Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ନୂତନ ଅଭିଯାନ
ନୂତନ ଅଭିଯାନ
★★★★★

© Sasmita Mohanty

Tragedy

4 Minutes   7.3K    25


Content Ranking

ହିମାଂଶୁ ଆଉ ନାହିଁ,ଏ କଥା ବିଶ୍ବାସ ନହେଲେ ବି ସତ। ଆଜିକୁ ଆଠଦିନ ହୋଇଗଲା ସେ ଆମ ସମସ୍ତଙ୍କୁ ଛାଡି ତାର ପ୍ରିୟ ସମୁଦ୍ର ବକ୍ଷରେ ଲୀନ ହୋଇଗଲା ସବୁଦିନ ପାଇଁ।

ମୁଁ ଓ ହିମାଂଶୁ ଉଭୟେ ମ୍ଯାନେଜମେଣ୍ଟ୍ ର ଛାତ୍ର ଥିଲୁ। ଦୁଇଟି ଭିନ୍ନ ପ୍ରାନ୍ତରୁ ଆସିଥିଲେ ମଧ୍ଯ ଆମଭିତରେ କେମିତି କେଜାଣି ବନ୍ଧୁତା ସୃଷ୍ଟି ହୋଇଯାଇଥିଲା।ପରେ ଆମସହ ଅମିତ୍ ସାମିଲ୍ ହୋଇଥିଲା। ଗୋଟିଏ ହଷ୍ଟେଲ୍ ରେ ଆମେ ଏକାଠି ରହୁଥିଲୁ। କ୍ରମେ ବନ୍ଧୁତା ଗାଢ ହୋଇ ଆମ ଭିତରେ ଅନ୍ତରଙ୍ଗତା ବୃଦ୍ଧି ପାଉଥିଲା। ହିମାଂଶୁର ଗୋରା ତକ୍ ତକ୍ ବଳିଷ୍ଠ ଚେହେରା ଓ ନିରୀହ ଚାହାଣୀ ସମସ୍ତଙ୍କୁ ଆକୃଷ୍ଠ କରୁଥିଲା। ସେ ନିୟମିତ ଯୋଗ ପ୍ରାଣାୟମ କରିବା ସହ ସନ୍ତରଣରେ ପାରଙ୍ଗମ ଥିଲା। ଅନେକ ପୁରସ୍କାର ମଧ୍ଯ ପାଇଥିଲା। କିନ୍ତୁ ନିଜର ଲାଜକୁଳା ସ୍ବଭାବ ଯୋଗୁଁ ସହଜରେ ଅନ୍ଯମାନଙ୍କ ସହ ମିଶିପାରୁନଥିଲା। କିନ୍ତୁ ଆମ କ୍ଲାସ୍ ର ପୁଅ ଝିଅ ସମସ୍ତେ ତା ସହ ମିଶିବାକୁ ବେଶ୍ ଆଗ୍ରହୀ ଥିଲେ।

