Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Fransis Satapathy

Inspirational Others

3  

Fransis Satapathy

Inspirational Others

ବାପୁ -ପୁଣିଥରେ

ବାପୁ -ପୁଣିଥରେ

16 mins
14.3K


(ହସ୍ପିଟାଲ ର କ୍ୟାବିନରେ ଜଣେ ୬୫-୭୦ ବର୍ଷୀୟ ବୃଦ୍ଧ ଶୋଇଛନ୍ତି, ମୁଣ୍ଡରେ ପଟି ବନ୍ଧା ହୋଇଛି)

ସାର....ସାର--ଶୋଇଛନ୍ତି? କେମିତି ଲାଗୁଛି ଏବେ? ଉଁ...ଉଁ... କିଏ, ଡାକ୍ତର ବାବୁ? ଆଜ୍ଞା। ଆର ୟୁ ଫିଲିଙ୍ଗ ବେଟର?? ହୁଁ... ବୃଦ୍ଧ ଉତ୍ତର ଦେଲେ। ଆପଣଙ୍କୁ ଭେଟିବାକୁ ଟାଉନ ଥାନା ଇନ୍ସପେକ୍ଟର ଆସିଛନ୍ତି। ସେଦିନର ଘଟଣା ବିଷୟରେ ପଚାରିବେ। କଥା ହୋଇ ପାରିବେ? କି ପରେ ଆସିବାକୁ କହିବି? ଶୁଣୁଥିଲି ଆପଣଙ୍କୁ ମାରିଥିବା ସେ ଲୋକଟା....କଣ ନାଁ ତାର....ହଁ ରଘୁନାଥ, ସେ ଫେରାର ଅଛି। ଦୁଇ ଦିନ ହେଲା ଆପଣ ବେହୋସ ଥିଲେ। ଆପଣଙ୍କର ମନେ ଅଛି ତ? ଉଁ...ଉଁ.. ହଁ, ଡାକନ୍ତୁ ତାଙ୍କୁ- ବୃଦ୍ଧ କହିଲେ।

*****

ସାର ନମସ୍କାର। ମୁଁ ପ୍ରଦୀପ ଦାସ। ଟାଉନ ଥାନା ଇନ୍ସପେକ୍ଟର। ଏ ଘଟଣାରେ ମୁଁ ଗଭୀର ମର୍ମାହତ। ଖରାପ ଲାଗୁଛି ଯେ ଆପଣଙ୍କ ଭଳି ମହାତ୍ମାଙ୍କୁ ବି ଏ ଦିନ ଦେଖିବାକୁ ପଡ଼ିଲା। କଣ କରିବା? ଯୁଗ ଓଲଟା ଚାଲିଛି। ଭାଗ୍ୟ ଖରାପ। ଏଠି ଭଲ ଲୋକ ସବୁବେଳେ ହଇରାଣ ହୁଅନ୍ତି। ଏନି ୱେ....ସେଦିନ କଣ ହେଇଥିଲା କହିଲେ। ସେ ରାସକଲ ରଘୁନାଥ ଆପଣଙ୍କୁ କାହିଁକି ମାରିଲା? ମୁଁ ତାକୁ ଉଚିତ ଦଣ୍ଡ ଦେବି। କୁହନ୍ତୁ ସାର। ଆରାମ ସେ ସାର, ଆରାମ ସେ ବସି କୁହନ୍ତୁ। (ସାଙ୍ଗରେ ଆସିଥିବା କନିଷ୍ଠ ଅଫିସରଙ୍କୁ) ପ୍ଲିଜ ରେକର୍ଡ଼।

ଉଁ... ଉଁ... ଓଃ (କଷ୍ଟରେ) ସେଦିନ ଘଟଣାରେ ରଘୁନାଥକୁ କାହିଁକି ଟାଣୁଛନ୍ତି ଆଜ୍ଞା ? ମୋତେ ସେ ମାରିଛି ବୋଲି କିଏ କହିଲା (କ୍ଷୀଣ ସ୍ୱରରେ)? ମୁଁ ସେଦିନ ମୋ ବୟସ ଓ ଅବସ୍ଥା ଭୁଲି ଅପେକ୍ଷାକୃତ ଅଧିକ ଉତ୍ତେଜିତ ହୋଇ ଯାଇଥିଲି। ହାଇ ବି.ପି. ପେସେଣ୍ଟ; ମୁଣ୍ଡ ଜୋରରେ ଘୁରାଇ ଦେଲା ଓ ମୁଁ ପଡ଼ିଗଲି। ହଁ ମୁଁ ପଡ଼ିଲା ବେଳେ ରଘୁନାଥ ମୋତେ ଧରିବାକୁ ଚେଷ୍ଟା କରିଥିଲା। ବୋଧହୁଏ କେହି କେହି ଭାବିଥାଇପାରନ୍ତି, ଯେ ସେ ମୋତେ ଧକ୍କା ଦେଲା ବୋଲି। ତା ପର ଘଟଣା ମୋର ମନେ ନାହିଁ। ଅଯଥାଟାରେ ସେ ନିରୀହ ପିଲାଟିକୁ ୟା ଭିତରକୁ ଟାଣନ୍ତୁ ନାହିଁ; ତା ଜୀବନ ନଷ୍ଟ ହୋଇଯିବ।

