Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

4  

Prasant Kumar Senapati

Others

ମୋତେ ମାର ନାହିଁ

ମୋତେ ମାର ନାହିଁ

7 mins
14.6K


ମୋତେ ମାର ନାହିଁ ବାପା

ବାପା, ମୋତେ ମାର ନାହିଁ । ମୁଁ ଆପଣଙ୍କ ଝିଅ ବାପା, ମୋତେ ଏକୁଟିଆ ଛାଡି ଯାଅ ନାହିଁ । ଅତି ବେଶୀରେ ସେ ଦେଢ ଦିନର ହେବ । ସେ କାନ୍ଦି କାନ୍ଦି ଅତ୍ୟନ୍ତ ଅନୁନୟ ହୋଇ କହୁଥିଲା । ମୋତେ ଜୀବନରେ ଗୋଟିଏ ମୌକା ଦିଅ, ମୁଁ ତୁମର ସବୁ ଦୁଃଖ କଷ୍ଟ ଦୂର କରିଦେବି । ବାପା, ମୋତେ ତୁମେ ନିଜ କୋଳକୁ ନେଇ ଟିକିଏ ସ୍ନେହ ଆଦର କର । ଚାନ୍ଦିନୀ ରାତି ଥିଲା, ପୃଥିବୀ ମା ଚାନ୍ଦର ଧଳା ଚାଦର ଘୋଡେଇ ହୋଇ ତୋଫା ଧୋବ ଫର ଫର ଦିଶୁଥିଲା । ସେ ଦେଢ ଦିନର କନ୍ୟାକୁ ନେଇ ସ୍ମସାନରେ ଫୋପାଡି ଦେବାକୁ ଆସିଥିଲା । ଶିଶୁ କନ୍ୟାର କରୁଣା ଭରା ଚିତ୍କାର ସ୍ମସାନର ନିରୋଳା ପରିବେଶକୁ ଭେଦ କରି ସ୍ମସାନରେ ହଜି ଯାଉଥିଲା । ତଥାପି ତାର ଅନ୍ତର ଆତ୍ମା ଜାଗ୍ରତ ହେଲା ନାହିଁ, ସେ ସ୍ମସାନରେ ଦେଢ ଦିନର ଶିଶୁ କନ୍ୟାକୁ ଛାଡି ଫେରିଲା । ପୁନଶ୍ଚ କରୁଣ କଣ୍ଠ ସ୍ବର ଭାସି ଆସିଲା । ବାପା ସ୍ମସାନରେ ମୁଁ ଜୀବିତ ଥାଉ ଥାଉ ଗୀଧ, ଶୃଗାଳ ଓ କୁକୁରମାନେ ମୋତେ ଝିଣୀ ଝିଣି ମାରିଦେବେ । ମୁଁ ଏତେ କଷ୍ଟ ସହ୍ୟ କରି ପାରିବିନି । ମୋ ଉପରେ ଟିକିଏ ଦୟା କର, ମୋତେ ମାରିଦେଇ ଫୋପାଡି ଦିଅ । ମୁଁ ତୁମ ଔରସରୁ ଜନ୍ମ ବାପା । ଏସବୁ ଶୁଣିବା ପରେ ସେ ନିଜକୁ ସମ୍ଭାଳି ପାରିଲା ନାହିଁ, ନିଜ ରକ୍ତର କରୁଣ କଣ୍ଠ ସ୍ବର ତାର ଅନ୍ତର ଆତ୍ମାକୁ ଦୋହଲାଇ ଦେଇଥିଲା । ସେ ସ୍ମସାନକୁ ଫେରିଲା, ଯେଉଁଠି ନିଜ ଦେଢ ଦିନର ଶିଶୁ କନ୍ୟାକୁ ଛାଡିଥିଲା । ଚାନ୍ଦିନି ରାତିରେ ସେ ଦେଖିଲା ଶୃଗାଳ ଓ ଗୀଧ ମିଶି ଦେଢ ଦିନ କନ୍ୟାର ରକ୍ତ ମାସଂ ଶରୀରକୁ କ୍ଷତ ବିକ୍ଷତ କରି ସାରିଲେଣି । ସେ ବହୁତ ଜୋରେ ଚିତ୍କାର କରିଲା । ତାର ଚିତ୍କାର ଶୁଣି ପାଖରେ ଶୋଇଥିବା ପଲ୍ଲଭି ପଚାରିଲା କଣ ହେଲା ? କିଛି ସ୍ବପ୍ନ ଦେଖିଲ କି ? ଅଜିତର ଆଖିରୁ ଧାର ଧାର ଲୁହ ଝରି ଯାଉଥିଲା ଓ ସେ କହିଲା କିଛି ନାହିଁ, ତୁମେ ଶୋଇପଡ  ସକାଳେ କଥା ହେବା ।

