Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dr Subas Chandra Rout

Others

3  

Dr Subas Chandra Rout

Others

ନିନ୍ଦୁକ ପାଖରେ ରଖନ୍ତୁ

ନିନ୍ଦୁକ ପାଖରେ ରଖନ୍ତୁ

11 mins
14.8K


ବିବାହ ଉତ୍ସବରେ ଯୋଗ ଦେଇସାରି ଫେରୁଥାଉ । ମୋ ସାଥୀରେ ମୋ ବଡ଼ ଭାଇ, ସେହି ଭାଇଙ୍କର ବଡ଼ ଭାଇର ସ୍ତ୍ରୀ(ଭାଉଜ) ଓ ତାଙ୍କ ବୋହୁ ଥିଲେ । ଦିନ ତିନିଟାରେ କାର୍ ଛାଡ଼ିଲା । ଖରା ତେଜ କମି କମି ଆସୁଥାଏ । କାର୍ ଚାଲିଲା ବେଳେ ସୁଲୁ ସୁଲୁ ପବନ ବୋହୁଥିଲା । ଝରକା ବାହାରକୁ ଅନେଇଲେ ଦେଖାଯାଉଥିଲା ସବୁଜ କ୍ଷେତ । ଧାନ ଗଛ ସବୁ ଆମକୁ ମୁଣ୍ଡ ହଲେଇ ଟା ଟା କରି ବିଦାୟ ଦେଉଥିଲେ । ରାସ୍ତାଟି ଖାଲ ଖମାରେ ପରିପୂର୍ଣ୍ଣ । ଗାଡ଼ି ରହି ରହି ଉଠୁଥାଏ ପଡ଼ୁଥାଏ । ମଝିରେ ମଝିରେ ମୁଁ କହୁଥାଏ, “ଏ ଡ୍ରାଇଭର ଭାଇ, ଟିକେ ଧୀରେ ଦେଖି କରି ଚଲାଅ । ଏ ଯୋଉ ଆକାରର ଖାଲ ହେଇଛି ନା, ଥରେ ଏଥିରେ ଗାଡ଼ି କଚିହେଲେ ଅଣ୍ଟା ଭାଙ୍ଗିଯିବ” ।

ଆମେ ତିନି ଭାଇ ନିଜ ନିଜ ପରିବାର ସହ ବିଭିନ୍ନ ଜାଗାରେ ବାସ କରୁଥିଲୁ । ଏହିଭଳି ଏକାଠି ହେବା ସୌଭାଗ୍ୟ ଖୁବ୍ କମ୍ ଜୁଟୁଥାଏ । ଏଣେ ବାହାଘରରେ ନୂଆ ପୁରୁଣା ଲୋକଙ୍କ ସାଥୀରେ ଦେଖା ସାକ୍ଷାତ ହେଲା । ପୂର୍ବ ରାତିର ଭୋଜିର ଖାଦ୍ୟ ଅତି ସ୍ୱାଦିଷ୍ଟ ହୋଇଥିଲା । ବହୁତ ଖୁସି ଲାଗୁଥିଲା । ଅଣଓସାରିଆ ରାସ୍ତା ଯୋଗୁ କାରକୁ ଅଧିକାଂଶ ସମୟରେ ଅନ୍ୟ ଯାନ ଗୁଡ଼ିକୁ କଟେଇ ନେବାକୁ ହେଉଥିଲା । ଲମ୍ବା ରାସ୍ତା । ଅନେକ ସମୟ ବିତି ଗଲାଣି । ବିରକ୍ତ ଲାଗିଲାଣି । ଅହୁରି ତିନି ଚାରି ଘଣ୍ଟା ଲାଗିବ ନିଜ ଘରେ ପହଞ୍ଚିବାକୁ । ଆହୁରି କେତେ ବର୍ଷ ବା କେତେ ଶତାବ୍ଦୀ ବିତିଯିବ, ଅନ୍ୟ ବିକଶିତ ଦେଶର ରାସ୍ତା ଭଳି ଆମ ରାସ୍ତା ହେବ !

ଭାଇଙ୍କ କଥା କହିବା ଶୈଳୀ ବହୁତ ସୁନ୍ଦର । ଓଜନଦାର ସ୍ୱର । ସେ କଥା କହିଲା ବେଳେ ଶ୍ରୋତାମାନେ ମନ୍ତ୍ର ମୁଗ୍ଧ ହୋଇ କଥା ଶୁଣନ୍ତି । ନୀରବତା ଭଙ୍ଗ କରି ସେ ଗପିବାକୁ ଆରମ୍ଭ କଲେ । “ସାରା ଭାରତ ମୁଁ ବୁଲିଛି । ଆମେରିକା ଯାଇଥିଲି ସରକାରୀ କାମରେ । ନ୍ୟୁୟର୍କ, ଓ୍ୟାସିଙ୍ଗଟନ୍ ଆଦି ସହର ସବୁ ବୁଲିଛି । ମୋ ଜୀବନରେ କେତେ କଅଣ ଦେଖିଛି, ତୁମେ ସେ ସବୁ ଚିନ୍ତା କରି ପାରିବ ନାହିଁ । ବିରାଟ ବିରାଟ କୋଠା ସବୁ ବିଦେଶରେ ଦେଖିଛି । ଷାଠିଏ, ସତୁରି, ଶହେ ମହଲା ଘର ସବୁ ଠିଆ ହୋଇଛି । ରାସ୍ତା ଘାଟ ପରିଷ୍କାର ପରିଚ୍ଛନ୍ନ । ଆମ ଦେଶରେ ସେ ଭଳି ରାସ୍ତା କାହିଁ ନା କୋଠା କାହିଁ ”?

