ଆକବର ବିରବଲ - ୯୪
ଆକବର ବିରବଲ - ୯୪
ଗଧର ପାଠ ପଢା - ୨
ବିରବଲ ଗଧଟାକୁ ନେଇ ଯେତେବେଳେ ଘରେ ପହଁଚାଇ ଦେଲେ, ଗଧକୁ ଦେଖି ସ୍ତ୍ରୀ ହସି ହସି ହୋଇ ବେଦମ୍ ହୋଇଗଲେ । ବିରବଲଙ୍କର ମନରେ ଖୁବ ଦୁଃଖ । ମୁହଁଟା ତ ମାଟିଆଳୁ ସଦୃଶ ମଳିନ ପଡିଯାଇଛି । ପତ୍ନୀଙ୍କର ହସ ଦେଖି ପଚାରିଲେ, କିହୋ ! ତମର ମନ ତ ଆଜି ଖୁବ୍ ଖୁସି ଥିବା ପରି ଜଣାପଡୁଛି ।
ପତ୍ନୀ କହିଲେ, ପଣ୍ଡିତଙ୍କର ପତ୍ନୀଟି । ସମ୍ରାଟଙ୍କର ରାଜଦରବାରରେ ତୁମର ପରା ସବୁଥିରେ ଜୟ । ଏଥର ତମେ ଗଧଟିକୁ ଜିତି କରି କାହାଠାରୁ ପୁଣି ଆଣିଲ । ପଣ୍ଡିତଙ୍କ ଘରେ ପୁଣି ଗଧ? ଆହେ ଏ ଗଧଟାକୁ କ’ଣ ପାଠ ପଢାଇବା ଲାଗି ଆପଣେ ଆଣିଛନ୍ତି ନା ବେପାର ବଣିଜ ନିମନ୍ତେ । ଏ ଗଧକୁ ଖଟାଇବା ଲାଗି ଜାହାଁପନା ଦେଇଛନ୍ତି ।
ବିରବଲ ଭାବିବାକୁ ଲାଗିଲେ, କିହୋ ଏ କିପରି ଏକଥା ଜାଣି ପାରିଲେ ।
ବୀରବଲ ତହୁଁ ପତ୍ନୀଙ୍କୁ ପଚାରିଲେ – ତୁମେ କିପରି ଏ କଥା ଜାଣିଲ ।
ପତ୍ନୀ କହିଲେ – ଗଧକୁ ତ ପାଠ ପଢାଇବାକୁ ହେଲେ ଜଣେ ଭଲ ପଣ୍ଡିତଙ୍କର ଆବଶ୍ୟକତା ଥାଏ । ମୁଁ ଏ ଗଧକୁ ଦେଖି ସେୟା ଭାବିବି ନା ନାହିଁ । ଯେତେବେଳେ ମୁଁ ପଣ୍ଡିତଙ୍କ ପତ୍ନୀଟି ।
ଏହାପରେ ବିରବଲ ଜାଣି ପାରିଲେ ପତ୍ନୀ ଯାହା ସବୁ କହୁଛନ୍ତି ତାହା ସବୁ ତାଙ୍କ ମନର କଥା । ବିରବଲ ସେ ଦିଗରେ ଆଉ ମନ ନ ଦେଇ ଗଧଟିକୁ ଘରେ ନେଇ ବାନ୍ଧି ଦେଇ ଆଗ ତା’ର ଖାଇବା ପିଇବା କଥା ବୁଝି ନେଲେ । ଗୋଟିଏ ଦିନରେ ଗଧଟା ଯାହା ଖାଇଲା ତାହା ଦେଖି ବିରବଲ ଚିନ୍ତାରେ ପଡିଗଲେ । ଶଳା ଗଧ ପାଠ ତ ଯାହା ପଢିବୁ ପଢିବୁ, ହେଲେ ଶଳା ମୋ ଜୀବନକୁ ଖାଇବୁ ।
