Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅସୁସ୍ଥ ବଳଦ ସଂଜୀବକ କାହାଣୀ
ଅସୁସ୍ଥ ବଳଦ ସଂଜୀବକ କାହାଣୀ
★★★★★

© ଓଡିଆ ଶିଶୁ ଗପ

Children

4 Minutes   7.3K    11


Content Ranking

ଅନେକ ଦିନ ତଳର କଥା । ଭାରତ ବର୍ଷର ଦକ୍ଷିଣରେ ‘ମହିଳାରୋପ୍ୟ’ ନାମରେ ଏକ ନଗରୀ ଥିଲା । ଏହି ନଗରୀରେ ଜଣେ ଧନୀ ବଣିକ ବସବାସ କରୁଥିଲେ । ସେହି ବଣିକଙ୍କ ନାମ ହେଉଛି ‘ବର୍ଦ୍ଧମାନକ’ ।

ଏକଦା ରାତ୍ରୀରେ ବର୍ଦ୍ଧମାନକ ବିଛଣାରେ ବିଶ୍ରାମ ନେବା ସମୟରେ ତାଙ୍କ ମନରେ ଏକ ଚିନ୍ତା ଉଙ୍କି ମାରିଲା । ସେ ଭାବିଲେ ଯେ ଯଦି ଜଣେ ମନୁଷ୍ୟ ପ୍ରଚୁର ଧନ, ଅର୍ଥ ଲାଭ କରିପାରେ ସେ ସଂସାରରେ ସବୁ କିଛି କରିପାରିବ । ସେ ଚିନ୍ତା କଲେ: ମଣିଷ ଯଦି ତା’ର ଜୀବନ କାଳ ମଧ୍ୟରେ ଅର୍ଥ ସଂଗ୍ରହ କରି ନ ପାରିବ ତା’ହେଲେ ତା’ର ଜୀବନ ବ୍ୟର୍ଥ । ‘ଧନ’ ହେଉଛି ମଣିଷ ଜୀବନର ମୂଳ ହେତୁ । ପାଖରେ ପ୍ରଚୁର ଅର୍ଥ ଥିଲେ ମଣିଷ ତା’ର ବନ୍ଧୁ ପରିଜନ ମାନଙ୍କୁ ସର୍ବଦା ସନ୍ତୁଷ୍ଟ କରିପାରିବ । ଫଳରେ ସେମାନେ ସର୍ବଦା-ତାର ସୁଖରେ ଭାଗୀଦାର ହେବେ । ଯଦି ମନୁଷ୍ୟ ପାଖରେ ଧନ ନଥିବ, ତା’ହେଲେ ସେ ସର୍ବତ୍ର ଅବହେଳିତ ହେବ । ସମାଜରେ ଧନୀ ବ୍ୟକ୍ତିଙ୍କୁ ସର୍ବଦା ଉଚ୍ଚ ସ୍ଥାନ ଦିଆଯାଇଥାଏ । ଏହି ଧନ ଥିଲେ ବୃଦ୍ଧ ଯୁବକରେ ପରିଣତ ହୋଇପାରେ । ଧନ ବିନା ଯୁବକ ମଧ୍ୟ ବୃଦ୍ଧ ପାଲଟି ଯାଏ । ତେଣୁ ଏହି ସଂସାରରେ ଧନ ହେଉଛି ସବୁକିଛି । ତେଣୁ ବର୍ଦ୍ଧମାନକ କିପରି ଅଧିକରୁ ଅଧିକ ଧନ ଉପାର୍ଜନ କରିବେ ସେହି କଥା ଚିନ୍ତା କଲେ ।

ଦିନେ ଗୋଟିଏ ଶୁଭ ମୁହୂର୍ତରେ ଘରର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ତ୍ୟାଗକରି, ଅଧିକ ଧନ ଉପାର୍ଜନ ଉଦ୍ଧେଶ୍ୟରେ ମଥୁରା ଯାତ୍ରା କଲେ । ତାଙ୍କର ‘ସଂଜୀବକ’ ଏବଂ ‘ନନ୍ଦକ’ ନାମରେ ଦୁଇଟି ବଳଦ ଥିଲେ । ଉଭୟ ତାଙ୍କରି ଘରେ ଜନ୍ମ ହୋଇଥିଲେ ଏବଂ ଉଭୟ ତାଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ।

ବର୍ଦ୍ଧମାନକ ସେହି ଦୁଇଟି ବଳଦକୁ ନେଇ ଏକ ବଳଦଗାଡି ତିଆରି କଲେ । ବଳଦ ଗାଡିକୁ ଚଲାଇବା ପାଇଁ ଏକ ବ୍ୟକ୍ତିକୁ ମଧ୍ୟ ନିଯୁକ୍ତ କଲେ । ଏବଂ କେତେଜଣ ବିଶ୍ୱାସୀ ଅନୁଗତ ମାନଙ୍କୁ ନେଇ ମଥୁରା ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କଲେ ।

