Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପ୍ରତିବିମ୍ବ*
ପ୍ରତିବିମ୍ବ*
★★★★★

© Soumya Shubhadarshinee

Others

6 Minutes   2.3K    8


Content Ranking


ବିନା ଆଇନାରେ ଯେବେ ଦେଖିହୁଏ ନିଜ ପ୍ରତିବିମ୍ବ ।ସେ ଅନୁଭବ ନିଆରା ଲାଗେ ସତରେ ! ........

★★★★★

'

ଆଧୁନିକ ଗୀତଟିଏ ଫୁଲ୍ ଭଲ୍ୟୁମ୍ ଦେଇ କିଏ ବଜେଇଲା ,ପୁଣି ତା' ପଡିଶା ଘରେ ? ଅନିନ୍ଦିତା ଶୁଣିକି କାବା ! ପଡୋଶୀ ଜଣେ ବୃଦ୍ଧ ଦମ୍ପତି । ହାଇଲି ପେଡ୍ ଏମ .ଏନ. ସି ଜବ୍ ଵାଲା ପୁଅ ଦୁଇଟିଙ୍କୁ ଭାରତ ଭଳି ଦରିଦ୍ର ଦେଶ ଭଲ ନଲାଗିବାରୁ ସେମାନେ ଏବେ ପ୍ରବାସୀ ଭାରତୀୟ । ତେଣୁ ଅବସରପ୍ରାପ୍ତ ବୃଦ୍ଧ ଦମ୍ପତି ନିଃସଙ୍ଗ । ସମ୍ପନ୍ନ ଅଫିସର ଥିଲେ ନିଶ୍ଚିତ କାରଣ ପ୍ରମାଣ ସ୍ୱରୂପ ଆକର୍ଷଣୀୟ ଦୁଇତଳ ପ୍ରସାଦଟିଏ ତୋଳିଛନ୍ତି ଦୁଇ ପୁଅଙ୍କ ପାଇଁ , କିନ୍ତୁ ଏବେ ସେଠି ପାରା ଆଉ ବଣିଙ୍କ ଆତଯାତ । ନୀରବତା ରାଜୁତି କରୁଥିବା ସେଇ ଘରୁ ଏମିତି ଉଶୃଙ୍ଖଳ ଗୀତ ଶୁଭିବା ବଡ଼ ବିଚିତ୍ର !.......

ଅନିନ୍ଦିତା ଏଇ ସହରରେ ନିଜ ପ୍ରୋଜେକ୍ଟ କାମ କରୁଛି ଚିଲିକାକୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ଉପରେ । ଡକ୍ଟର ସେନଗୁପ୍ତା ତା' ଗାଇଡ, ଖୁବ ସଚେତନ ଗବେଷକ , ତେଣୁ ଶୀତ ଋତୁରେ ପୂରା ଛ' ମାସ ବିଦେଶୀ ପକ୍ଷୀଙ୍କ ଜୀବନଚର୍ଯ୍ୟା ଅନୁଧ୍ୟାନ କରିବାକୁ ଏଠି ଡେରା ପକେଇଛି ଅନିନ୍ଦିତା । ମାସେ ହେବ ଏଇ ଘରେ ସିଙ୍ଗଲ ରୁମ୍ ନେଇ ରହୁଛି ଆଉ ପଡୋଶୀ ନିଃସଙ୍ଗ ମଉସା ମାଉସୀଙ୍କୁ ଦେଖୁଛି ।

