Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କେତି ମାଆର କାଳିଆ ଠାକୁର
କେତି ମାଆର କାଳିଆ ଠାକୁର
★★★★★

© pratap nayak

Others

5 Minutes   7.5K    18


Content Ranking

କେତି ମା’ କାନ୍ଦୁଛି ଯେ କାନ୍ଦୁଛି,ଲୁହର ବନ୍ୟା ଖେଳୁଛି ତା ମୁହଁରେ,ଢିଙ୍କିରେ ଧାନ କୁଟିଲା ବେଳେ କାନ୍ଦୁଛି ତ ଘସି ଚୁଲିରେ ଭାତ ରାନ୍ଧିଲା ବେଳେ କାନ୍ଦୁଛି,ନଈରୁ ଗାଧୋଇ କୋତରେ ପାଣି ଆଣିଲା ବେଳେ କାନ୍ଦୁଛି ତ ଗୁହାଳ ପୋଛିଲା ବେଳେ କାନ୍ଦୁଛି। ଠାକୁର ଘରେ ଭୋଗ କଲାବେଳେ କାନ୍ଦୁଛି ତ ସଂଧ୍ୟାରେ ଚଉଁରା ମୂଳେ ଆଉ ଖଂଜା ଘରର ସବୁ ଦରଜା ବନ୍ଧରେ ସଂଜ ବତୀ ଥୋଇ କାନ୍ଦୁଛି ।ଦିନ ଯାଇ ରାତି ହଉଛି ରାତି ଯାଇ ଦିନ ହଉଛି କିନ୍ତୁ କେତି ମା'ର କାନ୍ଦ ବନ୍ଦ ହଉନି।

ଗୋଟାଇ ବର୍ଷରେ ତିନି ତିନିଟା ପୁଅ ଖାଇଛି ସେ ।ବଡ ପୁଅ ନନ୍ଦ ଜଳ ଉଦୁରି ରୋଗରେ ଗଲା,ଆଠ ବରଷର ପୁଅ ,ଯିଏ କହିବ ଅଠର ବର୍ଷ,ଡେଙ୍ଗା ପୁରିଲା ଚେହେରା ,ତୋଫା ଗୋରା,ଲମ୍ବା ନାକ ଧୀର ଚାଲି ସାକ୍ଷାତ ରାଜକୁମାର,ସମସ୍ତେ ଖୁଣିଲେ ତାକୁ। ପାଠ ପଢିବାକୁ ଚାଟଶାଳୀ ଯାଏ ,ଯିଏ ଦେଖିଲା ପଚାରିଲା ତୁ କା ପୁଅ ତୋ ମା ତତେ କଣ ଖାଇବାକୁ ଦେଇ ଏମିତି ସୁନ୍ଦରିଆ ପୁଅଟି କରିଛି,କାହିଁ କେତେ କଥା ।ଏମିତି କି ରୋଗ ହେଲା ଯେ କଟକରେ ଡାକ୍ତର ଚିହ୍ନି ପାରିଲେନି,ଘଣ୍ଟାକୁ ଘଣ୍ଟା ରକତ ଡାଣିକି ନେଲେ ସିନା,ରୋଗଟା ଜଣା ପଡିଲାନି,ପେଟଟା ଆଟିକା ପରି ହୋଇଗଲା,ଡାକ୍ତର ଆଶା ଛାଡିଲେ,କେତି ମାଆକୁ ଜୁଳୁଜୁଳୁ ଅନେଇ ତା ଜୀବନ ଗଲା ।ସାନ ଶଶୁର ତାକୁ ନେଇ ନଈ ବାଲିରେ ଶୋଇ ଦେଇ ଆସିଲେ ।ଜମା ଦି’ମାସ ଯାଇନି ଦେଢ ବର୍ଷର ପୁଅ ଧୀର ଝାଡା ବାନ୍ତି ହେଲା ଯେ,ଦି’ ଦିନ ରହିଲାନି,ବଇଦ ଔଷଧ ଦେଲା ,ହଇଜାକୁ ରୋକି ପାରିଲାନି,ସକାଳ ହେଲେ କେତି ବାପା କହିଲେ କଟକ ନେବେ କିନ୍ତୁ ସକାଳ ଦେଖିଲାନି ଧୀର,ଭୋଓରୁ ଭୋଓରୁ ତା ଜୀବନ ଦୀପ ଲିଭିଗଲା,ସେହି ସାନ ଶଶୁର ତାକୁ ନେଇ ତା ଭାଇ ନନ୍ଦ ଶୋଇଥିବା ନଈ ବାଲିରେ ଶୋଇ ଦେଇ ଆସିଲେ ।ସେହି ଦିନୁ ଧୀରକୁ ଝୁରିହେଲା ମଝିଆ ଭାଇ ଯୋଗୀ,ପାଞ୍ଚ ବରଷର ଯୋଗୀ,ଆସୁଣୁ ଯାଉଣୁ ଧୀରକୁ ଖୋଜୁଥିଲା,ଯିଏ ଯାହା କହିଲେ ଜମା ଧୀରକୁ ସିଏ ଭୁଲି ପାରିଲାନି ,ଦିନରାତି ଝୁରି ଝୁରି କଂଟା ହେଇଗଲା,ମାସେ ଦି’ମାସ ତିନିମାସ ଜ୍ଵର ହେଲା ବଇଦ ଔଷଧ ବି ତା ଦେହରେ ଗଲାନି,ସିଏ ବି ଆଖି ବୁଝିଲା ଶେଷରେ।

