Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମନରେ ଗାର
ମନରେ ଗାର
★★★★★

© Lopamudra Mishra

Romance

7 Minutes   7.4K    24


Content Ranking

ମନରେ ଗାର

Lopamudra mishra

3. 10.2018

ଆଜି କଲେଜ ରୁ ଫେରି ସୁପ୍ରିୟା ଖୁବ ଖୁସି ଖୁସି ଜଣାପଡୁଛନ୍ତି l ସୌମ୍ୟଙ୍କର ଅଫିସ ରୁ ଆସିବାକୁ ଆହୁରି ଦୁଇ ତିନି ଘଣ୍ଟା ବାକି ଅଛି l ସୁପ୍ରିୟା ଝଟା ପଟ ଶାଢ଼ୀଟା ବଦଳେଇ ପକେଇ ମିଡି ଡ୍ରେସ ଟା ପିନ୍ଧିନେଲେ l ବାଥରୁମ ଯାଇ ମୁହଁ ହାତ ଭଲ କରି ଧୋଇ ଆସିଲେ l ମୋବାଇଲ ଟା ଧରି ବେଡ ଉପରେ ଗଡି ପଡିଲେ l

ହ୍ୱାଟ୍ସଆପ ଖୋଲିଲା ବେଳକୁ ପଚାଶ ଟି ଅନରିଡ ମେସେଜ l କିଛି ମେସେଜ ଫରୱାର୍ଡଡେଡ ଆଉ କିଛି ସୁବାଷ ଙ୍କର l ସୁବାଷ ଙ୍କ ମେସେଜ ସବୁ ଖୋଲି ପଢ଼ି ପକେଇଲେ l ସେ କହିଛନ୍ତି ଘରେ ପହଞ୍ଚିଲେ ଭିଡ଼ିଓ କଲ କରିବାକୁ l

ମିରର ଆଗରେ ଠିଆ ହୋଇ ନିଜକୁ ଟିକେ ଦେଖିନେଲେ l ତାପରେ ପୁଣି ଫୋନ ପାଖକୁ ଫେରିଗଲେ l

--ହେଲୋ

--ହାଏ

--ସୁପ୍ରିୟା ! ତୁମେ ସତରେ ଖୁବ ଭଲ l

--କେମିତି ଜାଣିଲ?

--ଜାଣିଛି l

--ତୁମ ଫେସ ଠିକ ରେ ଦେଖାଯାଉନି l

--ମୁଁ ଦେଖେଇବାକୁ ଚାହୁଁନି l

--କାହିଁକି??

--ଅନେକ ଦିନ ହେଲା ଦାଢୀ ବନେଇନି l

ଉଭୟ ଙ୍କର ହାସ୍ୟରୋଳ ର ଧ୍ଵନି l ସେପଟୁ ସୁବାଷ ଙ୍କୁ କେହି ଡାକିବାରୁ ସେ କଲ ଟି କାଟିଦେଲେ l ସୁପ୍ରିୟା ସେମିତି ବେଡ ରେ ପଡ଼ିରହି ମୋବାଇଲ କୁ ଅନେଇ ରହିଛନ୍ତି l ସୁବାଷ ଙ୍କର ସେହି ମେସେଜ ଟିକୁ ବାରମ୍ବାର ପଢୁଛନ୍ତି l

" Supriya ! My search for a perfect girl friend ended with you "

ମେସେଜ ପଢୁଛନ୍ତି ଆଉ ମନେ ମନେ ହସୁଛନ୍ତି ସୁପ୍ରିୟା l ଡୋର ବେଲ ବାଜିଉଠିଲା l ମୋବାଇଲ ଟା ସାଇଲେଣ୍ଟ ରେ ରଖି କବାଟ ଖୋଲିଲେ l ସୌମ୍ୟ ଭିତରକୁ ପଶି ଆସିଲେ l ଆଜି ଵି ସେ ସବୁଦିନ ପରି ଗମ୍ଭୀର ଓ ମୌନ l ଘରକୁ ଆସୁ ଆସୁ କିଛି ଵି ପଦେ କହନ୍ତିନି l ସିଧା ଭିତରକୁ ଯାଇ ଫ୍ରେସ ହେଇ ଆସି ଟିଭି ଆଗରେ ବସିଯାଆନ୍ତି l