କିଛି ଦିନ ପରେ ସେ ଯମୁନା ନଦୀ କୂଳରେ ଆସି ପହଁଚିଲେ । ସଂଜୀବକ ଏବଂ ନନ୍ଦନ ନାମକ ଦୁଇ ବଳଦଙ୍କ ମଧ୍ୟରୁ, ସଂଜୀବକ ଅଧିକ ପଥ ଅତିକ୍ରମ କରିଥିବାରୁ, ସଂଜୀବକର ଗୋଡ ସଂପୂର୍ଣ୍ଣ ଭାଙ୍ଗିଗଲା ।

ବଳଦର ଏପରି ଅବସ୍ଥା ଦେଖି ବର୍ଦ୍ଧମାନକ ଅତ୍ୟନ୍ତ ଦୁଃଖିତ ହୋଇପଡିଲେ । ସଂଜୀବକ ପାଇଁ ସେ ତାଙ୍କ ଯାତ୍ରାକୁ ତିନିଦିନ ପର୍ଯ୍ୟନ୍ତ ସ୍ଥଗିତ ରଖିଲେ ।

କିନ୍ତୁ ବଳଦ ଗାଡିଚାଳକଟି ବର୍ଦ୍ଧମାନକଙ୍କୁ କହିଲା : ମହାଶୟ! ଏହି ନିର୍ଜନ ଜଙ୍ଗଲରେ ଅବସ୍ଥାନ କରିବା ବିପଦପୂର୍ଣ୍ଣ । ଏଠାରେ ସର୍ବଦା ହିଂସ୍ର ଜନ୍ତୁମାନଙ୍କର ଲୀଳା ଲାଗି ରହିଥାଏ । ତେଣୁ ଭଲଥିବା ଗୋଟିଏ ବଳଦର ସୁରକ୍ଷା ଦୃଷ୍ଟିରୁ ବିଳମ୍ବ ନ କରି ଆମକୁ ଏହି ସ୍ଥାନ ପରିତ୍ୟାଗ କରିବାକୁ ପଡିବ । ସାମାନ୍ୟ କାରଣ ପାଇଁ ଆପଣ ଲକ୍ଷ୍ୟସ୍ଥଳରୁ ବିଚ୍ୟୁତ ହେବା ଉଚିତ୍ ନୁହେଁ ।

ଚାଳକଠାରୁ ଏହି କଥା ଶୁଣି ସାରିବା ପରେ ବର୍ଦ୍ଧମାନକ ଦୁଇଜଣ ବିଶ୍ୱାସୀ ଅନୁଗତଙ୍କୁ ଆହତ ବଳଦର ସେବା ଯତ୍ନ କରିବା ପାଇଁ ନିଯୁକ୍ତ କରି ପୁନର୍ବାର ଯାତ୍ରା ଆରମ୍ଭ କଲେ । କିଛି ସମୟପରେ ଅନୁଗତ ଦୁଇଜଣ ହିଂସ୍ର ଜନ୍ତୁଙ୍କ ଭୟରେ ଅରଣ୍ୟ ତ୍ୟାଗକରି ବର୍ଦ୍ଧମାନକଙ୍କ ନିକଟରେ ପହଁଚିଗଲେ ଏବଂ ଏକାଠି ନିଜର ଯାତ୍ରା ଆରମ୍ଭ କଲେ ।

ଅରଣ୍ୟ ମଧ୍ୟରେ ଅସୁସ୍ଥ ସଂଜୀବକ ଏକାକୀ ପଡି ରହିଥାଏ । ବିଶ୍ୱସ୍ତ ବ୍ୟକ୍ତି ଦୁଇଜଣ ବର୍ଦ୍ଧମାନକଙ୍କୁ ମିଥ୍ୟା କହିବାକୁ ଯାଇ କହିଲେ:- ମହାଶୟ! ସଂଜୀବକର ମୃତ୍ୟୁବରଣ କରିବାରୁ ଆମ୍ଭେ ତାଙ୍କୁ ଅଗ୍ନିରେ ସତ୍କାର କରି ଆସିଲୁ । ବର୍ଦ୍ଧମାନକ ବିଶ୍ୱସ୍ତ ବଳଦର ମୃତ୍ୟୁ କଥା ଶୁଣିଲା ପରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ।

କିନ୍ତୁ ସଂଜୀବକ ଅରଣ୍ୟ ମଧ୍ୟରେ ଏକାକୀ କାଳାତିପାତ କରୁଥାଏ । ଯମୁନା ନଦୀ ଶଯ୍ୟାରେ ଥିବା କୋମଳ ଘାସ ଗୁଡିକୁ ଭକ୍ଷଣ କରି ସଂଜୀବକ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା କିଛି ଦିନ ଯିବାପରେ ସେ ଉଠିବାକୁ ମଧ୍ୟ ସକ୍ଷମ ହେଲା ।