ନିସ୍ତବ୍ଧ ହେଇଗଲା ଘୋ ଘୋ ଖଞ୍ଜା ଘର ।ବାପ ବଡ ବାପ ହଳ ନେଇ ବିଲକୁ ଗଲେନି ।ଚାଷଜମି ରହିଲା ପଡିଆ ।ଜେଜେ ପିଣ୍ଡାରେ ବସିଲେ ସ୍ଥାଣୁ ହେଇ ,ମୂକ ହେଇଗଲେ ।ଏତେ ବଡ ଚାଷୀ ବନ୍ଦି ଘର ।ଧାନ ଚାଉଳ ଝୋଟ ବାଦାମ ହରଡ ମୁଗ ବିରି କୋଳଥରେ ଅଭାବ ନାହିଁ ।ନଈ କୂଳିଆ ପାଳ ଫସଲ ଆଳୁ ବାଇଗଣ ବିଲାତି ଗୁଲି ପିଆଜ ଭେଣ୍ଡି ପୋଟଳ କଲରା କଖାରୁ ବାଣ୍ଟି ବଣ୍ଟି ସରେନି। ଦେଢଶୁରଙ୍କର ପିଲାପିଲି ନାହିଁ,ଏଇ କେତି ମା’ ଏରୁଣ୍ଡି ଡେଇଁଲା ପରଠୁ ଖୁସି ଆଉ ଖୁସି,ଆନନ୍ଦ ଆଉ ଆନନ୍ଦ ।ପରପର ହେଇ ଶାନ୍ତି କେତି ନନ୍ଦ ଯୋଗୀ ଧୀରଙ୍କ ଜନମ ।ମା ସିନା ସାନ ବୋହୂ କେତି ମା,ହେଲେ ଲାଳନ ପାଳନ ଅଳି ଅର୍ଦଳୀ ପିଲା ମାନଙ୍କର ସବୁ ବଡ ମା ପାଖରେ ।ହେଲେ ଦଇବ ସହିଲାନି,ସଂସାର ବୁଡିଗଲା,ବଂଶ ବୁଜିଗଲା,ରହିଲେ ଖାଲି ଦି’ ଝିଅ ଶାନ୍ତି ବଡ ଆଉ କେତି ସାନ।

କେତି ବାପା ଆଉ କେତି ମା କୁ ସିଧାସଳଖ ଚାହିଁ ପାରୁ ନାହାଁନ୍ତି,କଣ ଆଉ କରିବେ ସେ,କେତି ମାର ସେହି କାନ୍ଦୁରା ମୁହଁ ଦେଖି ଗାଁସାରା ମାଇପେ ବି ଯମକୁ ଉଲୁଗୁଣା ଦେଲେ,ସୀତା ମା କହିଲା ରାଣ୍ଡ ଯମ ମୋ ଛୁଆରୁ ହେଲେ ଗୋଟା ନେଇ ଯାଇଥାନ୍ତା।

