Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଟିଫିନ୍ ବକ୍ସ
ଟିଫିନ୍ ବକ୍ସ
★★★★★

© Asutosh Acharya

Inspirational

3 Minutes   14.6K    11


Content Ranking

ଯାଯାବରର ବୟସ ମାତ୍ର ନଅ କି ଦଶ ହେଇଥାଏ । ଚତୁର୍ଥ ଶ୍ରେଣୀରେ ପଢୁଥିଲା କି କଣ । ଯୌଥ ପରିବାର ବି ଭାଙ୍ଗି ସାରିଥିଲା। ସମସ୍ତେ ଅଲଗା ଅଲଗା ରହୁଥିଲେ । କଞ୍ଚା ବୟସରେ ବି ପରିପକ୍ଵ ହେଇ ସାରିଥିଲା ଯାଯାବର । ଅଭାବ ବୋଧେ ଅବେଳରେ ମଣିଷକୁ ବୟସ୍କ କରିଦିଏ କି କଅଣ !

ସେ ଦିନ ମାନଙ୍କରେ ସ୍କୁଲକୁ ଟିଫିନ୍ ବକ୍ସ ନେଇ ଯିବାର ଏକ ନୂଆ ଧାରା ପ୍ରଚଳିତ ହେଉଥିଲା । ଯେଉଁ ଛୁଆ ସ୍କୁଲକୁ ଟିଫିନ୍ ନେଇ ଯିବ ସେ ଛୁଆଙ୍କୁ ଗୋଟେ ଅଲଗା ଖାତିର ମିଳୁଥିଲା । ଭଳିକି ଭଳି ରଙ୍ଗୀନ ଟିଫିନ୍ ବକ୍ସ ଆଉ ଖାଦ୍ୟ । ଆଃ ! ଅଭାବ ଭୋଗୀ ଚାଲୁଥିବା ଯାଯାବରକୁ ବି ଧର୍ଯ୍ୟହରା କରିଦେଲା । କେଜାଣି କେମିତି ତା ପରିପକ୍ଵ ମନଟା ଗୋଟେ ସାମୟିକ ଆବେଗରେ ବିଚଳିତ ହେଇଉଠିଲା ।

ସେ ବି ତ ସ୍କୁଲ ଯାଉଛି । ସେ କାହିଁ ଟିଫିନ୍ ନେବନି ? ବିଦ୍ରୋହ କରିଉଠିଲା ତା ମନ । ଆଉ ଦି ପହରେ ଘରକୁ ଖାଇ ଆସିବିନି । ସାଙ୍ଗରେ ନେଇ ଆସିବି ଖାଇବା । ମୋର ବି ଦରକାର ଗୋଟେ କାର୍ଟୁନ ଚିତ୍ର ଥିବା ଟିଫିନ୍ ବକ୍ସ । ଏମିତି କେତେ କଣ ଭାବି ବସିଲା ସେ ।

ଘରେ ମୁହଁ ଫୁଲେଇ ଅଭିମାନ କରି ବସିଲା ସେ । ମାଆ ତାର ସବୁ ବୁଝିପାରେ । କିନ୍ତୁ ଗୋଟେ ଟିଫିନ୍ ବକ୍ସ ବି କିଣିବାକୁ ପଇସା ଦରକାର !

କଉଠୁ ଆସିବ ! ଦି ବେଳା ଭାତ ପାଇଁ ଯେଉଁଠି ଜୀବନ ସହ ଲଢ଼ିବାକୁ ହେଉଛି ସେଇଠି ଟିଫିନ୍ ପାଇଁ ଖାଦ୍ୟ କେମିତି ଯୋଗାଡ ହେବ ?

