Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Drama Tragedy

3  

Rama Chandra Padhi

Drama Tragedy

ଉପବାସ

ଉପବାସ

8 mins
423


ସେ ଦିନଟି ଅଧିକାଂଶ ଲୋକଙ୍କ ପାଇଁ ଏକ ସାଧାରଣ ଦିନ ଭଳି ଥିଲା। କିନ୍ତୁ ଆମ ସ୍ୱାମୀ, ସ୍ତ୍ରୀଙ୍କ ପାଇଁ ବହୁତ ସ୍ପେସିଆଲ ଥିଲା, ହର୍ଷ ଉଲ୍ଲାସରେ ଭରା। ଦିନ ଥିଲା ପୁଅର ଦ୍ୱିତୀୟ ଜନ୍ମ ବାର୍ଷିକୀ। ଜୀବନରେ ପ୍ରଥମ କରି ମା, ବାପା ଡାକ ଆମେ ଶୁଣିବା ଆରମ୍ଭ କରିଥିଲୁ। ସୃଷ୍ଟିର ଏକ ଅଂଶ ବିଶେଷ ରୁ ଆମେ ନିଜେ ସୃଷ୍ଟିକର୍ତ୍ତା ବନିଯାଇଥିଲୁ। ତଥାପି କାହିଁକି କେଜାଣି ସେଦିନ ବାପା ବୋଉଙ୍କୁ ହରାଇଥିବାର ଦୁଃଖ ମୋତେ ବାରମ୍ବାର ଚିନ୍ତିତ କରୁଥାଏ। ତାଙ୍କ ଆଶ୍ରିବାଦ ଟିକିଏ ପାଇବାକୁ ମନ ବ୍ୟାକୁଳ ହେଉଥାଏ।

ସବୁ ବାପା, ମା'ଙ୍କ ଭଳି ପୁଅର ଶୁଭ ମନାସିବାକୁ ଆମେ ଦୁହେଁ ଉପବାସ ରଖି ସଖାଲୁ ସଖାଲୁ ମନ୍ଦିର ଯାଇଥାଉ। ଭିଡରୁ ଅଲଗା, ମନ୍ଦିର ସୀଢୀ ତଳେ ଗୋଟେ କୋଣରେ, ଜାକିଜୁକି ହୋଇ ଏକ ମଇଳା ଚିରା କମ୍ବଳରେ ନିଜ ପରିଚୟକୁ ଲୁଚାଇବାକୁ ଚେଷ୍ଟା କରୁଥିବା ବୁଢ଼ୀ ଟିଏ ଚୁପଚାପ ବସିଥାଏ। ଲାଗିଲା ଯେମିତି ମନ୍ଦିର ତିଆରି ପାଇଁ ଆସିଥିବା ପଥର ଖଣ୍ଡଗୁଡିକ ମଧ୍ୟରୁ ବଳିପଡିଥିବା ଅଦରକାରୀ ପଥର ଖଣ୍ଡଟିକୁ କାଢି କେହି ଅଲଗା ରଖି ଦେଇଛି।

ମଣିଷ ଜୀବନ ବି ତ ଏମିତି ପଥର ଖଣ୍ଡ ପରି, ଯେପର୍ଯ୍ୟନ୍ତ ତା'ର ଆବଶ୍ୟକ ଥାଏ ସମସ୍ତେ ତାକୁ ମୁଣ୍ଡେଇ ରଖନ୍ତି, ଆବଶ୍ୟକ ନଥିଲେ ତାକୁ ସମାଜରୁ ବିତାଡିତ କରି ଅଲଗା କରି ଦିଆନ୍ତି। ମୁଁ ମନେ ମନେ ଭାବି ଗରୀବଙ୍କ ମଧ୍ୟରେ ବାଣ୍ଟିବାକୁ ଆଣିଥିବା ଖାଇବା ପୁଡ଼ିଆଟି ତା ହାତକୁ ବଢ଼ାଇ ଦେଲି। କିଛି ସେକେଣ୍ଡ ପାଇଁ ତା ବିବର୍ଣ୍ଣ ମୁହଁରୁ ଛିଡା କମ୍ବଳଟି କାଢି ମୋ ମୁହଁକୁ ଚାହିଁଲା। ମୋଡ଼ି ମକଚି ହୋଇ ଝୁଲୁଥିବା ଚମଡା ହାତକୁ ଥର ଥର କରି ସେ ମୋ ଆଡ଼କୁ ବଢ଼ାଇ ଦେଲା। କାହିଁକି କେଜାଣି ଲାଗିଲା ସେ ଆଖି ଦିଟାକୁ ମୁଁ କୋଉଠି ଦେଖିଛି, ସେ ହାତର ପ୍ରେମରେ ପରସା ଭାତ ମୁଁ ଖାଇଛି।

