Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭାଇଙ୍କ ସାନଶାଳୀ
ଭାଇଙ୍କ ସାନଶାଳୀ
★★★★★

© Amiya Bej

Romance

8 Minutes   14.1K    21


Content Ranking

ଦୁର୍ଗା ପିଣ୍ଡିରେ ଟୋଣ୍ଟିନାଇନ୍ ତାସ୍ ଖେଳ ଠିକ୍ ଜମି ଆସିଲାବେଳେ , ଭାରି ସରଗରମ ହୋଇପଡେ ଗାଁ ଦାଣ୍ଡ । ପୁତୁରା ତୁଲ୍ୟ ନିଧିଆକୁ , ରାଧା କାକା ଅଜାଣତରେ ଗାଳି କରିପକାନ୍ତି….

- ରାଣୀଟାକୁ ମାରିଦେଲାରେ, ଛାଡନା ଶାଳୀ ପୁଅକୁ!!

ବଡ ସାନ ନ ବିଚାରି , ନିଧିଆ ଉତ୍ତର ଫେରାଏ -

- କେଉଁ ବେହିପୋ' ମୋତେ ଅଟକାଇବ ଦେଖିଆ ।

ତାସ୍ ଖେଳରେ ଗାଳିଗୁଲଜକୁ କେହି ଦିହକୁ ନିଅନ୍ତିନି ।

ଆମରି ଗାଁରୁ ହିଁ , ମୁଁ ଶିଖିଥିଲି ଶାଳୀକୁ ନେଇ ଗାଳି । ନାକ ତଳେ ନିଶ କଅଁଳିଲା ପରେ ବୁଝିଲି ଶାଳୀର ମହତ୍ତ୍ଵ । 'ଶାଳୀ',ଗାଳି ନୁହଁ । ଏକ ସ୍ଵାକ୍ଷରିତ ସମ୍ପର୍କର ଅଦେଖା ରେଶମି ପ୍ରେମ ଡୋରୀ । ସାରା ଦୁନିଆର ଝିଅ , କା'ର ନା କା'ର ଶାଳୀ । ଶାଳୀ ଥିବା ଭାଗ୍ୟବନ୍ତ ଲୋକଟିଏ , ମେଞ୍ଚାଏ ଦୁଃଖ ଭିତରେ ବି ମହାସୁଖୀ ।

ଏତେ ସବୁ ଜ୍ଞାନ ଥିବା ସତ୍ତ୍ଵେ , ଆମ ତିନି ଭାଇଙ୍କ ସେ ସୌଭାଗ୍ୟ ଆସିନଥିଲା ଏ ଯାଏଁ । ବଡ ଭାଇଙ୍କ ତିନୋଟି ଯାଗାରେ ବାହାଘର ଭାଙ୍ଗିଯିବା ଯୋଗୁଁ , ଭାରି ଚିନ୍ତାରେ ଥିଲେ ଘର ଲୋକ ।

ପରଘର ଦେଖି ଆଖି ପୁରି ଉଠେ , କିନ୍ତୁ ମନ ଭରେନି ।

ଅମୁକର ଶାଳୀଟାଏ ପୋଖରୀ ଘାଟକୁ ଗଲା ମାତ୍ରେ , ସଭିଙ୍କ ମୁହଁ ବୁଲିପଡେ ସେୟାଡକୁ । ସମସ୍ତିଙ୍କ କାମ ପଡେ ପୋଖରୀ ଆଖପାଖରେ । କା'କୁ ଆମ୍ୱ ଗୋଟାଇବାର ଥାଏ ତ କେ' ହୁଡା ମୁଣ୍ଡେ ମିଛୁଟାରେ ହଗି ବସେ । ଖିଲିଖିଲି ହୋଇ ପାଣି ଖେଳ ଆରମ୍ଭ ହେବା ମାତ୍ରେ, ହଜାରେ ମଣିଷଙ୍କ କଲିଜା ପୋଡା ପୋଡା ବାସେ । ଶାଳୀର ଦେହଲଗା ହଳଦୀ ପାଣି ଭାସିଭାସି ଯେବେ ତୁଠ ବଦଳାଏ , ତା'କୁ ଆଞ୍ଜୁଳାରେ ଭରି ଶାଳୀ ସୁଖ ଭୋଗେ ମଣିଷ । ମିଛ କାହିଁ କହିବି ଯେ' ! ମୋ ଅବସ୍ଥା ବି ସେଇ ବାଗରେ ଥାଏ ।

