Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

T.Durga Prasad Rao

Inspirational

4.8  

T.Durga Prasad Rao

Inspirational

ସାୟାହ୍ନର ସୂର୍ଯ୍ୟୋଦୟ

ସାୟାହ୍ନର ସୂର୍ଯ୍ୟୋଦୟ

3 mins
15.1K


ଅପରାହ୍ନ ଚାରିଟା । ଆଜି ପାଗ ଭାରି ବଢ଼ିଆ ହେଇଛି । ଶରତ ଆକାଶରେ କେଉଁଠି କେମିତି ପତଳା ଧୋବ ଧୋବ ବାଦଲ ସୂର୍ଯ୍ୟ ସହିତ ଲୁଚକାଳି ଖେଳୁଛି । ଆଉ ପୃଥିବୀ ପୃଷ୍ଠରେ ଖରା ଓ ଛାଇର ପ୍ରତିଯୋଗୀତା ଲାଗି ରହିଛି ସକାଳ ପ୍ରହରୁ । ଡିଲୁ ତାର ବାଇକ୍ ନେଇ ବାହାରି ପଡ଼ିଲା ସୋମେଶ ଘର ଅଭିମୁଖେ । ଚାରି ସାଙ୍ଗ ମିଶି ଆଜି ପ୍ରୋଗ୍ରାମ କରିଛନ୍ତି ନିକଟସ୍ଥ ଜଳ ପ୍ରପାତ ଦେଖିଯିବା ପାଇଁ । ଡିଲୁ, ସୋମେଶ, ରଞ୍ଜନ ଓ ଶରତ । ଚାରି ଜଣଙ୍କର ଭାରି ଦୋସ୍ତି । ଗୋଟିଏ କଲେଜରେ ପଢ଼ନ୍ତି ଏକା ବିଷୟରେ । ପାଠ କମ୍, ନଖରାମି ଓ ବାତରାମିରେ ସବୁବେଳେ ଆଗୁଆ । ପ୍ରାୟ ସମୟ କଲେଜରେ ଅନୁପସ୍ଥିତ ରହନ୍ତି । ଆଜି ଝରଣା ଦେଖା ତ କାଲି ପାହାଡ଼ ଚଢ଼ା । ଏମିତିରେ ବିତିଯାଏ ତାଙ୍କର ବର୍ଷର ଅର୍ଦ୍ଧାଧିକ ଦିନ । ଯେଉଁଦିନ କଲେଜ ଯାଆନ୍ତି, ସେଦିନ ନିଶ୍ଚୟ କିଛି ନା କିଛି ଝଗଡ଼ା ଥିବ । କୋଉ ଝିଅକୁ କମେଣ୍ଟ୍ କରି ସିଧା ସଳଖ ଉତ୍ତମ ମଧ୍ୟମ ପାଇଛନ୍ତି ତ ଆଉ କେଉଁଦିନ ବ୍ଳାକ୍.ବୋର୍ଡ୍.ରେ କିଛି ଓଲଟା ସିଧା ଲେଖି ଅଧ୍ୟାପକଙ୍କୁ ଅପମାନିତ କରିବାକୁ ଚେଷ୍ଟା କରି ନିଜେ ପନିସ୍ ହେଇଛନ୍ତି । ଯାହା କଲେ ବି ବର୍ଷ ଶେଷରେ ପାସ୍ ମାର୍କଟି କିନ୍ତୁ ଯେନତେନ ପ୍ରକାରେ ହୋଇଯାଏ । ଆଉ ସେମାନଙ୍କର ଦୋସ୍ତିକୁ ଆଉ ଗୋଟିଏ ବର୍ଷ ସୁଯୋଗ ମିଳିଯାଏ ସେଇ କଲେଜ୍ ରେ ରହି ।