ମୋର ମନେ ପଡିଗଲା ପିଲା ଦିନ କଥା । ଭାଇ ସେତେବେଳେ କଟକରେ ରେଭେନ୍ସା କଲେଜର ହଷ୍ଟେଲରେ ରହି ପଢୁଥିଲେ । ଛୁଟିରେ ଘରକୁ ଆସିଲେ କହନ୍ତି, “ଜାଣିଛ, କଟକ ସହର ଧବଳ ଟଗର । କେତେ ସୁନ୍ଦର ସୁନ୍ଦର କୋଠା ସବୁ ଅଛି, ଦେଖିଲେ ଆଖି ଖୋସି ହୋଇଯିବ । ସଂସାରରେ ଯେତେ ପ୍ରକାର ଖାଦ୍ୟ ଅଛି, ସେ ସବୁ ମୁଁ ଖାଇ ସାରିଛି । କିଛି ବାକି ନାହିଁ । ଓମ୍ଲେଟ୍, କଟ୍ ଲେଟ୍ ଆଦି କେତେ କଅଣ ଖାଇ ସାରିଲିଣି” । ଆମେ ସେତେବେଳେ ଆଁ କରି ତାଙ୍କ କଥା ଶୁଣୁଥାଉ । ସେତେବେଳେ ଆମେ ଜାଣି ନ ଥିଲୁ, ଅଣ୍ଡା ଭଜାକୁ ଇଂରାଜୀରେ ଓମଲେଟ କହନ୍ତି । ଟିକିଏ ବଡ଼ ହେଲାପରେ ଜାଣିଲୁ । ଘରେ କୁକୁଡ଼ା ପାଳିଥିଲୁ । ଏଣୁ ଅଣ୍ଡା ଭଜା ବା ଓମଲେଟ ନିୟମିତ ଭାବରେ ଖିଆ ହେଉଥିଲା । ଭାଇ ଏଇମିତି ସାଧାରଣ କଥାକୁ ବଢେ଼ଇ ଚଢେ଼ଇ କରି କହନ୍ତି । ଆମେ ବଡ଼ ହେଲା ପରେ ଏହି ଅଭ୍ୟାସ ସହ ପରିଚିତ ହେଲୁ, କିନ୍ତୁ ତା ପୂର୍ବରୁ ଜାଣି ନ ଥିଲୁ । ଏଇଟା ତାଙ୍କର ଗୋଟାଏ ପୁରୁଣା ଅଭ୍ୟାସ ।

ଭାଇ କହିବାକୁ ଲାଗିଲେ । “ହେଇ ଦେଖ, ଏଠି ଗୋଟେ ମନ୍ଦିର ଦେଖାଯାଉଛି । ଏଟା କି ମନ୍ଦିର ମ ! ସାରା ଭାରତ ବୁଲିଛି । ମୁଁ କେତେ ଉଚ୍ଚ ଉଚ୍ଚ ମନ୍ଦିର ଦେଖିଛି । ଆକାଶକୁ ଛୁଇଁଲା ଭଳି ଦେଖାଯାଏ । ବିଶାଳ ମନ୍ଦିର ସବୁ । ଜାଣିଛ, ଏ ମନ୍ଦିର ଭିତରେ ଶିବ ଲିଙ୍ଗ ଅଛନ୍ତି । ମନ୍ଦିର ଚୂଡ଼ାକୁ ଦେଖିଲେ କେଉଁ ଠାକୁରଙ୍କ ମନ୍ଦିର ଜାଣି ହେବ । ଚକ୍ର ଅଛି ତ ବିଷ୍ଣୁ ମନ୍ଦିର, ତ୍ରିଶୂଳ ଥିଲେ ଶିବ ମନ୍ଦିର । କେଜାଣି କେଉଁ ଯୁଗରୁ ଏ ଲିଙ୍ଗ ପୂଜା ଭାରତରେ ଚାଲିଛି । ତୁମେ ବୋଧହୁଏ ଜାଣିନ, କାମାକ୍ଷା ମନ୍ଦିରରେ ଯୋନି ପୂଜା ହୁଏ । ବିଦେଶୀମାନେ ଏ ଲିଙ୍ଗ ଓ ଯୋନି ପୂଜା ଦେଖି ହସନ୍ତି । କହନ୍ତି, ଭାରତୀୟ ମାନେ ସେହି ଆଦିମ ଯୁଗରେ ଏବେ ଯାଏ ଅଛନ୍ତି । ଅବଶ୍ୟ ଆମର ମନ୍ଦିରମାନଙ୍କର କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି” ।