କ'ଣ ଏତେ ଭାବୁଛ? ଜଲ୍ଦି ଚାଲ ତେଣେ ପୁଅର ବାର୍ଥଡେ ପାର୍ଟିର ବହୁ କାମ ରହିଲାଣି। ସ୍ତ୍ରୀ ସଙ୍ଗୀତାର କୋମଳ କଣ୍ଠ ରୁ ତିକ୍ତତାରେ ଭରା ଶବ୍ଦ ମୋତେ ଭାବନାର ଦୁନିଆଁ ରୁ ବର୍ତ୍ତମାନକୁ ଫେରିବାକୁ ବାଧ୍ୟ କଲା। କିନ୍ତୁ କାହିଁକି କେଜାଣି ସେ ଚେହେରାଟା ନ ଚାହିଁଲେ ବି ବାରମ୍ବାର ମୋ ଆଖି ଆଗରେ ନାଚି ଉଠୁଥିଲା।

ସଙ୍ଗୀତା ମୋତେ ଲାଗୁଛି ସେ ବୁଢ଼ୀକୁ ମୁଁ କୋଉଠେ ଦେଖିଛି।

ଆକାଶ, ଏ ସହରରେ ହଜାର ହଜାର ଭିକାରୀ ଅଛନ୍ତି, ପ୍ରତିଦିନ ଭିକ୍ଷାବୃତି ପାଇଁ ଯାଗା ଯାଗା ବୁଲନ୍ତି। ସେ ବୁଢ଼ୀକୁ ବି କୋଉଠେ ଦେଖିଥିବ। ସଙ୍ଗୀତା କହିଲା।

ସେ ପୁଅକୁ ଧରି କାର ଭିତରେ ବସିପଡିଥାଏ। ଡ୍ରାଇଭର ଗାଡି ଷ୍ଟାର୍ଟ କରି ମୋର ଅପେକ୍ଷାରେ ଥାଏ ଆଉ ମୁଁ ଦୂରରୁ ବୁଲି ଦେଖୁଥାଏ ସେହି ବୁଢ଼ୀ ଆଡକୁ ଯେ କି ଅତି ପରିଚିତ ଲାଗୁଥିଲା। ମନ ହେଉଥିଲା ତା ପାଖକୁ ଯାଇ ପଚାରି ବୁଝିବାକୁ ତା ଅତୀତ ବିଷୟରେ।

ପ୍ଲିଜ ଆକାଶ....କାର ରେ ବସ, ବହୁତ ଡେରି ହେଲାଣି। ମୁଁ ଆଉ ଡେରି କରି ସଙ୍ଗୀତା ର କ୍ରୋଧର ଶିକାର ହେବାକୁ ଚାହୁଁ ନ ଥିଲି। ଇଚ୍ଛା ନ ଥାଇ ବି ମୁଁ ବାଧ୍ୟ ହେଲି କାର ରେ ବସିବାକୁ।

ମନ୍ଦିର ରୁ ଘର ପାୟ ସାତ କିଲୋମିଟର ହେବ। ରାସ୍ତା ଫାଙ୍କା ରହିଲେ ଦଶ କି ବାର ମିନିଟ ଲାଗେ। ଏହି ସମୟ ଭିତରେ ମୋ ସ୍ମୃତିରେ ଥିବା ଅତୀତ ଜୀବନର ତିରିଶ ବର୍ଷର ଫୋଟୋ ଚିତ୍ର ପୋଥିରୁ ସେହି ଚେହେରା ଟି ଖୋଜି କାଢ଼ିବା ମୁସ୍କିଲ ଥିଲା କିନ୍ତୁ ଅସମ୍ଭବ ନଥିଲା। ମୁଁ ବାଟ ସାରା ଲାଗିପଡିଥାଏ ହଜି ଯାଇଥିବା ମୋ ସ୍ମୃତିରୁ ସେ ବୁଢ଼ୀକୁ ଖୋଜି ବାହାର କରିବା ପାଇଁ।

