Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

srutakirti Tripathy

Thriller Others

3  

srutakirti Tripathy

Thriller Others

ନିରୀହ ପ୍ରତିଶୋଧ

ନିରୀହ ପ୍ରତିଶୋଧ

3 mins
248


କାଲି ନିର୍ବାଚନ l ଆଜି ଦିନଟା ଯାହା, ସବୁ ଦଳଙ୍କ ପ୍ରଚାର ଆଉ ଘୋ ଘା l ପ୍ରତ୍ୟେକ ଦଳ ପାରୁପର୍ଯ୍ୟନ୍ତ ଅନ୍ୟ ଦଳର କୁତ୍ସ୍ୟାରଟନା କରି ନିଜକୁ ସର୍ବୋତ୍ତମ ବୋଲି ପ୍ରମାଣ କରିବାରେ ବ୍ୟସ୍ତ l ଭଳି କି ଭଳି ପ୍ରତିଶ୍ରୁତି ଏବଂ ଯୋଜନାର ଲୋଭ ଦେଖାଇ ନିରୀହ, ସରଳ ଲୋକଙ୍କୁ ଠକି ଦେବାପାଇଁ ସବୁଦଳ ଆଗଭର l ସହରତଳି ବସ୍ତି ଯେଉଁଠି କାଁ ଭାଁ ଗୋଟିଏ ଗାଡି ଦେଖିବାକୁ ମିଳେ, ଏଇ କେତେଦିନ ହେଲା ସେଇଠି ସାନ ବଡ଼ ସବୁ ପ୍ରକାର ପ୍ରଚାର ଗାଡିଙ୍କର ଯେମିତି ପଟୁଆର ଲାଗି ରହିଛି l ଅପ୍ରତ୍ୟାଶିତ ଭାବରେ ବସ୍ତିବାସୀଙ୍କ ଗୁରୁତ୍ୱ ବଢିଯାଇଛି l ଅନ୍ୟ ସମୟରେ ଗୁରୁତ୍ୱହୀନ, ଅବାଞ୍ଚିତ, ଲାଞ୍ଚିତ ପ୍ରାଣୀମାନେ ହଠାତ୍ ସାମୟିକ ଭାବରେ ଅତ୍ୟାବଶ୍ୟକୀୟ ହୋଇ ପଡିଛନ୍ତି l ଲଙ୍ଗଳା, ଭୋକିଲା ଛୁଆଗୁଡାକ ଖୁସିରେ ଗାଡି ପଛରେ ଦଉଡି ଦଉଡି ବଣ୍ଟାଯାଉଥିବା ନେଲି, ଧଳା, ନାରଙ୍ଗୀ କାଗଜ ଗୁଡିକ ଗୋଟେଇ ଖେଳିବାର ମଜା ହାତଛଡା କରୁନାହାନ୍ତି l ହେଲେ ନିରକ୍ଷର ଓ ଅଜ୍ଞାନ ବସ୍ତିବାସୀଙ୍କ ଗୋଟିଏ ଚିନ୍ତା, କାହାକୁ ଦେବେ ଭୋଟ? ସମସ୍ତେ ତ ଭଲ ଭଲ କଥା କହୁଛନ୍ତି; ନାନା ସୁଯୋଗ ସୁବିଧା ଯୋଗେଇଦେବେ ଆଉ ବଦଳରେ କେବଳ ଆମର ଭୋଟ ଛଡା ସେମାନଙ୍କୁ ଆଉ କିଛି ଲୋଡ଼ା ନାହିଁ ବୋଲି ବିନମ୍ର ଅନୁରୋଧ କରୁଛନ୍ତି ।


ରାତି ବାରଟା ପରେ ଗୋଟିଏ ଦଳର ଭ୍ୟାନ ଆସି ବସ୍ତି ଭିତରେ ପହଞ୍ଚିଲା l ନିର୍ବାଚନ ଜିତିଲେ ବିନା ମୂଲ୍ୟରେ ଚାଉଳ ଯୋଗେଇଦେବା, କୃଷକଙ୍କ ଋଣ ମାଫ୍ କରିବା ଭଳି ପ୍ରତିଶୃତି ଦେଇ ଜଣକୁ ପାଞ୍ଚ ଶହ ଲେଖାଏଁ ହାତରେ ଧରେଇଦେଇ ଚାଲିଗଲେ ସେଇ ଭ୍ୟାନ୍ ରେ ସବାର କର୍ମୀ ଦଳ l 