କାର୍‌ର ଦର୍ପଣରେ ଦେଖିଲି ବୋହୁଟି ଲାଜେଇ ଯାଉଛି । ଭାଉଜ ଲାଜେଇ ମୁରୁକି ହସା ଦେଉଛନ୍ତି । ମୋତେ ଖରାପ ଲାଗିଲା । ପାଖରେ ଅଳ୍ପ ବୟସର ବୋହୁ ଅଛି । ଖୁଡ଼ୁତାଶୁର ହୋଇ ବୋହୂ ଆଗରେ ଏମିତି କଥା କଅଣ କହିବା କଥା ! କଅଣ କହିବି, ବଡ଼ ଭାଇ ସେ । ଏମିତି କଥା ଯଦି ମୁଁ କହିଥାନ୍ତି, ତେବେ ନିଶ୍ଚୟ ଅଭଦ୍ର ବୋଲି ଶୋଧା ଖାଇଥାନ୍ତି । କହିଥାନ୍ତେ, “ୟାର ଥାନ ଅଥାନ ଜ୍ଞାନ ନାହିଁ । ନ ଭାବି ନ ଚିନ୍ତି କଥା କହୁଛି” । ଆମ ଭାରତୀୟ ପରମ୍ପରାରେ ବଡ଼ ଭାଇ ପିତା ସମାନ । ସେ ଯେତେ ଅଶିଷ୍ଟ କଥା କହିଲେ ମଧ୍ୟ ବାଧା ଦେବା କଥା ନୁହେଁ । ବାଧା ଦେଇଥିଲେ ମଧ୍ୟ ଅଭଦ୍ରାମି ହୋଇ ଥାଆନ୍ତା । ବେଳେବେଳେ ଏମିତି ସମୟ ଆସେ, ଚୁପ ରହିବାକୁ ମଣିଷ ବାଧ୍ୟ ହୁଏ ।

ଭାଇ ରିଟାୟାର୍ କରିବା ପରେ ଛଅ ବର୍ଷ ବିତିଲାଣି । ଭାଇ ବଡ଼ ଅଫିସର ହୋଇ ଚାକିରି କରୁଥିଲେ । ସରକାରୀ କଳରେ ଉଚ୍ଚ ପଦବୀରେ ରହି ଚାକିରି କଲେ ଅଧିକାଂଶ ବ୍ୟକ୍ତି ଧରାକୁ ସରା ମନେ କରନ୍ତି । ଅଫିସରେ ଉଚ୍ଚ ପଦସ୍ଥ ଅଫିସର୍ ଯାହା କହିଲେ କେହି ବାଧା ଦେବାକୁ ନ ଥାଏ । ନିମ୍ନ ପଦସ୍ଥ କର୍ମଚାରୀମାନଙ୍କର ଶିକ୍ଷା ଦୀକ୍ଷାରେ କମ୍ ଥାଆନ୍ତି । ଅନୁଭୂତି ମଧ୍ୟ କମ୍ ଥାଏ । ଭରସି କରି କିଛି କହି ପାରନ୍ତି ନାହିଁ । ମନକୁ ନ ପାଇଲା ଭଳି କିଛି କହିଲେ ଗାଳି । ତା ଛଡ଼ା ଅନେକ ଲୋକ ତେଲ ମାରିବାରେ ସିଦ୍ଧ ହସ୍ତ ଥାଆନ୍ତି । “ଆଜ୍ଞା, ଆପଣ ଯାହା କହୁଛନ୍ତି ସବୁ ଠିକ୍ । ଆପଣଙ୍କ ଭଳି ନିର୍ଭୁଲ୍ ଇଂଲିସ୍ କେହି ଜାଣି ନାହାନ୍ତି । ମୋର ଆଜ୍ଞା ଜୀବନ କାଳ ବିତି ଗଲାଣି ଏ ଅଫିସରେ । ଅନ୍ତତଃ ଏତିକି କହିବି, ଆପଣଙ୍କ ଭଳି ଭଦ୍ର ଓ ଜ୍ଞାନୀ କାହାକୁ ଦେଖି ନାହିଁ” । କହିବା ବାହୁଲ୍ୟ, ସମସ୍ତ ଉପର ଅଫିସରଙ୍କୁ ଏହି ଭଳି ସମ୍ମାନ ସେମାନେ ଜୀବନ ସାରା ଦେଇ ଆସୁଥିବେ ।

ଏ ତ ଗଲା ଅଫିସ୍ କଥା । ଘରେ ବନ୍ଧୁ, ବାନ୍ଧବ ତଥା ଚିହ୍ନା ପରିଚିତ ଯେତେକ ଲୋକ ଆଆନ୍ତି, କେହି ଏ ଭଳି ଅଫିସର୍‌ଙ୍କ କଥା ଉପରେ କଥା କହନ୍ତି ନାହିଁ, କାରଣ ଭଲ ସମ୍ପର୍କ ରଖିଥିଲେ କେତେବେଳେ ହେଲେ କାମରେ ଆସିବ । କେତେବେଳେ ଅବା ପୁଅ ଝିଅଙ୍କୁ ଅଫିସରେ ଚାକିରୀ ଖଣ୍ଡେ ଦେବେ ବା ସୁପାରିସ୍ କରି ଦେଲେ ଅନ୍ୟ କେଉଁଠି ଚାକିରିଟାଏ ମିଳିଯିବ । କେତେ ବେଳେ ଅବା ଦରକାର ପଡ଼ିଲେ କିଛି ଧାର ମାଗିଲେ ମିଳି ଯିବ । ତା ଛଡ଼ା ଅମୁକ ଅଫିସର୍ ମୋର ବନ୍ଧୁ, କହି ନିଜର ଆଭିଜାତ୍ୟ ଜାହିର କରିବା ଲୋକ ମଧ୍ୟ ବହୁତ ଅଛନ୍ତି । ଏଣୁ ମୋଟା ମୋଟି କହିବାକୁ ଗଲେ ଏ ଭଳି ପରିସ୍ଥିତିରେ ଉଚ୍ଚ ପଦବୀଧାରି ଅଫିସର୍‌ମାନେ ନିଜକୁ ସର୍ବଗୁଣସମ୍ପର୍ଣ୍ଣ, ସବୁଠାରୁ ବଡ଼ ଓ ମହାଜ୍ଞାନୀ ଭାବିବାରେ ତାଙ୍କର କୌଣସି ଦୋଷ ନାହିଁ । ବଡ଼ ଲୋକକୁ ଉତ୍ତର ନାହିଁ କି ସ୍ୱର୍ଗକୁ ନିଶୁଣି ନାହିଁ । ଭାଇ ସେହିଭଳି ଜଣେ ଅଫିସର୍ ଥିଲେ । ସେ ଯାହା କହୁଥିଲେ, ତାହାର ପ୍ରତିବାଦ କେହି କରିବା ମୁଁ ସାରା ଜୀବନରେ କେବେ ଶୁଣିନାହିଁ ।