ତା’ପରେ ବିରବଲ ଗଧକୁ ଖାଇବାକୁ ଦେଇସାରିଲା ପରେ, ତା’ପରେ ଯେତେବେଳେ ଗଧକୁ ନେଇ ବହି ଦେଖାନ୍ତି, ଗଧ କିନ୍ତୁ ବହିକୁ ଛାଡି ଖାଦ୍ୟ ଦିଗରେ ମନ ବଳାଏ । କେତେବେଳେ ଖାଦ୍ୟ ଭାବି ବିରବଲଙ୍କର ହାତ, କାନ୍ଧ ଓ ବେକକୁ ମଧ୍ୟ ଚାଟି ପକାଏ ।
ଗଧର ଏପରି ପ୍ରକୃତି ଦେଖି ବିରବଲ ଏକ ସୂକ୍ଷ୍ମବୁଦ୍ଧି ପ୍ରସ୍ତୁତ କଲେ । ଯେତେବେଳେ ସେ ଗଧକୁ ଖାଇବାକୁ ଦିଅନ୍ତି, ସେତେବେଳେ ଗୋଟିଏ ବହି ଆଣି ବହିର ପ୍ରତି ପୃଷ୍ଠାରେ ଗଧର ଖାଇବା ନିମନ୍ତେ କିଛି କିଛି ଖାଇବା ଜିନିଷ ରଖନ୍ତି । ଗଧ ତା’ର ଖାଦ୍ୟ ଖାଇବା ଲାଗି ଧୀରେ ଧୀରେ ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ଚାଲେ, ଖାଦ୍ୟକୁ ଖାଇ ସାରିବା ପରେ ଖୁବ୍ ଜୋର୍ରେ ବୋବାଏ ।
ଏହିପରି କରୁ କରୁ ଗୋଟିଏ ମାସ ପୂରଣ ହେବାକୁ ମାତ୍ର ଗୋଟିଏ ଦିନ ବାକି ଥାଏ । ଯେମିତି ରାତି ପାହିଲା ବିରବଲ ଚିନ୍ତା କଲେ, କିପରି ସେ ଦରବାରଠାରେ ଗଧକୁ ଦେଇ ଦେବେ ଓ ତା’ପରେ ନିଜକୁ ଗଧ ଦାୟିତ୍ୱରୁ ମୁକ୍ତ କରିବେ ।
ଏହା ଭାବି ବିରବଲ ସେଦିନ ଗଧକୁ ନଦୀକୁ ନେଇ ଭଲଭାବରେ ଗାଧୋଇ ଦେଲେ । ତା’ର ଦେହକୁ ଖୁବ୍ ଚିକ୍କଣ କରି ପୋଛି ଦେଲେ । ମୁଣ୍ଡରେ ଚନ୍ଦନ, ସିନ୍ଦୂର ଦେଇ ବେକରେ ଗୋଟାଏ ଗଜରା ଫୁଲମାଳ ପକାଇ ଗଧକୁ ନେଇ ସମ୍ରାଟଙ୍କ ଦରବାରରେ ଠିଆ କରିଦେଲେ ।
ସମ୍ରାଟ୍ ବିରବଲ ସହିତ ଗଧକୁ ଦେଖି ଖୁବ୍ ଖୁସି ହେବାବେଳକୁ ବିରବଲଙ୍କ ଯେତିକି ବିରୋଧୀ, ଗୋଷ୍ଠି ଥିଲେ ସେମାନେ ଖାଲି ଭାବିବାକୁ ଲାଗିଲେ ଯେ, ବିରବଲ ବୋଧହୁଏ ଗଧକୁ ପାଠ ପଢାଇ ଜିତି ଯାଇଛନ୍ତି, ତାହା ନହେଲେ ଦେଖୁନା ଗଧର ରୂପକୁ, ଏଥିରେ ବି ସେ ଜିତିଗଲା । ବିରୋଧିମାନେ ଏହି କଥା ଭାବିବା ବେଳକୁ ସମ୍ରାଟ୍ ଗଧ ସହ ବିରବଲଙ୍କୁ ତାଙ୍କ ସିଂହାସନ ଆଡକୁ ଡକାଇ ପଠାଇ କହିଲେ, କ’ଣ ଗଧକୁ ପାଠ ପଢାଇ ଏଠାକୁ ଆଣିଛ ।
