ମାୟା ମୃଗ
ମାୟା ମୃଗ
ଖୁସିରେ ଚୁମକି ଡେଉଁଥିଲା ଆଜି।
କଁଅଳ ଘାସ କେରାଏ ପାଇଲେ ଅଥବା ପ୍ରବଳ ଖରାରେ ମୁନ୍ଦାଏ ପିଇବା ପାଣି ମିଳିଗଲେ ,ସେ ଏମିତି ଖୁସି ହେଉଥିଲା,ଯେତେବେଳେ ଜଙ୍ଗଲ ରେ ସେ ମା ସହିତ ବୁଲୁଥିଲା।
ଆଜି ସେ ଡେଉଁଥିଲା ଭିନ୍ନ ଏକ କାରଣ ପାଇଁ।
'ଚୁମକି' ହେଉଛି ସେଇ ହରିଣ ଛୁଆ, ଯାହାକୁ ଫରେଷ୍ଟର ବାବୁ ଜଙ୍ଗଲରୁ ଉଦ୍ଧାର କରିଥିଲେ।
ନିଜ ମା'ର ମଲା ଦେହ ପାଖରେ ବସିଥିଲା ସେ।ଜାଣି ନଥିଲା, ସଦା ଚଞ୍ଚଳ ତା’ ମା ସେଦିନ କାହିଁକି ଉଠୁ ନଥିଲା।
ବିକଳରେ କେତେ ଚାଟିଥିଲା, ଚୋବେଇ ଥିଲା । ହେଲେ ମା ତା'ର ସେମିତି ପଡ଼ିଥିଲା ରାସ୍ତା ଉପରେ।
ଢୋ କିନା ଗୋଟେ ଶବ୍ଦ ହୋଇଥିଲା । ଗୋଟେ ନିଆଁ ଝୁଲ ପରି ସାଏଁ କିନା ଯାଇ ମା’ର କାନ ମୁଣ୍ଡାରେ ବାଜିଥିଲା।
ଟଳି ପଡ଼ିଲା ମା’ ; ତାକୁ ବଞ୍ଚାଇ ବାକୁ ମା’ ଆଗକୁ ଚାଲି ଆସିଥିଲା !!!
ଗାଡ଼ି ଦୁଇଟା ଆସି ପହଞ୍ଚିଥିଲା। ଜଣେ ଧୋବ ଧଳିଆ ବାବୁଙ୍କ ସହ, ଜଙ୍ଗଲ ଅଫିସର ବାବୁ ଆଉ କିଛି ଲୋକଙ୍କ ସହ ବି ଓଳ୍ହାଇ ଥିଲେ।
"ସାର୍, କି ଲକ୍ଷ୍ୟ ଆପଣଙ୍କର? ଅର୍ଜୁନଠୁ ବି ବଳିଗଲେ ଆପଣ।"
ପଛରୁ କିଏ ଜଣେ କହିଲା, "ସାର୍ ପରା ଆମର ସଲମାନ ଖାନ।"
ସମସ୍ତେ କାହିଁକି ହସୁଥିଲେ, ସେଦିନ ଜାଣି ନଥିଲା ଚୁମୁକି। ଜଙ୍ଗଲ ବାବୁ ତାକୁ ଆଦରରେ କୋଳକୁ ଆଣି,ଜଙ୍ଗଲ ରେଷ୍ଟ ହାଉସ ପାଖରେ ଥିବା, ପାର୍କରେ ଛାଡିଥିଲେ।
କିଛିଦିନ ପରେ ଏ ଜାଗାକୁ ଆଦରି ନେଇଥିଲା ଚୁମକି । କେୟାର ଟେକର ଜଗା,ବାବୁଲି,ଝୁନୁ ମାଉସୀଙ୍କ ଠାରୁ ଆରମ୍ଭ କରି ରେଞ୍ଜର,ଫରେଷ୍ଟର,ଗାର୍ଡ ସମସ୍ତଙ୍କର ଅତି ପ୍ରିୟ ହୋଇଯାଇଥିଲା ସେ । ଚୁମକି ଥିଲା ତା ନୂଆ ପରିଚୟ । ଜଙ୍ଗଲ ରେ କୌଣସି ଜୀବଙ୍କ ନାଁ ନଥାଏ।
