Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Inspirational

3  

sushama Parija

Inspirational

ବନ୍ଧୁ

ବନ୍ଧୁ

21 mins
7.9K


ସବୁ ଦିନ ଭୋରରୁ ଉଠି ପ୍ରାଣାୟାମ ସାରି ଗାଁ ଦାଣ୍ଡରେ ଘେରାଟାଏ ମାରି ଆସିବା ପ୍ରବୋଧର ପୁରୁଣା ଅଭ୍ୟାସ । ଆସିଲା ବେଳକୁ ବଟୁ ଦୋକାନରୁ ଚାହା ପିଉ ପିଉ ସମ୍ବାଦପତ୍ରଟି ଉପରେ ଆଖି ବୁଲାଇ ଆଣିଲା ପରେ ଦେଉଳ ଦାଣ୍ଡରେ ବସିଥିବା ପରିବା ବିକାଳୀ ମାନଙ୍କ ପାଖରୁ ସଜ ପନିପରିବା ଦି'ଟା ସୁବିଧା ଦରରେ କିଣାଯାଇ ପରେ ଘର ପାଇଁ । ବ୍ୟାଗ୍ ରେ ପୁଳାଏ ସଜ ପନିପରିବା କି ସଜ ଚୁନାମାଛ ଦି'ଟା ଦେଖି ଦେଲେ ରାଧିକା ଖୁବ୍ ଖୁସି ହୁଅନ୍ତି, ତାଙ୍କର ସେଇ ମଲ୍ଲୀ ଫୁଲିଆ ହସ ଧାରକ ପ୍ରବୋଧଙ୍କର ମନରେ ଦିନଟା ଯାକର ଉର୍ଜା ଭରିଦିଏ । ଗାଁ ପାଖରୁ ଦଶ କିଲୋମିଟର ଦୂରରେ ଥିବା ସ୍କୁଲ୍ କୁ ସାଇକେଲ୍ ଚଲେଇ ଯିବା ଆସିବାର କଷ୍ଟଟା ଜଣା ପଡେନାହିଁ ଜମା । ପ୍ରାଇମେରୀ ସ୍କୁଲ୍ ମାଷ୍ଟର ଚାକିରିର ନିଅଣ୍ଟିଆ ଦରମାରେ ସାନ ସାନ ପୁଅ ଝିଅଙ୍କ ପାଠପଢା ଖର୍ଚ୍ଚ ସହିତ ଘରର ଅନ୍ୟାନ୍ୟ ଖର୍ଚ୍ଚ ତୁଲାଉ ତୁଲାଉ ରାଧିକାଙ୍କ ଖୁସି ପାଇଁ ଅଧିକ କିଛି କରିପାରନ୍ତି ନାହିଁ ପ୍ରବୋଧ । ରାଧିକା ମଧ୍ୟ କେବେ ବି କିଛି ଅଧିକ ଦାବୀ କରିନାହାଁନ୍ତି ତାଙ୍କ ପାଖରେ, ସେଇ ସୀମିତ ଆୟରେ ଯଥାସମ୍ଭବ ଘର ଚଳେଇ ନେଇ ସ୍ଵାମୀଙ୍କ ଛୋଟ ଛୋଟ ଖୁସିରେ ଖୁସି ହୋଇଥାନ୍ତି ସେ ।

ସେଦିନ ଥିଲା ବୁଧବାର, ଆମିଷ ବାର , ଚୁନା ମାଛ କିଛି ମିଳିଗଲେ ରାଧିକାଙ୍କ ମନ ଖୁସି ହେବ । ଆର ଗାଁ ଦଣ୍ଡା ସାହିର ସ୍ତ୍ରୀ ଲୋକ ମାନେ ସକାଳୁ ସକାଳୁ ଚୁନା ମାଛ ପସରା ଧରି ଗାଁ ଗାଁ ବୁଲି ବିକ୍ରି କରିବାକୁ ବାହାରି ଆସନ୍ତି, ତାଙ୍କରି ବାଟ ଜଗି ବଟୁ ଦୋକାନରେ ଚାହା ପିଇବା ପରେ ସମ୍ବାଦପତ୍ରଟି ନେଇ ପଢିବାକୁ ଆରମ୍ଭ କଲା ପ୍ରବୋଧ । ମୁଖ୍ୟପୃଷ୍ଠାଟି ପଢି ସାରି ଦ୍ବିତୀୟ ପୃଷ୍ଠା ଓଲଟାଇବା ବେଳେ ଗୋଟିଏ ବିଜ୍ଞାପନ ଦେଖି ଆଖି ଦୁଇଟି ସ୍ଥିର ହୋଇଗଲା ତା'ର । କିଡ଼ନୀ ଆବଶ୍ୟକ ଶିରୋନାମାରେ ଦିଆ ହୋଇଥିବା ବିଜ୍ଞାପନ ତଳେ ଲେଖା ହୋଇଥିବା ଠିକଣାଟି ଥିଲା ବିକାଶଙ୍କ ଘରର ଠିକଣା । ବିଜ୍ଞାପନଟିକୁ ପୁଣି ଥରେ ଭଲ ଭାବରେ ପଢିଲା ପ୍ରବୋଧ । ନିଜର ଏକମାତ୍ର ପୁତ୍ରର ପ୍ରାଣ ରକ୍ଷା କରିବା ଲାଗି କିଡ଼ନୀଟିଏ ନିତାନ୍ତ ଆବଶ୍ୟକ ଏବଂ ସ୍ଵେଚ୍ଛାରେ କିଡ଼ନୀ ଦାନ କରିବା ବ୍ୟକ୍ତିଙ୍କୁ ତାଙ୍କ ଇଚ୍ଛା ମୁତାବକ ମୂଲ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ବିକାଶର ମାଆ ଆଶାପୂର୍ଣ୍ଣା ଦେବୀ । ଇଛୁକ ବ୍ୟକ୍ତି ନିମ୍ନ ଠିକଣାରେ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି । ଆଚମ୍ବିତ ହେଲା ପ୍ରବୋଧ ,ତଳେ ଲେଖା ଥିବା ଠିକଣା '' ମନୀଷା ନିଳୟ , ପାରେଶ୍ୱର ସାହି, କଟକ ''କୁ ଦେଖି । ରେଭେନ୍ସା କଲେଜ ହଷ୍ଟେଲରେ ରହି ପାଠ ପଢିବା ବେଳେ