ଯାଯାବର ନୋଛଡ଼ବନ୍ଧା । ଟିଫିନ୍ ନେବ ତ ସ୍କୁଲ ଯିବ । ନହେଲେ ନାଇଁ । ମା ପାଖରେ ଆଉ ଉପାୟ ନଥିଲା । ବିକିଦେଲା କେଇମାଣ ଚାଉଳ । ଅଟା କିଣି ସୋରିଷ ତେଲରେ ତିଆରି ହେଲା ପରଟା । ଆଳୁ ଭଜା ଟିକେ ବନେଇ ଗୋଟେ ନୀଳ ପଲିଥିନରେ ବାନ୍ଧି ବଢ଼େଇଦେଲା ଯାଯାବର ହାତକୁ । ୟେ କଣ ! ପଲିଥିନ ? ଟିଫିନ୍ ବକ୍ସ କାଇଁ ! ମୁଁ ୟାକୁ ନେବିନି । ଚିତ୍କାର କରି ଉଠିଲା ଯାଯାବର । ମାଆ ବୁଝେଇଲେ ତାକୁ । କିଣିଦେବାର ପ୍ରତିଶୃତି ପରେ , ସେ ଖାଦ୍ୟ ନେଇ ବିରଦର୍ପରେ ସ୍କୁଲ ଚାଲିଲା ।

ସେ ଯାହାହେଉ ଟିଫିନ୍ ନହେଲେ ନାହିଁ ,ଖାଦ୍ୟ ତ ନେଇ କି ଯାଉଛି । ଏତିକି ତା ପାଇଁ ଯଥେଷ୍ଟ ଥିଲା , ଖାତିର୍ ର ଭିଡ଼ରେ ନିଜକୁ ସାମିଲ କରିବା ପାଇଁ ।

ସ୍କୁଲ ଯିବା ବେଳେ ସତେଯେମିତି ତା ଠି ଲାଗିଥିଲା ଦୁଇଟା ଡେଣା ! . ସମୟ ସରୁନଥିଲା । ଖାଇଛୁଟିର ଘଣ୍ଟି ସେତେ ଯେମିତି ବାଜିବା ଭୁଲିଯାଇଥିଲା !

ଶେଷରେ ବାଜିଲା ଘଣ୍ଟି ! ପିଲା ବାହାରିଲେ ଟିଫିନ୍ ବକ୍ସ ଆଉ ପାଣିଵୋତଲଧରି । ଯାଯାବର ବି ପଲିଥିନ ପୁଡ଼ିଆ ଧରି ଧାଇଁଲା ଭିଡ଼ ପଛରେ । ତାକୁ ଦେଖି କିଛି ଆଶ୍ଚର୍ଯ୍ୟ ହେଲେ । ପଲିଥିନରେ ଖାଇବା ଦେଖି କିଛି ନାକ ଟେକିଲେ । ମୁଁ ବି ଟିଫିନ୍ ବକ୍ସରେ ଆଣିବି । ଯାଯାବର ଧୀରେ ଉତ୍ତର ଦେଲା।

ଉପମା , ବ୍ରେଡ଼ ,ଫଳ ପରି ଖାଦ୍ୟ ଦେହକୁ ହିତ ,କିନ୍ତୁ ପରଟା ଆଉ ଆଲୁଭଜାର ବାସ୍ନା ସବୁ ଜିଭରେ ଲାଳର ଫୁଆରା ଫୁଟେଇ ପାରେ ଏଇଟା ସେ ଦିନ ଯାଯାବର ଜାଣିଗଲା । ଯେଉଁ ମାନେ ନାକ ଟେକୁଥିଲେ ସେମାନେ ତାଙ୍କ ଉପମା କି ସୁଜି ହାଲୁଆରୁ ୟାକୁ ଦେଇ ୟା ପରଟାରେ ଆଗ୍ରହ ଦେଖେଇଲେ । ଗଡ଼ ଜିତିଗଲା କି ଯାଯାବର !

