Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନାରୀ ଏକ ପ୍ରେରଣା
ନାରୀ ଏକ ପ୍ରେରଣା
★★★★★

© Bindu Nibedita

Classics Inspirational

16 Minutes   14.4K    16


Content Ranking

ନୀଡ..!!!(ଏକ ଉତ୍ତର ବୟସର କାହାଣୀ)

ଆପଣମାନଙ୍କର "ନୀଡ" ଆପଣମାନଙ୍କୁ ସ୍ଵାଗତ କରୁଛି I ବାହାର ବୋର୍ଡଟା ପଢି ଚମକି ଗଲା ଶ୍ରବଣ ହଠାତ୍..!! ଠିକ୍ ଜାଗା ମାନେ ଏଇଟା ଶ୍ରଦ୍ଧା ନୀଳୟ ତ..!! ହଁ.. ପଛ ବୋର୍ଡକୁ ପଢିକି ଠିକ୍ ଜାଗାକୁ ଆସିଛି ବୋଲି ଭାବିଲା I ଆଶ୍ରମ ଭିତରେ ଛୋଟ ଘରଟିଏ I ବ୍ୟାଗଟା ରଖି କି ଆଗ ଘରଟି ଊପରେ ଗୋଟିଏ ଅନାଗ୍ରହର ଦୃଷ୍ଟି ଟିଏ ନିକ୍ଷେପ କଲା I ଛୋଟ ବେଡ଼ ରୁମର ଘରଟିଏ, ସାମନାରେ ଛୋଟ ବାଲକୋନୀ ଆଉ ବାହାରେ ଗଛ ଭର୍ତ୍ତି I ନିରାଡମ୍ବର ସାଜ ସଜା;..ପ୍ରତିଟି ଜିନିଷରେ ତାଙ୍କ ସ୍ପର୍ଶ ବାରି ହେଇ ଯାଉଥାଏ I

 "ଏ ବାବୁ ବସ...!! ମା ତଳକେ ଯାଇଛି...ଆସ୍....ବ ଟିକେ ପରେ" I

 ପାଣି ଗ୍ଲାସଟେ ଥୋଇ ଦେଇ ଭିତରକୁ ଚାଲିଗଲା ସ୍ତ୍ରୀ ଲୋକଟି । କାନ୍ଥରେ କିଛି ପୁରୁଣା ଓ କିଛି ନୂଆ ଫଟୋ ଟଙ୍ଗା ହେଇଛି । କୋଳାହଳ ବାତାବରଣରୁ ଦୂରରେ ଚୁପଚାପ ଶାନ୍ତ ପରିବେଶ । ଆଖି ତ ଆପେ ଆପେ ମୁଜି ହେଇ ଯାଉଥାଏ ଆଖି ଦୁଇଟି । ଟିକେ ବିଶ୍ରାମ ନେଇଗଲେ କେମିତି ହୁଅନ୍ତା..!! ମନେମନେ ଭାବୁଥାଏ ଶ୍ରବଣ । ନା..ନା..ଯେତେ ଜଲଦି ହେବ କାମ ସାରି ପୁଣି ଟ୍ରେନ ଧରି ଫେରିବାକୁ ପଡିବ ।ଏହା ଭିତରେ କେତେବେଳେ ଆଖିଟିକେ ଲାଗିଯାଇଛି । ହଠାତ...କାହା ପାଟିରେ ଆଖି ଖୋଲିଗଲା ।

 "ନାଇଁ... ଯାହା ସମସ୍ତେ ଖାଇବେ ଆମେ ବି ସେଇଆ ଖାଇବୁ । କିଛି ଅଲଗା ବନ୍ଦୋବସ୍ତର ଆବଶ୍ୟକତା ନାହିଁ..."କହି କହି ଡ୍ରଇଂରୁମକୁ ପଶି ଆସିଲେ ଭଦ୍ର ମହିଳା ।"ତୁ...ଏଠି...!! ହଠାତ୍ କେମିତି"।

 ସେ ବି ଅବାକ୍ ହେଇ ଦେଖୁଥିଲା ତାଙ୍କୁ। ଇଏ କ’ଣ ବସେଇ, ଯାହାଙ୍କୁ ସେ କିଛିଦିନ ତଳେ ଦେଖିଥିଲା ।ତ୍ରସ୍ତା ହରିଣୀର ଚେହେରା, ଚୁପଚାପ ଯେପରି ଦୟାପ୍ରାର୍ଥୀ..ନିଷ୍ପ୍ରଭ ଓ ଶୂନ୍ୟତା ଭରା ଆଖି। କିନ୍ତୁ..,ଯିଏ ତ ସାମନାରେ ଥିଲେ, ପ୍ରାଣ ପ୍ରାଚୁର୍ଯ୍ୟରେ ଭରା ପୂର୍ଣ୍ଣ ବ୍ୟକ୍ତିତ୍ଵଟିଏ ।

 "କଣ ହେଲା!! ତୁ କେମିତି ଏଠି..!! ହଉ ଯା... ଟିକେ ଫ୍ରେସ ହେଇ ଆସେ । କିଛି ଖାଇନେ; ମୁଁ ବି ଟିକେ ଗାଧୋଇ ପାଧୋଇ ଠାକୁରଙ୍କୁ ମୁଣ୍ଡିଆଟେ ମାରିକି ଆସୁଛି, ତାପରେ କଥା ହେବା “ଏହା କହି ଶ୍ରୀମୟି ଘର ଭିତରକୁ ଚାଲିଗଲେ..। ଅଗତ୍ୟା..ଶ୍ରବଣ ବି ଫ୍ରେସ ହେବାକୁ ଉଠିଲା । କିଛି ସମୟ ପରେ ଶ୍ରବଣ ତା ନିତ୍ୟକର୍ମ ସାରି ପୁଣି ଡ୍ରଇଂରୁମକୁ ଆସିଲା I ଖବରକାଗଜଟାର ଏପାଖ ସେପାଖ ଓଲଟଉ ଓଲଟଉ ଗରମ ଗରମ ଭେଜିଟେବଲ ଉପମା ଓ ତରକାରି ଥୋଇଦେଇ ଗଲା ସେ ସ୍ତ୍ରୀ ଲୋକଟି I ପାଟିରେ ଦଉ ଦଉ..ସେ ପରିଚିତ ସ୍ପର୍ଶର ଅନୁଭବ ପୁଣି ତାକୁ ଆତ୍ମବିସ୍ମୃତ କରି ବାରେ ବାଧ୍ୟ କଲା I ପୁଣି ମନେ ପଡିଗଲା..ବାପାଙ୍କ ଟ୍ରାନ୍ସଫର୍..ପାହାଡ ଜଙ୍ଗଲ ଘେରା ତଥା ପ୍ରାକୃତିକ ପରିବେଶରେ ଭରା ସେତେବେଳ ର ବଢେଇପୁର ପରି ଛୋଟ ସ୍ଥାନଟିଏ I ନା... ଗାଁ କହିହେବ ନା ସହର I ଏମିତି କେତେ ସକାଳେ ଟିଉସନରୁ ଫେରି ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେବା ବଦଳରେ ବାରି ପଟେ ଭାଡି କରି ରଖାଯାଇଥିବା ପାଳ ଗଦାରେ କୁକୁଡା ଅଣ୍ଡା ଖୋଜା; ନହେଲେ ପିଜୁଳି ଗଛରେ କୂଅ ଦଉଡିକୁ ଗଣ୍ଠି ପକେଇ ସାଙ୍ଗମାନଙ୍କ ସହିତ ମାଙ୍କଡ ପରି ଓଲଟା ଝୁଲି "ରେମନ ସର୍କସ" ପରି କର୍ତ୍ତୃତ୍ଵ ଦେଖେଇବାର ବାହାଦୁରି ତା ସହିତ ତଳେ କଚଡା ଖିଆ ଓ ତା ସହିତ ବାକି ବଦମାସି କରୁ କରୁ ସମୟ କେମିତି ପଳଉଥିଲା ଜମା ଜଣା ପଡୁନଥିଲା। ସେପଟେ ମା’ର ଡାକ ବି ଏପଟ କାନରେ ପଶି ସେପଟେ ବାହାରିଯାଉଥିଲା I ଆଉ ବ୍ୟସ୍ତତା ଭିତରେ ଗୋଟେ ନିଃଶ୍ଵାସରେ ମତେ ଗାଧୋଇ ପାଧୋଇ ସ୍କୁଲ ଡ୍ରେସ ପିନ୍ଧେଇ ବହି ବସ୍ତାନି ସଜାଡି ଗରମ ଗରମ ଉପମା ଖୁଆଇ ନିର୍ଧାରିତ ସମୟ ଭିତରେ ସ୍କୁଲକୁ ପଠେଇଲା ପରେ ବୋଧେ ତାର ଦିନ ଚର୍ଯ୍ୟା ଆରମ୍ଭ ହେଉଥିଲା Iଏହା ତାର ଦୈନନ୍ଦିନ ରୁଟିନ୍ ବନି ଯାଇଥିଲା I ବାବାଙ୍କ ପାଖରେ ତ କେବେ ସମୟ ହିଁ ନ ଥିଲା ଆମପାଇଁ I ତାଙ୍କ ଟୁର ,ତାଙ୍କ ମିଟିଂ,ତାଙ୍କ ଅଫିସ ଭଲ ତ ସେ ଭଲ I ଯଦି ବା କେବେ ମନେ ପଡିଯାଉଥିଲା, ସେଇ ଦିନ ବର୍ଷକ ଯାକର ପାଠ ପଢା ଚେକ ହଉଥିଲା ଆଉ ପରିଣାମରେ ଅଦା ଛେଚା ପରି ଛେଚା ବି ହେଉଥିଲା I ସେଥିପାଇଁ ପ୍ରାୟତଃ "ମା" ହିଁ ଆମର ପାଠପଢ଼ାର ଦାୟିତ୍ଵ ନେଇଥିଲା I ବଦମାସି କଲେ ବି ମୁଁ ଆଉ ସୋନାଲ (ମୋ ଭଉଣୀ) ପାଠ ପଢାରେ ଆଗୁଆ ଥିଲୁ I ଆଜି ବି ମନେ ପଡୁଛି ପଢା ପାଇଁ ପୁରସ୍କାର ପାଇଲା ବେଳେ ବାବା କେମିତି ନିଶକୁ ମୋଡି ମା’କୁ "କୋଉ ବଂଶର ପିଲା" ବୋଲି ବାତ୍ସଲ୍ୟ କରି କହୁଥିଲେ..I କାରଣ ଅଜାଘର ଯଦିଓ ସମ୍ପନ୍ନ ପରିବାର ଥିଲେ କିନ୍ତୁ ଏତେ ପଢୁଆ କେହି ନଥିଲେ I ମାଟ କେବଳ ପଦେ "ହାତୀ ବନସ୍ତେ ଥିଲେ ବି ରାଜାର" ସେତିକି କହିବା ଛଡା ଉଁ କି ଚୁଁ କହୁ ନଥିଲା Iମା’ର ଆମ ଦୁଇ ଜଣଙ୍କ ଉପରେ ଅଗାଧ ବିଶ୍ଵାସ ଥିଲା ଯେ ଆମେ ସବୁବେଳେ ଗୋଟା ପଣେ ତାର ହେଇ ରହିବୁ I ତାର ଦିନ ଆମ ଚାରିପଟେ ଆରମ୍ଭ ହେଇ ଆମ ପାଖେ ହିଁ ସରୁଥିଲା I ଆଜି ବି ମନେପଡେ ପିଲାବେଳେ ସେ ଆମକୁ ଗୋଟିଏ ଗୀତ ସବୁବେଳେ ଗାଇକି ଶୁଆଉଥିଲା:                       