ଯମୁନା ନଦୀ କୂଳର ଥଣ୍ଡାପବନ ସଂଜୀବକଙ୍କ ଦେହରେ ସତେଜତା ଆଣିଦେଲା । ନଦୀ ତଟର ସବୁଜ ଘାସ ଭକ୍ଷଣ କରିବାରୁ ଅଳ୍ପଦିନ ମଧ୍ୟରେ ସଂଜୀବକ ହୃଷ୍ଟପୁଷ୍ଟ ହୋଇଗଲା । ଏହା ନିଃସନ୍ଦେହରେ କୁହାଯାଇପାରେ ଯେ, ଯାହା ପ୍ରତି ପ୍ରକୃତି ଦେବୀ ସନ୍ତୁଷ୍ଟ ହୋଇଥାଆନ୍ତି ସମସ୍ତ ବାଧା, ବିଘ୍ନକୁ ସେ ଅକ୍ଳେଶରେ ଅତିକ୍ରମ କରିଯାଏ ।

ସେହି ଜଙ୍ଗଲରେ ‘ପିଙ୍ଗଳକ’ ନାମକ ଏକ ସିଂହ ବସବାସ କରୁଥିଲା । ଏକଦା ପିଙ୍ଗଳକ ଭୋକରେ ଓ ଶୋଷରେ ଆଉଟୁ ପାଉଟୁ ହୋଇ ଯମୁନା ନଦୀ କୂଳରେ ଆସି ପହଁଚିଲା । ଯମୁନା ନଦୀର ପାଣି ପିଉଥିବା ସମୟରେ ସଂଜୀବକର ଗର୍ଜନ ଶୁଣିବାକୁ ପାଇଲା । ପ୍ରଥମେ ପିଙ୍ଗଳକ ଏହି ଗର୍ଜନ ଶୁଣି ଭୟଭୀତ ହୋଇପଡିଲା ଓ ଏକ ବୃକ୍ଷ ମୂଳରେ ବସି ପଡିଲା। ସିଂହ ପିଙ୍ଗଳକ ଥିଲା ସେହି ଜଙ୍ଗଲର ରାଜା । ତେଣୁ ତାକୁ ଘେରି ସେହି ବୃକ୍ଷ ମୂଳରେ ଅନ୍ୟାନ୍ୟ ପଶୁମାନେ ବସି ଥାଆନ୍ତି ।

ରାଜା ପିଙ୍ଗଳକର ‘କାରାତକ’ ଓ ‘ଦମନକ’ ନାମକ ଦୁଇଜଣ ଶୃଗାଳ, ଅନୁଚର ଥିଲେ । ଅନୁଚର ଦୁଇଜଣ ଯେତେବେଳେ ଦେଖିଲେ, ଯେ ତାଙ୍କର ରାଜା ପିଙ୍ଗଳକ କ୍ଷୁଧାତୃଷ୍ଣା ଦମନ ନ କରି ଫେରି ଆସିଛନ୍ତି । ସେତେବେଳେ ଅନୁଚର ଦୁଇଜଣ ପରସ୍ପର ଆଡକୁ ଚାହାଁ ଚାହିଁ ହେଲେ ।

ଦମନକ କାରାତକଙ୍କୁ କହିଲେ: ହେ ମୋର ପ୍ରିୟ କାରାତକ! ଆମର ରାଜା କେବଳ ଯମୁନା ନଦୀର ଜଳ ପାନ କରି ଆସିଛନ୍ତି । ବର୍ତ୍ତମାନ ଆସି ସେ ଏହି ବୃକ୍ଷ ମୂଳରେ ବସି ରହିଛନ୍ତି ଏବଂ ତାଙ୍କୁ ଘେରି ତାଙ୍କର ଅନୁଚର ମାନେ ବସି ରହିଛନ୍ତି । କାରାତକ ଦମନକଙ୍କୁ କହିଲା- ‘ ଦମନକ ତୁମେ ଏକ କାହାଣୀ ଶୁଣିଥିବ ତାହା ହେଉଛି ମନୁଷ୍ୟ ଜଣକ ଯେଉଁ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁଥିଲା, ତାହାହିଁ ଶେଷରେ ତା’ର ଧ୍ୱଂସର କାରଣ ହେଲା । ମାଙ୍କଡଟି କାଠଗଣ୍ଡି ମଧ୍ୟରୁ ଖୁଂଟଟିକୁ ଅଲଗା କରିବାରୁ ତା’ର ପରିଣତି ଦୁଃଖଦ ହୋଇଥିଲା । ଦମନକ ପଚାରିଲେ: ତାହା କିପରି ହେଲା? ଉତ୍ତର ଦେବାକୁ ଯାଇ କାରାତକ ଏକ କାହାଣୀ କହିଲେ ।

ଭାରତ ମହିଳାରୋପ୍ୟ ସଂସାର

Rate the content


Originality
Flow
Language
Cover design

Comments

Post

Some text some message..