ହେ ଭଗବାନ....! ଏବେ ଯାଇ ମନେ ପଡିଲା ସେ ବୁଢ଼ୀ ଜଣକ କିଏ। ତମେ ଜାଣିଛ ସଙ୍ଗୀତା ସେ ବୁଢ଼ୀ ଆଉ କେହି ନୁହନ୍ତି ଆମ ଗାଁର ରୁକୁଣୀ ଖୁଡି।

ମୋ ମନରେ ଏମିତି ଖୁସି ଥିଲା ଯେମିତି କେହି ତା ଜୀବନର ମହତ୍ୱପୂର୍ଣ୍ଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଅନୁଭବ କରେ।

ହୋଉ ହେଲା ଚାଲ ଓଲ୍ହାଅ, ଘର ହେଇଗଲାଣି। ସଙ୍ଗୀତା ଡୋର ଖୋଲି କାର ରୁ ବାହାରକୁ ବାହାରିଲା।

ଏତେ ଜଲ୍ଦି! ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି। କିଛି ଜାଣି ହେଲାନି ଲାଗିଲା ସମୟ ବୋଧେ ତା ବେଗ ବଢେଇ ଦେଇଥିଲା ନଚେତ ରାସ୍ତା ଟା ଛୋଟ ହେଇ ଯାଇଥିଲା। ସଙ୍ଗୀତା ମୋତେ ବୋକା ଭଳି ଚାହିଁଥାଏ।

ସଙ୍ଗୀତା ତୁମେ ଘରକୁ ଯାଅ, ମୁଁ ମନ୍ଦିର ରୁ ଆସୁଛି।

କିନ୍ତୁ ଏଠି ତୁମର ବହୁତ କାମ ଅଛି ଯେ।

ରାଜୁ(ଆମ ଡ୍ରାଇଭର) ଅଛି ନା, ମୁଁ ଜଷ୍ଟ ଗଲି ଆଉ ଆସିଲି ଅଧା ଘଣ୍ଟା ଭିତରେ।

ସଙ୍ଗୀତା ଆଉ କିଛି କହିବାକୁ ଚାହୁଁଥିଲି, କିନ୍ତୁ ମୁଁ ଶୁଣିବା ଅବସ୍ଥାରେ ନଥିଲି। ରାଜୁ ହାତରୁ କାର ଚାବି ଟା ଆଣି ବାହାରି ପଡ଼ିଲି ବୁଢ଼ୀର ଇତିହାସ ଖୋଜିବାକୁ।

ପାଖାପାଖି ପନ୍ଦର ବର୍ଷ ତଳେ ମୁଁ ତାଙ୍କୁ ଶେଷ ଥର ପାଇଁ ଦେଖିଥିଲି ଗାଁ ରେ। ସେତେବେଳେ ବୋଉ ସାଙ୍ଗେ ସ୍କୁଲ ଛୁଟିରେ ପ୍ରାୟତଃ ଗାଁ କୁ ବୁଲି ଯାଏ। ଗାଁ ରେ ନିଜର ବୋଲି ଆମର କେହି ନଥାନ୍ତା ଯେଉଁ କେତେଜଣ କୁଟୁମ୍ବ ବୋଲି ଥାନ୍ତି, ତାଙ୍କ ସମ୍ପର୍କ କେବଳ ଓଳିକି ଜୁହାରରେ ସୀମିତ ଥିଲା। ସେ ସମସ୍ତଙ୍କ ଠୁ ଭିନ୍ନ ଥିଲେ ରୁକୁଣୀ ଖୁଡି। ଆମ ଘର ଠୁ ଦୁଇ ଘର ଛାଡ଼ି ତାଙ୍କ ଘର। ରକ୍ତ ସମ୍ପର୍କୀୟ ନ ହେଲେ ମଧ୍ୟ, ସମ୍ପର୍କୀୟ ମାନଙ୍କ ଠୁ କମ ନଥିଲେ ଖୁଡି। ବିଚାରି ବିଧବା। ମୋ ବୟସର ଗୋଟେ ପୁଅ, ଭାଙ୍ଗି ରୁଜି ଯାଇଥିବା ଘର ଏବଂ ବିଶାଳ ହୃଦୟକୁ ଛାଡିଲେ, ତା ପାଖେ ଆଉ କିଛି ନଥିଲା। ପର ଘରେ ଖଟେ, ଯାହା ମିଳିଲା ତାହା ପୁଅର ଲାଳନ ପାଳନ ଓ ପାଠପଢାକୁ ନିଅଣ୍ଟ। ବର୍ଷର ଅଧା ଦିନ ତା'ର ଉପବାସରେ ବିତେ, ଭଗବାନ ଠୁ କିଛି ପାଇବା ଆଶାରେ ନୁହେଁ ପୁଅକୁ ତିନି ବେଳା ପେଟ ଭରି ଖାଇବାକୁ ଦେବା ଆଶାରେ।