ବଡଭାଇଙ୍କର ଶିକ୍ଷା ସହାୟକ ଚାକିରୀଟାଏ ଲାଗିଲା ଉତ୍ତାରୁ , ଆମ ଘରକୁ ପ୍ରସ୍ତାବ ର ଭିଡ ବଢିଗଲା । ଏଥର ଆମେ ବାଛିଲୁ । ଭାଙ୍ଗିଲୁ । ମୋର କିନ୍ତୁ ଅଲଗା ପ୍ରାର୍ଥନା ଥିଲା । ଭାଇଙ୍କର ଅନ୍ତତଃ ଶାଳୀଟାଏ ଥାଉ ପ୍ରଭୁ । ଶେଷକୁ ସେୟା ହେଲା । ଭାଇଙ୍କ ଶାଳୀଟିଏ ଥିଲା । 'କୁନି' ।

…….

ଦୁନିଆ ସାରା ଭାଉଜ ମାନଙ୍କ ଫର୍ମୁଲା ହେଲା , ସାନ ଦିଅରକୁ ହାତବାରିସୀ କରି ରଖିବା । ମୁଁ ଭାଉଜଙ୍କ ଦୁଲାରା ଥିଲି । ଭାଉଜ କୁହନ୍ତି - ଆମର ଭାଇଟାଏ ନଥିବାରୁ ଢେରେ ମନ ଦୁଃଖ । 'ମନୁ' ତୁମକୁ ପାଇଲା ପରେ , ସେ ଦୁଃଖ ଫିକା ହୋଇଗଲାଣି।

'ମଣ୍ଟୁ'ଭାଇ ମଝିଆଁ । ସେ ପାଠୁଆ । ପୋତାମୁହାଁ, ଲାଜୁଆ । ସେଥିପାଇଁ ମୋତେ ଟିକେ ସଭିଙ୍କ ବେଶି ଆଦର ।

ପହିଲି ବର୍ଷ ରଜରେ ଭାଉଜ ମୋତେ କହିଲେ -

- ମନୁ! ଚାଲ ତୁମେ ବି ଆମ ସହ ।

ମୁଁ କୁନ୍ଥୁକୁନ୍ଥୁ ହେଲାରୁ , କହିଲେ -

- ସେଠେ ଆମର ନଦୀକୂଳ, ଆମ୍ଵତୋଟା, ଆଖୁ ବାରି, ହୁଲିଡ଼ଙ୍ଗା, ରୋହୀ ମାଛ ଆଦି କେତେ କଣ ମନ ପାଇଲା ପରି ଚିଜ ଅଛି ।

- ଆଉ କୁନି ବି!

- ଚୁପ୍ । ବଦମାସ୍ ।

ପ୍ଲସଟୁ ପଢୁଥିଲା କୁନି । ଆମ ଦୁହିଁଙ୍କ ଶ୍ରେଣୀ ଏକା ଥିଲା । କିନ୍ତୁ ବିଷୟ ଅଲଗା । ମୋର ବିଜ୍ଞାନକୁ ସେ କଳା ଛାତ୍ରୀ । ତଥାପି ଆମେ ପ୍ରଥମେ ପାଠ ପଢାରୁ କଥାହେବା ଆରମ୍ଭିଲୁ ।

ବେଳେବେଳେ ଗପିବାଟା ଜରୁରୀ ହୋଇପଡେ ! ଗପ ଯା'ବି ହେଉ ପଛେ !!!