ଇନ୍ସପେକ୍ଟର-"ନାଁ ସାର। ଆପଣ ଲୁଚଉଛନ୍ତି। ସେ ରଘୁନାଥ ପ୍ରତି ଏତେ ଦରଦ କାହିଁକି? ଶଳାଟା ଏକ ନମ୍ବର ବଦମାସ, ଟାଉଟର। ସେ ଦଣ୍ଡ ପାଇବା ଯୋଗ୍ୟ। ଜେଲ ଯିବା ଦରକାର। ଆପଣଙ୍କ ପରି ଉଦାର ଚରିତ୍ର ଏ ସମାଜ ପାଇଁ ଲୋଡ଼ା; ତା ଭଳି ଉଗ୍ରସାମାଜିକ ବ୍ୟକ୍ତିତ୍ବ ନୁହେଁ। ଗୋଟେ ପଚା ମାଛ ପୂରା ଗାଡ଼ିଆକୁ ଗନ୍ଧେଇ ଦେବ। ତାକୁ କାଢ଼ିବା ଦରକାର। ଆପଣ ଡରୁଛନ୍ତି କି ସାର? ଆପଣଙ୍କ ପୁଅ ହରିଶ ମୋ ସାଙ୍ଗ। ମୁଁ ଆପଣଙ୍କ ପୁଅ ପରି। ମୋତେ ବିଶ୍ୱାସ କରନ୍ତୁ ଆପଣ ଜମାରୁ ହଇରାଣ ହେବେନି। ମୁଁ ମୋ ଟିମ ପଠେଇ ଦେଇଛି, ଆଜି ନହେଲେ କାଲି ସେ ଧରା ପଡ଼ିବ। Kindly cooperate sir." ବୃଦ୍ଧ ବ୍ୟକ୍ତି-- "ଓଃ--ଆଃ (କଷ୍ଟରେ)..ମୁଁ ମୋ ଷ୍ଟେଟମେଣ୍ଟ ଦେଇ ସାରିଛି ଆଜ୍ଞା। ଆଉ ମୋର କିଛି କହିବାର ନାହିଁ। ଧନ୍ୟବାଦ।"

ଇନ୍ସପେକ୍ଟର--ଆପଣ ଆଜି ଗୋଟେ ଅପରାଧୀ କୁ ରକ୍ଷା କଲେ ସାର। ସରି.. ଖରାପ ଭାବିବେନି। ସେ ଆଉ ପାଞ୍ଚଟା ଅପରାଧୀ ତିଆରି କରିବ, ସମାଜଟାକୁ ନଷ୍ଟ କରିଦେବ। ଛାଡ଼ନ୍ତୁ। ଦୟାକରି ଏଥିରେ ଦସ୍ତଖତ କରିଦିଅନ୍ତୁ। ବୃଦ୍ଧ ବ୍ୟକ୍ତି ଜଣଙ୍କ ଦସ୍ତଖତ କଲେ..ମୋହନ କୁମାର ଦାଶ।