ସକାଳ ହେଲେ ନିର୍ଦ୍ଧିଷ୍ଟ ସମୟରେ ଘଣ୍ଟି ଶବ୍ଦ ଶୁଭେ ସେଇ ମାଉସୀଙ୍କ ପୂଜାର ଆଉ ପରେ ଆରମ୍ଭ ହୁଏ ବିଭିନ୍ନ କାମ । ତା' ରୁମ ଝରକା ଖୋଲିଲେ ଦିଶେ ସେଦୁହିଙ୍କର ଗତିବିଧି । ବୟସର ସାୟାହ୍ନରେ ଏମିତି ବାଧ୍ୟ ଜୀବନ ଲାଗେ ଅସହାୟ । ଅନିନ୍ଦିତା ନିଜ ମମି ପାପାଙ୍କ ସହ ତୁଳନା କରେ ସେମାନଙ୍କୁ ଆଉ ବୁଝି ପାରେ ସେମାନଙ୍କ ବ୍ୟଥା । ତା' ଘର ପାପା , ମମି , ଭାଇ , ଭଉଜ ଆଉ ତାଙ୍କ କୁନି ପୁଅ ସୋନୁକୁ ନେଇ ବେଶ ସମ୍ପନ୍ନ ହେଲେ ଏଠି !.......

ସେମାନଙ୍କ ନିଃସଙ୍ଗତାକୁ ଦୂର କରିବାର ଇଚ୍ଛା ଥିଲେ ମଧ୍ୟ ଅନିନ୍ଦିତା ତାଙ୍କ ସହ କୌଣସି ସମ୍ପର୍କ ଯୋଡି ପାରେନି । କାରଣ ସେ ମାଉସୀ ବିଲକୁଲ ହସନ୍ତି ନାହିଁ କି କଥା ପଦେ ହୁଅନ୍ତି ନାହିଁ । ସବୁବେଳେ କେମିତି ଗୋଟେ ନିର୍ଲିପ୍ତ ଭାବ ତାଙ୍କ ମୁହଁରେ । ଏମିତି ରୂପ ଦେଖି ଖରାପ ଲାଗେ ତାକୁ ତେଣୁ ନିଜ ପଡ଼ୋଶୀଙ୍କ ଜୀବନଚର୍ଯ୍ୟାର ସେ କେବଳ ନୀରବ ଦ୍ରଷ୍ଟା ସାଜେ ।

ସେଇ ଘରୁ ଏମିତି ଗୀତ ଶୁଭିବା ଆଶ୍ଚର୍ଯ୍ୟଜନକ ନିଶ୍ଚିନ୍ତ । ଆହୁରି ଏମିତି ଗୀତ ବଜେଇବା ମଧ୍ୟ ଅଶାଳୀନ । ଏତେ ଉଚ୍ଚ ସ୍ୱରରେ ଲାଉଡ଼ସ୍ପିଙ୍କର ବଜେଇବା ଉପରେ କଟକଣା ମଧ୍ୟ ଲାଗିଛି ସରକାରଙ୍କ ତରଫରୁ କିନ୍ତୁ ତଥାପି ଏଇ ପରିବର୍ତ୍ତନ ଭଲ ଲାଗୁଥିଲା ତାକୁ । ଟିକେ ଗହଳ ଚହଲ , ଟିକେ ବ୍ୟସ୍ତ ଜୀବନ୍ତ ଅନୁଭବ ମିଳୁଥିଲା । ନିଜ ବାଲକୋନିକୁ ବାହାରି ଆସିଲା ସେ ଖୋଜିବାକୁ ଗୀତର ଉତ୍ସ ।

ଭାରି ସୁନ୍ଦର ପିଲାଟିଏ ଦିଶିଲା ସେଇ ଘରର ବାଲକୋନିରେ ନିଜ

ମ୍ୟୁଜିକ ସିଷ୍ଟମ୍ ସହ । ଏମିତି ନୂଆ ମଣିଷଟି ବିଷୟରେ ଟିକେ ଅନୁସନ୍ଧାନ କରିବାକୁ ଇଚ୍ଛା ଥିଲେ ମଧ୍ୟ ନିଜ ଅଫିସ ଯିବା ସମୟ ନିକଟ ହେଇଯାଇଥିବାରୁ ଆଜିର କାମ ଏଇଠି ସ୍ଥଗିତ ରଖିବାକୁ ହେଲା ଅନିନ୍ଦିତାକୁ ।