ଆମକୁ ନେଇ କା'ର ବିରୋଧ କିଛି ନଥିଲା । ସମସ୍ତେ ଭାବୁଥିଲେ ଆମେ ଦୁହେଁ ଭାରି ପାଠୁଆ । ଭାଉଜଙ୍କ ଘରେ ବାକି ଲୋକ ଝିଅ ଜୋଇଁଙ୍କ ଚର୍ଚ୍ଚାରେ ବ୍ୟସ୍ତ ଥିଲାବେଳେ , ମୋ'ର ଦାୟିତ୍ୱ କୁନି ଉପରେ ନ୍ୟସ୍ତ ଥିଲା ।

ନଈ କୂଳ , ଆମ୍ଵତୋଟା , ଆଖୁ ବଣ ସାଙ୍ଗ ହୋଇ ବୁଲିଲେ , ସମ୍ପର୍କଟା ସ୍ଥାୟୀ ହୋଇଯିବାର ଭୟ ଥାଏ । ମୁଁ କିନ୍ତୁ ଆଗ କିଏ ଆଗ କିଏ ହୋଇ ତଣ୍ଟି ଅଗରେ କଥା ଢୋକୁଥିଲି । ନିଜ ଗାଁ ବୋଲି ବୋଧେ କୁନି ଭାରି ସହଜ ସହଜ ଥିଲା । ପଚାରିଲା -

- କଲେଜରେ କେତେଜଣ ଝିଅ ସାଙ୍ଗ?

- ଜମା ନାଇଁ ।

- ମିଛୁଆ ।

- ସତ । ନାହିଁ ତ କେହି ।

- ଏଡେ ହେଣ୍ଡସମ୍, କିନ୍ତୁ ...? ବିଶ୍ଵାସ ହେଉନି ।

- ବିଦ୍ୟାରାଣ ।

ମେଘ ଢାଙ୍କିଦେଲା । କଥା ଅଧାରେ ରହିଲା । ଆମେ ନଈ କୂଳରୁ ତରତରରେ ଘରମୁହାଁ ହେଲୁ । ରାତିରେ କୁନି ଶୋଇଲା ଭାଉଜଙ୍କ ସହ । ତାଆରି ପଢାଘରେ ମୋ'ଲାଗି ବ୍ୟବସ୍ଥା ହୋଇଥିଲା । ରାତି ସାରା ନିୟନ୍ ଆଲୁଅରେ , ହ୍ୟାଙ୍ଗରରେ ଟଙ୍ଗାହୋଇଥିବା କୁନିର ଫ୍ରକ ସାର୍ଟ ଆଦି , ମୋତେ ଖାଲି କୁନି ପରି ପ୍ରତିତ ହେଉଥିଲେ ! ମୁଁ ଶୋଇ ପାରୁନଥିଲି ଭଲରେ । ସକାଳଟା ଶିଘ୍ର ହୋଇଯିବାରୁ , ଚା' କପଟାଏ ଧରି ପଶିଆସିଲା 'କୁନି' ।

- ଗୁଡମର୍ଣ୍ଣି! ଚା' ଚା' ଚା' !

ରାତିର ଆବେଗ ମୋର ଫିକା ପଡିନଥିଲା । କୁଆଡୁ ଦିନକରେ ଏତେ ସାହସ ଠୁଳେଇଲି କେଯାଣି , ମୁଁ କୁନିର ହାତଟାକୁ ଜାବୁଡି ଧରିଲି । ଆଶ୍ଚର୍ଯ୍ୟ କରିଦେଇ ସେ ମୋ ଉପରକୁ ଚଢିଯାଇ ବସି ପଡିଲା । ଏତକ ମୋପାଇଁ ଅପ୍ରତ୍ୟାଶିତ ଆକ୍ରମଣଠୁଁ ବେଶି ଭୟଙ୍କର ଥିଲା । ସବୁଯାକ ଠୁଳା ସାହାସ ମିଳେଇଗଲା ମୋ'ର । ମୁଁ ସ୍ଥାଣୁ ପାଲଟିଗଲି । ପୁଅ ପିଲାର ସ୍ଥାଣୁ ପଣିଆରେ , ଝିଅଟିଏ ତା' ସମୁଦାୟ ସତ୍ତାକୁ ମାଡି ବସେ । ଏପରି ଦୁଃସମୟରେ କି' ପ୍ରତିକ୍ରିୟା କରାଯାଏ ମୋତେ ଜଣାନଥିଲା । ମୁଁ ଅପ୍ରସ୍ତୁତ ହୋଇ କୁନିକୁ କହିଲି -

- ଉଠୁଉ! ଉଠୁ ଏଠୁ !