' ମନୀଷା ନିଳୟ' ଥିଲା ପ୍ରବୋଧର ଦ୍ବିତୀୟ ଘର ଭଳି । ରେଭେନ୍ସା କଲେଜର ୱେଷ୍ଟ୍ ହଷ୍ଟେଲରେ ରହୁଥିଲା ପ୍ରବୋଧ । ଦିନେ ଖରା ବେଳଟାରେ ସେ ହଷ୍ଟେଲର ପାଣିଚିଆ ଡାଲିକୁ ଅମୃତଭଣ୍ଡାର ପାଣିଆ ଝୋଳ ସହିତ ଭାତକୁ କଷ୍ଟେମଷ୍ଟେ କଣ୍ଠାଗ୍ରତ କରୁଥିବା ବେଳେ ପହଞ୍ଚିଥିଲା ବିକାଶ । ଭାତଥାଳି ଆଉ ପ୍ରବୋଧର ମୁହଁକୁ ଚାହିଁଲା ଘଡିଏ । ତା'ପରେ ଅଧାଖିଆରୁ ତା'କୁ ଭିଡି ଭିଡି ନେଇଥିଲା ତାଙ୍କ ଘର '' ମନୀଷା ନିଳୟ''କୁ । ମାଆ ଆଶାପୂର୍ଣ୍ଣା ଦେବୀଙ୍କୁ ଚିହ୍ନେଇ ଦେଇଥିଲା '' ଇଏ ମୋର ସାଙ୍ଗ ପ୍ରବୋଧ, ଢେଙ୍କାନାଳର ଗଦାଶୀଳା ଗାଆଁରୁ ଆସିଛି , ହଷ୍ଟେଲରେ ରହୁଛି, କାଲିଠାରୁ ସିଏ ଏଇଠି ଖାଇବ, ଆମ ଘରେ '' । ଲାଜ ଲାଜ ହୋଇ ଆଶାପୂର୍ଣ୍ଣା ଦେବୀଙ୍କର ପାଦ ଛୁଇଁ ପ୍ରଣାମ କରିଥିଲା ପ୍ରବୋଧ । ମମତା ବୋଳା ହସ ଟିକେ ହସି ତା'କୁ କୋଳେଇ ନେଇଥିଲେ ସେ । ରୋଷେଇଆ ନନାଙ୍କୁ ଦୁଇ ଜଣଙ୍କ ପାଇଁ ଖାଇବା ବାଢିବାକୁ କହି ମୁହଁ ହାତ ଧୋଇ ଖାଇବାକୁ ବସ ବୋଲି କହିଥିଲେ ପ୍ରବୋଧକୁ । ବିକାଶ ଆଉ ପ୍ରବୋଧ ଦୁଇ ଜଣ ଯାକ ଡାଇନିଂ ଟେବୁଲ୍ ଉପରେ ବସି ଖାଇବା ବେଳେ ପାଖରେ ଛିଡ଼ା ହୋଇ ଏଇଟା ଖାଅ, ସେଇଟା ଖାଅ, କର ବଳେଇ ବଳେଇ ଖୁଆଇଥିଲେ ସେମାନଙ୍କୁ । ସେଦିନର ତାଙ୍କର ସେଇ ଆନ୍ତରିକତା ଆଉ ସ୍ନେହଶୀଳ ସ୍ୱଭାବ ଦେଖି ପ୍ରବୋଧ ବୁଝି ପାରିଥିଲା ବିକାଶର ଏଇ ଆକାଶ ଭଳି ବିରାଟ ହୃଦୟ ଏଇ ମମତାମୟୀ ମାଆଙ୍କର ଦାନ, ତାଙ୍କରି ସଂସ୍କାର । ତା'ପରେ ମାସକରେ ପ୍ରାୟ କୋଡ଼ିଏ ଦିନ ଖାଉଥିଲା ବିକାଶ ସାଥୀରେ ତାଙ୍କ ଘରେ।

ବିକାଶ ସହିତ ତା'ର ଭେଟ ହୋଇଥିଲା ଗୋଟାଏ ବିଷମ ପରିସ୍ଥିତିରେ । ସେତେବେଳକୁ ସେ ନୂଆ କରି ଆସିଥାଏ ରେଭେନ୍ସା କଲେଜକୁ । ଗାଁ ସ୍କୁଲରୁ ପ୍ରଥମ ଶ୍ରେଣୀରେ ଭଲ ନମ୍ବର ରଖି ପାଶ୍ କରିଥାଏ । ଚାଷବନ୍ଦୀ ଘର ତାଙ୍କର, ବାପା ଥିଲେ ଏକ ମାତ୍ର ରୋଜଗାରର ଉତ୍ସ । ନିଜର ଜମି ବାଦ୍ ଆଉ କିଛି ଭାଗଚାଷ କରନ୍ତି । ଯାହା କିଛି ଆୟ ହୁଏ ସେଥିରେ ସ୍ବାମୀ ସ୍ତ୍ରୀ ଆଉ ପୁଅଝିଅ ଦୁଇଜଣ ଦୁଃଖେ ସୁଖେ ବର୍ଷକ ଚଳି ଯାଆନ୍ତି । ପିଲାଟି ଦିନରୁ ପ୍ରବୋଧ ଥିଲା ପ୍ରଖର ମେଧାବୀ । ମେଧାବୃତ୍ତି ପାଇ ମାଟ୍ରିକ୍ ପର୍ଯ୍ୟନ୍ତ ପଢିଲା ।

ଝିଅ ପ୍ରତିମା ସପ୍ତମ ଶ୍ରେଣୀରେ ଫେଲ୍ ହୋଇ ଘରେ ବସିଲାରୁ ଧାର କରଜ କରି ତା'କୁ ସେଇ ଗାଁ ପାଖରେ ଗୋଟିଏ ଚାଷବନ୍ଦୀ ଘର ଦେଖି ବାହାଘର କରିଦେଲେ । ତେଣୁ ଅର୍ଥାଭାବରୁ ବାପା ଚାହୁଁଥିଲେ ପ୍ରବୋଧ ଆଉ ଆଗକୁ ନପଢି ସିଟି ଟ୍ରେନିଂ ନେଇ ଶିକ୍ଷକତା କରୁ । କିନ୍ତୁ ପ୍ରବୋଧ ମନରେ ଥିଲା ପାଠ ପଢା ପ୍ରତି ଅସମ୍ଭବ ଦୁର୍ବଳତା । ସେ ଚାହୁଁଥିଲା ପାଠଶାଠ ପଢି ଚାକିରୀ ବାକିରୀ କରିବ, ଭଲ ଘରଦ୍ଵାର କରିବ, ବାପା ମାଆଙ୍କୁ ସୁଖରେ ରଖିବ। ଯୋଗକୁ ସେଦିନ ସ୍କୁଲ୍ ର ହେଡ୍ ସାର୍ ଙ୍କ ସହିତ ଗାଁ ମୁଣ୍ଡରେ ଦେଖା ହୋଇଗଲା ପ୍ରବୋଧର । ପାଦ ଛୁଇଁ ପ୍ରଣାମ କଲାରୁ ଆଗକୁ କ'ଣ କରିବ ବୋଲି ପଚାରିଲେ ସାର୍ । ଆଗକୁ ପଢାପଢି କରିବା ଲାଗି ତା'ର ଇଚ୍ଛା ଏବଂ ବାପାଙ୍କ ଅନିଚ୍ଛା କଥା କହୁ କହୁ କାନ୍ଦି ପକାଇଥିଲା ପ୍ରବୋଧ । କିଛି ସମୟ ଗୁମ୍ ମାରି ରହିଗଲେ ସାର୍ । ତା'ପରେ କହିଲେ ତମର ପଢିବାର ଆଗ୍ରହ ଦେଖି ମୁଁ ଭାବୁଛି ତମକୁ କିଛି ସାହାଯ୍ୟ କରିବି କଲେଜରେ ଆଡ୍ ମିସନ୍ କରିବା ପାଇଁ ମୋର ସୀମିତ ସମ୍ବଳରେ, ହେଲେ ତୁମର ଚଳିବା ଲାଗି ପଇସା ତମକୁ ନିଜେ ଯୋଗାଡ କରିବାକୁ ପଡିବ । କଟକରେ ମୋର ଜଣେ ବନ୍ଧୁ ରହନ୍ତି ତାଙ୍କୁ କହି ମୁଁ ତୁମ ପାଇଁ କିଛି ଟିଉସନ ଯୋଗାଡ କରିଦେବି । ତୁମେ ପାରିବ ତ ? କୃତଜ୍ଞତାରେ ମୁଣ୍ଡ ନଇଁ ଯାଇଥିଲା ପ୍ରବୋଧର। ଘରେ ବାପାଙ୍କୁ ସବୁ କଥା ଜଣାଇ ବୁଝାଶୁଝା କରି କଟକ ଆସି ରେଭେନ୍ସା କଲେଜରେ ଆଇ ଏ ପଢିବା ଲାଗି ଆଡମିସନ କରି ହଷ୍ଟେଲରେ ରହିଥିଲା । ହେଡ୍ ସାର୍ ଙ୍କ ବନ୍ଧୁ ଜଣକ ଖୁବ୍ ସାହାଯ୍ୟ ସହଯୋଗ କରିଥିଲେ । ନିଜ ଘରେ ସପ୍ତାହେ ରଖିଥିଲେ ହଷ୍ଟେଲ ମିଳିବା ଯାଏ ସବୁ ଦାୟିତ୍ବ ନେଇ । ଅଳ୍ପ ଦିନ ମଧ୍ୟରେ ଟିଉସନ ଗୋଟାଏ ଦୁଇଟା ବୁଝି ଦେବେ ବୋଲି ଆଶ୍ଵାସନା ଦେଇଥିଲେ । କଲେଜରେ ପ୍ରଥମ ଦିନରେ ହିଁ ଆରମ୍ଭ ହୋଇଯାଇଥିଲା ରାଗିଙ୍ଗ୍। ନୂଆ କରି କଲେଜ ଆସିଥିବା ପିଲାଙ୍କୁ ସିନିୟର ପିଲାଏ ଧାଡ଼ି ବାନ୍ଧି ଠିଆ ହୋଇ ସାଲ୍ୟୁଟ୍ ମାରିବାକୁ କହିଥିଲେ । ସେତିକିରେ ସରି ନଥିଲା । ଲାଇନ୍ କରି ବସିଥିବା ସିନିୟର ମାନଙ୍କ ପାଦ ତଳେ ମୁଣ୍ଡ ଲଗାଇ ପ୍ରଣାମ କରିବା ଲାଗି କୁହାଯାଇଥିଲା ସେମାନଙ୍କୁ । ସେମିତି ପ୍ରଣାମ କରି କରି ଜଣେ ଜଣେ ଯାଉଥିଲା ବେଳେ ଜୋର୍ଗୋରେଟିଏ ଥାପଡ ପଡିଲା ପ୍ରବୋଧର ମୁଣ୍ଡ ଉପରେ । ପତଳା ଗଢଣର ହୋଇଥିବାରୁ ସମ୍ଭାଳି ପାରିନଥିଲା ପ୍ରବୋଧ, ମୁହଁକୁ ମାଡି ତଳେ ପଡି ଯାଇଥିଲା, ଲମ୍ବା ନାକଟି ତଳେ ମାଡ ହୋଇ ରକ୍ତ ବାହାରି ପଡିଥିଲା । ଅନ୍ୟ ପିଲାମାନେ ଡରି ମରି ଚୁପ୍ ହୋଇ ରହିଥିଲା ବେଳେ ପ୍ରତିବାଦ କରିଥିଲା ତା'ରି ପାଖରେ ଛିଡ଼ା ହୋଇ ଥିବା ବିକାଶ । ସିନିୟର ମାନଙ୍କ ନାଲି ଆଖିକୁ ଡରି ନଥିଲା । ତୁମକୁ କାହିଁକି ସାଲ୍ୟୁଟ୍ ମାରିବୁ? କାହିଁକି ତୁମ ମାନଙ୍କ ଗୋଡ ତଳେ ପଡିବୁ? କାହିଁକି ଆମକୁ ତମେ ମାନେ ଏମିତି ଅପମାନିତ କରିବ? କହି ,ଭିଡି ଯାଇଥିଲା ସେମାନଙ୍କ ପାଖକୁ । ସେମାନଙ୍କ ସହ ହାତାହାତି ହୋଇ ଚେତେଇ ଦେଇଥିଲା ଯେ ସେମାନେ ପାଠ ପଢିବାକୁ ଆସିଛନ୍ତି, ଅପମାନ ସହିବାକୁ ନୁହେଁ । ବିକାଶର ସାହସ ପାଇ ସମସ୍ତେ ଏକଜୁଟ ହୋଇ ପ୍ରତିବାଦ କରିଥିଲେ । ପରିସ୍ଥିତି ଭିନ୍ନ ଆଡକୁ ଯାଉଥିବା ଦେଖି ସିନିୟର ମାନେ ଧୀରେ ଧୀରେ ଛତ୍ରଭଙ୍ଗ ଦେଇଥିଲେ । ଝଡ ଥମିଗଲା ପରେ ପ୍ରବୋଧକୁ ନିଜ ବାହୁରେ ତୋଳି ଧରି ନେଇ ଯାଇଥିଲା ହଷ୍ଟେଲକୁ। ତା'ର ସେବା ଶୁଶ୍ରୁଷା କରି ସାଷ୍ଟମ କରିଥିଲା । ସେଇ ଦିନ ଠାରୁ ସେମାନେ ସାଙ୍ଗ ହୋଇ ଯାଇଥିଲେ । ପ୍ରବୋଧ ଠାରୁ ତା'ର ଘରର ଅବସ୍ଥା କଥା ଶୁଣିବାପରେ ଆହୁରି ଦୃଢ ହୋଇଥିଲା ସେମାନଙ୍କ ବନ୍ଧୁତା । ଦୁହିଁଙ୍କ ଭିତରେ ଅନ୍ତରଙ୍ଗତା ଏତେ ବଢି ଯାଇଥିଲା ଯେ କେହି କାହାକୁ ଛାଡି ଦଣ୍ଡେ ହେଲେ ବି ରହି ପାରୁନଥିଲେ । ବିକାଶ ଥିଲା ଧନୀ ବାପାଙ୍କର ଏକ ମାତ୍ର ସନ୍ତାନ । କୋଠା ବାଡି ଧନ ଦୌଲତ କେଉଁଥିରେ ଅଭାବ ନଥିଲା । ସବୁ ସତ୍ତ୍ବେ ବି ତା'ର ମନରେ ଟିକିଏ ହେଲେ ଗର୍ବ ନଥିଲା । ପ୍ରବୋଧକୁ ସେ ଏତେ ଭଲ ପାଉଥିଲା ଯେ କୌଣସି ପୂଜାପର୍ବରେ ଘରେ ତା' ପାଇଁ ହଳେ ପୋଷାକ କିଣା ହେଲା ବେଳକୁ ପ୍ରବୋଧ ପାଇଁ ମଧ୍ୟ ହଳେ ପୋଷାକ କିଣି ଆଣୁଥିଲା । ପ୍ରବୋଧର ହଜାରେ ବାରଣ ସତ୍ତ୍ଵେ ମଧ୍ୟ ରାଣ ନିୟମ ଦେଇ ବାଧ୍ୟ କରି ପିନ୍ଧାଉଥିଲା ତା'କୁ । ସାଙ୍ଗ ହୋଇ ଖାଉଥିଲେ, ସାଙ୍ଗ ହୋଇ ପଢୁଥିଲେ, ସାଙ୍ଗ ହୋଇ ବୁଲାବୁଲି କରୁଥିଲେ , ଯେତେବେଳେ ଦେଖିବ ଦୁହେଁ ଏକାଠି ଥିବେ । ସାଙ୍ଗସାଥୀ ମାନେ ଥଟ୍ଟାରେ ତାଙ୍କୁ ଡାକୁଥିଲେ ଯାମଳା ଅର୍ଜୁନ ବୋଲି ।

ଧୀରେ ଧୀରେ ସମୟ ଗଡ଼ି ଚାଲିଥିଲା । ଆଇ ଏ ପାଶ୍ କଲା ପରେ ବିକାଶର ବାପା ତାକୁ ଦିଲ୍ଲୀ ପଠାଇ ଦେଇଥିଲେ ତା'ର ମାମୁଁ ଘରେ ରହି ଜେ ଏନ୍ ୟୁରେ ପଢିବା ପାଇଁ । ଆଉ ପ୍ରବୋଧର ବାପାଙ୍କର ହଠାତ୍ କାଳ ହୋଇ ଯିବାରୁ ବାଧ୍ୟ ହୋଇ ଢେଙ୍କାନାଳରେ ରହି ନିଜର ମାଆଙ୍କୁ ଦେଖାଶୁଣା କରିବା ଲାଗି ପଡିଥିଲା । ସେଇଠି ସି ଟି ଟ୍ରେନିଂ ନେଇ ଶିକ୍ଷକତା କରିଥିଲା ପ୍ରବୋଧ । ପ୍ରଥମେ ପ୍ରଥମେ ଚିଠି ଦିଆନିଆ କରି ପରସ୍ପରର ଭଲ ମନ୍ଦ ବୁଝାବୁଝି କରୁଥିଲେ ସେମାନେ ହେଲେ ସମୟାନୁକ୍ରମେ ଦୂରତା ବଢି ଯାଇଥିଲା ।

