Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଲେଣ୍ଟାଇନ୍ ଡେ
ଭାଲେଣ୍ଟାଇନ୍ ଡେ
★★★★★

© Kamala Satpathy

Drama Others

9 Minutes   13.9K    17


Content Ranking

ସକାଳ ପହରୁ ମୋବାଇଲ୍ ଟାକୁ କାନରେ ଦେଇ କ’ଣ ଯେ ଟୁପୁରୁ ଟୁପୁରୁ କଥା ଚଲେଇଛି, ହଜାର ଥର ଡାକ ମାରିବା ପରେ ବି କ’ଣ ତାକୁ ଶୁଭୁଛି ! ବିରକ୍ତ ହେଇ ପଡିଲେଣି ଆଶାଲତା ଦେବୀ, ହେଲେ ସେଥିକୁ ତାଙ୍କ ନାତୁଣୀର ବା କି ଯାଏ ଆସେ ! ଖାଇବା ବଢାହେଇ ଥଣ୍ଡା ହେବାକୁ ବସିଲାଣି, ସେଥିପାଇଁ ଦୁଇ ତିନି ଥର ତାକୁ ଯାଇକି ଡାକିକି ଆସି ସାରିଲେଣି, କିନ୍ତୁ ତାଙ୍କ କଥା ତାଙ୍କ ଠେଇ ସେମିତି ରହିଛି । କ’ଣ ଏତେ କଥା ଅଛି ତା’ର କେଜାଣି ! ଦିନରାତି ଚାଲିଲେ ବି ଶେଷ ହେବାର ନାଁ ଧରୁନି । ଏଣେ ଘରେ ପଦେ କିଛି କହିଲେ ଚିଡିଯିବ ଏକଥା କହି ଯେ କେତେ ବକ ବକ କରୁଛ । ହଁ ଲୋ ମା’, କାହିଁକି ନ କହିବୁ !

“ଆଜିକା ଛୁଆଙ୍କୁ ଜମା ପାରିହେବନି !” ମନେ ମନେ ବିରକ୍ତ ହୋଇ ଖାଇବା ପ୍ଲେଟ୍ ଟା ମାଇକ୍ରୋୱେଭ୍ ଭିତରେ ରଖିବାକୁ ଯାଉଥିଲା ବେଳେ ସ୍ଥିତି ଝଡ ବେଗରେ ଘର ଭିତରକୁ ପଶି ଆସି ଖାଇବାକୁ ମାଗିଲା, ଆଉ ତାଙ୍କୁ ଖାଇବା ଗରମ କରିବାକୁ ଯାଉଥିବାର ଦେଖି ପାଟି କରିଉଠିଲା, “ଥାଉ, ଥାଉ ଗରମ କରିବା ଦରକାର ନାହିଁ । ଶୀଘ୍ର ଦିଅ, ମୋର ତେଣେ ଡେରି ହେଇଯାଉଛି ।“

“କ’ଣ ଡେରି ହେଇଯାଉଛି ମ ! ପାଞ୍ଚ ଘଣ୍ଟା କାଳ ଫୋନ୍ ରେ ଗପିଲା ବେଳକୁ ଡେରି ହେଉନଥିଲା, ଆଉ ଏଇଲେ ଗୋଟାଏ ମିନିଟ୍ ରେ ତୋର ଡେରି ହେଇଯାଉଛି ! ରହ ରହ ଟିକିଏ ଗରମ କରିଦିଏ .. ଥଣ୍ଡାଟା କେମିତି ଖାଇବୁ ? ସେତେବେଳୁ ଡାକୁଛି ..”

“ଓଃ .. ଜେଜେମା’, ତୁମେ ବୁଝିବନି ମୋଟେ .. ସୁବାସ ଆସି ପହଞ୍ଚିଗଲାଣି । ସାଙ୍ଗେ ସାଙ୍ଗେ ବାହାରିବାକୁ ପଡିବ, ନହେଲେ ମୁହଁ ଫୁଲେଇବ ସେ । ଆଜି ପରା ଭାଲେଣ୍ଟାଇନ୍ ଡେ .. ଆଜିକା ଦିନରେ ତାକୁ ରଗେଇବା କ’ଣ ଠିକ୍ ହେବ !” ପରଟାଟାକୁ ମୋଡି ମାଡି କରି ପାଟି ଭିତରକୁ ଠେଲି ଦେଉ ଦେଉ ଉତ୍ତର ଦେଲା ସ୍ଥିତି ।

“ଏଡେ ରାଗିବାବାଲା ସେ ହେଇଛି ! ହାତଗଣ୍ଠି ପଡିନି କି ଦଶ ଦିଗପାଳଙ୍କୁ ସାକ୍ଷୀ ରଖାଯାଇନି ଏପର୍ଯ୍ୟନ୍ତ, ଆଉ ରାଗ ଦେଖୋଉଛି ସେ ! ଆଉ ତୁ ବି ଏତେ ଚତୁରୀ ଯେ ତା’ ରାଗରୋଷକୁ ଏବେଠୁ ଏତେ ଖିଆଲ କଲୁଣି ! ଆମ ବେଳେ ତ ..”