ଏ ଭିତରେ ଆମର କ୍ଲାସ୍ ଆରମ୍ଭ ହୋଇଯାଇଥିଲା। ଆମେ ପଢାପଢିରେ ବ୍ଯସ୍ତ ହୋଇଗଲୁ। ମ୍ଯାନେଜମେଣ୍ଟ୍ କ୍ଲାସ୍ ର କୌଣସି ନିର୍ଦ୍ଦିଷ୍ଟ ରୁଟିନ୍ ନଥାଏ। କେବେ ସକାଳେ ଥାଏ ତ କେବେ ରାତିରେ। ପ୍ରୋଜେକ୍ଟ କାମପାଇଁ ବେଳେବେଳେ ରାତିସାରା ଡିପାର୍ଟମେଣ୍ଟ୍ ରେ ରହିବାକୁ ହୁଏ। ପୁଣି କେବେ ଦୁଇ ତିନିଦିନ ପର୍ଯ୍ଯନ୍ତ କ୍ଲାସ୍ ନଥାଏ। ସେତେବେଳେ ଆମେ ବହୁତ ମସ୍ତି କରୁ। ଦିନେ ଏମିତି ମସ୍ତି କରୁ କରୁ କିଛି ସାଙ୍ଗଙ୍କ କଥା ଭାଙ୍ଗି ନପାରି ଆମେ ସମସ୍ତେ ମିଶି ମଦ୍ଯପାନ କଲୁ। ଏଣିକି ମଝିରେ ମଝିରେ ଖାନାପିନା ନାଚଗୀତ ଚାଲିଲା। ଏପରି କରୁ କରୁ କେବଳ ଆମେ ନୁହେଁ, ପିଆଜ ରସୁଣ ଖାଉନଥିବା ହିମାଂଶୁ ମଧ୍ଯ ମଦ ଓ ମାଂସ ପ୍ରତି କେତେବେଳେ ଯେ ଆସକ୍ତ ହୋଇଗଲା କେହି ଜାଣିପାରିଲୁ ନାହିଁ। ପ୍ରାୟ ପ୍ରତ୍ଯେକ ଦିନ ଆମେ ଏଥର ମଦ୍ଯପାନ କରିବାକୁ ଲାଗିଲୁ।

ସମୟ ଗଡି ଚାଲିଲା।ଏ ଭିତରେ ସିନିୟରମାନେ କଲେଜ୍ ଛାଡି ଚାଲିଗଲେ ଓ ଆମେ ସିନିୟର ହୋଇଗଲୁ।ଏଥର ଆମେ ନିର୍ଦ୍ବନ୍ଦରେ ପିଇବାକୁ ଲାଗିଲୁ। ଆମର ପୂର୍ବପରି ପାର୍ଟି,ପିକ୍ନିକ୍ ଓ ନାଚଗୀତ ସବୁ ଚାଲିଥାଏ। ଏ ସବୁଥିରେ ମାତି ମଧ୍ଯ ହିମାଂଶୁ ପରୀକ୍ଷାରେ ବହୁତ ଭଲ କରୁଥିଲା। ତାର ଜର୍ମାନସ୍ଥିତ ଗୋଟିଏ ବହୁରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ ହୋଇଯାଇଥିଲା। ଆମେମାନେ ମଧ୍ଯ ବିଭିନ୍ନ କମ୍ପାନୀରେ ଚାକିରୀପାଇଁ ମନୋନୀତ ହୋଇଥିଲୁ।ଆମର କଲେଜ୍ ଜୀବନ ସରି ଆସୁଥିଲା ଓ ଚାକିରୀରେ ଯୋଗଦେବା ଦିନ ପାଖେଇ ଆସୁଥିଲା।ହିମାଂଶୁ ନିଜର ପାସପୋର୍ଟ ଓ ଭିସା ଆଦି ଆନୁସଙ୍ଗିକ କାର୍ଯ୍ଯ ଶେଷ କରିଥିଲା।ଆମେ ସମସ୍ତେ ଗୋଟିଏ ନୂଆ ଜୀବନଧାରାରେ ନିଜକୁ ସାମିଲ କରିବାକୁ ପ୍ରସ୍ତୁତ ହେଉଥିଲୁ ଏବଂ ବହୁତ ଖୁସି ଥିଲୁ।ହିମାଂଶୁର ଯିବାଦିନ ପାଖେଇ ଆସିଲା।ସେ ଯିବା ପୂର୍ବଦିନ ସଂଧ୍ଯାରେ ଆମେ ଏକ ବନ୍ଧୁମିଳନ (ପାର୍ଟି) ରଖିଥିଲୁ।ଖାଦ୍ଯପାନୀୟ ସାଙ୍ଗରେ ନାଚଗୀତ ଓ ମଉଜମସ୍ତି ସବୁ ଚାଲିଲା।ରାତି ଏଗାରଟା ବେଳକୁ ସମସ୍ତେ ଫେରିଯାଇଥିଲେ ମଧ୍ଯ ଆମେ ତିନିଜଣ ପୁଣି ପାନୀୟ ମଗାଇ ପେଗ୍ ପରେ ପେଗ୍ ପିଇ ଚାଲିଥିଲୁ।କିଏ ଜାଣେ ପୁଣି କେବେ ତିନିହେଁ ଏକାଠି ହେବୁ ?ତେଣୁ ଆଜି ରାତିକୁ ସମ୍ପୂର୍ଣ୍ଣଭାବେ ଉପଭୋଗ କରିବୁ।ହୋଟେଲ୍ ବନ୍ଦହେବାର ସମୟ ହେଲା ଓ ଆମେ ଫେରିଆସିଲୁ।