ଏତେ ନିଅଣ୍ଟ, ଅଭାବ ଭିତରେ ବି ସେ ବୋଉ ଆସିବା ଖବର ପାଇଲେ, ଭୁଲେନି ପଖାଳ ଭାତ କଂସାଏ ଶାଗ ଟିକେ ଆଣିବାକୁ। ବୋଉ ବାରଣ କଲେ ସେ ତା'ର ଶକ୍ତ ବିଣ୍ଡି ପଡିଯାଇଥିବା ହାତରେ ମୋ ମୁଣ୍ଡକୁ ଆଉଁସି ଦେଇ କୁହ।

ଏ କି କଥା କହୁଛ ନାନୀ, କାହିଁ କେତେଦୁରୁ ଗାଡି ମୋଟରରେ ଭୋକ ଉପାସରେ ଆସିଛ। ଆସୁ ଆସୁ ରୋଷେଇ କରି ଖାଇବ ନା କଣ। ମୁଁ ଗରିବ ହେଇପାରେ ଅବିବେକି ନୁହେଁ।

ସେଦିନ କିନ୍ତୁ ସେ ବିବେକି ମଣିଷ ଟା ହଜିଗଲା ଭଗବାନଙ୍କ ସାମ୍ନାରେ ଅବିବେକି ମଣିଷ ମାନଙ୍କ ଗହଣରେ। ମୁଁ ମନ୍ଦିର ପାଖେ ପହଞ୍ଚି ବହୁତ ଖୋଜିଲି କିନ୍ତୁ ପତା ମିଳିଲାନି ତାଙ୍କର। ଯେମିତିକି ସେ ଅଦୃଶ୍ୟ ହୋଇଗଲେ ଅଥବା ନିଜକୁ ଅଦୃଶ୍ୟ କରିଦେଇଥିଲେ ଏ ସ୍ୱର୍ଥୀ ଦୁନିଅରୁ।

କ'ଣ ସତରେ ସେ ରୁକୁଣୀ ଖୁଡି? କାହିଁକି ସେ ଏଠି ଭିକ ମାଗୁଥିଲେ? ତାଙ୍କ ପୁଅ କୁଆଡେ ଗଲା? ମୋତେ କଣ ତାଙ୍କ ଖୋଜା ବନ୍ଦ କରି ପୁଅର ପାର୍ଟିର ଆୟୋଜନରେ ମାତି ଯିବା ଉଚିତ ହବ? ମନରେ ଉଙ୍କି ମାରୁଥିବା ଏମିତି ଅନେକ ପ୍ରଶ୍ନକୁ ସାଥି କରି ମୁଁ ମନ୍ଦିର ରୁ ଲକ୍ଷହୀନ ଯାତ୍ରାରେ ବାହାରି ପଡ଼ିଲି।

ଚାରି ବର୍ଷ ଆଗରୁ ମୁଁ ବୋଉର ଅସ୍ତି ଧରି ଶେଷଥର ପାଇଁ ଗାଁ କୁ ଯାଇଥିଲି। ତା'ର ବହୁତ ଇଚ୍ଛାଥିଲା ବାପା ଚାକିରୀରୁ ଅବସର ନେବା ପରେ ସେ ଗାଁରେ ଯାଇ ରହିବ, ଛାଡ଼ି ଆସିଥିବା ବନ୍ଧୁ, କୁଟୁମ୍ବଙ୍କ ସଙ୍ଗେ ମିଶିବ। ଅତୀତର ପ୍ରତି ମୁହୂର୍ତ୍ତକୁ ପୁଣି ଥରେ ଉପଭୋଗ କରିବ। ଯେତେବେଳେ ତାକୁ ଖୁଡି, ନୂଆବୋହୁ, ଭାଉଜ କହି ସମ୍ବୋଧନ କରିବେ।