ଅତିଥିମାନେ ଆସିଲେ ,ଆଗେ ଖୋଜା ପଡେ ଚୁମକିକୁ । ସେମାନେ ନିଜ ହାତରେ ଖୁଆଇ ଦିଅନ୍ତି ତାକୁ।
ଜଙ୍ଗଲ ଓ ମା’ ତଥା ନିଜ ଦଳ କଥା ବେଳେବେଳେ ମନେପଡେ ଚୁମକିର । ହେଲେ ଏଠି ସେ ଖୁସି ଅଛି । ନିଜ ରାଗ ଧୀରେ ଧୀରେ ଭୁଲିବାକୁ ଚେଷ୍ଟା କରୁଥିଲା।
ସେଦିନ ସେ ହଠାତ ଆଶ୍ଚର୍ଯ୍ୟ ହୋଇଗଲା ଯେତେବେଳେ ସେ ଟିଭିରେ ଦେଖୁଥିଲା, ଗୋଟେ ଲୋକ ଓ ହରିଣର ଚିତ୍ର।
ଜଗା ଭାଇ କହୁଥିଲା, " ଦେଖେ ଚୁମୁକି, ହରିଣ ମାରିଥିଲା ବୋଲି ସିନେମା ହିରୋକୁ ଜେଲ ହୋଇଛି । ସବୁ ଅଭିଶାପ ସେଇ ନିରୀହ ହରିଣର। ଘାଣ୍ଟି ହେଉଛି ହିରୋ।"
ହରିଣ ମାରିଲେ ଜେଲ ହୁଏ ? ତା ମାଆକୁ ମାରିଥିବା ଲୋକ କ’ଣ ଜେଲ ଯାଇଥିବ ?ତା’ ମା‘ କ’ଣ ଅଭିଶାପ ଦେଇ ନଥିବ ?
ଆଜି ଚୁମକି ଡ଼େଉଁଥିଲା । ଜଙ୍ଗଲ ବାବୁଙ୍କ ଉପରେ ସେ ଚଢି ଯାଉଥିଲା ।ଯେମିତି କିଛି କହିବାକୁ ଚେଷ୍ଟା କରୁଥିଲା।
ସେଇ ଧୋବ ଧବଳିଆ ବାବୁ ଆଜି ଏତେଦିନ ପରେ ପୁଣି ଆସିଛି। ଦେହରେ ଖଦଡ଼,ମୁଣ୍ଡରେ ଟୋପି । ନିଜ ମୁଣ୍ଡରେ ଦୁଇ ଧକ୍କା ବି ଦେଲା ଚୁମକି । ଏଇ ଲୋକ ତା ମାଆକୁ ମାରିଥିଲା। ସେଦିନ ତା ହାତରେ ବନ୍ଧୁକ ଥିଲା। ପୁରୁଣା ଜଙ୍ଗଲ ବାବୁ ଥିଲେ ବୋଧେ ଚିହ୍ନି ପାରିଥାନ୍ତେ।
ରେଞ୍ଜର ବାବୁ ସେ ଲୋକଟାକୁ ସ୍ୟାଲୁଟ କରୁଥିଲେ । ସମସ୍ତେ କହୁଥିଲେ ମନ୍ତ୍ରୀ ଆସିଛନ୍ତି ପରିଦର୍ଶନ ପାଇଁ ।
ଚୁମକି ଭାବୁଥିଲା, ତା ମୁଣ୍ଡରେ ଶିଙ୍ଗ ଥିଲେ ,ଆଜି ମନ୍ତ୍ରୀର ପେଟ ଫଟାଇ ଦେଇଥାନ୍ତା । ଝର ଝର ହୋଇ ରକ୍ତ ବାହାରି ଥାନ୍ତା, ଯେମିତି ତା’ ମା’ ମୁଣ୍ଡରୁ ସେଦିନ ବାହାରିଥିଲା।
