ବୋଉ
ବୋଉ
"ବିନ୍ଦାସ୍"ର ବୋଉକୁ ଦେଖି ଆଉ ଏଲି ମହାନ୍ତିଙ୍କର କବିତାର ଆବୃତ୍ତି ମେସେଞର ରେ ଶୁଣି ଆଉ ରହି ପାରିଲିନି ।ବୋଉକୁ ନେଇ ଲେଖୁଛି କିଛି ।
ବୋଉ କହିଲେ ମୋତେ ଦିଶେ ଗୋଟେ ଆଲୁରୁ ବାଲୁରୁ ମୁହଁ,ଅଧା ପେଟରେ ବଂଚିଥିବା ମଣିଷ,ଛଳ ଛଳ ଦିଓଟି ଆଖି,ଥର ଥର ଓଠ,ନାଲି ଗୋଟେ ବଡ ଟୋପା,ଠାକୁରଙ୍କ ଉଦ୍ଧେଶ୍ୟରେ ଟେକା ଯାଇଥିବା ଦୁଇଟି ହାତର ଏକ ଜୀବନ୍ତ ମୂର୍ତ୍ତୀ ।
ନିଜେ ଜଣେ ମଣିଷ,ପେଟରେ କିଛି ଭୋକ,ଦେହର କିଛି ଜ୍ୱଳା,ମନର କିଛି ଆବଶ୍ୟକତାକୁ ବାର ବାର ଭୂଲିଯାଉଥିବା ଏକ ଜୀବର ନାମ ବୋଉ ...ଯିଏ ଠାକୁରଙ୍କୁ ଜୁହାର ହେଉ ହେଉ ବି ବାରବାର ପଛକୁ ବୁଲି ଦେଖୁଥାଏ ଛୁଆମାନେ ଠିକ୍ ଅଛନ୍ତି ତ ??
ବୋଉମାନେ ସବୁବେଳେ ଉଦାସୀନ ନିଜ ପ୍ରତି ।ଭାରୀ କେୟାର ଲେସ୍ ନିଜ ଦେହକୁ ନେଇ ।
ବୋଉ ମାନଙ୍କର ସବୁବେଳେ ଦେହ ଖରାପ ହୁଏ ....ବାନ୍ତି ବାନ୍ତି ଲାଗେ...ଖାଇବାକୁ ଇଛା ହୁଏନି ଯେତେବେଳେ ଘରେ ଆବଶ୍ୟକତା ଠାରୁ କମ୍ ଖାଦ୍ୟ ଥାଏ । ସେମାନେ ଏତେ ବେମାରିଆ କାହିଁକି ଯେ...ବୁଝି ପାରିନି କେବେ ମୁଁ ।
ବୋଉମାନେ ସବୁବେଳେ ଗୁଣୁଗୁଣୁ ହୁଅନ୍ତି ଠାକୁରଙ୍କ ନାମ ନେଇ ।କେଉଁ ଭୟ ଜାବୁଡି ଧରେ ତାଙ୍କୁ?? ଏତେ ଡରୁଆ କାହିଁକି ସେମାନେ??
ବୋଉ ମାନଙ୍କର ପଣତକାନି ସବୁବେଳେ ଛୁଆଙ୍କ ଶିଂଘାଣି,ଝାଳ,ନାଳ ରେ ଲୁତୁପୁତୁ ଥାଏ । ଭାରୀ ଅସନା ତୁ ବୋଉ .....
କାଳେ ପାଟି ଦେଇ କିଛି କଷ୍ଟ ,ଅଭିଯୋଗ,ଇଛା ବାହାରି ଯିବ...ସେଇ ଭୟରେ ବୋଉମାନେ ପାଟିରେ ଲୁଗା ବିଣ୍ଡା ଦେଇ ଆଖିରୁ ଲୁହ ଝରାଇ ଯେନ ତେନ ନିଜକୁ ସମ୍ଭାଳି ନିଅନ୍ତି ।
ନିଦରେ ଶୋଇଗଲା ପରେ ଗୋଡରେ ତେଲ ଲଗାଇ ଅଣ୍ଡାଳୁଥିବା ଲୋକଟି ଯେ ବୋଉ ଏକଥା ଜାଣିବାରେ କିଛି ସନ୍ଦେହ ନ ଥାଏ ।
ବାବାଙ୍କ ନାଲି ଆଖିରୁ ଛୁଆଙ୍କୁ ବଂଚାଇବାକୁ ବାରବାର ମିଛୋଇ ସାଜୁଥିବା ଜୀବଟି ବୋଉ ହିଁ ଥାଏ ।
ଅଣ୍ଟାରେ ଲୁଗା ଭିଡି ନିଜ ଛୁଆକୁ ସତିଆ ପ୍ରମାଣିତ କରିବାକୁ ସବୁ ପ୍ରୟାସ କରୁଥିବା ସେ କଳିହୁଡି,ମୁହଁ ମୋଡି ମଣିଷଟି ବି ବୋଉ ଥାଏ ।
ସବୁଭଲ ତକ ବାଣ୍ଟି ଦେଇ ଖରାପତକ ନିଜ ଲାଗି ରଖୁଥିବା ସେ ଓଲି...ଟା ବି ବୋଉ ଥାଏ ।
ରୋଗ ବେଳେ କାଳେ ରାତିରେ ଅନ୍ଧାରରେ ଯମ ଆସିଯିବ ବୋଲି ତାକୁ ଘଉଡାଇବାକୁ ଯିଏ ରାତି ତମାମ ଅନିଦ୍ରାରେ ବସେ ସେବି ସେ ବୋଉ ଥାଏ ।
ବୋଉ ସବୁବେଳେ କାନ୍ଦୁଥାଏ...ଛୁଆ ଛୋଟ ଥିଲେ ବି...ବଡ ହେଲେ ବି......ବାହା ହେଲେ ବି....
ଅଧାପେଟିଆ(ଅଧା ଭୋକ)ହୋଇ ଜିଇଁବାର ଭାଗ୍ୟ ନେଇ ସେ ସବୁବେଳେ ଜିଇଁ ଥାଏ....
ବୋଉକୁ ମୁଁ ଆଦୌ ବୁଝିପାରିନି...ବୁଝିବାର ସତ୍ ସାହାସ ମୁଁ ଜୁଟାଇ ପାରିନି ଏ ଯାଏଁ ...