Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajendra Giri

Inspirational Others

5.0  

Rajendra Giri

Inspirational Others

ଝଡ଼ ପରର ରେବତୀ

ଝଡ଼ ପରର ରେବତୀ

3 mins
7.9K


ସବୁ ଦିନ ପରି ଆଜି ବି ସୂର୍ଯ୍ୟ ଉଦୟ ହେଇଛନ୍ତି ପୂର୍ବ ଦିଗବଳୟରେ , ହେଲେ ତାଙ୍କ ଦେହରେ ଆଉ ସେ ଚମକ ନାହିଁ କି ପ୍ରଚଣ୍ଡତାର ଝଲସ ନାହିଁ । ସତେ ଯେମିତି ଧୁଆଁମୟ ପରିବେଶ ଭିତରେ ଲଣ୍ଠନ ଟିଏ । ପକ୍ଷୀ ର କୂଜନ ଆଉ ଝରଣାର ନାଦ ଯେଉଁ ଗାଁ କୁ ସବୁ ଆଡ଼େ ପରିଚିତ କରାଉଥିଲା ସେ ଗାଁ ଆଜି କଙ୍କାଳ ପରି ଶୋଇ ରହିଛି । ଏହାର କାରଣ ହେଉଛି ଗତ କାଲି ରାତିରେ ଘଟି ଯାଇ ଥିବା ଝଡ଼ । ସମ୍ପୂର୍ଣ୍ଣ ଅସ୍ତ ବ୍ୟସ୍ତ କରି ପକାଇଛି ପରିବେଶଟାକୁ । ସକାଳର ସେ ଦୃଶ୍ୟ ଦେଖିଲା ବେଳକୁ ଥରି ଉଠୁଛି ଛାତି । ଅଧାରୁ ଅଧିକ ଘର ମିଶି ଯାଇଛି ମାଟି ଦେହରେ । ଦରଭଙ୍ଗା ସ୍କୁଲ ଘର ଆଉ ନାହିଁ , ଜଣା ପଡୁ ନାହିଁ କୋଉ ଜାଗାରେ ସ୍କୁଲ ଘର ଟି ଥିଲା । ଉଭେଇ ଯାଇଛି ତାର ଅସ୍ତିତ୍ଵ ।

ସମସ୍ତଙ୍କ ମୁହଁକୁ ଅନେଇଲେ ବାଛି ହେଇ ଯାଏ ଯଦୁଆ ହାଡ଼ିର ପ୍ରଶ୍ନବାଚୀ ଭରା ମୁହଁ । ପେଶାରେ ସେ ହାଡି , ମେହନ୍ତ କାମ କରି ଗୁଜୁରାଣ ମେଣ୍ଟାଏ । ଗୋଟିଏ ବୋଲି ଝିଅ ରେବି । ପାଠ ପଢ଼ାରେ ତାର ଭାରି ସରଧା । ସଂସାର କହିଲେ ରେବି ଆଉ ତାର ଆଗ କୁ ପଛକୁ କେହି ନାହିଁ । ଖାଇବା ପାଇଁ ଥାଉ କି ନ ଥାଉ , ଏମିତି କି ଦିନେ ଦିଦିନ ଉପବାସ ରହି ଯାଏ ଯଦୁ ହାଡି । ହେଲେ ରେବତୀର ପାଠ ପଢ଼ାରେ କେବେ ହେଲେ ଅବହେଳା କରେ ନାହିଁ ସେ । ରେବ ସ୍କୁଲ ଗଲେ ଡବ ଡବ ଆଖିରେ ଅନେଇ ଥାନ୍ତି ସମସ୍ତେ । ସେ ଅଂଚଳେରେ ରେବି ହିଁ ଏକା ଝିଅ ଯିଏ ସ୍କୁଲ ଦ୍ବାର ମୁହଁ ଦେଖିଛି । ପୁଅ ପିଲାଙ୍କୁ ପଛରେ ପକାଇ ଅନେକ ବୃତ୍ତି ମଧ୍ୟ ହାସଲ କରିଛି । ମନରେ ବହୁତ ଆଶା ବାନ୍ଧିଛି ଯଦୁ ହାଡି ଝିଅକୁ ପୋଲିସ କରିବ । ଗାଁ ସାହୁକାରକୁ ପାନେ ଦେବ ।