କିଛି ସମୟ ପରେ ଆଉ ଗୋଟିଏ ଟ୍ରକ ଆସି ଲାଗିଲା l କର୍ମୀ ମାନେ ହାତରେ ଖାଇବା ପୁଡିଆ, କିଛି ବୋତଲ ଓ ଟଙ୍କା ବଣ୍ଡଲ ନେଇ ଅନ୍ଧକାର ଭିତରେ ବି ଆରାମରେ ଲୋକଙ୍କୁ ବାଣ୍ଟିଚାଲିଲେ ନିଜ ସହିତ ଆଣିଥିବା ଅଯାଚିତ ଉପହାର ସବୁ l 


ଭୋର ହେବାକୁ ଅଳ୍ପ ସମୟ ବାକିଥିଲା l ଆସି ପହଞ୍ଚିଲେ ଶେଷ ଦଳ l ନିଜର ସୁନ୍ଦର ଭାଷଣରେ ଲୋକଙ୍କ ଆଗରେ ବାଢ଼ିଦେଲେ ଅନେକ ଯୋଜନାର ତାଲିକା l ଯେମିତି କି ସମସ୍ତଙ୍କ ପାଇଁ ଶୌଚାଳୟ ତିଆରି ହେବ, ବସ୍ତିପିଲାଙ୍କ ପାଇଁ ସ୍କୁଲ ତିଆରି କରିବେ l ବିଜୁଳି ଓ ପାଣିର ଅଭାବ ବସ୍ତିରେ ଆଉ ରହିବ ନାହିଁ l ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତିଙ୍କୁ ରୋଜଗାର ଯୋଗେଇ ଦିଆଯିବ l ବସ୍ତିବାସୀ ଶୁଣି ଖୁସି ହୋଇଗଲେ l ସେମାନେ ଗଲାପରେ ନିଜ ନିଜ ଭିତରେ କଥା ହେଲେ,'କାଇଁ ଏମାନେ ତ କିଛି ଟଙ୍କା କି କିଛି ଖାଇବା ଜିନଷ ଦେଲେନି? ' ଏବେ ସେମାନଙ୍କୁ ବିଚାର କରିବାକୁ ହେବ, ଯେ ସେମାନେ କାହାକୁ ଭୋଟ ଦେବେ? 


ଭୋର ହୋଇଯାଇଥିଲା, ଯେ ଯାହା କାମରେ ଯିବାକୁ ବାହାରିଲା ବେଳକୁ ମନୁଆ ଯିଏ କି ଗତ ରାତିଠାରୁ ସମସ୍ତ ଦଳର କାର୍ଯ୍ୟକଳାପ ଦେଖିଆସୁଥିଲା, ଲୋକଙ୍କୁ ଏକଜୁଟ କଲା l ବସ୍ତିବାସିନ୍ଦାଙ୍କ ଆଖି ଖୋଲିବା ପାଇଁ କହିଲା - 'ଦେଖିଲେ ତ ଏ ନେତାଙ୍କର ନିର୍ବାଚନ ଭେଳିକି? ସବୁ ମିଛ ପ୍ରତିଶ୍ରୁତି l ସେମାନେ ଭୋଟ ମାଗିବାକୁ ଆସୁନାହାନ୍ତି, ଆସୁଛନ୍ତି ଭୋଟ କିଣିବାକୁ l ଭାଇମାନେ ଭୋଟ ପ୍ରଚାର ମାନେ କ'ଣ?, ଗୋଟିଏ ଦଳ ନିଜ କଥା ଜନତାଙ୍କ ଆଗରେ ରଖିବ, ଜନତା ସେସବୁକୁ ଉଚିତ ମନେକଲେ ସେ ଦଳକୁ ଭୋଟ ଦେବେ l କିନ୍ତୁ ଏଠି ତ ସେମାନେ ଟଙ୍କା, ଖାଇବା, ପିଇବା ଦେଇ ଲୋକଙ୍କୁ ମତେଇବାରେ ଲାଗିଛନ୍ତି l ପ୍ରମାଣ କରିଦେଇଛନ୍ତି ଯେ ସେମାନେ ଏମିତି ନେତା ଯିଏ ରାଜନୀତି ଛଡା ଆଉ କିଛି ଜାଣନ୍ତି ନାହିଁ l ଅର୍ଥ, କ୍ଷମତା ଏଇତ ସେମାନଙ୍କ ସଂସ୍କୃତି !


ସେମାନଙ୍କ ଠାରୁ ପ୍ରତିଶୋଧ ନେବାର ସମୟ ଆସିଛି l ସବୁଥର ସେମାନେ ଆମକୁ ଠକି ନିର୍ଵାଚନ ଜିତିଯାଉଛନ୍ତି l ଆଉ ତା ପରେ ପାଣି ଫୋଟକା ଭଳି ସବୁ ଯୋଜନା, ପ୍ରତିଶ୍ରୁତି ଅଦୃଶ୍ୟ ହୋଇଯାଉଛି l ଏଥର ଆମେମାନେ ତାଙ୍କରି ନିୟମ ତାଙ୍କରି ପାଖରେ ପ୍ରୟୋଗ କରିବା l ସବୁଦଳ ଠାରୁ ଟଙ୍କା ନେଲେ ମଧ୍ୟ ଆମକୁ ଯାହାକୁ ଭଲ ଲାଗିବ ତାକୁ ହିଁ ଭୋଟ ଦେବା l ଜନତା ଜାଣିସାରିଥିଲେ, ଯେଉଁ ଟଙ୍କା ପବନରେ ଉଡେ, ଖୁବ ସହଜରେ ବିନା ପରିଶ୍ରମରେ ମିଳିଯାଏ ସେ ଟଙ୍କା ମାନବିକ ନୁହେଁ; ସେ ଟଙ୍କା ଆସୁରିକ l 

ମନୁଆର କଥାଟା ସମସ୍ତଙ୍କ ମନକୁ ପାଇଲା l ଯଥା ସମୟରେ ସମସ୍ତେ ମତଦାନ କେନ୍ଦ୍ରକୁ ଗଲେ l ଗତରାତି ବସ୍ତିରେ ଅନ୍ଧାରି ବିଜେ କରିଥିବା ଶାସକ ଦଳର କିଛି ନେତା ଉପସ୍ଥିତ ଥା'ନ୍ତି ସେମାନଙ୍କୁ ପୁଣିଥରେ ମନେପକେଇଦେବା ପାଇଁ କେଉଁ ଚିହ୍ନରେ ଭୋଟ ଦେବେ l ମନୁଆ କଥାକୁ ମନେପକେଇ ସବୁଦଳକୁ 'ହଁ' ମାରି ଯେ ଯାହାର ଭୋଟିଂ ବୁଥ୍ ରେ ପ୍ରବେଶ କଲେ l ସୁରୁଖୁରୁରେ ମତଦାନ ପର୍ବଟି ଶେଷ ହେଲା l ଟଙ୍କା ବାଣ୍ଟିଥିବା ଦଳ ସର୍ବାଧିକ ଭୋଟ ପାଇ ବିଜୟୀ ହେବା ଆଶାରେ ଛାତି ଚଉଡା କରି ବୁଲିଲେ l 

ନିର୍ଦ୍ଧାରିତ ଦିନ ଭୋଟ ଫଳାଫଳ ଘୋଷିତ ହେଲା l ସମସ୍ତଙ୍କୁ ଚମତ୍କୃତ କରି କିଛି ଟଙ୍କା ବାଣ୍ଟି ନ ଥିବା ଦଳ ବିପୁଳ ପରିମାଣରେ ଭୋଟ ପାଇ ଜୟଲାଭ କରିଥିଲା l ବାକି ଦୁଇଦଳର ପତାକା ଓ ବ୍ୟାନର ଗୁଡିକ ଯେମିତି ଦଳୀୟ ନେତା ଓ କର୍ମଚାରୀ ମାନଙ୍କୁ ଖତେଇ ହୋଇ ହସୁଥିଲେ l


ସେପଟେ ବସ୍ତିବାସୀ ବାକି ଦୁଇ ଦଳଙ୍କ ଠାରୁ ପାଇଥିବା ଟଙ୍କାରେ ଏକ ଭୋଜିର ଆୟୋଜନ କରିଥିଲେ l ଭୋଜିଭାତ, ନାଚଗୀତ ଆସରରେ ପୁରା ବସ୍ତିଟା କମ୍ପିଯାଉଥାଏ l ବୋଧହୁଏ ଏହାହିଁ ଥିଲା ନିରକ୍ଷର, ଅଜ୍ଞାନ ବସ୍ତିବାସିନ୍ଦାଙ୍କର ବିପକ୍ଷ ଦଳ ପ୍ରତି ନିରୀହ ପ୍ରତିଶୋଧ l 


Rate this content
Log in

Similar oriya story from Thriller