ଅଜଣା ରୋଗ
ଅଜଣା ରୋଗ
ଲେଖିକା-ରୋଜା ପଣ୍ଡା
ଆଜି ବହୁତ ଦିନ ପରେ ସେଇ ପୁରୁଣା ରାସ୍ତାରେ ମୋ ପାଦ ଅଟକିଯାଇଥିଲା । ସେଇ ପୁରୁଣା ବନ୍ଧୁତା,ସେଇ ପୁରୁଣା କଲ୍ୟାଣି ଅପା ଯିଏ କି ମୋ ଠାରୁ ଚାରି କି ପାଞ୍ଚ ବର୍ଷ ବଡ ହେବ କିନ୍ତୁ ବିଲକୁଲ ମୋ ସାଙ୍ଗ ଭଳି । ନାଁ ଟା ଯେମିତି ତାର କାମ ଗୁଡିକ ବି ଠିକ ସେମିତି । ସମସ୍ତଙ୍କର କଲ୍ୟାଣ କରେ । ସମସ୍ତଙ୍କର ଶୁଭ ଚିନ୍ତା କରେ । ସମସ୍ତଙ୍କୁ ସ୍ନେହ ବାଣ୍ଟେ । ଖୁବ ନିଆରା ମଣିଷଟିଏ କଲ୍ୟାଣି ଅପା ।
ହେଲେ ଆଜି ତା ଘର ସାମ୍ନାରେ ଏତେ ଲୋକ ରୁଣ୍ଡ ହେଇଛନ୍ତି କାହିଁକି ? ମୋ ପାଦ ଧୀରେ ଧୀରେ ଅପା ଘର ଭିତରକୁ ଆଗେଇଚାଲିଲା ।
ଭିତରକୁ ଯାଇ ଦେଖିଲି ଧଳା ଚାଦର ଘୋଡେଇ ହେଇ କେହି ଜଣେ ଶୋଇରହିଛନ୍ତି । ପାଖରେ ସାଗର ଭାଇ ବସି ଲୁହ ଗଡାଉଛନ୍ତି ।
ସାଗର ଭାଇ ହେଉଛନ୍ତି କଲ୍ୟାଣି ଅପାଙ୍କ ସ୍ୱାମୀ । ମୁଁ ଯାଇ ଧଳା ଚାଦର ଟି ଉଠାଇଦେଲି । ମୋ ଆଖି ପଡିଲା ଧଳା ଚାଦର ତଳେ ଶୋଇ ରହିଥିବା ଏକ ଚିହ୍ନା ମୁହଁ ଉପରେ । ମୋ ପାଦ ତଳୁ ମାଟି ଖସିଗଲାପରି ଲାଗିଲା । ଆରେ ଏ ତ କଲ୍ୟାଣି ଅପା ! ହେଲେ ଏସବୁ କଣ ଘଟିଗଲା ଆଉ କେମିତି ? ମୁଁ ସାଗର ଭାଇଙ୍କୁ ପଚାରିଲି । ସେ କହିଲେ କଲ୍ୟାଣି ନିଜ ହାତରେ ନିଜ ଜୀବନ ହାରିଦେଇଛି । ସେ କାଲି ରାତିରେ କେହି ନଥିବା ଅବସ୍ଥାରେ ନିଜ ଖାଦ୍ୟରେ ବିଷ ମିଶାଇ ଖାଇଦେଇଛି । ତାର ମୃତ୍ୟୁ ଘଟିଛି ।
ମୁଁ ଦୁଃଖରେ ମ୍ରିୟମାଣ ହୋଇଗଲି ଏକଥା ଶୁଣି । ବହୁତ ଆଶ୍ଚର୍ଯ୍ୟ ବି ଲାଗିଲା । କଲ୍ୟାଣି ଅପା କାହିଁକି ଏମିତି କଲା ? ସେ ତ ସେମିତିକା ଝିଅ ନୁହେଁ । ତା ଶାଶୂଘର ଲୋକମାନେ ବି ତାକୁ ବହୁତ ଭଲ ପାଆନ୍ତି । ସାଗର ଭାଇଙ୍କର ତ ସେ ଜୀବନ ଥିଲା । ମତେ ସନ୍ଦେହ ହେଲା । ଏମିତି ଅଚାନକ ମୃତ୍ୟୁ କେମିତି ଓ କାହିଁକି ? ମୁଁ ଖୋଜିବାରେ ଲାଗିପଡ଼ିଲି । ଅପାର ବେଡ଼ରୁମ,ତା ଅଲମିରା ଏମିତି ବହୁତ କିଛି । ମତେ ତାଙ୍କ ଘରେ କିଛି ରେଷ୍ଟିକସନ ନଥାଏ । ମୁଁ ପ୍ରାୟ ମଝିରେ ମଝିରେ ତାଙ୍କ ଘରକୁ ଯାଏ । ଅପା ରୁମରେ କିଛି ବି ସନ୍ଦେହ କଲାପରି ଜିନିଷ ପାଇଲିନାହିଁ । ଶେଷରେ ଆଖି ପଡିଲା ତାର ଗୋଟେ ଡାଏରି ଉପରେ । ଡାଏରି ଟି ଆଣି ପଢ଼ିଲି । ଅପା ର ଅଭୁଲା କାହାଣୀ ଯାହାର କେତେକାଂଶ ମୁଁ ପୂର୍ବରୁ ଜାଣିଥିଲି ।
କଲ୍ୟାଣି ଅପା ଆଉ ମୁଁ ବହୁତ ସମୟ ଏକାକୀ ବିତେଇଛୁ । ବହୁତ ସୁଖ ଦୁଃଖ ବାଣ୍ଟିଛୁ । ସେ ବହୁତ ପରୋପକାରୀ ଥିଲା । ଅନ୍ୟ ଆଖିରେ ଲୁହ ଦେଖିଲେ ସେ ଦୁଃଖରେ କାନ୍ଦି ପକାଉଥିଲା । ଯିଏ ଯେତେ ଦୁଃଖ ଦେଲେ କାହାକୁ ପ୍ରତିବାଦ ନକରି ସବୁ ମୁଣ୍ଡ ପାତି ସହିଯାଉଥିଲା । ଅନର୍ଯ୍ୟାପ୍ତ ଦୁଃଖରେ ଥାଇ ବି ମୁଖମଣ୍ଡଳରେ ସ୍ମିତହାସ୍ୟ ଟିଏ ଥାଏ ତାର ସବୁବେଳେ । ତାକୁ ଆମେ କେହି କେବେ ରାଗିବାର ଦେଖିନାହୁଁ । ବହୁତ ହସ ହସ ମୁହଁ ତାର । ଦେଖିଲେ ପେଟ ପୁରିଯାଏ । ତା ବାହାଘର ମାତ୍ର ତିନି ବର୍ଷ ହେଇଛି ।
ସେ ତା ସ୍ୱାମୀଙ୍କୁ ଜୀବନ ଠାରୁ ବି ଅଧିକା ଭଲ ପାଉଥିଲା । ତା ସ୍ବାମୀ, ମାନେ ସାଗର ଭାଇ ବି ତାକୁ ବହୁତ ଯତ୍ନରେ ରଖିଥିଲେ । ତା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ । କଲ୍ୟାଣି ଅପା କୁ ଦୁନିଆଁର ସବୁ ଖୁସି ଦେବାପାଇଁ ସାଗର ଭାଇ ଆପ୍ରାଣେ ଚେଷ୍ଟା କରୁଥିଲେ ।
ବାହାଘର ସମୟରେ କୌଣସି ଏକ କାରଣରୁ ଦିନେ କଲ୍ୟାଣି ଅପା ଓ ସାଗର ଭାଇଙ୍କ ମଧ୍ୟରେ ଟିକେ ଭୁଲ ବୁଝାମଣା ହେଇଯାଇଥିଲା । ପରେ କିନ୍ତୁ ସେଥିପାଇଁ ସାଗର ଭାଇ ଅପାକୁ ବହୁତବାର କ୍ଷମା ମାଗିଛନ୍ତି ସେଥିପାଇଁ । ହେଲେ ସେବେଠୁ କଲ୍ୟାଣି ଅପା ମଝିରେ ମଝିରେ ବହୁତ ରାଗିଯାଏ । ସାଗର ଭାଇଙ୍କ ସହିତ ବହୁତ ଝଗଡା କରେ । ନିଜର ବହୁତ କ୍ଷତି କରେ । ପୁଣି କିଛି ସମୟ ପରେ ସେ ଠିକ ହେଇଯାଏ । ସାଗର ଭାଇଙ୍କୁ ବହୁତ ସ୍ନେହ ଦିଏ,ଭୁଲ ମାଗେ । ନିଜେ ନିଜକୁ ବହୁତ ଧିକ୍କାର କରେ ଓ ଅନୁତାପ ମଧ୍ୟ କରେ । ତାପରେ ସେମାନଙ୍କର କିଛିଦିନ ଭଲରେ କଟେ । କିଛିଦିନ ପରେ ଆଉଥରେ କିଛି ଗୋଟେ ଛୋଟ ଘଟଣାକୁ ନେଇ ଅପା ଆଉଥରେ ରାଗିଯାଏ । ପୁରୁଣା ଭୁଲ ବୁଝାମଣାକୁ ମନେ ପକାଇ ସେ ସାଗର ଭାଇଙ୍କ ମନକୁ ଆଘାତ ଦିଏ । ସେ ଅବାସ୍ତବ ଜିନିଷ ସବୁ କରିବସେ । ନିଜକୁ ନିଜେ ମାଡ ମାରେ । ବହୁତ ଜୋରସେ ଚିଲାଏ । ସାଗର ଭାଇଙ୍କୁ ବହୁତ ଖରାପ କରି କହେ । ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସେ ସାଗର ଭାଇଙ୍କୁ ବାଧ୍ୟ କରାଏ ନିଜ ଉପରେ ହାତ ଉଠାଇବା ପାଇଁ । ସତେ ଯେମିତି ସାଗର ଭାଇଙ୍କ ଠାରୁ ଦୁଇ ଚାପୁଡ଼ା ଖାଇଲେ ସେ ସେଇ ମାନସିକ ରୋଗରୁ ମୁକ୍ତି ପାଇଯିବ । ସାଗର ଭାଇଙ୍କୁ ବାଧ୍ୟ କରାଇ ତାଙ୍କ ଠାରୁ ଗୁଡ଼ାଏ ମାଡ ଖାଏ । ତାପରେ କିଛି ସମୟ ନିସ୍ତେଜ ହେଇ ପଡ଼ିଯାଏ । କେତେବେଳେ ତାକୁ ନିଦ ହେଇଯାଏ । ନିଦରୁ ଉଠି ଅପା ଆଉଥରେ ଆଗ ଭଳି ସାଗର ଭାଇଙ୍କୁ ଭଲପାଏ ,ସତେ ଯେମିତି ଆଗରୁ କିଛି ଘଟିନି । ଆଉଥରେ କ୍ଷମା ମାଗେ,ବହୁତ କାନ୍ଦେ । ସାଗର ଭାଇଙ୍କୁ ଏମିତି ହନ୍ତସନ୍ତ କରୁଥିବାରୁ ବହୁତ ଅନୁତାପ କରେ । ଭିତରେ ଭିତରେ ସେ ବହୁତ ଭାଙ୍ଗିପଡ଼େ । ତାକୁ ଲାଗେ ଯେ ସେ ଜାଣିଶୁଣି କିଛି କରୁନି । ସେ ସାଗର ଭାଇଙ୍କୁ ବହୁତ ଥର କହେ ଯେ ସେ ନିଜ ମନକୁ ଆୟତରେ ରଖିପାରୁନି । ସେଥିପାଇଁ ସେ ଆଣ୍ଟି-ଡିପ୍ରେସନ ଔଷଧ ମଧ୍ୟ ଖାଏ ହେଲେ କିଛି ଲାଭ ହୁଏନି । ପୁଣି କିଛି ଦିନପରେ ସେଇ ପୁରୁଣା ରାଗ,ଝଗଡା,ଚିଲେଇବା ଓ ମାଡ଼ ଖାଇ ପୁଣି ନିସ୍ତେଜ ହେଇ ପଡିରହିବା ।