“ଥାଉ ଥାଉ ଜେଜେମା’, ତୁମ ବେଳ କଥା ଆରମ୍ଭ କରିଦିଅନି ଏବେ । ମୋର ବେଳ ନାହିଁ ସେସବୁ ଶୁଣିବାକୁ । ସୁବାସର ମେସେଜ୍ ଆସି ସାରିଲାଣି, ସେ ଗେଟ୍ ପାଖରେ ଠିଆ ହେଇଛି ।“ ପାଟି ଭିତରର ଖାଇବାଟା ନ ସରୁଣୁ ପାଣି ବୋତଲଟାକୁ ପାଟିରେ ଲଗେଇ ଢକ ଢକ କରି ମୁନ୍ଦେ ପିଇଦେଇ ଧଡ୍ ଧଡ୍ ବାହାରି ଚାଲିଗଲା ସ୍ଥିତି । ହାଁ କରି ଚାହିଁ ରହିଗଲେ ଆଶାଲତା ତାଙ୍କ ନାତୁଣୀକୁ । କି ଯୁଗ ହେଲାଣି ସତରେ ! ବେଦିରେ ନ ବସି ବି ସେମାନେ ସ୍ବାମୀ ସ୍ତ୍ରୀ । ଏଇଲେ ସେ ଟୋକାଟା ସାଙ୍ଗରେ ତା’ ବାଇକ୍ ପଛରେ ବସି ଦିନ ତମାମ ଘିରି ଘିରି ହେଇ ବୁଲିବ । ବେଳ ବୁଡ ସରିକି ଆସିବ । ଖାଇବାର ନାହିଁ କି ପିଇବାର ନାହିଁ । କହିଲେ କହିବ, “ତୁମେ କ’ଣ ଭାବୁଛ, ଆମେ ଉପାସ ଥିବୁ !” ପ୍ରଶ୍ନ ଥିବ ତା’ ଜାଗାରେ, ଆଉ ଉତ୍ତର ରହିଯିବ ତା’ ଜାଗାରେ । ପୁଣି ଫୋନ୍ ଟାକୁ କାନରେ ଲଗେଇ ଆରମ୍ଭ ହେଇଯିବ ସେମାନଙ୍କ ଟୁପୁଟାପ କଥା ।

କହୁଛି କ’ଣ ନା ଆଜି ଭାଲେଣ୍ଟାଇନ୍ ଡେ .. ଇଏ ପୁଣି ଗୋଟାଏ କୋଉ ଦିନ ? ଏଇଟା ନ ହେଇଥିଲେ କ’ଣ ତା’ ସାଙ୍ଗରେ ସେ ବୁଲି ନଥାନ୍ତା ! ରୋଜ୍ ରୋଜ୍ ତ ଟୋକାଟା ବାଇକ୍ ଧରି ପଳେଇ ଆସୁଛି, ଆଉ ନଖାଇ ନପିଇ ଇଏ ବି ଦଉଡି ଯାଉଛି ତା’ ସହିତ ବୁଲିବାକୁ । ନା ଲାଜ ଅଛି ନା ସରମ । ଜାଣିବା ଶୁଣିବା ଲୋକେ ଚାହିଁଛନ୍ତି .. କ’ଣ ଭାବୁଥିବେ ସେମାନେ ଯେ ! .. ହେଲେ ସେଥିକୁ କାହାର ପରୁୱା ଅଛି ଏଠି !

ବୋହୂକୁ କହିଲେ, କଥାଟା ପୂରା ଶୁଣୁ ନଶୁଣୁ ଗମ୍ଭୀର ସ୍ବରରେ କହିଉଠିବ, “କାହିଁକି ସେ ବିଷୟରେ ଚିନ୍ତା କରୁଛନ୍ତି ! ସ୍ଥିତି କ’ଣ ଆଉ ଛୋଟ ପିଲା ହେଇ ଅଛି !”