ଏମିତି ଦିନ ଗଡିଗଲା ।ଦିନେ ଖରାବେଳେ ଜଣେ କଳା ମଚମଚ ବାବାଜୀ ଭୋକରେ ଆଉଟପାଉଟ ହେଇ କେତି ମା ପିଣ୍ଡାରେ ବସି ଖାଇବାକୁ ମାଗିଲେ ,ଏତେ ସରି ପରେ ବି ଅତିଥି ଅଭ୍ୟାଗତରେ କେବେ ହେଳା କରିନି କେତି ମା’ ।ସିଏ,ଯୋଗୀ ହେଉ କି ଭିକାରୀ ହେଉ ।ଆସିଛି ଯିଏ କେବେ ଖାଲି ହାତରେ ଫେରିନି କେତି ମା’ ପାଖରୁ ।କଦଳୀ ପତ୍ରରେ ଭାତ ଡାଲମା ଶାଗ ବଡ଼ି ଚୂରା ମିଶାମିଶି ତିଅଣ ବାଢିଦେଉଥିଲା ବେଳେ,କେତି ମାର ବିରସ ମୁହଁକୁ ଲକ୍ଷକରିଥିଲେ ବାବାଜୀ ଯଣକ ।ଖାଇସାରି ସାଷ୍ଟାମ ହେଲେ,ବେଳ ଗଡିଲା ଖରା ନେଉଟିଲା,ବାବାଜୀ ଗଲାବେଳେ କେତି ମାଠୁ ସବୁ ଶୁଣି କେତି ମା'ର ବାମ ହାତକୁ ଦେଖେଇବାକୁ କହିଲେ ।ହାତ ଦେଖି ବାବାଜୀଙ୍କ ମୁହଁ ଉଜ୍ଜ୍ୱଳ ଦିଶିଲା,କହିଲେ ଆଲୋ ମା’ ,କାଲି ଠୁ ଗୋଟିଏ ଅଶ୍ଵତ୍ଥ ଗଛ ଲଗେଇ ତାକୁ ଫୁଲ ପାଣି ଦେଇ ପୁଜୁ ।ଘରେ ହରି ବଂଶ ବସା ,ଗ୍ରୀଷମରେ ଅବଢା ପାଣି ଦେ ,ତୋର ପୁତ୍ର ଯୋଗ ଅଛି ନିଶ୍ଚୟ ତୋର ପୁଅଟିଏ ହେବ । ମୁଁ ଆର ବର୍ଷ ଆସି ତୋ ପୁଅ ଦେଖି ଯିବି।

ବବାଜୀ ଚାଲିଗଲେ,ରାତିରେ କେତି ମା ସବୁ କଥା କେତି ବାପାଙ୍କୁ କହିଲା,ମନରେ ଦମ୍ଭ ଆଣିଲା କେତି ମା ,ତା ପରଦିନ ନାଳ ବନ୍ଧ ରାସ୍ତାରେ ଅବଢା ପାଣି କେତି ବାପା ଦବା ଆରମ୍ଭ କଲେ,ସେହି ବର୍ଷ ବୈଶାଖରେ ହରିବଂଶ ଘରେ ବସିଲା ,ସ୍କୁଲ ପାଖ ବାରିରେ ଏକ ଛୋଟ ଆଶ୍ଵତଥ ଗଛ ଲଗେଇ କେତି ମା ପୂଜିଲା ।ସତକୁ ସତ ଠିକ୍ ବରଷେ ଭିତରେ ପିଲା ଟିଏ ହେଲା କିନ୍ତୁ ପୁଣି ଝିଅ ।

ଘରେ ପୁରା ନିରବତା ଛାଇଗଲା ,କେତି ମାର ଉପରକାନ୍ଦ ଆଉ କେହି ଦେଖି ନାହାଁନ୍ତି,ଭିତରେ ଭିତରେ ଗମୁରି ଗୁମୁରି କାନ୍ଦୁଥିଲା ସେ ,ପୂର୍ବ ବର୍ଷ ପରି ସେହି ବାବାଜୀ ନିର୍ଧୁମ ଖରାବେଳେ ଦାଣ୍ଡ ଦୁଆରେ ହଂସା ଉଡି ଯାଉଛି କହି ଖାଇବାକୁ ମାଗିଲେ।