ସାହୁକାର ମଦନ ସିଂ ଭାରି କଡା ମିଜାଜର ସୁଧଖୋର ସ୍ବଭାବବନ୍ତ ପୁରୁଷ । ଗରିବ ମାନଙ୍କୁ ଶୋଷିବା ପାଇଁ ହିଁ ସତେ ଯେମିତି ତା'ର ଏ ଜନ୍ମ । ବହୁ ନିରୀହ ଗରିବଙ୍କୁ ଠକିଛି ସେ । ଯଦୁଆ ପାଖରୁ ମିଛରେ ଟିପ ନେଇ , ସରକାରୀ ଘର କରିଦେବା ଆଳରେ ଛଡେଇ ନେଇଛି ତା'ର ବଡ଼ ବିଲ ନଈ ପଠା ଜମି କୁ । ଯାହାକୁ ଝୁରି ଝୁରି ମରିଗଲା ରେବି ମା' ।

ହେଲ ଅଦିନିଆ ସର୍ବଗିଲା ଝଡ଼ ଆଜି ସବୁ ସାରି ଦେଲା କୋଉଁଠି ରହିବ ସେ , କ'ଣ ଖାଇବ, ରେବି କେମିତି ପୋଲିସ ହେବ । ରହିବା ପାଇଁ ଛପର ନାହିଁ କି, ରେବିର ପଢ଼ିବା ପାଇଁ ସ୍କୁଲ ନାହିଁ । " ହେ ଭଗବାନ ! ରକ୍ଷା କର " ଭାବି ଭାବି ଝରି ପଡୁ ଥାଏ ଯଦୁଆ ହାଡ଼ିର ଆଖିରୁ କରୁଣ ତତଲା ଲୁହ । ଦଇବ ଯାହାକୁ ସାହା ତାର ଭଲା କିଏ କ'ଣ କରି ପାରିବ । ଏହି ଦୁର୍ଦିନରେ ରେବି ପାଖରେ ଛିଡା ହେଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ସାର । ତାଙ୍କ ଘର ସହରରେ । ସେ ଯଦୁଆ ଆଉ ରେବିକୁ ସହରକୁ ଯିବା ପାଇଁ କହିଛନ୍ତି । ପୂର୍ବରୁ ଯକ୍ଷ୍ମାରେ ପୀଡିତ ଥିବା ଯଦୁଆ ଇଚ୍ଛା କରିନି ରେବିମା' ଆଉ ସେ ଗଢ଼ିଥିବା ଦରଭଙ୍ଗା ଘରକୁ ଏମିତି ଏକା ଛାଡି ଯିବାକୁ । କିନ୍ତୁ ରେବିର ଭବିଷ୍ୟତ ଏବଂ ତା'ର ସ୍ବପ୍ନ ପାଇଁ ସାରଙ୍କ ସାଙ୍ଗରେ ପଠେଇଛି ତାର ଅଲିଅଳି ରେବିକୁ ,ଛାତିରେ ଅସୁମାରୀ କୋହକୁ ଚାପି । ବହୁବାର ବୁଝେଇଲା ପରେ ବାପାଙ୍କୁ ଛାଡି ସହରକୁ ଯାଇଛି ରେବି । ଗଲା ବେଳେ କଥା ଦେଇ ଯାଇଛି ତା ବାପାକୁ , ପୋଲିସ ହେଇ ଗାଁ ମାଟିରେ ପାଦ ଦେବ । ପୋଛି ଦେବ ସେ ସେ-ଦିନ ତା' ବାପା ଆଖିର ଲୁହ ।ଏହା ଭିତରେ ବିତିଗଲାଣି ବହୁ ବର୍ଷ ।