ସେଦିନ ଥିଲା ପୂର୍ଣ୍ଣମୀ। ଆକାଶ ମଧ୍ଯ ନିର୍ମଳ ଥିଲା।ହଠାତ୍ ହିମାଂଶୁ ପ୍ରସ୍ତାବ ଦେଲା ସମୁଦ୍ରକୂଳ ଆଡୁ ଘେରାଏ ବୁଲି ଆସିବାକୁ।ସମୁଦ୍ର ପ୍ରତି ତାର ଗଭୀର ଆକର୍ଷଣ ଥିଲା।ସେ ଜଣେ ଦକ୍ଷ ସନ୍ତରଣକାରୀ ହୋଇଥିବାରୁ ସମୟ ପାଇଲେ ସମୁଦ୍ରକୂଳକୁ ଯିବାକୁ ପସନ୍ଦ ଅଧିକ କରୁଥିଲା। ସମୁଦ୍ରରେ ପହଁରିବା,

ଗାଧୋଇବା ସହ ପାଣି ଭିତରେ ବିଭିନ୍ନ ଯୋଗମୁଦ୍ରାରେ ଫଟୋ ଉଠେଇବା ତାର ସଉକ ଥିଲା।ଆମେ ସମୁଦ୍ରକୂଳକୁ ଗଲୁ।ଜହ୍ନ ଆଲୁଅରେ ବାଲିସବୁ ରୂପାପରି ଚକ୍ ଚକ୍ କରୁଥିଲା।ପ୍ରବଳ ଜୁଆର ହେତୁ ପାଣି ବେଳେ ବେଳେ କୂଳ ଲଙ୍ଘୁଥିଲା।ଉତ୍ସୃଙ୍ଖଳ ସମୁଦ୍ରର ଉଗ୍ର ରୂପ ସତେ ଯେମିତି ହାତଠାରି ଡାକୁଥିଲା।ଆମେ ଖୁବ୍ କ୍ଳାନ୍ତ ଅନୁଭବ କରୁଥିଲୁ।କିଛି ସମୟ ବସିବା ପରେ ମୁଁ ଓ ଅମିତ୍ ଫେରିଆସିବାକୁ ଚାହିଁଲୁ।ସେ କିନ୍ତୁ ଆମକଥା ନଶୁଣି ପାଣିରେ ପଶି ଓଦାହେବାକୁ ଲାଗିଲା।ଜ୍ଯୋସ୍ନାରାତିରେ ସମୁଦ୍ରରେ ସ୍ନାନକରିବା କହି ଆମକୁ ଡାକିଲା।ଆମେ ଦୁହେଁ ମନାକଲୁ ଓ ତାକୁ ଶୀଘ୍ର ଆସିବାକୁ କହି କାନରେ ଇୟରଫୋନ୍ ଲଗେଇ ଗୀତଶୁଣିବାକୁ ଲାଗିଲୁ।ହଠାତ୍ ଅମିତ୍ ର ଡାକରେ ମୁଁ ପ୍ରକୃତିସ୍ଥ ହେଲି।ହିମାଂଶୁ ସେପର୍ଯ୍ଯନ୍ତ ଫେରିନଥିଲା।ଆମେ ବହୁତ ଖୋଜିଲୁ।କିନ୍ତୁ ତାକୁ ପାଇଲୁନି।ସେ ଯେମିତି ପବନରେ ମିଳେଇ ଯାଇଥିଲା।ସେ ଜଣେ ଦକ୍ଷ ସନ୍ତରଣକାରୀ ହୋଇଥିବାରୁ ତା ସହ ଯେ କିଛି ଅଘଟଣ ଘଟିପାରେ ଏହା କଳ୍ପନାତୀତ ଥିଲା।ଆମେ ଭାବିଲୁ ସେ ଆମକୁ ନକହି ହଷ୍ଟେଲ୍ ଫେରିଆସିଛି।ସେ ସେଠି ବି ନଥିଲା।ଆମେ ସାଙ୍ଗମାନେ ମିଶି ପୋଲିସ୍ ରେ ଖବର ଦେଲୁ।ବହୁତ ଖୋଜାଖୋଜି ପରେ ତାପରଦିନ ସକାଳ ଦଶଟା ବେଳକୁ ତାର ଶବ ମିଳିଲା।ଆମ ପାଖରେ କହିବାକୁ କିଛି ଭାଷା ନଥିଲା।ସମସ୍ତେ ଯେମିତି ମୁକ ପାଲଟି ଯାଇଥିଲୁ।