ଶେଷରେ ସଂସାର ଜଞ୍ଜାଳରେ ବ୍ୟସ୍ତ ରହି କେହି କାହାର ଖବର ରଖି ପାରିନଥିଲେ । ଆଜି ବହୁତ ଦିନ ପରେ ସମ୍ବାଦପତ୍ରର ଏଇ ବିଜ୍ଞାପନଟି ଦେଖି ସବୁ ସ୍ମୃତି ତାଜା ହୋଇଗଲା ପ୍ରବୋଧର। ମନ ବିଚଳିତ ହୋଇ ଉଠିଲା କେମିତି ଯାଇ ସେ ବିକାଶକୁ ଭେଟିବ । ଦୀର୍ଘ ବର୍ଷର ନୀରବତା ପରେ ଏମିତି ଗୋଟିଏ ଦୁଃସମ୍ବାଦ ପାଇ ହୃଦୟ ଭିତରଟା ଖଣ୍ଡ ବିଖଣ୍ଡିତ ହୋଇ ପଡୁଥିଲା ,ଆଖିରେ ଲୁହ ରହୁନଥିଲା । ସମ୍ବାଦପତ୍ରଟି ଧରି ସିଧା ଆସି ପହଞ୍ଚିଲା ଘରେ । ତା'ର କାନ୍ଦୁରା ମୁହଁ ଆଉ ଅସ୍ତ ବ୍ୟସ୍ତ ଭାବ ଦେଖି ରାଧିକା ଅନୁମାନ କରିନେଲେ ଯେ କିଛି ଗୋଟିଏ ଅଘଟଣ ଘଟିଛି ଯାହା ଅନ୍ତର ଭିତରେ ଝିଞାରି ପକାଉଛି ତାଙ୍କୁ । କିଛି ପଚରା ଉଚରା ନକରି ପାଣି ଗ୍ଲାସ୍ ଟିଏ ବଢେଇ ଦେଇଥିଲେ ପ୍ରବୋଧଙ୍କର ହାତକୁ । ଥକ୍କା ହୋଇ ବାରଣ୍ଡାରେ ବସି ପଡି ପାଣି ଗ୍ଲାସ୍ ଟି ଢକ ଢକ କରି ପିଇଗଲା ପରେ କିଛି ନକହି ସମ୍ବାଦପତ୍ରରେ ବାହାରି ଥିବା ବିଜ୍ଞାପନଟିକୁ ରାଧିକାଙ୍କୁ ଦେଖାଇ ଭୋ ଭୋ କରି କାନ୍ଦି ପକାଇଥିଲେ ପ୍ରବୋଧ । ବାହାଘର ପରେ ଅନେକ ଥର ବିକାଶ ଏବଂ ପ୍ରବୋଧଙ୍କର ବନ୍ଧୁତା ବିଷୟରେ ଶୁଣିଛନ୍ତି ରାଧିକା । ଏତେ ଥର ଆଉ ଏମିତି ବର୍ଣ୍ଣନା କରି କହିଛନ୍ତି ପ୍ରବୋଧ ଯେ ରାଧିକାଙ୍କୁ ଲାଗେ ସେ ଜୀବନ୍ତ ଭାବେ ଦେଖିଛନ୍ତି ସେସବୁକୁ । ତାଙ୍କର ମନେହୁଏ ତାଙ୍କର ଏଇ ସରଳ ,ନିରୀହ , ହୃଦଯବନ୍ତ ସ୍ଵାମୀଟି ତାଙ୍କ ବ୍ୟତୀତ କେବଳ ବିକାଶଙ୍କୁ ହିଁ ଭଲ ପାଆନ୍ତି ଏ ସଂସାରରେ ।

ସ୍ଵାମୀଙ୍କ ଅନ୍ତରର ବେଦନାକୁ ମର୍ମେ ମର୍ମେ ଅନୁଭବ କଲେ ରାଧିକା । ସ୍ଵାମୀଙ୍କର ଆଖିରୁ ଲୁହ ପୋଛିଲା ବେଳକୁ ନିଜ ଅଜାଣତରେ ତାଙ୍କ ଆଖିରୁ ବି ଲୁହ ଝରି ପଡୁଥିଲା । କିଛି ସମୟ ପରେ ପ୍ରକୃତିସ୍ଥ ହୋଇ ସ୍ତ୍ରୀଙ୍କୁ ସବୁ କଥା କହିବି ପ୍ରବୋଧ ବାହାରି ପଡିଲେ କଟକ ।