" ତୁହି ତ ମୋର ଜୀବନ ଧନ.

ତୁହି ତ ମୋର ଗଳା ହାର..I

ମା’କୁ ଭୁଲି ଯିବୁନି ଚାଲି..

ଦୁନିଆ ହେବ ଅନ୍ଧାର..I

 "କଣ ହେଲା...!! ଚାହାଟା ଥଣ୍ଡା ହେଲାଣି ଯେ କେତେବେଳୁ" I

ଏଁ..!!!..ହଁ..ହଁ ପିଉଛି I

ସ୍ୱତଃସ୍ଫୂର୍ତ୍ତ ଭାବେ ଏ ପଦକ କଥା ପାଟିରୁ ବାହାରିଗଲା ଓ ନିଜକୁ ଟିକେ ଅପ୍ରସ୍ତୁତ ମନେକଲା ଶ୍ରବଣ I ସାମନାରେ ଶ୍ରୀମୟି ଛିଡା ହେଇଥିଲେ I

ମାଟ ଆ ..ଆ..!!

ସେ ଦେଖୁଥିଲା ଅପଲକ ନୟନେ I ହାଲକା ନାରଙ୍ଗୀ ରଙ୍ଗ ଓ ଶାଗୁଆ ଵର୍ଡର ଶାଢୀରେ ଶାନ୍ତ ଓ ଅବିଚଳିତ ମୁଦ୍ରାରେ ଠିଆ ହେଇଥିଲେ I ମୁଣ୍ଡରେ ଛୋଟ ଟିପା ଟିଏ I ସୀମନ୍ତରେ ସିନ୍ଦୁର ଧାରେ ଭାରି ମାନୁଥିଲା I ମା’ର ସେ ପୁରୁଣା ରୂପରୁ ଆଖି ହଟୁ ନଥିଲା..I               

 କିନ୍ତୁ..ଏହା କିପରି ସମ୍ଭବ..!!..ମା’ ତ ବିଧବା..!!!

ମା’ ତାହେଲେ କ’ଣ.!!!..ନା..ନା..ସେମିତି କେବେ ହେଇନଥିବ ପୁଣି ଏ ବୟସରେ..!!..ହେ!!, କ’ଣ ଗୁଡା ଭାବିଯାଉଛି .!! ଶ୍ରବଣ ପ୍ରକୃତିସ୍ଥ ହେଲା I

ଯାହା ଭାବୁଛୁ ଠିକ୍ ଭାବୁଛୁ I ହଁ..!!!..ମୁଁ ଦ୍ଵିତୀୟ ବିବାହ କରିଛି I

ଆଁ..ଆ..ଆ..!!

କ’ଣ କହୁଛ ତମେ..!!ବାବା ନାହାନ୍ତି ବୋଲି..ଏ ବୟସରେ ଦ୍ଵିତୀୟ ବିବାହ..!!..ଛିଃ..ଛିଃ..ଏତେ ତଳକୁ କେମିତି ଯାଇପାରିଲ I

ମୁଁ..ତାନ୍ୟା (ଶ୍ରବଣ ର ସ୍ତ୍ରୀ)କୁ କେମିତି ମୁହଁ ଦେଖେଇବି, ସୋନାଲକୁ କ’ଣ କହିବି..!!

ଏ ସମାଜରେ ମୁଣ୍ଡ ଟେକି ଆମେ ଚାଲିପାରିବୁ ତ..!! ଆମ କଥା ଟିକିଏ ବି ଭାବିଲନି ଏସବୁ କରିବା ଆଗରୁ I

ତୁମମାନଙ୍କ କଥା ଭାବିଲି ବୋଲି ତ ବାହା ହେଲି Iଗମ୍ଭୀର କଣ୍ଠରେ କହିଲେ ଶ୍ରୀମୟି I             

ମାନେ..ଏ..ଏ..!!

