Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସମ୍ପର୍କର ରକ୍ତ
ସମ୍ପର୍କର ରକ୍ତ
★★★★★

© Swagatika Mishra

Tragedy

6 Minutes   389    18


Content Ranking

ଅଦିନିଆ ବର୍ଷାଟା ବାହାରେ ମନ ଖୋଲି ନିଗାଡ଼ି ଦେଉ ଥାଏ ମନର କୋହକୁ |ଝରକା ପାଖରେ ଚା କପ ଟା ଧରି ଏକ ଲୟ ରେ ଚାହିଁ ରହି ଥାଏ ମୁକ୍ତା |ବର୍ଷାକୁ ସେ ଖୁବ ଭଲ ପାଏ ତା ପିଲାଟି ଦିନରୁ |ଅନ୍ଧାରିଆ କଳା ବାଦଲ ଉହାଡ଼ରେ ଝାପ୍ସା ହେଇ ଆସୁଥାଏ ବର୍ଷାର ଧାରା ସବୁ |ହଠାତ ବାଜି ଉଠିଲା କଲିଙ୍ଗ ବେଲ|ଏଇ ସମୟରେ କିଏ ଆସିଲା ବୋଲି ଭାବି କୌତୁହଳ ସହ କବାଟ ଖୋଲିଲା ମୁକ୍ତା |କବାଟ ଟା ଖୋଲୁ ଖୋଲୁ ସ୍ଥାଣୁ ପାଲଟି ଗଲା ସେ |ନିଜ ଆଖିକୁ ନିଜେ ବିଶ୍ୱାସ କରି ପାରୁ ନ ଥାଏ ମୁକ୍ତା|ସାମ୍ନା ରେ ରଜତ |ରଜତ ପାଣିଗ୍ରାହୀ ତା ଜୀବନର ଗୋଟେ ଅଧୁରା ଅଧ୍ୟାୟ ଯାହାକୁ ଦିନେ ସେ ଭଲ ପାଉ ଥିଲା ପାଗେଳୀ ଙ୍କ ପରି, ବାହାନା ଯୋଗଡୁ ଥିଲା ଥରୁଟେ ଦେଖିବା ପାଇଁ|ମରୁ ଥିଲା ଥରେ କଥା ହେବା ପାଇଁ |