ଆଶାଲତା କହିବାକୁ ଚାହୁଁଥାନ୍ତି, ଛୋଟ ପିଲା ହୋଇ ନାହିଁ ବୋଲି ତ ଚିନ୍ତା କରୁଛି । କିନ୍ତୁ ତା’ର ଭାରାକ୍ରାନ୍ତ ମୁହଁକୁ ଚାହିଁ ତୁନି ପଡିଯାନ୍ତି । ଅଫିସ୍ ଫେରନ୍ତି କିଛି ବି କହିଲେ ମୁହଁ ଫଣ ଫଣ ହେଇଯାଏ ତା’ର । ଥାଉ, ଆଉ କୋଉ ଦିନ କହିବେ ବୁଝେଇକରି । କିନ୍ତୁ ସେ ‘ଆଉ କୋଉ ଦିନ’ ଟା କେବେ ବି ଆସେନା । ପୁଅ କି ବୋହୂ, କାହାରି ପାଖରେ ଟିକିଏ ବି ସମୟ ନାହିଁ ଏସବୁ ପୁରୁଣା କାଳିଆ ଚିନ୍ତାଧାରା ବିଷୟରେ ଚିନ୍ତା କରିବାକୁ, ତା’ର ମହତ୍ତ୍ବ ବୁଝିବାକୁ । ବଡ ଅଫିସର୍ ସେମାନେ । ତାଙ୍କ ମୁଣ୍ଡରେ ଦୁନିଆ ଚିନ୍ତା – ଅଫିସ୍ ଚିନ୍ତା .. ଟେଣ୍ଡର ଚିନ୍ତା .. ସେୟାର୍ ଚିନ୍ତା .. ଫରେନ୍ ଡେଲିଗେଟ୍ସଙ୍କ ଚିନ୍ତା .. ଏତେ ସବୁ ଚିନ୍ତା ଭିତରେ ଝିଅର ଚିନ୍ତାକୁ କୋଉଠି ପୂରେଇ ପାରିବେ ସେମାନେ ? ଆଶାଲତା ହି ବାଡେଇ ପିଟେଇ ହୁଅନ୍ତି ମଝିରେ ।

ସୁବାସ ପିଲାଟା ଭଲ, ଜଣାଶୁଣା ପରିବାରର, ଭଲ ଚାକିରିଟିଏ କରିଛି । ସବୁକିଛି ଭଲ ବୋଲି ସ୍ଥିତି ସହିତ ବାହାଘର ଠିକ୍ କରାହେଇଛି । ସେଥିରେ ସେ ବି ଖୁସି ଅଛନ୍ତି । ହେଲେ ମଝିରେ ଉଭୟ ପଟରୁ ‘କେଁ’ଟାଏ ରଖାହେଇଛି । ଆଉ ସେ ‘କେଁ’ଟା ହେଲା - ସେମାନେ ପରସ୍ପର ଆଗ ମିଶନ୍ତୁ, ଜାଣନ୍ତୁ, ଯଦି ଉଭୟ ଉଭୟଙ୍କୁ ଆଡଜଷ୍ଟ୍ କରିପାରିବେ, ତେବେ ବିବାହ ହେବ, ତାହା ପୁଣି ଦୁଇ ତିନି ମାସ ପରେ । ନହେଲେ ନାଇଁ ।

ଏଇ କଥାଟା ଆଶାଲତାଙ୍କ ମନକୁ ମୋଟେ ପାଉନି । ଏଗୁଡା କି ଅବାଗିଆ କଥା ! ବାହାଘର ପୂର୍ବରୁ ପୁଅ ଝିଅଙ୍କର ମିଳାମିଶା କଥାଟା ତାଙ୍କୁ କାହିଁ ଜମା ଠିକ୍ ଲାଗେନି । ଦୁନିଆ ବଦଳି ଗଲାଣି, ସେ ଜାଣନ୍ତି । କିନ୍ତୁ ମଣିଷର ମନ ତ ବଦଳିନି .. ପୁଅ ଝିଅଙ୍କ ସଂପର୍କ ତ ବଦଳିନି । ତେବେ କୋଉ ଭରସାରେ ବଢିଲା ଝିଅଟାକୁ ସେ ପୁଅ ସାଙ୍ଗରେ ବୁଲିବାକୁ ଛାଡି ଦଉଛନ୍ତି ତା’ ବାପ ମା’ ! ସେକଥା କହିଲେ ପୁଅ ତାଙ୍କର କୁହେ, ‘ଓଃ ହୋ .. ସେମାନେ ପରା ଦିନ କେଇଟା ପରେ ବାହା ହେବେ !’ ହେଲେ .. ବାହାଘର ଠିକ୍ ହେବା ଆଉ ବାହାଘର ହେଇଯିବା ଭିତରେ କ’ଣ କିଛି ଫରକ ନାହିଁ ! ଖାଲି ଠିକ୍ ହେଇଯିବାଟା କ’ଣ ମିଳାମିଶା କରିବାର ଲାଇସେନ୍ସ ? କିଏ ଜାଣେ ଭବିଷ୍ୟତରେ କ’ଣ ହେବ, ତା’ ପୂର୍ବରୁ ଏତେ ମିଶାମିଶି .. ନା, ନା, ମୋଟେ ଠିକ୍ କଥା ନୁହେଁ । କିନ୍ତୁ କାହାକୁ କହିବେ ସେ ! ପୁଅକୁ ପୁଅ .. ବୋହୂ ତ ତେହିଁକି .. ଆଉ ନାତୁଣୀ ? ତାକୁ କହିବା ମାତ୍ରେ ଯେତେ ଯେତେ ଅଜବ ଯୁକ୍ତି ସବୁ ଅଛି, ଆଗ ଗାଇଯିବ, ତା’ପରେ ଯାଇ ଯାହା ! ହେଲେ ସେ କ’ଣ ସତରେ ଭୁଲ୍ କଥାଟାଏ କହୁଛନ୍ତି ! ଯଦି ଦିନ କେଇଟା ପରେ ବାହାଘର ହେବାକୁ ହିଁ ଅଛି, ତେବେ ସେତିକି ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଗଲେ କ୍ଷତି କ’ଣ ?