- ଆରେ? ପୁଅଟାଏ ହୋଇ ଏମିତି କ'ଣ ?

ଅନନ୍ୟୋପାୟ ହୋଇ ମୁଁ ରଡି କଲି -

- ଭାଉଜ! ଭାଉଜ !

ଝଟପଟ ହୋଇ କୁନି ଉଠିଗଲା ମୋ'ଉପରୁ । ଗଲାବେଳେ ମୁହଁଟାକୁ ଏମିତି ବାଗରେ କଲା ଯେ ' ମୋତେ ଲାଗିଲା , ଯେମିତି କହୁଛି -

- ର' ପୁଅ! ଆଉଥରେ ଧ' ମୋ' ହାତକୁ । ସବୁ ଭାଉଜ ସୁଆଗ ଦେଖି ନେବି !!!

ବାକି ତିନିଦିନ ଯାକ ରହଣି ଭିତରେ , କୁନି ମୋ'ପାଖ ମାଡିଲାନି । ସବୁବେଳେ ଭାଇ ଭାଉଜଙ୍କୁ ଲାଗିଲାଗି ରହିଲା । ମୋ' ଭିତରେ ଗୋଟେ ଅପ୍ରାଧ ବୋଧ ସୃଷ୍ଟି ହେଲା । ମନ କହିଲା , "ସୁଯୋଗଟେ' ବାରବାର ଆସେନି । ଯେ' ହରାଏ , ସେ' ପସ୍ତାଏ । "

ମୋ' ପିଲା ମୁଣ୍ଡରେ ଏତିକି ପଶିଲା ଯେ' ପୁରୁଷର ପ୍ରତ୍ୟାଖ୍ୟାନ, ନାରୀ ପାଇଁ ସର୍ବାଧିକ ଅପମାନ । ମୁଁ ଖୁବ୍ ପଶ୍ଚାତାପ କରୁଥିଲି ।

ଫେରିବା ଦିନ ଗାଡି ଯାଏଁ ବି କୁନି ଆସିଲାନି । ମୁଁ ଅଣ୍ଡାଳିଲି ମନେମନେ । ଭାଇ ଭାଉଜଙ୍କୁ ପଚାରିଲେ -

- କୁନି?

- ତା' ପେଟ କାଟୁଛି । ଶୋଇଛି ।

ମନ ବୁଝିଲାନି ମୋ'ର । ପେଟକଟାର ରହସ୍ୟ ମୋତେ ଜଣାଥିଲା । 'ଏହେ , ବ୍ରଶ୍ ଟା ଛାଡିଦେଇଛି କହି ମୁଁ ଘର ଭିତରକୁ ଗଲାରୁ , ମୁହଁ ମାଡି ଖଟରେ ପଡିଛି କୁନି । ଛୁଇଁଲି ତା'କୁ । ଚମକି ପଡି ମୁହଁ ଟେକିଲା ସେ । କାନ୍ଦିକାନ୍ଦି ଲାଲ୍ ପକାଇଦେଇଥିଲା ମୁହଁ ! କାରଣଟା ' ଭାଉଜଙ୍କ ଫେରିଯିବା ଅବା ମୋପାଇଁ ଜଣାନପଡିଲେବି , ମୁଁ ମୋପାଇଁ କାନ୍ଦୁଛି ବୋଲି ଧରିନେଲି । ଏଥର ଅପ୍ରତ୍ୟାଶିତ ଭାବେ ତା' ଗାଲରେ ଚୁମାଟାଏ ଦେଇ , ମୁଁ ବାହାରି ଆସିଲି ପଦାକୁ । କଥାଟାକୁ ସେ କେମିତି ନେଲା ଜାଣିବାର ଯୁ' ନଥିଲା। ଆମ ଗାଡି ଫେରିଆସିଲା ।

……..

ଘରକୁ ଫେରିବା ପରେ , ମୁଁ ସମ୍ପୂର୍ଣ୍ଣ ଭାବେ କୁନିମୟ ହୋଇସାରିଥିଲି । ମୋତେ ପ୍ରେମ ହୋଇସାରିଥିଲା । ମୋ' ଅନ୍ୟମନସ୍କତାକୁ ଭାଉଜ ଧରିନେଇ ଦିନେ ନିରୋଳାରେ ପଚାରିଲେ -

- ମୁନୁ! କ'ଣ ଚାଲିଛି ଏସବୁ ?

