Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Others

4.3  

ଓଡ଼ିଆ ଗଳ୍ପ ଓ କବିତା - ୧

Others

ଆମେ ଆମର ନିଜର ଖାଦ୍ୟ ରାନ୍ଧୁ

ଆମେ ଆମର ନିଜର ଖାଦ୍ୟ ରାନ୍ଧୁ

4 mins
692


ପୃଥି୍ବୀର ଲୋକକଥା,

ପଣ୍ଡିଚେରୀ ଲୋକକଥା (1)

ଆମେ ଆମର ନିଜର ଖାଦ୍ୟ ରାନ୍ଧୁ

ବାଦ୍ୟକାର, ଜ୍ୟୋତିଷ୍କ ଓ ବୈଦ୍ୟ ତିନିଜଣ ଗୋଟିଏ ଗାଁରେ ରୁହନ୍ତି l ସେମାନେ ଘନିଷ୍ଠ ବନ୍ଧୁ l ସେମାନେ ଯିଏ ଯୁଆଡେ କାମରେ ଗଲେ ମଧ୍ୟ ସନ୍ଧ୍ୟା ପରେ ପରେ ପରସ୍ପରକୁ ଭେଟନ୍ତି l

ସେମାନଙ୍କର ଘର ଗାଁରେ ଭିନ୍ନ ଭିନ୍ନ ସ୍ଥାନରେ l ତଥାପି ସେମାନେ ଏକାଠି ଗପସପ ନକଲେ

ରହିପାରନ୍ତିନାହିଁ l

ସେମାନଙ୍କର ଆୟ ସ୍ୱଳ୍ପ l ଫଳରେ ସେମାନେ ବିବାହ କଥା ଚିନ୍ତା କରିପାରନ୍ତି ନାହିଁ l ବାଧ୍ୟ ହୋଇ ସେମାନେ ଅବିବାହିତ ଜୀବନ ଯାପନ କରନ୍ତି l ଯାହା ହେଉନା କାହିଁକି ସେମାନେ ରନ୍ଧାବଢା କରନ୍ତି ନାହିଁ l ଗାଁ ର ପ୍ରବେଶରେ ଏକ କାଳୀ ମନ୍ଦିର l ତା’ ପାଖକୁ ଗୋଟିଏ ବୁଢୀର ଘର l ସେମାନେ ଇଟିଲି ତରକାରୀ, ଭାତ ସେହି ବୁଢୀ ଠାରୁ କିଣିଆଣି ଖାଆନ୍ତି l ଯେତେବେଳେ ଖାଦ୍ୟ କିଣିବାକୁ ପଇସା ନଥାଏ , ପାଣି ପିଇ ଶୋଇଯାଆନ୍ତି l ସେଥିପାଇଁ ସେମାନେ ମନରେ କିଛି ଅନୁଶୋଚନା କରନ୍ତି ନାହିଁ l

ସେମାନେ ଗାଁରେ ପ୍ରତିଦିନ କାମ ପାଉନଥିଲେ l ଫଳରେ ସେମାନେ ଗୋଟିଏ ବଡ ଓ ସମୃଦ୍ଧ ଗାଁକୁ ଯିବେ ବୋଲି ସ୍ଥିର କଲେ l ଅନ୍ୟ ଗାଁକୁ ଯିବା ବାଟରେ ସେମାନେ କିପରି ଭାବରେ ଏକାଠି ରହିବେ ସେ ବିଷୟରେ ଆଲୋଚନା କଲେ l

ଜ୍ୟୋତିଷ୍କ ଜଣଙ୍କର ପ୍ରସ୍ତାବ ହେଲା –“ଆମେ ଏକାଠି ରହିବା l ଦିନଯାକ କାମ ଅନ୍ୱେଷଣରେ ବାହାରକୁ ଯିବା l ସନ୍ଧ୍ୟାରେ ପୁଣି ଏକଜୁଟ ହେବା l ଯେ ଯାହା ରୋଜଗାର କରିଥିବ ସେସବୁ ମିଶାଇ ଖାଦ୍ୟଦ୍ରବ୍ୟ କିଣି ରାନ୍ଧିବା l ଆଉ ଯାହା ପଇସା ବଳିବ ତାକୁ ପରଦିନ ପାଇଁ ସଞ୍ଚୟ କରିବା l ”

ଜ୍ୟୋତିଷ୍କର କଥାରେ ବାଦ୍ୟକାର ଓ ବୈଦ୍ୟ ଏକମତ l କିନ୍ତୁ ବାଦ୍ୟକାର ପଚାରିଲା, “ମୁଁ ଯଦି କିଛି ରୋଜଗାର କରିବି ନାହିଁ, ତା’ହେଲେ ମୁଁ କଣ ଭୋକିଲା ରହିବି ?“