ସୌମ୍ୟ ଲକ୍ଷ କଲେ ସୁପ୍ରିୟା ଆଉ ଆଗପରି ତାଙ୍କ ଆଗରେ ପଛରେ ଦୌଡ଼ା ଦୌଡି କରି ତାଙ୍କୁ ନାନାଦି ପ୍ରଶ୍ନରେ ଛନ୍ଦି ପକାଉ ନାହାଁନ୍ତି l କଲେଜ ରେ ସ୍ଟୁଡେଣ୍ଟମାନେ ଓ ଷ୍ଟାଫ ମାନେ ତାଙ୍କୁ କଣ କହିଲେ କିଛି ହେଲେ କହୁନାହାନ୍ତି l ବେଶ ଖୁସି ଖୁସି ଲାଗୁଛନ୍ତି l ମୁହଁ ରେ ଅଦ୍ଭୁତ ପ୍ରସନ୍ନତା l

--ସୁପ୍ରିୟା ! ଗୋଟେ କପ ଚା' କି କଫି ମିଳିବ?

--ସଙ୍ଗେ ସଙ୍ଗେ ଆଣୁଛି l

କଫି ମଗ ଟା ଟିପୟ ଉପରେ ଥୋଇ ଦେଇ ଚାଲିଯାଉଥିଲେ ସୌମ୍ୟ ପଛରୁ ଡାକିଲେ l

--ଏଇଠି ବସିବନି ପାଖରେ?

--ନାଇଁ ମୋର କିଛି କାମ ଅଛି l ସ୍ଟୁଡେଣ୍ଟସ ଙ୍କର ନୋଟସ ବନେଇବାର ଅଛି l ତୁମେ ଟିଭି ଦେଖ l

ସୁପ୍ରିୟା ଚାଲିଆସିଲେ l ନୋଟସ ବନେଇଲେ କି କଣ କଲେ କେଜାଣି କିନ୍ତୁ ସୁପ୍ରିୟା ଆଉ ହଲ କୁ ତିନି ଘଣ୍ଟା ଯାଏଁ ଗଲେ ନାହିଁ ଯେଯାଏଁ କାମବାଲୀ କମଳା ଆସି ନଡାକିଛି l

ଆଜି ରବିବାର l କଲେଜ ଛୁଟି l ସୌମ୍ୟ ଙ୍କର ଅଫିସ ବନ୍ଦ l ଦୁହେଁ ଡେରି ରେ ବିଛଣା ଛାଡିଲେ l କାଲି ରାତି ରେ ସୌମ୍ୟ ଶୋଇ ଘୁଙ୍ଗୁଡ଼ି ମାରିବାର ଅନେକ ପଛରେ ସୁପ୍ରିୟା ବେଡ କୁ ଯାଇଥିଲେ l ଖୁବ ଡେରି ପର୍ଯ୍ୟନ୍ତ କଣ ସବୁ ଲେଖା ଲେଖି କରୁଥିଲେ l ଲେଖୁ ଲେଖୁ ରହିଯାଇ ପୁଣି ହସି ହସି ମୋବାଇଲ କୁ ଅନାଉଥିଲେ l