“ତୋର ମନେ ଅଛି କି ନାହିଁ କହି ପାରିବିନି, ଯେତେବେଳେ ତୋ ବାବା ରୋଗ ଶଯ୍ୟାରେ ଥିଲେ, ଛାଇ ପରି ମୁଁ ତାଙ୍କ ପାଖେ ପାଖେ ମୁଁ ଥିଲି I କି ଦିନ କି ରାତି ସବୁ ଏକା ଥିଲା ମୋ ପାଇଁ I କିନ୍ତୁ ଯେତେବେଳେ ତାଙ୍କ ଯିବାବେଳ ଆସିଲା ସ୍ଥାବର ଅସ୍ଥାବର ସମ୍ପତ୍ତି ସବୁ ତୁମମାନଙ୍କ ନାଁରେ ଲେଖିଦେଲେ I ପେନସନ୍ ତ ମିଳୁ ନଥିଲା I କାରଣ ତୋ ବାବା ସ୍ଵେଚ୍ଛାରେ ସେବା ନିବୃତ୍ତ ହୋଇଥିଲେ I ସେତେବେଳେ ମୁଁ ଅଭିମାନ କରିଥିଲି ଯେ "ସମସ୍ତଙ୍କ କଥା ଭାବୁଛ ଅଥଚ ମୋ କଥା ଟିକେ ବି ମନରେ ଆଣୁନ ଯେ ତମ ଆବର୍ତ୍ତମାନରେ ପୁଣି ମୋର କ’ଣ ହେବ...!! ମୁଁ କେମିତି ପୁଣି ମୋ ସ୍ୱାଭିମାନରେ ବଞ୍ଚିବି..!! ହସି କି ଟିକେ ଆକ୍ଷେପ ଭରା କଣ୍ଠରେ କହିଲେ ଆମ ବଂଶ ବୁନିଆଦି ଭୁଲିଗଲେଣି କି ..? ତମ ପାଖରେ ପରା ତମର ଚଳନ୍ତି ସମ୍ପତ୍ତି ଅଛନ୍ତି I ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ସମୟ କଟିଯିବ I ଏ ବୟସରେ ସମ୍ପତ୍ତି ନେଇକି କରିବ କ’ଣ..?? ତୋ ବାବା ସବୁବେଳେ ସେମିତି I ତାଙ୍କ ନଜରରେ ମୁଁ ହେଉଛି ତମର ଆଉ ତାଙ୍କର କେଆର ଟେକର, ବାସ୍..!!! ତା ଛଡା ଯେ ମୋର ବି କିଛି ଅସ୍ତିତ୍ଵ ଅଛି, ମୋର ବି କିଛି ଇଚ୍ଛା ଅଛି; ସେ ବହୁତ ଦୂରର କଥା I ମୁଁ ବି ନିଜକୁ ବୁଝେଇ ଦେଇଥିଲି I ସେ ନହେଲେ ନାହିଁ..ମୋ ପିଲା ତ ମୋ ଗର୍ବ I ମୁଁ କାହିଁକି ଏତେ ଭାବୁଛି I କିଛିଦିନ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଲା I କାରଣ ଘରର ସବୁ କାମ ମୁଁ ସୂଚାରୁ ରୂପେ ତୁଲେଇ ପାରୁଥିଲି Iତାନ୍ୟା..କଥା ତ ନ କହିବା ଭଲ I ତାର କିଛି ଦାୟିତ୍ୱ ନ ଥାଏ କି ମୋ ସହିତ ତାର କିଛି ଯାଏ ଆସ ବି ନଥାଏ I ଧୀରେ ଧୀରେ ମୋର ଅସୁସ୍ଥତା ଆରମ୍ଭ ହେଲା,ଦିନକୁ ଦିନ ମୁଁ ଦୁର୍ବଳ ହେବାରେ ଲାଗିଲି I ଆଗପରି ଆଉ କାମଦାମକୁ ପାରିଲିନି I ଶଯ୍ୟାଶାୟୀ ହୋଇପଡିଲି I ତୁ ବି ଦିନକୁ ଦିନ ଗୁମସୁମ ଆଉ ଖାପଛଡ଼ା ହେଇଗଲୁI ଆସ୍ତେ ଆସ୍ତେ ତୋ ବ୍ୟବହାରରେ ପରିବର୍ତ୍ତନ ଆସିଲା I ଦିନକୁ ଦିନ ମୁଁ ବୋଝ ମନେହେଲି ସମସ୍ତଙ୍କ ପାଇଁ I ମୋତେ ସମ୍ଭାଳିବା ନେଇ ତମ ଭାଇ ଭଉଣୀଙ୍କ ମଧ୍ୟରେ ଢେର ଝଗଡା ଲାଗିଲା I ମୁଁ..ମୋ ନିଜ ଭିତରେ ଖଣ୍ଡ ଖଣ୍ଡ ହେଇ ଭାଙ୍ଗି ଯାଉଥିଲି, ମୋ ଗର୍ବ ସବୁ ତତଲା ବାମ୍ଫ ହେଇ ନିଃଶ୍ୱାସରେ ବାହାରି ଯାଉଥିଲେ I

 ଟିକେ ଭଲ ହେଲାପରେ, ତୋ ଘରର ଅଦରକାରୀ ବର୍ଜ୍ୟବସ୍ତୁ ପରି ମତେ ତୁ ଏଇ ଶ୍ରଦ୍ଧା ନୀଳୟରେ ଛାଡ଼ିଗଲୁ Iଭାରି ଅସହାୟ ଓ ଡର ଲାଗୁଥିଲାରେ ସେତେବେଳେ I କେମିତି ବଞ୍ଚିବିI କେବେ ତୋ ବାବା କି ତମ ଛଡା ଘରୁ ଗୋଡ଼ କାଢି ନଥିଲି I ତୁମମାନଙ୍କୁ ଛାଡି ପୁଣି ଏକ ଅପରିଚିତ ପରିବେଶରେ, ନିଜକୁ କଳ୍ପନା ବି କରି ପାରୁନଥିଲି I ନିଧି ଆଉ ରମା ମତେ ବୁଝେଇ ଶୁଝେଇ ଭିତରକୁ ନେଇଥିଲେ Iବହୁତ ଚୁପଚାପ ରହୁଥିଲି Iଏଠା ପରିବେଶ ସହିତ ଖାପ ଖୁଆଇବାକୁ ଢେର ଦିନ ଲାଗିଗଲା ମତେ I ସନ୍ଧ୍ୟାବେଳେ ମୋ ସମବୟସ୍କ ଓ ସମବୟସୀ ମାନଙ୍କ ସହ ଭଜନ ସକାଳେ ବଗିଚା କାମ, ଅନ୍ୟମାନଙ୍କୁ ସିଲେଇ ଶିଖେଇବା ଓ ଅନ୍ୟ କାମରେ ମନ ଲଗେଇ ଦିନ କଟି ଯାଉଥିଲା I ତମ ଦୁଇଜଣଙ୍କୁ ଦେଖିବାକୁ ଭାରି ଇଚ୍ଛା ହେଉଥିଲା I କେତେ ଚିଠି ତତେ ଆଉ ସୋନାଲକୁ ଲେଖିଛି Iଅନ୍ୟମାନଙ୍କର କେହି ନା କେହି ଆସୁଥିଲେ I କିନ୍ତୁ…ମୋ ପାଖକୁ..!! କେବଳ ଦଲକାଏ ପବନ ହିଁ ଆସି ଛୁଇଁ ଯାଉଥିଲା..I ଧୀରେ ମୋ କଣ୍ଠସ୍ୱର ଯୋଗୁଁ ମୋର ଆଦୃତି ବଢିବାରେ ଲାଗିଥିଲା I ଏହି ସଂସ୍ଥାର ପ୍ରତିଷ୍ଠାତା ଶ୍ରୀ ମାନବ ମହାପାତ୍ର ଥରେ ଗୋଟିଏ ଭଜନ ସଂଧ୍ୟାର ଆୟୋଜନ କରିଥିଲେ I ଭଜନ ଗାଇବାକୁ ମତେ ବି ସୁଯୋଗ ଦିଆଗଲା I ବହୁତ ପ୍ରଶଂସା ଗୋଟେଇଥିଲି ସେଦିନ Iସେଦିନ ମୁଁ ପ୍ରଥମ ଥର ପାଇଁ ଅନୁଭବ କଲି ମୋ ଅସ୍ତିତ୍ଵକୁ!!! କାହାର ମା’ ଆଉ କାହାର ସ୍ତ୍ରୀର ପରିଚୟ ବ୍ୟତିରେକେ... ମୁଁ ହେଉଛି ଶ୍ରୀମୟି ଦାସ..କେବଳ ଶ୍ରୀମୟି ଦାସ..I ବହୁତ ଖୁସି ଥିଲି ସେଦିନ; ତଥାପି ମୋ ଖୋଜିଲା ଆଖି ତମକୁ ଖୋଜୁଥିଲା, ମୋ ଖୁସିରେ ସାମିଲ ହବା ପାଇଁ I ସମସ୍ତ ଅନ୍ତେବାସୀ ଓ ମହାପାତ୍ର ବାବୁଙ୍କ ତରଫରୁ ସେଦିନ ମୋ ସମ୍ମାନରେ ଗୋଟେ ଭବ୍ୟ ଭୋଜିର ଆୟୋଜନ ହୋଇଥିଲା I

