Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

4  

Prasant Kumar Senapati

Others

ହାପି ବାର୍ଥଡେ

ହାପି ବାର୍ଥଡେ

3 mins
14.2K


ହାପି ବାର୍ଥଡେ ।-:

 

 ସବୁଦିନ ପରି ଆଜି ବି ପ୍ରବଳ ଗରମ ହେଉଥିଲା । ଉଦାସୀ ମନ ନେଇ, ଝାଳରେ ସ୍ନାନ କରି କରି, କୌଣସି ପ୍ରକାରେ ସମସ୍ତ ଯାତ୍ରୀ ଡବା ଭିତରେ ଯାକିଯୁକି ହୋଇ ବସିଥିଲେ ଓ ଲୋକାଲ ଟ୍ରେନ୍'ଟି ସର୍ଯ୍ୟର ପ୍ରଖର କିରଣକୁ ଭୃକ୍ଷେପ ନକରି ଆଗକୁ ଆଗକୁ ମାଡି ଚାଲିଥିଲା । 

 

ଯାତ୍ରୀମାନଙ୍କ ଭିଡ ଭିତରେ ମୁଁ  ନୂଆ କିଣିଥିବା ଗୀଟାରକୁ ଧରି କୌଣସି ପ୍ରକାରେ ଠିଆ ହୋଇଥିଲି । ଏପରି ଭିଡ ଭିତରେ ନିଜକୁ ସମ୍ଭାଳିବା ସହିତ ନୂଆ ଗୀଟାରକୁ ସଜାଗରେ ଧରିଥିଲି । ସୌଭାଗ୍ୟବଶତଃ ଦୁଇଟି ଷ୍ଟେସନ ପରେ ମୋତେ ବସିବା ପାଇଁ ସ୍ଥାନ ମିଳିଗଲା । ଲୋକାଲ୍ ଟ୍ରେନ୍'ର ହୋ ହାଲ୍ଲା ଭିତରେ  ଏକ ସ୍ବର ଶୁଣିବାକୁ ପାଇଲି... ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ଗରିବକୁ ଦୟା କରି ହୁଅ ପ୍ରଭୁଙ୍କ ଶରଣାବିନ୍ଦ । ଜଣେ ଛୋଟା ଲୋକ ଗୀତ ଗାଇ ଭିକ ମାଗୁଥିଲା । ପଛେ ପଛେ ଗୋଟେ ସ୍ତ୍ରୀଲୋକ କାକୁଡି ବିକ୍ରୀ କରିବା ପାଇଁ ଆସିଲା । ପୁଣି ଜଣେ ଚା ବିକ୍ରେତା ଏବଂ ତାର ପଛରେ ଗୁଟୁଖା ଓ ତମ୍ବାଖୁ ଡାକି ଡାକି ଗୋଟେ ବାଳକ । ଜଣେ ସଜ୍ଜନ ବ୍ୟକ୍ତି ଏମାନଙ୍କୁ ବହୁତ ଧ୍ୟାନରେ ଦେଖୁଥିଲେ ଓ କହିଲେ ଏତେ ଭିଡ ଭିତରେ ଠିଆ ହେବା ପାଇଁ ଜାଗା ନାହିଁ କିନ୍ତୁ ଫେରିବାଲା ଓ ଭିକାରୀ ମାନେ କିପରି ଯିବା ଆସିବା କରୁଛନ୍ତି । ଏବେ ମୋ ଉପରେ ଗରମ ଚା ଢାଳି ହୋଇ ଯାଇଥାନ୍ତା । ଅଳ୍ପକେ ବଞ୍ଚିଗଲି । ଆଜିକାଲି ଛୋଟ ଛୋଟ ପିଲାମାନେ ବି ଭିକ ମାଗୁଛନ୍ତି ।

 

