ଅଳନ୍ଧୁ
ଅଳନ୍ଧୁ
- ରମା ବୋଉ ! ଖୁବ କାମରେ ଲାଗିପଡିଛ ଦେଖୁଚି।
- ହଁ , ପରା ଦେଖୁନ ଦଶହରା ଆସିଲାଣି । ଘରଦ୍ୱାର ପୋଛା ସଫା , ଝଡା ଝଡି କରି ଅଣ୍ଟା ପିଠି ଲାଗିଗଲାଣି ।
- ଓଃ..! ଏଥର ଦଶହରାରେ ବିଶେଷ କିଛି ହଉଚି ବୋଧେ ।
- ହେ- ହେ-ହେ-ହେ ନାଇଁ ମ..କଥା କଣ କି ମୋ ସାନ ଭଉଣୀ ଆସିବାର ଅଛି ଦିଲ୍ଲୀରୁ ।ତାର ଅଳନ୍ଧୁ , ଧୂଳି ବାଲିରେ ପ୍ରବଳ ଆଲର୍ଜି । ତେଣୁ ପରା ଏତେ ତାମଝାମ । ତା ପାଇଁ ଗୋଟିଏ ରୁମ ଦରକାର । ତାର ପୁଣି ଏ.ସି ନହେଲେ ହେବନି । ମତେ ସବୁ ଯୋଗାଡ଼ କରିବାକୁ ପଡୁଛି। ଟିକେ ବୋଲି ଫୁରସତ ମିଳୁନି ।
- ଓ ହୋ , ଆଚ୍ଛା - ଆଚ୍ଛା । ଆଉ ତମ ଶ୍ୱଶୁର
ଙ୍କର ଖବର କଣ? ଗାଁ ରେ ସିଏ ପରା ଏକା । ଶୁଣିଥିଲି ଦେହ ଭଲ ନାହିଁ ।କଣ ତାଙ୍କୁ ବି ଆଣୁଛ ?
- କଣ କହିଲ , କଣ କହିଲ ମୀନା ବୋଉ ! ତାଙ୍କୁ ଆଣିବି ଏ ସମୟରେ ? ରାତି ସାରା କାଶିବେ , କଣ ଟିକେ ଖାଇଦେଲେ ହଗି ମୁତି ଘରଦ୍ୱାର ବୁଡ଼େଇବେ । ପୁରା ଦଶରା ସତ୍ୟାନାଶ ।
ନା ମଣିଷ ଟିକେ ବୁଲି ପାରିବ , ନା ଶାନ୍ତିରେ ଟିକେ ଖାଇପିଇ ପାରିବ । ତା ପରେ ଘର କାହିଁ ଯେ ରହିବେ ।
- ହୁଁ..ଠିକ କଥା କହିଲ ରମାବୋଉ । ରମା ଆସିବ ନିଶ୍ଚୟ ?
- ହଁ ହଁ ମୋ ଝିଅ ପରା ଗୋଡ଼ ଟେକି ବସିଛି । ତାକୁ ଆଣିବିନି କେମିତି ?
-ଆଉ ତମ ବାପା ବୋଉ -----?
- ସେମାନେ ନ ଆସିଲେ ଦଶରା ହେବ ! ଆଗୁଆ କହିଦେଇଛି ନା .. ବାପାଙ୍କର ପେଲା ବାହାରିଛି । ବଦ ହଜମି ସବୁବେଳେ । ଏଇଠି ଡ଼ାକ୍ତର ଦେଖେଇ ଭଲ କରି ବିଦା କରିବି ହାଁ।
- ଆଚ୍ଛା ତମର ସେଇ ଯୋଉ ସାନ ନଣନ୍ଦ କଣ ତା ନାଁ ଟି.. ହଁ ଝୁନି ସେଇ ମ ଯିଏ ତମ ଗୋଡ଼ ଭାଙ୍ଗିଲା ବେଳେ ସବୁ କରୁଥିଲା ସିଏ ତ ନିଶ୍ଚୟ ଆସିବ ନାଇଁ ? ତମକୁ ସିଏ ବହୁତ ଭଲପାଏ ।
- ମ...ସେତେବେଳେ ଅସୁବିଧା ପଡ଼ିଥିଲା ଆଣିଥିଲି । ଯେମିତି ଆଣିଥିଲି ସେମିତି ଗଲାବେଳକୁ ଲୁଗାପଟା , ମିଠା , ପିଲାଙ୍କ ପାଇଁ ଡ୍ରେସ,ଗଲାବେଳକୁ ୫୦୦୦ ଟଙ୍କା ଦେଇ ବିଦା କରିଛି । ସେତିକି କଣ କମ । ତାର ସେଇ ଯୋଉ ଅସକରା ଛୁଆ ଗୁଡାକ ସିଙ୍ଘାଣି ବାଲୁବାଲୁ , କଥାବାର୍ତ୍ତାରେ ଭଦ୍ରାମି ,ଶିଷ୍ଟାଚାର ନାହିଁ ତାଙ୍କୁ ଦେଖିଲେ ମୋ ଭଉଣୀ ଗୋଟେ ମିନିଟ ବି ରହିବନି । ନିହାତି ଛୋଟ ଲୋକ ,ଗରିବ ଗୁଡ଼ା , ତାଙ୍କୁ ନେଇ ମୁଁ ବାହାରକୁ କୁଆଡେ ଯାଇ ପାରିବିନି । ସେମାନେ କଣ ଆମ ସ୍ତରର ?
- ହଁ ହଁ ଯାହା ବୁଝିଛ ଭଲ ବୁଝିଛ ।ଖୁବ ଭଲ । ମୁଁ ଯାଏ ତମେ ତମର ଝଡା ଝଡ଼ି , ସଫା ସଫି କର । ଗୋଟିଏ କଥା କହିବି ।
- କଣ ?
- ବହାରଟାକୁ ଏତେ ଝାଡୁଛ ପୋଛୁଛ , ଭିତରଟାକୁ ଝାଡ଼ି ସଫା କରି ଦିଅନ୍ତ ହେଲେ ...
- ହାଁ..........