ବୈଦ୍ୟଟି ତା’ କଥାରେ ସମ୍ମତ l ସେ କହିଲା - ଲୋକେ ସବୁଦିନେ ବେମାରରେ ପଡିବେ ନାହିଁ l ବେଳେ ବେଳେ ମୁଁ ମଧ୍ୟ ସପ୍ତାହ ସପ୍ତାହ ଧରି ଗୋଟିଏ ବି ପଇସା ରୋଜଗାର କରି ପାରିବି ନାହିଁ l ଆମ ଜ୍ୟୋତିଷ୍କଙ୍କ ପକ୍ଷେ ମଧ୍ୟ ସବୁଦିନ କାମ ପାଇବା କଷ୍ଟ l ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା ଯେ ଆମ ତିନିଜଣ ଭିତରୁ ଯିଏ ଜଣେ ବି କିଛି ରୋଜଗାର କରିବ, ସେ

ଆମ ତିନି ଜଣକୁ ଖାଇବାକୁ ଦେବ l ”

ଜ୍ୟୋତିଷ୍କ କହିଲେ – “ହଁ,ହଁ ମୁଁ ସେଇକଥା କହିବାକୁ ଚାହୁଁଥିଲି l ” ପ୍ରସ୍ତାବଟି ସମସ୍ତଙ୍କ ମନକୁ ପାଇଲା l

ସେମାନେ ଗାଁରେ ପହଞ୍ଚି ସର୍ବସାଧାରଣଙ୍କ ରହିବା ପାଇଁ ଥିବା ଘରେ ବିଶ୍ରାମ ନେଲେ l ପରଦିନ ସକାଳୁ ସେମାନେ କାମ ଅନ୍ୱେଷଣରେ ବିଭିନ୍ନ ଦିଗକୁ ବାହାରି ପଡିଲେ l ସନ୍ଧ୍ୟାବେଳକୁ ସେମାନେ ପରସ୍ପରକୁ ଭେଟିଲେ l ସେଦିନ ସମସ୍ତେ କିଛି କାମ ପାଇଥିଲେ l ସେଥିପାଇଁ ସମସ୍ତେ ଖୁସି l ନିଜର ରୋଜଗାର ପଇସାକୁ ସମସ୍ତେ ଏକାଠି କଲେ l ଏହା ପନ୍ଦର ଅଣା ହେଲା l

“ଆଃ l ଆଜି ଆମେ ଗୋଟିଏ ଭଲ ଖାଦ୍ୟ ରାନ୍ଧିବା l ” ବୈଦ୍ୟ ଓ ଜ୍ୟୋତିଷ୍କ ଏକା ସାଥିରେ କହିଲେ l

ବାଦ୍ୟକାର ଚାଉଳ ଓ ଜାଳ କିଣିବାକୁ ବଜାରକୁ ଗଲା l ଜ୍ୟୋତିଷ୍କ ଗୋଟିଏ ବଗିଚାରୁ କିଛି କଦଳୀପତ୍ର ଓ ବୈଦ୍ୟ ପନିପରିବା କିଣିବାକୁ ଗଲେ l

ପ୍ରଥମେ ବାଦ୍ୟକାର ଫେରିଲେ l ସେ ଚୁଲି ଲଗାଇ ତା’ ଉପରେ ହାଣ୍ଡିରେ ଅଧାହାଣ୍ଡି ପାଣି ରଖି ଚାଉଳ ପକାଇଲେ l ତା’ପରେ ଚୁଲିରେ ନିଆଁ ଜାଳିଲେ l ସାଙ୍ଗେ ସାଙ୍ଗେ ପାଣି ଫୁଟିଲା l ଭାତ ରନ୍ଧା ହୋଇଗଲା l ଏଥର ଚୁଲିରୁ ଭାତ ହାଣ୍ଡି ଓହ୍ଲାଇବାର ସମୟ l ବାଦ୍ୟକାରଙ୍କୁ ଭାତ ଫୁଟିବାର ଶବ୍ଦ ଆକର୍ଷଣ କଲା l ସେ ଭାତହାଣ୍ଡିରୁ ବାହାରୁଥିବା ଶବ୍ଦରୁ ଅନୁଭବ କଲେ ଯେ, ଏହା ନୃତ୍ୟର ଶବ୍ଦ l ତେଣୁ ସେ ଦୌଡିଯାଇ ତାଙ୍କ ମୃଦଙ୍ଗକୁ ନେଇ ଆସିଲେ l ଭାତ ଫୁଟା ପାଣିର ଶବ୍ଦ ସହିତ ତାଳ ପକାଇ ମୃଦଙ୍ଗ ବଜାଇଲେ l

ଜ୍ୟୋତିଷ୍କ ଫେରି ଦେଖିଲେ ଯେ, ପୁରା ଭାତ ହାଣ୍ଡିଟି ଜାଉ ହୋଇଯାଇ ବାମ୍ଫ ବାହାରୁଛି l ଏହା ଦେଖି ସେ ଖୁବ୍ ଦୁଃଖିତ l ହତାଶ l ସେ ନିଆଁକୁ ଲିଭାଇଲେ ସତ, କିନ୍ତୁ ସେ କିଂକର୍ତ୍ତବ୍ୟବିମୂଢ l କ’ଣ କରିବାକୁ ହେବ ସେ ଜାଣିପାରିଲେ ନାହିଁ l

