Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କୁନି ପଳେଇଗଲା
କୁନି ପଳେଇଗଲା
★★★★★

© Bichitra Biswal

Inspirational

4 Minutes   14.5K    23


Content Ranking

କୁନି ପଳେଇଗଲା। ମାଗା ମାହାନ୍ତି ଝିଅ କୁନି କାହା ସାଙ୍ଗରେ ଗୋଟେ ପଳେଇଗଲା। ଜଙ୍ଗଲରେ ନିଆଁ ପରି କଥା ଖେଳିଗଲା ଚାରିଆଡେ। 

ବଜାରରେ ଫାଷ୍ଟ ଫୁଡର ଚାହିଦା ପରି ଏମିତିକା ଘଟଣାର ଚାହିଦା ଢେର ବେଶି। ସମସ୍ତେ ଟୁପୁଟୁପୁ ଫୁସୁସୁସୁ ହୁଅନ୍ତୁ ପ୍ରଚୁର ଆଗ୍ରହରେ ଓ କୁଲ୍ଫିକୁ ଚାଟି ଚାଟି ଖାଇବା ପରି ଅନ୍ୟର ଅସହାୟତାରେ ମଜା ଶୋଷନ୍ତି। 

ଛପର ଉଡିଯାଇଥିବା ଚାଳ ପରି ବିଚରା କୁନିର ବାପା, ମା ଓ ଭାଇଙ୍କ ଅବସ୍ଥା। ନିନ୍ଦା ଅପବାଦ ସବୁ ଛୁଞ୍ଚି ପରି ଫୁଟି ଯାନ୍ତି ସାରା ଦେହରେ। ସବୁଠାରୁ ବେଶୀ ଅପମାନର ସରବ୍ୟ ହୁଏ କୁନିର ବେକାରୀ ଭାଇ ପଦିଆ, ଯିଏ ଗାଁରେ ପାଞ୍ଚ ଜଣଙ୍କ ପାଖରେ ଠିଆ ହୁଏ। ସବୁ ପରିଚିତ ଆଖି ମାନଙ୍କ ତୃଣୀରରୁ ଗୋଟେ ଗୋଟେ ମୁନିଆ ତୀର ଛୁଟି ଆସୁଥିବା ପରି ଅନୁଭବ ହୁଏ ତାକୁ। ଛାତି ଭିତରୁ କଣ ସବୁ ଛିଣ୍ଡି ପଡୁଥାଏ ଯେମିତି। 

କୁନି ଉପରେ ଭୀଷଣ ରାଗରେ ତା ହାତ ଦି’ଟା ମୁଠା ମୁଠା ହୋଇଯାଏ। ହେଲେ ସେ କିଛି କରିପାରେନା। କେବଳ ମୁଣ୍ଡ ତଳକୁ ପୋତି ଗାଁ ଦାଣ୍ଡ ସେତକ ପାର ହୋଇଯାଏ। କେହି ଦାଣ୍ଡରେ ନଥାନ୍ତୁ ବୋଲି ଭଗବାନଙ୍କୁ ଗୁହାରି କରୁଥାଏ। ହେଲେ ସେମିତି କଣ ହୁଏ! କେଉଁ ଗୋଟେ ପିଣ୍ଡା ଉପରୁ ଚିହ୍ନା ଭାଉଜ ଜଣେ ଉଙ୍କି ମାରି ଚାହିଁ ହସିଦିଏ ତ କିଏ ଗାଡିରେ ସରର କିନା ଚାଲିଯାଇ ପଛକୁ ମୁହଁ ବୁଲେଇ ତା ଆଡକୁ କଟାକ୍ଷ ଚାହାଣୀରେ ଚାହେଁ। ସେତେବେଳେ ପଦିଆ ଅଦ୍ଭୁତ ଲଙ୍ଗଳା ହୋଇଯାଏ ଗାଁ ଦାଣ୍ଡରେ। ଲଜ୍ଜାରେ ମିଳେଇ ଯାଏ ସେ ବରଫ ପରି। 