ଶୁଣୁ ଶୁଣୁ ଠୋ ଠୋ କରି ହସି ଉଠେ ସ୍ଥିତି, “କ’ଣ ଯେ କୁହ ତୁମେ ଜେଜେମା’, ଦୁଇ ମାସ ପର୍ଯ୍ୟନ୍ତ ଆମେ ଏମିତି ଅଲଗା ଅଲଗା ରହିଥିବୁ ! ଆମେ ପରା ଉଭୟ ଉଭୟଙ୍କର ଭାଲେଣ୍ଟାଇନ୍ ଏବେ !” ଚମକି ପଡିଥିଲେ ଆଶାଲତା ନାତୁଣୀର ଉତ୍ତର ଶୁଣି । ଏପରି ନିର୍ଲଜିଆ କଥା ତାଙ୍କ କାନ ପୁଣି ଦିନେ ଶୁଣିବ, କେବେ କଳ୍ପନା ବି କରିନଥିଲେ । ସତରେ ଭଲ ଥିଲା ତାଙ୍କ ଯୁଗ । ଏ ଭାଲେଣ୍ଟାଇନ୍ ଫାଲେଣ୍ଟାଇନ୍ କିଛି ଶୁଣା ନଥିଲା । ବାହାଘର ପୂର୍ବରୁ ମିଳାମିଶା ତ ବହୁ ଦୂରର କଥା, ପୁଅଝିଅଙ୍କର ନାଁ ଭଲା ଉଚ୍ଚାରଣ କରୁଥିଲେ ଘରେ କେହି ! ଅମୁକଙ୍କ ପୁଅ ସହିତ ସମୁକଙ୍କ ଝିଅର ବାହାଘର ସ୍ଥିର ହେଇଛି .. ବାସ୍ ସେତିକିରେ ଛିଡୁଥିଲା କଥା । ତା’ପରେ ଯେତେ ଦିନ ଲାଗୁ କି ଲାଗୁ ବର୍ଷ, କିଏ ପଚାରିବାକୁ ଭଲା ସାହାସ କରୁଥିଲା ! ତାଙ୍କ ନିଜର ପରା କଥା ସ୍ଥିର ହେବାର ବର୍ଷକ ପରେ ହେଇଥିଲା ବାହାଘର । ତା’ପରେ ଆହୁରି ତିନି ଚାରି ବର୍ଷ ଲାଗି ଯାଇଥିଲା ସ୍ଵାମୀର ମୁହଁକୁ ଦିନର ଆଲୁଅରେ ଦେଖିବାକୁ, ମୋର ବୋଲି ଚିହ୍ନିବାକୁ । ଆଉ ସେତେବେଳକୁ ତ ସ୍ଥିତିର ବାପା ଜନ୍ମ ବି ହେଇସାରିଥିଲା ! ସେକଥାକୁ ଏ ଯୁଗରେ କେହି ବିଶ୍ଵାସ କରିପାରିବ ଭଲା ! ପାଖ ଗାଁରେ ବନ୍ଧୁଘର ବୋଲି କାଳେ କୋଉଠି ବାଟରେ ଘାଟରେ କିଏ ଦେଖି ଚାହିଁ ଦେବ, ଗଲା ଅଇଲା ଲୋକଙ୍କ ନଜର ପଡିଯିବ, ସେଇ ଭୟରେ ତାଙ୍କର ଘରୁ ବାହାରିବା ଉପରେ କଟକଣା ଜାରି ହେଇଯାଇଥିଲା ବାହାଘର ଠିକ୍ ହେଉ ହେଉ । ପାଠପଢାରେ ଡୋରି ବନ୍ଧା ହେଇଗଲା ସେହିଦିନ ଠାରୁ । କବାଟ କଣରେ ଲୁଚି ଲୁଚି ସେ କେତେ କାନ୍ଦିଥିଲେ । ହେଲେ କାହାରି ହୃଦୟ ତରଳି ନଥିଲା ସେଥିରେ । ଜେଜେ ତାଙ୍କର ଦୃଢ କଣ୍ଠରେ କହି ଦେଇଥିଲେ, “ଶାଶୁଘରୁ ବାପଘରକୁ ଭଲମନ୍ଦ ଦୁଇ ପଦ ଲେଖି ଜଣେଇ ପାରିବାର ପାଠ ତ ଶିଖି ସାରିଲୁଣି, ଆଉ ଅଧିକା ପଢି କ’ଣ କରିବୁ ! କାହିଁ ମିଛୁଟାରେ ଖରାରେ ଯିବା ଆସିବା କରି କଳା ପଡିବୁ ! ବରଂ ଏତିକି ଦିନ ଘରେ ରହି ସଣ୍ଠଣା ଶିଖ, ନହେଲେ ଆମରି ନାଁ ପଡିବ ।“ ବାସ୍ ସେତିକି, ଆଉ ଆଗକୁ ପଦେ କିଛି କହିବାର ସାହାସ ବି କରିନଥିଲେ ସେ ।