ବ୍ରେକଫାଷ୍ଟ ଟେବଲ ରେ ସୌମ୍ୟ ଆଗ କଥା ଆରମ୍ଭ କଲେ,

--ସୁପ୍ରିୟା ! ଆଜି ମୁଭି ଯିବା l ଭଲ ସିନେମା ଟେ ଆସିଛି l

--ନାଇଁ l ତୁମେ ଯାଅ ଆଉ କୋଉ ଫ୍ରେଣ୍ଡ କୁ ତୁମର ନେଇ l ମୋର ଆଜି ବହୁତ କାମ l

ଆଜି ଵି ସୌମ୍ୟ କିଛି ହେଲେ ପଚାରିପାରିଲେନି l ଦୁହିଁଙ୍କ ଭିତରେ ଭୀଷଣ ନୀରବତା l

ସୁପ୍ରିୟା କଲେଜ ପାଇଁ ରେଡି ହେଉଛନ୍ତି l ସୌମ୍ୟ ଅପେକ୍ଷା ନକରି ଚାଲିଗଲେ l ସୁପ୍ରିୟା ବସ ଧରିଲେ l ବସ ରେ ବସି ବ୍ୟାଗ ରୁ ମୋବାଇଲ କାଢି ଦେଖିଲେ l ହ୍ୱାଟ୍ସଆପ ଖୋଲିଲେ l

--ହାଏ

--ହେଲୋ

--କଣ କରୁଛ?

--ଅଫିସ ରେ l ତୁମେ?

--ବସ ରେ l କଲେଜ ଯାଉଛି l

--ତୁମକୁ ଦେଖିବାକୁ ଇଚ୍ଛା ହେଉଛି l

--ହା ହା l ବସ ରେ ଅଛି l

କଣ୍ଡକ୍ଟର କେତେବେଳୁ ଆସି ଟଙ୍କା ମାଗିଲାଣି l ସୁପ୍ରିୟା ଙ୍କର ଲକ୍ଷ୍ୟ ନାହିଁ ସେଆଡକୁ l କଣ୍ଡକ୍ଟର ବାଧ୍ୟ ହେଇ ବଡ ପାଟିରେ ଡାକିଲା l ସୁପ୍ରିୟା ସେହି ଭିନ୍ନ ଦୁନିଆଁ ରୁ ପୁଣି ଫେରିଆସିଲେ l

କଲେଜ ରେ ଟିକେ ଫୁରସତ ମିଳିଲେ ସୁପ୍ରିୟା ମୋବାଇଲ ଧରି ବସିଯାଆନ୍ତି l ଷ୍ଟାଫ ଙ୍କ ସହ ବେଶୀ କଥାବାର୍ତ୍ତା ନାହିଁ l ସମସ୍ତଙ୍କ ଭିତରେ ଟୁପ ଟାପ ଗୋଟେ ଚାପା ଗୁଞ୍ଜରଣ l ବିଷୟ ହେଲେ ସୁପ୍ରିୟା l ସେସବୁ ରେ ସୁପ୍ରିୟାଙ୍କ ଧ୍ୟାନ ନାହିଁ l ସେ ଆଗ ଭଳି ଚିନ୍ତାଗ୍ରସ୍ଥ ରହନ୍ତିନି l ମନ ର ପ୍ରଫୁଲ୍ଲତା ତାଙ୍କ ଆଖିର ଚମକ ରୁ ହିଁ ବାରିହୋଇପଡ଼େ l

ସୁପ୍ରିୟା ଙ୍କ ମନ ମସ୍ତିଷ୍କ ରେ ଏବେ ଗୋଟିଏ ନାଁ l ସୁବାଷ l ସୁବାଷ ଙ୍କ ମେସେଜ ର ପ୍ରତିଟି କଥା ତାଙ୍କୁ କବଳିତ କରି ରଖିଛି l କିଏ ଏଇ ସୁବାଷ? କୋଉଠୁ ଓ କିପରି ଆସିଲେ?