- କ'ଣ? କାଇଁ ? କିଛିନାହିଁ ତ ?

- ବଡମାନେ, ସାନମାନଙ୍କ ହାବଭାବରୁ ବହୁକଥା ଠଉରାଇ ପାରନ୍ତି । ତୁମ ଆନମନା ଭାବ କହୁଛି ତୁମେ ଏବେ ପ୍ରେମରେ ।

- ଭାଉଜ?

- କୁହ? କିଏ ? ମୋତେ ପୁଣି କଣ ଗୋଟେ ଲୁଚା ? ମୁଁ ତ ଶୁଭାକାଂକ୍ଷୀ !

- କୁନି ।

- କଅଣ?????

- ହଁଅଁ ଭାଉଜ । ତୁମ ଘରୁ ଫେରିବା ପରେ ମୁଁ ଆଉ ମୁଁ ହୋଇ ରହିପାରୁନି ।

- ଓଃ! ତୁମକୁ ସେଠାକୁ ନେବା ଭୁଲ୍ ହୋଇଗଲା ମୁନୁ ।

- ଭାଉଜ?

- ଶୁଣ ମୁନୁ! କୁନି ତୁମର ଶାଳୀ ହୋଇପାରେ , କିନ୍ତୁ ସେ' ଆଗ ମୋ' ସାନ ଭଉଣୀ । ଖୁସି ମଜା , ହସ ଥଟ୍ଟା , ଟଣା ଝିଙ୍କା ପରି ମିଠା ସଂପର୍କରେ ବାନ୍ଧି ହେବା ତା'ର ପ୍ରାପ୍ୟ । କିନ୍ତୁ ଏ ସଂପର୍କରେ ଭାବପ୍ରବଣତା ଖୁବ୍ ବିପଜ୍ଜନକ ।

- ଭାଉଜ?

- ସଂପର୍କୀୟଙ୍କ ଭିତରେ ଥରେ ପ୍ରେମ ହୋଇଗଲେ, ସହଜେ ଭାଙ୍ଗେନି । କିନ୍ତୁ ବିରୋଧ କରିବାକୁ, ଉଭୟ ଘରବାଲା ତୁରନ୍ତ ଅଣ୍ଟା ଭିଡି ନିଅନ୍ତି । କାରଣ ଏଥିରେ ପର ଭୟ ନଥାଏ । ଖୁବ୍ ଶିଘ୍ର ପରସ୍ପର ଏଇ ମୋହ ଆବେଗରୁ ମୁକୁଳି ଯାଅ । ଏଥିରେ ଦୁହିଁଙ୍କର ମଙ୍ଗଳ। ପାସୋରି ଦିଅ କୁନିକୁ!!

- ଭାଉଜ! ଭାବିଥିଲି ତୁମେ ସହଯୋଗ କରିବ । କିନ୍ତୁ ...

- କରିଥାନ୍ତି ମୁନୁ । କିନ୍ତୁ ସେ ମୋ' ଭଉଣୀ । ଗୋଟାଏ ଘରେ ଦୁଇଟି ଭଉଣୀ ବୋହୁ ହୋଇ ସହଜ ଜୀବନଟେ ଜୀଇ ପାରିବେନି । ୟା'ର ହଜାରେ ଉଦାହରଣ ଅଛି । ପରସ୍ପର ଏଇ ଶ୍ରଦ୍ଧା ରହୁ । କିନ୍ତୁ ତା'କୁ ପ୍ରେମର ନାଁଟେ ଦିଅନା । ଢେର ବିଭ୍ରାଟ ହେବ । ଆକାଶଟାଏ ଖସି ପଡିବ ମାଟିରେ । ମୁଠା ମୁଠା ଖୁସି ସବୁ ବିଷ ପାଲଟିଯିବ ମୁନୁ । ମୋ' କଥା ମାନ ।