ଆଖି ଖୋଲିଲା ବେଳକୁ ସେଦିନ ମୁଁ ହସ୍ପିଟାଲ ବେଡରେ ଥିଲି I ମୋ ମୁଣ୍ଡ ପାଖରେ ମହାପାତ୍ର ବାବୁ ବସିଥିଲେ I ଜଣା ପଡିଲା ଯେ ରାତିରେ ଶୋଇଥିବା ଅବସ୍ଥାରେ ବେହୋସ୍ ହୋଇ ତଳେ ପଡିଯାଇଥିଲି ଓ ମୋ ଦେହରେ ପ୍ରଚଣ୍ଡ ତାତି ଥିଲା I କିଛିଦିନ ଚିକିତ୍ସା ପରେ ଟିକେ ଭଲ ହେଇ ଆସୁଥିଲି I କିନ୍ତୁ..ନା ଦେହରୁ ଜର ଛାଡୁଥିଲା ନା କିଛି ଖାଇ ପାରୁଥିଲି I ଶେଷକୁ ସବୁ ଟେଷ୍ଟ ହେଲାପରେ ଜଣାପଡିଲା ଯେ ମତେ କଲୋନ୍ କ୍ୟାନ୍ସର; ସର୍ଜରୀ ସାଙ୍ଗେ ସାଙ୍ଗେ କରିବାକୁ ପଡିବ ତୁମମାନଙ୍କୁ ବି ସଂସ୍ଥା ତରଫରୁ ଫୋନ ଯାଇଥିଲା, ଚିଠି ଯାଇଥିଲା I ହେଲେ ତମ ପାଖେ ମୋ ପାଇଁ ସମୟ ବି କୋଉଠି ଥିଲା..!! ତମଠାରୁ କିଛି ବି ଉତ୍ତର ମିଳିଲାନି I ପଇସାର ମହତ୍ତ୍ୱ କ’ଣ ପ୍ରଥମ କରି ଅନୁଭବ କରୁଥିଲି I ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ସେଇ ମହାପାତ୍ର ବାବୁ ହିଁ ଆଗେଇ ଆସିଲେ I ସର୍ଜରୀରୁ ହସ୍ପିଟାଲ ଛାଡିବା ପର୍ଯ୍ୟନ୍ତ ଭାଇ ପରି ମୋ ପାଖେ ଛାଇ ପରି ଥିଲେ,ପିତା ପରି ଅଭୟ ଦାୟୀ ଥିଲେ, ବନ୍ଧୁ ପରି ସବୁବେଳେ ଆଶ୍ୱାସନାର ହାତ ବଢୁଥିଲେ I ସେଇଠି ଜାଣିଲି ଜୀବନ ଜିଇବା କାହାକୁ କହନ୍ତି Iସର୍ଜରି ହେଲା । ମୋର ଯାବତୀୟ ଦାୟିତ୍ଵ ସେ ମୁଣ୍ଡେଇଲେ। ସହଭାଗିତାର ମାନେ ବୁଝିଲି । ଯୋଉ ଆଶ୍ୱାସନାର ପଦେ କଥା ପାଇଁ ସାରା ଜୀବନ ଅପେକ୍ଷା କରିଥିଲି ।ତାଙ୍କଠାରୁ ପାଇଲି।

ହସ୍ପିଟାଲରୁ ଫେରିବା ଦିନ ଡାକ୍ତର ଆମକୁ ମେଡିସିନ ସହିତ ବୁଝାଇଦେଲେ ଆଉ କହିଲେ "ଏହା ଆପଣଙ୍କ ଜୀବନର ବ୍ଲୁ ମୁନ ପିରିଅଡ୍ ବୋଲି ଭାବନ୍ତୁ I ଯେତେଦିନ ହାତରେ ଅଛି ଖୁସିରେ ରୁହନ୍ତୁ,..କାରଣ ଏ ରୋଗର କିଛି ଭରସା ନାହିଁ କେବେ ଲେଉଟାଣି ହେବ। ସେଦିନ ବୋଧେ ପ୍ରକୃତ ବାସ୍ତବତାକୁ ଅତି ନିକଟରୁ ଦେଖୁଥିଲି ।ମୋ ଘର, ମୋ ସ୍ଵାମୀ, ମୋ ପିଲା ହେଇ ସାରା ଜୀବନ କଟେଇଦେଲି। କିନ୍ତୁ ଆଜି ଅଲୋଡା ଆଖୋଜା ଭାବେ ଅପାଙ୍‌କ୍ତେୟ ଜୀବନ ବିତଉଛି । ଅଥଚ ମହାପାତ୍ର ବାବୁଙ୍କ ସମୟ ତ ଖୁସିରେ କଟିଯାଉଛି... ନା କିଛି ହରେଇବାର ଭୟ ନା କିଛି ପାଇବାର ଦାୟ । ଅନ୍ୟମାନଙ୍କ ପାଇଁ କରିବାରେ କେତେ ଯେ ଆତ୍ମସନ୍ତୋଷଟି ମିଳେ । ତାଙ୍କୁ ଦେଖିଲେ ମନେହୁଏ ।ଏହା ଭିତରେ ଆମେ ପରସ୍ପରକୁ ଢେର ବୁଝି ସାରିଥିଲୁ । ସେ ମତେ ଖୁସି ରଖିବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥିଲେ । ଧୀରେ ଆଶ୍ରମର ଅନ୍ୟ କାମରେ ବି ମୁଁ ତାଙ୍କୁ ସାହାଯ୍ୟ କରିବାରେ ଲାଗିଲି । ଯୋଉ ପାଠରେ ଶାଶୁଘର ଗଲାପରେ ଅଳନ୍ଧୁ ଲାଗିଯାଇଥିଲା, ସେ ପୁଣି କାମରେ ଲାଗିଲା ।ଏ ସବୁଥି ପାଇଁ ପ୍ରେରଣା..କେବଳ ସେ ଥିଲେ । ଦିନେ ସନ୍ଧ୍ୟାରେ ମତେ କହିଲେ "ଶ୍ରୀ” ଯଦି କିଛି ତମର ଆପତ୍ତି ନ ଥାଏ, ଯେତିକି ବି ଆଉ ସମୟ ଅଛି..ମୁଁ ତମର ସାଥୀ ହୋଇ ରହିବାକୁ ଚାହେଁ । ମୋର ସ୍ୱାମୀତ୍ୱର ଅଧିକାର ଦରକାର ନାହିଁ । ମୁଁ କିନ୍ତୁ ଗମ୍ଭୀର ଭାବେ ପଚାରିଥିଲି ଆପଣ ଏ ସବୁ ମତେ କେବଳ ଦୟା ଦେଖେଇବା ପାଇଁ କରୁ ନାହାନ୍ତି ତ । କାରଣ ମୋ ହାତରେ ସମୟ କମ ବୋଲି ଆପଣ ଜାଣିଛନ୍ତି । ପୁଣି ଏ ପରିଣତ ବୟସରେ କିଛି ଦିନ ପାଇଁ ହାତ ଧରି କି ସୁଖ ପାଇବେ । କହିଲେ "ନା"..!! ଖାଲି ଦରକାର ତୁମପରି ନିରୋଳା ବ୍ୟକ୍ତିତ୍ଵ ର ସାହଚର୍ଯ୍ୟ ଓ ବନ୍ଧୁତା । ଯେତିକି ଦିନ ହାତ ରେ ଅଛି ମିଶି କରି ସୁଖ ଦୁଃଖ ରେ କାଟିଦେବା I ମୋ ଆଖି ଭରି ଯାଇଥିଲା ଲୁହରେ I ହୁଏତ ତୁମମାନଙ୍କୁ ଖବର ଦେଇପାରିଥାନ୍ତି; କିନ୍ତୁ ଆବଶ୍ୟକ ମାନେ କଲିନି I ବିବାହ ପରେ କାର୍ଯ୍ୟ ବ୍ୟସ୍ତତା ଓ ଦାୟିତ୍ୱ ଆହୁରି ବଢିଗଲା I ଧୀରେ ଧୀରେ ଆଶ୍ରମର କଳେବର ବୃଦ୍ଧି ଘଟୁଥିଲା ତା ସହିତ ଅନ୍ତେବାସୀଙ୍କ ସଂଖ୍ୟା ବି I ଦିନେ କେହି ଜଣେ ଆଶ୍ରମରେ ଗୋଟେ କଅଁଳା ଛୁଆକୁ ଛାଡ଼ିଦେଇ ଗଲା Iସେହି ଦିନଠାରୁ ଶ୍ରଦ୍ଧା ନୀଳୟରେ ପୁଣି ସ୍ନେହ ନିବାସ ଖୋଲିଗଲା I ଏଠାର ଅନ୍ତେବାସୀମାନଙ୍କ ଅଫୁରନ୍ତ ସ୍ନେହ ମମତାରେ ମଣିଷ ହେଉଛନ୍ତି ସେମାନେ Iମୋର ତ ଜୀବନ ସେମାନେ I ଜୀବନର ସବୁ ଅବଶୋଶ ମେଣ୍ଟି ଯାଉଛି I ସବୁଠାରୁ ବଡକଥା କ’ଣ ଜାଣିଛୁ..!! ଏଠି ବଗିଚାର ମାଳିଠାରୁ ଆରମ୍ଭ କରି ମାନବ ମହାପାତ୍ର ପର୍ଯ୍ୟନ୍ତ ସମସ୍ତେ ଯାହା କରନ୍ତି ନିଃସ୍ୱାର୍ଥପର ଭାବେ ଖୁସିର ସହିତ I ଆଉ କଣ ଶୁଣିବୁ I ବହୁତ ଖୁସିରେ ଅଛି ମୁଁ I ତେଣୁ ବିବାହ କରି ସେମିତି କିଛି ବଡ ପାପ କରି ପକେଇନି I ମୋ ପରି ଜଣେ ନିଆଶ୍ରୀ ;..ସମ୍ମାନର ସହ ବଞ୍ଚିବାର ଆଶ୍ରା ପାଇଛି I ଏମିତିରେ ବି ତମ ନଜରରେ ମୋର ଅସ୍ତିତ୍ୱ କେବେଠୁ ମାଟିରେ ମିଶିଯାଇଛି I ବାକି ରହିଲା ଯେବେ ସତରେ ମୁଠାଏ ପାଉଁଶ ହେଇ ମାଟିରେ ମିଶିବି, ମୋର ଅସ୍ଥି ବିସର୍ଜନ କରିବାକୁ ତତେ କେବେ ବି କହିବିନି I ତତେ ସେ ଦାୟିତ୍ୱରୁ ମୁକ୍ତ କଲି I     