ଭାଇ କହିବାକୁ ଲାଗିଲେ । “ତୁମେ ସବୁ ଜାଣିନ, ମୁଁ ସବୁବେଳେ କ୍ଲାସ୍‌ରେ ଫାଷ୍ଟ ହେଉଥିଲି” । ଏ କଥା ଆମେ ସାରା ଜୀବନ ଶୁଣି ଆସିଛୁ । ୟୁନିଭରସିଟି ପରୀକ୍ଷାରେ କେବେ ଫାଷ୍ଟ ହୋଇନଥିଲେ ମଧ୍ୟ ଏଭଳି ମିଛ କଥା ସବୁବେଳେ କହନ୍ତି । ଏଭଳି କହିବା ଆମ ପାଇଁ କିଛି ନୂଆ କଥା ନୁହେଁ । ମୋର ମନେ ପଡ଼ିଗଲା ‘ଶୋଲେ’ ସିନେମାର ସଂଳାପ,“ତେରା ନାମ କ୍ୟା ହାଏ ବସନ୍ତି” । ଚୁପ ରହିଲି । “ବଡ଼ କଷ୍ଟରେ ପଢ଼ୁଥିଲି । ମୋର ଲୁଗାପଟାର ମାନ ସବୁ ସାଙ୍ଗମାନଙ୍କ ଅପେକ୍ଷା ଖରାପ ଥିଲା । ସ୍କଲରଶିପ୍ ପାଉଥିଲି ବୋଲି ଚଳିଗଲି” ।

ହାଏ ! ଭାଇ ଏ ସବୁ କଅଣ କହି ଯାଉଛନ୍ତି? ମୋର ତ ସ୍ପଷ୍ଟ ମନେ ଅଛି ସେତେବେଳେ ମଖନ୍ ଜିନ୍ କପଡ଼ା ସବୁଠାରୁ ଭଲ କନାରେ ଗଣାଯାଉଥିଲା । ସେ ସେଇ କନାରେ ପ୍ୟାଣ୍ଟ ସିଲେଇ କରି ପିନ୍ଧୁଥିଲେ । କଲେଜରେ କେବଳ ଇଣ୍ଟରଭିଉ ଦେବାକୁ ଯିବା ପାଇଁ ସୁଟ୍ ସିଲେଇ ହୋଇଥିଲା । ସେତେବେଳେ କୋଟ ସିଲେଇ କରିବାକୁ ଶହେ ଟଙ୍କା ଦରଜି ନେଉଥିଲେ, ଯେତେବେଳଏ ମାଂସ ସେର(କିଲୋଠାରୁ ଅଧିକ) ଏକ ଟଙ୍କା ଆଠଣା(ପଚାଶ ପଇସା) ଥିଲା । ତା ଛଡ଼ା ଗୋଟିଏ ସୁଟ୍ କଲେଜରେ କରେଇ ଥିଲେ । ୟୁନିଫର୍ମ କୋଟ ମଧ୍ୟ କରେଇ ଥିଲେ । ବର୍ଷା ଦିନ ନିମନ୍ତେ ଗମ୍ ବୁଟ କିଣିଥିଲେ । ସେହି ପଢ଼ିବା ସମୟରେ ସାଇକେଲ ଓ କ୍ୟାମେରା ମଧ୍ୟ କିଣିଥଲେ । ଏବେ ବି ମୁଁ ବୁଝି ପାରେନି, ପଢ଼ିବା ବେଳେ ଏ ଭଳି ସଉକୁନିର ଆବଶ୍ୟକତା କଅଣ ଥିଲା । ସ୍କଲରଶିପ୍ ଏମିତି କେତେ ମିଳେ ଯେ, ସେଥିରେ ମେସ୍ ଖର୍ଚ୍ଚ ଦେଇ ସାରି କୋଟ୍ , ସୁଟ୍, କ୍ୟାମେରା ଓ ସାଇକେଲ୍ ଆଦି କିଣି ପାରୁଥିଲେ ! ମୁଁ ଜାଣିବାରେ ସ୍କଲରଶିପ୍ ପଇସାରେ କେବଳ ମେସ୍ ଖର୍ଚ୍ଚ ଓ କିଛି ଆନୁସଙ୍ଗିକ ଖର୍ଚ୍ଚ ତୁଲାଇ ହୁଏ ।

