ଚୋର
ଚୋର
ଏ ନାଗାଭାଈ...ଜୀବନରେ ଚମତ୍କାର ହୁଏ କି?
-ଆଁ ...ତୁ ତ ଛୋଟା ଟାଏ...ତା ଠାରୁ ଅଧିକ ଆଉ କଣ ଚମତ୍କାର ହେବ କି?
-ସେମିତି କହନି ନାଗାଭାଈ...ମୋ ଗୋଟେ ଗୋଡ ଟିକେ ଛୋଟା ସିନା କିନ୍ତୁ ମନ ମୋର ଛୋଟା ନୁହେଁ ରେ...
-ହା..ହା..ମନ ଛୋଟା ନୁହେଁ??ତୋ ବୁଦ୍ଧିରେ ପରା ଏଠି ସତର ଜଣ ଅଟକ ରହିଛନ୍ତି? କେବେ ଭାବିଛୁ ଏ ବିଷୟରେ?ତୋ ଗୋଡ ବି ଛୋଟା ଆଉ ମନ ବି ।
-ନାଗା ଭାଈ...ଈ....
ନାଗାଭାଈ ଦୁମ ଦୁମ ହୋଇ ଚାଲି ଯାଉଥିଲା ...ପଛକୁ ଫେରି ମୁଣ୍ଡ ପାତି ବସିଥିବା ନରିଆ କାନ୍ଧରେ ହାତ ମାରି କହିଲା ..ହଁ ଚମତ୍କାର ହୁଏ ନରିଆ ।ଚମତ୍କାର ସବୁ ଆମ ଚାରିପାଖେ ବୁଲୁ ଥାଆନ୍ତି ..ତାକୁ ଧରିପାରିଲେ ହେଲା....
ନରିଆ ଆଖିରେ ଜ୍ୟୋତି ଫୁଟି ଉଠିଲା ଯେମିତି.....
************
ନାଗା ଭାଈ ଜମା ଭଲ ଲାଗେନି ନରିଆକୁ ।ରଡ୍ ନିଆଁ ଭଳି ଜଳୁଥିବା ଦୁଇଟି ଆଖି...ବଳୁଆ ହାତ...ମୋଟା ଓଠ....ହଳେ ମୋଟା ନିଶ....ହାତରେ ତାବିଜ...ଲମ୍ବା ପାହୁଲ...ଦେହଟା ମଇଁଷିଆ ଗନ୍ଧ ସବୁବେଳେ...
ନାଗାଭାଈ ଠାରୁ ସେ ଢେର୍ ଦୂରରେ ରୁହେ ।ହେଲେ ଯେଉଁ ଦିନ ନରିଆ ର ଆଇନା ଟିକୁ ଚୋରୀ କରିନେଲା ନାଗାଭାଈ ସେଦିନ ଆଉ ସମ୍ଭାଳି ପାରିଲାନି ନରିଆ ।ସିଧା ଯାଇ ମାଗିଲା ।ନାଗା ଭାଈ ତାକୁ ଧକେ ପକାଇଲା ।ନରିଆ ହାଲୁଏ ମାଟି ଖାଉ ଖାଉ ରହିଗଲା ।ନାଗାଭାଈ ଚିତ୍କାର କଲା ...ଜାଣିଛୁ କାହା ସହ କଥା ହେଉଛୁ??ମୁଁ ଗୋଟିଏ ଚୋର ...ଆଉ କିଛି ଦିନ ନକ୍ସଲ ରେ ବି ଥିଲି ।ବେଶୀ ଭଡ ଭଡ ହେଲେ ତୋ ନାକ ଓ ପାଟି ଏକା ସଙ୍ଗେ ବନ୍ଦ କରି ଦେବି ବୁଝିଲୁ ତ??