ମୁଁ ଚୁପ୍ ହୋଇ ଭାଉଜଙ୍କ ଠୁଁ ଚାଲିଆସିଲି । ତାଙ୍କ ଆଖିରେ ଛୋଟ ହୋଇସାରିଥିଲି। ପ୍ରେମ ଅପା ସୋରା । ତଥାପି ଭାଉଜଙ୍କ ସମ୍ମାନ ଆଗରେ , କୁନିକୁ ଭୁଲିଯିବା ବଡକଥା ନଥିଲା । ଲହୁଣୀ ପରି ସ୍ନେହ ଛଳ ଛଳ ମଣିଷଟା ମୋତେ ଖୁବ୍ କଠୋର ଲାଗିଲା । ହୁଏତ ନିଜ ଭଉଣୀ ପାଇଁ ମୋତେ ଅଯୋଗ୍ୟ ମନେକରୁଥିବେ । ସେଥିପାଇଁ ଦୁରେଇ ଦେବାକୁ ଏତେ ଯାକ ଉପଦେଶ । ଭାଉଜଙ୍କ ପ୍ରତି ଥିବା ଶ୍ରଦ୍ଧା କିଛି ଊଣା ହୋଇସାରିଥିଲା ମୋର ।

………

ନାନ୍ଦୀରେ ଅନେକ ପାଣି ବୋହିଯାଇଥିଲା । ଭାଉଜଙ୍କର ମା' ଅସୁସ୍ଥ ଥିବାରୁ , ସେ ଯିବାକୁ ବାହାରିଲେ । ବଡଭାଇଙ୍କର ପରୀକ୍ଷା ଡ୍ୟୁଟି ଥିବାରୁ , କିଏ ଜଣେ ଭାଉଜଙ୍କୁ ସାଙ୍ଗରେ ଯିବା ଦରକାର ପଡିଲା । ମୁଁ ଆଗଭର ହୋଇ କହିଲି

- ମୁଁ ଯିବି ଭାଉଜ।

- ମଣ୍ଟୁ ଚାଲନ୍ତୁ । ସେ ଥରୁ ଟିଏ ବି ଯାଇନାହାଁନ୍ତି । ସେ ଭଲ ପିଲା ।

ଆଉ ଅଳିଅର୍ଦଳୀ କଲା ପରି ସାହସଟେ ମୋ'ର ନଥିଲା । ଖୁବ୍ ବାଧିଲା ମୋତେ । ମଣ୍ଟୁ ଭାଇ ଭଲ ପଢେ ବୋଲି ଭଲ ପିଲା । ମୁଁ ଅଯୋଗ୍ୟ ? ବାରିପଟକୁ ଯାଇ ଢେର୍ ଲୁହକାଢିନେଲି ମୁଁ । କୁନିକୁ ମୋଠୁଁ ଦୂରେଇ ରଖିବାର ସବୁ ପ୍ରକାର ବ୍ୟବସ୍ଥା କରିଚାଲିଥିଲେ ଭାଉଜ । ଅବଶ୍ୟ ସେଇଟା ତାଙ୍କର ଭଉଣୀ ପ୍ରତି କର୍ତ୍ତବ୍ୟ ହୋଇପାରେ । କିନ୍ତୁ ପ୍ରେମକୁ ବିରୋଧ କରୁଥିବା ମଣିଷର କଣ ଯେ' ଗୋଟେ ସମ୍ମାନ ?

ଅପମାନ ମଣିଷକୁ ଜିଦଖୋର୍ ବନାଇଦିଏ । ତା'ପୁଣି ପ୍ରେମରେ ? ହାସଲ୍ କରିନେବାର ଇଚ୍ଛାଟାଏ ବଳବତ୍ତର ହୋଇଯାଏ । କୁନି ଏବେ ମୋପାଇଁ ଗୋଟେ ଜିଦ୍ ବନିଗଲା । ଆଉ , ମୋଠୁଁ ମଣ୍ଟୁଭାଈକୁ ଅଧିକା ଭରସା କରୁଥିବା ଭାଉଜ ଚିର ଶତ୍ରୁ ।

…….