ବାହାର ଗେଟ୍ ଟା ଖଡ ଖଡ ହେବାର ଶୁଣି ଚମକି ପଡିଲେ ଆଶାଲତା । ଅତୀତର ଚରାଭୂଇଁରୁ ଫେରି ଆସିଲେ ତତକ୍ଷଣାତ୍ । ଏ ଅବେଳଟାରେ କିଏ ! ଝରକା ବାଟେ ଦେଖିଲେ ସ୍ଥିତି ଫେରିଆସିଚି । ଆଖି ଲାଲ୍ ଦିଶୁଛି ତା’ର । କାନ୍ଦୁଥିଲା ନା କ’ଣ ! ଛାତି ଭିତରୁ ଅତଡାଏ ଖସି ପଡିଲା ସତେ କି ! କ’ଣ ହେଲା ତା’ର ?

ଦରଜା ଖୋଲି ଦଉଡିଗଲେ ସେ ତା’ ପାଖକୁ । ଦେହମୁଣ୍ଡକୁ ଆଉଁଷି ଦେଉ ଦେଉ ‘କ’ଣ ହେଲା .. କ’ଣ ହେଲା ..’ ବୋଲି ପ୍ରଶ୍ନର ଝଡି ଲଗେଇଦେଲେ । କିଛି ଉତ୍ତର ଦେଲାନି ସ୍ଥିତି । ନିଜ ରୁମ୍ ଭିତରକୁ ପଶିଯାଇ ଧଡ୍ କରି ଦରଜା ବନ୍ଦ କରିଦେଲା । ବ୍ୟାକୁଳ ହେଇଉଠିଲେ ଆଶାଲତା । ନେଇ ଦେଇ କରି ଗୋଟିଏ ବୋଲି ପିଲା ତାଙ୍କ ବଂଶର । ତା’ର ଶୁଖିଲା ମୁହଁକୁ ଜମା ସହି ପାରନ୍ତିନି, ଆଉ ଆଜି ତ ତା’ ଆଖିରେ ଲୁହ !

“ସ୍ଥିତି, ମୋ ମା’ଟା ପରା, କ’ଣ ହେଲା କିଛି ତ କହ ! କାହିଁକି ଏତେ ଶୀଘ୍ର ଫେରିଆସିଲୁ ? ମୋ ଧନ, କବାଟ ଖୋଲି ପକା । ଶୁଣୁ, ତତେ ମୋ ରାଣ .. କବାଟ ଖୋଲ ଥରେ …”

ଆଉ ଆଗକୁ ପାଟି ଖୋଲିଲାନି ତାଙ୍କର । ଅଜଣା ଭୟରେ ଛାତି ଖାଲି ଧଡ୍ ଧଡ୍ ହେବାକୁ ଲାଗିଲା । କାନ୍ଦି ପକେଇଲେ ସେ । କିଏ ଜାଣେ କ’ଣ ହେଲା ତା’ର ! ସେ ଟୋକାଟା ଆଉ କ’ଣ .. ନା, ନା, ସେମିତି କିଛି ହେଇନଥିବ । ପିଲାଟା ସେମିତି ନୁହେଁ । ମୋ ମନ କହୁଛି ସବୁକିଛି ଠିକ୍ ଥିବ ହେ ଠାକୁରେ .. ହେ ମା’ କଟକଚଣ୍ଡୀ .. ହେ ପ୍ରଭୁ କାଳିଆ ଠାକୁର .. ମୋ ସଂସାରକୁ ଚକ୍ର ଆଢୁଆଳ କରି ରଖ ପ୍ରଭୁ ..!

