ନିଦ
ନିଦ
ସଂନ୍ଧ୍ଯା ବେଳେ ମାଆ ର ସଞ୍ଜ ଆଳତି ର ଟିନଟିନ ଶୁଭିଲା ମାତ୍ରକେ ଯିଏ ଯୋଉଠି ଥିବ ଆସି ଗୋଡ ହାତ ଧୋଇ, ପାଠ ବହି ଧରି ବସି ଯିବା ଆମ ପାଇଁ ଯେମିତି ବେଦର ଗାର ଥିଲା। ଦିନ ସାରାର ସ୍କୁଲ, ଖେଳ,କୁଦ, ଦୌଡ଼, ଧାଁ ପରେ ସନ୍ଧ୍ୟା ହେଉ ହେଉ ନିଦ୍ରା ଦେବୀ ଦର୍ଶନ ଦେବା ଆରମ୍ଭ କରି ଦିଅନ୍ତି।ଏମିତି ଏକ ଛୋଟିଆ ଘଟଣା ଘଟିଥିଲା ଆମ ସହ ସେତେବେଳେ।
ଯେତେ ନିଦ ଆସୁକି ଦୁନିଆ ଓଲଟି ଯାଉ ପଢକି ନପଢ ରାତି ଆଠଟା ଯାଏଁ ବହି ଧରି ସେଇଠି ବସି ବାକୁ ବାଧ୍ୟ। ବାପା ଙ୍କର କଡା ନିୟମ ଥିଲା। କିନ୍ତୁ ନିଦତ ବାପା ଙ୍କ ନିୟମ ବୁଝେନା, ଆମେ ପାଳି କରି ଶୋଉ। ଜଣେ ପରେ ଜଣେ।ମୁହଁ ଉପରେ ବହି ଟିକୁ ରଖି ଜଣେ ଶୋଇଯାଏ ଆଉ ଜଣେ ତାକୁ ଜଗେ। ଯେମିତି କିଛି ବିପଦ ସଙ୍କେତ ଜଣା ପଡେ ସେ ଖୁବ୍ ଜୋର୍ ରେ ବହି ପଢେ। ଆଉ ନିଦ ଭାଙ୍ଗି ଯାଏ। ଏମିତି ସବୁ ଦିନ ଚାଲୁଥିଲା। ବାପା ଆସନ୍ତି, କପଡା ବଦଳାନ୍ତି ଆଉ ପଢା କେମିତି ଚାଲିଛି ବୋଲି ପଚାରି ଚାଲି ଯାଆନ୍ତି। ଦିନେ ମୋ ସାନ ଭଉଣୀ ଶୋଇ ଯାଇଥିଲା, ବାପା ଆସିବା ଆଗରୁ ମୁଁ ତାକୁ ଓଠେଇ ଦେଇଥିଲି କିନ୍ତୁ ଗୋଟେ ଭୁଲ ହୋଇଗଲା, ବିଚାରି ଭୁଲରେ ଜଲଦି ଜଲଦିରେ ଖାତା ଖଣ୍ଡେ ଓଠେଇ ମୁଁହ ଆଗରେ ରଖି ପଢିଲା ପରି ହେଉଥିଲା। ବାପାତ ବାସ କପଡା ବଦଳାଇ ଚାଲିଯିବାର ଥିଲା କିନ୍ତୁ ସେଦିନ ବାପାଙ୍କ ନଜର ପଡିଗଲା ଭଉଣୀ ଧରିଥିବା ଖାତା ଉପରେ। କାରଣ ନାମ ଫଳକ ଟି ଓଲଟା ଥିଲା। କିଛି ସଂଦେହ ଆସିଲା ବୋଧେ, ତା ହାତରୁ ଖାତା ଟିକୁ ଝିଂକି ନେଲେ। ଦେଖିଲା ବେଳକୁ ବିଚାରି ଖାଲି ଫର୍ଦ୍ଦ ଟାକୁ ବଲବଲ କରି ଚାହିଁ ରହିଥିଲା। ରାଗରେ ଅଗ୍ନିବାଣ ହୋଇଗଲେ ବାପା। ଆରମ୍ଭ ହୋଇଗଲା ଜେରା ପଚରା।ଉତ୍ତମ ମଧ୍ଯମ ବି ହୋଇଥିଲା। ମୁଁ ବି ବାଦ୍ ପଡିନଥିଲି ସେଥିରୁ। ତାପରେ କାନ ମୋଡା ଶିକ୍ଷା ହେଲା। ବାପା ବି କୋଉ ଛାଡିବା ଲୋକ ଥିଲେ। ତାପରେ ସବୁ ଦିନ ନିଜେ ପାଖରେ ବସି ପଢେଇଲେ।
ଆଜି ବି ସେ ଦିନ ଗୁଡିକ ର ସ୍ମୃତି ମନରୁ ଯାଏନି।
rm
#Kahani dunia #paramita mishra