କିନ୍ତୁ ତା ସ୍ବପ୍ନ, ସ୍ୱପ୍ନ ହୋଇ ରହିଗଲା। ସମୟ ଥାଉ ଥାଉ ରକ୍ତ କର୍କଟ ତା ଜୀବନ ନେଇଗଲା। ବଞ୍ଚିଥାଇ ସିନା ଗାଁରେ ରହି ପାରିଲାନି କିନ୍ତୁ ମଲା ପରେ ସେଠି ସମାଧି ଟିଏ କରିବାକୁ ସେ କହି ଯାଇଥିଲା। ତାରି ଇଚ୍ଛା ପୁରଣ କରିବା ପାଇଁ ମୁଁ ଗାଁ କୁ ଯାଇଥାଏ।

ଗାଁ ଲୋକଙ୍କ ଠୁ ଶୁଣିଲି ଖୁଡିର ପୁଅ ଭୁବନେଶ୍ୱରରେ କୋଉ ଗୋଟେ ବଡ଼ ଚାକିରୀ କରୁଛି। ସେ ହିଁ ଗାଁ ଭିଟା ମାଟି ବିକି ସାଥିରେ ଖୁଡି କୁ ନେଇଯାଇଛି। ଯାହା ହେଉ ଯୋଉ ଖୁସି ଖୁଡି ତା ଯୌବନରେ ପାଇ ନଥିଲା। ବୁଢ଼ୀ କାଳେ ମିଳିଲା। ମନେ ମନେ ଭାବି, ଭଗବାନ କୁ ଧନ୍ୟବାଦ ଜଣାଇ ମୁଁ ବୋଉର କାର୍ଯ୍ୟ ସାରି ଭୁବନେଶ୍ୱର ଫେରି ଆସିଲି। ପରେ ଜୀବନ ଜଞ୍ଜାଳରେ ଏମିତି ବ୍ୟସ୍ତ ହେଇଗଲି ଯେ ଆଉ କେବେ ତାଙ୍କ ବିଷୟରେ ଭାବିବା କୁ ସମୟ ପାଇଲିନି।

ସେଦିନ ମନ୍ଦିରରେ ତାଙ୍କୁ ଏମିତି ଦୁର୍ଦ୍ଦଶା ଅବସ୍ଥାରେ ଦେଖି ମୋ ବିବେକ ମୋତେ ଧିକାର କରୁଥାଏ। ଏପଟେ ବାରମ୍ବାର ସଙ୍ଗୀତା ର ଫୋନ ମୋତେ ଆହୁରି ବ୍ୟତିବ୍ୟସ୍ତ କରୁଥାଏ। ତଥାପି କାହିଁକି କେଜାଣି ସେଦିନ ପୁଅର ଜନ୍ମଦିନ ପାର୍ଟିରେ ସାମିଲ ହେବା ଅପେକ୍ଷା ଖୁଡୀ କୁ ଖୋଜି ବାହାର କରିବା ମୋତେ ଠିକ ଲାଗିଲା। ତାଙ୍କ ଖବର ଜାଣିବାକୁ ମନରେ ବ୍ୟଗ୍ରତା ବଢିବାକୁ ଲାଗିଲା। ଶେଷରେ ଗାଁର କିଛି ପରିଚିତ ମାନଙ୍କଠୁ ଫୋନ ଜରିଆରେ ତାଙ୍କ ପୁଅର ଠିକଣା ପାଇବାରେ ମୁଁ ସଫଳ ହେଲି।

ଦାମିକା ରଙ୍ଗରେ ଚମକୁଥିବା ଦୁଇ ମହଲା ରାଜ ଉଆସ ଭଳି କୋଠା। ବାହାରେ ବିଦେଶୀ ଫୁଲ ଗଛରେ ଭରପୁର ବଗିଚାରେ ସବୁଜ ଘାସର ଗାଲିଚା। ବଗିଚା କଡରେ ଦାମିକା କାରର ଲମ୍ବା ଧାଡି ଶୋଭା ପାଉଥାଏ। ମୁଁ ନିଜକୁ ବିଶ୍ୱାସ କରି ପାରୁ ନଥାଏ। ଏହା ସେହି ରୁକୁଣୀ ଖୁଡି ପୁଅର ଘର ଯାହାର ମା ଦିନେ ଖାଇ ଦିନେ ଉପବାସ କରୁଥିଲା! ଏମିତି ଏକ ବ୍ୟକ୍ତିର ମା କ'ଣ କେବେ ଭିକ ମାଗିପାରେ? କେମିତି କହିବି ତାକୁ ମୁଁ ଏଠାକୁ ଆସିବାର କାରଣ? ଖୁଡୀ ତ ଏଠି ରାଜମାତା ଭଳି ଚଳୁଥିବେ। ତାଙ୍କୁ ଏକ ମନ୍ଦିରର ଭିକାରୁଣୀ ଭାବିବା ମୋର ଭୁଲ ନୁହେଁ କି? ବୋଧେ ମୋତେ କିଛ ଭ୍ରମ ହେଇଗଲା। ଏମିତି ଅନେକ ପ୍ରଶ୍ନ ମୁଁ ନିଜକୁ ପଚାରି କାର ରୁ ଓଲ୍ହାଇ ଗେଟ ପାଖକୁ ଗଲି। ବୋର୍ଡ଼ ରେ ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥାଏ 'କୁକୁର ପ୍ରତି ସାବଧାନ'।

