Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

3  

Banabihari Mishra

ସରହଦ

ସରହଦ

5 mins
461


ପାଲଟଣା ଡଙ୍ଗାଟିଏ ଶାନ୍ତ ସମୁଦ୍ରର ଛାତିକୁ ଚିରି ଆଗେଇ ଚାଲିଥିଲା। କ୍ଷୀଣ ଆଲୋକରେଖାଟିଏ ଡଙ୍ଗାର ଆଗମୁଣ୍ଡରୁ ବାହାରି ସୁବିସ୍ତୃତ ସମୁଦ୍ରର ଅନ୍ତହୀନ ଅନ୍ଧକାରକୁ ହରେଇବାର ଅଭୀପ୍ସା ନେଇ ନିଜେ ସତ୍ତା ହରେଇ ହଜିଯାଉଥାଏ। ତଥାପି ଡଙ୍ଗାଟି ସେଇ ଅନ୍ଧାର ଭିତରେ ଯେମିତି ତାର ଅନିର୍ଦ୍ଦିଷ୍ଟ ଲକ୍ଷ୍ୟ ପଥରେ ସ୍ଥିର ରହି ଆଗେଇ ଚାଲିଥିଲା ତିନୋଟି ପ୍ରାଣୀଙ୍କୁ ନେଇ। ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ଛୋଟ ଶିଶୁ। ଯାତ୍ରାର ଆରମ୍ଭ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରୁ ଆରମ୍ଭ ହୋଇଥିଲେ ମଧ୍ୟ ତାଙ୍କର ଗନ୍ତବ୍ୟ କେଉଁଆଡେ ତାହା କେହି ଜାଣିଥିଲେ, ଏପରିକି ସେଇ ତିନୋଟି ପ୍ରାଣୀ ମଧ୍ୟ ନୁହେଁ।

ହଠାତ୍ ପୁରୁଷ ପ୍ରାଣୀଟି ନିଜ ଭାଷାରେ କହିଉଠିଲା, "ହେଇ ଦେଖ, ସେଇ ଯେଉଁ କ୍ଷୀଣ ଆଲୋକରେଖାଟି ଦେଖାଯାଉଛି, ସେଇଟା ନିଶ୍ଚୟ ଗୋଟିଏ ବତୀଘର। ଆମେ ଆଉ ଅଳ୍ପ ସମୟରେ ପହଞ୍ଚିଥିବା।"

ସ୍ତ୍ରୀ ଲୋକଟି ହଠାତ୍ ହତାଶାର ଅନ୍ଧକାର ମଧ୍ୟରେ କ୍ଷୀଣ ଆଶାର ଆଲୋକ ଦେଖି ସ୍ବଗତୋକ୍ତି କରି ଉଠିଲା, "ୟା ଆଲ୍ଲା, ସବ୍ ଆପକା ମେହେରବାନି। ଆପନେ ହମାରି କସ୍ତିକୋ ସହି ସଲାମତ୍ କିନାରା ଦିୟା। ଆପକା ଲାଖ ଲାଖ ଶୁକର୍ ହୈ।" ଏତିକିରେ ଡଙ୍ଗାର କ୍ଷୀଣ ଆଲୋକରେ ତା'ର ଶ୍ୟାମଳ ମୁଖ ଉଜ୍ବଳ ହୋଇ ଉଠିଥିଲା।