ମତେ ସେ ବହୁତ ଥର ଏ ବିଷୟରେ କହିଛି , ସାଗର ଭାଇଙ୍କ ପାଇଁ ତା ମନରେ ଥିବା ଚିନ୍ତା ଓ ଭଲପାଇବା ମୁଁ ସ୍ପଷ୍ଟ ଦେଖିଛି । ତାକୁ ଭିତରେ ଭିତରେ ଅନୁତାପର ନିଆଁ ରେ ଜଳିବାର ବି ବୋହୁତଥର ଦେଖିଛି । ତାର ସେ ରାଗ ମୁହୂର୍ତ୍ତ ବି ଦେଖିଛି । ସେତେବେଳେ ମତେ ଲାଗେ ଯେ କିଛି ମୁହୁର୍ତ୍ତ ପାଇଁ କେହିଜଣେ ଦାନବ ତା ମନ ଆଉ ବିବେକ କୁ ଖିନଭିନ କରିପକାଉଛି ।
ବାସ କେଇ ମୁହୁର୍ତ୍ତ ! ତାପରେ ସବୁ ଯେମିତି ଠିକଠାକ । ସବୁ ଯେମିତି ଶାନ୍ତ । ପୁଣି ଅପା ମନରେ ସାରା ସଂସାର ପାଇଁ ଦରଦୀ ଭାବନା । ସାଗର ଭାଇଙ୍କ ପାଇଁ ପ୍ରେମ ।
ସେ ମତେ ବହୁତ ଥର କହିଛି କେଉଁ ଏକ ଭଲ ଡାକ୍ତର ଦେଖାଇ ନିଜ ଅସୁବିଧା ପାଇଁ ଚିକିତ୍ସା ହେବ । ହେଲେ କଣ କହିବ ଡାକ୍ତରଙ୍କୁ । ଏ କି ପ୍ରକାର ରୋଗ ? ଏଇଟା ରୋଗ ନା ଆଉ କିଛି ? ଏହାର ଚିକିତ୍ସା ଆଉ କଣ ହେଇପାରେ । ସେ ମେଡିଟେସନ ବି କରିବାକୁ ବହୁତ ଚେଷ୍ଟା କରିଛି ହେଲେ ଲାଭ କିଛି ମିଳିନି । ସାଗର ଭାଇଙ୍କ ଶୁଭ ଚିନ୍ତା କରି ବହୁତ ବାର ଅପା ସାଗର ଭାଇଙ୍କ ଠାରୁ ବି ଦୁରକୁ ଯିବାକୁ ପ୍ରୟାସ କରିଛି ହେଲେ ସାଗର ଭାଇ ନିଜର ସବୁ କାମ ଛାଡି ଅପାକୁ ଜଗି ରୁହନ୍ତି । ଅପା ବି ବାରମ୍ବାର ନିଜର ଏମିତି ପ୍ରତିକ୍ରିୟାକୁ ଆୟତ କରିବାକୁ ଆପ୍ରାଣେ ଚେଷ୍ଟା କରିଛି ହେଲେ କେଇ ମୁହୁର୍ତ୍ତ ପାଇଁ ସେ ବି ବିବଶ ହେଇଯାଇଛି ନିଜ ମନ ଆଉ ବିବେକ ସାମ୍ନାରେ । ସେଇ ଦାନବ ରୂପୀ କ୍ରୋଧ ସାମ୍ନାରେ ସେ ହାରି ଯାଇଛି ବାରମ୍ବାର ।