ସହରରେ ରହି ଅତୀତର ସେହି ପୂରୁଣା ସ୍ମୃତି କୁ ମନେ ପକାଇ ବହୁବାର ରେବି ନିଜକୁ ପରୀକ୍ଷା କରିଛି । କେମିତି ବିତିଥିଲା ତା'ର ପୁରୁଣା ଦିନ । ରେବି ଫେରିଛି ତା ନିଜ ଗାଁ କୁସୁମ ପୁରକୁ । ବଦଳି ଗଲାଣି ଗାଁର ରୂପ ରଙ୍ଗ । ହେଲେ ଶୋଷିବା କମିନି ସାହୁକାର ମଦନ ସିଂ ର । କିନ୍ତୁ ଯାହା ପାଇଁ ସେ ଆଜି ପୋଲିସ ସେ କାହିଁ ? ରୋଗଣା ଅବସ୍ଥାରେ ଦଣ୍ଡାୟମାନ ତାର ପିଲା ଦିନର ଛପର ନଥିବା ବଖରାଟା । ବହୁତ ଖୋଜିଛି ରେବି ତା ବାପାକୁ । ଶୁଣିବାକୁ ପାଇଛି ଯଦୁଆ ଆଉ ନାହିଁ । ସାହୁକାର ସହ ଲଢେଇ କରି ମରିଯାଇଛି ।

ଏକା ଏକା ଲାଗିଛି ରେବିକୁ । ସତେ ଯେମିତି ତାର ଏତେ ଦିନର ତପସ୍ୟା ପାଣିରେ ମିଶି ଗଲା । ଯାହା ଆଖିରେ ଟିକିଏ ଖୁସି ଦେଖିବାକୁ ଆସିଥିଲା , ସେ ଆଜି ଲୁଚି ଯାଇଛି ପ୍ରହେଳିକା ପଛରେ । ଅଟକାଇ ପାରିନି ହୃଦୟର ଯନ୍ତ୍ରଣାକୁ ନୟନରୁ ତାର ଖସି ଯାଇଛି ଅସରନ୍ତି ଲୁହ ଧାର । ମନ ଭିତରେ ସଂଚୟ କରିଛି ଅସରନ୍ତି ସାହସ ଓ ଶକ୍ତି । ରେବିରୁ ପାଲଟି ଯାଇଛି ରଣଚଣ୍ଡୀ । ସିଧା ଯାଇଛି ସାହୁକାର ପାଖକୁ ମାଗିଛି ସବୁ ଗରିବଙ୍କ ଶୋଷଣର ହିସାବ । ବହେ ଛେଁଚି ବାନ୍ଧି ନେଇଛି ଥାନାକୁ । ମୁକ୍ତି ଦେଇଛି ନିରୀହ ଗାଁ ଲୋକଙ୍କୁ ।

ସମୟ ସତରେ ସବୁ ବଦଳେଇ ଦିଏ ।

ଲେଖେ ପୁଣି ସିଏ ଗୋଟିଏ ପରେ ଗୋଟିଏ ଇତିହାସ ।ସେତେବେଳେ ଯେଉଁ ମାନେ ଡବ ଡବ କରି ଦେଖୁଥିଲେ ଏବେବି ସେମିତି ଅନେକେ ଦେଖୁଛନ୍ତି । ହେଲେ ବଦଳି ଯାଇଛି ଦେଖିବାର ଭାବ । ଭାବିବାର ଧାରା ଆଉ ଧାରଣାର ଢଙ୍ଗ ।

( ବ୍ୟାସକବି ଫକୀର ମୋହନ ସେନାପତିଙ୍କ "ରେବତୀ"ର ପରବର୍ତ୍ତୀ ଚିତ୍ର )

ରାଜେନ୍ଦ୍ର ଗିରି

ଭୋଗରାଇ, ବାଲେଶ୍ୱର

ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ,ବାଲେଶ୍ୱର ।


Rate this content
Log in

Similar oriya story from Inspirational