*****

ବାପା..ବାପା..ପ୍ରଦୀପ କହୁଥିଲା ଯେ ଆପଣ କାଳେ କିଛି କହିଲେନି। ଲୁଚେଇଲେ। (ଧୀରେ ଆଖି ଖୋଲି) ଉଁ... କିଏ ହରିଶ। ହରିଶ--କାହିଁକି ବାପା? କଣ ପାଇଁ ସେ ଛୋଟଲୋକଟା ପାଇଁ ଆପଣଙ୍କର ଏତେ ଦୟା? ସେ ଆପଣଙ୍କର ଏତେ ଦଶା କରିଛି, ହେଲେ ଆପଣ (ସମ୍ୟକ ବିରକ୍ତିରେ) ଛାଡ଼ନ୍ତୁ। ଆଉ କିଛି ହବନି। ମୋତେ ହିଁ କିଛି କରିବାକୁ ପଡ଼ିବ। ସେ ଶଳାକୁ ଜୀବନରେ ମାରିଦେବି, ଫାଶି ପାଇଲେ ପାଇବି ପଛେ। ଆରେ ଧନ କାହିଁକି ଏମିତି ହଉଛୁ?--ମୋହନ ସାର(ବୃଦ୍ଧ ବ୍ୟକ୍ତି) କହିଲେ। (ଡାକ୍ତରଙ୍କ ପ୍ରବେଶ) ହରିଶ ବାବୁ, ଆଉ କଥା ହୁଅନ୍ତୁ ନାହିଁ, ଏବେ ସେ ଇନ୍ସପେକ୍ଟର ଆସି ଗପି ଗପି ଯାଇଛନ୍ତି। ପ୍ଲିଜ ତାଙ୍କୁ ଏକୁଟିଆ ଛାଡ଼ନ୍ତୁ, ସେ ରେଷ୍ଟ ନେବେ। ଓକେ ଡକ୍ଟର। ବାପା ମୁଁ ବାହାରେ ଅଛି, ଆପଣ ରେଷ୍ଟ ନିଅନ୍ତୁ। ହରିଶ ଚାଲିଗଲା। ମୋହନ ସାର ପୁଣି ଆଖି ବନ୍ଦ କରିଲେ।

*****

ହରିଶ ହସ୍ପିଟାଲର ୱେଟିଙ୍ଗ ହଲରେ । ବଡ଼ ବଡ଼ ପଙ୍ଖା ସବୁ ଘନଘୋର ଗର୍ଜନ କରି ପ୍ରତିହତ କରିବାକୁ ଚେଷ୍ଟା କରୁଥାନ୍ତି ସେଠାରେ ଥିବା ସବୁ ଅପେକ୍ଷାରତ କୋଳାହଳମାନଙ୍କୁ।

ଟିଭିଟି ନାଁ କୁ ମାତ୍ର ଚାଲିଛି। ସମସ୍ତେ ତାକୁ ଚାହିଁଥାନ୍ତି, କିନ୍ତୁ ଦେଖୁଥାନ୍ତି ସେଇମାନେ, ଯୋଉମାନେ କି ଅପେକ୍ଷାକୃତ କମ କଷ୍ଟରେ ଥାଆନ୍ତି କିମ୍ବା ଆଉ କିଛି ସମୟ ପରେ ଘରକୁ ଫେରିବେ ସେମାନଙ୍କ ସୁସ୍ଥ ଆରୋଗ୍ୟ ସହୋଦରମାନଙ୍କୁ ସଙ୍ଗରେ ନେଇ।

ହରିଶର ଫୋନ ରିଙ୍ଗ ହେଲା। ହସ୍ପିଟାଲର ଲ୍ୟାଣ୍ଡଲାଇନ ନମ୍ବର। ହରିଶ ଫୋନ ଉଠାଇଲା, " ହାଲୋ"। ସେପଟୁ-" ହରିଶ ବାବୁ, ଆପଣଙ୍କ ବାପା ଖୋଜୁଛନ୍ତି।" ହରିଶ-" ଓକେ, ଆସୁଛି। ଥ୍ୟାଙ୍କ ୟୁ।"