ରଜତ କୁ ପ୍ରଥମ ଥର ପାଇଁ ଦେଖି ଥିଲା ତା କଲେଜ କ୍ୟାଣ୍ଟିନରେ |ଛ ଫୁଟ ଉଚ୍ଚତା,ଚଉଡା ଛାତି, ସାବନା ରଙ୍ଗ ଆଉ ଲମ୍ବା ନାକ ସାଙ୍ଗକୁ ତାର କଥା ହେବାର ଢଙ୍ଗ ତାକୁ ଖୁବ ଆକର୍ଷଣ କରି ଥିଲା |ପ୍ରଥମ ଦେଖା ରେ ହିଁ ହୃଦୟ ଭିତରେ ସଅଂପି ଦେଇ ଥିଲା ଜାଗା ଖଣ୍ଡିଏ, ବନ୍ଧା ପକେଇ ଦେଇ ଥିଲା ତା ନିଦ, ହଜେଇ ଦେଇ ଥିଲା ତା ମନ ରଜତ ପାଖରେ |ରଜତ ଓ ମୁକ୍ତା ଉଭୟ ସ୍ନାତକୋତର ଶିକ୍ଷାର୍ଥୀ ଥିଲେ | ପ୍ରଥମେ ବନ୍ଧୁତାର ହାତ ବଢ଼େଇ ଥିଲା ମୁକ୍ତା |ବାସ ସେଇ ଦିନ ଠାରୁ ଦୁହେଁ ପାଲଟି ଯାଇଥିଲେ ଭଲବନ୍ଧୁ |ମୁକ୍ତା ଗୁନ୍ଥି ଚାଲି ଥିଲା ସପନ ସବୁ ଆଶାର ସୁତା ଖଣ୍ଡରେ |ଏମିତି ବିତି ଚାଲିଲା ସମୟ | କଲେଜ ସରିବାକୁ ଆଉ ମାତ୍ର କେତେ ଦିନ ବାକି ଥାଏ ହେଲେ ମୁକ୍ତା କହି ପାରି ନ ଥାଏ ନିଜ ମନର କଥା |କେମିତି କହିବ କୋଉଠୁ ଆରମ୍ଭ କରିବ ଭାବି ଭାବି ସେଦିନ ରାତି ସାରା ନିଦ ନଥାଏ ମୁକ୍ତାକୁ |ଯେମିତ ହେଲେ କାଲି ସକାଳେ ସେ ରଜତକୁ ଖୋଲି କହିବ ତା ମନକଥା |ସକାଳ ର ଅପେକ୍ଷା ରେ ମସଗୁଲ ହେଇ କଡ ଲେଉଟେଇ ରାତିଟାକୁ ଯେ କୌଣସି ମତେ କାଟିଲା ଭାରି କଷ୍ଟରେ |ସକାଳୁ ନିଜକୁ ଆଇନା ରେ ଦୁଇ ଚାରି ଥର ଦେଖି ନିଜକୁ ସଜେଇ ବାହାରି ଗଲା ରଜତ ସହ ଦେଖା କରିବା ପାଇଁ |ଡର ଲାଜ ଆଉ ଭୟକୁ ଛାତି ତଳେ ଚାପି ସବୁ ସାହସ ଜୁଟେଇ ଏକ ନିଶ୍ୱାସ ରେ ମନକଥା ଖୋଲି କହି ଦେଲା ମୁକ୍ତା |ରଜତ କିନ୍ତୁ ସିଧା ସଳଖ ଭାବେ ପ୍ରତ୍ୟାଖାନ କରିଥିଲା ମୁକ୍ତାର ପ୍ରେମ ନିବେଦନକୁ, ତା ଛଡା ତା ଘରେ ବି ଅନାଥ ଆଶ୍ରମର ଝିଅକୁ ବୋହୁ କରିବାକୁ କେହି ରାଜି ହେବେନି ବୋଲି ସ୍ପଷ୍ଟ ଭାବରେ ଜଣେଇ ମଧ୍ୟ ଦେଇଥିଲା|ବାସ !ମୁକ୍ତା ର ପାଦ ତଳୁ ଖସି ଯାଇ ଥିଲା ମାଟି| ଆଖିରେ ବୋଲ ମାନୁ ନଥିଲା ଲୁହ |ମନରେ ଭରି ଆସୁଥିଲା ନିଜକୁ ଘୃଣା କରିବା ପାଇଁ ଆଉ ଗୋଟାଏ କାରଣ |ଦ୍ୱିତୀୟ ଥର ପାଇଁ ରଜତ କୁ କୌଣସି ପ୍ରଶ୍ନ ନ ପଚାରି ବାଟ ଭାଙ୍ଗି ଚାଲି ଯାଇଥିଲା ମୁକ୍ତା |ନୂଆ ସମ୍ପର୍କଟା ସୃଷ୍ଟି ହେବା ଆଗରୁ ହିଁ ସମାଧି ନେଇ ଥିଲା ପୁରୁଣା ସମ୍ପର୍କ |ଏଇଠି କବର ନେଇଥିଲା ତାଙ୍କ ବନ୍ଧୁତ୍ୱ |ଅଲଗା ହୋଇ ଯାଇଥିଲା ଉଭୟଙ୍କ ରାସ୍ତା |ରଜତ ଯଦିଓ ଅନେକ ଥର ଚେଷ୍ଟା କରିଥିଲା ବନ୍ଧୁତା ରକ୍ଷା କରିବା ନିମନ୍ତେ ହେଲେ ମୁକ୍ତା କୌଣସି ସୁଯୋଗ ଦେଇ ନଥିଲା |ଶେଷ ପରୀକ୍ଷା ଟା ସରିବା ପରେ ଉଭୟ ନିଜ ନିଜ କର୍ମକ୍ଷେତ୍ରରେ ବ୍ୟସ୍ତ ରହିଲେ |ରଜତ ମଧ୍ୟ ରୂପବତୀ ଆଉ ଗୁଣବତୀ ଝିଅ ଟିଏ ଦେଖି ସଂସାର ବସେଇ ସାରିଥିଲା ମାତ୍ର ମୁକ୍ତା ରହି ଯାଇଥିଲା ଏକା ଆଉ ତା ଏକେଲାପଣ ତାକୁ ଗ୍ରାସ କରି ସାରିଥିଲା ଚାରି ପଟୁ |