ଗତ ଚାରିଦିନ ହେଲା ସେମାନେ ସମୁଦ୍ରରେ ଭାସିଭାସି ଯାଉଛନ୍ତି। ଘରର ସମସ୍ତ ଆସବାବପତ୍ର, ଲୁଣ କାଠୁଆଠୁ ଆରମ୍ଭ କରି ସଉକିରେ ନିଜ ହାତରେ ସିଲେଇ କରିଥିବା କନ୍ଥା, ଆସନ, ଦୀପରୁଖା, ଏମିତିକି ତଳି ଘୋରି ହେଇଯାଇଥିବା ଚପଲ ହଳକ ଆଣିବାକୁ ଭୁଲି ନାହାଁନ୍ତି। ସବୁ ଗୋଟେଇ ପୋଟେଇ ଏକାଠି କରି ଏଇ ଡଙ୍ଗାଟିରେ ଲଦିଛନ୍ତି। ଖାଇବାପାଇଁ ଯାହା ଆଣିଥିଲେ ଏ ପର୍ଯ୍ୟନ୍ତ ଗଲା। ଆଉ ଯାହା ଅଛି ସେସବୁ କଞ୍ଚାମାଲ ଯେମିତି ଚାଉଳ, ଗହମ, ଡାଲି ଯାହାକି କଞ୍ଚା ଖାଇହୁଏନା। ସେ ପୁଣି ସବୁଥିରୁ ଅଳ୍ପ ଅଳ୍ପ। କିରୋସିନି ମଧ୍ୟ ସରିବାକୁ ବସିଲାଣି। ପୁରୁଷଟି ଲଣ୍ଠନରେ ତେଲ ଭରିବା ପାଇଁ ତମ୍ବୁ ଭିତରକୁ ନେଇଗଲା ଆଉ ଅଳ୍ପ କିଛି ସମୟପରେ ତେଲ ଭରିବା ପରେ ପୁଣି ଡଙ୍ଗାର ଆଗମୁଣ୍ଡରେ ଟାଙ୍ଗିଦେଲା।

ଆକାଶରେ କୁଆଁତାରା ଆସିଗଲାଣି। ଏଇ ଦିନ ଦିନ ସମୟରେ ଡଙ୍ଗା କୂଳରେ ଲାଗିଗଲେ ଭଲ। ଦିନରେ ସମୁଦ୍ର ଜଗୁଆଳି ମାନଙ୍କର ଦୋୖରାତ୍ମ୍ୟ ସେତେଟା ନଥାଏ। ଦିନରେ ଖାଲି ପୋଲିସର ଡର। ଏଇ ଆଗରେ ଯୋଉ ଭୂଭାଗ ଦେଖାଯାଉଛି ସେଇଟା କୁଆଡେ ଆଉ ଗୋଟେ ଦେଶ। ତାଙ୍କ ନିଜ ଦେଶର ପଡୋଶୀ ଦେଶ। ଭାବିଲେ ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା ସିଏ ଏଇ ଅଥଳ ସମୁଦ୍ର ଭିତରେ କେତେବେଳେ ଗୋଟେ ସୀମା ପାର ହୋଇଯାଇଛି। କାଇଁ, ସିଏ ଯିଏ ଉପରେ ବସିଛି ସିଏ ତ କାଇଁ କୋଉଠି ଗାର ଟାଣିନି? ତଥାପି ଯୋଉ ରାଇଜଟାକୁ ସିଏ ନିଜର ବୋଲି ଭାବୁଥିଲା ସେଠି ତାକୁ ବିଦେଶୀ ବୋଲି କହୁଥିଲେ। ତା ଜେଜେ କୁଆଡେ ଦେଶ ଭାଗବଣ୍ଟା ହେଲାବେଳେ କଲିକତାରୁ ସେ ଦେଶକୁ ଚାଲିଯାଇଥିଲେ। ସେଇଠି ବେପାର ବଣିଜ କରି ବେଶ୍ ଦି'ପଇସା କରେଇଥିଲେ। କିନ୍ତୁ ସେଇ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ସାରିଥିବା ପରେ ସବୁକିଛି ଓଲଟ ପାଲଟ ହେଇଯାଇଥିଲା। ଚାରି ଆଖି ଆଗରେ ତାଙ୍କ ଘରଟା ହୁତ୍ ହୁତ୍ ହେଇ ଜଳିଯାଇଥିଲା। ତା'ର ପରିବାରର ସମସ୍ତେ ବଳି ପଡ଼ିଥିଲେ ସେଇ ଅହୈତୁକ ହିଂସାର ଆକ୍ରୋଶରେ। ବଞ୍ଚଯାଇଥିଲା ଏକାକୀ ସୁବ୍ରତ। ସୁବ୍ରତ ରାୟ। ରିୟାଜ ମିଆଁ ଛୋଟିଆ ପିଲାଟାକୁ ଦେଖି ଟେକି ନେଇଥିଲା ଘର ଭିତରକୁ। ସେଇଠି ସିଏ ବଡ଼ ହେଲା। ଆଠ ନଅ ବର୍ଷରୁ ମୁସଲମାନ ଘରେ ବଡ଼ ହେଲା। ସେଇଠି ସିଏ ସୁବ୍ରତରୁ ସବିର ହେଇଯାଇଥିଲା। ରେଜିୟା ସହ ମୋହବ୍ବତ ବି ହେଲା। ଇସଲାମ ଧର୍ମ ଅନୁଯାୟୀ ତାର ନିକାହ ବି ହେଇଥିଲା। ଆଉ କାଳକ୍ରମେ ସେମାନଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ହେଇଥିଲା। ସବୁ ତ ସେଇ ଦେଶରେ ହେଲା; ପୁଣି ସିଏ ରିଫୁଜି ହେଲା କେମିତି? ସବିରର ମନ ମାନୁ ନଥାଏ। ୟା ଭିତରେ ସିଏ ତାର ମକାନ ବନେଇ ସାରିଥାଏ। ଏଇ ଝାଟିମାଟିର ଦିଓଟି କୋଠରୀ। ତିନୋଟି ମୁଣ୍ଡ ଗୁଞ୍ଜିବାକୁ ଯଥେଷ୍ଟ।ସବିର ମାଛମାରେ। ଡ଼ଙ୍ଗାରେ ମଝି ଦରିଆରୁ ମାଛ ଆଣି ରେଜିୟାକୁ ଦିଏ। ରେଜିୟା ତାକୁ ବିକି ଘର ପାଇଁ ଯାହା ଯାହା ଦରକାର ବଜାରରୁ କିଣିଆଣେ।ସେଇ ଭିତରେ ସବିର ପାଇଁ ବିଡ଼ି ଦୁଇକଠା ଆଉ ଦିଆସିଲି ଆଣିବାକୁ ଭୁଲି ନଥାଏ।