*****

"ବାପା, ଆପଣ ମୋତେ ଡାକୁଥିଲେ?" ମୋହନ ସାର-" ଏଁ..ହରିଶ। ଆସେ.. ବସେ ମୋ ପାଖରେ। ସେତେବେଳେ ତୋ ସହ କଥା ହୋଇପାରିନଥିଲି ତ.." । ହରିଶ- "ଇଟ୍ସ ଓକେ ବାପା। ଆପଣ ଆଗେ ସୁସ୍ଥ ହୁଅନ୍ତୁ, ଘରେ ଯାଇ କଥା ହେବା"। ମୋହନ ସାର-"ନା..ରେ..! କଥା ହେବା ପାଇଁ ଘର କଣ, ବାହାର କଣ ? ବରଂ ମୁଁ ଅସୁସ୍ଥ ଅଛି ବୋଲି ତୁ ମୋ ପାଖରେ ରହୁଛୁ ହସ୍ପିଟାଲରେ; ନହେଲେ ଘରେ ତ ତୋତେ ଦଣ୍ଡେ ଫୁରୁସତ ନାହିଁ। ମୁଁ କଣ ଜାଣିନି କେତେ ବ୍ୟସ୍ତ ରହୁଛୁ ତୁ? ମୁଁ ଓ ଅନିତା (ହରିଶ ର ସ୍ତ୍ରୀ)କୁ ଖୁସି ଦେବୁ ବୋଲି ତୁ କେତେ କଷ୍ଟ ନ କରୁଛୁ ! ହରିଶ-"ନା ବାପା। ଆପଣ ମୋ ପାଇଁ କେତେ କଷ୍ଟ ନ ସହିଛନ୍ତି!! ! ବୋଉ ଚାଲିଗଲା ପରେ ଉଭୟ ବାପା ବୋଉ ହୋଇ ମୋତେ ବଢ଼େଇଛନ୍ତି। ସାବତ ମା କାଳେ ମୋତେ ହଇରାଣ କରିବ ଭାବି ଦ୍ୱିତୀୟ ବିବାହ ବି କଲେନି। ଚାକିରୀ ସାଙ୍ଗରେ ମୋତେ ମଣିଷ କରିବା ପାଇଁ ନିଜ ଜୀବନକୁ ମନଭରି ଜୀଇ ବି ପାରି ନାହାନ୍ତି। ଆଜି ବି ନିଜ ପେନସନ ଟଙ୍କା ମୋ ହାତକୁ ବଢ଼େଇ ଦେଉଛନ୍ତି। ମୁଁ ଆପଣଙ୍କ ପାଇଁ କଣ କରିଛି ?? (ହରିଶ ର ଆଖି ଛଳଛଳ) ମୋହନ ସାର-ଆରେ ଛୋଟ ପିଲା ପରି କାନ୍ଦୁଛୁ କଣ ? (କଷ୍ଟରେ ଉଠିବାକୁ ଚେଷ୍ଟା କଲେ ଲୁହ ପୋଛିବାକୁ) ହରିଶ ଧରି ପକେଇଲା। ମୋହନ ସାର- " ତୁ ମୋତେ ପିତୃତ୍ୱ ର ସୌଭାଗ୍ୟ ଦେଇଛୁ। ତୋ ବୋଉ ଗଲା ପରେ ତୋ ମୁହଁକୁ ଦେଖି ମୁଁ ବଞ୍ଚି ପାରିଲି। ମୁଁ ମଲେ ମୋ ମୁହଁରେ ନିଆଁ ଦେବୁ। ମୋ ବୋହୂ ସହ ମିଶି ମୋତେ ପିଣ୍ଡ ଦବୁ। ମୋ ବଂଶକୁ ଆଗକୁ ନେବୁ। ଆଉ କଣ କରନ୍ତୁ? ତୋ ପରି ପୁଅ ଭାଗ୍ୟରେ ଥିଲେ ମିଳେ (ହରିଶ ର ଲୁହ ପୋଛିଦେଲେ)। ହରିଶ - ନା ବାପା, ମୁଁ ନିଜକୁ ବୁଝେଇ ପାରୁନି। ସେ ରଘୁନାଥ ଆପଣଙ୍କୁ ମାରିଲା। ଇଚ୍ଛା ହେଉଛି ତାକୁ ଟିକ ଟିକ କରି କାଟି ଦିଅନ୍ତି। ଆପଣ ନିଜ ସାରା ଜୀବନ ଅହିଂସା ପଥରେ ଚାଲିଛନ୍ତି। କେବେ କାହାର କ୍ଷତି କରି ନାହାନ୍ତି; ହେଲେ ସେ ବଦମାସ ଆପଣଙ୍କ ଦେହରେ ହାତ ଦେଲା। ଜାତି ଅଜାତି, ବଡ଼ ସାନ କିଛି ମାନିଲାନି। ଶଳା ସମସ୍ତଙ୍କ ଆଗରେ ନେତା ସାଜିଛି।"

