ତୁମକୁ ଆନ୍ତରିକ ଧନ୍ୟବାଦ
ତୁମକୁ ଆନ୍ତରିକ ଧନ୍ୟବାଦ
ସବୁ ତ ଠିକ୍ ଠାକ୍ ଚାଲିଥିଲା । ଯେମିତିକି ସୂର୍ଯୋଦୟରୁ ସୂର୍ଯାସ୍ତ ଚାଲିଛି । ସେଦିନ ନିତ୍ୟକର୍ମ ସାରି ଆଉ କିଛି ଛୋଟମୋଟ ଘରପାଇଁ କର୍ତ୍ତବ୍ୟ ଶେଷ କଲି । ଠିକ ସମୟରେ ସ୍କୁଲରେ ପହଁଚିଲି । ହଠାତ୍ ମୋର ମୁଣ୍ଡଟା ଚକର ହେଲା । ଭଲ ଲାଗିଲା ନାହିଁ । ସ୍କୁଲର ପ୍ରାର୍ଥନା କାର୍ଯ୍ୟ ହେବ। ମୋର ଜଣେ ଶିକ୍ଷକ ବନ୍ଧୁଙ୍କୁ ପ୍ରାର୍ଥନା ଦାୟିତ୍ଵ ଦେଇ କମନ୍ ରୁମରେ ବିଶ୍ରାମ ନେଲି । ତାପରେ ମୋର କଣହେଲା ଜାଣେନି । ମୋ ଅସୁସ୍ଥତା ଥିବା ଅନୁଭବ କରି ମୋର ଜଣେ ବନ୍ଧୁ ମୋତେ ହସପିଟାଲ ନେଇଆସିଲେ ।
ଯେଉଁଠି ତୁମେ ଥିଲ । ମୁଁ ସୁସ୍ଥ ଅନୁଭବ କଲାପରେ, ମୋ ବନ୍ଧୁଙ୍କ ଠାରୁ ଜାଣିଲି ଯେ ତୁମେ କାଳେ ମୋ ବନ୍ଧୁଙ୍କୁ ଖୁବ୍ ସାହାଯ୍ୟ କଲ ଯେତେବେଳେ ସେ ମୋତେ ଆଣି ହସପିଟାଲରେ ପହଁଚିଲେ। ତୁମେ କାଳେ ବହୁ ଚେଷ୍ଟା କରିଥିଲ କିପରି ମୋର ଜରୁରୀ କାଳିନ ଚିକିତ୍ସା ହେବ। କାରଣ ତୁମେ କାଳେ ଜଣିପାରିଲ ମୁଁ ଗଭୀରଭାବେ ଅସୁସ୍ଥ ଥିଲି ।ହଁ ମୁଁ ବି ଦେଖିଲି ଯେତେବେଳେ ମୁଁ ଟିକେସୁସ୍ଥ ହେଲି ,ସେତେବେଳେ ତୁମେ ବାରମ୍ବାର ଆସି ମୋ ଦେହ ବିଷୟରେ ବୁଝୁଥିଲ । ତୁମେ ଆସି ତାଙ୍କଠୁ ମୋର ଔଷଧ ଖାଇବା, ଶୋଇବା ଆଉ ଟୟଲେଟ ଆଦି ବିଷୟରେ ଟିକିନିଖି ବୁଝୁଥିଲ । ମୋ "ବନ୍ଧୁ ଆଉ ଇଏ" ମୋତେ କେତେ ଥର ପଚାରିଲେ, ତୁମେ କିଏ ଆଉ ମୋ ପାଇଁ କାହିଁକି ଏତେ ବ୍ୟସ୍ତ ହଉଚ । ମୁଁ ସେମାନଙ୍କୁ ସାଧାରଣଭାବେ କହିଦେଇଥିଲି ,ହଁ ତୁମେ ହସପିଟାଲର କେହି ଜଣେେ କର୍ମଚାରୀ ବୋଲି । କେମିତି ବି ସେମାନେ ଜାଣିବେ ତୁମେ କିଏ ଆଉ କଣ ପାଇଁ ମୋ ବିଷୟରେ ଏତେ ବ୍ୟସ୍ତ ହଉଥିଲ ।
ମୋ ଦେହ ସୁସ୍ଥ ହେଲାପରେ ଯେଉଁଦିନ ମୁଁ ଡିଶ୍ଚାର୍ଜ ହେଲି ସେଦିନ ତୁମେ ବି ଆସି ୟାଙ୍କୁ ପୁଣି ଟିକି ନିଖି ବୁଝାଇ ଦେଲ ଯେ କିପରି ମୋର ଯତ୍ନ ନେବେ । କେତେବେଳେ କେଉଁ ଔଷଧ ଖାଇବାକୁ ହେବ। ପୁଣି ତୁମେ ମୋ ପାଖରୁ ଫେରିଲା ବେଳେ ବାରମ୍ବାର ଆମପଟକୁ ଫେରି ଚାହୁଁଥିଲ । ଯେଉଁଥି ପାଇଁ ଇଏ ମୋତେ ପଚାରିଲେ ତୁମର କାଳେ କଣ ଆଉ କହିବାର ଅଛିକି ବୋଲି । ସେତେବେଳେ ମୁଁ ତାଙ୍କୁୁ କିଛି ନକହି ନୀରବ ରହଯାଇଥିଲି ।
ହେଲେ ୬/୭ ଦିନ ପରେ ଚେକଅପ୍ କରିବାକୁ ଯାଇଥିଲି । ଚେକଅପ ସରିବାପରେ ତୁମସହ ଟିକେ ଦେଖା ହେବାକୁ ଭାବିଲି । ତୁମକୁ ମନେମନେ ଖୋଜି ନ ପାଇବାରୁ ଡିୟୁଟିରୁମ୍ ଆଡେ ଗଲି । ଭାବିଲି କେଉଁଠି ଥିବ ଅନ୍ୟମାନଙ୍କଠୁ ବୁଝି ଦେଖା ହୋଇଯିବି । ସେଦିନ ଜାଣିଲି ତୁମେ ସେ ହସପିଟାଲର କର୍ମଚାରୀ ନୁହଁ ବୋଲି । ଆଉ ଜାଣିଲି ଯେ- ତୁମେ ତୁମର ଜଣେ ରୋଗୀଙ୍କୁ ନେଇ ହସପିଟାଲ ଆସିଥିଲ । ସେ ଭିତରେ ତୁମେ ତୁମ ରୋଗୀକୁ ଛାଡି ମୋ ବିଷୟରେ ,ମୋ କଥା ଆସି ବୁଝୁଥିଲ । ଦେଖିଥିଲେ କେତେକଥା, କଥାହୋଇଥାନ୍ତେ। ସତ କୁହ ମୌସୁମୀ ତୁମେ ଭାରି ଜିଦିଆ ।ତୁମେ ଜିତିଗଲ । ଆଉ ଜାହିର କରିନେଲ ଯେ ,ତୁମେ କୌଣସି ପ୍ରକାରରେ ମୋର ଉପକାର କରି । ହଉ ଧନ୍ୟବାଦ "ମୌସୁମୀ" ।
ବିରେନ୍ ରାୟ
ମୋ-୯୪୩୭୪୬୩୫୩୮
ସୟଦ ମମତାଜ ଅଲ୍ଲୀ ହାଇସ୍କୁଲ,
ଯଦୁପୁର,ଭୁବନେଶ୍ଵର ।