   "ଇ ମାଆ"..!! କେତେନି କେତ କଥା ଗପୁଛ..I ବାବୁକୁ କିରା ଖାବାକେ ଦବନି ଗୋ...I ନିଧି ଡାକିଲା. Iଏଁ. ହଁ..!!..ଚାଲ..!!! ଡେରି ହେଲାଣି ଖାଇବାକୁ ଯିବା I ଏଠି ହୁଏତ ତୋ ଘର ପରି ସ୍ପେସିଆଲ ଖାଇବା ନଥାଇ ପାରେ I କିନ୍ତୁ..ଲଞ୍ଚ ଆଉ ଡିନରରେ ସମସ୍ତଙ୍କ ସହିତ ଏକାଠି ବସିକି ଖାଇବାକୁ ପଡିବ I

 ମା’..ପୁଅ ଆଗ ପଛ ହୋଇ ଚାଲିକି ଆସୁଥିଲେ I ଶ୍ରବଣ ଦେଖୁଥିଲା ଆଶ୍ରମକୁ ଅତି ନିକଟରୁ I ଶ୍ରୀମୟିଙ୍କୁ ଛାଡି ଗଲାବେଳର ଆଶ୍ରମ ଆଉ ଆଜିର ଆଶ୍ରମ ଭିତରେ କେତେ ଫରକ ଲାଗୁଛି ସତେ Iଚାରିଆଡେ ଖାଲି ସବୁଜିମା, ଫୁଲ ଫଳରେ ଭର୍ତ୍ତି ଛୋଟିଆ ବଗିଚାଟେ - କିଛି ଲୋକ କାମ ବି କରୁଥାନ୍ତି, ତା ଭିତରେ ଛୋଟ ପିଲାଙ୍କ ଦୋଳି, ବିଭିନ୍ନ ପ୍ରକାର ରାଇଡ଼ର୍ସ, ସ୍ଲାଇଡ୍ ଇତ୍ୟାଦି ଇତ୍ୟାଦି ଥାଇ ଶାଗୁଆ ଘାସରେ ଭରା ଛୋଟ ଲନଟିଏ, କିଛି ସିମେଣ୍ଟ ବେଞ୍ଚ ବସିବାପାଇଁ I କିଛି ମନ୍ଦ ନାହିଁ..ବରଂ ଯଥାସାଧ୍ୟ ଆମୋଦ ପ୍ରମୋଦ ଓ ମନକୁ ଖୁସି ରଖିବା ପାଇଁ ଚେଷ୍ଟା କରାଯାଇଛି I ବଗିଚା ପାଖରେ ଦୁଇ ମହଲା ବିଶିଷ୍ଟ ମାଧ୍ୟମ ଆକାରର ଘରଟିଏ Iକାରଣ କିଛି ବୃଦ୍ଧ ବ୍ୟକ୍ତି ଓ ଛୋଟ ପିଲାଙ୍କ କୋଳାହଳ ଜଣେଇ ଦେଉଥିଲା ଯେ ବୋଧେ..ସେଇଟା ବୃଦ୍ଧା ଶ୍ରମ ଓ ଅନାଥାଶ୍ରମ..I ତା ପାଖରେ ଛୋଟ ଡିସ୍ପେନସରିଟିଏ, ତାକୁ ଲାଗି ସଂସ୍ଥାର ଅଫିସ ଆଉ ତିନୋଟି ବଡ଼ କୋଠରୀ; ଶ୍ରୀମୟି ଦେଖେଇଦେଲେ ଗୋଟେ ପିଲାଙ୍କ ପାଠ ପଢା ପାଇଁ ଆଉ ଗୋଟେ ଅନ୍ତେବାସୀଙ୍କ ପାଇଁ ଛୋଟ ଟ୍ରେନିଙ୍ଗ୍ ସେଣ୍ଟରଟିଏ ଓ ଶେଷ କୋଠରୀଟି ଗୋଟିଏ ଛୋଟିଆ ଲାଇବ୍ରେରୀ କହିଲେ ଅତ୍ୟୁକ୍ତି ହେବନାହିଁ I ତା ଛଡା ଆମ୍ବ, ପଣସ, ପିଜୁଳି, ସପେଟା, ଜାମୁକୋଳି, କଦଳୀ ଇତ୍ୟାଦିର ବୃକ୍ଷ ସମ୍ଭାର I ବଡ ବଡ଼ ଗଛ ତଳେ ସିମେଣ୍ଟ ଚଉତରା ହେଇଛି ବସିବା ଉଠିବା ପାଇଁ I ମଧ୍ୟମ ଆକାରର ବିଭିନ୍ନ ପ୍ରକାର ପରିବାରେ ଭର୍ତ୍ତି କିଚେନ ଗାର୍ଡେନଟି ଅନ୍ତେବାସୀଙ୍କ ଉଦଯୋଗୀ ମନୋବୃତ୍ତିକୁ ଦେଖଉଥାଏ I ପଛରେ କିଛି ଅଧା ଗଢା ଘର ସବୁ ଆଶ୍ରମର କଳେବର ବୃଦ୍ଧିର ସଙ୍କେତ ଦେଉଥାଏ I ମୋଟା ମୋଟି ଭାବେ କହିବାକୁ ଗଲେ ଶାନ୍ତ ସ୍ନିଗ୍ଧ ପରିବେଶରେ ଭରା ସ୍ଥାନଟିଏ I

 ଶ୍ରୀମୟି..କହିଚାଲିଥାନ୍ତି.."ଏଇ ଦେଖ ପଛପଟେ ତିନୋଟି ଜର୍ସି ଗାଈକୁ ଗୋଟିଏ ଛୋଟ ଗୁହାଳଟେ ବି ଅଛି I ଖୁବ ନିସ୍ଵାର୍ଥପର ଏମାନେ, ଶେଷ ପର୍ଯ୍ୟନ୍ତ କେବଳ ଅନ୍ୟମାନଙ୍କ ପାଇଁ ହିଁ ବଞ୍ଚନ୍ତି;ଏଇମାନଙ୍କ ଯୋଗୁ ତ ଆଶ୍ରମବାସୀ ଟିକେ ଭଲ କ୍ଷୀର ପାଇପାରୁଛନ୍ତି I ଏଇଟା ଯୋଉ ଦେଖୁଛୁ ଇଏ ହେଉଛି ଗୋବର ଗ୍ୟାସ ପ୍ଲାଣ୍ଟ, ଏହାର ସାହାଯ୍ୟରେ ଆମ ଆଶ୍ରମରେ ଚୁଲି ଜଳୁଛି I ବଗିଚା ଯୋଗୁଁ କିଛି ଫଳ ଓ ପନିପରିବା ମିଳୁଛି I ଏ ସବୁ କିଛି ବଦାନ୍ୟ ସଂସ୍ଥା, ମାନବ ବାବୁ ଓ ଅନ୍ତେବାସୀଙ୍କ ଅକୁଣ୍ଠ ସହଯୋଗରେ ସମ୍ଭବ ହେଇ ପାରିଛି I ଦେଖାଯାଉ..କେତେ ବାଟ ଯାଉଛି I ଶ୍ରବଣ ଚୁପଚାପ ନିଜ ପ୍ରଗଳଭା ମା’କୁ ଦେଖୁଥିଲା I ଝାଉଁଳି ପଡିଥିବା ଗଛଟି ଯେମିତି ନୂଆ ଜୀବନ ପାଇଥିଲା I ବାଟ ସାରା ମା’କୁ ଯେଉଁମାନେ ଦେଖୁଥିଲେ ଅଭିବାଦନ କରୁଥିଲେ I ଖୁସିରେ କଥା ବି ହେଉଥିଲେ I ଯେହେତୁ ସେ ତା ମା’କୁ ଜାଣିଥିଲା; ଆଶ୍ରମ ସାରା ତା ମା’ର ସ୍ପର୍ଶକୁ ସ୍ପଷ୍ଟ ବାରି ପାରୁଥିଲା I କେତେ ନିଜର ପଣରେ ବାନ୍ଧି ରଖିଛି ସମସ୍ତଙ୍କୁ..!! କିନ୍ତୁ ଶ୍ରୀମୟି ଯେ ଦ୍ଵିତୀୟ ବିବାହ କରିସାରିଛନ୍ତି,ଏ ପର୍ଯ୍ୟନ୍ତ ବି ସେ କଥା ହଜମ କରି ପାରୁନଥାଏ ଶ୍ରବଣ I ଏହା ଭିତରେ ସେମାନେ ଡ଼ାଇନିଙ୍ଗ ରୁମ ପାଖେ ପହଞ୍ଚି ସାରିଥିଲେ I