ସବୁଦିନ ସମାନ ଯାଏନି। ଏଇ ଗଲା ମହରମ ତାର ଖୁବ୍ ୟାଦ ଅଛି। ସେଇ ଖବିଶ କା ବଚ୍ଚା ଗୁଡାକ ତାକୁ ଜାନ୍ ସେ ମାରିଦେବାକୁ ଧମକ ଦେଲେ। ପ୍ରାଣ ବଞ୍ଚେଇ ବାପ ମାଆ ଦିଜଣ ପିଲାଟାକୁ ନେଇ ଲୁଚି ପଳେଇଗଲେ କେଉଁ ଏକ ଅନିର୍ଦ୍ଦିଷ୍ଟ ଗନ୍ତବ୍ୟକୁ ଖୋଜିବାକୁ। ମେଲି ଦେଇଥିଲେ ମାଛମରା ପାଇଁ ବ୍ୟବହାର କରୁଥିବା ଛୋଟିଆ ହୁଲି ପାଲଟଣା ଡଙ୍ଗାଟିକୁ। ପଶ୍ଚିମ ଦିଗକୁ ମୁହଁ କରି ମେଲି ଦେଇଥିଲେ ଅନ୍ତହୀନ ସାଗର ବୁକୁରେ ଡଙ୍ଗାର ପାଲକୁ। ଆଜି ପଞ୍ଚମ ଦିନରେ ମାଟି ଛୁଇଁବାର ଆଶା ଓ ଉତ୍କଣ୍ଠା ତା ମନରେ ଆସୁଛି। ଦୂରରୁ ଫିକା ହେଇ ଆସୁଥିବା ଅନ୍ଧାର ଭିତରେ ଦୂରରେ ଦେଖାଯାଉଥିବା କ୍ଷୀଣ ଆଲୋକ କ୍ରମେ ଉଜ୍ବଳ ହେଲାଣି। ଆଉ କେଇଟା ଘଣ୍ଟା ମାତ୍ର। ମାଟି ଉପରେ ପାଦ ଥାପିବାର ଆନନ୍ଦ। ଆଃ, କି ସୁଖ। ସବିର ଭାବୁଥାଏ, ଏଇନେ ଡଙ୍ଗାଟି ଉଡିଯାଇ କୂଳରେ ଲାଗିଯାଆନ୍ତା କି, ସିଏ ମାଟି ଉପରେ ପରସ୍ତେ ଗଡ଼ି ଯାଆନ୍ତା। ମାଟିର ମଣିଷ ସବିର। ଏଇ ମାଟିରେ ଗଢା ତାର ଶରୀର। ମାଟିର ଭୁରୁଭୁରୁ ଗନ୍ଧ ତାକୁ ପାଗଳ କରେ। ମାଟିର ମୋହ ତାକୁ କେମିତି ଛାଡନ୍ତା?