“ସ୍ଥିତି .. ସ୍ଥିତି ..” ପୁଣି ଥରେ କବାଟ ଉପରେ ଥାପ ପକେଇଲେ ସେ । “ମୋ ଧନ .. କବାଟ ଖୋଲ ମୋର ରାଣୀ .. ତତେ ମୋ ରାଣ ..”

“ଓହୋ, କାହିଁକି ସବୁକଥାରେ ତୁମେ ଏତେ ବ୍ୟସ୍ତ ହେଇଯାଅ କହିଲ? କଥାରେ କଥାରେ ରାଣ ପକେଇବାର ଏ ଢଙ୍ଗ ମତେ ମୋଟେ ପସନ୍ଦ ନୁହେଁ । ନିଶ୍ଚନ୍ତରେ ଟିକିଏ କାନ୍ଦିବାକୁ ବି କେବେ ଦବନି ତୁମେ !” ଖୋଲା କବାଟ ବାଟେ ମୁହଁ ଗଳେଇ ଜବାବ ଦେଲା ସ୍ଥିତି । ଆଖିର ଲୁହଧାର ଶୁଖି ଆସିଲାଣି । ତଥାପି ଫଣ ଫଣ ଦିଶୁଛି ମୁହଁଟା।

“ହେଲେ ତୁ କାନ୍ଦୁଥିଲୁ କାହିଁକି ?”

“କାନ୍ଦିବିନି ଆଉ କ’ଣ କରିବି ? ତୁମେ ଜାଣିଛ, ଆଜି ଭାଲେଣ୍ଟାଇନ୍ ଡେ !”

“ହଁ, ତୁ କହୁଥିଲୁ ସକାଳେ ।”

“ଆଜି ଭାଲେଣ୍ଟାଇନ୍ ଡେ ରେ ସୁବାସ ଦେଖା କରିବାକୁ ଆସିଲା, ଅଥଚ ଖାଲି ହାତରେ ! ତୁମେ ଭାବି ପାରୁଛ ଏ କଥା ! କେତେ କ’ଣ ଭାବିଥିଲି .. ହେଲେ ଦେଖ, ଛୋଟିଆ ଗିଫ୍ଟ ଟେ ବି ଆଣିଲାନି ..”

“ତୋର ଏମିତି କ’ଣ ଅଭାବ ରହିଛି ଯେ ସେ ନ ଦେଲାରୁ ଭାସିଗଲା ।“ ସାମାନ୍ୟ ଆଶ୍ଵସ୍ତ ଲାଗୁଥିଲା ଆଶାଲତାଙ୍କୁ ଏବେ । କିଛି ସମୟ ପୂର୍ବର ଭୟ ମନରୁ ଦୂର ହେଇ ଯାଇଥିଲା ।

“ଅଭାବ ପାଇଁ କ’ଣ ଗିଫ୍ଟ ଦିଆ ନିଆ ହୁଏ ? ଆଜିକା ଦିନରେ କିଏ କେତେ କଥା କିଣି ପ୍ରେମିକାକୁ ଉପହାର ଦେଉଥିବେ, ଅଥଚ ସୁବାସ ମତେ ବାହା ହେବାକୁ ଯାଉଛି, ଏତିକି କଥା କ’ଣ ତା’ ମୁଣ୍ଡରେ ପଶିଲାନି !”

ହସି ପକେଇଲେ ଆଶାଲତା । ଗିଫ୍ଟ ପାଇବାର ଲୋଭ ନୁହେଁ, ଭାଲେଣ୍ଟାଇନ୍ ଡେ ରେ ଗିଫ୍ଟ ନ ପାଇବାର ଦୁଃଖ ହିଁ ସ୍ଥିତି ଆଖରେ ଲୁହ ଭରି ଦେଇଛି ।

“ତୁ ସୁବାସକୁ ଭଲ ପାଉଛୁ ତ ?”