ବିରବଲ କହିଲେ – ଦେଖନ୍ତୁ ତ ଛାମୁ! ଏ ତ ସହଜେ ଗଧ, ସତରେ ଯଦି ଆପଣମାନଙ୍କ ପିଲାଙ୍କୁ ଆପଣ ଗଧ ଭାବି ପାଠ ପଢାଇବେ, ଆପଣଙ୍କ ପୁଅ ବି ଏତେ ସହଜରେ ପାଠକୁ ଧରିବ ନାହିଁ । ଏ ପରା ବାସ୍ତବ ଗଧ । ୟାଙ୍କ ପଟ୍ଟା ପାଉତିରେ ପରା ୟାଙ୍କୁ ଆଜୀବନ ଗଧ ତାଲିକାରେ ରଖାଯାଇଛି । ଆପଣଙ୍କ ପୁଅକୁ ଯେପରି ରାଜ କୁମାର କୁହାଯାଉଛି, ୟା ପୁଅକୁ ଗଧ କୁମାର ନ କହି କ’ଣ ଅଶ୍ୱର କୁମାର କୁହାଯିବ । କିନ୍ତୁ ଏତିକି କଥା ଶଳା ଗଧ ହେଲେ ବି ଯାହା ହୋଇ ନ ପାରିବ ତାହା ସେ କରି ଦେଖାଇଦେଲା । ମୁଁ ଭାବୁଛି, ସଂସାରରେ ଯେତେ ଗଧ ଅଛନ୍ତି ଏ ଶଳା ଗଧ ସତରେ ଗଧ ରେତରୁ ଜନମ ହୋଇନାହିଁ । କେଜାଣି ଏ ଗଧର ମା’ଙ୍କର କେଉଁ ଭଲ ପୁରୁଷ ସାଥିରେ ହଠାତ୍ ଯୋଗାଯୋଗ ହୋଇଯାଇଛି । ଗଧ ହେଲେ ବି ସେ ପାଠ ପଢିଲାନା । ହେଲେ ଆପଣ ତ ମାସେ ମାତ୍ର ସମୟ ଦେଇଥିଲେ ଯେତିକି ପଢି ମନେ ରଖିପାରିଲା ସେତିକି ଛାମୁ ପଢାଇଲି ।
ବିରବଲଙ୍କ ଚାତୁରିମା କଥା ଶୁଣି ସମ୍ରାଟ୍ ଭାବିଲେ ୟେ ପରା ବିରବଲ । ସେ କେବେ ହାରିବାର ମନୁଷ୍ୟ ନୁହେଁ । ଆଚ୍ଛା, ବିରବଲ ତୁମେ ଗଧକୁ ପଢାଇଲ, କ’ଣ ପଢାଇଲ କେତେ ଯାଏଁ ପଢାଇଲ ତାହାର ପ୍ରମାଣ ଦିଅ ।
ହଁ ସମ୍ରାଟ୍, ପ୍ରମାଣ ନ ଦେଲେ ଯେ ମୋ ପାଇଁ ମୃତ୍ୟୁଦଣ୍ଡ ଅପେକ୍ଷା କରିଛି ।
ଏହାପରେ ବିରବଲ ସାଥିରେ ଗୋଟାଏ ବଡ ବହିକୁ ଆଣି ସମ୍ରାଟ୍ ସମ୍ମୁଖସ୍ଥ ଟେବୁଲ୍ ଉପରେ ଥୋଇ ଦେଇ ଗଧକୁ କହିଲା, ଏ ଗଧ, ତୁ ଏଥର ଯେତିକି ପଢିଛୁ ତା’ର ପ୍ରମାଣ ସମ୍ରାଟଙ୍କ ଆଗରେ ଦେଖାଇ ଦେ । ମୋତେ ଫାଶୀ ଦଣ୍ଡରୁ ମୁକ୍ତି କର ।