ଧର୍ମ କର୍ମ ଭୁଲିନି କେତି ମା,ପରସିଲା ବାବାଜୀ ମହାଶୟଙ୍କୁ ବାବାଜୀ ଚିହ୍ନିଲେ କେତି’ମା’କୁ ,’କେତିମା’ ବି ମହାଶୟଙ୍କୁ ଚିହ୍ନି କାନ୍ଦି ପକାଇଲେ ।ବୃତ୍ତାନ୍ତ ବୁଝି ବାବା ହସିଲେ ଉପରକୁ ଚାହିଁ କଣ ଗୁଣୁଗୁଣୁ ହେଇ କହିଲେ,ହଉ କେତେ ପରିଖ୍ୟାତ ନଉଛୁ ନେ । ତୋର ନିଶ୍ଚୟ ପୁଅ ହେବ, ତୁ ତୋ ଗେରସ୍ତ ସହିତ ପୁରସ୍ତମ ଯାଇ କାଳିଆ ଦର୍ଶନ କର,ମାନସିକ କରିଆ ପୁଅଟିଏ,ହେଲେ ଅରକ୍ଷିତ କରିଦେବୁ ବଡଦାଣ୍ଡରେ ବାଇଶି ପାହାଚରେ,ବଟ ଗଣେଷରେ ପାଟପୁଲି ସୁତାରେ ଖପରା ବାନ୍ଧି ମାନସିକ କରିଆ,ଘଇତା ମାଇପେ ଗୋଟିଏ ଫଳ ଛାଡିକି ଆସ,ହଁ ମୁଁ ଆଗରୁ ଯାହା କହିଛି ଅକ୍ଷରେ ଅକ୍ଷରେ କରୁଥିବୁ ହରିବଂଶ,ଅବଢା ପାଣି ଆଉ ଅଶ୍ଵତ୍ଥ ଗଛ ପୂଜା ,ତୋ ପୁଅ ହେଲେ ଯାଇ ମୁଁ ତୋ ଘରକୁ ଆସିବି ତୋ ହାତରୁ ପାଣି ଛୁଇଁବି।

ଏକମୁହାଁ ହେଇ ବାବାଜୀ ଚାଲିଗଲେ,ତାଙ୍କ ଯିବା ବାଟକୁ କେତି ମା ଚାହିଁ ରହି କବାଟ ଫାଙ୍କରୁ ଅଶ୍ରୁଜଳ ନିଗାଡୁ ଥିଲା ଆଖିରୁ।

ଗଲେ ପୁରୀ ଉଭୟେ କେତି ମା ଆଉ ବାପ ,ମହୋଦଧିରେ ବୁଡ ପକେଇଲେ,କଲେ ମାନସିକ ବାଇସି ପାହାଚରେ ପୁଅକୁ ଗଡେଇ ଅରକ୍ଷିତ କରିବେ,ବାନ୍ଧିଲେ ବଟ ଗଣେଷରେ ଖପରା ,ଛାଡିଲେ ଫଳ ସିଏ ପୁଣି ନିତ୍ୟବ୍ୟବହାର୍ଯ୍ୟ ଫଳ କାକଡ଼ି , ଜଗାକୁ ଦର୍ଶନ କଲେ ରତ୍ନ ବେଦୀରେ ,ବେଢା ବୁଲିଲେ ,ଅବଢା ଖାଇଲେ,ଦାନ ଧର୍ମ କରି ଦିନେ ରହି ସଂଧ୍ୟା ଆଳତୀ ଦେଖି ତହିଁ ଆରଦିନ ଫେରିଲେ ଘରକୁ।