ଶେଷରେ ଡଙ୍ଗାଟି କୂଳରେ ଲାଗିଲା। ରେଜିୟା ଛୁଆଟାକୁ କୋଳକୁ ନେଇ ସବିର ହାତକୁ ଲଙ୍ଗର ଖୁଣ୍ଟିଟା ବଢେଇଦେଲା। ସବିର କୂଳକୁ ଡେଇଁ ସେଇ ବାଲିରେ ଖୁଣ୍ଟିଟା ପୋତିବା ପରେ ରେଜିୟା ଦଉଡିଟାକୁ ବଢେଇ ଦେଲା। ଦଉଡିଟା ଡଙ୍ଗାର ଆଗମୁଣ୍ଡରେ ବନ୍ଧା ହେଇଥାଏ। ସବିର ତାକୁ ମଜବୁତ କରି ବାନ୍ଧିବା ପରେ ଜିନିଷପତ୍ର ଓହ୍ଲାଇବାକୁ ଲାଗିଲା।

X X X X X X

କୂଳରୁ ବେଶ୍ କିଛି ଦୂରରେ ନୋଳିଆ ମାନଙ୍କର ବସ୍ତି। ସେଇଠି ଗଢିଉଠିଲା ଆଉ ଗୋଟିଏ ନୂଆ କୁଡିଆ। ସେଇ ପଲିଥିନ ଢଙ୍କା କୁଡିଆ ଭିତରୁ ଧୂଆଁ ଉଠିବା ଆରମ୍ଭ ହେଲାଣି।

ସବିର ସେଇ ଦୋକାନୀଠାରୁ ଶୁଣିଥିଲା ଯେ ଏଇଟା କୁଆଡେ଼ ଆଉ ଗୋଟେ ଦେଶ। ଭାରତ। ଆଉ ଇଏ ତାର ଗୋଟିଏ ପ୍ରଦେଶ, ଓଡ଼ିଶା। ଏଇଟା ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା। ଜେଜେଙ୍କ ଠାରୁ ଶୁଣିଥିଲା ଓଡ଼ିଶା ଜଗନ୍ନାଥେର୍ ଦେଶ। ଖାଲି ଉପରକୁ ଧର୍ମଟା ସବିରର ମୁସଲମାନ ସିନା, ଅନ୍ତଃକରଣରେ ସିଏ ତ ହିନ୍ଦୁ। ତା ଭିତରେ ସେଇ ହିନ୍ଦୁର ରକ୍ତ ହିଁ ପ୍ରବାହିତ ହେଉଛି। ସ୍ବତଃ ତା ମନରେ ଏ ମାଟି ପ୍ରତି ଗୋଟେ କେମିତି ଦୁର୍ବାର ଆକର୍ଷଣ ଭିତରେ ଭିତରେ ଥାଇ ତାକୁ ଚୁମ୍ବକ ପରି ଆକର୍ଷଣ କରୁଥାଏ। ଶେଷରେ ସେ ଏକ ମାଟିରେ ପାଦଦେଇ ନିଜକୁ କୃତକୃତ୍ୟ ମନେକରୁଥାଏ।

X X X X X X

ସେଦିନ ଜଣେ ପୁଲିସବାଲା ଆସିଥିଲେ। ସବିରର ନୂଆ କୁଡିଆ ଦେଖି କେତେ ରକମର ଜେରା କଲେ। କେତେ କ'ଣ କାଗଜ ମାଗିଲେ। ହେଲେ ସବିରର ତ କିଛି ନାହିଁ। ସେ ଦେଖେଇ ଥାଆନ୍ତା ବା କ'ଣ?