ନରିଆ କୁଞ୍ଚି କାଞ୍ଚି ହୋଇ ଗୋଟିଏ କୋଣରେ ଥରୁଥିଲା ।ଅନେକ ଆଖି ନାଗାଭାଈ ଆଡକୁ ତ୍ରସ୍ତ ନୟନରେ ଅନେଇ ଥିଲେ ।
ଦୁଇ ବଖରା ଲମ୍ବା ଲମ୍ବା ଘରେ ପଚାଶରୁ ଅଧିକ ଲୋକ ରୁହନ୍ତି ସେଠି ।ଗୋଟିଏ ଘରେ ପୁରୁଷ ଆଉ ଗୋଟିଏ ଘରେ ଖାଲି ମହିଳା ।ସମସ୍ତେ ଗୋଟିଏ ଭୟରେ ବଞ୍ଚନ୍ତି ।ଘର ଚାରି ପଟେ ଗୋଟେ ବିରାଟ ପାଚେରୀ ।ପାଚେରୀ ସେପାଖେ ଗୋଟିଏ ଜଙ୍ଗଲ ଆଉ କୋଇଲା ଖଣି ।ଗେଟ୍ ପାଖରେ ଚାରୋଟି ଗୁଣ୍ଡା ବନ୍ଧୁକ ଧରି ଠିଆ ହୋଇ ଥାଆନ୍ତି ।ଟିକେ ଏପଟ ସେପଟ ହେଲେ ଗୁଳି ଗୁଡା ଘାଉଁ ଘାଉଁ ହୋଇ ଛାତିକୁ ବିଦାରି ଦେବେ ।ତେଣୁ ଏଠି ସବୁ ଶାସନ ବନ୍ଧୁକ ମୁନରେ ।
ନରିଆକୁ ଅନେକ ସମୟରେ ନିଦ ହୁଏନି ।ନିଜ କୃତ କର୍ମ ଲାଗି ସେ କାନ୍ଦେ ଆଉ ଦୀର୍ଘ ନିଃଶ୍ୱାସ ବି ନିଏ ।ସତରଟି ଜୀବନ ତା ସହ ଯୋଡା ଏବେ ।ସେମାନଙ୍କୁ ଦେଖିଲେ ମରିଯିବାକୁ ଇଛା ହୁଏ ତାର ।
ନରିଆ ଟିକେ ପାଠଶାଠ ପଢିଛି ବୋଲି ଅଶିକ୍ଷିତ ଆଦିବାସୀ ମାନେ ତାକୁ ଭରସା କରନ୍ତି ।ସେଦିନ କାଲୁ ଠିକାଦାର କହିଲା ସେ କାମ ଯୋଗେଇ ଦେବ ଲୋକଙ୍କୁ ।ଲୋକେ ଆଉ ଭୋକରେ ରହିବେନି ।ମାସକୁ ଦଶ ହଜାର ।ନରିଆ ଆଖିରେ ସ୍ୱପ୍ନ ଥିଲା ।ସତରଟି ଅଭାବୀ ମହିଳା ପରୁଷଙ୍କୁ ନେଇ ସେ କାଲୁ ଠିକାଦାର ସହ ଗୁଜୁରାଟ ଚାଲି ଆସିଲା ।ଆସିବାର ସାତ ଦିନ ଯାଏଁ କୋଇଲା ଖଣିରେ କାମ ସହ ଭଲ ପୋଷାକ ଆଉ ମାଉଁସ ଭାତ ବି ମିଳିଲା ।ସବୁ ଖୁସି ।ନରିଆ ବି କୃତ୍ୟକୃତ୍ୟ ।
କିଛି ଦିନପରେ ଜଣା ପଡିଲା ସେମାନେ ଖାଲି ବେଠି ଖଟୁଛନ୍ତି ।କିଛି ଦରମା ଫରମା ନାହିଁ ।ବନ୍ଦୀ ଜୀବନ ।ବନ୍ଧୁକ ଆଗରେ ଚାଲିଛି ନିଃଶ୍ୱାସ ।ଦିନ ସାରା କୋଇଲା ଖଣିରେ କାମ କରି ରାତି ସାରା ଖୁଁ ଖୁଁ ହୁଅନ୍ତି ।ସତର ଜଣ ରୁ କେହି କେହି ପଚାରନ୍ତି ..ଆହେ ନରିଆ ଭାଈ ଆମେ ଫସିଗଲୁ ରେ...ଏଠିରୁ ମୁକ୍ତି ମିଳିବନି ।ଆମ ପିଲାଛୁଆ ଭାସିଯିବେ ଭୋକ ଉପାସରେ ଗାଁରେ ।ଆମକୁ ଉଦ୍ଧାର କର ଭାଈ ।
ନରିଆ ଅସହାୟ ହୋଇ ଅନାଏ ।ଭୋ ଭୋ କରି କାନ୍ଦି ପକାଏ ।କିଛି ବାଟ ନାହିଁ ।ନିଜର ଅବସ୍ଥା ଲାଗି ବାହାରକୁ ଖବର ଦେବାକୁ ରାସ୍ତା ବି ନାହିଁ ।ନରିଆ ହାତ ଟେକି ଆକାଶକୁ ଅନାଏ....