 ପରିଷ୍କାର ପରିଚ୍ଛନ୍ନ ଭରା ଅପେକ୍ଷାକୃତ ଟିକେ ବଡ ବଖରାଟିଏ..I ଲମ୍ବାରେ ଦୁଇଟି ବଡ ଡ଼ାଇନିଙ୍ଗ ଟେବଳ ପଡିଛି I କିଛି କୋଳାହଳ ସହ ପିଲାଙ୍କ ପାଟି ବି ଶୁଭୁଛି I ଖାଇବା ସମୟ ବୋଧେ ଆରମ୍ଭ ହୋଇଯାଇଥିଲା I ଗୋଟେ ଘଟଣା ଦେଖିକି ଶ୍ରବଣ ଆଶ୍ଚର୍ଯ୍ୟ ହୋଇଗଲା, କିଛି ପିଲା ବସି କି ଖାଉଥିଲେ I ଯେମିତି ମା’କୁ ଦେଖିଲେ ସମସ୍ତେ ଭିଡିବାକୁ ଲାଗିଲେ ଯେ ମା’ କାହା ପାଖରେ ବସିବ I କିଛି ଛୋଟ ପିଲା, ଯେଉଁମାନେ ଖାଇପାରୁଥାନ୍ତି କି ଅଝଟ କରୁଥାନ୍ତି, ତାଙ୍କୁ କିଛି ବୟୋଜ୍ୟେଷ୍ଠ ମହିଳା ବୁଝେଇ ବାଝେଇ ଖୁଆଇ ଦେଉଥାନ୍ତି I କି ସୁନ୍ଦର ଆତ୍ମୀୟତାର ପରିବେଶ ସତେ...!! ନିଜକୁ ବହୁତ ଅପ୍ରସ୍ତୁତ ସେ ମନେ କରୁଥାଏ I ଶ୍ରୀମୟି ତାକୁ ଗୋଟେ ଚେୟାରରେ ବସିବାକୁ କହି ପିଲାଙ୍କ ସହିତ ବ୍ୟସ୍ତ ହୋଇଗଲେ I ସେ ସବୁବେଳେ ସେମିତି, କିଛି କାହାର ଅସୁବିଧା ଦେଖିଲେ ନିଜକୁ ଅଟକେଇ ପାରନ୍ତିନି I କିଛି ସମୟ ପରେ ହୁଇଲ ଚେୟାରରେ କିଛି ବୃଦ୍ଧ ଓ ବୃଦ୍ଧା ଆସିଲେ I ଖାଇବାକୁ ବଢାହେଲା, ଭାତ, ଡାଲମା, ଖଟା, ସନ୍ତୁଳା ଆଉ ଭଜା I ରୁଟି ବି ଦିଆଯାଉଥାଏ,ଯେଉଁମାନେ ଭାତ ଖାଇ ପାରୁନଥାନ୍ତି I ରୋଗୀ ଓ ଦୁର୍ବଳ ମାନଙ୍କୁ ନିଜ ହାତରେ ଅନ୍ୟମାନେ ଖୁଆଇ ଦେଉଥାନ୍ତି I ତା କଥା ମଝିରେ ମଝିରେ ଆସି ଶ୍ରୀମୟି ବୁଝି ଯାଉଥାନ୍ତି I ସମସ୍ତଙ୍କ ସହିତ ପରିଚୟ କରାଇଦେଲେ ଶ୍ରୀମୟି I ଶ୍ରବଣ ଟିକେ....ଇତସ୍ତତ ହେଉଥିଲେ ବି କେହି କିଛି ବି ପ୍ରଶ୍ନ କରି ନଥିଲେ ବି ତାକୁ I ବରଂ ଜଣେ ବୁଢା ମଉସା କାନ୍ଧ ଥାପୁଡାଇ କହିଥିଲ ଯେ "ଆମେ ଆଜି ବହୁତ ଖୁସି ଯେ ତୁମ ମା’ଙ୍କୁ ଆଜି ଆମେ ଆମ ମା’ରୂପରେ ପାଇଛୁ Iଏତିକି ଯଥେଷ୍ଟ ଆମ ପାଇଁ” I ଶ୍ରବଣ ଧୀରେ ଧୀରେ ବୋକା ପାଲଟି ଯାଉଥିଲା I ସେ କ’ଣ ପାଇଁ ଏଠାକୁ ଆସିଛି ଭୁଲି ଯାଇଥିଲା I

ଶେଷ କୁ ସେଇ ପ୍ରତୀକ୍ଷିତ ମୁହୂର୍ତ୍ତ ଆସିଗଲା , ଯେତେବେଳେ ଶ୍ରୀମୟି ତାକୁ ମାନବ ମହାପାତ୍ରଙ୍କ ଅଫିସକୁ ନେଇଗଲେ I ଶ୍ରବଣ ମନରେ ଅସମ୍ଭବ କୋଳାହଳ..!!! ଦେଖିଲେ କେମିତି ପ୍ରତିକ୍ରିୟା ଦେଖେଇବ ସେ ଲୋକଟାକୁ, ଯିଏ ତାର ବାପାର ସ୍ଥାନ ନେବାର ସ୍ପର୍ଦ୍ଧା ଦେଖେଇ ପାରିଛି I କ’ଣ ତା ସହିତ ହ୍ୟାଣ୍ଡସେକ କରିବ,ପାଦ ଛୁଇଁ ପ୍ରଣାମ କରିବ..ନା କଲର ଧରି ଘୋଷାଡ଼ି ଆଣିବ..ନା ଆଉ କିଛି କରିବ I କ୍ରମେ କ୍ରମେ..ଶୁନ୍ୟ ହୋଇଯାଉଥିଲା ସେ I ଶ୍ରୀମୟି କହି ଚାଲିଥିଲେ ଇଏ ହେଉଛନ୍ତି ଶ୍ରଦ୍ଧା ନିଳୟର ସମସ୍ତଙ୍କ ଆଦରର ତଥା ଶ୍ରଦ୍ଧାର "ମାନବ ବାବୁ ବା ମାନୁ ବାବୁ"; ..ଆଉ ଇଏ ଶ୍ରବଣ I 

ଆପଣ..!!!. ସେ ପୁରା ଅବାକ୍ I

ଆପଣ ତ ବୋଧେ ଶ୍ରୀ ଦାନବେନ୍ଦ୍ର ମହାପାତ୍ର I

ହଁ..ଠିକ ଚିହ୍ନିଲ I

ମନେ ପଡିଗଲା ସେ ତାର ସେ ଦୁର୍ବିସହ ରାତି I ପ୍ରୋଜେକ୍ଟ କାମରେ ଛତିଶଗଡ଼ର ଗୋଟେ ଜାଗାକୁ ଯାଇଥିଲା I ଫେରନ୍ତା ବାଟରେ ସେ ଟ୍ରେନରେ ଡକାୟତି ହେଲା, ପୁରା ଟ୍ରେନ ଘୁମେଇ ପଡିଥିଲା I ଅଚାନକ ପରିସ୍ଥିତିକୁ ସାମନା କରିବାକୁ କେହି ପ୍ରସ୍ତୁତ ନଥିଲେ,ସେ ବି ନଥିଲା I ଯେତେବେଳେ ସେମାନେ ବଗି ପରେ ବଗି ଡେଇଁ ଭିତରକୁ ପଶି ଆସୁଥିଲେ, ସେ ଉପାୟ ଶୂନ୍ୟ ହୋଇ ପ୍ୟାକେଟଟି ଧରି କଣ କରିବ ତା ମୁଣ୍ଡରେ କିଛି ପଶୁ ନଥାଏ I ଅତି ଦୟନୀୟ ଭାବରେ କେମିତି ଟଙ୍କା ପଇସା ଓ ଜୀବନ ବଞ୍ଚେଇବ ଭାବି ଇଆଡେ ସିଆଡେ ଦେଖୁଥାଏ I କାରଣ ପାଖରେ କିଛି ହାର୍ଡ଼ କ୍ୟାସ ଓ ମୂଲ୍ୟବାନ କାଗଜପତ୍ର ଥାଏ I