ଗାଁ ବସ୍ ଷ୍ଟାଣ୍ଡରୁ ବସ୍ ଧରି କଟକ ବାଦାମବାଡ଼ିରେ ପହଞ୍ଚିଲା ପରେ ଅଟୋରିକ୍ସାଟିଏ ଧରି ଚାଲିଲେ ''ମନୀଷା ନିଳୟ'' କୁ । ଅନେକ ଦିନ ହେବ କଟକ ଛାଡିବାର । ରାସ୍ତା ଘାଟ କୋଠା ବାଡି ସବୁ ଏମିତି ଭାବରେ ଗଢି ଉଠିଛି ଯେ ପାରେଶ୍ୱର ସାହିରେ ପହଞ୍ଚି ଘରଟି ପାଇବାକୁ ତାଙ୍କୁ ଦୁଇ ଘଣ୍ଟା ଲାଗିଗଲା ।

ସେଇ ପୁରୁଣା କାଳିଆ ଦୁଇ ମହଲା କୋଠାଟି, ଯିଏ ଦିନେ ଚୂନ ଧଉଳା ହୋଇ ଧୋବ ଫରଫର ତାଜମହଲ ପରି ଝଟକୁଥିଲା ଆଜି ସିଏ ଜରା ଜୀର୍ଣ୍ଣ ପ୍ରାଚୀର ଘେରା ପରିତ୍ୟକ୍ତ ଘରଟିଏ ଭଳି ଦିଶୁଛି । କଳଙ୍କି ଲଗା ଗେଟ୍ ଟି ଖୋଲି ଭିତରକୁ ପାଦ ବଢାଇଲେ ପ୍ରବୋଧ , ଦିନେ ନାନା ଜାତି ଫୁଲରେ ଭର୍ତ୍ତି ହୋଇ ରହୁଥିବା ବଗିଚାରେ ଆଜି ଘାସ କେରାଏ ବି ଦିଶୁନି । ସେଇ ବିଶାଳକାୟ ନାଲି ବାରଣ୍ଡା ଯିଏ ତେଲ ମାରିଲା ଭଳି ସବୁବେଳେ ଚକ୍ ଚକ୍ କରୁଥିଲା, ଆଜି ସେ ବିବର୍ଣ୍ଣ, ଠାଏ ଠାଏ ପଲସ୍ତରା ଛାଡି ଫାଟି ଆଁ କରିଛି । ବାରଣ୍ଡା ଅତିକ୍ରମ କରି ଦାଣ୍ଡ ଦରଜାରେ ଠକ୍ ଠକ୍ କଲେ ପ୍ରବୋଧ । ବେଶ୍ କିଛି ସମୟ ପରେ ଯିଏ ଆସି ଦରଜା ଖୋଲିଲେ ତାଙ୍କୁ ଦେଖି ହଠାତ୍ ଚିହ୍ନି ପାରିଲେ ନି ପ୍ରବୋଧ । ସେଇ ଗୋରା ତକତକ ସୁନ୍ଦର ଚେହେରାର ଦେବୀ ଜଣକ ପରିବର୍ତ୍ତିତ ହୋଇ ସାରିଥିଲେ ଜଣେ ପକ୍ୱକେଶା, କ୍ଷୀଣକାୟା ବୃଦ୍ଧାରେ । ଆଖିରେ ମୋଟା ଫ୍ରେମ୍ ର ଚଷମା ପିନ୍ଧି ଥିଲେ ମଧ୍ୟ ଚିହ୍ନି ପାରିଲେନି ପ୍ରବୋଧଙ୍କୁ। ଧୈର୍ଯ୍ୟଚ୍ୟୁତ ହୋଇ ପ୍ରବୋଧ ତାଙ୍କର ପାଦ ଦୁଇଟିକୁ ଜାବୁଡ଼ି ଧରି କାନ୍ଦି ଉଠିଲେ ମାଆ ବୋଲି । ତାଙ୍କର କଣ୍ଠ ସ୍ୱରରେ ଚେତନା ପଶିଲା ବୃଦ୍ଧାଙ୍କର। ପ୍ରବୋଧ କିରେ ବୋଲି କହି ତଳୁ ଉଠାଇ ତାଙ୍କୁ ଛାତିରେ ଚାପି ଧରିଲେ ସେ । ଦୁଇ ଜଣଙ୍କ ଆଖି ଲୁହରେ ବିଗତ ଦିନର ସ୍ମୃତିରେ ପଡି ଯାଇଥିବା ଧୂଳି ସବୁ ଧୋଇ ହୋଇଯାଇଥିଲା । ଆଶାପୂର୍ଣ୍ଣା ଦେବୀ କାନ୍ଦି କାନ୍ଦି ପ୍ରବୋଧ ଆଗରେ ବଖାଣି ଗଲେ ଏଯାବତ୍ ବିକାଶ ଜୀବନରେ ଘଟିଯାଇଥିବା ଘଟଣା ସବୁ ।

ରେଭେନ୍ସା କଲେଜ ଛାଡ଼ି ବିକାଶ ଦିଲ୍ଲୀ ଯାଇ ଜେ ଏନ୍ ୟୁ ରେ ନାମ ଲେଖାଇଥିଲା ଇଣ୍ଟିଗ୍ରେଟେଡ ଏଲ୍ ଏଲ୍ ବି ପଢିବା ଲାଗି। ବଡଲୋକଙ୍କ ପିଲାଙ୍କ ସହିତ ମିଶି ପାଠଶାଠ ପଢିଲା କମ୍ ,ରାଜନୀତି କଲା ବେଶୀ ।

ପାନ, ସିଗାରେଟ୍ ଠାରୁ ମଦ ଯାଏଁ ଯାବତୀୟ ବଦଭ୍ୟାସ ସବୁ ଶିଖିଲା ସେମାନଙ୍କ ପାଖରୁ । ପାଠପଢା ସରୁ ସରୁ ତା'ର ଜଣେ ବଙ୍ଗାଳୀ ସହପାଠିନୀ ସଲୀଳା ବୋଷ୍ କୁ କୋର୍ଟ ମ୍ୟାରେଜ୍ କଲା କାହାକୁ ନଜଣାଇ । ତା'ର ଶଶୁର ସେଠାରେ ଜଣେ ଜଣାଶୁଣା ବ୍ୟବସାୟୀ । ଗୋଟିଏ ବୋଲି ଅଲିଅଳି ଝିଅ ଟିର ଜିଦ୍ କୁ ମାନି ନେଇ ସିନା ବିକାଶ ସାଥୀରେ ତା'ର ବାହାଘର କରିଦେଲେ କିନ୍ତୁ ତା'ର ସଂସାର ଗଢିବାକୁ ଦେଲେ ନାହିଁ ।

ସେ ଚାହୁଁଥିଲେ ସଲୀଳା ସାଥୀରେ ବିକାଶ ଆସି ତାଙ୍କ ଘରେ ଘର ଜୋଇଁ ହୋଇ ରହୁ , ତାଙ୍କର ବ୍ୟବସାୟ ବୁଝାବୁଝି କରୁ। ସଲୀଳା ମଧ୍ୟ ବାପ ଘରର ଅୟସ ,ଆରାମ, ଐଶ୍ଵର୍ଯ୍ୟ ଛାଡି ଆସିବାକୁ ଚାହୁଁ ନଥିଲା । ନିଜ ପ୍ରେମର ସୁନ୍ଦର ଜାଲରେ ଫସାଇ ବିକାଶକୁ ନିଜ ଘରକୁ ନେଇ ଗଲା ସଲୀଳା । ଏପଟେ ବିକାଶର ବାପା ବିକାଶର ଏଇ ସବୁ ଅଧଃପତନ ଦେଖି ସବୁ ଦିନେ ମନସ୍ତାପରେ ସଢି ସଢି ଦିନେ ହୃଦ୍ ଘାତରେ ପ୍ରାଣ ହରାଇଲେ । କାଳର କୁ ଦୃଷ୍ଟି ପଡିଥିଲା ବୋଧହୁଏ ଆମ ଘର ଉପରେ । ବିକାଶର ବାପାଙ୍କର ବ୍ୟବସାୟ ଅନେକ ଦିନରୁ କ୍ଷତିରେ ଚାଲୁଥିଲା ଏବଂ ସେ ଋଣ ଭାରରେ ବୁଡ଼ି ରହିଥିଲେ ସେ କଥା ସେ କାହାରିକୁ ଜଣାଇ ନଥିଲେ । ତାଙ୍କ ପରେ କରଜ ଦାତାଙ୍କ ସୁଅ ଛୁଟିଲା ଘରକୁ । ବେପାର ବନ୍ଦ ହେଲା , ଜମିବାଡ଼ି , ଗହଣା ଗାଣ୍ଠି ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା, ତଥାପି କରଜ ଶୁଝିଲାନି । ଏପଟେ ନିଜର ପାରିବାରିକ ଜୀବନର ଅଶାନ୍ତିରେ ଛଟପଟ ହୋଇ ବିକାଶର ମଦ ପିଇବା ଅସମ୍ଭବ ଭାବେ ବଢି ଯାଇଥିଲା । ସେଇ ମଦ୍ୟପାନରୁ ଧୀରେ ଧୀରେ ତା'ର କିଡ଼ନୀ ନଷ୍ଟ ହେବାକୁ ଲାଗିଲା । ଅତ୍ୟଧିକ ବେମାର ହୋଇ ଶଯ୍ୟାଶାୟୀ ହେଲା ସେ । ସେଠି କାହାରି ପାଖରେ ସମୟ ନଥିଲା ତା'ର ସେବା ଶୁଶ୍ରୂଷା କରିବା ଲାଗି । ତେଣୁ ନିରାଶ ହୋଇ ଘରକୁ ଫେରି ଆସିଲା ଦିନେ । ସିଏ ସିନା ଦିନେ ଆମକୁ ପାଶୋରି ଦେଇ ନିଜ ସଂସାର ଗଢିବାକୁ ଯାଇଥିଲା, ହେଲେ ମୁଁ ପରା ମାଆ, ତା'କୁ ନେଇ ତ ମୋ ସଂସାର । ତା'କୁ ସେମିତି ରୋଗରେ ପୀଡ଼ିତ ହୋଇ ମରିବାକୁ ଛାଡି ଦେଇ ପାରିଥାଆନ୍ତି କେମିତି । ତେଣୁ ଏଇ ଘରଟି ବିକ୍ରି କରି ତା'ର ଚିକିତ୍ସା କରିବି ବୋଲି ଲାଲା ମଦନ ଲାଲ୍ ଙ୍କ ସହିତ ଚୁକ୍ତି କରିଛି । ସେ ପାଞ୍ଚ ଲକ୍ଷ ଟଙ୍କା ଅଗ୍ରୀମ ଦେଇଛନ୍ତି।ସେଇ ଟଙ୍କାରେ ବିକାଶର ଚିକିତ୍ସା ଚାଲିଛି ।