ଆକାଶ କଣ ମଣିଷର ଅସହାୟତା ବୁଝେ??***********
-ଏ ନରିଆ ତୋ ଛାତି ପକେଟ୍ ରେ କଣ କିରେ?ନାଗାର ଗୁରୁ ଗମ୍ଭୀର ସ୍ୱର ।
-ଉଁ...ନାଗା ଭାଈ...ଏଇଟା ମୋ ଭଉଣୀ ସନ୍ତରୀର ଫଟୋଟା ମ....
-ଆରେ...ଦେଖେଇଲୁ...ଦେଖେଇଲୁ...ଇସ୍ କଣ ହେଇଛି ମ???ମାଲ୍ ଟା ପୁରା ଝକାସ୍ ହୋଇଛି ।ପାଟିରୁ ଲାଳ ଆସି ଯାଉଛି ବେ....
-ଏ ..ନାଗାଭାଈ ...ମୁହଁ ସମ୍ଭାଳି କଥା କହ ।ମୋ ଭଉଣୀ କଣ ତୋ ଭଉଣୀ ନୁହେଁ ???
-ହେଃ...ମୁଁ କାହାକୁ ଭଉଣୀ ଭାବେନି ମ...ମୋର କେହି ଭଉଣୀ ନାହି ।ସବୁ ଝିଅ ମୋର ଶାଳୀ ବୋଲା....ବୁଝିଲୁ ତ??ମୁଁ ଟିକେ ଭାରୀ ଆଇଁଶିଆ ।ତୋ ଭଉଣୀ ଭଳି ଝିଅ ଦେଖିଲେ ମୋ ଦେହଟା ଭାରୀ ଖସ ଖସ ହୁଏ ମ....।କହ କେତେ ନେବୁ ଗୋଟିଏ ରାତି ଲାଗି????
ନରିଆ ଗୋଟା ପଣେ ଥରୁ ଥିଲା ।ନାଗା ହାତରୁ ଫଟୋ ଟି ଝିଙ୍କି ନେଇ ତା ଗାଲରେ ରଟାସିଆ କି ଚାପୁଡେ ପକାଇଲା ।ନାଗା କି ଛାଡେ ତାକୁ??ଓଲଟି ପଡି ଦି ଚାରିଟା ନାଦି ଦେଲା ।କହିଲା..
-ଏ ନରିଆ...ଦେଖିବୁ ତୋ ଭଉଣୀକୁ ଦିନେ ମୁଁ ଉଠେଇ ନେବି ।ତୁ କିଛି କରି ପାରିବୁନି ।ମୁଁ ଖାଲି ଏଇଠୁ ବାହାରି ଯାଏ ଟିକେ ..
-କେମିତି କିଛି କରିପାରିବିନି ??ତୋ ଦେହରୁ ମୁଣ୍ଡଟା ଅଲଗା କରିଦେବି ବୁଝିଲୁ??