ଠିକ୍ ଏହି ସମୟରେ ଗୋଟେ ଦଶ ଏଗାର  ବର୍ଷର ଝିଅ, ତିନି ଚାରି ବର୍ଷର ପୁଅକୁ କାଖେଇ ଭିକ ମାଗି ମାଗି ଆସିଲା । ତାର ଚିରାଫଟା କପଡା  ଭିକାରୀର ପରିଚୟ କରାଉଥିଲା । ଆଉଜଣେ ସହଯାତ୍ରୀ କହିଲେ ଏମାନଙ୍କୁ ଦେଖ, ଭବିଷ୍ୟତର ଭିକାରୀ  । କଣ ପାଇଁ ବାପା ମା ଏମାନଙ୍କୁ ଜନ୍ମ ଦେଉଛନ୍ତି ? ପ୍ରଥମ ସଜ୍ଜନ କହିଲେ ବିଗତ ଛଅମାସ ହେବ ମୁଁ ଏହି ଟ୍ରେନ୍'ରେ ଯାଉଛି କିନ୍ତୁ ଏମାନଙ୍କୁ କେବେ ଭିକ ମାଗିବାର ଦେଖିନାହିଁ । ପାଖରେ ବସିଥିବା ତୃତୀୟ ବ୍ୟକ୍ତି କହିଲେ ନାହିଁ, ନାହିଁ । ଦୁଇଦିନ ତଳେ ଯେଉଁ ସ୍ତ୍ରୀଲୋକଟି ଗୋପବନ୍ଧୁ ଛକରେ ଗାଡି ଦୁର୍ଘଟଣାରେ ମୃତ୍ୟୁ ହେଲା, ଏ ଦୁଇଜଣ ତାରି ଛୁଆ । ବିଚାରୀ ମା ମରିଗଲା ପରେ କଣ ଖାଇବେ ? ସେଥିପାଇଁ ଭିକ ମାଗିବା ପାଇଁ ଚାଲିଆସିଛନ୍ତି । ବାପ ମଦ ପିଇ ପିଇ ଦୁଇବର୍ଷ ପୁର୍ବରୁ ଚାଲି ଯାଇଛି ।  ଛୋଟପିଲା ଦୁଇଜଣଙ୍କ ଦୁଃଖ ଶୁଣି ସମସ୍ତଙ୍କ ମୁହଁରୁ ଆହା ପଦେ ଅନାୟାସରେ ବାହାରି ଗଲା । ସମସ୍ତେ କିଛି ନା କିଛି ସେ ଝିଅକୁ ଦେଲେ । ଫେରିବାଲା ଓ ଭିକାରୀଙ୍କ ପରି ସେ ଝିଅଟି ମଧ୍ୟ ଦୁଇଚାରି ଥର ଏପଟ ସେପଟ ହେଲା । ଶେଷରେ ଝିଅଟି ଆସି ମୋ ପାଖରେ ଠିଆ ହେଲା । ଉଦାସ ମନ ନେଇ ଝିଅଟି ମୋତେ ବାରମ୍ବାର ଦେଖୁଥାଏ । କିଛି ସମୟ ନୀରବତା ପରେ ଝିଅଟି କହିଲା "ଆଜି ମୋ ଭାଇର ଜନ୍ମଦିନ ' । ମୋ ପକେଟ୍'ରେ ସବୁବେଳେ ଦୁଇ ତିନୋଟି ଚୋକଲେଟ୍ ପଡିଥାଏ । ମୁଁ ଗୀଟାରକୁ ଏକ କୋଣରେ ରଖି ପକେଟ୍'ରୁ ଖୋଜି ଦୁଇଟି ଚୋକଲେଟ୍ ତାକୁ ଦେଲି । ଛୋଟପୁଅଟି ମୋ ହାତରୁ ଚୋକଲେଟ୍ ଦୁଇଟି ସଙ୍ଗେସଙ୍ଗେ ନେଇଗଲା କିନ୍ତୁ ଝିଅଟି ସେହିପରି ମୋତେ ଚାହିଁଥାଏ । ମୁଁ ସେ କୁନିଝିଅର ଈଶାରା କିଛି ବୁଝିପାରିଲି ନାହିଁ । ସେ ମୋ ଆଡକୁ ହାତ ବଢାଇ ପୁନର୍ବାର କହିଲା "ଆଜି ମୋ ଭାଇର ଜନ୍ମଦିନ' । ଏପର୍ଯ୍ୟନ୍ତ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇ ସାରିଥିଲା ଓ ସମସ୍ତ ଯାତ୍ରୀଙ୍କ ଧ୍ୟାନ ଆକର୍ଷଣ ହୋଇଥିଲା । କିଛି ଯାତ୍ରୀ ଗାଳି କରି କୁନିଝିଅକୁ ତଡିବାକୁ ଚାହିଁଲେ । 

 

ମୁଁ ତାର ହାତକୁ ଲକ୍ଷ୍ୟ କରି କିଛି ବୁଝି ପାରୁନଥାଏ ଓ ତାକୁ ପ୍ରଶ୍ନବାଚକ ଦୃଷ୍ଟିରେ ଚାହିଁ ରହିଥାଏ । ସେ ମୋ ଗୀଟାରକୁ ଛୁଇଁ କହିଲା ଆଜି ମୋ ଭାଇର ଜନ୍ମଦିନ । ହାପି ବାର୍ଥଡେ ବଜାଅ ନା ? 

 

ଲୋକାଲ ଟ୍ରେନ୍ ନିଜ ଗତୀରେ ମାଡି ଯାଉଥିଲା ଓ ମୁଁ ଗୀଟାର ବକ୍ସରୁ ନୂଆ ଗୀଟାର ଖୋଲିଲି ଏବଂ ହାପି ବାର୍ଥଡେ ଟୁ ୟୁ ବଜାଇଲି । କୁନିପୁଅଟି  ଖୁସିରେ ନାଚିବା ଆରମ୍ଭ କରିଦେଲା । ସମସ୍ତ ସହଯାତ୍ରୀ ଆଶ୍ଚର୍ଯ୍ୟ ଚକିତ ଥିଲେ । କୁନିଝିଅ ଆଖିରେ ଏକ ଅଦ୍ଭୁତ ଖୁସିର ଚମକ ଥିଲା । ଦୀର୍ଘ ତିରିଶ ବର୍ଷ ଜୀବନ କାଳରେ ମୁଁ ହାପି ବାର୍ଥଡେ ବଜାଇବା ସମୟରେ ପ୍ରଥମ ଥର ପାଇଁ ମୋ ଆଖିରେ ଲୁହ ଥିଲା ।


Rate this content
Log in