 

 ପଲ୍ଲଭି ଓ ଅଜିତ ଦୁହେଁ ଶୋଇବାକୁ ଚେଷ୍ଟା କରୁଥିଲେ । ହେଲେ ନିଦ୍ରାଦେବୀ ତାଙ୍କ ଠାରୁ ଯେମିତି କୋଶ କୋଶ ଦୂରରେ ଥିଲେ । କିଛି ସମୟ ପରେ ଅଜିତ ପାଣି ପିଇ ନିଜକୁ ସ୍ବାଭବିକ ଅବସ୍ଥାକୁ ଆଣିଲେ । ପଲ୍ଲଭି ଧୀରେ ପଚାରିଲା କି ସ୍ବପ୍ନ ଦେଖିଲ ? ଅଜିତ ସଂକ୍ଷିପ୍ତରେ କହିଥିଲା ହଁ, ।  ପଲ୍ଲଭି ବୁଝି ପାରୁଥିଲା ଅଜିତ ନିଶ୍ଚିତ କୌଣସି ଦୁଃସ୍ବପ୍ନ ଦେଖିଛନ୍ତି । ବହୁତ ସମୟ ପର୍ଯ୍ୟନ୍ତ ଦୁହେଁ ଚୁପଚାପ୍ ବିଛଣାରେ ପଡି ରହିଲେ । ଏହା ମଧ୍ୟରେ କେତେବେଳେ ନିଦ ହୋଈଗଲା ଓ ଦେଖୁ ଦେଖୁ ସକାଳ । ସକାଳେ ନିଦ ଭାଙ୍ଗିବା ମାତ୍ରେ ଅଜିତ ରାତିର ସପନ ବିଷୟରେ ପଲ୍ଲଭିକୁ କହିଲା । ଦୁହେଁ ଏକ ଅଜଣା ବିପଦର ଆଶଙ୍କାରେ ଭୟଭୀତ ହୋଇପଡିଲେ । ଦୁହେଁ  ବିଛଣାରେ ପଡିରହି ଏପରି ଏକ ଦୁଃସ୍ବପ୍ନ ବିଷୟରେ ଚିନ୍ତା କରୁଥିଲେ ।

 

ଆଲୋ ମହାରାଣୀ, ହଳୁଆ ଯାଇ ବିଲରେ ଦଶ ଗୁଣ୍ଠ ହଳ କଲାଣି, ହେଲେ ଆମ ବାବୁଆଣିର ନିଦ ଭାଙ୍ଗୁନି । ଏ ରଡି ଥିଲା ପଲ୍ଲଭିର ଶାଶୁ କମଳା ଦେବୀଙ୍କର । ଶିଘ୍ର ଶିଘ୍ର ଉଠି ମୋ ପାଇଁ ଚାହା କର । ଆଜି ମୋର ବହୁତ କାମ ଅଛି ଓ ମଧ୍ୟାହ୍ନ ଭୋଜନ ବି ଶିଘ୍ର ସାରିଦେବୁ । ମୁଁ କ୍ଷେତ ଆଡୁ ଘେରାଏ ବୁଲିଆସି ପଣ୍ଡିତ ମହାଶୟଙ୍କ ଘରକୁ ଯିବି । ପେଟରେ ନଅମାସ ହେଲାଣି, ମୋ ଘରକୁ କାହ୍ନା ଆସିବ । ତା ପାଇଁ ପୂଜା କରିବାକୁ ହେବ କି ନାହିଁ । ପଲ୍ଲଭି ନଅ ମାସର ଗର୍ଭବତୀ ଥିଲା । ଶାଶୁମାଙ୍କ ରଡି ଶୁଣି ତରତର ହୋଇ ନିଜ କାମରେ ଲାଗି ପଡିଲା । ଅଜିତ ବି ଭାରି ଭାରି ଚିନ୍ତାର ବୋଝ ନେଇ ବିଛଣାରୁ ଉଠି ଆସିଲା । ଆଜି ତାକୁ ଅଫିସ୍ ଯିବାର ନାହିଁ । ଆଜି ଘରେ ପୂଜା ହେବ । ସେଥିପାଇଁ ମା ପଣ୍ଡିତଙ୍କ ପାଖରୁ ପୂଜା ସାମଗ୍ରୀର ଚିଠା ଆଣିଲେ, ସେ  ପୂଜା ସାମଗ୍ରୀ ପାଇଁ ମାର୍କେଟିଙ୍ଗ କରିବାକୁ ଯିବ । ଅଜିତ ବିଛଣାରୁ ଉଠି ବାଲକୋନିର ଚେୟାର ବସି ପଡିଲା । ଦୁଇ ବର୍ଷର ଏକ ସୁନ୍ଦର କୋମଳମତୀ କନ୍ୟା ତାର ବାପା ହାତ ଧରି ଥିରୀ ଥିରୀ ଚାଲୁଥିବାର ଦେଖି ସେ ହଜିଗଲା ଭାବନା ଦୁନିଆରେ ।