ଆମ ଗାଁର ନିତେଇକକା ଏ ଖଣ୍ଡରେ ବଡ ଗୁଣିଆ । ଗଛ ଚଲାଇ ଦେବା , କାହା କୂଅରୁ ପାଣି ଶୁଖାଇ ଦେବା ପରି ଚମତ୍କାର କରିପାରୁଥିଲେ । ଭାଗ୍ୟ ବି ବତାନ୍ତି । ଦିନେ ଏକୁଟିଆ ଯାଇ ହାତ ଦେଖାଇବାରୁ କହିଲେ -

- ମନ ଭିତରେ କିଏ ଗୋଟେ ବସା ବାନ୍ଧି ବସିଛି । ହେଲେ ବାଧା ଅନେକ। ନେ ଏ ଡେଉଁରିଆ । ସଂକ୍ରାନ୍ତି ଦେଖି ଡାହାଣ ହାତରେ ବାନ୍ଧିବୁ ।

ବୋଉ ଦେଖି ପଚାରିଲା -

- ଏଇଟା କଣ?

- ଫାଇନାଲ୍ ପରୀକ୍ଷା ପାଇଁ ପିନ୍ଧିଛି ।

ଯୋଗାଯୋଗ ଛିନ୍ନ ହୋଇଗଲେ , ଧୀରେ ଧୀରେ ମୋହ ଆବେଗ କମିଯାଏ । କିନ୍ତୁ ନିତେଇକକାଙ୍କ ଡେଉଁରିଆର ପ୍ରଭାବରେ ମୁଁ କୁନିପାଇଁ ଆଶା ବାନ୍ଧି ବସିଥିଲି । ମୋ'ର ଫାଇନାଲ୍ ଇୟର ପରୀକ୍ଷା ସରି ସାରିଥିଲା ।

………..

ସେଦିନ ଭାଇ ଭାଉଜଙ୍କ କଥା ଶୁଣି ଛାତି ଫାଟିଗଲା ମୋ'ର । ଭାଉଜ କହୁଥିଲେ -

- କୁନିକୁ ଦେଖିବାକୁ ବାଲେଶ୍ଵରରୁ ଲୋକ ଆସୁଛନ୍ତି । ପିଲାର ବାଙ୍ଗାଲୁରୁରେ ଚାକିରୀ । ଭଲ ଦରମା । ଫଟୋ ଦେଖି ପସନ୍ଦ କରିଛନ୍ତି । ଆମକୁ ସେଦିନ ଯିବାକୁ ହେବ ।

ଭାଇଙ୍କର ଭୁବନେଶ୍ଵରରେ ରାଲି ଥିବାରୁ ସେ ଯିବାକୁ ଅମଙ୍ଗ ହେଲେ । ମୋ' ପାଦ ତଳୁ ମାଟି ଖସି ସାରିଥିଲା । ଧାଇଁ ଯାଇ ପୁଣି ଥରେ କୁନିର ହାତ ଜାବୁଡ଼ି ନେଇ କହିଥାନ୍ତି , ଛାଡି ଯା'ନି ମୋତେ !!

କକାଙ୍କ ଡେଉଁରିଆ ଉପରେ ଢେର୍ ଅବିଶ୍ଵାସ ହେଉଥିଲା ମୋର । ଇଚ୍ଛା ହେଲା ଯାଇ ଭାଉଜଙ୍କ ପାଦ ଧରି ପକାଇବି । ଗଲି ବି ।

- ଭାଉଜ!

- ହଁ! ମୁନୁ କଣ କହିବ କୁହ ?

- ମୁଁ ଯାଇଥାନ୍ତି ତୁମ ସହ ।

- ମୁନୁ? ଆଉରି ? ଏବେ ତାପାଇଁ ପ୍ରସ୍ତାବ ଆସିଛି ।

- ନିଜକୁ ବୁଝେଇ ସାରିଛି ଭାଉଜ । ବିଶ୍ଵାସ କର, କିଛି ଅଡୁଆ କରିବିନି । ଖାଲିଥରୁଟିଏ ଦେଖା .... । ଅନୁମତି ଦିଅ । ପ୍ଲିଜ୍ ।

- ମୁନୁ! ତୁମେ ମୋ ସୁନା ଦିଅର । ମୁଁ କିଛି ଅଡୁଆ ଭାବୁନି । ଅଡୁଆର ସମୟ ତକ ସରିଲାଣି । ତୁମେସବୁ ଆଉ ଛୋଟହୋଇନାହଁ । ଚାଲ ତେବେ ମୋ'ସାଙ୍ଗରେ ।