ସାର କାହାକୁ ଖୋଜୁଛନ୍ତି। ମୋତେ ଦେଖି ଗାର୍ଡ ପଚାରିଲା।

ଏଇଟା ବିକ୍ରମ ଦାସ ଙ୍କ ଘର ଟି? ମୁଁ ସନ୍ଦେହତାର ସହିତ ପଚାରିଲି।

ହଁ ଆଜ୍ଞା, ଆପଣ ଆପଣଙ୍କ ନାଁ, କୋଉଠୁ ଆସିଛନ୍ତି କୁହନ୍ତୁ ମୁଁ ସାର ଙ୍କୁ ଫୋନ କରି ପଚାରୁଛି।

ତମ ସାର ଙ୍କୁ କୁହ, ତାଙ୍କ ଗାଁ ପଡିସା ଘରର ଆକାଶ ବାବୁ ଆସିଛନ୍ତି।

କିଛି କ୍ଷଣ ପ୍ରତୀକ୍ଷ୍ୟ ପରେ ଗାର୍ଡ ଆସି ଗେଟ ଖୋଲିଲା।

ମୋତେ ସେଠି ହଟାତ ଦେଖି ବିକ୍ରମ ଖୁସି ହେବା ଅପେକ୍ଷା ତାର ଅତୀତ ଜୀବନର ଦୁଃଖଦ ପୃଷ୍ଠା ଖୋଲିଯିବା ଭୟ ତା ମୁହଁରେ ଝଲସୁ ଥାଏ।

ଆକାଶ ହଠାତ କେମିତି ଆସିଲୁ? ବିକ୍ରମ ପଚାରିଲା। ପୂର୍ବରୁ ଚାକର କିଛି ମିଠା, ଥଣ୍ଡା ଆଣି ମୋ ଆଗରେ ରଖି ଦେଇଥାଏ।

ଅରେ ଏମିତି ଘରକୁ ଯାଉଥିଲି, ତୋ'ର ଆଉ ଖୁଡି କଥା ମନେ ପଡିଲା ତ ଦେଖା କରିବାକୁ ଚାଲି ଆସିଲି।

ମା ତ ନାହାନ୍ତି ଚାରି ଧାମ ବୁଲି ଯାଇଛନ୍ତି, ଫେରିବାକୁ ଦୁଇ ତିନି ମାସ ଲାଗିବ। ବିକ୍ରମ କିଛି କହିବା ଆଗରୁ ତା ସ୍ତ୍ରୀ କହିଲା। ମୋ ପ୍ରଶ୍ନର ଉତ୍ତର ମୋତେ ମିଳି ଯାଇ ଥାଏ। ସେମାନଙ୍କ ର ମୂଲ୍ୟବାନ ସମୟକୁ ମୁଁ ଆଉ ନଷ୍ଟ ନ କରି ଫେରି ଆସିଲି। ମନରେ ଗୋଟେ ପ୍ରଶ୍ନ ଥାଏ, ଏମିତି କେମିତି ମଣିଷ ବଦଳି ଯାଏ? ନିଜ ସ୍ତ୍ରୀ, ସନ୍ତାନ ମାୟାରେ, ମା ବାପା ଙ୍କ ଋଣକୁ ବି ଭୁଲି ଯାଏ।

ସୁସର୍ଜିତ ଗେଟ ଆଗରେ ସଙ୍ଗୀତା ପୁଅକୁ ଧରି ବିରକ୍ତତାର ସହିତ ମୋର ଅପେକ୍ଷା ରେ ଥାଏ। ମୋ ଉପରେ ରାଗ ଠୁ ପୁଅ ପାଇଁ କରିଥିବା ଉପବାସ ର କଷ୍ଟ ତା ମୁହଁରେ ଝାଳକୁ ଥାଏ। ମୁଁ କାର ରୁ ବାହାରିବା ଆଗରୁ ସେ ମୋ ପାଖକୁ ଦୌଡ଼ି ଆସିଲା।