ହଠାତ ରଜତ ପ୍ରଶ୍ନରେ ପ୍ରକୃତିସ୍ଥ ହେଲା ମୁକ୍ତା |

-ଭିତରକୁ ଆସିବାକୁ କହିବନି ମୁକ୍ତା?

-ହଁ ହଁ ଆସ ରଜତ |ବସ |

ପୁଣି କୋଠରୀ ଭିତରେ ଛାଇ ଗଲା ଅଜବ ନିସ୍ତବ୍ଦତା |ରଜତ ନିସ୍ତବ୍ଦତା କୁ ଭାଙ୍ଗିବାକୁ ଯାଇ ନିଜ ଆଡୁ କଥା ଆରମ୍ବ କଲା|

-କେମିତି ଅଛ ମୁକ୍ତା? ମତେ ମନେ ରଖିଚ ନା ଭୁଲି ଗଲାଣି?

-ମତେ କ୍ଷମା କରି ଦିଅ ମୁକ୍ତା |ମୁଁ ଅତୀତ ଘଟଣା ପାଇଁ ଲଜ୍ଜିତ |ମୁଁ ତୁମକୁ ହାତ ଯୋଡି କ୍ଷମା ମାଗୁଛି ମୁକ୍ତା ସବୁ କିଛି ଭୁଲି ଯାଅ |

ଦୀର୍ଘଶ୍ୱାସ ପକାଇ ମୁକ୍ତା ଆରମ୍ଭ କଲା,

-କେତେ ସହଜରେ କହି ଦେଲ ରଜତ ସବୁକିଛି ଭୁଲି ଯିବା ପାଇଁ |ଭୁଲିବା ଏତେ ସହଜ ହେଇ ଥିଲେ ମୁଁ ଆଜି ତୁମ ପରି ସଂସାର କରି ସୁଖର ଜୀବନଟିଏ ବିତେଇଥାନ୍ତି ଏମିତି ସାରା ଜୀବନ ଅନାଥ ହେଇ ବଂଚିବାକୁ କିଏ ଚାହେଁ !ଛାଡ଼ ସେସବୁ ରଜତ ;ପୁରୁଣା କଥା ଘାଣ୍ଟି ଆଉ କି ଲାଭ? ଆଜି କେମିତି ମୋ କଥା ମନେ ପଡିଲା ସେଇଟା କୁହ? ଏଇ ଆଠ ବର୍ଷ ଭିତରେ କେବେ ତ ମତେ ଖୋଜିନ? ଆଜି ହଠାତ?

ରଜତ ମୁକ୍ତା ର ହାତ ଟାକୁ ଧରି କହି ପକାଇଲେ ମତେ ବିବାହ କରିପାରିବ ମୁକ୍ତା?

-ଚମକି ପଡିଲା ମୁକ୍ତା|ହେଲେ ତମେ ତ ବିବାହିତ|ମୁଁ ଯଦି ଭୁଲ କହୁ ନଥାଏ ଆମ ଜୁନିଅର ଶ୍ରଦ୍ଧାକୁ ବୋଧେ ତମେ ବିବାହ କରିଛ |ପୁଣି....