“ଅଫ୍ କୋର୍ସ ଜେଜେମା’, ଏଥିରେ ପଚାରିବାର କ’ଣ ଅଛି ! ଯଦି ନ ଭଲ ପାଉଥାନ୍ତି, ତେବେ ତା’ ପଛରେ ଏତେ ସମୟ ନଷ୍ଟ କରୁଥାନ୍ତି କି କେବେ !”

“ଭଲ ପାଇବାର ମାନେ କ’ଣ ଖାଲି ଉପହାର ଦେବା ଆଉ ନେବା ! ତୋ’ ବାପା କ’ଣ ତୋ’ ମା’କୁ କେବେ ଉପହାର ଦିଏ ! କିନ୍ତୁ ତା’ ମାନେ କ’ଣ ସେମାନେ ପରସ୍ପରକୁ ଭଲ ପାଆନ୍ତିନି !”

“ମୁଁ କ’ଣ ସେକଥା କହୁଛି ! କିନ୍ତୁ ଭାଲେଣ୍ଟାଇନ୍ ଡେ ରେ ଉପହାର ଦେବାଟା ତ ବିଧି ନା ! ମୁଁ ତ ନେଇଥିଲି ତା’ ପାଇଁ । ହେଲେ ନା ଧନ୍ୟବାଦ ଦେଲା, ନା ଦେଖିକି ଖୁସି ହେଲା ।“

“କିଏ କଲା ସେ ବିଧି ? ଦୋକାନୀବାଲାଏ ନା ! ନିଜର ବିକ୍ରି ବଢେଇବାକୁ ୟା’ ଠାରୁ ଭଲ ଉପାୟ ଆଉ କ’ଣ ଅଛି ! ସେମାନେ ତମକୁ ବୁଦ୍ଦୁ ବନେଇବାକୁ ଚେଷ୍ଟା କରୁଛନ୍ତି, ଆଉ ତୁମେମାନେ ବନିଯାଉଛ ! ଚାରି ପାଞ୍ଚ ବର୍ଷ ପୂର୍ବରୁ ତ ଏମିତି ଉପହାର ଦିଆ ନିଆ ନଥିଲା, ତା’ ମାନେ ସେତେବେଳେ କ’ଣ କେହି କାହାକୁ ଭଲ ପାଉନଥିଲେ ନା ପ୍ରେମିକ ପ୍ରେମିକା ହେଉନଥିଲେ ! ତୋ’ ବାପା ମା’ ପରା ଭଲ ପାଇ ବାହା ହେଇଛନ୍ତି, ଗଲୁ ପଚାରିବୁ ଦେଖି, କେତେ ଉପହାର ଦେଇଛି ବାହାଘର ପୂର୍ବରୁ ତୋ’ ମା’କୁ ସେ ! ଆମ ବେଳେ ତ ଏସବୁ କିଛି ବି ନଥିଲା .. ଆମେ କ’ଣ ତା’ହେଲେ ଆମ ସ୍ବାମୀଙ୍କୁ ଭଲ ପାଉନଥିଲୁ ! ଏ ଭାଲେଣ୍ଟାଇନ୍ ଡେ କ’ଣ, ଆଉ କୁଆଡୁ ଆସିଲା, ମୁଁ ତ ଜାଣେନି, କିନ୍ତୁ ପ୍ରେମ ଥିଲା, ଅଛି ଆଉ ରହିବ, ଏକଥା ନିଶ୍ଚିତ । ତେବେ ପ୍ରେମର ସ୍ବରୂପ ଯେପରି ଭାବରେ ବଦଳି ଯାଉଛି ଲୋ ମା,’ ଭାବିଲେ ଦୁଃଖ ଲାଗୁଛି । ମୋ ଆଜି ମୋ କଥା ତତେ ପସନ୍ଦ ନ ହେଇପାରେ, ତେବେ ଏତିକି କହିବି, ଯଦି ସୁବାସ ତୋ’ ପାଇଁ କିଛି ଆଣିନଥିଲା, ତେବେ ତା’ଠାରୁ ଭଲ ପିଲା ଆଉ କେହି ନାହିଁ । ସେ ତତେ ନିଶ୍ଚୟ ପ୍ରାଣ ଭରି ଭଲ ପାଉଛି, ଆଉ ଭଲ ପାଉଛି ବୋଲି ଜାଣିଛି, ଏ ଉପହାର ଦିଆନିଆରେ ପ୍ରେମ ବଢେ ନାହିଁ, ବରଂ ସମାପ୍ତ ହେଇଯାଏ । କାରଣ ଉପହାର ଆଗରେ ପ୍ରେମର ମାଧୁର୍ଯ୍ୟ କମ୍ ହେଇଯାଏ । ତା’ ପାଇଁ ତୁ ବଡ, ତୋ’ ଉପହାର ନୁହେଁ । ତୁ ତା’ ପାଇଁ ସମୟ ବାହାର କରୁଛୁ, ସେ ତୋ’ ପାଇଁ ଅଫିସ୍ ରୁ ଧାଇଁ ଆସୁଛି, ସେଇଟା କ’ଣ ବଡ କଥା ନୁହେଁ ଯେ ଗିଫ୍ଟ ଦେଲାନି ବୋଲି ପୁଣି ତୁ ମୁହଁ ଶୁଖୋଉଛୁ !