ଅଧେଘଣ୍ଟେ କହି ଦିନ ଯାକ କୋଉଠି ଥିଲ? ଜାଣିନ ଆଜି ପୁଅର ଜନ୍ମଦିନ ସମସ୍ତେ ତମର ଅପେକ୍ଷା କରିଥିବେ।

ସରି ସଙ୍ଗୀତା କିନ୍ତୁ.......

ହୋଉ ହେଲା, ଚାଲ କେକ କାଟିବା ସମସ୍ତେ ଅପେକ୍ଷରେ ଅଛନ୍ତି। ମୋ କଥା ସରିବା ପୂର୍ବରୁ ସଙ୍ଗୀତା ମୋ ହାତକୁ ଧରି କହିଲା।

କିନ୍ତୁ ସଙ୍ଗୀତା ଗୋଟେ ମିନିଟ ମୋ କଥା ଟିକେ ଶୁଣ। ମୁଁ ତାକୁ ଅଟକେଇ କହିଲି।

ଆଜି ସଖାଲେ ମନ୍ଦିରରେ ଯୋଉ ବୁଢ଼ୀ ଦେଖା ହେଇଥିଲା। ସେ ଆଉ କେହି ନୁହେଁ ଆମ ଗାଁ ଖୁଡି। ମୁଁ ଦିନ ଯାକ ତାଙ୍କୁ ହିଁ ଖୋଜୁଥିଲି।

ମିଳିଲେ?

ହଁ....

ଘରକୁ ଆଣିଲାଣି?

କେତେଜଣ କୁ ଆଣିବି? ମନ୍ଦିର ରୁ ମସଜିଦ ଯାଏ, ଷ୍ଟେସନ ରୁ ବସଷ୍ଟାଣ୍ଡ ଯାଏଁ, ଏମିତିକି ସହର ର ସବୁ ଫୁଟଫାତ, ଗଲି କନ୍ଦିରେ ତାଙ୍କୁ ପାଇଲି। ନିରାଶ୍ରୟ, ଭୋକର ଯନ୍ତ୍ରଣା ରେ ଛଟପଟ ହେଉଥିବା ବୃଦ୍ଧା, ବଳ ବୟସ ଭଳି ସେମାନଙ୍କୁ ସେମାନଙ୍କ ର ଆପଣାର ମାନେ ରାସ୍ତା ରେ ଛାଡି ପଳାଇଛନ୍ତି। ସତେ ଯେମିତି ସେମାନେ ଗୋଟେ ଗୋଟେ ଅଦରକାରୀ ବସ୍ତୁ।

କାହିଁକି କେଜାଣି ସେଦିନ ମୋ ଆଖିରୁ ଲୁହର ବନ୍ୟ ବୋହି ଯାଉ ଥାଏ।

ନିଜକୁ ସମ୍ଭାଳ ଆକାଶ..

ଲୁହକୁ ପୋଛି ମୁଁ କାର ପାଖକୁ ଯାଇ ଡୋର କୁ ଖୋଲିଦେଲି। ମଇଳାରେ ପୋତି ହେଇଥିବା ଛିଡା ଫଟା ଲୁଗାରେ ଚାରିଜଣ କାର ରୁ ଓଲ୍ହାଇ ପଡିଲେ।

ଏମାନେ କିଏ? ସଙ୍ଗୀତା ଆଶ୍ଚର୍ଯ୍ୟ ହୋଇ ପଚାରିଲା।

ଏମାନେ ହେଲେ, ମୁଁ ତମେ, ଏ ଦୁନିଆର ପ୍ରତିଟି ମା, ବାପା ଯିଏ ତା ସନ୍ତାନ ମାନଙ୍କ ଖୁସି ପାଇଁ ନିଜର ବର୍ତ୍ତମାନ କୁ ଜଳଞ୍ଜଳି କରି ଦେଇଛି। ଏମାନେ ହେଉଛନ୍ତି ଭବିଷ୍ୟତ ର ଆମ ପ୍ରତିବିମ୍ବ ଯାହାକୁ ଆମେ ଭୁଲି ଯାଉଛେ। ଏମାନେ ହେଲ ଯିଏ ଆମକୁ ଏ ସୃଷ୍ଟି କୁ ଆଣିଛନ୍ତି। ଏମାନଙ୍କ ବିନା ଆମେ ବଞ୍ଚିବ କେମିତି?

