିଁ । କାରଣ ପଶା ଖେଳର ସର୍ତ୍ତ ତାହାହିଁ ଥିଲା । ଏବେ ରାଜ୍ୟ ମାଗିବା ମୂର୍ଖତା ନୁହେଁ ତ ଆଉ କ’ଣ? ଦୁର୍ଯ୍ୟୋଧନ ପାଣ୍ଡବମାନଙ୍କର ବଳ ଦେଖି ଭୟଭୀତ ହେବା ପରି କାପୁରୁଷ ନୁହେଁ । ଅଙ୍ଗୁଳି ପରିମିତ ଭୂମି ମଧ୍ୟ ସେ ପାଣ୍ଡବମାନଙ୍କୁ ଦେବ ନାହିଁ । ପୁନଶ୍ଚ ରାଜ୍ୟ ଫେରିବାର ଆଶା କଲେ, ଆଉ ଥରେ ବନବାସ ଭୋଗିବା ହିଁ ସାର ହେବ ।”

କର୍ଣ୍ଣଙ୍କର ଏପରି ଅର୍ଥହୀନ ଯୁକ୍ତି ଶୁଣି ଭୀଷ୍ମ ଉତ୍ତେଜିତ ହୋଇ ପଡିଲେ । ସେ ଚଢା ଗଳାରେ କହିଲେ, “କର୍ଣ୍ଣ, ଏହି ବ୍ୟର୍ଥ ପ୍ରଳାପରେ କିଛିବି ଲାଭ ନାହିଁ । ଯଦି ଯୁଦ୍ଧ ସଂଘଟିତ ହୁଏ ତେବେ ଅଗ୍ନିରେ ପତଙ୍ଗର ଅବସ୍ଥା ଯାହା ହୁଏ, ତାହା ହିଁ ଆମ ଭାଗ୍ୟରେ ଘଟିବ ।”



Rate this content
Originality
Flow
Language
Cover Design