-ହଁ ମୁକ୍ତା|ହେଲେ ଶ୍ରଦ୍ଧା...ଶ୍ରଦ୍ଧା.... ଆମ ସମସ୍ତଙ୍କୁ ଛାଡି ଚାଲି ଯାଇଛି ସବୁ ଦିନ ପାଇଁ |ହଁ ମୁକ୍ତା ଆଜିକୁ ଚାରି ମାସ ତଳେ ଗୋଟେ ଝିଅକୁ ଜନ୍ମ ଦେଇ ସେ ଆଖି ମୁଜି ଦେଇ ଚାଲିଯାଇଛି ସବୁ ଦିନ ପାଇଁ |ବିଚରା ସେ ଛୁଆଟା କଥା ଭାବୁଛି |ମୁକ୍ତା କେମିତି ପାଳିବି ତାକୁ ଶ୍ରଦ୍ଧା ବିନା |ତମ ଉପରେ ମୋର ପୁରା ବିଶ୍ୱାସ ଅଛି ମୁକ୍ତା ତମ ଠାରୁ ମତେ ଆଉ କିଏ ବା ଅଧିକ ବୁଝି ପାରିବ? ମୁଁ ଜାଣିଛି ତମେ ବି ଆଜି ଯାଏ ମୋ ପାଇଁ ହିଁ ବିବାହ କରିପାରିନ |ପ୍ଲିଜ଼ ମୁକ୍ତା ଆଦରି ନିଅ ପିଲାଟାକୁ, ତମେ ହିଁ ପିଲାଟାକୁ ମା ର ସ୍ନେହ ଦେଇ ପାରିବ ତାର ଆବଶ୍ୟକତା ପୁରା କରିପାରିବ |ଥରେ ଖାଲି ମୋ ବିବାହ ପ୍ରସ୍ତାବ ରେ ରାଜି ହେଇଯାଅ ମୁକ୍ତା |

-ମୁକ୍ତା ଆଖିରେ ଘୃଣା ଆଉ କ୍ରୋଧର ଲୁହ |ତାସ୍ଛଲ୍ୟ ଭରା ଚାହାଣି ରେ ଚାହିଁଲା ମୁକ୍ତା

-ଓ!ରଜତ ବାବୁ ତାହେଲେ ମତେ ବିବାହ କରିବାକୁ ଚାହୁଁଛନ୍ତି ତାଙ୍କ ଛୁଆର ଲାଳନ ପାଳନ କରିବାକୁ|କେତେ ସ୍ୱାର୍ଥପର ତମେ ରଜତ! ସବୁବେଳେ ନିଜ କଥା ଭାବି ଜାଣିଛ ନା? ମୁଁ ଆଜିବି ଅନାଥ ରଜତ| ମୋ ବାପା ମା ଙ୍କର ଏଯାଏଁ ବି ଠିକଣା ମିଳିନି |ତମ ଘରକୁ ଗଲେ ତମ ପରିବାର ସମ୍ମାନ ଉପରେ ଆଞ୍ଚ ଆସିବନି? ସେଦିନ କେତେ ସହଜରେ ତମେ ଓ ତମ ପରିବାର ମୋ ପ୍ରେମକୁ ପ୍ରତ୍ୟାଖାନ କରିଥିଲ ରଜତ, ମୁଁ ଅନାଥ ବୋଲି |ଥରେ ଭାବି ଦେଖ ରଜତ,କେତେ ବାଧି ନ ଥିବ ସେ କଥା ପଦକ !ଜାଣିଛ ରଜତ କେତେ କଷ୍ଟ କରିଛି ମୁଁ ଏଇ ଦୁନିଆ ରେ ତିଷ୍ଠିବା ପାଇଁ |ଗୋଟେ ଅନାଥ ପିଲାବି ତୁମ ଝିଅକୁ କି ସଂସ୍କାର ଦେଇ ପାରିବ!!ଯାଅ ରଜତ,ଚାଲି ଯାଅ ;ଏଠି ବୃଥା ପରିଶ୍ରମ କରନା |