***********

ମଣିଷ ଧୀରେ ଧୀରେ ଖୁବ୍ ଅସାମାଜିକ ହେଇଯାଉଛି ! ପରିବର୍ତ୍ତିତ ସମୟ ଆଉ ଅଭାବିତ ସୁଯୋଗର ପ୍ରଭାବରେ ସମ୍ପର୍କ ଗଢିବା ସମ୍ଭବ ହେଉନି। ସେଇ ପରିବେଶରେ ଅନିନ୍ଦିତା ପିଲାଟି ସଂକ୍ରାନ୍ତରେ ବିଶେଷ କିଛି ଜାଣି ପାରିଲା ନାହିଁ । କାରଣ ମାଉସୀଙ୍କ ସହ କଥା ହେଇପାରିଲା ନାହିଁ , ପିଲାଟିକୁ ପଚାରିବାର ସୁଯୋଗ ମିଳିଲା ନାହିଁ ଆଉ ତା' ଘରର ଓନର୍ ସେଇଟି ଜଣେ ପେଇଁ ଗେଷ୍ଟ ବ୍ୟତୀତ ଅଧିକ କିଛି ଜଣେଇଲେ

ନାହିଁ ।

ତା' ଗାଁ ହେଇଥିଲେ ପିଲାଟା ସଭିଙ୍କ ପରିଚିତ ହେଇସାରିଥାନ୍ତା । ତା' ମମି ପିଲାଟିର ଜନ୍ମ ଜାତକ ଖେଳେଇ ତା' ସହ ଭାଗବତ ସମ୍ପର୍କଟେ ଯୋଡି ପକେଇଥାନ୍ତା । ଥରେ ଅଧେ ପିଲାଟି ତାଙ୍କ ଘର ଡାଇନିଂ ଟେବୁଲ୍ ଉପରେ ତାଙ୍କ ସହ ରାତ୍ରି ଭୋଜନରେବି ଦେଖା ହେଇସାରିଥାନ୍ତା । ପ୍ରକୃତରେ ଗାଁ ଲୋକ ଗୁଡିକ ସମ୍ପର୍କ ଗଢିବାରେ ଧୁରନ୍ଧର କିନ୍ତୁ ସହର ଲୋକେ ସେପରି ନୁହଁନ୍ତି !....

ସର୍ବମୋଟ ସେଇ ପିଲାଟି ଅପରିଚିତ ପେଇଁ ଗେଷ୍ଟ ଭାବେ ପରିଚିତ ହେଲା । କିନ୍ତୁ ତଥାପି ଭଲ ଲାଗିଲା ଅନିନ୍ଦିତାକୁ କାରଣ କେହି ଜଣେ ବୃଦ୍ଧ ଦମ୍ପତିଙ୍କ ଜୀବନରେ ହଲଚଲ କରୁଥିଲା ।

ଭାବୁଥିଲା ସେ ଏମିତି ଏକାକୀ ମଣିଷଙ୍କ ପାଇଁ ଈଶ୍ୱର ସୁନ୍ଦର ଅତିଥିଟିଏ ପଠେଇ ବଡ଼ ଉପକାର କରିଛନ୍ତି । ପିଲାଟି ନିଶ୍ଚିତ ନୂଆ କିଛି ସମ୍ଭାବନା ଆଣିବ ଜୀବନରେ । ଆଉ ସତବି ଥିଲା ଏଇ ଭାବନା । ବୃଦ୍ଧ ଦମ୍ପତି ଧୀରେ ଧୀରେ ସଜଳ ଲାଗୁଥିଲେ । ଗପ କରୁଥିଲେ ପିଲାଟି ସହ । ଲନ୍ ରେ ବସି ଚା' ପିଉ ଥିଲେ ପ୍ରତିଦିନ । ଆଉ ଏବେ ଅନିନ୍ଦିତାକୁ ଦେଖି ହସୁଥିଲେ ବେଳେବେଳେ। ତାଙ୍କ ଉଦାସ ଚେହେରାରେ ସ୍ନିଗ୍ଧ ଚମକ ସ୍ପଷ୍ଟ ଦିଶୁଥାଲା । ଭାରି ଭଲ ଲାଗୁଥାଲା ଅନିନ୍ଦିତାକୁ।