କିନ୍ତୁ କିଛି ସେ ବୁଝିବା ଆଗରୁ ପାଖରେ ବସିଥିବା ବ୍ୟକ୍ତି ଜଣକ ତାକୁ ଭିଡିଆଣି ହଠାତ ସିଟ ଉପରେ ପକାଇଦେଇ, ତାର ସର୍ବାଙ୍ଗ ଏକ ଚାଦର ରେ ଢାଙ୍କିଦେଲେ ଓ ଆଖି ମୁଜି ପଡି ରହିବାକୁ ଇଶାରା ଦେଲେ I ସେ କିଛି ବୁଝିବା ଆଗରୁ ହଠାତ ଦଳେ ଲୋକ ରିଭଲଭର ଓ ଛୁରୀ ଇତ୍ୟାଦି ଦେଖେଇ ପଶି ଆସିଲେ, ଧମକ ଦେବା ଆରମ୍ଭ କଲେ । ଫାଟିପଡୁଥାଏ ବଗିଟି କ୍ରନ୍ଦନରୋଳ ଓ ଚିତ୍କାରରେ । ବୁଦ୍ଧି ଶୁନ ହୋଇଯାଉଥାଏ I ସେମାନେ ସବୁ ଦେଇଦେବାକୁ ଧମକ ଦେଲେ I ସେ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ନିଜର ପକେଟରୁ ପର୍ସ ଓ ହାତରୁ ଘଡି କାଢି ଦେଇଦେଲେ ଓ କହିଲେ ସେ ଏକ ଅନାଥାଶ୍ରମର କର୍ମଚାରୀ ଓ ସେଇ ଅନାଥାଶ୍ରମର ଆଉ ଜଣେ ଅସୁସ୍ଥ କର୍ମଚାରୀକୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲ ନେଇ ଯାଉଛନ୍ତି I ସେମାନେ କଣ ଭାବିଲେ କେଜାଣି ଖାଲି ଘଣ୍ଟାଟି ତାଙ୍କର ନେଇଗଲେ କିନ୍ତୁ ପର୍ସ ଫେରେଇଦେଲେ I ଇଏ ସେହି ଉପକାରୀ ବ୍ୟକ୍ତି ଜଣକ ଶ୍ରୀ ମାନବେନ୍ଦ୍ର ମହାପାତ୍ର ଯାହା ଯୋଗୁଁ ସେ ଅକ୍ଷତ ଅବସ୍ଥାରେ ଘରେ ପହଞ୍ଚି ପାରିଥିଲା I ପଛରେ ଶୁଣିଥିଲା ଯେ ସେ ଜଣେ ବିଶିଷ୍ଟ ସମାଜସେବୀ, ଯେ ଯେ ନିଜର ସବୁକିଛି ସମାଜ ସେବାରେ ଦାନ କରିଦେଇଛନ୍ତି । ତାହେଲେ ସେ ଶ୍ରୀମୟିଙ୍କୁ ବିବାହ କରିଛନ୍ତି ।ଭାରି ଅସହଜ ଅନୁଭବ କରୁଥିଲା ଶ୍ରବଣ ।ଜୀବନଟା ତାକୁ ଏପରି ଭାବେ ଆଇନା ଦେଖେଇବ, ଭାବି ପାରୁ ନଥିଲା; ଏକ ଭିନ୍ନ ସ୍ଵରୂପରେ ତା ସମ୍ମୁଖରେ ଛିଡା ହେଇଥିଲା..। ସେ ପୁଅ ହଉ ବା ପୁରୁଷ.. ନାରୀକୁ କେବେ କୌଣସି ଅନ୍ୟ ଏକ ପୁରୁଷ ସହିତ ସହଜରେ ଭାଗ କରିପାରେନି। ଶ୍ରୀମୟି ବୋଧେ ଜାଣି ପାରିଲେ। ସେଠାରୁ ତାକୁ ପୁଣି ନେଇ ଆସିଲେ ସେ ପୂର୍ବ ସ୍ଥାନକୁ ।

କିଛି ସମୟ ଚୁପଚାପ ମା’ ପୁଅ ବସିଲା ପରେ...ଶ୍ରୀମୟି ଆରମ୍ଭ କଲେ "ତୁ କଣପାଇଁ ଏଠିକି ଆସିଛୁ ମୁଁ ଜଣେ ।

ମୁଁ ଏଥର ତୁମକୁ ନବାକୁ ଆସିଛି ।

ମତେ ନବାକୁ ଆସିଛୁ..!! ଶ୍ରୀମୟି ହସିଲେ ଏକ ନିଃଶବ୍ଦ ଅର୍ଥପୂର୍ଣ୍ଣ ହସ।

କହିଲେ ବରଂ ତୁ ସତକଥାଟା କହିଲେ ମୁଁ ବେଶି ଖୁସି ହେବି ।

ତୁ ସେ ଶହୀଦ ନଗର ଜାଗା ବିଷୟରେ ଆସିଛୁ ନା..!!

ଏଁ...ହଁ..। କିନ୍ତୁ ମା’ ଗୋଟେ କଥା..!! ତମେ ବହୁତ ବଦଳି ଯାଇଛ ଏହା ଭିତରେ।

ମୁଁ ବଦଳିନି । ହଁ ମୋ ବଞ୍ଚିବାର ଶୈଳୀ ନିଶ୍ଚୟ ବଦଳି ଯାଇଛି ।

ଆଜି ବି ତୋ ବାପାଙ୍କ ଶ୍ରାଦ୍ଧ ମୁଁ ସେଇପରି ଶ୍ରଦ୍ଧା ରେ ପାଳୁଛି ।

ମନେରଖ..!! ତୋ ବାପା ଥିଲେ ମୋର ସ୍ଵାମୀ..!! ଆଉ ଇଏ ମୋର ସାଥୀ ଓ ବନ୍ଧୁ ।

 ମୋର ହୁଏତ ସ୍ଵାମୀର ଆବଶ୍ୟକତା ନଥିଲା; କିନ୍ତୁ ଗୋଟେ ବନ୍ଧୁର ତ ନିଶ୍ଚୟ ଥିଲା। ଦେଖ ସେ କାନ୍ଥକୁ । ଆଜି ବି ତୁମମାନଙ୍କ ପିଲାବେଳର ଫଟୋକୁ ଦେଖୁଛି । ଆଜି ବି ତୋର ଆଉ ସୋନାଲର ଜନ୍ମଦିନରେ ମନ୍ଦିରରେ ବେଲ ପତ୍ର ଚଢଉଛି । ମା’ କେବେ ବଦଳେନି; ବଦଳନ୍ତି ପିଲାମାନେ । ହଁ ନିଜକୁ ପରିବର୍ତ୍ତିତ ସମୟ ଅନୁସାରେ ବୁଝେଇବାକୁ ଅନେକ ଚେଷ୍ଟା କରିଛି ।ଆଉ ଲାଭ କ’ଣ ହେଇଛି ଜାଣୁ..!! ସେ ଅନ୍ଧ ମାୟା ମୋହରୁ ମୁକ୍ତି ମିଳିଯାଇଛି । ଆଉ ଜୀବନର ଚରମ ଉପଲବ୍ଧି..ଶାନ୍ତି ଓ ସନ୍ତୋଷ; ଯାହା ପରମ କାମ୍ୟ; ମୁଁ ଆଜି ଅନୁଭବ କରିପାରୁଛି । ତୁ ଭାବୁଥିବୁ କାଳେ ଅନ୍ୟମାନଙ୍କ ପାଇଁ କରୁଛି । ନାଁ..!! ଏସବୁ ଯାହା କରୁଛି ସବୁ ନିଜ ପାଇଁ । ନିଜ ଆତ୍ମ ଶାନ୍ତି ପାଇଁ । ନା ମୋର କିଛି ଆଉ ପ୍ରାପ୍ତିର ଆଶା ଅଛି ନା ଅପ୍ରାପ୍ତିର ଦୁଃଖ । କାରଣ ଯେହେତୁ ମୁଁ ଗୋଟେ ଟର୍ମିନାଲ ଡିଜିଜ୍ ପେସେଣ୍ଟ; ମୋ ପାଖରେ ହାତ ଗଣତି ଦିନ କେଇଟି ।ତେଣୁ ଯେତେଦିନ ବଞ୍ଚିବି ଶ୍ରୀମୟି ହୋଇ ବଞ୍ଚିବି; ନା କାହା ମା’ କି କାହା ସ୍ତ୍ରୀର ପରିଚୟରେ। ଦେଖ..ତତେ ମୁଖାଗ୍ନି ଦବାପାଇଁ କେବେ ବି କହିବିନି ।ବଞ୍ଚଥିଲା ତକ ଜୀବନ; ମଲା ପର କଥା କିଏ ଦେଖିଛି । ତେଣୁ ମୁଁ ସେସବୁ ରେ ବିଶ୍ୱାସ କରେନି ।