-ମୁଁ ତ ଭାବି ଥିଲି ହୁଏତ ତମେ ମୋ ପ୍ରେମର ଗଭୀରତା କୁ ଏତେ ଦିନ ପରେ ଅନୁଭବ କରି ପାରିଥିବ ଆଉ ସେଥିପାଇଁ ବୋଧେ ମତେ ଆଜି ଖୋଜି ଏଠାରେ ପହଁଞ୍ଚିଛ | ହେଲେ ମୁଁ ସେଦିନ ବି ତମକୁ ଭୁଲ ଥିଲି ଆଉ ଆଜିବି |ଯାଅ ରଜତ ଚାଲି ଯାଅ ମୋ ସାମ୍ନାରୁ |ମୁଁ ଆଉ କିଛି କଟୁ କଥା କହିବା ଆଗରୁ ତମେ ଚାଲି ଯିବାଟା ଭଲ ହେବ |

-ମୁକ୍ତା.... ଥରେତ ମତେ ବୁଝିବାକୁ ଚେଷ୍ଟା କର|

_ବାସ !ଚାଲି ଯାଅ ରଜତ |

ନିରୁପାୟ ହେଇ ଭାରାକ୍ରାନ୍ତ ମନ ନେଇ ସେଦିନ ଫେରିଗଲା ରଜତ |ଅତୀତ ର ପ୍ରେମ ପ୍ରତ୍ୟାଖାନ ର ସଠିକ ପ୍ରତିଶୋଧ ନେଇ ଥିଲା ମୁକ୍ତା ରଜତର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନ କରି |ତଥାପି କେଉଁ ଗୋଟେ ଅଜଣା ଭୁଲ ପାଇଁ ଆନ୍ଦୋଳିତ ହେଉ ଥିଲା ତାର ମନ |ନିଜକୁ ନିଜେ ଲଜ୍ୟା ବୋଧ ଯଦିଓ କରୁଥିଲା ତଥାପି ଆତ୍ମ ତୃପ୍ତି ପାଇବାର ବାହାନା ସଜାଡୁ ଥିଲା |ହେଲେ କିଏ ଜାଣିଥିଲା ଵିଧିର ବିଧାନ ଆଉ କିଛି ଲେଖି ଥିଲା ତା ପାଇଁ |

ପରଦିନ ସକାଳର ଜଳଖିଆ ସହ ଖବରକାଗଜ ଆଡଉ ଆଡଉ ନଜର ପଡିଲା ସଡ଼କ ଦୁର୍ଘଟଣା ଖବର ଉପରେ |ବଡ଼ ବଡ ଅକ୍ଷର ରେ ଲେଖା ହେଇ ଥିଲା, ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅଧ୍ୟାପକ ରଜତ ପାଣିଗ୍ରାହୀ ଗୁରୁତ୍ୱର|ଗୁରୁତ୍ୱର ଅବସ୍ଥା ରେ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି |ଆଖିକୁ ବିଶ୍ୱାସ କରି ପାରୁ ନ ଥିଲା ମୁକ୍ତା | ନିଜକୁ ନିଜେ ଦୋଷୀ ମନେ କରି ଅବିଳମ୍ବେ ଏକମୁହାଁ ହେଇ ଦୌଡିଲା ଡାକ୍ତରଖାନା ଆଡ଼େ |

