ରିକ୍ସା - ରିକ୍ସାରେ
ରିକ୍ସା - ରିକ୍ସାରେ
ରିକ୍ସା - ରିକ୍ସାରେ
- ରିକ୍ସାରେ ! ପାଗଳ ନା କ'ଣ ? ଛିଃ !
- କାଇଁ ? ଅଳ୍ପ ବାଟ ତ ! ଷ୍ଟେସନରୁ ସମୁଦ୍ରକୂଳ ।
- ଏଇ ଓଲା, ଉବେର ଯୁଗରେ ତୁମେ ମୋତେ ରିକ୍ସାରେ ନେବ ? ଅନ୍ତତଃ ଅଟୋଟେ କର ।
- ଚାଲନା ! ମଜା ଅଛି ।
- ନୋ, ନେଭର । କିଏ ଦେଖିନେବେ !
- ଦେଖନ୍ତୁ । କେତେ ଆଉ ଲୁଚାଛପା ?
- ନା, ଦେଖାଇବାର ବେଳ ଆସିନି ।
- ସେତିକି ପଇସା ଇଏ ବି ତ ନେବ ! ବଦଳରେ - ଖୋଲା ଶୀତୁଆ ଆକାଶ, ସମୁଦ୍ରଭିତରୁ ଆସୁଥିବା ଲୁଣିପବନ , ଜାକିଜୁକି ତୁମ ଦେହରୁ ସେ ମିଠା ବାସ୍ନା, ମୋ ମୁହଁସାରା ତୁମ ଫୁରୁଫୁରୁ ବାଳସବୁ, ଧକଡ-ଚକଡ ଚକା ଉପରେ ବେଳେବେଳେ ମୁଁ ତୁମଠି - ତୁମେ ମୋଠି, ବାଟସାରା ବାଦାମ୍-ଫାଦାମ୍ କି ଆଇସକ୍ରିମ୍-ଫାଇସକ୍ରିମ୍ . . . ଏସବୁ କ'ଣ ସେ ଉବେର କି କଳା ମଚମଚ ଅଟୋରେ ମିଳିବ ? ସାଇଁକି ବାଟ ସାରିଦେବେ । ଭିତରେ ଯାହା ଅଶ୍ଳୀଳ ସମୟ ଟିକେ । ଚାଲନା ! ଥରୁଟିଏ ରିକ୍ସାରେ । ମୋ ରାଣ । ମୋର ଏଇ ଶେଷ ଅସ୍ତ୍ରରେ ରାଜି ହେଲା ସୌମ୍ୟା । ଉପରୋକ୍ତ ସବୁକର୍ମ କ୍ରମାନ୍ୱୟରେ ହୋଇ ଚାଲିଥିଲା ବାଟସାରା । ପଚାଶ ଟଙ୍କା ବୁଢ଼ାକୁ ଦେଲାବେଳେ ଝାଳୁଆ ମୁହଁଟାକୁ ଦେଖି ଲାଗୁଥିଲା ଯେମିତି ମନେମନେ କଇଲାଣ କରୁଛି ଆମକୁ । କଥା ଏଇଠି ସରିନଥିଲା । ସମୁଦ୍ର ବାଲିରେ ବସି କଥା-ଅକଥା ଭିତରେ ବାଦାମ ସରିଗଲା । ଠୁଁଗା କାଗଜଟିକୁ ଫୋପାଡିବାବେଳେ ନଜରପଡିଲା ଖବର ଉପରେ । "ଚଳନ୍ତା ଉବେର କମ୍ପାନୀକାର୍ ଭିତରେ ଅଫିସ୍ ଫେରନ୍ତା ମହିଳାଙ୍କୁ ଡ୍ରାଇଭରର ବଳାତ୍କାର ।" କାଗଜଟିରେ ଅଧାଖବର ଥିଲା । ଦିଲ୍ଲୀ-ଫିଲ୍ଲୀର ଘଟଣା ବୋଧେ । ତାରିଖ ବି ନଥିଲା । ସୌମ୍ୟା ପାଟିରୁ ବାହାରି ଗଲା – “ଇମା ! ଇୟେ ତ ଭାରି ଡେଞର୍ କଥା !
ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର