Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bichitra Biswal

Inspirational

3  

Bichitra Biswal

Inspirational

ଗୋଟେ ଧର୍ଷଣ ଘଟଣାର ବିଚାର

ଗୋଟେ ଧର୍ଷଣ ଘଟଣାର ବିଚାର

2 mins
7.1K


ଗୋଟେ ଧର୍ଷଣ କେସର ବିଚାର ଚାଲୁଥିଲା କୋର୍ଟରେ । ଧର୍ଷଣର ବିବରଣୀ ବର୍ଣ୍ଣନା କରିବା ପାଇଁ କାଠଗଡ଼ା ଭିତରେ ମୁଣ୍ଡକୁ ତଳକୁ କରି ଠିଆ ହୋଇଥିଲା ଧର୍ଷିତା ଧରା । ତା ଛିଣ୍ଡା ସାୟା, ବ୍ଲାଉଜ୍ ବୟାନ କରୁଥିଲା ଗୋଟେ ନିର୍ମମ ଧର୍ଷଣ ଘଟଣାର । କ୍ଷତ ବିକ୍ଷତ ମୁହଁଟା କଳା ପଡିଯାଇଥିଲା ଧରାର ।

- କୋର୍ଟରେ ଲାଜ କଲେ ଚଳିବ ନାହିଁ । ସବୁ ଘଟଣା ଗୋଟି ଗୋଟି କରି ତୁମକୁ କହିବାକୁ ହେବ, ଚଢା ଗଳାରେ ଜଜ ସାହେବ କହିଲେ ।

କୋର୍ଟ ଭିତରେ ଚାରିଆଡକୁ ଆଖି ଟେକି ଚାହିଁଲା ଧରା । ସେପଟ କାଠଗଡ଼ାରେ ଅଭିଯୁକ୍ତ ଭାବେ ଠିଆ ହୋଇ ମୁରୁକି ମୁରୁକି ହସୁଥିଲେ ଗାନ୍ଧୀ ଟୋପି ପିନ୍ଧା ଜଣେ ନେତା, କୋଟ ସୁଟ ପିନ୍ଧା ଜଣେ କମ୍ପାନୀ ମାଲିକ, ଜଣେ ଅଫିସର ଓ ତାଙ୍କୁ ସହଯୋଗ କରିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଜଜ୍ ଙ୍କ ଆଦେଶରେ ବିପକ୍ଷ ଓକିଲ ଧରାକୁ ପୁଣି ଥରେ ତାଗିଦ କଲେ ଧର୍ଷଣ ଘଟଣାକୁ ଠିକେ ଠିକେ ବର୍ଣ୍ଣନା କରିବା ପାଇଁ ।

ଲାଜରେ ପୋତି ହୋଇ ପଡୁଥିଲା ଧରା । ତା ଆଖିରୁ ଛିଟିକି ପଡୁଥିଲା ପୁଳାପୁଳା ଘୃଣା । ଦୀର୍ଘଶ୍ଵାସ ନେବା ପାଇଁ ବି ପବନ ନିଅଣ୍ଟ ପଡୁଥିଲା ତାକୁ । ହଠାତ ବିସ୍ଫୋରଣ ହେବା ପରି ଚିତ୍କାର କରି ଉଠିଲା ଧରା । ଅଭିଯୁକ୍ତମାନଙ୍କ ଆଡକୁ ହାତ ଦେଖାଇ କହିଲା, ଏମାନେ ମୋ ପାହାଡ଼ ପରି ସ୍ତନକୁ ଝୁଣି ପକେଇଲେ, ଛିନଛତର କରିଦେଲେ । ମୋ ଛୁଆମାନଙ୍କ ପାଇଁ ଥିବା ସାଇତା ସମ୍ପତ୍ତିକୁ ଲୁଟିନେଲେ । ନଦୀ ଓ ଝରଣା ପରି ମୋ ନିମ୍ନାଙ୍ଗକୁ ଶୋଷିନେଲେ ଏମାନେ ତାଙ୍କ କାମନାର ଲହଲହ ଜିଭରେ । କେତେ ନାଇଁ କେତେ ବିଷାକ୍ତ ଜିନିଷ ଭରିଦେଲେ ଏମାନେ ମୋ ଭିତରେ । ଅରଣ୍ୟ ପରି ମୋର ସବୁଜ ଓ କଅଁଳ ଦେହକୁ ଡାହାଳ କୁକୁର ପରି ଭିଣିଭିଣି ଖାଇଗଲେ ଏମାନେ । ଏବେ କେମିତି ବଞ୍ଚିବେ ମୋ ସନ୍ତାନମାନେ ? ଶେଷ ବେଳକୁ ଭାରି ଦୟନୀୟ ଶୁଭିଲା ଧରାର ସ୍ୱର ।

ନିସ୍ତବ୍ଧତା ଛାଇ ଗଲା କୋର୍ଟ ରୁମରେ । ସମସ୍ତେ ଅପେକ୍ଷା କରିଥିଲେ ଜଜ୍ ସାହେବଙ୍କ ରାୟକୁ। ଅଭିଯୁକ୍ତମାନେ ଠିଆ ହୋଇଥିଲେ ବେଫିକର ଭାବେ, ସତେ ଯେମିତି ସେମାନେ କିଛି ବି ଅପରାଧ କରିନାହାନ୍ତି ! ଥକି ଯାଇ କାଠଗଡା ଉପରେ ଭରା ଦେଇ ଠିଆ ହୋଇଥିଲା ଧରା ।

ଟେବୁଲ ଉପରେ କାଠ ହାତୁଡି ପିଟିଲେ ଜଜ୍ ସାହେବ । ଅର୍ଡର..ଅର୍ଡର..ଅର୍ଡର..ଏ ସମସ୍ତ ଘଟଣାରୁ ବୁଝାପଡୁଛି ଯେ, ଏହା ଆଦୌ ବି ଧର୍ଷଣ ନୁହେଁ । ଏହା ବିକାଶର ପ୍ରକ୍ରିୟା । ତେଣୁ ଅଭିଯୁକ୍ତ ମାନଙ୍କୁ ଦୋଷମୁକ୍ତ କରି ତାଙ୍କୁ ଶ୍ରେଷ୍ଠ ନେତା, ଶ୍ରେଷ୍ଠ ପ୍ରଶାସକ ଓ ଶ୍ରେଷ୍ଠ କମ୍ପାନୀର ପୁରସ୍କାର ଦିଆଯାଉ । ତାଳିରେ ଫାଟି ପଡିଲା କୋର୍ଟ ପରିସର ।


Rate this content
Log in

Similar oriya story from Inspirational