ଡାକ୍ତରଖାନାରେ ନିଜକୁ ରଜତର ବାନ୍ଧବୀ ର ପରିଚୟ ପ୍ରଦାନ କରି ସମସ୍ତଙ୍କ ପରି ସେ ମଧ୍ୟ ଅପେକ୍ଷା କରି ଥାଏ ଡାକ୍ତରଙ୍କୁ |ଯଥା ସମୟରେ ଡାକ୍ତର ବାହାରକୁ ଆସିଲେ ହେଲେ ମୁହଁରେ ନାସ୍ତି ବାଣୀ |ଦେହରୁ ଅତ୍ୟନ୍ତ ରକ୍ତ ସ୍ରାବ ଓ ମୁଣ୍ଡ ରେ ଶକ୍ତ ଆଘାତ ହେତୁ ପରିସ୍ଥିତି ଜଟିଳ |ହୁଏତ କୋମା ନଚେତ ମୃତ୍ୟୁ| ମୁକ୍ତା ଆଖିରୁ ଝର ଝର ହେଇ ଝରି ଯାଉଥିଲା ଲୁହ |ହଠାତ ତାର ନଜର ପଡିଲା ସତୁରି ବର୍ଷର ବୃଦ୍ଧାଙ୍କ କୋଳରେ ରାହା ଧରି କାନ୍ଦୁ ଥିବା ନିଷ୍ପାପ କଅଁଳ ଶିଶୁଟା ଉପରେ |ବୃଦ୍ଧା ଜଣଙ୍କ ନା ନିଜକୁ ସମ୍ଭାଳି ପାରୁ ଥିଲେ ନା ସେ ପିଲାକୁ |ମୁକ୍ତା ର କାନ ରେ ବାଜୁଥିଲା ଗଲା କାଲିର ରଜତ ଦନ ଆଉ ଅତୀତ ର ପ୍ରେମ ପ୍ରତ୍ୟାଖାନ ର ମୁଖ୍ୟ କାରଣ ଅନାଥ ଶବ୍ଦଟା|ତା ଆଖି ଆଗରେ ଅନାଥ ହେବାକୁ ଯାଉ ଥିଲା ଆଉ ଗୋଟେ ଜୀବନ|ମାଡି ଆସୁଥିଲା କଳାହାଣ୍ଡିଆ ମେଘ|ପିଲାଟାର ଭବିଷ୍ୟତକୁ ନିଜ ଭାଗ୍ୟ ସହ ତୌଲେଇ ଥରି ଯାଉଥିଲା ତା ଦେହ | କୋରି ହେଇ ଯାଉ ଥିଲା ମୁକ୍ତା ହୃଦୟ ଭିତରଟା |

ଧୀରେ ଧୀରେ ପାଦ ବଢ଼ାଇଲା ମୁକ୍ତା|ଥରେ ଆଖି ବୁଲେଇ ଆଣିଲା ତା ନିଷ୍ପାପ ମୁହଁଟା ଉପରେ |ରଜତ ମୁହଁଟା ନାଚି ଉଠୁଥିଲା ତା ଆଖିରେ |ଅତୀତକୁ ଏମିତି ଅବସ୍ଥାରେ ଭେଟିବ, ମୁକ୍ତା କେବେ ମଧ୍ୟ ଭାବି ନଥିଲା |ସେ ଅନୁଭବ କରିଥିଲା ଅନାଥ ହେବାର କଷ୍ଟ |ବଢିଲା ଝିଅ ଉପରେ ଦୁନିଆର ନଜର|ବଂଚିବା ପାଇଁ ସାହାରା ର ଆବଶ୍ୟକତା |ପରିଷେଶରେ ସମାଜ ର ଘୃଣ୍ୟ ଦୃଷ୍ଟି ଆଉ ଲାଞ୍ଚନା |ପିଲାଟା ଏବେ ବି ରାହା ଧରି କାନ୍ଦୁ ଥିଲା |ନିଜକୁ ସମ୍ଭାଳି ପାରିଲାନି ମୁକ୍ତା|