ସୋମେଶ ଓ ଡିଲୁ ତୁରିଆ ଚାରିଛକରେ ପହଞ୍ଚିଲା ବେଳକୁ ବାକି ଦୁଇ ସାଙ୍ଗ ବି ସେଇଠି ପହଞ୍ଚି ସାରି ଛକର ବଡ଼ ଗୋଟିଏ ଚନ୍ଦିନୀକରା ବରଗଛ ମୂଳରେ ବସିଥାନ୍ତି । ଏମାନଙ୍କୁ ଦେଖି ରଞ୍ଜନ ଓ ଶରତ ବି ବାଇକ୍ ଷ୍ଟାର୍ଟ କଲେ । ଦୁଇଟି ବାଇକ୍ ରେ ଚାରି ସାଙ୍ଗ ନାନା ଖୁସି ଗପ ଜମାଇ ଚାଲିଥାନ୍ତି ଆଗକୁ । ତାଙ୍କର ଗନ୍ତବ୍ୟ ସ୍ଥଳ ସେଠାରୁ ଥିଲା ମାତ୍ର କୋଡ଼ିଏ କିଲୋମିଟର । ବାଇକ୍ ଚଳାଇବାରେ ବି ପ୍ରତିଯୋଗୀତା ଜମାଣିଆ । ପବନ ବେଗରେ ଛୁଟୁଥିଲା ବାଇକ୍ ଦୁଇଟି, ସତେ ଯେମିତି ବାଇକ୍ ନୁହଁ ମନପବନ ଯାନ । ଜଳପ୍ରପାତ ନିକଟରେ ପହଞ୍ଚିବାକୁ ତାଙ୍କୁ ଲାଗିଥିଲା ମାତ୍ର କୋଡ଼ିଏ ମିନିଟ୍ । ସୁରୁଲୁ ଜଳପ୍ରପାତର କୁଳୁକୁଳୁ ଧାରାରେ ଆଠଟି ଆଖି ହଜିଗଲା କିଛି କ୍ଷଣ ପାଇଁ । ପ୍ରକୃତିର ନୈସର୍ଗିକ ଶୋଭା ସମ୍ଭାରରେ ସେମାନଙ୍କ ମନ ଓ ହୃଦୟ ତନ୍ମୟ ହୋଇ ଉଠିଲା । ଆଃ କି ପ୍ରଶାନ୍ତି! ସହରର କୃତ୍ରିମ ସାଜସଜ୍ଜା ପ୍ରକୃତିର ସ୍ଵତଃ ସୃଷ୍ଟ ବର୍ଣ୍ଣାଢ୍ୟ ଆଡ଼ମ୍ବର ଆଗରେ ଭାରି ଫିକା । ଚାରି ସାଙ୍ଗ ବିଭିନ୍ନ ପୋଜରେ ସେମାନଙ୍କର ଫଟୋ ଚିତ୍ର ଉତ୍ତୋଳନ କଲେ । ପ୍ରକୃତିର ସେଇ ବିରାଟକାୟ ମନୋମୁଗ୍ଧକର ନିରୋଳା ପରିବେଶକୁ ଡିଜିଟାଲ୍ ଟେକ୍ନୋଲୋଜି ସାହାଯ୍ୟରେ ଯେ ଯା ମୋବାଇଲ୍ ରେ ସୁକ୍ଷ୍ମ ରୂପରେ ବାନ୍ଧି ପକାଇଲେ । ଚାରି ସାଙ୍ଗଙ୍କର ଆଉ ଏକ ସ୍ଵର୍ଣ୍ଣମୟ ସ୍ମୃତି ଆବଦ୍ଧ ହେଇଗଲା ମୋବାଇଲ୍ ର ଚିପ୍ ରେ, ତା ସହିତ ସେମାନଙ୍କ ମଧୁର ମାନସ ପଟ୍ଟରେ ମଧ୍ୟ । ସୂର୍ଯ୍ୟ ଅସ୍ତ ହେଲେ ଦୂର ପାହାଡ଼ର ଆଢ଼ୁଆଳରେ । ଚାରିସାଙ୍ଗ ବ୍ୟସ୍ତ ହେଲେ ଫେରିବା ପାଇଁ ।

ବାଟରେ ଗୋଟିଏ ଗାଁର ଶେଷ ମୁଣ୍ଡରେ ପାନ ଦୋକାନଟିଏ ଦେଖି ବାଇକ୍ ଅଟକାଇଲା ଡିଲୁ । ତା ପଛରେ ରଞ୍ଜନ ଓ ଶରତ ବି ବାଇକ୍ ରଖି ଓହ୍ଲାଇ ପଡ଼ିଲେ । ସିଗାରେଟ୍ ପ୍ୟାକେଟ୍ ଓ ଡିଆସିଲିଟିଏ ମାଗି ଆଣିଲା ଡିଲୁ । ସୋମେଶ ପୁଡ଼ିଆ ଚାରିଟା ଛିଣ୍ଡାଇ ଆଣି ପକେଟ୍ ରେ ଗୁଞ୍ଜି ଦେଲା । ଶରତ ପକେଟ୍ ରୁ ପଇସା ବାହାର କରି ବଢ଼ାଇ ଦେଲା ଦୋକାନୀକୁ । ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ମାଡ଼ି ଆସିଲାଣି । ପରିଚିତ କେହି ଦେଖିଲେ ବି ତାଙ୍କୁ ଆଉ ଚିହ୍ନିପାରିବେ ନାହିଁ । ଆଗରେ ଗୋଟିଏ ପରିତ୍ୟକ୍ତ ଗୃହଟିଏ ନଜରରେ ପଡ଼ିଲା । ତାର ବାରଣ୍ଡାର ସାମ୍ନା ପଟ ଅନୁଚ୍ଚ କାନ୍ଥଟିଏ ଘେରି ରହିଛି । ଚାରିସାଙ୍ଗ ଟିକିଏ ଡେଇଁ ପଡ଼ି କାନ୍ଥଧାରରେ ବସି ପଡ଼ି ଜଣେ ପରେ ଜଣେ ସିଗାରେଟ୍ ରେ ନିଆଁ ଧରାଇଲେ । ସେଥିରେ ବି ଚାଲିଲା ତାଙ୍କ ଭିତରେ ପ୍ରତିଯୋଗୀତା । କିଏ ସିଗାରେଟ୍ ରେ ଖୁବ୍ ଜୋର୍ ରେ ଦମ୍ ମାରି ଭକ୍ ଭକ୍ କରି ଧୂଆଁ ଛାଡ଼ିଲା ତ କିଏ ଧୂଆଁକୁ କୁଣ୍ଡଳାକାରରେ ଛାଡ଼ି ବାୟୁମଣ୍ଡଳ ଦୁଷିତ କଲା । ରଞ୍ଜନ କହିଲା - ଦେଖ୍, ଦେଖ୍ ତୁ ଏମିତି ଧୂଆଁରେ ଆକୃତିଟିଏ ତିଆରି କରିପାରିବୁ? ଶରତ ମୁହଁଟାକୁ ଦୁଇ ଥର ତଳ ଉପର କରି କହିଲା - ଆକୃତି! ଦେଖ୍ ମୁଁ ସେ ଜିରୋ ସାଇଜ୍ ସେଲିନାର କେମିତି ଛବି ଆଙ୍କୁଛି । ଡିଲୁ ତଳକୁ ଡେଇଁ ପଡ଼ି ଶରତର ମୁହଁ ଆଡେ଼ ଧୂଆଁ ଛାଡ଼ି ଛିଗୁଲେଇ କହିଲା- ସେଇଟା ସେଲିନା ନା ସେଇ କାଳି ମୋଟି ଝିଅ ମଳିନା ବେ! ସୋମେଶ ଖେଁ ଖେଁ କରି ହସି ପକାଇଲା ।