***************

ସେଦିନ ଅଫିସ ଯାଇ ଅନିନ୍ଦିତା ଖୁବ୍ ଖୁସି

ହେଲା । ସବୁବେଳେ ଚୁପ ହେଇ ନିଜ ସିଷ୍ଟମ ସହ କାମ କରି ଫେରୁଥିବା ଝିଅଟି ପାଇଁ ଆଜି ଜଣେ ବଢିଆ ପାର୍ଟନର୍

ମିଳିଯାଇଥିଲେ ।

ବଡ଼ ଜୋରରେ କେହି ଜଣେ ତାକୁ ' ହାଇ ଦିଦିି ' କହିବାର ଶୁଣି ସେ ଆଶ୍ଚର୍ଯ୍ୟ ହେଲା । ଦେଖିଲା ବେଳକୁ ସେଇ ପିଲାଟି ତା' ଅଫିସରେ କାମ କରୁଛି କିନ୍ତୁ ଗୋଟେ ଭିନ୍ନ ପ୍ରୋଜେକ୍ଟରେ । ଅନିନ୍ଦିତା ମୁଖ୍ୟତଃ ଫିଲ୍ଡରେ ରୁହେ ତେଣୁ ସପ୍ତାହରେ ଥରେ ଅଧେ ଅଫିସ ଆସେ । ସେଥିପାଇଁ ପିଲାଟିକୁ ଦେଖି ପାରିନାହିଁ । ଅଣ ଓଡ଼ିଆ ପିଲାଟେ ବିହାରର ବୋକାରୋ ସହରରୁ ତାରି ଭଳି ଗବେଷକ । ବାହାର ପିଲା ବୋଲି ମିଶି ପାରୁନି ସଭିଙ୍କ ସହ । ତେଣୁ ସେ ତା'

ପଡୋଶୀନି ଅନିନ୍ଦିତାକୁ ନିଜ ଅଫିସରେ ଦେଖି ଖୁବ୍ ଖୁସି ହେଲା । ଆଉ ବନ୍ଧୁତ୍ୱର ହାତ ବଢ଼େଇଲା । ପିଲାଟିର ହିନ୍ଦୀ ମିଶା ଓଡ଼ିଆ ଭଲ ଲାଗିଲା ଅନିନ୍ଦିତାକୁ ଆଉ ଦୁହିଙ୍କ ଗପ ଜମିଲା ।

ଅପରିଚିତ ସହରର ଦୁଇଟି ମଣିଷ ନିଜ ଭିତରେ ସୁନ୍ଦର ପରିଚିତ ସମ୍ପର୍କଟିଏ ଗଢି ଖୁସି ଥିଲେ । ମଣିଷକୁ ନିଃସଙ୍ଗତା ଭଲ ଲାଗେ ନାହିଁ କେବେ । ସାମାଜିକ ପ୍ରାଣୀର ସବୁଠାରୁ ବଡ଼ ଆବଶ୍ୟକତା ଜଣେ

ବନ୍ଧୁ ।

*************

ଆଜି ବହୁତ ଦିନ ପରେ ହେଇଗଲା ନିବୁଜ ମନ ତଳେ ସାଇତା ୨୬ ବର୍ଷ ତଳର ସ୍ମୃତି । ବୋକାରୋ ସହରର ଗଳି କନ୍ଦି, ଷ୍ଟିଲ ପ୍ଲାଣ୍ଟ , ବଡ଼ ପାପା ଆଉ ଅନିନ୍ଦିତାର ପିଲାଦିନ।