 

ଚାରି ବର୍ଷ ପୂର୍ବରୁ ତାର ବାହାଘର ପଲ୍ଲଭି ସହିତ ହୋଇଥିଲା । ଯେତେବେଳେ ପଲ୍ଲଭି ପ୍ରଥମଥର ପାଇଁ ଗର୍ଭବତୀ ହେଲା ମା କହିଲା ମୋର ନାତୁଣୀ ଦରକାର ନାହିଁ ନାତୀ ଦରକାର । ମୋ ବଂଶର କୁଳନନ୍ଦନ ଦରକାର । ମା ଆପଣ ଇଏ କି କଥା କହୁଛୁ ? ଆଜିକାଲି ସମୟ ବଦଳି ଗଲାଣି । ପୁଅ ଝିଅ ସଭିଏଁ ସମାନ । ଝିଅ ତ ଲକ୍ଷ୍ମୀଙ୍କ ସ୍ବରୁପ । ଯାହା ବି ହେଉ, ସବୁ ସେ ଉପର ବାଲାର ହାତ କଥା । ଟିକିଏ ଭାବିଲୁ, ଯଦି ଝିଅ ନଥାନ୍ତେ ଏ ସଂସାର କଣ ଚାଲନ୍ତା ? ଅଜିତ କହିଥିଲା । ମୁଁ ତୋତେ ଜନମ ଦେଇଛି, ତୁ ଆଜି ବଡ ହୋଇଗଲୁ ବୋଲି ମୋତେ ଶିଖାଇବୁ । ମୁଁ ତୋତେ ସଂସାର ଦେଖାଇଛି ଆଉ ଆଜି ତୁ ମୋତେ ଉପଦେଶ ଦେଉଛୁ । ଯାହା ବି ହେଉ ମୋର ନାତୀ ଦରକାର । ମୋର ଝିଅ ଫିଅ ଦରକାର ନାହିଁ । ତୁ ପଲ୍ଲଭିକୁ ନେଇ ସହର ଯା, ସେଠାରେ କମୁନୁଟର କରି  ପୁଅ କି ଝିଅ ଅଛି ଯାଞ୍ଚ କରିନେ । ଝିଅ ଥିଲେ ସେଇଠି ମାରି ଦେଇ ଆସିବୁ । ଅଜିତ ମା'ର ଏପରି କଥା ଶୁଣି ଆଶ୍ଚର୍ଯ୍ୟ ହେଲା । ଯେତେ ବୁଝାଇଲେ ବି ସେହି ଏକା ଯିଦ୍ଦି, ମୋର ନାତୀଟିଏ ଦରକାର । ନଚେତ୍ ପଲ୍ଲଭିକୁ ମୁଁ ଏଠାରେ ରହିଋବାକୁ ଦେବି ନାହିଁ । ଶେଷରେ ବାଧ୍ୟ ହୋଇ ଅଜିତ ପଲ୍ଲଭିକୁ ନେଇ ସହରର ଏକ ହସ୍ପିଟାଲରେ ତାର ଯାଞ୍ଚ କଲା । ଯାଞ୍ଚ ରିପୋର୍ଟରେ ଝିଅ ଥିବା କଥା ଜଣା ପଡିବା ପରେ ଅଜିତ ଡାକ୍ତରଙ୍କୁ ଗର୍ଭ ନଷ୍ଟ କରିଦେବା ପାଇଁ ଅନୁରୋଧ କଲା । ଡାକ୍ତର ଅଜିତକୁ ବୁଝାଇବାକୁ ଯାଇ କହିଲେ ଏହା ତୁମର ପ୍ରଥମ ସନ୍ତାନ । ତେଣୁ ଏହାକୁ ନଷ୍ଟ କରିବା ଅନୁଚିତ୍ । ବହୁ ସମୟରେ ଏପରି ହୋଇଥାଏ ପ୍ରଥମ ଗର୍ଭ ନଷ୍ଟ କରିଦେଲେ, ଆଉ ଗର୍ଭ ରହେ ନାହିଁ । ଡାକ୍ତରଙ୍କ ବୁଝାଶୁଝା ପରେ ଅଜିତ ଫେରି ଆସିଥିଲା । ରାସ୍ତା ସାରା ଭାବୁଥିଲା ମାକୁ କଣ କହି ବୁଝାଇବ । ପଲ୍ଲଭି ଅଜିତକୁ ଚିନ୍ତାଗ୍ରସ୍ଥ ଦେଖି ପଚାରିଲା କଣ ହୋଇଛି ଓ ଡାକ୍ତର କଣ କହିଲେ ? ଅଜିତ କହିଲା ତୁମ ଗର୍ଭରେ ଝିଅ ଅଛି । ଝିଅ ଥିବା କଥା ଶୁଣି ପଲ୍ଲଭି ଖୁସି ହୋଇଗଲା ଓ କହିଲା ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଥିଲି ମୋର ପ୍ରଥମେ ଝିଅ ହେଉ । ଏପଟେ ପଲ୍ଲଭିର ଖୁସି ଓ ସେପଟେ ମା'ର ଯିଦ୍ଦି ମଝିରେ ବଳି ପଡି ଯାଉଥିଲା ଅଜିତ । ପଲ୍ଲଭି ବହୁତ ଖୁସି ହୋଇ ଝିଅ ନାଁ କଣ ରଖାଯିବ ଭାବୁଥିଲା । ଅଜିତକୁ ନୀରବ ଦେଖି ପଲ୍ଲଭି ପଚାରିଲା ତୁମର କଣ ପୁଅ ଦରକାର ଥିଲା କି ? ମୁଁ ସତ କହୁଛି ଆର ଥରକୁ ନିଶ୍ଚିତ ପୁଅଟେ ଆସିବ । ମୋ ଉପରେ ଭରଷା ରଖ । ଝିଅ ହେବ ବୋଲି ତମେ ଏତେ ଦୁଃଖୀ ନା ? ଅଜିତ କହିଲା ମୁଁ ପୁଅ ଓ ଝିଅ ଭିତରେ କିଛି ଫରକ ଦେଖେ ନାହିଁ । ପୁଅ ହେଲେ ଯେତିକି ଖୁସି ହୋଇଥାନ୍ତି, ଝିଅ ହେଲେ ବି ସେତିକି ଖୁସି ହେବି । କଥା କଣ କି, ମାକୁ ଝିଅ ଯମା ପସନ୍ଦ ନୁହଁ । ସେ ଚାହୁଁଛି ଝିଅ ଥିଲେ ନଷ୍ଟ କରିଦେବା ପାଇଁ । ପଲ୍ଲଭି ଏବେ ବୁଝି ପାରିଲା ଅଜିତ କଣ ପାଇଁ ତାକୁ ସହରର ବଡ ହସ୍ପିଟାଲକୁ ନେଇ ଆସିଥିଲା । ତାର ଆଖି କୋଣରୁ ଧାର ଧାର ଲୁହ ଝରୁଥିଲା । 

 