ବାରଣ୍ଡା ଭିତରୁ କାହାର ଖୁଁ ଖୁଁ କାଶ ଶୁଭିଲା । ସ୍ଵଳ୍ପ ଅନ୍ଧାରରେ ବାରଣ୍ଡାରେ କିଏ ବୋଧେ ଶୋଇଥିଲା । ଠିକ୍ ରୂପେ ଦେଖି ପାରି ନଥିଲେ ଚାରି ବନ୍ଧୁ । ହଠାତ୍ ବୁଢ଼ୀଟିଏ ବାଙ୍କୁଲି ବାଡ଼ି ଧରି ଉହୁଁକି ଆସିଲା ଏମାନଙ୍କ ଆଡ଼କୁ । ଏମାନଙ୍କ ସିଗାରେଟ୍ ଧୂଆଁରେ ବୋଧେ ଅଣନିଶ୍ୱାସୀ ହୋଇଯାଇଥିଲା ବିଚାରି ବୁଢ଼ୀଟି ।

- ଛତରା, ବାଡ଼ିପୋଡ଼ା, ରଇଜଳା ଘରଟାକୁ ଧୂଆଁରେ ଭର୍ତ୍ତି କରି ସାରିଲେଣି । ଯାଉନ ଅଳପେଇସେ ତମ ମା, ଭଉଣୀ ଆଗରେ ଧୂଆଁ ଛାଡ଼ିବ । ନିଲଠା ନିଜେ ତ ମରିବ, ଏ ମର୍ତ୍ତ୍ୟରେ ଆଉ କାହାକୁ ମିଶା ବଞ୍ଚିବାକୁ ଦବ ନାହିଁ । ମରିବାକୁ ଏତେ ଯଦି ତରତର ଯାଉନ ନିର୍ଲ୍ଲଜ ଦେଶ ପାଇଁ ମରିବ । ଅନ୍ତତଃ ତମ ବାପା ମା ମାନେ ଗର୍ବରେ କହିବେ ମୋ ପୁଅ ଦେଶ ପାଇଁ ଶହୀଦ ହେଇଗଲା... ।

ଆଉ କି ସେଠାରେ ଅଛନ୍ତି ଚାରି ବନ୍ଧୁ । ଅଧାପୋଡ଼ା ସିଗାରେଟ୍, ଡିଆସିଲି, ପୁଡ଼ିଆ ସବୁତକ ସେଇଠି ଫୋପାଡ଼ି ଦେଇ ବାଇକ୍ ଷ୍ଟାର୍ଟ୍ କରି ଅତି ଦୃତ ଗତିରେ ପଳାୟନ କଲେ । ତେବେ ମଝି ରାସ୍ତାରେ ବୁଢ଼ୀର କଥା ତାଙ୍କ ହୃଦୟରେ ହାତୁଡ଼ି ପରି ପିଟି ହେଉଥିଲା- ... ଯାଉନ ନିର୍ଲ୍ଲଜ ଦେଶ ପାଇଁ ମରିବ... ।


Rate this content
Log in

Similar oriya story from Inspirational