ସାଧାରଣ ମଧ୍ୟ ବର୍ଗ ପରିବାରରେ କୌଣସି ପିଲା ଉଚ୍ଚ ଶିକ୍ଷା କରିବାକୁ ଗଲେ ପରିବାର ଉପରେ କିପରି ଆର୍ଥିକ ବୋଝ ପଡ଼େ, ତାହା ଅନୁଭବୀମାନେ ଜାଣିଥିବେ । ଯେଉଁ ସମୟରେ ଭାଇ କଲେଜରେ ଥିଲେ, ସେତେବେଳେ ଆମେ ଆକ୍ଷରିକ ଅର୍ଥରେ ବାସ୍ତବ ଅନାଟନ ଭିତରେ ଗତି କରୁଥିଲୁ । କାରଣ ତାଙ୍କ ନିମନ୍ତେ ବାପାଙ୍କ ଦରମାର ଅଧା ତାଙ୍କ ପାଖକୁ ପଠା ଯାଉଥିଲା । ମାସ ସରି ଆସିଲା ସମୟରେ ବେଳେ ବେଳେ ଆମେ ଭାତ ସହ ଆମ୍ବୁଲ ଖାଉଥିଲୁ । ପରିବା କିଣିବାକୁ ପଇସା ଅଣ୍ଟେନି । ପରିବାରର କୁନି ସଦସ୍ୟମାନଙ୍କ ଚର୍ମରେ ପଦ୍ମ କଣ୍ଟା ଦେଖା ଯାଉଥିଲା । ଏହା ଭିଟାମିନ୍ ଅଭାବ ଯୋଗୁ ହେଉଥିଲା । ଘରେ ପିଲାମାନେ ଗୋଟିଏ ହଳ ପେଣ୍ଟ ଓ ସାର୍ଟରେ ଚିରିବା ପର୍ଯ୍ୟନ୍ତ ଚଳୁଥିଲେ । ରବିବାର ଦିନ ଲୁଗା ଧୋଇ ଶୁଖେଇ ରଖା ଯାଉଥିଲା, ସୋମବାରଠାରୁ ପିନ୍ଧିବା ନିମନ୍ତେ ।

ଯେତେବେଳେ ଭାଇ ଘରକୁ ଆସନ୍ତି, ସେତେବେଳେ ଆମ ଗୋଡ଼ ତଳେ ଲାଗେ ନାହିଁ । ଦିବ୍ୟ ଭୋକନ ରନ୍ଧା ହୋଇ ତାଙ୍କୁ ପରଷି ଦିଆଯାଏ । ଘରେ ଖବର କାଗଜ ମଗା ଯାଏନି । କିନ୍ତୁ ସେ ଆସିଲେ ସଙ୍ଗେ ସଙ୍ଗେ ଖବର କାଗଜ ମଗା ଯାଏ । ଘରର ଅଭାବ ଅସୁବିଧା କଥା ସେ ଅବା ଜାଣନ୍ତେ କିପରି ? ସବୁ ଅସୁବିଧା ସହି ଯାଉଥିଲୁ । କାହିଁକି ? ଆମେ ଭାଇଙ୍କୁ ଭଲ ପାଉଥିଲୁ । ମନର ସେହି ନିଃସ୍ୱାର୍ଥପର ଭଲ ପାଇବା ଯୋଗୁ କେବେ ଅସୂୟା ଭାବ ମଧ୍ୟ ମନରେ ଆସି ନ ଥିଲା । ଆମର ସାମୟିକ ଅନାଟନରେ ଥିଲେ ମଧ୍ୟ କେବେ ତାଙ୍କ ପ୍ରତି ଈର୍ଷା କରି ନ ଥିଲୁ । ମଣିଷ ଯାହାକୁ ଭଲ ପାଏ, ତାହା ପ୍ରତି କାୟମନୋବାକ୍ୟରେ ସମର୍ପଣ ଭାବ ଥାଏ ।

କଥା ଆଗେଇ ଚାଲିଲା । “ମୋ ପଢ଼ିବା ସମୟରେ ବହିଟିଏ ବି କିଣି ପାରିନଥିଲି । ଲାଇବ୍ରେରୀରେ ବସି ବହି ପଢ଼ୁଥିଲି । ଏମିତି କଷ୍ଟରେ ମୋର କଲେଜ ଜୀବନ ବିତିଛି । ଘରୁ କିଛି ପଇସା ପତ୍ର ମିଳେନି” ।

ଏ କଥା ସେ କେବଳ ଆମକୁ କହୁ ନ ଥିଲେ, ଅନେକ ଲୋକଙ୍କୁ କହିଥିଲେ । ଅନେକ ଦିନ ତଳେ ମୁଁ ବାଣୀ ବିହାର ଯାଇଥିଲି ମୋର ନିଜ କାମରେ । ସେଠାରେ ଅଫିସର ଜଣେ ସିନିଅର୍ କିରାଣୀ ବାବୁ ମୋତେ ଦେଖି କେଜାଣି କାହିଁକି କିଛି ସମୟ ଅନେଇ ରହିଲେ । ତା ପରେ କହିଲେ, “ଆପଣଙ୍କର ଜଣେ ଭାଇ ଅଛନ୍ତି କି”? “ଅଛନ୍ତି”, ମୁଁ କହିଲି । ସେ କହିବାକୁ ଲାଗିଲେ, “ଆପଣଙ୍କର ଭାଇ ବହୁତ ଭଲ ପାଠ ପଢ଼ୁଥିଲେ । ସେ ଆମ ୟୁନିଭର୍ସିଟିର ଗୌରବ ଥିଲେ” । ଶୁଣି ଖୁସି ଲାଗିଲା, କାରଣ ଆଜିକାଲି ଭଲ ଛାତ୍ରକୁ ତାଙ୍କ ନିଜ ବ୍ୟାଚ୍‌ର ଛାତ୍ରମାନେ ମଧ୍ୟ ମନେ ରଖି ପାରୁନାହାନ୍ତି । ତା ପରେ ସେ କହିଲେ, “କିଛି ଖରାପ୍ ଭାବିବେନି, ଘରୁ କିଛି ପଇସା ପତ୍ର ଆସେନି ବୋଲି କହୁଥିଲେ । ଅତି କଷ୍ଟରେ ଚଳୁଛି ବୋଲି କହୁଥିଲେ” । ସେ ବାବୁଙ୍କୁ ମୁଁ କଅଣ କହିଥିଲି ମୋର ମନେ ନାହିଁ, କିନ୍ତୁ ସେ ଯାହା କହିଥିଲେ, ଆଜି ତାହା ମୋ ଭାଇ ଦୋହରାଉଛନ୍ତି ।