ବଡ଼ ମମି ଥିଲେ ଭାରି ସୁନ୍ଦରୀ , ସ୍ନେହୀ , ସର୍ବଗୁଣ ସମ୍ପନ୍ନା କିନ୍ତୁ ମା' ଟିଏ ହେବାକୁ ଅସମର୍ଥ୍ୟ । ତେଣୁ ଅନିନ୍ଦିତାକୁ ନିଜର କରି ନେଇଥିଲେ । ତାଙ୍କ କୋଳରେ ବିତିଥିଲା ତା' ଅତୀତ । ପ୍ଲସ ଟୁ ପଢ଼ୁଥିବା ସମୟରେ ଗୋଟେ ଦୁର୍ଘଟଣାରେ ବଡ଼ ମମି ଚାଲିଗଲେ ଆଉ ସେ ପୁଣି ଫେରିଲା ନିଜ ଘରକୁ । ବଡ଼ ପାପା ଦ୍ଵିତୀୟ ବିବାହ କରିଥିଲେ ତେଣୁ ସେ ଆଉ ଲୋଡ଼ା ନଥିଲା ।

ସେଇ ବୋକାରୋ ସହରରୁ ଆସିଥିବା ପିଲାଟିକୁ ଦେଖି ମନେ ପଡିଗଲା ତା' କଥା । କାହିଁକି କେଜାଣି ପିଲାଟି ଠିକ ତା' ପରି ଲାଗିଲା । ହୁଏତ ଗୋଟେ ଭ୍ରମ ହେଇପାରେ କିନ୍ତୁ ଲାଗିଲା ପ୍ରଛନ୍ନ ଭାବେ । ସେ ବି ରହୁଥିଲା ତାଙ୍କ ପଡୋଶୀ ଘରେ । ଗୀତ ତା'ର ବି ବହୁତ ପସନ୍ଦ ଥିଲା । ଓଃ , ରଜତ ! ଛାତି ତଳର ମହଣ ମହଣ ଅବଶୋଷ । ମୁଠେ ଅପୂର୍ଣ୍ଣ ଇପ୍ସା !

ବାୟୋଟେକ୍ନୋଲୋଜି ପଢୁଥିଲା ରଜତ ସହ ଭେଟ ହେଇଥିଲା ୟୁଥ ଫେଷ୍ଟରେ । ଚମତ୍କାର ପେଣ୍ଟିଂ କରୁଥିବା ରଜତ ବହୁତ ଭଲ ଲାଗିଥିଲା ତାକୁ । ସେଇଠି ପରିଚୟ ଆଉ ପରେ ଅତ୍ମୀୟତା । ଆଦ୍ୟ ଯୌବନର ନିରୀହ ଆକର୍ଷଣ । କେତେ ସୁନ୍ଦର ପେଣ୍ଟିଂ ସବୁ ତା' ଓଠ , ଆଖି , ହାତ , ପଦ , ମୁହଁର ,ଆଜିବି ସାଇତି ରଖିଛି ସେ । ସୁଖି ହେବାକୁ ଭରପୂର ଖୋରାକ ସେଇ ଭିତରେ ତା' ଲାଗି । ବୁଝୁଥିଲା ସେ ରଜତ ଛଡା ଆଉ କେହି ନୁହେଁ ତା' ଯୋଗ୍ୟ । ତାରି ଭିତରେ ସମ୍ପର୍କର ଖିଅ ଖୋଜି ସାରା ଜୀବନର ସ୍ୱପ୍ନ ବୁଣିଦେଇଥିଲେ ସେ। କିନ୍ତୁ ବଡ଼ ମମିଙ୍କ ପରେ ଛାଡ଼ିଗଲା ପ୍ରିୟ ବୋକାରୋ ଆଉ ଇପ୍ସିତ ସ୍ୱପ୍ନ ।