ତାର ନିଜପାଇଁ ଡର ନଥିଲା ,ଡର ଥିଲା ସାଗର ଭାଇଙ୍କ ପାଇଁ । ତାର ଏମିତି ବାରମ୍ବାର ପ୍ରତିକ୍ରିୟା ଦ୍ୱାରା ସାଗର ଭାଇ ଧୀରେଧୀରେ ବହୁତ ଭାଙ୍ଗି ପଡୁଥିଲେ । ପରେ ଯେତେ ବୁଝାଇଲେ ବି ସାଗର ଭାଇଙ୍କ ମନର କ୍ଷତ ଭରୁନଥିଲା । ମୁଁ କିନ୍ତୁ ଠିକ ବୁଝିପାରୁଥିଲି କଲ୍ୟାଣି ଅପାର ଅସହାୟତାକୁ । ତାର ପ୍ରତି ମୁହୂର୍ତ୍ତରେ ନିଜ ମନ ଆଉ ବିବେକ ସହ ତୁମୁଳ ସଂଗ୍ରାମକୁ । ସେ କ୍ରୋଧ ରୂପୀ ଦାନବ କୁ ଦୁରକୁ ଫିଙ୍ଗିଦେବାର ପ୍ରୟାସ କୁ । ହେଲେ ଅସହାୟ,ନିର୍ବିକାର ହେଇପଡୁଥିଲା ଅପା ଥରକୁଥର ।
ଶେଷରେ ଆଜି ନିଜର ସେଇ ଅଜଣା ରୋଗର କ୍ରୋଧାଗ୍ନି ରୁ ସାଗର ଭାଇଙ୍କୁ ରକ୍ଷା କରିବାପାଇଁ ନିଜର ମୂଲ୍ୟବାନ ଜୀବନକୁ ସେ ବଳି ଦେଇଦେଇଛି । ବାରମ୍ବାର କ୍ଷତାକ୍ତ ହେଉଥିବା ସାଗର ଭାଇଙ୍କ ନିଷ୍କଳଙ୍କ ମନକୁ ସେ ମୁକ୍ତ କରିଦେଇଛି । ଶେଷରେ ମୃତ୍ୟୁ ପୂର୍ବରୁ ଦୁଇପଦ ତା ଡାଏରି ରେ ସାଗର ଭାଇଙ୍କ ପାଇଁ ଲେଖିଦେଇଛି ଯେ, " ସାଗର ମୋର ମୃତ୍ୟୁ ତୁମକୁ ବହୁତ ଆଘାତ ଦେବ କିନ୍ତୁ ଏହା ମାତ୍ର ଥରୁଟିଏ, ବାରମ୍ବାର ମୋର କ୍ରୋଧାଗ୍ନିରେ ତୁମେ ଛଟପଟ ହେଉଥିଲ, ମୁଁ ନିରୁପାୟ ଥିଲି, ତୁମ ସହିତ ଘଟେଇଥିବା ପ୍ରତ୍ୟେକଟି ଅସହ୍ୟ ଘଟଣାକୁ ମୁଁ ଖୁବ ସହଜରେ ଭୁଲିଯାଉଥିଲି,କିନ୍ତୁ ପର ମୁହୂର୍ତ୍ତରେ ତୁମର କ୍ଷତାକ୍ତ କୁ ଭରଣ କରିପାରୁନଥିଲି । ତୁମେ ମୋ ଦ୍ୱାରା ବାରମ୍ବାର କ୍ଷତାକ୍ତ ହେଉଥିଲ । ବାରମ୍ବାର ମୋପାଇଁ ଲୁହ ଝରାଉଥିଲ । ମୋପାଇଁ ତୁମ ମନରେ ବାରମ୍ବାର ହେଉଥିବା କ୍ଷତାକ୍ତ ଆଗକୁ ବଢି ବଢି କ୍ୟାନ୍ସର ରେ ପରିଣତ ହେବା ପୂର୍ବରୁ ମୁଁ ବିଦାୟ ନେଉଛି । ବହୁତ ଇଚ୍ଛା ଥିଲା ତୁମ ସହିତ ଖୁସିରେ ଜୀବନ କାଟିବା ପାଇଁ ହେଲେ ମୋର ଏଇ ଅଜଣା ରୋଗ ଆଜି ଆମ ପ୍ରେମର ଅନ୍ତ କରିଦେଲା । ଅନ୍ତିମ ପ୍ରଣାମ ଗ୍ରହଣ କରିବ ।
ବିଦାୟ...............
ରୋଜା ପଣ୍ଡା
ପୂର୍ଣ୍ଣାନନ୍ଦ ଭବନ
ନେତାଜୀ ନଗର
ମଧୁପାଟଣା
କଟକ-୭୫୩୦୧୦
Email-roja.saumya@gmail.com