ମୋହନ ସାର(ସାମାନ୍ୟ ହସି)- "ତୁ ଦୁଃଖୀ ସେ ମୋତେ ଠେଲିଦେଲା ବୋଲି ନା ତୁ ତାର କିଛି କରି ପାରିଲୁନି ବୋଲି?" ଉଭୟ ପାଇଁ-ହରିଶ ଉତ୍ତର ଦେଲା। "ମୁଁ ଆପଣଙ୍କୁ ଆଗରୁ କହିଥିଲି ବାପା ଆମର ସେ ସମାଜସେବା ଦରକାର ନାହିଁ। ରିଟାୟାରମେଣ୍ଟ ପରେ ଆପଣ ଘରେ ଆରାମରେ ଖାଇ ପିଇ ବସନ୍ତୁ। ବୁଲିବାକୁ ଯାଆନ୍ତୁ .... ଯାହା ଇଚ୍ଛା ତାହା କରନ୍ତୁ -- ମୋର ଆପତ୍ତି ନାହିଁ। ହେଲେ ସମାଜ ସେବା ନୁହେଁ। ଏ ସମାଜରେ ପ୍ରକୃତ ସମାଜସେବୀ ସବୁବେଳେ ଅବହେଳିତ ହୋଇଥାନ୍ତି, ଅପମାନିତ ହୋଇଥାନ୍ତି।

ନିଜର କଷ୍ଟ ଲବ୍ଧ ଅର୍ଥରେ ଆପଣ ଗାଁ ରେ ସ୍କୁଲ ଖୋଲିଲେ, ଅନାଥ ଶିଶୁମାନଙ୍କ ପାଇଁ ଅନାଥାଶ୍ରମ, ଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ଲାଇବ୍ରେରୀ କଲେ। ହେଲେ ତୁଚ୍ଛ ଜାତିବାଦର ଆକ୍ଷେପ ପାଇଲେ।ଅପମାନିତ ହେଲେ, ମାଡ଼ ଖାଇଲେ। କଣ ବଦଳି ଗଲା ବାପା ? ଆପଣ ଗାଁରେ ମଦ ଦୋକାନ କରେଇ ଦେଲେ ନାହିଁ, ସେମାନେ ବାହାରେ ଯାଇ ମଦ ପିଇଲେ। ଜୀବନ ସାରା ନିଃସ୍ୱାର୍ଥପର ଭାବେ ବଞ୍ଚିଛନ୍ତି, ହେଲେ ସେ ନୀଚ୍ଚ ରଘୁନାଥ କହିଲା ଯେ ଆପଣ ସେ ନିରୀହ ଗାଁ ଲୋକଙ୍କ ଟଙ୍କା ହଡ଼ପ କରିବାକୁ ଚାହୁଁଛନ୍ତି। ଆପଣ ଏହି ସରଳ ଗାଁଲୋକମାନଙ୍କୁ ସ୍ୱାଭିମାନର ସହ ବଞ୍ଚିବା ଶିଖେଇଲେ; ହେଲେ ଦେଖନ୍ତୁ ଯେଉଁମାନଙ୍କ ସେବା ପାଇଁ ଆପଣ ନିଜ ପରିବାରକୁ ବି ଅବହେଳା କରିଛନ୍ତି ସେମାନଙ୍କୁ ମତେଇ ସେ ଆପଣଙ୍କୁ ଧୋକାବାଜର ଆଖ୍ୟା ଦେଲା। କଣ ପାଇଲେ ବାପା? ସେଦିନ ହରିଜନ ବସ୍ତିରେ ସେ ଆପଣଙ୍କୁ ଯାହା ଇଚ୍ଛା ତାହା ଗାଳି ଦେଲା, ଶେଷରେ ଆପଣଙ୍କୁ ଅଟକେଇବା ପାଇଁ ପେଲି ବି ଦେଲା। କଣ ପାଇଲେ ବାପା ? ଯେଉଁମାନଙ୍କ ଉନ୍ନତି ପାଇଁ ଆପଣ ଆଜୀବନ ଲଢ଼େଇ କରୁଥଲେ ଆଜି ସେମାନେ କାହାନ୍ତି ? ଜଣେ ବି କେହି ଆପଣଙ୍କ କଥା ପଚାରୁ ନାହାନ୍ତି ତ? ସବୁଗୁଡ଼ା ସ୍ୱାର୍ଥପର, ଅମଣିଷ, ନୀଚ୍ଚ, ଛୋଟଲୋକ। ଆଉ ସେ ରଘୁନାଥ-- ତାକୁ ପଢ଼େଇବା ପାଇଁ ତା ବାପାଙ୍କ ପାଖରେ ପଇସା ନଥିଲା। ମୁଁ ଜାଣିଛି -- ଆପଣ ବୋଉକୁ ଲୁଚେଇ ତା ବାପାଙ୍କୁ ପଇସା ଦିଅନ୍ତି ସେ ପଢ଼ିବ ବୋଲି। ଶଳା ବେଇମାନ ଭୁଲିଗଲା। ଯେଉଁ ଥାଳିରେ ଖାଇଲା, ସେଇ ଥାଳିରେ ଝାଡ଼ା କଲା। ନିମକହାରାମ ଶଳା" ।