ତା ପରଦିନ ମାଆ କେଉଁଠୁ ଗୋଟେ ଆଲୁମିନିୟମ ପୁରୁଣା ଟିଫିନ୍ ବକ୍ସ ଆଣିଦେଲେ ଯାଯାବର ପାଇଁ । ଇଚ୍ଛା ନଥିଲେ ବି ପରିବାରର ଅବସ୍ଥା ଦେଖି ଚୁପ ରହିଲା ଯାଯାବର । ମିଠା ଖେଚୁଡ଼ି ଭରି ମାଆ ବଢ଼େଇଦେଲେ ତା ହାତକୁ । ସେ ଦିନ ବି ଯାଯାବର ଚାରିପାଖରେ ଗହଳି ଜମିଲା । ଦୁଇ ଚାରିଦିନରେ ଯାଯାବରକୁ ବି ମିଳିଲା ଆଦୃତି । ଭଲ ଖାଦ୍ୟ ଆଣୁଚି । ସେଦିନ ରାତି ସେ ସ୍ୱପ୍ନରେ ଦେଖିଲା ତାର ଭଲ ଖାଦ୍ୟର ଟିଫିନ୍ ,ଗହଳି ,ତା ଖାଦ୍ୟକୁ ଅନ୍ୟମାନେ ଛଡେଇ ଖାଇବାର ଦୃଶ୍ୟ ସବୁ । ତାକୁ ଖୁବ ଭଲ ଅନୁଭବ ଦେଇଚାଲିଲା ସେ ସ୍ବପ୍ନସବୁ ।

ତା ପର ସକାଳେ ତାକୁ ଅପେକ୍ଷା କରିଥିଲା ବିଡ଼ମ୍ବନା । ଅଭାବୀ ପରିବାର ସବୁବେଳେ ଭଲ ଖାଇବା କଉଠି ପାଇବେ । ମୁଢି ଗୁଣ୍ଡରେ ଚିନି ମିଶେଇ ଯାଯାବରକୁ ଟିଫିନ୍ ବଢ଼େଇଦେଲେ ମାଆ । ଚୁପଚାପ ନେଇ ସ୍କୁଲ ଗଲା ସେ । ସେଦିନର ପରିସ୍ଥିତି ଅଲଗା ଥିଲା । ଯାଯାବରର ଟିପିନ ଖୋଲିବାକୁ ଚାତକ ପରି ଚାହିଁ ବସିଥିବା ଆଖି ଗୁଡାକ ସଙ୍କୁଚିତ ହେଇଗଲେ । ତା ସହ ସଙ୍କୁଚିତ ହେଇଗଲା ଯାଯାବରର ମନ । ଭିଡ଼ ବି ଦୁରେଇଗଲା ।ଏମିତି ତା ପର ଦିନ ଗୁଡିକରେ ଜାଉଭାତ , ସିଝାମୁଗ , ଲୁଣ ଲେମ୍ବୁ ଦିଆ ଚୁଡା ଚକଟା ପରି ସାମାନ୍ୟ ଖାଦ୍ୟ ସବୁ ତା ସ୍ୱପ୍ନ ଆଉ ଖାତିର୍ ର ଇମାରତ ସବୁ ଭାଙ୍ଗି ଚାଲିଥିଲା । ସ୍କୁଲର ଅନତି ଦୂରରେ ଗୋଟେ ବଡ଼ ପଥର । ତା ପଛରେ ଲୁଚି ,ଛଳ ଛଳ ଆଖିରେ ଯାଯାବର ,ଉଦରସ୍ତ କରିଚାଲିଲା ଏଇ ସବୁ ଅଭାବର ଷ୍ଟାମ୍ପ ମରା ଖାଦ୍ୟ ।

ଧୀରେ ଧୀରେ ସେ ବୁଝିଗଲା ଯେ ଖାଦ୍ୟ ହି ମଣିଷକୁ ଆକର୍ଷିତ କରେ । ଟିଫିନ୍ ବକ୍ସର ଭୂମିକା ହି ନଗଣ୍ୟ ।

ସେଇ ପଥର ପଛପଟେ ଯାଯାବର ବି ଦିନେ ଚପଳତାକୁ ଜଳାଞ୍ଜଳି ଦେଇଥିଲା ।

ପରେ ସେ ଆପଣେଇ ନେଲା ଗତାନୁଗତିକ ଜୀବନ । ଆଉ କେବେ ବି ସେ ଟିଫିନ ବକ୍ସ ପାଇଁ ଜିଦ୍ କି ଅଭିମାନ କରିନି ।

ଯାଯାବର ଟିଫିନ୍ ଖାଦ୍ୟ

Rate the content


Originality
Flow
Language
Cover design

Comments

Post

Some text some message..