ଘରର ଦୋଷ, ଦୁର୍ବଳତା, ଅଭାବ, କଳି, କଜିଆ ବିଷୟ ସାଇ ପଡ଼ିଶା ତଥା ଅନ୍ୟମାନଙ୍କୁ କହିବାକୁ ଶାସ୍ତ୍ର ମନା କରିଛି । ଏହା କରିବା ଦ୍ୱାରା ଅନ୍ୟମାନଙ୍କୁ ଟାହି ଟାପରା କରିବାକୁ ସୁଯୋଗ ମିଳେ । ଏ ସବୁ ସର୍ବଦା ବର୍ଜନୀୟ । ଭାଇ କିନ୍ତୁ ତାଙ୍କ କର୍ମମୟ ଜୀବନରେ ବନ୍ଧୁ, ବାନ୍ଧବ, ଚିହ୍ନା ପରିଚିତ ବ୍ୟକ୍ତିମାନଙ୍କ ଆଗରେ ଘର ଲୋକଙ୍କଠାରୁ କିଛି ସାହାଯ୍ୟ ନ ପାଇଥିବା କଥା ବଖାଣନ୍ତି । ଏହି କଥାରେ ସତ୍ୟତା ବହୁତ କମ୍ ଥିଲା । ଏ ଭଳି କହି ସେ କଅଣ ପାଆନ୍ତି ଜଣାନାହିଁ । ବରଂ ଘରୁ କିଛି ଆସେନି କହିବା ଦ୍ୱାରା ଘରର ମାନ ସମ୍ମାନ ତଳକୁ ଯାଉଥିଲା ।

ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲେଇବା ପାଇଁ ବାପାଙ୍କ ଦରମାରୁ ତ ପ୍ରତି ମାସରେ ଟଙ୍କା ପଠା ହେଉଥିଲା, ତା ବାଦ୍ ପରୀକ୍ଷା ଫି ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଜମି ଖଣ୍ଡେ ମଧ୍ୟ ବିକ୍ରି ହୋଇଥିଲା । କେମିତି ସେ ଏପରି କହି ପାରୁଛନ୍ତି? ଭାବିଲି, ଛାଡ଼ ଏ ଅଭ୍ୟାସ ତାଙ୍କର ଅନେକ ଦିନୁ ଅଛି । ଆଜି ପ୍ରତିବାଦ କଲେ କଅଣ ଛାଡ଼ିବ? ଅଭ୍ୟାସ ନୈବ ମୂଚ୍ୟତେ । ଯଦି ଏ ଭଳି କହି ଜଣେ ଖୁସି ପାଉଛି, ପାଉ । କ୍ଷତି କଅଣ ।

ତା ପରର କଥା ମୋ ପ୍ରତି ଉଦ୍ଧିଷ୍ଟ ଥିଲା । “ତୋ ପାଠ ପଢ଼ାର ସବୁ ଖର୍ଚ୍ଚ ମୁଁ ଦେଉଥିଲି । ସେଥି ଯୋଗୁ ଖାଇବାକୁ ପାଉ ନ ଥିଲୁ” । ଇଏ କି କଥା କହୁଛନ୍ତି, ଭାବିଲି । ମୁଁ ତ ଲୋନ୍ କରି ପାଠ ପଢ଼ୁଥିଲି ? ଲୋନ୍ ପଇସାରେ ପ୍ରାୟ ନଅ ମାସ ଚଳି ଯାଉଥିଲା । ବାକି ରହିଲା ତିନି ମାସ । ନିଶ୍ଚୟ ମୋର ଖର୍ଚ୍ଚ ତୁଲାଇ ଥିବେ । କିଛି କଷ୍ଟ ହୋଇଥିବ । ଜଣେ ଅଫିସର୍‌ଙ୍କ ଦରମାରୁ କିଛି କମି ଗଲେ ଅସୁବିଧା ନିଶ୍ଚୟ ହେବ । କାରଣ, ସେତେବେଳକୁ ତାଙ୍କର ଜୀବନ ଧାରଣର ମାନ ଉଚ୍ଚ ହୋଇଯାଇଥିବ । କିନ୍ତୁ ସେତେବେଳେ ବାପା ଜୀବିତ ଥିଲେ । ଅନେକ ଥର ସେ ନିଜେ ମୋର ପାଠ ପଢ଼ା ଖର୍ଚ୍ଚ ତୁଲଉ ଥିବା କଥା କହିଥିଲେ । ସେ ପେନ୍‌ସନ୍ ଟଙ୍କା ପାଉଥଲେ । ଏବେ ଭାଇ କହୁଛନ୍ତି ସେ ମୋତେ ପଢ଼ଉଥିଲେ, ବାପା କହୁଥିଲେ ସେ ମୋତେ ପଢ଼ଉଥିଲେ, ଏଣେ ମୁଁ ଲୋନ୍ ଷ୍ଟାଇପେଣ୍ଡ ପାଉଥିଲି । ମୋ ମୁଣ୍ଡ ଗୋଳମାଳିଆ ଧରିଲା । କିନ୍ତୁ କଥା ଏତିକିରେ ସରିଥିଲେ ତ ଭଲ ହୋଇଥାଆନ୍ତା । ସେ କଥା ହେବାର ନ ଥିଲା । ଆଉ ଗୋଟାଏ ବାକ୍ୟ-ବମ୍ ଆଗକୁ ତାଙ୍କ ପାଟିରୁ ବାହାରି ମୋ ମନକୁ ଦଳି ମକଚି ଖିନ୍ ଭିନ୍ କରିଦେଲା ।