ଏହାର ଉତ୍ତର କେବଳ ସୁପ୍ରିୟା ଦେଇପାରିବେ l

କଲେଜ ବେଳେ ଯେବେ ଅନ୍ୟ ସାଙ୍ଗ ମାନଙ୍କୁ ବୟ ଫ୍ରେଣ୍ଡ ର ହାତ ଧରି ବୁଲୁଥିବାର ସୁପ୍ରିୟା ଦେଖନ୍ତି ତାଙ୍କର ଵି ଇଚ୍ଛା ହୁଏ କାହାରି ହାତରେ ହାତ ଛନ୍ଦି ଦୂର ଦିଗବଳୟ ଆଡକୁ ଧାଇଁ ଯିବାକୁ l ସେ ଏମିତି ଜଣଙ୍କୁ ଚାହୁଁଥିଲେ ଯିଏ ତାଙ୍କର ଆଖିକୁ ପଢ଼ି ହୃଦୟ କୁ ବୁଝିପାରୁଥିବ l ଯିଏ ତାଙ୍କୁ କେବଳ ତାଙ୍କ ପାଇଁ ହିଁ ଭଲ ପାଉଥିବ l କିଛି ପାଇବା ଦେବାର ସ୍ୱାର୍ଥ ଠୁ ଦୂରରେ ରହି କେବଳ ତାଙ୍କୁ ହିଁ ଚାହୁଁଥିବ l ସେ ଚାହୁଁଥିଲେ ଆବିଳତା ବିହୀନ ନିରୋଳା ପ୍ରେମ l ମିଳିଲାନାହିଁ କିମ୍ବା ମିଳିବା ପୂର୍ବରୁ ବାପାମାଆଙ୍କ ବାଧ୍ୟ ଝିଅ ପରି ବିବାହ ର ବନ୍ଧନ ରେ ବାନ୍ଧି ହୋଇଗଲେ l

ସୁପ୍ରିୟା ଙ୍କର ସ୍ୱପ୍ନର ପ୍ରେମିକ ସେହି ସ୍ୱପ୍ନ ରେ ରହିଗଲା l ସୌମ୍ୟଙ୍କ ଅସମ୍ଭବ ନୀରବତା, ଯାନ୍ତ୍ରିକ ବ୍ୟବହାର, ମାପି ଚୁପି କଥାବାର୍ତ୍ତା ପ୍ରଥମେ ଖୁବ ଶିଷ୍ଟତା ର ପରିଚୟ ଦେଉଥିଲେ ହେଁ ପରବର୍ତ୍ତୀ ସମୟରେ ଅସହ୍ୟବୋଧ ହେଉଥିଲା ସୁପ୍ରିୟାଙ୍କୁ l

ଘର ଆଉ କଲେଜ ପୁଣି କଲେଜ ଆଉ ଘର ହେଇ ହେଇ ସୁପ୍ରିୟାଙ୍କ ଜୀବନଟା ପ୍ରତ୍ୟେକ ଦିନର ରୁଟି ଡାଲି ପରି ହୋଇଯାଇଥିଲା l ଆଦୌ ଆଗ୍ରହ ନଥିଲା, କେବଳ ଗୋଟେ ଆବଶ୍ୟକତା ପାଇଁ ଧାଉଁଥିଲେ l

ଦୁଇମାସ ତଳେ ଫେସବୁକ ରେ ଗୋଟେ ଫ୍ରେଣ୍ଡ ରିକ୍ୟୁଏସ୍ଟ ଆସିଲା l ସୁବାଷ ରାୟ l କଲେଜ ରେ ସିନିଅର ଥିଲେ l କଲେଜ ଟାଇମ ରେ ଥରେ ହେଲେ ତାଙ୍କ ସହ କଥା ହୋଇନଥିଲେ ସୁପ୍ରିୟା l ଶୁଣିଥିଲେ ସେ ଭଲ କବିତା ଲେଖନ୍ତି l କିନ୍ତୁ କେବେ ତାଙ୍କ କବିତା ପଢିବା କିମ୍ବା ଶୁଣିବାର ସୁଯୋଗ ପାଇନଥିଲେ l ପରବର୍ତ୍ତୀ ସମୟରେ ସେ କୁଆଡେ ଗଲେ ଓ କଣ କଲେ ତାର ଠିକଣା ଵି ରଖିନଥିଲେ l କାହିଁକି ବା ରଖିବେ? ତାଙ୍କ ନାଁ ମଧ୍ୟ ସୁପ୍ରିୟାଙ୍କର ମନେ ନଥିଲା l ନାମ ମନେରଖିବା ପରି ସେମିତି କିଛି କାରଣ କିମ୍ବା ସମ୍ପର୍କ ଵି ନଥିଲା ସେହି ଅଜଣା ଅଶୁଣା କବିଟି ସହ l