ଯେବେ ସେ ଓଡିଶା ଚାଲିଯିବା କଥା ଶୁଣିଥିଲା ରଜତ କେତେ କାନ୍ଦିଥିଲା ଓଃ! ଛାଡି ନଯିବାକୁ କେତେ ଅନୁରୋଧ କରିଥିଲା ଆଜି ମନେ ପଡିଲେ ଖୁବ୍ ଯନ୍ତ୍ରଣା ହୁଏ ତାକୁ । କିନ୍ତୁ ପ୍ଲସ ଟୁ ପଢ଼ୁଥିବା କିଶୋରୀଟେ ପାଇଁ ପ୍ରେମ ସାଇତିବା କି ସହଜ ?....

ରଜତ ଆଜି କେଉଁଠି ଅଛି ? ଭୁଲିଗଲା ତାକୁ ନା' ଆଜିବି

ଅପେକ୍ଷାରେ ?....

ପ୍ରଶ୍ନ ଯୋଡିକ ବ୍ୟତିବ୍ୟସ୍ତ କରିଦେଲେ ଅନିନ୍ଦିତାକୁ । କାହିଁକି କେଜାଣି ଭାରି ଇଚ୍ଛା ହେଲା ସେଇ ପିଲାଟିକୁ ପଚାରିବ , '' ତୁମ୍ କିସି ରଜତ ତିୱାରୀ କୋ ଜାନତେ ହୋ ? ଉନକି ପାପାଭି ହେଁ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ମେଁ ?'' ......

ଲାଗୁଥିଲା ଯେମିତି ସେଇ ପିଲାଟି ପାଖରେ ଅଛି ରଜତର ଠିକଣା ଆଉ ଅଜସ୍ର ସମ୍ଭାବନା। କିନ୍ତୁ ସେ ପଚାରିଲା ନାହିଁ । କେବଳ ଗପ ଯୋଡ଼ିଲା ପକ୍ଷୀ ମାନଙ୍କର ଜୀବନଚର୍ଯ୍ୟା ସଂକ୍ରାନ୍ତରେ । ଆଉ କିଛି ଟିପ୍ସ ଦେଲା ଭଲ ଗବେଷଣା କରିବାର । ଶିଖେଇଲା ଭଲ ଗବେଷକ ହେବାର ବିଭିନ୍ନ ତରିକା ।

*************

ତା' ନିଜ ବିଲ୍ଡିଂଗରେ ରହୁଥିଲା ଭାରି ସୁନ୍ଦରୀ ବଙ୍ଗାଳୁଣୀ କୋୟଲ ସାନ୍ୟାଲ୍ । ଚୁଲବୁଲି ଝିଅଟି ବୋଧେ ଏବେ ସେଇ ପଲ୍ସ ଟୁ ବୟସରେ । ଛଳ ଛଳ ହରିଣୀ ଆଖି ଯୋଡିକ ତା'ର ଭାରି ସୁନ୍ଦର । ଦେଖା ହେଲେ ଚମତ୍କାର ହସ ବିଞ୍ଚି ଦିଏ ଅନିନ୍ଦିତା ଉପରେ । ଭାରି ଗୋଟେ ମିଠା ମିଠା ବୟସରବାସ୍ନା ତା' ପାଖରେ ।

ଅଜବ ଆଶ୍ଚର୍ଯ୍ୟରେ ଡୁବେଇ ଆସିଥିଲା ସେ ଅନିନ୍ଦିତା ପାଖକୁ ଖୋଜିବାକୁ ତା' ପ୍ରେମର ଠିକଣା ।

--'' ଦିଦି ମୋତେ ହେଲ୍ପ କର ଟିକେ ପ୍ଲିଜ !''

--'' କ'ଣ ହେଇଛି କୋୟଲ ?''

--'' ଦିଦି ଆଇ ଆମ୍ ଇନ୍ କ୍ରସ , ତୁମେ ଜାଣ ତାକୁ !''

--'' କିଏ ?''