“ତୁମେ ସବୁ ଜାଣିନ, ବାପା ମୋତେ ମୋ ପଢ଼ିବା ସମୟରେ ଟଙ୍କାଟିଏ ମଧ୍ୟ କେବେ ସାହାଯ୍ୟ ଦେଇ ନ ଥିଲେ” ।

ଏଇ ଗୋଟିଏ ବାକ୍ୟ ହଠାତ୍ ମୋ ହୃଦୟ ଭିତରେ ଦବି ରହିଥିବା ସୁପ୍ତ ଆଗ୍ନେୟ ଗିରିରୁ ଲାଭା ନିର୍ଗମନ କଲା । ଯେଉଁ ଭାଇକୁ ସାରା ଜୀବନ ସମ୍ମାନ ଦେଇ ଆସୁଥିଲି, କେବେ ବି କଥା ଉପରେ କଥା କହି ନ ଥିଲି, ତାଙ୍କ ପ୍ରତି ଘୃଣାରେ ମନ ବିଷାକ୍ତ ହୋଇଗଲା । ଯେଉଁ ବାପା ଜୀବନ ଯାକ ସୁଖ ସ୍ଵାଚ୍ଛନ୍ଦ୍ୟରେ ବଢିଥିଲେ, ସେ କେବଳ ଶେଷ ଜୀବନରେ ଏଇ ଭାଇଙ୍କ ନିମନ୍ତେ କଷ୍ଟ ସହିଥିଲେ । ଭାବିଥିଲେ, ପୁଅ ପାଠ ପଢ଼ି ସାରିଲେ କୁଳ ଉଜ୍ଜ୍ଵଳ କରିବ । ତା ନାମରେ ମୁଁ ନାମ କରିବି । କିନ୍ତୁ ବାସ୍ତବରେ ଏ କଅଣ ହେଉଛି! ପୁଅ କହୁଛି, ବାପା ଟଙ୍କାଟିଏ ବି ମୋତେ କେବେ ଦେଇ ନାହାନ୍ତି । ମୋ ବାପାଙ୍କ ନାମରେ ଏ କଥା ମୁଁ ସହି ପାରିଲିନି । ଇଚ୍ଛା ହେଉଥିଲା, ସେଇ ମୁହୂର୍ତ୍ତରେ ପ୍ରତିବାଦ କରିବାକୁ । କରି ପାରିଲିନି, କାରଣ ସାଥୀରେ ଡ୍ରାଇଭର୍ ଥିଲା । କଅଣ ଭାବିବ ସେ କେଜାଣି !

ତା ପର ଦୁଇ ଦିନ ମୋର ବହୁତ ଅଶାନ୍ତିରେ କଟିଲା । ସେହି ଗୋଟିଏ ବାକ୍ୟ ମୋ କର୍ଣ୍ଣ ଗହ୍ଵରରେ ବାରମ୍ବାର ପ୍ରତିଧ୍ଵନିତ ହେବାକୁ ଲାଗିଲା । ମୋର ପୂଜ୍ୟ ପିତାଙ୍କ ପ୍ରତି ଏତେ ଅନାଦର ମୁଁ ମୋଟେ ସହି ପାରିଲିନାହିଁ । ଯେତେ ଯେତେ ସମୟ ବିତୁଥାଏ ମୋର ମାନସିକ ଅଶାନ୍ତି ସେତେ ବଢ଼ି ଯାଉଥାଏ । ବିଦ୍ରୋହ ମୋ ମନରେ ବଢ଼ି ଚାଲି ଥାଏ । ଶେଷରେ ଧୈର୍ଯ୍ୟ ରହିଲା ନାହିଁ । ଯେଉଁ ଭାଇ ନିଜ ପିତା ପ୍ରତି ସ୍ନେହ ଓ ଆନୁଗତ୍ୟ ଦେଖାଉ ନାହିଁ, ସେ ନିଜ ଭାଇ ପ୍ରତି କି ସ୍ନେହ ସଦ୍ଭାବ ରଖିବ । ଭାବିଲି, ଅନ୍ୟାୟ କରିବା ଉଚିତ ନୁହେଁ କି ଅନ୍ୟାୟ ସହିବା ବି ଉଚିତ ନୁହେଁ । “ମା ବୃୟାତ୍ ସତ୍ୟମ୍ ଅପ୍ରିୟମ୍”ର ଲକ୍ଷ୍ମଣ ରେଖା ଭିତରେ ରହି ଛଟପଟ ହେଉଥିଲି । ଶେଷରେ ଠିକ୍ କଲି, ନା, ଆଉ ନୁହେଁ ।