ମୋହନ ସାର-"ତୋ ରାଗ ଶାନ୍ତ ହେଲା? ତୁ କଣ ଭାବୁଛୁ ମୁଁ ଏ ସବୁ ଜାଣିନି ?ହେଲେ ମୋର ଏ ଲଢ଼େଇ କୌଣସି ବ୍ୟକ୍ତି ବିପକ୍ଷରେ ନୁହେଁ କି ନ ଥିଲା। କେବେ ବି ନୁହେଁ। ମୋର ଲଢ଼େଇ ଥିଲା 'ବାଦ' ବିରୁଦ୍ଧରେ; 'ବାଦୀ' ବିରୁଦ୍ଧରେ ନୁହେଁ। କାରଣ ବାଦୀ ବିରୋଧୀ ବିପ୍ଳବର ଅନ୍ତ ନାହିଁ। ନହେଲେ ଆଜି ଏ ସଭ୍ୟ ଶିକ୍ଷିତ ସମାଜରେ ଜାତି, ଧର୍ମ, କୁସଂସ୍କାରକୁ ନେଇ ଲଢ଼େଇ ଚାଲୁ ନଥାନ୍ତା, ନରସଂହାର ଚାଲୁ ନଥାନ୍ତା। ଯେଉଁମାନେ କୁହନ୍ତି ସେମାନେ ଜାତିବାଦକୁ ଘୃଣା କରନ୍ତି କିନ୍ତୁ ବିଭିନ୍ନ ଜାତି, ଧର୍ମ, ଗୋଷ୍ଠୀର ଉତ୍ଥାନ-ପତନ, ପୂର୍ବ-ପର, ଅତୀତ-ବର୍ତ୍ତମାନକୁ ନେଇ ଟିପ୍ପଣୀ ଦିଅନ୍ତି ପ୍ରକୃତରେ ସେଇମାନେ ହିଁ ଜାତିବାଦୀ ଭିତରୁ ଜଣେ। ଅଜାଣତରେ ସେମାନେ ସେଇ କୁତ୍ସିତ ମାନସିକତାର ଶିକାର ହୋଇଥାନ୍ତି। ମୁଁ ସେଇଟା ଚାହିଁ ନ ଥିଲି। ରଘୁନାଥ ଜଣେ ଶିକ୍ଷିତ ଯୁବକ। ସେ ବି ସମାଜର ସେଇ ନିଷ୍ପେସିତମାନଙ୍କ ଉନ୍ନତି ଚାହେଁ; ଯାହା ମୁଁ ଚାହେଁ--ହେଲେ ତାର ମୋର ନୀତିଗତ ପାର୍ଥକ୍ୟ ରହିଛି। ସେ 'ବାଦୀ' କୁ ହଟାଇବାକୁ ଚାହେଁ; ମୁଁ 'ବାଦ' କୁ। ସେ ସାମୟିକ ପରିବର୍ତ୍ତନ ଚାହେଁ, ମୁଁ କିନ୍ତୁ ଚାହେଁ ସମ୍ପୂର୍ଣ୍ଣ ପରିବର୍ତ୍ତନ। ଏ ଗାଁ କୁ ମୁଁ ମୋ ପିଲାବେଳୁ ଦେଖିଛି। ଏଇ ଲୋକମାନଙ୍କୁ ମୁଁ ତାଠାରୁ ବେଶୀ ଭଲପାଏ, ହେଲେ କୌଣସି ସ୍ୱାର୍ଥ ବିନା, ସର୍ତ୍ତ ବିନା। ସେ ବି ସେମାନଙ୍କୁ ଭଲପାଏ, ହେଲେ ସେମାନଙ୍କ ନେତା ହୋଇ ରହିବା ଆଉ ସେମାନଙ୍କୁ ତାର ଅନୁଗାମୀ ତଥା ତାଉପରେ ନିର୍ଭରଶୀଳ କରି ରଖିବା ତାର ସ୍ୱାର୍ଥ। ତେଣୁ ସେ ମୋତେ ବିରୋଧ କରିବାଟା ସ୍ୱାଭାବିକ। ମୁଁ ଚାହେଁ ଏ ଗାଁର କୌଣସି ବି ପିଲା ଭାବିବନି ଯେ ସେ କାହାର ସାହାଯ୍ୟ କି ଦୟାରେ ଆଗକୁ ବଢ଼ିବ। ଏପରି ହେଲେ ତା ଭିତରୁ ପ୍ରତିକୂଳ ପରିସ୍ଥିତି ସହ ମୁକାବିଲା କରିବାର ଶକ୍ତି କମିଯିିବ। ଯଦି କୌଣସି ଦିଗରୁ ସେ ସାହାଯ୍ୟ ନ ପାଇଲା, ତା ବିକାଶ ସେଇଠି ଠପ ହେଇଯିବ। ତା ପୂର୍ବ ପିଢ଼ି ଭଳି ଅବହେଳିତ ହେବ ଓ ପରର ହାତଟେକା ଉପରେ ନିର୍ଭର କରି ସାରା ଜୀବନ ସଢ଼ିବ।"