ବାକି ରହିଲା ସେ ଶହୀଦ ନଗର ଜାଗା କଥା । କେସରେ ଜିତିଲାପରେ ତାକୁ ମୁଁ ଶ୍ରଦ୍ଧା ଟ୍ରଷ୍ଟ ନାଁରେ ଲେଖିଦେଇଛି Iକାରଣ..ତମଠାରୁ ଟ୍ରଷ୍ଟର ଆବଶ୍ୟକତା ମତେ ବେଶି ମନେହେଲା I ଆମପରି ଡଷ୍ଟବିନରେ ପଡି ବାକି ଜୀବନର ରାହା ଖୋଜୁଥିବା ମଣିଷମାନଙ୍କୁ ବଞ୍ଚିବାକୁ ମୁଣ୍ଡ ଉପରେ ଟିକେ ଛାତ ଆଉ ପେଟକୁ ମୁଠାଟେ ଭାତ ତ ଦରକାର I କାରଣ ସମସ୍ତେ ମୋ ପରି ଭାଗ୍ୟବାନ୍ ବା ଭାଗ୍ୟବତୀ ନଥାନ୍ତି ଯେ ଏ ବୟସରେ ବି ଜୀବନ ଯାହାକୁ ବଞ୍ଚେଇବା ଶିଖାଉଛି ।

 ଭଗବାନଙ୍କ ଦୟାରୁ ତମେ ଦୁଇଜଣ ଭଲରେ ଅଛ I ବାବା ତ ସବୁ ସମ୍ପତ୍ତି ତୁମମାନଙ୍କ ନାଁ ରେ ଲେଖିଦେଇଛନ୍ତି, ତା ଛଡା ତୁମେ ଦୁଇଜଣ ତ ନିଜ ନିଜ ସ୍ଥାନରେ ବେଶ ପ୍ରତିଷ୍ଠିତ I ଆଉ କ’ଣ ଦରକାର ହେଇପାରେ ଏହାଠାରୁ ଅଧିକା I କିନ୍ତୁ...ବାପା..!!! ଏ ଅବାଂଛିତ ଉତ୍ତର ବୟସ ତ ଦିନେ ନା ଦିନେ ସମସ୍ତଙ୍କ ଜୀବନରେ ଆସିବ। କେତେବେଳେ ଟିକେ ସମୟ ଦେଇ ଭାବିବୁ। ତୁମେମାନେ ସିନା ଏ ମା’କୁ ତୁମ ଜୀବନରୁ ଫୋପାଡ଼ିଦେଲ; ବୋଝ ମନେକରି I କିନ୍ତୁ ମୁଁ ଆଜି ବି ଭାବି କି ଡରିଯାଉଛି ଯେ କାଲି ଯଦି ତୁମମାନଙ୍କ ସହିତ ଏ ଘଟଣା ଘଟିବ, ତମେ କୁଆଡେ ଯିବ ଆଉ କଣ କରିବ..!! ହେଇପାରେ ଏହା ମୋର ବୃଥା ଆଶଙ୍କା..I ତଥାପି ଭବିଷ୍ୟତରେ ଯଦି ସେପରି କିଛି ପରିସ୍ଥିତି ଆସେ; ତମେମାନେ ଏଠାକୁ ଆସି ପାରିବ I ସେ ବ୍ୟବସ୍ଥା ମୁଁ କରିଦେଇଥିବି I ପ୍ରତିଷ୍ଠା, ଅପ୍ରତିପର୍ତ୍ତି ଆଉ ସମ୍ପତ୍ତି କେବଳ ତିରିଶ ଚାଳିଶ ବର୍ଷର ସାଥି I କିନ୍ତୁ ଜୀବନର ମାନେ ତ ବୋଧେ ଅନ୍ୟ କିଛି, ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ସୁଯୋଗ ଦେବା...I ଶ୍ରବଣ...ଖାଲି ଅବାକ୍ ହେଇ ଶୁଣୁଥାଏ I 

ଗୋଟେ ଦୀର୍ଘନିଃଶ୍ୱାସ ନେଇ ଶ୍ରୀମୟୀ ଶେଷରେ କହି ଉଠିଲେ " ତୁ ଯା ଟିକେ ରେଷ୍ଟ ନେଇଯା, ଆଗକୁ ପୁଣି ତୋର ଟ୍ରେନ ଯାତ୍ରା ଅଛି I ମୁଁ ବି ଟିକେ ଆଶ୍ରମକୁ ଯାଉଛି, ଛଅ ମାସର ଛୋଟ ଛୁଆଟେ ଏବେ ଆସିଛି ଆଶ୍ରମକୁ.; ତା ଦେହ ଭଲ ନାହିଁ I କ’ଣ ହେଲା ଯାଏ ଦେଖେ"I

ମା..ମାଆ..ଆ..ଆ..!!

କ’ଣ ହେଲା..କିଛି କହିବୁ !! ଶ୍ରୀମୟି ଅଟକିଗଲେ I

ଶ୍ରବଣ ଆସି ତାଙ୍କ ଗୋଡ ଛୁଇଁଲା I ତା ଆଖିର ଲୁହ ଶ୍ରୀମୟିଙ୍କ ଗୋଡ ଧୋଉଥିଲା I ସେ ଲୁହ ଅନୁତାପର ଥିଲା କି ଅବଶୋଶର ଜଣା ପଡୁନଥିଲା I

ଶ୍ରୀମୟି ଟିକେ ମୁଣ୍ଡରେ ହାତ ବୁଲେଇଦେଇ କହିଲେ "ଯା ଶୋଇବୁ ଯା ମୋର ତୋ ପ୍ରତି କୌଣସି ଅଭିଯୋଗ ନାହିଁ I ବରଂ ଜୀବନର ଏକ ନିରାଟ ସତ୍ୟକୁ ଉପଲବ୍ଧି କରାଇଥିବାରୁ ମୁଁ ତୋ ପାଖେ ୠଣୀ” I

 ଶ୍ରୀମୟି ଚାଲିଗଲେ I ଅନେକ କଥା ଭାବୁ ଭାବୁ ଶ୍ରବଣର ଆଖି ବି ଲାଗିଗଲା I

"ବାବୁ ଚା...!!!” ...I ଶ୍ରବଣର ଆଖି ଖୋଲିଗଲା I ଆରେ ସନ୍ଧ୍ୟା ହୋଇଗଲାଣି, ଆଶ୍ରମରୁ ପ୍ରାର୍ଥନାର ସମବେତ ସୁର ଭାସି ଆସୁଥାଏ I ଶ୍ରବଣ ଉଠିଲା ମୁହଁ ଧୋଇ ରେଡ଼ିହେଲା ଫେରିବା ପାଇଁ I ମନଟା ଭାରି ଭାରି ଲାଗୁଥାଏ I ମା’କୁ ଦେଖା କରିଯିବ ନା ନାହିଁ ନିର୍ଣ୍ଣୟ ନେଇ ପାରୁନଥାଏ I ତଥାପି ତା ପାଦ ଦୁଇଟା ଆଶ୍ରମ ଆଡେ ଟାଣି ହୋଇଗଲା I ଶ୍ରୀମୟିଙ୍କ ମଧୁର ସ୍ୱର ବାରି ହେଇ ପଡୁଥିଲା……………………………….

 "ତୁ ହିତ ମୋର ଜୀବନ ଧନ...

ତୁ ହିତ ମୋର ଗଳା ହାର..

ମା’କୁ ଭୁଲି ଯିବୁନି ଚାଲି..

ଦୁନିଆ ହେବ ଅନ୍ଧାର..I  

 ଛୋଟ ଛୁଆଟିକୁ କୋଳରେ ଧରି ବୁଲି ବୁଲି ଗାଇ କି ଶୁଆଇବାକୁ ଚେଷ୍ଟା କରୁଥିଲେ..Iଅନ୍ୟମାନେ ବସି ଚୁପଚାପ ଦେଖୁଥିଲେ I ଶ୍ରବଣ ଆଉ ସମ୍ଭାଳି ପାରିଲାନି, ଏକ ନିଃଶ୍ୱାସରେ ଗେଟ ଖୋଲି ବାହାରକୁ ଚାଲିଆସିଲା...I ତାକୁ ଲାଗୁଥିଲା ତା ମା’ ଆଉ ତା ମା’ ହେଇ ନଥିଲା ଯେମିତି ସସୀମରୁ ଅସୀମକୁ ବ୍ୟାପ୍ତ ହେଉଥିଲା ଓ ତାର ପଣତକାନି ଧୀରେ ଧୀରେ ତା ମୁଣ୍ଡ ଉପର ଦେଇ ଆଶ୍ରମ..., ସେ ସହର...ନାଇଁ ନାଇଁ... ସମଗ୍ର ଆକାଶକୁ ଆଚ୍ଛାଦିତ କାରିବାକୁ ଯାଉଥିଲା ତା ସ୍ନେହର ଛାଇରେ I

"ନୀଡ" ବୋର୍ଡ ସାମନା

Rate the content


Originality
Flow
Language
Cover design

Comments

Post

Some text some message..