ଦୁଇ ଦିନ ପରେ ଫୋନ୍ ଉଠାଇ ତାଙ୍କ ନମ୍ବର ଡାଏଲ କଲି । “ଭାଇ, ନମସ୍କାର” । ସେ ପଟରୁ ଶୁଭିଲା, “ନମସ୍କାର” । “ଭାଇ, ସେ ଦିନ କାରରେ ଆସିଲା ବେଳେ ଯାହା କହିଲ, ତାହା କଅଣ ଠିକ୍ । ବାପା ତୁମକୁ ଟଙ୍କାଟିଏ ବି ଦେଇ ନାହାନ୍ତି? ଭାଇ କହିଲେ, “କିଏ କହିଲା”? ମୁଁ କହିଲି, “ତୁମେ ନିଜେ ସେ ଦିନ କହିଲ, ଆଜି ଭୁଲି ଗଲଣି”? ବହୁ କଷ୍ଟରେ ଅଟକାଇଥିବା ମୋର କ୍ରୋଧ ଆହୁରି ବଢ଼ିଗଲା । ତୀବ୍ର ସ୍ୱରରେ କହି ଉଠିଲି ମୁଁ, “ଭାଇଇଇଇଇ..... । ତୁମେ ଏମିତି କଥା କେମିତି କହି ପାରୁଛ ? କଥା କହିଲା ବେଳେ ତୁମର ହୋସ୍ ରହୁନି । ଯାହା ମନକୁ ଆସୁଛି କହି ଯାଉଛ, ସେ ସବୁ ତୁମକୁ ଜମା ଶୋଭା ପାଉନି । ବାପା ଟଙ୍କାଟିଏ ବି ଦେଇ ନାହାନ୍ତି, କହିବାକୁ ତୁମକୁ ଲାଜ ଲାଗୁନି ? ଟଙ୍କାଟିଏ ବି ଘରୁ ନ ପାଇ ତୁମେ ପାଠ ପଢ଼ି ଏତେ ବଡ଼ ଅଫିସର୍ ହୋଇଗଲ । କିଛି ନ ଦେଲେ ମଧ୍ୟ ଏଇ ଯୋଉ ଶରୀର ତୁମେ ଧାରଣ କରି ଏତେ ଗର୍ବ କରି କଥା କହୁଛ, ସେହି ଅମୂଲ୍ୟ ଶରୀରକୁ ବାପା ତୁମକୁ ଫୋକଟରେ ଦେଇଛନ୍ତି, ଟଙ୍କାଟିଏ ନେଇନ କଅଣ କହୁଛ”?

ସେ ପଟରୁ କିଛି କ୍ରୋଧାନ୍ଵିତ ବାକ୍ୟ ମୋ କର୍ଣ୍ଣ ପଟଳରେ ବାଜୁଥାଏ, କିନ୍ତୁ ସେ ସବୁ ମୁଁ ଶୁଣିବା ଅବସ୍ଥାରେ ନ ଥିଲି । କିଛି ସମୟ ପରେ ଫୋନ୍ ରଖିଦେବାର ଶବ୍ଦ ଶୁଣା ଗଲା । ଫୋନ୍ କଟିଯିବାର ବିପ୍ ବିପ୍ ଶବ୍ଦ ମୋତେ ଯେମିତି ଆମ ଆଗାମୀ ଭଙ୍ଗୁର ସମ୍ପର୍କର ସୂଚନା ଦେଉଥିଲା । ଚୌକି ଉପରେ ଲଥ୍ କରି ବସି ପଡ଼ିଲି । ଧୀରେ ଧିରେ ପ୍ରକୃତିସ୍ଥ ହେଲି । ମନେ ପଡ଼ିଲା, ଜଣେ ମହାମନୀଷୀ କହିଛନ୍ତି,

“ନିନ୍ଦକ୍ ନିୟରେ ରଖିୟେ, ଆଂଗନ କୁଟୀ ଛୱାୟ ।

ବିନ୍ ପାନି ବିନ୍ ସାବୁନା, ନିର୍ମଲ କରେ ସୁଭାୱ” ।

ଏହାର ଅର୍ଥ, ନିନ୍ଦୁକକୁ ନିଜ ଅଗଣାରେ କୁଟୀର ବନେଇ ରଖିଲେ ବିନା ସାବୁନ୍ ଓ ପାଣିରେ ସ୍ୱଭାବ ନିର୍ମଳ ହୋଇଯିବ । ଏତେ ବଡ଼ ମହା ମନିଷୀଙ୍କ କଥା କେବେ ହେଲେ ଅସତ୍ୟ ହେବ ନାହିଁ । ଏଠାରେ ନିନ୍ଦୁକ ଅର୍ଥ ସମାଲୋଚକ । ବିଡ଼ମ୍ବନାର ବିଷୟ, ସୁସ୍ଥ ସମାଲୋଚନାକୁ ଗ୍ରହଣ କରିବା ଲୋକ ବହୁତ କମ୍ ଥାଆନ୍ତି । କିନ୍ତୁ ସତ କହିଲେ ମଣିଷ ଚିଡ଼େ, ମିଛ କହିଲେ ଭଗବାନ୍ ଚିଡ଼ନ୍ତି ।

ଫୋନ - +୯୧ ୭୯୭୮୦୫୯୮୫୧


Rate this content
Log in