ବିରବଲଙ୍କ ମୁଖରୁ କଥା ଶୁଣି ଗଧ ଭାବିଲା ଏବେ ମୁନିବ ମୋତେ ଖାଇବା ନିମନ୍ତେ କିଛି କହୁଛି । ଏଥିପାଇଁ ଗଧ ବୀରବଲଙ୍କ ମୁଖକୁ ବଲ ବଲ କରି ଚାହିଁବାରୁ ବୀରବଲ କହିଲା – ଆରେ ତୁ ମୋତେ ଏବେ ଆଉ କାହିଁକି ଚାହୁଁଛୁ? ଆଜି ତୋ’ର ପାଠ ପଢିବାର ବେଳ ନୁହେଁ, ବର୍ତ୍ତମାନ ତୋତେ ପରୀକ୍ଷା ଦେବାକୁ ହେବ । ଏହା ପରେ ଗଧକୁ ନେଇ ଟେବୁଲ୍ ଉପରେ ଥିବା ବହିଟିକୁ ଦେଖାଇ ଦେଲେ ବିରବଲ ।
ଗଧ ଟେବୁଲ୍ ଉପରେ ଥିବା ବହିଟିକୁ ଦେଖିଲା, ତା’ପରେ ଧୀରେ ଧୀରେ ମୁହଁ ଲଗାଇ ପୃଷ୍ଠାପରେ ପୃଷ୍ଠା ଲେଉଟାଇବାକୁ ଲାଗିଲା । ଶେଷରେ ବହି ପୃଷ୍ଠା ସରିଯାଆନ୍ତେ ଗଧ ବିରବଲଙ୍କ ଆଡକୁ ଚାହିଁ ଚାହିଁ ଖୁବ୍ ଜୋର୍ରେ ରଡିବାକୁ ଲାଗିଲା ।
ଗଧ ରଡିବାରୁ ବିରବଲ କହିଲେ, ଆଉ ତୁ ପାଠ ପଢିବୁ ନାହିଁ, ହଉ ହେଲା, ସମ୍ରାଟଙ୍କ ଆଦେଶ ମିଳିଲେ ତୁ ଏଠାରୁ ଯିବୁ । ଏଠାରେ ପରା ଦରବାର ଚାଲିଛି, ଏଠାରେ ତୋ’ ଲାଗି ଖାଦ୍ୟ କାହୁଁ ଆସିବ ।
ସମ୍ରାଟ୍ ବିରବଲଙ୍କର ଗଧକୁ ପଢାଇବା ଦେଖି ବିସ୍ମିତ ହୋଇଗଲେ । ତହୁଁ ସେ ବିରବଲଙ୍କୁ କହିଲେ ଧନ୍ୟ ତୁମେ ବିରବଲ! ମୁଁ ତୁମର ଏହି ବିଚକ୍ଷଣ ବୁଦ୍ଧିକୁ ତାରିଫ୍ ନ କରି ରହିପାରୁ ନାହିଁ । କାରଣ ଗଧ ପାଠ ପଢୁ ବା ନ ପଢୁ ପାଠ ପଢିବା ଲାଗି ତ ପୃଷ୍ଠା ଲେଉଟାଇ ପାରିଲା ।
ବିରବଲ କହିଲେ – ସବୁ ଏଇ ପେଟଲାଗି ଜାହାଁପନା । ଏଇ ପେଟ ଚା’ଖଣ୍ଡକ ପାଇଁ ମୋତେ ଯେମିତି ଗଧକୁ ପାଠ ପଢାଇବାକୁ ପଡିଲା, ସେ ଗଧ ବି ତା’ରି ପେଟ ଚା’ଖଣ୍ଡକ ଲାଗି ବହିର ପୃଷ୍ଠା ପରେ ପୃଷ୍ଠା ଲେଉଟାଇ ନିଜ ପେଟ ଲାଗି ଖାଦ୍ୟ ଖୋଜୁଥିଲା । ବହିରେ ଖାଦ୍ୟ ନ ଥିବାରୁ ଶେଷରେ ନିରାଶ ହୋଇ ରଡି ଛାଡିଲା ।