-କେମିତି କରିବୁ ଶୁଣେ?ନହ ନହକା ଦେହଟା ଧରି ବୁଲୁଛୁ ।ଗୋଟେ ଗୋଡ ଛୋଟା ଯେ ତୁ ଦୌଡିକି ବି ଧରି ପାରିବୁନି ମୋତେ ।କହିଲା କଣ ନା ମୋତେ ମାରିଦେବ?ହଉ ବେ ଶଳା ଚ୍ୟାଲେଞ ରହିଲା ..ତୋ ଭଉଣୀ ଏବେ ପଶା ପାଲି ରେ ପଡିଲା ।ଏବେ ଦେଖିବା କଣ ହେଉଛି ।ନାଗା ଫେଁ ଫେଁ ହୋଇ ବାହାରିଗଲା ।
ନରିଆ ଆଖିରେ କ୍ରୋଧର ଲୁହ ଥିଲା ।ଏମିତି ବି ଏଇ ସତର ଜଣଙ୍କ ଲାଗି ସେ ଦିନ ରାତି ଭାବୁଥିଲା ।ଏବେ ପୁଣି ଆଉ ଗୋଟେ ଚିନ୍ତା ।ଭଗବାନଙ୍କ ଉପରେ ତାର ରାଗ ବି ଆସୁଥିଲା ।ଏମିତି ଛୋଟା ଗୋଡଟେ ଦେଲେ ଯେ ତା ବୁଦ୍ଧିକୁ ଦେହ ସାଥୀ ଦେଇ ପାରେନି ।ନ ହେଲେ କେବେଠୁ କଣ କରି ସାରନ୍ତାଣି ।ନିଜେ ଖସିଯାଇ ଓଡିଶା ସରକାରଙ୍କ ଗୋଡ ଧରି ଏଠୁ ସେ ସତର ଜଣଙ୍କୁ କେବେଠୁ ମୁକ୍ତ କରି ସାରନ୍ତାଣି ।ଲୁହରେ ଜଡ ସଡ ହେଉ ହେଉ ନରିଆ ତା ନିଜ ଛୋଟା ଗୋଡକୁ ରାଗରେ ବିଧା ଉପରେ ବିଧା ମାରି ଚାଲି ଥିଲା ।
************
ଆଜିକାଲି ନାଗାର ସବୁବେଳେ ଲକ୍ଷ୍ୟ ସବୁବେଳେ ନରିଆ ଛାତି ପକେଟ୍ ରେ ।ନରିଆ ସହ ଆଉ କଥାବାର୍ତ୍ତା ନାହିଁ ନାଗାର ।ନରିଆ ସେଭଳି ପାପୀ ଲୋକ ଠାରୁ ଦୂରରେ ରହିବାକୁ ଚାହେଁ ।ହେଲେ କଣ କରିବ ସେଇ ଗୋଟିଏ ଘରେ ସମସ୍ତଙ୍କୁ ଶୋଇବାକୁ ପଡେ ।ହେଲେ ନରିଆ ଦେଖିଛି ନାଗା ତା ସାର୍ଟ ପକେଟ୍ ଅଣ୍ଡାଳିବାର ।ଭୟରେ ଥରିଯାଏ ସେ ।ସତରେ କଣ ନାଗା ତା ଭଉଣୀକୁ....