ଅସହାୟ ହୋଇ ପଦିଆ ଚଟ୍ କରି ପସିଯାଏ ତାଙ୍କ ନୂଆଣିଆ ଚାଳ ଘର ଭିତରକୁ। ଘର ପଛପଟେ ଖତେଇ ହେଉଥାଏ ତିନି ବର୍ଷ ହେବ ଛାତ ପଡି ପାରିନଥିବା ଅଧା ଇନ୍ଦିରା ଆବାସ। ପଦିଆର ସବୁ ଭୋକ ମରିଯାଇଥାଏ ଦାଣ୍ଡରୁ ମିଳିଥିବା ଟାହି ଟାପରାରେ। କେବଳ ଯାହା ପାଣି ଗ୍ଲାସ ପିଏ ସେ।

ପଦିଆ ମହାନ୍ତିର ସାନ ଭଉଣୀ କୁନି କାହା ସାଙ୍ଗରେ ପଳେଇଗଲା। ଏକଥା ଜମା ହଜମ ହୁଏନି ପଦିଆକୁ। ହେଲେ ସତ ଟା ତ ସତ, ପଦିଆର ହଜମ ହେଉ କି ନହେଉ। 

ପଦିଆ ଓ ତା ବାପା ମା’ର ସବୁ ରାଗ ଘୃଣା ଅଜାଡି ହୋଇପଡେ କୁନି ଉପରେ। ପ୍ରକୃତରେ କୁନି ନାମକ ନା ଟି ଉପରେ। କାରଣ କୁନି ଆଉ ଅଛି କି ଶୁଣିବ! ସେ ତ ଉଡିଯାଇଛି ତା ନିଜ ଇଚ୍ଛାରେ। କୁଆଡେ ଯାଇଛି କାହା ସହ ଯାଇଛି କେହି ଜାଣି ନାହାନ୍ତି। କିଏ କହୁଛି ଆର ଗାଁ’ରେ ଭଡା ନେଇଥିବା ରାଜମିସ୍ତ୍ରୀ ସହ ଚାଲିଯାଇଛି ତ କିଏ କହୁଛି ପଡିଶା ଗାଁ’ର ଗୋଟେ ଟୋକା ସହିତ ଚେନ୍ନାଇ ଚାଲିଯାଇଛି।

କୁନି ଗଲା ଦିନ ଠୁ ତା ବୋଉ କେବଳ ମନେମନେ ସମ୍ପାକଟା କରିଚାଲିଛି। ଯୋଗିନୀଖାଇଟା ମଲାନି କାହିଁକି! ବଞ୍ଚିକରି ଥିଲା ଆମ ମୁହଁ କଳା କରିବାକୁ। ବାପା ଏକବାରେ ନୀରବ। ପଦିଆ ତ ରକ୍ତ ଚାଉଳ ଚୋବୋଉଛି କୁନି ଉପରେ। 

******

ସମସ୍ତେ କୁନି ଉପରେ ରାଗୁଛନ୍ତି, କୁନିକୁ ନିନ୍ଦା କରୁଛନ୍ତି ନିଜ ନିଜ ଦୃଷ୍ଟିଭଙ୍ଗୀରେ। ନିଜ ନିଜ ଲେନ୍ସେରେ। 

ହେଲେ କୁନିର ଦୃଷ୍ଟିଭଙ୍ଗୀକୁ କିଏ ବା ଦେଖିପାରୁଛି? କୁନି କଥାକୁ କିଏ ବା ବୁଝିପାରୁଛି? କୁନି କଥାକୁ କେବଳ କୁନି ହିଁ ଜାଣେ। 