ଆକାଶ ଏହା ହିଁ ତ ଜୀବନ! ଏଥିରେ ଏତେ ଦୁଃଖ କଲେ କେମିତି ହେବ।

ଜୀବନର ଅଂଶ ଭାବି ସତ୍ୟକୁ ଏଡାଇ ଦିଅ ଯାଇ ନ ପାରେ। ଭଗବାନ, ଭାଗ୍ୟ ର ଦୁହାଇ ଦେଇ ମଣିଷ କୃତ ଏକ ଖରାପ ପରମ୍ପରା କୁ ଆଖିବୁଜି ଆମ ଭବିଷ୍ୟତ ର ଦୁର୍ଦଶା କୁ ଏଡାଇ ଯିବା ଠିକ ନୁହେଁ। ସେମାନେ ଆଜି ଯୋଉ ଜାଗାରେ ଅଛନ୍ତି କାଲି ଆମେ ସେଠି ରହିବା। ପ୍ଲିଜ ସଙ୍ଗୀତା, ଆଜି ଗୋଟେ ଦିନ ପାଇଁ ଏମାନଙ୍କୁ ଆମ ଖୁସିରେ ସାମିଲ ହେବାକୁ ଦିଅ।

କିନ୍ତୁ ପାର୍ଟିରେ ସବୁ ବଡ଼ ବଡ଼ ଲୋକ ଆସିଛନ୍ତି, ଏମାନଙ୍କୁ ସେଠି ଦେଖିଲେ ସମସ୍ତେ ପାର୍ଟି ଛାଡ଼ି ଚାଲିଯିବେ।

ମଣିଷ ନିଜ ଭବିଷ୍ୟତ ଜାଣିବାକୁ ସବୁବେଳେ ପ୍ରୟାସ କରିଛି କିନ୍ତୁ କେବେ ବି ସକ୍ଷମ ହେଇନି। ଯଦି ଆଜି ସେମାନେ ନିଜ ଭବିଷ୍ୟତକୁ ଦେଖି ନ ପାରିବେ, ତାହାଲେ ଭୁଲ ତାଙ୍କର। ସେମାନେ ଏଠାରେ ନ ଖାଇ ଗଲେ ବି ଆଜି ରାତି ରେ ଉପବାସରେ ରହିବେନି କିନ୍ତୁ ଏମାନେ ଯଦି ନ ଖାଆନ୍ତି ଏମାନଙ୍କ ଜୀବନର ଶେଷ କିଛି ପୃଷ୍ଠା ରେ ଆଉ ଗୋଟେ ଉପବାସ ଯୋଡି ହେଇଯିବ।

ପୁଅ ସେ ଅଜଣା ଲୋକ ଗୁଡାକ ଆଡେ ଦେଖି ହସି ହସି ତା କୁନି ହାତରେ ଠାରି ଡାକୁଥାଏ।

ସଙ୍ଗୀତା ଲୁହ ଛଳଛଳ ଆଖିରେ ପୁଅକୁ ସେ ବୃଦ୍ଧା ମାନଙ୍କ ହାତକୁ ବଢ଼େଇ ଦେଲା। ମୁଣ୍ଡିଆଟେ ମାରି ସସମ୍ମାନେ ସେମାନଙ୍କୁ ପାଛୋଟି ନେଲା ପାର୍ଟି ଭିତରକୁ। ଆଉ ମୁଁ ନିର୍ମଳ ଆକାଶ କୁ ଚାହିଁଲି, ଅଗଣତୀ ତାରା ଗହଣ ମଝିରୁ ମିଞ୍ଜିମିଞ୍ଜି କରି ମୋତେ ଅନେଇ ଥିବା ତାରା ଦୁଇଟି ଆଡକୁ ଦେଖିଲି। ଲାଗିଲା ବାବା, ବୋଉ ଖୁସିରେ ମୋ ଉପରେ ଆଶ୍ରିବାଦର ବର୍ଷା କରୁଛନ୍ତି।

ଆଜି ବି ମୁଁ ଖୋଜୁଛି ମୋ ରୁକୁଣୀ ଖୁଡିକୁ...ମୋ ଭଳି ଅନେକ ବି।


Rate this content
Log in

Similar oriya story from Drama