ନରିଆ ଡରିଯାଏ ।ଏବେ ସେ ତା ଭଉଣୀର ଫଟୋ କୁ ସେ ତା ପ୍ୟାଣ୍ଟର ଅଣ୍ଟା ପକେଟ୍ ରେ ରଖୁଛି ।କାମକୁ ଗଲା ବେଳେ ଫଟୋ ଟି ନେଇ ଯାଉଛି ।ନାଗାକୁ ଦୂରରୁ ଦେଖେ ସେ ।ଘୃଣାରେ ମନ ଭରିଯାଏ ।ଇଛା ହୁଏ ମୁହଁରେ ଲେଣ୍ଡାଏ ଛେପ ପକାଇବାକୁ ।
ନାଗାର ବେପରୁଆ ଭାବ ସବୁ ବେଳେ ।ହେଲେ ବେଳେ ବେଳେ ଚୁପଚାପ୍ ବସିବାର ଦେଖାଯାଏ ।ସେ ବି ଏଠିକୁ କାମ କରିବା ଉଦ୍ଧେଶ୍ୟରେ ଆସିଥିଲା ହେଲେ ଫସି ଯାଇଛି ।ତଥାପି ତାର ଗଉଁ ଯାଇନି ।
ସେ ଦିନ ଠିକା ଦାରର ଜନ୍ମଦିନ ଥିଲା ।କଣ ମନ ହେଲା ସମସ୍ତଙ୍କୁ ପେଟ ପୁରା ମାଉଁସ ଭାତ ଖାଇବାକୁ ଦେଇଛି ।ଆଉ ରାତିରେ ଦେଶୀ ମଦ ।ସମସ୍ତେ ଆଜି ଭାରୀ ଖୁସ୍ ।ନରିଆ ବି ଲାଳେଇ ଯାଇଛି ।ଏତେ ଦିନ ପରେ ଟିକେ ମଦ ମାଂସ ମିଳିବ ।ଖାଇ ସାରି ମଦ ଟିକେ ପାଟିର ଦେବାକୁ ଯାଇଛି କି ନାହିଁ ନାଗା ଆସି ତା ମଦ ବୋତଲ ଛଡାଇ ନେଲା ।ନରିଆ ଆହାତ ବାଘ ପରି ତା ଉପରେ ଝାମ୍ପି ପଡିଲା ହେଲେ ନାଗାର ବଳ ପାଖରେ ତା ବଳ କେତେ?ନାଗା ଥୋଇଦେଲା ଦୁଇଚାରି ଗୋଇଠା ଚାପୁଡା ।ଓଠ ଫାଟି ରକ୍ତ ବୋହିଗଲାଣି ।ନାଗା ତାକୁ ତାସ୍ଛଲ୍ୟ କରି ଅନେଇ ଚାଲିଗଲା ।
ରାତି ଅନେକ ।ମଦ ପିଇ ସବୁ ମାତାଲି ହୋଇ ବେହୋସ୍ ରେ ପଡିଛନ୍ତି ।ନରିଆ କୁ ଛାଇ ନିଦ ।ହଠାତ୍ କାହାର ଖସଖସ ଶବ୍ଦ ଶୁଣି ଆଖି ମଳି ଉଠି ଦେଖିଲା ବେଳକୁ ନାଗା ତା ପ୍ୟାଣ୍ଟ ପକେଟ୍ ରୁ ତା ଭଉଣୀର ଫଟୋ ଟି ନେଇ ଅତରସିଆ ଚାଲି ଯାଉଛି ।ନରିଆ ର ମୁଣ୍ଡରେ ବିଷ ଚରି ଗଲା ।ଭାବିଲା ଆଜି ତାର ଦିନକୁ ମୋର ଦିନେ ।ନାଗାକୁ କବଜା କରିବାକୁ ତାକୁ ପିଛା କଲାବେଳେ ଏକଣ ଦେଖୁଛି??