--'' ଏଇ ସମ୍ନା ଆଣ୍ଟିଙ୍କ ପେଇଁ ଗେଷ୍ଟ । ତୁମ ଅଫିସରେ ଜବ କରୁଛି । ପ୍ଲିଜ ଦିଦି ଟିକେ ଗାଇଡ଼୍ କର ନା' !''

-- '' ମୁଁ କ'ଣ ଗାଇଡ଼୍ କରିବି ଯେ ?''

--'' କେମିତି ପିଲା ଟିକେ କୁହ ଦିଦି ପ୍ଲିଜ?''

ଅନିନ୍ଦିତା ତାକୁ ପ୍ରବୋଧନା ଦେଇ ବିଦା କଲା । ବୁଝିବ ସେ, ନିଶ୍ଚିତ ବୁଝିବ ପିଲାଟି ବିଷୟରେ ବିଷଦ ଭାବରେ । ଆଉ ଦେବ ଗୋଟେ ସଜଳ ସମ୍ଭାବନା।

ଅଜବ ସୁଖ ଥିଲା ଅନିନ୍ଦିତା ଭିତରେ । ଲାଗୁଥିଲା ସେ ନିଜ ପ୍ରତିବିମ୍ବ ସହ ଭେଟ କରୁଛି ଆଇନା ସାମ୍ନାରେ । କୋୟଲ ଭିତରେ ନିଜକୁ ଆବିଷ୍କାର କରିବାର ସୁଖ ଥିଲା ଚମତ୍କାର ।

ଭାବୁଥିଲା ସେ ସବୁବେଳେ ରଜତ ମାନେ ହିଁ ଆକର୍ଷଣ କରନ୍ତି । ସ୍ୱପ୍ନ ଦେଖାନ୍ତି । ଆଉ ଲାଗୁଥିଲା ତାକୁ

ଏଇ ବୋକାରୋ ସହରର ସବୁ ପିଲା କେବଳ ଆଉ କେବଳ ରଜତ ଆଉ ତାଙ୍କୁ ନେଇ ସ୍ୱପ୍ନ ଦେଖିଥିବା ସବୁ ଝିଅ କେବଳ ଆଉ କେଵଳ ଅନିନ୍ଦିତା !

ବାଲକୋନି ରୁ ଦିଶୁଥିଲା ପିଲାଟି ସେମିତି ଏକ୍ସରସାଇଜ କରୁଥିବାର । ଅନିନ୍ଦିତା ସେଦିନ ପିଲାଟିର ନାଁ ପଚାରି ନଥିଲା । ଆଜି ଭାବିଲା ପଚାରିବ ତାକୁ ନାଁ ଟା ତା'ର ।ତାକୁ ଟିକେ ପିକାଟି ସଂକ୍ରାନ୍ତରେ ବିଷଦ ଅନୁସନ୍ଧାନ କରିବାର ଅଛି ଯେ । ଏଇ ପର୍ଯ୍ୟାୟରେ ପ୍ରଥମ ପଦକ୍ଷେପ ହେଉ ତା' ନାଁ ।

ସେ ଟିକେ ଜୋରରେ ହାତ ହଲେଇଲା ତାକୁ ଦେଖି ଆଉ କହିଲା ,

'' ହାଇ ରଜତ !''...

ପିଲାଟି ବି ସେତିକି ଜୋରରେ ହସି କହିଲା ,

"ହାଇ ଦିଦି !''.........

ଅନିନ୍ଦିତା ଆଶ୍ଚର୍ଯ୍ୟ ହେଉଥିଲା ଭାବି ସତରେ କ'ଣ ଏଇ ପିଲାଟିର ନାଁ ବି "ରଜତ ''.........

*ସୌମ୍ୟା*

ପ୍ରତିବିମ୍ବ ଆଇନା ନିର୍ଲିପ୍ତ

Rate the content


Originality
Flow
Language
Cover design

Comments

Post

Some text some message..