ସୁବାଷ ର ପ୍ରୋଫାଇଲ ଦେଖିଲା ପରେ ଯାଇ ସୁପ୍ରିୟାଙ୍କର ମନେ ପଡିଲା ୟାଙ୍କୁ କଲେଜ ଟାଇମ ରେ ଦେଖିଛନ୍ତି l ଫେସବୁକ ରେ ପୁଣିଥରେ ପରିଚୟ l ନମ୍ବର ଦିଅ ନିଆ l ପ୍ରଥମ ଥର କଥା ହେବାଟା ଥିଲା ଖୁବ ଦୀର୍ଘ ସମୟ l ତାପରେ ହ୍ୱାଟ୍ସଆପ l ପୁଣି ଭିଡ଼ିଓକଲ l

ଏମିତି ଗୋଟେ ପିଲା ମୋ ସ୍ଟୁଡେଣ୍ଟ ଲାଇଫ ରେ ଥିଲା କି? ମୁଁ କେମିତି ତାକୁ ଅତିକ୍ରମ କରି ଏତେ ଦୂର ଆସିଗଲି?

--ସୁବାଷ !ଆଉ ଫେରିହେବନି?

--କାହିଁକି ନୁହେଁ l ଜୀବନ ଟାକୁ ଯୋଉଠି ଛାଡିଆସିଥିଲ ସେଇଠି କୁ ଘୁରିକରି ଚାଲିଆସ l

--ସେଠି ଆଉ କିଛି ନାହିଁ l

--ମୁଁ ତ ଅଛି l

--ହଁ ତୁମେ ଅଛ, ମୁଁ ଅଛି ଆଉ ଅଛି ସେହି ଧୂମାଭ ଦିଗବଳୟ l

--ଆସ ଯିବା l

--ମୁଁ ଜହ୍ନ କୁ ନିଜ ହାତ ମୁଠି ରେ ଧରିରଖିବାକୁ ଚାହେଁ ସୁବାଷ l

--ମୁଁ ସାରା ଟା ଆକାଶର ନୀଳିମା ଆଣିଦେଵି l

--ସତ କହୁଛ ତୁମେ??

--ସତ ତୁମକୁ ହିଁ କହିବି l ବାକି ସଭିଏଁ ମୋ ଠାରୁ ଯାହା ଶୁଣିବେ, ସବୁ ଡାହା ମିଛ l

ସ୍ୱପ୍ନ କେବେ ବାସ୍ତବତାର ରୂପ ପାଏ କି? ସ୍ୱପ୍ନ ର ମଣିଷ ଟା କଣ ସତ ଜୀବନ କୁ ଆସିପାରେ? ସୁପ୍ରିୟାଙ୍କ ସ୍ୱପ୍ନ ସତ ହେଉଛି ନାଁ ତାଙ୍କ ସତ ଦୁନିଆଁ ରୁ ସ୍ୱପ୍ନଟା ତାଙ୍କୁ ବିଛିନ୍ନ କରିବାକୁ ଆସିଛି ? ଆଜି ବାଲକୋନୀ ରେ ଏକା ବସି ସୁପ୍ରିୟା ପ୍ରାପ୍ତି ଅପ୍ରାପ୍ତି ର ହିସାବ କରୁଛନ୍ତି l ନିଜକୁ ପ୍ରଶ୍ନ କରୁଛନ୍ତି ଆଉ ଉତ୍ତର ଖୋଜି ପାଉନାହାଁନ୍ତି l