ପଚିଶ୍ ପୁରି ଛବିଶ୍ ଚାଲୁଥିଲା କୁନିକୁ। ଯଉତୁକ ବାବଦର ଦାବୀକୁ ପୂରଣ କରିବାର ବାପାଙ୍କର ଅସମର୍ଥତା ପାଇଁ ସାତ ଆଠ ଟା ବାହାଘର ଭାଙ୍ଗିସାରିଥିଲା ତାର। ଭାଇଟା ତ ବି.ଏ. ପାସ୍ କରିସାରିବା ପରେ ତୁଛା ବେକାର ହୋଇ ବୁଲୁଛି। ମୂଲ ମଜୁରୀ ଲାଗି ଯଉତୁକ ବଜାରରେ ବର ଟାଏ ଯୋଗାଡ କରିପାରିବାର ବାପାର ସାମର୍ଥ୍ୟ କେତେ, ବୁଝିସାରିଥିଲା କୁନି କେଉଁ କାଳୁ। ତା ସାଙ୍ଗର ଝିଅମାନେ ବାହାସାହା ହୋଇ ବାପ ଘରକୁ ଆସୁଥିଲେ। କୁନି ସବୁ ଦେଖୁଥିଲା ଓ ନିଜ ଅବସ୍ଥାକୁ ବାସ୍ତବତାର ନିକିତିରେ ତଉଲୁଥିଲା। ସେ ତ ଆଉ ଛୋଟ ପିଲା ହୋଇ ନଥିଲା। ସେ ସବୁ ବୁଝି ପାରୁଥିଲା। 

ନିଜ ବ୍ୟବସ୍ଥା ହିଁ ନିଜକୁ କରିବାକୁ ହେବ, ଏକଥା ତାକୁ ଜାଣିବାକୁ ଆଉ ବାକି ନଥିଲା। ମୂଲିଆ ବାପା ଓ ବେକାରୀ ଭାଇଙ୍କ ଉପରେ ସେ କେତେକାଳ ଆଉ ବୋଝ ହୋଇଥାନ୍ତା! ବାପା ଭାଇଙ୍କ ନଇଁ ଯାଉଥିବା କାନ୍ଧକୁ ଅନେକ ଥର ପରଖିବା ପରେ ସେ ଆଉ ତା ଉପରେ ବସିଥାନ୍ତା କେଉଁ ଆଶାରେ! ତେଣୁ ସେ ଘରୁ ଗୋଡ କାଢିଲା। କୁନି ପଳେଇଗଲା। ସେ ନଥିବା ବେଳେ ତାକୁ ଯେତେ ଯିଏ ଫଜିଲ କୁହନ୍ତୁ କି ଚରିତ୍ରହୀନା କୁହନ୍ତୁ ତାର ସେଥିରେ ଯାଏ ଆସେ କେତେ। ସମସ୍ତେ ତ ବଞ୍ଚିବା ପାଇଁ ଏଠି ଜୁଆ ଖେଳୁଛନ୍ତି। ସେ ବି ଜୀବନ ସହିତ ଜୂଆ ଖେଳିଲା। ଜିତିଲେ ଜିତିବ, ହାରିଲେ ହରିବ। ବାପା ଭାଇ ତାକୁ ଆଉ କେଉଁ ଥିଲା ଥୋଇଲ ଘରେ ବାହା ଦେଇଥାନ୍ତେ କି! ଶେଷ ଦି’ଟା ପ୍ରସ୍ତାବ ତ ଦୋଭେଇରେ ଆସିଥିଲା। 

ନଇଁ ଯାଉଥିବା ଗୋଟେ ଡାଳରେ ନବସି ସେଥିରୁ ଡେଇଁ ଆଉ କେଉଁଠିକୁ ଚାଲିଗଲେ କ୍ଷତି କଣ? ଏଥିରେ ବା ଗଛର ମନ ଦୁଃଖ ହେବ କାହିଁକି? ତେଣୁ ନିଜ ପାଖରେ ଥିବା ଏକମାତ୍ର ସମ୍ପତ୍ତିକୁ ବାଜି ଲଗେଇ କୁନି ଜୂଆ ଖେଳିଥିଲା। ଫସି ଗଲା ଗୋଟେ ଟୋକା। ବାସ, ପାର ହୋଇଗଲା କୁନି।

ନିଜକୁ ଘର କୋଣରେ ଲୁଚେଇ ମାଡିମକଚି ହୋଇ ପଡି ରହିଥିଲେ ତାକୁ କେଉଁ ସତୀତ୍ଵର ମେଡାଲ ମିଳିଥାନ୍ତା କି! କେଉଁ ବର ମାନଙ୍କର ଲଂବା ଲାଇନ ଲାଗିଥାନ୍ତା କି ତା ପାଇଁ! 