(ପାଖ ଟେବୁଲ ଆଡ଼କୁ ହାତ ବଢ଼ାଇ) ପାଣି ଟିକେ ଦେଲୁ। ହରିଶ ପାଣି ଆଣି ଦେଲା। ମୋହନ ସାର ପାଣି ପିଇଲେ, ହରିଶ ମୁହଁ ପୋଛିଦେଲା। ମୋହନ ସାର ପୁଣି ଆରମ୍ଭ କଲେ-" ସେଦିନ ରାତିରେ ହରିଜନ ସାହିରେ ସଭା ବସିଥିଲା। ତାଙ୍କ ସାହିରେ ଗୋଟେ ମନ୍ଦିର ତୋଳାହେବ ବୋଲି। ସେଥିପାଇଁ ସେମାନେ ଜଣେ କେଉଁ ମନ୍ତ୍ରୀଙ୍କ ଠାରୁ ଟଙ୍କା ଆଣିବେ ବୋଲି ସଭା କରୁଥିଲେ। ମୋତେ ପଚାରିଲାରୁ ମୁଁ କହିଲି ସେଠି ମନ୍ଦିର ଲୋଡ଼ା ନାହିଁ। ଆମ ଗାଆଁରେ ଯେଉଁ ଗୋଟିଏ ମନ୍ଦିର ଅଛି ତାହା ସମସ୍ତଙ୍କୁ ନିଜର ଭକ୍ତି ପ୍ରଦର୍ଶନ କରିବାକୁ ଯଥେଷ୍ଟ। ଆମ ଗାଁ ରେ ଗୋଟେ ହାଇସ୍କୁଲ ଖୋଲିବାପାଇଁ ମନ୍ତ୍ରୀଙ୍କୁ ନିବେଦନ କରିବା, ସେ ବରଂ ଆଉ ବର୍ଷେ ସମୟ ନିଅନ୍ତୁ, ସେ ମନ୍ଦିର ପାଇଁ ଦେବାକୁ ଚାହୁଁଥିବା ଅର୍ଥରେ ଆଉ କିଛି ମିଶାଇ ହାଇସ୍କୁଲଟିଏ କଲେ ଗାଁର ମଙ୍ଗଳହେବ। ଆମ ପିଲାମାନେ ଆଉ ହାଇସ୍କୁଲରେ ପଢ଼ିବାକୁ ପାଞ୍ଚ ମାଇଲି ବାଟ ଯିବେନି। ସ୍କୁଲ ପାଇଁ ଜମି ମୁଁ ଦେବି। କଣ ଭୁଲ କହିଲି? ରଘୁନାଥ ଏଥିରେ ଉତକ୍ଷିପ୍ତ ହୋଇ କହିଲା କାଳେ ମୁଁ ଜାତିବାଦୀ ହୋଇ ହରିଜନ ବସ୍ତିରେ ମନ୍ଦିର କରେଇଦେବାକୁ ଚାହୁଁନାହିଁ। ସେ ବୁଝିଲାନି ବିନା ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ୱାରରେ ଈଶ୍ୱରଙ୍କୁ ଆରାଧନା କରିହେବେ, ହେଲେ ବିନା ବିଦ୍ୟାଳୟରେ ଆମ ପିଲା ଶିକ୍ଷା ପାଇବେ କେମିତି? ଏ ସଂସାରରେ ଧର୍ମ ହିଁ ସବୁଠାରୁ ବେଶୀ ପାପ କରେଇଛି, ଧ୍ୱଂସ କରିଛି। ମୁଁ ତ କହିବି ସାରା ବିଶ୍ୱ ଯଦି ଗୋଟିଏ ଧର୍ମରେ ବାନ୍ଧି ହୋଇଯାଅନ୍ତା, ଜଣଙ୍କୁ ଆରାଧନା କରନ୍ତା, ତେବେ ସଂସାରରେ ଧର୍ମ ଧର୍ମ ନାଁ ରେ ଆଉ ଲଢ଼େଇ ହୁଅନ୍ତା ନାହିଁ। କେବଳ ଶିକ୍ଷା, ସଂସ୍କାର ଓ ସହନଶୀଳତାର ଅଭାବ ହିଁ ଏଥିପାଇଁ ଦାୟୀ। ଏ କଥାକୁ ନେଇ ରଘୁନାଥ ମୋ ସହ ଯୁକ୍ତି ତର୍କ କଲା। ସେ ବୁଝିବା ଅବସ୍ଥାରେ ନଥିଲା। ସେଠି ଉପସ୍ଥିତ ସବୁ ଲୋକମାନେ ବି ତା କଥାରେ ଭାସି ଯାଇଥିଲେ। ମୁଁ ତେଣୁ ସେଠୁ ପଳେଇ ଆସିବାକୁ ଶ୍ରେୟ ମଣିଲି। ହେଲେ ରଘୁନାଥ ମୋତେ ଅଟକାଇଲା। କହିଲା ଆପଣ ହରିଜନ ବସ୍ତିର ମଙ୍ଗଳ ଚାହୁଁନାହାନ୍ତି। ତେଣୁ କଥା ନ ଛିଣ୍ଡାଇ ଉଠିଯାଉଛନ୍ତି। ଏହି କଥା କଟାକଟି ଭିତରେ ମୋର ଓ ତାର କିଛି ସମର୍ଥକଙ୍କ ଭିତରେ ଠେଲାପେଲା ଆରମ୍ଭ ହୋଇଗଲା। ମୁଁ ମଝିରେ ପଶି ଉଭୟଙ୍କୁ ଅଟକେଇବା ବେଳେ ରଘୁନାଥର ଧକ୍କାରେ ତଳେ ପଡ଼ିଗଲି। ହୁଏତ ତାହା ଅଜାଣତରେ ହୋଇଥାଇ ପାରେ। ତା ପର ଘଟଣା ତୁ ଜାଣିଛୁ। ମୁଁ ଭୁଲ କଣ କଲି? ଶୁଣ ହରିଶ। ତୋ ବାପା ଜୀବନରେ ବହୁତ ଦୁଃଖ ଦେଖିଛି, ବହୁତ କଷ୍ଟ ସହିଛି। ଆଉ ତାକୁ ସାମନା କରିବା ଶିଖିଛି। ତୋତେ ବି ଶିଖେଇଛି। ଅସଲ କଥା ହେଲା ତୁ ତାକୁ କେମିତି ଗ୍ରହଣ କରିଛୁ ଓ ତୋ ଜୀବନରେ କାମରେ ଲଗାଉଛୁ। ରଘୁନାଥ ପାଇଁ ମଧ୍ୟ ସେ ଏକା କଥା।"