ସୌମ୍ୟ ଦୁଇଦିନ ପାଇଁ କନଫରେନ୍ସ ରେ ଯାଇଛନ୍ତି l ସୁପ୍ରିୟା ସେହି ଦିନ ଦୁଇଟି କୁ ନିଜ ଇଚ୍ଛା ମୁତାବକ ଜୀଇଁବାକୁ ଆଗୁଆ ଯୋଜନା ପ୍ରସ୍ତୁତ କରିରଖିଛନ୍ତି l

ସୁପ୍ରିୟା ଖୁବ ସକାଳୁ ଉଠି ସୁବାଷ ଙ୍କର ଗୋଟେ କବିତା ବସି ପଢୁଛନ୍ତି ;

" ସେହି ଦିନସବୁ ସଦା ସତେଜ

ଚିହ୍ନା ଅଚିହ୍ନା ର ଅଡ଼ୁଆ ସୂତା

ନଜର ପଡିଲେ ତଳକୁ ମୁହଁ

ସ୍ୱପ୍ନର ଚକ୍ଷୁ ଠୁ ପଳାୟନ

ମନର ଏତେ ପାଖରେ ଥାଇଵି

ସମ୍ପର୍କ ରେ ଅୟୁତ ବ୍ୟବଧାନ

ଭୁଲିନି କି ନାହିଁ ଭୁଲିବାର

ସ୍ୱପ୍ନ କୁ ପାଇଛି ସ୍ୱପ୍ନରେ

ରଖିଛି ତୁମକୁ ସାଇତି

ଦେଇଛି ମନ ତଳେ ଅଲିଭା ଗାର ll........"

କବିତା ପଢା ଅଧାରୁ ରଖି ଫୋନ କଲ ଉଠେଇଲେ l

ସୁବାଷ ଙ୍କର ଭସା ଭସା କଣ୍ଠ ରୁ ପ୍ରଥମେ ଭାସିଆସିଲା :

--ହାଲୋ l କଣ କରୁଛ?

--ତୁମ କବିତା ପଢୁଛି l

--କୋଉଟା?

--ମନରେ ଗାର l

--କଣ ବୁଝିଲ?

--କାହାକୁ ଗାର ଦେଇ ରଖିଛ?

--ଯାହାକୁ ଏବେ ପାଇଛି l

--କଣ ଖାଲି ସ୍ୱପ୍ନ ରେ ପାଇଛ?

--ହଁ ସ୍ୱପ୍ନ ନୁହେଁ ତ ଏସବୁ ଆଉ କଣ ପ୍ରିୟା?

--ପ୍ରିୟା??

--ହଁ ପ୍ରିୟା l ସେହି ତ ମୋ ସ୍ୱପ୍ନ ନାୟିକା l ତାକୁ ହରେଇଛି ଆଉ ପାଇଛି l

--ସେ କିଏ?

--ନିଜକୁ ଚିହ୍ନିବାକୁ ବିଳମ୍ବ କାହିଁକି କରୁଛ ପ୍ରିୟା?

--ହଁ ସୁବାଷ ! ବହୁତ ବିଳମ୍ବ କରିଦେଲି l ଏବେ କଣ କରିବା? ଦିଗବଳୟ ପାଖକୁ ଯିବା?

--ପ୍ରିୟା ! ଦିଗବଳୟ କୋଉଠି ଵି ଦିଶୁନାହିଁ l ଭଲ କରି ଦେଖ ଟିକେ l ଦେଖ କେମିତି କୁହୁଡି ଛାଇ ଯାଇଛି l ଆଗକୁ ରାସ୍ତା ଖାଲି ଧୂଆଁ ଧୂଆଁ l

--ସୁବାଷ!! ମୋ ସ୍ୱପ୍ନ?? ମୋ ମନ ତଳେ ଯେଉଁ ଗାର ଟଣା ହେଇଛି?