ମନ୍ତ୍ରୀ ହସି ହସି କହିଲେ, "ରେଞ୍ଜର ବାବୁ ,ଆପଣ ସୁନା ହରିଣ ପାଳିଛନ୍ତି, ଆଉ ଆମେ ଫାଲତୁରେ ମୃଗୟା କରୁଛୁ ?ଏତେ ବଡ଼ ହୋଇ ଗଲାଣି ଏଇ ବର୍ଷ କେଇଟାରେ ? ମନ ଆଉ ପେଟ କ’ଣ ହୋଇ ଯାଉଛି ୟାକୁ ଦେଖି । ବହୁତ ମାୟା ଲଗେଇ ଦେଲାଣି । ଆଜି ରାତିରେ କିଛି ବ୍ୟବସ୍ଥା କରନ୍ତୁ।"
"କିନ୍ତୁ ସାର୍, ସମସ୍ତେ ଜାଣିଛନ୍ତି ଚୁମକି ବିଷୟରେ । ଖାସୀ ମଗେଇ ଦେଉଛି । ଦେଶୀ କୁକୁଡ଼ା ବି ଅଛି।"
ଠୋ ଠୋ ହୋଇ ହସି ଉଠିଲେ ମନ୍ତ୍ରୀ।
"କିହୋ, ହରିଣ କ’ଣ ଅମର? ତାକୁ ରୋଗ ହେବନି ନା ତାକୁ ବାଘ ଖାଇବନି ?ଆପଣଙ୍କ ଜଙ୍ଗଲରେ କ’ଣ ବାଘ ନାହାନ୍ତି ?ନା ଏଠୁ ବଦଳି ହୋଇ ତମେ ବାଘ ପାଖକୁ ଯିବ ।ଇୟେ ପରା ମାୟା ମୃଗ । ୟାକୁ ଦେଖିଲା ପରେ ଖାସୀ କ’ଣ ତଣ୍ଟିରେ ଯିବ ? ୟା ଚମଡା ତା ଟ୍ୟାନିଂ କରି ପଠେଇ ଦେବେ। ହରିଣ ଛାଲରେ ବସି ଯୋଗ,ପ୍ରାଣାୟମ କଲେ ମନକୁ ଶାନ୍ତି ମିଳେ ପରା।"
ଛେପ ଢ଼ୋକି ରେଞ୍ଜର କହିଲେ, "ବାଘ ଅଛନ୍ତି ଏଠି ସାର୍ । ମୁଁ ସବୁ ଵ୍ୟଵସ୍ଥା କରୁଛି । ମୋ ଉପରେ ଆପଣଙ୍କ ସଦୟା ଥାଉ।"
ହସୁଥିଲେ ମନ୍ତ୍ରୀ । ଟିଭିରେ ଦେଖାଉଥିଲା ହରିଣ ମରା ଅଭିଯୋଗ ପାଇଁ, ସଲମାନ ଖାନଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡ।
ସକାଳୁ ମନ୍ତ୍ରୀ ଖୁସି ହୋଇ ଗାଡ଼ିରେ ବସି ଚାଲିଗଲେ।
ଝୁନୁ ମାଉସୀ ଓ ଜଗା ଚୁପଚାପ ଲୁହ ପୋଛୁଥିଲେ।
"ଚୁମକିଟା ମାୟା ଲଗାଇ ଦେଇଥିଲା । ୟେ କୁକୁର ଆସି ତାକୁ ଖାଇଲା।"
ଲୁହ ପୋଛି ଜଗା କହିଲା, "ବାଘ ବୋଲି କହ। ଚୁମୁକିକୁ ବାଘ ଖାଇଛି ବୋଲି ରିପୋର୍ଟ ହେଉଛି ପା ।"
😢(ଅରବିନ୍ଦ ଦାସ)