ସବିର ଭାବୁଥିଲା ସିଏ ଯୋଉ ଦେଶରୁ ପ୍ରାଣ ବଞ୍ଚେଇ ପଳେଇ ଆସିଲା ସେଠି ତ ତାକୁ ପରଦେଶୀ କହୁଥିଲେ। ପୁଣି ଏଠି ବି ପରଦେଶୀ କହି କାଗଜପତ୍ର ମାଗୁଛନ୍ତି। ସିଏ ବି ତ ସେମାନଙ୍କ ପରି ମଣିଷ। ସେଇ ତ ତାର ପରିଚୟ। ଏ ମାଟିର ମଧ୍ୟ ସେଇ ସମାନ ବାସ୍ନା। ତା'ହେଲେ ଏ ସୀମା ସରହଦ ସବୁ ଆଙ୍କିଲା କିଏ? ଏଇ ସୀମା ସରହଦ ନେଇ କେତେ ଯୁଦ୍ଧ ହୁଏ। କାଇଁ ସେଇଥି ଆଲ୍ଲା କୁହ ବା ଭଗବାନ କୁହ, ସିଏ ତ କୋଉଠି ଗାର କାଟି ଏଇଟା ତୋର ଏଇଟା ମୋର ଭାଗ ବାଣ୍ଟି ନାହାନ୍ତି? ମାଟିକୁ ମାଟି ଲାଗିଛି, ଦରିଆକୁ ଦରିଆ ଲାଗିଛି। କୋଉଠି ତ ଗାର ଟଣା ହେଇନି। ଏ ପୃଥିବୀଟାକୁ ଗୋଲ କରି ରଖିଛନ୍ତି। ସବୁ ଏଇ ମଣିଷର ଭିଆଣ।

ସବିରକୁ ପୁଲିସ ନେଇଗଲା ଥାନାକୁ। ରେଜିୟାର କେତେ କାକୁତି ମିନତି ପରେ ବି ପୁଲିସ ତା ଶୌହରକୁ ଛାଡି ନ ଥିଲା। ଶେଷରେ ରେଜିୟା ରାଜି ହେଇଥିଲା ସେ ପୁଲିସ କଥାରେ। ଖାଲି ରାତିଟେ ତ, ସେଇଥିରେ କ'ଣ ତା ରୁହ୍ ମଇଳା ହେଇଯିବ ନା ଦିଲ୍। ଛୋଟିଆ ଛୁଆଟାକୁ କୁଡ଼ିଆରେ ଶୁଏଇଦେଇ ରେଜିୟା ଯାଇଥିଲା ସେ ପୁଲିସ ବାବୁ ପାଖକୁ। ଫେରିଥିଲା ସବିରକୁ ସାଙ୍ଗରେ ଧରି।

ପୁଣି ସେଇ ଗତାନୁଗତିକ ଧାରାରେ ଚାଲିଥିଲା ଜୀବନ। ସେଇ ମାଛମରା, ମାଛ ବିକ୍ରି। ଖାଲି ଯାହା ଗୋଟିଏ ନୂଆ କଥା ଯୋଡ଼ି ହେଇଥିଲା ସେମାନଙ୍କ ଜୀବନଚର୍ଯ୍ୟାରେ। ପ୍ରତି ସପ୍ତାହରେ ସବିର ଆଉ ରେଜିୟା ହାଜର ହୁଅନ୍ତି ଥାନାରେ। କିଛି ଚା ପାଣି ଖର୍ଚ୍ଚ ଆଉ ଗୋଟେ ଟିପଚିହ୍ନ। କେବେ କେମିତି ରେଜିୟାକୁ ରହିବାକୁ କୁହେ ପୁଲିସବାବୁଟା।


Rate this content
Log in