ପୋଲିସ୍ ଶବକୁ ବ୍ଯବଚ୍ଛେଦ ପାଇଁ ପଠେଇବା ସହ ଘଟଣାର ତଦନ୍ତ ଆରମ୍ଭ କଲା।ପ୍ରଥମେ ମୁଁ ଓ ଅମିତ୍ ସନ୍ଦେହ ଘେରକୁ ଆସିଲୁ ଏବଂ ହତ୍ଯା ଅଭିଯୋଗରେ ଗିରଫ ହେଲୁ।ବିଭିନ୍ନ ସନ୍ତରଣ ପ୍ରତିଯୋଗିତାରେ ପୁରସ୍କାର ଓ ପଦକ ଜିତିଥିବା ଜଣେ ସନ୍ତରଣକାରୀର ପାଣିରେ ବୁଡି ମୃତ୍ଯୁ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରିପାରୁନଥିଲେ।କିଏ କେତେ ପ୍ରକାର କଥା କହୁଥିଲେ।କିଏ ପ୍ରେମ ପାଇଁ ତ କିଏ ଈର୍ଷାନ୍ବିତ ହୋଇ ହତ୍ଯା କରିଛୁ ବୋଲି ମନ୍ତବ୍ଯ ଦେଲେ।ଶବ ବ୍ଯବଚ୍ଛେଦ ରିପୋର୍ଟରୁ ହିମାଂଶୁ ନିଶାଶକ୍ତ ଅବସ୍ଥାରେ ପାଣିରେ ବୁଡି ମୃତ୍ଯୁବରଣ କରିଛି ବୋଲି ସ୍ପଷ୍ଟ ହେଲା।ଆମ ଉପରେ ସନ୍ଦେହ ଅଧିକ ଘନୀଭୂତ ହେଲା।ଆମର କୁସଙ୍ଗ ଓ କୁଅଭ୍ଯାସ ପାଇଁ ଜୀବନରେ ଏତେ ବଡ ମୂଲ୍ଯ ଦେବାକୁ ପଡିଲା ତାହା ଚିନ୍ତାକରି ଆମେ ଦୁହେଁ ବିଚଳିତ ଥିଲୁ। ଆମେ ଡରିକରି ପୋଲିସ୍ ଆଗରେ ଆମର ମଦ୍ଯପାନ ଅଭ୍ଯାସ କଥା କିଛି କହି ନଥିଲୁ।