କୋଡ଼ିଏ ଲକ୍ଷ ଦାମ୍ ହୋଇଛି ଘରର । ବିକାଶ ଭଲ ହେବା ଲାଗି ଯାହା ଖର୍ଚ୍ଚ ହେବ ହେଉ । ମୋ ପୁଅ ଭଲ ହୋଇ ଘରକୁ ଫେରି ଆସିଲେ ତା'କୁ ଧରି କୋଉଠି ଛୋଟ ଭଡା ଘରଟିଏ କରି ଚାଲିଯିବି । ଖାଲି ଜଣେ ଦାତାଙ୍କୁ ଦରକାର ଯାହାଙ୍କ ରକ୍ତ ମୋ ପୁଅର ରକ୍ତ ସହିତ ମ୍ୟାଚ୍ କରୁଥିବ , ଗୋଟିଏ କିଡ଼ନୀ ଦେଇ ସେ ମୋ ପୁଅର ଜୀବନ ରକ୍ଷା କରିବେ । ଯେତେ ଟଙ୍କା କହିବେ ମୁଁ ଦେବି, ସାରା ଜୀବନ ପଛେ ତାଙ୍କର ଚାକରାଣୀ ହୋଇ ରହିବି, ସେଥିରେ ମୋର ଅବଶୋଷ ନାହିଁ, ଖାଲି ମୋ ପୁଅ ଜୀବନଦାନ ପାଉ।

କଥା ଶେଷ କଲା ବେଳକୁ କାନ୍ଦି କାନ୍ଦି କଇଁ ଉଠି ଯାଉଥିଲା ଆଶାପୂର୍ଣ୍ଣା ଦେବୀଙ୍କର । ତାଙ୍କର ଦୁଇ ହାତକୁ ମୁଠାଇ ଧରି ସାନ୍ତ୍ବନା ଦେଲା ପ୍ରବୋଧ । କହିଲା '' ଯାହା ଘଟିବାର ଥିଲା ଘଟିଗଲାଣି ମାଆ ! ଆପଣ ଆଉ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କର ଗୋଟିଏ ପୁଅ ସିନା ବେମାର ପଡ଼ିଛି , ଆଉ ଗୋଟିଏ ପୁଅ ପରା ଆପଣଙ୍କ ପାଖରେ ପହଞ୍ଚି ଗଲାଣି, ସିଏ ତା'ର ଶେଷ ନିଶ୍ଵାସ ଥିବାଯାଏ ବିକାଶକୁ ମରିବାକୁ ଦେବ ନାହିଁ , ଏକଥା ଆଜି ମୁଁ ଆପଣଙ୍କ ପାଦ ଛୁଇଁ ଶପଥ କରି କହୁଛି । କଲେଜରେ ବ୍ଲଡ୍ ଡୋନେସନ୍ କ୍ୟାମ୍ପ୍ ରେ ବ୍ଲଡ୍ ଦେବାବେଳେ ଜାଣିଥିଲୁ ଆମ ଦୁହିଁଙ୍କର ବ୍ଲଡ୍ ଗ୍ରୁପ୍ ଏକା ବୋଲି । ଭାବିଥିଲୁ ସେଇଥି ଲାଗି ବୋଧହୁଏ ଈଶ୍ବର ଆମକୁ ଏମିତି ଏକ ଦୃଢ ବନ୍ଧୁତାରେ ବାନ୍ଧି ଦେଲେ ହେଲେ ସେଇ ବନ୍ଧୁତା ଯେ ଦିନେ ମୋତେ ଏମିତି ଗୋଟିଏ ପୂଣ୍ୟ କାମ କରିବାକୁ ସୁଯୋଗ ଦେବ ସେକଥା ସ୍ବପ୍ନରେ ବି ଭାବି ନଥିଲି । ବିକାଶକୁ ମୁଁ ମୋର ଗୋଟିଏ କିଡ଼ନୀ ଦେଇ ତା'ର ଜୀବନ ରକ୍ଷା କରିବି ମାଆ , ମୁଁ ତା'ର ବନ୍ଧୁ ନୁହେଁ,ତା'ର ଭାଇ ,ତା'ର ସଖା । ତମେ ହସ୍ପିଟାଲକୁ ମତେ ନେଇ ଚାଲ, ଯାହା ଆନୁସଙ୍ଗିକ ପରୀକ୍ଷା ନିରୀକ୍ଷା କରିବା କଥା ସେମାନେ କରନ୍ତୁ ହେଲେ ଯଥାଶୀଘ୍ର ଅପରେସନ୍ କରିବାର ବ୍ୟବସ୍ଥା କରନ୍ତୁ । ଆଉ ଏ ଘରଟା ବିକ୍ରି କରିବା କଥା କୁହନା ମାଆ। ମୁଁ ଗାଆଁକୁ ଗଲେ କିଛି ବ୍ୟବସ୍ଥା କରିବି , ଲାଲା ବାବୁଙ୍କ ଟଙ୍କା ଆସ୍ତେ ଆସ୍ତେ ପରିଶୋଧ କରି ଦେବା ''।

ଆଶାପୂର୍ଣ୍ଣା ଦେବୀ ଭାବୁଥିଲେ ତାଙ୍କର ଠାକୁର ଘରେ ସବୁଦିନେ ପୂଜା ପାଉଥିବା ମଦନମୋହନ ମୂର୍ତ୍ତିରେ ଠାକୁର ନାହାଁନ୍ତି ସେ ଓହ୍ଲାଇ ଆସିଛନ୍ତି ପ୍ରବୋଧ ରୂପରେ ଧରାପୃଷ୍ଠକୁ । ଦୁଇ ହାତକୁ ଯୋଡି ମୁଣ୍ଡରେ ଲଗାଇ ପ୍ରଣାମ କଲେ ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ।


Rate this content
Log in

Similar oriya story from Inspirational