ଘରେ ପହଞ୍ଚିବା ପରେ ମା ପଚାରିଲା କଣ ଅଛି ? ପଲ୍ଲଭି ନିଜ କୋଠରୀରେ ଥାଇ ସବୁ ଶୁଣୁଥିଲା । ଅଜିତ ପାଖରୁ କିଛି ଉତ୍ତର ନପାଇ ସେ ବୁଝିଗଲେ ଓ ପଚାରିଲେ ତୁମେ ଡାକ୍ତରଙ୍କୁ ନଷ୍ଟ କରିବାକୁ କହିଲ ? ଅଜିତ ମାକୁ ଡାକ୍ତର କହିଥିବା ସବୁକଥା ବୁଝାଇଲା । ହେଲେ ମା କିଛି ନବୁଝି କହୁଥିଲା ସହରରେ କେତେ ହସ୍ପିଟାଲ ଅଛି । ପଇସା ଦେଲେ ସବୁକିଛି ହୋଇ ପାରିବ । ତୁମେ ଦୁଇଦିନ ପରେ ଅନ୍ୟ ଡାକ୍ତରଙ୍କ ସହ କଥା ହୋଇ ଗର୍ଭ ନଷ୍ଟ କରିବାର ବ୍ୟବସ୍ଥା କର । କିନ୍ତୁ ଭାଗ୍ୟର ଲେଖା, ସେ କନ୍ୟା ସନ୍ତାନ ଜନ୍ମ ହେବାର ଥିଲା । ତାକୁ ବା କିଏ ଟାଳି ପାରିବ । ଦୁଇଦିନ ପରେ କୌଣସି କାରଣରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହରର ସମସ୍ତ ହସ୍ପିଟାଲ ଉପରେ କଡା ନଜର ରଖାଗଲା । କୌଣସି ବି ଡାକ୍ତର ଭୟରେ ଲୁଚି ଛପି ଗର୍ଭ ନଷ୍ଟ କରିବାକୁ ରାଜି ହେଲେ ନାହିଁ । ଶେଷରେ ନିର୍ଦ୍ଧିଷ୍ଟ ଦିନ ଆସିଲା, ଯେଉଁଦିନ ପଲ୍ଲଭି ଏକ ସୁନ୍ଦର କନ୍ୟାକୁ ଜନ୍ମ ଦେଲା । ଘରକୁ ପ୍ରଥମେ ଝିଅ ଆସିବାର ଦେଖି ତାର ଶାଶୁ ତାକୁ ଆଡ ଆଖିରେ ଚାହିଁଲେ ନାହିଁ । ତାର ସେବା ଯତ୍ନ ବି କଲେ ନାହିଁ । ଶାଶୁ ସେ କୋଠରୀରେ ପାଦ ବି ରଖିଲେ ନାହିଁ, ଯେଉଁ କୋଠରୀରେ ପଲ୍ଲଭି ନିଜ ନବ ଜନ୍ମିତା କନ୍ୟାକୁ ଧରି ରହୁଥିଲା । ନୀୟତିର ଖେଳ, ଘଟିବାର ଆଉକିଛି ଥିଲା । ପାଞ୍ଚଦିନ ପରେ ହଠାତ୍ ନବଜନ୍ମା କନ୍ୟାକୁ ପ୍ରବଳ ଜ୍ବର ଆସିଲା ଓ ଜ୍ବର ହେବାର ଅଳପ କିଛି ଘଣ୍ଟା ପରେ ତାର ମୃତ୍ୟୁ ହୋଇଗଲା । ପଲ୍ଲଭିର ଶାଶୁ ବୋଧେ ଖୁସି ହୋଇଥିିଲେ, କାରଣ ଭଗବାନ ତାଙ୍କ ଡାକ ଶୁଣିଥିଲେ । ନବ ଜନ୍ମିତା କନ୍ୟାର ବିଚ୍ଛେଦ ପଲ୍ଲଭିକୁ ବହୁତ କଷ୍ଟ ଦେଇଥିଲା । ଏହା ଭିତରେ ପଲ୍ଲଭି ଚାରିଥର ଗର୍ଭବତୀ ହେଲାଣି ଓ ପ୍ରତ୍ୟକଥର ଯାଞ୍ଚରେ ଝିଅ ଅଛି ଜାଣିବା ପରେ ମାଙ୍କ ଆଦେଶରେ ଅଜିତ ପଲ୍ଲଭି ଗର୍ଭ ନଷ୍ଟ କରି ଚାଲିଥିଲା । ପଞ୍ଚମ ଥର ଯାଞ୍ଚ ପରେ ଡାକ୍ତର ଅଭିନନ୍ଦନ ଜଣାଇ କହିଲେ ଏଥର ଗର୍ଭରେ ପୁଅ ଅଛି । କିନ୍ତୁ ଦୁଃଖର କଥା ଶିଶୁଟି ବହୁତ ଦୁର୍ବଳ । ତେଣୁ ମା ଓ ଛୁଆର ଯତ୍ନ ସଠିକ୍ ରୁପେ ନେବାକୁ ପଡିବ । ନହେଲେ ଉଭୟଙ୍କ ପ୍ରତି ବିପଦ ଆସିପାରେ । ଅଜିତ ଖୁସୀ ଖବର ମାକୁ କହିବା ମାତ୍ରେ ମା ଖୁସି ଖୁସି ପଲ୍ଲଭିକୁ ଆଦରି ନେଲେ ଓ କୋଳକୁ ନେଇ ସ୍ନେହ ଆଲିଙ୍ଗନ କଲେ । 