କଲେଜ୍ ଅଧ୍ଯକ୍ଷଙ୍କ ଠାରୁ ଖବର ପାଇ ହିମାଂଶୁର ବାପା ଓ ମାଆ ଆସି ପହଞ୍ଚିଲେ।ଏ ବୟସରେ ଯୁବକ ପୁଅକୁ ହରେଇବାର ଦୁଃଖରେ ସେମାନେ ମ୍ରିୟମାଣ ହୋଇପଡିଥିଲେ।ରାତି ପାହିଲେ ଚାକିରୀରେ ଯୋଗଦେବାକୁ ପୁଅ ତାଙ୍କର ବିଦେଶ ଯାଇଥାଆନ୍ତା।ତାର ଅଚାନକ ମୃତ୍ଯୁ ଖବର ସେମାନଙ୍କୁ ଖୁବ୍ ବ୍ଯଥିତ କରୁଥିଲା।ହିମାଂଶୁ ଘରକୁ ବୁଲିବାକୁ ଆମେ ପ୍ରାୟ ଦୁଇ ତିନିଥର ଯାଇଥିଲୁ।ପିଲାଟି ଦିନରୁ ମୋ ମାଆ ନଥିବାରୁ ତା ମାଆଙ୍କୁ ମୁଁ ବହୁତ ଭଲ ପାଉଥିଲି।ସେ ବି ମୋତେ ନିଜ ପୁଅ ପରି ସ୍ନେହ କରୁଥିଲେ।ତାଙ୍କୁ ଯେ କିପରି ସାମନା କରିବି ମୁଁ ବୁଝିପାରୁନଥିଲି।ମୋ କଣ୍ଠରୁଦ୍ଧ ହେଲା ପରି ଲାଗୁଥିଲା।ବହୁତ କଷ୍ଟରେ ନିଜକୁ ସମ୍ଭାଳି ତାଙ୍କ ଆଗରେ ସବୁ ସତକଥା ଗୋଟି ଗୋଟି ହୋଇ ଗପି ଯାଇଥିଲି।ହିମାଂଶୁର ବଦଭ୍ଯାସ କଥା ସେ ଜାଣିଥିଲେ।ସବୁଶୁଣି କହିଲେ ମୋର ଗୋଟିଏ ପୁଅ ତ ମୋତେ ଛାଡି ଚାଲିଗଲା,କିନ୍ତୁ ଆଉ ଗୋଟିଏ ପୁଅକୁ ହରେଇବାକୁ ଚାହୁଁନାହିଁ।ତାଙ୍କ ଅନୁରୋଧରେ ପୋଲିସ୍ ଆମଉପରୁ କେଶ୍ ପ୍ରତ୍ଯାହାର କରି ଆମକୁ ମୁକ୍ତ କରିଦେଲା।

ଅମିତ୍ ତା ବାପାଙ୍କ ସହ ଘରକୁ ଚାଲିଗଲା।ମୁଁ କିନ୍ତୁ ହଷ୍ଟେଲ୍ କୁ ଫେରିଆସିଲି ଏକ ନୂଆ ସଂକଳ୍ପ ନେଇ।କାଲିଠୁ ଅତୀତକୁ ଭୁଲି ଏକ ନୂଆ ଜୀବନ ଆରମ୍ଭ କରିବି ଓ ଛାତ୍ରଛାତ୍ରୀମାନଙ୍କୁ ଏହି ଘୃଣ୍ଯବ୍ଯାଧି କବଳରୁ ରକ୍ଷା କରିବି।ଭବିଷ୍ଯତରେ ହିମାଂଶୁମାନଙ୍କୁ ଏମିତି ଅସମୟରେ ଝଡିଯିବାକୁ ଦେବିନି।କିନ୍ତୁ କାଲିଠୁ କାହିଁକି?କିଏ ବା କାଲି ଦେଖିଛି?ହଁ ଆଉ ସମୟ ନଷ୍ଟ ନକରି ଆଜିଠୁ ହିଁ ଆରମ୍ଭ କରିବି ମୋର ଏହି ନୂତନ ଅଭିଯାନ।

ସସ୍ମିତା ମହାନ୍ତି

ହିମାଂଶୁ କଲେଜ୍ ସନ୍ତରଣକାରୀ

Rate the content


Originality
Flow
Language
Cover design

Comments

Post

Some text some message..