କହିଲୁ ଦେଖି, ସେ ଯଦି ତୋ’ ପାଇଁ ଗଦା ଗଦା ଗିଫ୍ଟ ପଠେଇ ଦେଇ ନିଜେ ନ ଆସନ୍ତା, ତୁ କ’ଣ ସେସବୁ ପାଇ ବେଶି ଖୁସି ହେଉଥାନ୍ତୁ ..?”

“ସେମିତି କେମିତି ହେବ ! ସେ ନ ଆସିଲେ ତା’ ଗିଫ୍ଟ ନେଇ ମୁଁ କ’ଣ କରିବି !”

“ସେଇ କଥା ତ ମୁଁ କହୁଛି ! ସେ ନିଜେ ଆସି ପାରିବାଟା କ’ଣ ବଡ ଗିଫ୍ଟ ନୁହେଁ ! ଏତେ ବଡ ଅଫିସର୍ ସିଏ, ଏତେ ଦାୟୀତ୍ଵ ତା’ର .. ତଥାପି ତୁ ତା’ ପାଇଁ ସେତିକି ସ୍ପେସାଲ୍ ବୋଲି ସମୟ ବାହାର କରି ଚାଲିଆସୁଛି ତୁ ଡାକିଲା ମାତ୍ରେ । ତା’ ଠାରୁ ବଡ ଭାଲେଣ୍ଟାଇନ୍ ଆଉ ତୋର କିଏ ହେବ !”

“ଏତେ କଥା ତ ମୁଁ ଚିନ୍ତା କରିନଥିଲି ଜେଜେମା’ ! ରାଗରେ କେତେ କଥା ତାକୁ କହିଦେଇଛି ମୁଁ । ଏବେ କ’ଣ ହେବ ? ସେ ମୋ ଉପରେ ଭୀଷଣ ରାଗି ଯାଇଥିବ !”

“କିଛି ହେବ ନାହିଁ । ମୋର ବିଶ୍ଵାସ ସେ ଜମାରୁ ରାଗିନଥିବ । ତୁ ଫୋନ୍ କର ତାକୁ । ଆଉ ତମର ସେ ରାମବାଣ ଶବ୍ଦ ‘ସରି’ଟା କହିଦେ । ଯଦି ବା ରାଗି ଯାଇଥିବ, ଏତିକିରେ ନିଶ୍ଚୟ ଶାନ୍ତ ହେଇଯିବ ।“

“ନାହିଁ ଜେଜେମା’, ସେ ଶାନ୍ତ ହେବନି । ଭାରି ଅଭିମାନୀ ସେ !”

“ଯାହାହେଲେ ବି ଆଜି ପରା ଭାଲେଣ୍ଟାଇନ୍ ଡେ, କେତେ ସମୟ ରାଗିକି ରହିପାରିବ ! ଆଉ କାହିଁକି ବା ରାଗିବ, ସେ କ’ଣ ଗିଫ୍ଟ ଦେଇଛି କି !” କହୁ କହୁ ଜୋରରେ ହସିଉଠିଲେ ଆଶାଲତା । ତାଙ୍କ ହସରେ ତାଳ ଦେଇ ସ୍ଥିତିକୁ ବି ହସି ଉଠିବାର ଦେଖି ମନଟା ଭାରି ହାଲୁକା ହେଇଗଲା ତାଙ୍କର । ମନେ ମନେ ସେ ଧନ୍ୟବାଦ ଜଣେଇ ଦେଲେ ସେହି ଅଜଣା ବ୍ୟକ୍ତିମାନଙ୍କୁ, ଯେଉଁମାନେ ଏଇ ଦିନଟିର ବାହାନାରେ ଯୁବାମନକୁ ପରସ୍ପର ପାଖରେ ବାନ୍ଧି ତ ପାରିଲେ !

ଆଶାଲତା ଭାଲେଣ୍ଟାଇନ୍ ସ୍ଥିତି

Rate the content


Originality
Flow
Language
Cover design

Comments

Post

Some text some message..