ଅଳ୍ପ ସମୟ ପରେ ବୈଦ୍ୟ ଫେରିଲେ l ଘରର ଦୃଶ୍ୟ ଦେଖି ପରିସ୍ଥିତି ବିଷୟରେ ଜାଣିବାକୁ ତାଙ୍କୁ ବେଶୀ ସମୟ ଲାଗିଲା ନାହିଁ l ସେ ବାଦ୍ୟକାର ଗାଲକୁ ଗୋଟିଏ ଚାପୁଡା ଦେଲେ l ବାଦ୍ୟକାରଙ୍କର ମୃଦଙ୍ଗ ବଜା ବନ୍ଦ ହୋଇଗଲା l ସେ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଲେ l ସେ ସେହି ନଷ୍ଟ ଭାତକୁ ଅନାଇ ରହିଲେ l ତାଙ୍କର ଏଇଟା ବଡ ଭୁଲ l ସେଥିପାଇଁ ସେ ଅନୁତପ୍ତ l ସେ ବନ୍ଧୁମାନଙ୍କୁ କହିଲେ – “ମତେ କ୍ଷମା କରିଦିଅ l ” ଜ୍ୟୋତିଷ୍କ ଦୁଃଖର ସହ ଜଣାଇଲେ ଯେ, ସେ ମଧ୍ୟ ଖଣ୍ଡିଏ ହେଲେ କଦଳୀପତ୍ର ଆଣିନାହାନ୍ତି l

“କାହିଁକି ? କ’ଣ ପାଇଁ ତମେ ଏହା କରି ପାରିଲ ନାହିଁ l ” ବାଦ୍ୟକାରଙ୍କର ତାଙ୍କୁ ପ୍ରଶ୍ନ l

ସେ କହିଲେ – “କଦଳୀପତ୍ର ପ୍ରଚୁର ପରିମାଣରେ ଥିଲା l କିନ୍ତୁ ମୁଁ ଯେଉଁଟିକୁ ଆଣିବାକୁ ଗଲି, ମୁଁ ଭବିଷ୍ୟବାଣୀ ଶୁଣିଲି ଯେ, ସେ ପତ୍ରରେ ଖାଦ୍ୟ ରହିବ ନାହିଁ l ମୁଁ ଭାବିଲି ଯେ ଏହା ଅଶୁଭ ସୂଚକ, ତେଣୁ ମୁଁ ଖାଲି ହାତରେ ଫେରି ଆସିଲି l

ବୈଦ୍ୟ ଜଣକ ମଧ୍ୟ ନିଜର ଅନୁଭୂତି ପ୍ରକାଶ କଲେ - ମୁଁ ଆଦୌ ପୃଷ୍ଟିକର ପରିବା ପାଇଲି ନାହିଁ l ବାଇଗଣ, ବିଲାତି ବାଇଗଣ, ଭେଣ୍ଡି, ଲାଉ ଇତ୍ୟାଦିକୁ କିଏ ଖାଇବ ? ସେଥିଭିତରୁ କେତେଗୁଡିଏ ପୋକଖିଆ l ଆଉ କେତେକ ପଚି ଯାଇଛି l ସେଗୁଡିକ ଦେହ ପାଇଁ କ୍ଷତିକାରକ l ଯେଉଁ ପରିବାକୁ ମୁଁ ହାତରେ ଧରିଲି ସେଥିରେ କିଛି ନା କିଛି ସ୍ୱାସ୍ଥ ହାନିକାରକ ଗୁଣ ଥିଲା l ତେଣୁ ମୁଁ ଭାବିଲି ଏମିତି ପରିବା ଖାଇବା ଅପେକ୍ଷା ପାଣି ପିଇ ଶୋଇପଡିବା ଭଲ l ତା’ଛଡା ଖାଲି ପେଟେ ପାଣି ପିଇ ଶୋଇବା ଆମ ପାଇଁ କିଛି ନୂଆ କଥା ନୁହଁ l ତେଣୁ ମୁଁ ଖାଲି ହାତରେ ଫେରି ଆସିଲି l ”

ତିନିଜଣ ଯାକ ପରସ୍ପରକୁ ଆଁ କରି ଅନାଇ ରହିଲେ l ତାପରେ ତିନି ଜଣ ଉଚ୍ଚ ସ୍ୱରରେ ହସି ଉଠିଲେ l ରାନ୍ଧିବାରେ ଅସଫଳ ହୋଇ ପ୍ରତିଦିନ ଭଳି କିଛି କିଣିବାକୁ ହୋଟେଲକୁ

ଚାଲିଲେ l ସେମାନେ ଉଚ୍ଚସ୍ୱରରେ କହିଉଠିଲେ – “ଆମେ ଆମର ଖାଦ୍ୟ ରାନ୍ଧି ପାରିବୁ ନାହିଁ l”

ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି


Rate this content
Log in