ହଠାତ୍ ପଲ୍ଲଭିର କଣ୍ଠ ସ୍ବର ଶୁଣି ସେ ଭାବନା ରାଇଜରୁ ଫେରି ଆସିଲା । ଇତିମଧ୍ୟରେ ଦୁଇ ଘଣ୍ଟା ବିତି ଗଲାଣି ସେ ଜାଣି ପାରିଲା ନାହିଁ । ତଥାପି ରହି ରହି ଗତ ରାତିର ସ୍ବପ୍ନ ତାକୁ ଖାଇ ଗୋଡାଉ ଥିଲା । ଏହା ଭିତରେ ମା କ୍ଷେତରୁ ଫେରି ଆସି ପଣ୍ଡିତଙ୍କ ଘରକୁ ପୂଜା ସାମଗ୍ରୀ ଚିଠା ପାଇଁ ଚାଲିଗଲେ । ସଂନ୍ଧ୍ୟାରେ ହେବାକୁ ଥିବା ପୂଜା ପାଇଁ ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ହୋଇଗଲେ । 

 

ସେଦିନ ସଂନ୍ଧ୍ୟାରେ ଘରର ପରିବେଶ ଉତ୍ସାହ ପୁର୍ଣ୍ଣ ଥିଲା । ନୂଆକରି ଘରକୁ ଆସିବାକୁ ଥିବା ଅତିଥୀକୁ ନେଇ ସମସ୍ତେ କେତେ କେତେ ନୂଆ ନୂଆ ସପନ ଦେଖି ଚାଲିଥିଲେ । ପଲ୍ଲଭି ବହୁତ ଖୁସି ଥିଲା, କାରଣ ମାତୃତ୍ବ ଲାଭ କରି ମଧ୍ୟ ସେ ଆଜି ପର୍ଯ୍ୟନ୍ତ ମା ଡାକ ଶୁଣିପାରି ନଥିଲା । ସମସ୍ତଙ୍କ କଥାନୁସାରେ ପୁଅର ନାମ ଅଭିନନ୍ଦନ ରଖାଯିବ, ଏହାର ପରିକଳ୍ପନା ସେମାନେ କରି ସାରିଥିଲେ । ସଂନ୍ଧ୍ୟା ହେବା ମାତ୍ରେ ଆକାଶରେ ସାମାନ୍ୟ ବାଦଲ ଖଣ୍ଡ ଦେଖାଗଲା ଓ କିଛି ସମୟ ଉପରାନ୍ତେ ପ୍ରବଳ ଝଡ ବର୍ଷା ଆରମ୍ଭ ହୋଇ ଯାଇଥିଲା । ହଠାତ୍ ପଲ୍ଲଭିର ପାଦ ମାଟି କାଦୁଅରେ ପଡି ଖସିଡି ଗଲା ଓ ସେ ତଳେ କଚାଡି ହୋଇ ପଡିବାରୁ ପେଟରେ ଆଘାତ ଲାଗି ଯନ୍ତ୍ରଣା ଆରମ୍ଭ ହେଲା । ଏହି ଯନ୍ତ୍ରଣା ଧୀରେ ଧୀରେ ପ୍ରସବ ବେଦନାରେ ପରିଣତ ହେଲା । ଅଜିତର ମା ସହିତ ଗାଁର ଅନ୍ୟ କେତେଜଣ ପ୍ରୌଢ ମହିଳା ପଲ୍ଲଭି ନିକଟରେ ଥିଲେ । ପଲ୍ଲଭିର ଦୁଃଖ କଷ୍ଟ ଓ  ଚିତ୍କାର ଅଜିତର କାନରେ ରହି ରହି ଶୁଭୁଥିଲା । ସେ ଅନୁମାନ କରୁଥିଲା ଆଜି ପଲ୍ଲଭିର ଚିତ୍କାର ସେ ପୂର୍ବରୁ କେବେ ନା କେବେ ଶୁଣିଛି । ହଠାତ୍ ସେ ଗମ୍ଭିର ହୋଇଗଲା ଓ କାଲି ରାତିର ସ୍ବପ୍ନ ତାର ମନେ ପଡିଗଲା । ଠିକ୍ ଏହିପରି ଚିତ୍କାର ଓ ପଲ୍ଲଭି ପରି ଆକୁଳ ନିବେଦନ ଶୁଣିଥିଲା ସେ । ତାର ଆଖି ଆଗରେ ନାଚି ଯାଉଥିଲା ଚାରି ଚାରିଟି କନ୍ୟା ସନ୍ତାନକୁ ସେ ମାତୃଗର୍ଭରେ ମାରି ଦେଇଛି । ନିଜକୁ ନିଜେ ଘୃଣା କରୁଥିଲା ସେ । ଝଡ ବତାସ କମିବାର ନାଁ ଧରୁନଥାଏ । ରାତି ପାହି ସକାଳ ହେଲା । କୌଣସି ମତେ ପଲ୍ଲଭିକୁ ନେଇ ସହରର ଏକ ବଡ ହସ୍ପିଟାଲରେ ପହଞ୍ଚିଲା  । ହସ୍ପିଟାଲରେ ଡାକ୍ତରମାନେ ପଲ୍ଲଭିର ଚିକିତ୍ସାରେ ଲାଗିଗଲେ ଓ ତାର ସିଜରିଙ୍ଗ ଅପେରସନ କରାଗଲା । ଅନେକ ଚେଷ୍ଠା ଓ ପ୍ରଚେଷ୍ଠା ପରେ ବି ଡାକ୍ତରମାନେ ପଲ୍ଲଭିକୁ ଓ ତାର ପିଲାକୁ ବଞ୍ଚାଇବାରେ ଅସଫଳ ହେଲେ । ପଲ୍ଲଭି ସେ ପରିବାରକୁ କୂଳଦୀପକ ନଦେଇ ସଂସାର ଛାଡିଥିଲା । ଅଜିତ ପଲ୍ଲଭିର ମୃତ୍ୟୁରେ ସ୍ତବ୍ଧ ହୋଇଗଲା । ପୁତ୍ର ସନ୍ତାନର ଆଶାରେ ସେ ପଲ୍ଲଭିକୁ ମୃତ୍ୟୁ ମୁଖକୁ ଠେଲି ଦେଇଥିଲା । ସେ ଏପରି ଏକ ଆକସ୍ମିକ ଦୁର୍ଘଟଣାକୁ ସାମନା କରିନପାରି ନିଜ ମାନସିକ ଭାରସାମ୍ୟ ହରାଇ ବସିଲା । ଏବେ ସେ ସାରା ସହର ବୁଲି ବୁଲି କହୁଛି ଧ୍ୟାନ ଦେଇ ଶୁଣ, ମୋ ଝିଅ କାନ୍ଦୁଛି ଓ କହୁଛି ମୋତେ ମାରନାହିଁ ବାପା । ମୋତେ ମାର ନାହିଁ ବାପା । ଏତିକି କହି କହି ସେ କାନ୍ଦିପକାଏ ଓ ଲୋକମାନେ ତାକୁ ପାଗଳ କୁହନ୍ତି ।


Rate this content
Log in