ଏବେ ଯେଉଁମାନେ କୁନି ପଳେଇଲା ବୋଲି ଚାତର ଦେଖେଇ ଇଜ୍ଜତ ମହତର ଦ୍ଵାହି ଦେଉଛନ୍ତି, ସେଇମାନେ ବା ତା ବାପ ବଯସର ହୋଇ ବି ତାକୁ ଖାଇଗଲା ପରି ଚାହିଁ ରହନ୍ତି। କଥା କହୁଥିବେ ଗୋଟେ ପଟେ ଆଖି ଥିବା କୁନିର ବଢିଲା ଛାତି ଉପରେ। ଛି.. ଅନେକ ଥର ତ କାନ୍ଦ ଲାଗିଛି କୁନିକୁ। କହିପାରେନି କି ସହିପାରେନୀ। ଗରିବ ଝିଅଙ୍କ ଇଜ୍ଜତ ଅନାବାଦୀ ପୋଖରୀର ମାଛ ପରି। ଯିଏ ଯେତେବେଳେ ପାରିବ ଧରି ନେଇ ପାରିବ।

ତେଣୁ କୁନି କଣ ଭୁଲ କରିଛି କି! ସେ ସାରା ଜୀବନ କାନ୍ଦି କାନ୍ଦି ନରହିବା ପାଇଁ ନିଷ୍ପତ୍ତି ନେଲା। ଘରେ ପଡିରହିଥିଲେ ଆଉ ଅଧିକଟା କଣ ହୋଇଥାନ୍ତା କି! ଆଉ ଦୁଇ ତିନି ବର୍ଷ ପରେ ସେଇ ଗାଁ ମାଇପେ ମାନେ ତାକୁ ଦେଖେଇ ଶିଖେଇ କହିଥାନ୍ତେ। ନହେଲେ ବାପା କେଉଁ ଦୋଭେଇ କି ମଦୁଆ ହାତରେ ଛନ୍ଦି ଦେଇଥାନ୍ତା। ଦି ଚାରି ବର୍ଷ ପରେ, ସେ କେଉଁ ଆମ୍ବ କି ଚାକୁଣ୍ଡା ଗଛରେ ଝୁଲି ପଡିଥାନ୍ତା। 

ସେମିତି ହେବାକୁ ଦେଲାନି କୁନି ଉଡିବା ପାଇଁ ଚାହିଁଲା ଓ ଉଡିଗଲା। କେଡେ ବଡବଡ ଲୋକ ଟଙ୍କା ଓ କ୍ଷମତା ପାଇଁ ପକେଇଲା ଛେପକୁ ପାଟିରେ ପୁରଉଛନ୍ତି। ମାନ ମହତକୁ ପଛ କରିଦେଉଛନ୍ତି। କୁନି ଆଉ କଣଟା ଖରାପ କଲା କି? କୁନି ତ କେବଳ ଏତିକି କହିଲା- ତୁମେ ସବୁ ପାରିବ ମୁଁ କାହିଁକି ନୁହେଁ??

******

ଚାରି ବର୍ଷ ପରେ କୁନି ଗାଁ’କୁ ଆସିଲା। ସାଙ୍ଗରେ ତାର ଗୋଟେ ଗୁଲୁଗୁଲିଆ ଛୁଆ ବି ଥିଲା। ଜୁଆଇଁ ପାଇଁ ଟିକେ ମାଛ ତରକାରୀ କରିବା ପାଇଁ ତା ବାପା ଜାଲ ନେଇ ନଈକୁ ଯାଇଥିଲା।

କୁନି ପଳେଇଗଲା ବାପା ଗାଁ

Rate the content


Originality
Flow
Language
Cover design

Comments

Post

Some text some message..