ଦିନ ଗଡିଗଲା ପାଣି ସୁଅ ପରି,ବାବାଜୀ କହିଥିବା ସବୁ ମାନସିକ ପୂରଣ କରିଚାଲିଛି କେତି ମା’,ଦିନେ ରାତିରେ ସପନ ଦେଖିଲା ସେ,ଅଶ୍ଵତ୍ଥ ଗଛ ପୁଜା କରିବାକୁ ଯାଉଛି,ଛୋଟ ପିତଳ ନୋଟାରେ ପାଣି ନେଇଛି,ଗୁଡ ଭୋଗ ନେଇଛି ଛୋଟ ପିତଳ ଥାଳିଆରେ ,ଛୋଟ କଦଳୀ ପତ୍ର ଆଉ କିଛି ଚୁନା ଫୁଲ ମନ୍ଦାର ତରାଟ ,ଦେଖିଲା ଗଛ ମୂଳରେ ଏକ ଛୋଟିଆ ଉଇ ହୁଙ୍କା ହୋଇଛି,ହାତରେ ପାଣି ପକେଇ ହୁଙ୍କା ସହିତେ ଲିପି ଦେଲା ସେ ,ଏ କଣ ଚାହୁଁ ଚାହୁଁ ସେ ହୁଙ୍କା ଯାଗାରେ ଗୋଟିଏ ଛୋଟ ଗାତ ହେଇଗଲା,ତାପରେ ବଡ ଗାତ ,ଭିତରୁ ବାହାରିଲେ କଳା କଳା ନାଗ ନାଗୁଣୀ ଛୁଆ ସହ ସହ ସଂଖ୍ୟାରେ ।ପାପ ଛୁଇଁଲା ମନରେ ,କି ଅନ୍ୟାଚାର କଲାକି କେତି ମା,ଦେଖିଲା ତା ପିତଳ ନୋଟା ପଛରେ ଟିକେ କାଦୁଅ ଲାଗିଛି,ପୋଛିଦେଲା ଭୁଲ ମାଗିଲା ପ୍ରଭୁଙ୍କୁ ,ବାବାଜୀଙ୍କ କଥା ମନେଅଛି ତାର ,ସାପଛୁଆଙ୍କୁ ନଡରି କାନି ପତେଇ ମୁହଁ ମାଡି ସାଷ୍ଟାଙ୍ଗ ଶୋଇ ପଡି ମାଗିଲା ସେ,ଏ ଜୀବନରେ ମୋର ଆଉ କଣ ଅଛି ଯେ,ପୁଅଟିଏ ଦେ ନହେଲେ ମତେ ନେଇଯା,ତାକୁ ଜଣାପଡୁଛି ଯେମିତି ସବୁ ନାଗଛୁଆ ତା କାନିରେ ଚଢି ଆସି ଖେଳୁଛନ୍ତି,ଶୁନ୍ୟରୁ ଶୁଭିଲା ସେହି ବାବାଜୀଙ୍କ କଣ୍ଠସ୍ୱର ।ତୋ ମନସ୍କାମନା ପୂର୍ଣ୍ଣ ହେଇଛି ଲୋ, କାନି ବାନ୍ଧିଦେ ମା ।କାନି ବାନ୍ଧୁ ବାନ୍ଧୁ ନିଦ ଭାଂଗିଗଲା କେତି ମା'ର।ସବୁକଥା କେତି ବାପାକୁ ସେ କହିଲା ସେହି ପାହାନ୍ତି ପ୍ରହରେ।

ସତକୁ ସତ ସପ୍ତମ ଗର୍ଭରେ ପୁଅ ଟିଏ ଆସିଲା,ଘରେ ଆନନ୍ଦ,ସାହିପଡିସାରେ ଆନନ୍ଦ,ଗାଁରେ ଆନନ୍ଦ।

ସଂଧ୍ୟା ହେଇ ଆସିଲାଣି,ଜେଜେ କହିଲେ ଏନ୍ତୁଡି ଶାଳକୁ ଯମା ଆଲୁଅ ନିଅନା ଡିବି କି ହାରକିନି ।ଅନ୍ଧାରରେ ଥାଉ ସେ ଶଳା।

ହଳଦି ଖୋଇ ପୁଅର ନାଇ କାଟି ହାଡିଆଣୀ ବୁଢୀ ଗଲା ,ସବୁ ପଥି ବରାଦ ଦାଇ ଗଲା କେତି ବଡବୋଉକୁ ।କେତି ମା ଅନେଇ ଅନେଇ ଭାବୁଥିଲା ସେ ବାବାଜୀ କୋଉ ଦିନ ଆସିବେ ତା ଦାଣ୍ଡ ଦରଜାକୁ ,ତା ହାତରୁ ପାଣି ଛୁଇଁବେ ।ସେ ଦିନ ଆଉ କେତେ ରହିଲା ,ଦେଖିବ ତା ଚର୍ମ ଚକ୍ଷୁରେ ସାକ୍ଷାତ କାଳିଆ ଠାକୁର ଚଳନ୍ତି ବଳିଆର ଭୁଜ।

ଆଉ ସେହି ସପ୍ତମ ଗର୍ଭକୁ ଯୋଉ ପୁଅ ଜନ୍ମ ହେଲା ସେ ଆଉ କିଏ କି ,ସିଏ ପରା ମୁଁ।

ପ୍ରତାପ ନାୟକ-୭୦୦୮୦୫୪୨୮୨

କେତି କାନ୍ଦୁଛି ଲୁହ

Rate the content


Originality
Flow
Language
Cover design

Comments

Post

Some text some message..