--ସ୍ୱପ୍ନ କୁ ସଜେଇ ରଖ ପ୍ରିୟା l ଆଖି ବନ୍ଦ କରି ଦେଖ l ପାଖରେ ଅନୁଭବ କର l ସତଜୀବନ କୁ ଟାଣି ଆଣିଲେ ଅନେକ ଯାତନା l ସେ ଯାତନା ର ସମୁଦ୍ର କୁ ପାର କରି ପହଁରି ତୁମ ପାଖରେ ପହଞ୍ଚିବାରେ ସାହସ ଟା ମୋର ନାହିଁ l

ମନ ତଳର ଗାର ଟା ପା ଅଲିଭା l ଜିଇଁଥିବା ଯାଏଁ ଲିଭେନାହିଁ l ମୃତ୍ୟୁ ହୁଏତ ମିଟେଇ ଦେଇପାରେ l

--ସୁବାଷ କେହି ଡାକୁଛନ୍ତି l ମୁଁ ପରେ କଥା ହେବି l

ସୁପ୍ରିୟା ଡୋର ଖୋଲି ଦେଖିଲେ ସୌମ୍ୟ ବର୍ଷା ରେ ସମ୍ପୂର୍ଣ ଓଦା ଜଡ଼ସଡ଼ ହୋଇ ଆରପଟେ ଠିଆ ହୋଇଛନ୍ତି l

--ଆରେ କବାଟ ଟା ଖୋଲିବାରେ ଏତେ ଲେଟ କାହିଁକି କଲ?

-- ଗାର ଟାଣୁଥିଲି l

-- କୋଉଠି??

--ମନରେ l ତୁମ କନଫରେନ୍ସ?

--ଗଲି ନାହିଁ l ଫେରିଆସିଲି l ଏତେ ଗୁରୁତ୍ୱପୂର୍ଣ୍ଣ ନଥିଲା ସେହିଟା lଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମନେ ପଡିଗଲା l

--କି ଇମ୍ପୋରଟାଣ୍ଟ କାମ?

--ଏଇ ବର୍ଷା, ତୁମେ ଆଉ ମୁଁ l ଚାଲ ପ୍ରିୟା ! ଦୂର ଦିଗବଳୟ ଡେଇଁ ମେଘକୁ ଛୁଇଁଯିବା ଆମେ l

--ତୁମେ...?

--ଆରେ ଭୁଲ ରେ ମୁଁ ତୁମ ଡ଼ାଇରୀ ଟାକୁ ମୋର ଭାବି ନେଇଯାଇଥିଲି l ଏୟାରପୋର୍ଟ ରେ ବସି ଡ଼ାଇରୀ ଖୋଲିଲାରୁ ଏସବୁ ପଢ଼ିଲି l ୱେଦର ଖରାପ ଯୋଗୁଁ ଫ୍ଲାଇଟ କ୍ୟାନସେଲ ହେଇଗଲା ତ ଫେରିଆସିଲି l ଏଇ ନିଅ ତୁମ ଡ଼ାଇରୀ l

ଆରେ ଶୁଣ ଜଲଦି ଜଲଦି ଗୋଟେ କପ କଫି ବନେଇ ଆଣ l

ସୁପ୍ରିୟା ପାଟିରୁ ପଦଟିଏ ଵି କଥା ବାହାର କରୁନାହାଁନ୍ତି l ମନେ ମନେ ଭାବୁଛନ୍ତି, "ସତରେ ସ୍ୱପ୍ନ କୁ ଆଖି ବନ୍ଦ କରି ହିଁ ଦେଖି ହୁଏ l"

ସୁପ୍ରିୟା କଫି ବନାଉଛନ୍ତି ଓ ଲିଭେଇ ଦେବାକୁ ଚାହୁଁଥିବା ସେହି ଗାର ଟିକୁ ଆହୁରି ଗାଢ଼ କରି ମନ ତଳେ ଟାଣୁଛନ୍ତି l

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର

ଅଫିସ କଲେଜ କଫି

Rate the content


Originality
Flow
Language
Cover design

Comments

Post

Some text some message..