ନାଗା ଯେଉଁଠି ଶୁଏ ସେଇଠି ଗୋଟିଏ ଗାତ ହୋଇଛି ।ଚଟାପଟ ପଶିଗଲା ନାଗା ସେ ଗାତରେ ହାମୁଡେଇ ।ଖାଲି ଗୋଡ ଦୁଇଟା ଦିଶୁଛି ।ନରିଆ ଖାପ କନା ଧରିପକାଇଲା ତା ଗୋଡକୁ ।କିଛି ସମୟ ପରେ ଟଣା ଓଟରା ହୋଇ ନାଗା କଷିଦେଲା ନାତଟିଏ ନରିଆକୁ ଆଉ ଉଭାନ ହୋଇଗଲା ।ନରିଆ କି ଛାଡେ ତାକୁ ।ତା ଭଉଣୀର କରୁଣ ଚିତ୍କାର ଯେମିତି ତାକୁ ଶୁଭୁଛି ।ସେ ପାଖରେ ଥିବା କତାଟାକୁ ଧରି ସେଇ ଗାତ ଭିତରେ ସେ ବି ପଶିଗଲା ।
ଇସ୍ କି ଅନ୍ଧାର...ତା ଭିତରେ ଅଣ୍ଡାଳି ଅଣ୍ଡାଳି ଅନେକ ସମୟ ପରେ ବାହାରିଲା ଗାତ ଆର ପାଖ ମୁହଁରୁ ।ହେଲେ ନାଗା କାଇଁ...??ମୁଣ୍ଡବୁଲେଇ ଦେଖିଲା ବେଳକୁ ଗୋଟିଏ ଛାଇ ଜୋର୍ ରେ ଦଉଡି ଯାଉଛି ।ଏ ହିଁ ନାଗା ।ତାକୁ ଆଜି ସେ ହାଣି ଦେବ ।ସେ ବି ଦଉଡିଲା ସେଇ ଜଙ୍ଗଲ ଭିତରେ ।କେତେ ସମୟ କଟିଛି ଜଣା ନାହିଁ ।ଆକାଶ ଫରଚା ହେବାକୁ ଯାଉଛି..ନା ଆଉ ଦଉଡି ପାରିବନି ନରିଆ କଚାଡି ହୋଇ ପଡିଲା ରାସ୍ତା କଡରେ ।
କିଛି ସମୟ ପରେ କାହାର ହାତ ସ୍ପର୍ଶରେ ନରିଆ ମୁହଁ ବୁଲେଇ ଦେଖିଲା ନାଗା ଦାନ୍ତ ନେଫେଡି ଠିଆ ହୋଇଛି ।ହାତରେ ତା ଭଉଣୀର ଫଟୋ ଆଉ ଧାରୁଆ କାଚ ଖଣ୍ଡେ ।ଆଉ ତ୍ରାହି ନାହିଁ ନାଗା ଏଇଠି ତାକୁ ମାରି ଦେବ ବୋଧେ ...ତଣ୍ଟି ଶୁଖିଆସୁଥିଲା ନରିଆର ।
ନାଗା ନରିଆ ପାଖରେ ହାମୁଡେଇ ବସି ପଡିଲା ..ନରିଆ ହାତରେ ଥୋଇଦେଲା ତା ଭଉଣୀର ଫଟୋ ଆଉ ଭଙ୍ଗା କାଚ ।କହିଲା ଏଇ ଏଇ ନେ ତୋ ଭଉଣୀକୁ ଆଉ ତୋ ଅଇନାର ଫାଳେ କାଚ ।ମୁଁ ଚାଲିଲି...ମୋତେ ପିଛା କରିବୁ ତ ସତରେ ତୋ ରକ୍ତ ପିଇଦେବି..
ନାଗା ଦଉଡି ଯାଉ ଯାଉ ପଛକୁ ଫେରି ଅନେଇଲା...ବଡ ପାଟିରେ କହିଲା...ନରିଆ...ଚମତ୍କାର ହୁଏ ନରିଆ...ତୋ ଛୋଟା ଗୋଡରେ ପନ୍ଦର କିଲୋମିଟର ତୁ ଦଉଡି ପଳେଇ ଆସିଛୁ...ହଁ ତୋ ଭଉଣୀକୁ କହିବୁ ଆରବର୍ଷ ମୋତେ ରାକ୍ଷୀ ପଠେଇବ....ହା ....ହା.....
ନାଗା ଦଉଡି ଚାଲି ଯାଉଥିଲା....ଦୂରକୁ ବହୁ ଦୂରକୁ.....
ନରିଆ ପଛକୁ ଅନେଇଲା ...ପଛରେ ସତର ଜଣଙ୍କ ନିରିହ ଆଖି ତାକୁ ଦେଖା ଯାଉଥିଲା ।ହଁ...ସେମାନଙ୍କୁ ବଞ୍ଚାଇବାକୁ ହେବ....।ନାଗା ଉଦ୍ଧେଶ୍ୟରେ ସେ ସେଇଠି ମୁଣ୍ଡିଆଟିଏ ମାରିଥିଲା ଲୁହ ଢଳ ଢଳ ଆଖିରେ ।