ରକ୍ତରୁ କାଳେ ସମ୍ପର୍କ ତିଆରି ହୁଏ ହେଲେ ଏଇ ସମ୍ପର୍କ ବି କେବେ କେବେ ରକ୍ତ ହେଇ ବୋହି ପାରେ ଛାତିରେ, ଲୁହ ହେଇ ନିଗିଡି ପାରେ ଆଖିରୁ ସେଦିନ ପ୍ରଥମ ଥର ପାଇଁ ଅନୁଭବ କରିଥିଲା ମୁକ୍ତା |ମାତୃତ୍ୱ ର ମମତା ରେ ଜୁଡ଼ୁବୁଡ଼ୁ ହେଇ କୋଳେଇ ନେଲା ପିଲାଟାକୁ |ଛାତି ରେ ଚାପି ଧରିଲା ମୁକ୍ତା |ପିଲାଟା ବି କାନ୍ଦିବା ଠକ କରି ବନ୍ଦ କରି ଦେଲା ମାତୃତ୍ବର ସ୍ପର୍ଶ ପାଇ |

ନର୍ସ ଡାକ ପକାଇଲେ ରୋଗୀ ତାଙ୍କ ଛୁଆକୁ ଖୋଜୁଛନ୍ତି |ଅବସ୍ଥା ବହୁତ ଖରାପ ଜଲଦି ଛୁଆକୁ ଆଣି ଆସନ୍ତୁ |ମୁକ୍ତା ବିଜୁଳି ବେଗରେ ଦୌଡିଲା ଛୁଆକୁ ଚାପି ଧରି |

ରଜତ ଶୋଇ ରହିଥିଲା ଭୀଷଣ କଷ୍ଟ ଆଉ ଯନ୍ତ୍ରଣାରେ|ଅର୍ଦ୍ଧ ମୁଦ୍ରିତ ଆଖିରେ ମୁକ୍ତା ଆଉ ପିଲାକୁ ଏକାଠି ଦେଖି ହସିଦେଲା ଚେନାଏ |କିଛି କହିବାକୁ ଚାହୁଁ ଥିଲା ବୋଧେ ହେଲେ ପାରିଲାନି |ମୁକ୍ତା ମଥାରେ ସିନ୍ଦୁର ଭରିବା ପାଇଁ ଇସାରା କରିଥିଲା ରଜତ ଆଉ ପରିବାର ଲୋକ ଙ୍କ ସହାୟତାରେ ମୁକ୍ତା ସିନ୍ଥୀରେ ଭରି ଦେଇ ଥିଲା ଟୋପେ ଠାକୁରଙ୍କ ସିନ୍ଦୁର |ମୁକ୍ତା ମଧ୍ୟ ମୁଣ୍ଡପାତି ମାନି ନେଇ ଥିଲା ଜୀବନର ନୂଆ ମୋଡ଼କୁ | ସମସ୍ତଙ୍କ ଆଖିରେ ଲୁହର ଲହରୀ|ରଜତ ବହୁ କଷ୍ଟ ରେ ହାତ ବୁଲେଇ ଆଣିଲା ଝିଅ ଆଉ ମୁକ୍ତା ମୁଣ୍ଡରେ |ଆଉ ଶୋଇ ପଡିଲା ଶାନ୍ତିରେ ସବୁ ଦାଇତ୍ୱ ମୁକ୍ତା କୁ ସମର୍ପଣ କରିଦେଇ|

ଲୋଟି ପଡିଲା ରଜତ ଛାତିରେ ମୁକ୍ତା |ସମ୍ପର୍କ ର ନୂଆ ପରିଭାଷା ଜୀବନକୁ ତାର ନୂତନ ରୂପରେ ଅନୁବାଦ କରି ସାରିଥିଲା |ବିଧବା ହେବା ପାଇଁ ସିନ୍ଦୁର ନାଇବା ପରେ ମା' ନ ହେଇ ମଧ୍ୟ ମାତୃତ୍ୱ ର ସମ୍ପର୍କ ନିଭେଇବା ପାଇଁ ଲୁହ ପୋଛି ନିଜକୁ ପ୍ରସ୍ତୁତ କରିବାର ଥିଲା ମୁକ୍ତାକୁ |

ସମ୍ପର୍କ ଲୁହ ରକ୍ତ

Rate the content


Originality
Flow
Language
Cover design

Comments

Post

Some text some message..