ପାଇବାଟା ପ୍ରେମ ନୁହଁ । କିଛି ନପାଇ ବି ହୃଦୟରେ ଆଞ୍ଜୁଳାଏ ପ୍ରେମ ସାଇତି ରଖିବା , ଛୋଟକଥା ନୁହଁ । କୁନିପାଇଁ ମୁଁ ଯୋଗ୍ୟ ହୋଇନପାରେ । ପ୍ରେମ କେଉଁ ଯୋଗ୍ୟତା ଦେଖେ କି ? କୁନିର ହୃଦୟ କଣ ଏକଥାକୁ ଅସ୍ଵୀକାର କରିବ ? ଆଦୌ ନୁହଁ। ମୁଁ ଜାଣେ ତାକୁ । ତିନିବର୍ଷ ଯାଏଁ ପ୍ରତି ସଂଜସକାଳେ , ତାକୁଇ ନେଇ ବଞ୍ଚି ରହିଛି ମୁଁ । ଯାଉ ,ସେ ଯୁଆଡେ ଯାଉଛି ଯାଉ । ଖାଲି କହିଦେଇ ଆସିବି - ହୃଦୟଟା ଛାଡିଦେଇ ଯା' ଗଛ କୋରଡରେ !! ଆଉ କଣ ମାଗେକି ପ୍ରେମ ? ଏତିକି ତ !

……

ମଙ୍ଗଳବାର ବଡିଭୋରୁ , ଗାଡି ଘର ଆଗରେ ଲାଗି ସାରିଥିଲା । ଭାଉଜ ତରତର ହେଉଥିଲେ -

- ମୁନୁ ଚାଲ।, ମୁନୁ ଚାଲ । ଡେରି ହେବ ସେପଟେ ।ଛୋଟ ଏକ ଉପହାରଟେ ସାଉତୁଥିଲି ବ୍ୟାଗ୍ ରେ ସମସ୍ତଙ୍କୁ ଲୁଚାଇ କୁନିପାଇଁ । ଗୋଟେ ନାଲି ଓଢଣୀ ।

ଘରକୁ ଯିବାକୁ ହପ୍ତେ ଆଗରୁ ଗୋଡ କାଢି ବସିଥିବା ଭାଉଜ , ଗାଡିରେ ବସି ସାରିଥିଲେ ।

ମୁଁ ଆଉ ମଣ୍ଟୁ ଭାଇ ବ୍ୟାଗ୍ ସବୁ ଗାଡି ଡିକିରେ ସାଉତୁଥିଲୁ ।

ମଣ୍ଟୁ ଭାଇଟା ପାଠୁଆ । ସବୁବେଳେ ଚୁପଚାପ୍ । ପୋତାମୁହାଁ, ନିରସିଆ । କାହା ସହ ଭାବନାଭ ନାହିଁ । ତଥାପି ଚୁପ୍ କି ମୋତେ ଡାକି କାନ ତଳେ କହିଲା -

- ମୁନୁ?

- ହଁଅଁ! କହ ?

- ଗୋଟେ କାମ କରିଦେବୁ? କାହାକୁ କିଛି କହିବୁନି କିନ୍ତୁ ?

- ମୋତେ ଅବିଶ୍ଵାସ?

- ଯାଉଛୁ ସେଠାକୁ । ଏଇ କାଗଜ ପୁଡିଆଟା ନେଏ ।

- ଏଟା କଣ?

- ମନ୍ତୁରା ବିଭୂତି । ନିତେଇକକାଙ୍କଠୁ ଆଣିଛି । ତୁ କୁନିର ଅଲକ୍ଷ୍ୟରେ ତା'ରି ଉପରେ ଛିଞ୍ଚି ଦେବୁ ।

- ଆଁଆଁଆଁଆଁ???? ଛିଞ୍ଚି ଦେଲେ ମଣ୍ଟୁ ଭାଇ ?

- ତା' ବାହାଘର ଭାଙ୍ଗିଯିବ!!!!!

 ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର

ରାଧାକାକା ଦୁର୍ଗାପିଣ୍ଡି ରାଣୀ

Rate the content


Originality
Flow
Language
Cover design

Comments

Post

Some text some message..