" ଆଉ ରହିଲା ରଘୁନାଥ ବିରୁଦ୍ଧରେ ପୋଲିସ ଆଗରେ ବୟାନ-- ପୁଣି ସେଇ ବ୍ୟକ୍ତି ବିରୋଧୀ ଯୁଦ୍ଧ। ଆଜି ଜଣେ ରଘୁନାଥ ଜେଲ ଯାଇଥାନ୍ତା, ଦଣ୍ଡ ପାଇଥାନ୍ତା; କାଲି ଆଉ ଶହେ ବହାରିଥାନ୍ତେ। ତାକୁ ଯେଉଁମାନେ ଅନ୍ଧଭଳି ବିଶ୍ୱାସ କରୁଛନ୍ତି ସେ ସେମାନଙ୍କ ଆଗରେ ହିରୋ ବନିଯାଇଥାନ୍ତା। ତାର ଅନବିଜ୍ଞ, ଅପରିପକ୍ୱ ଓ ଅପରିଣାମଦର୍ଶୀ ଚିନ୍ତାଧାରାକୁ ଏ ନିରୀହ ଗାଁ ଲୋକେ ବେଦବାଣୀ ଭଳି ମାନିଥାନ୍ତେ; ଆଉ ମୁଁ, ମୋର ବିଚାର, ମୋର ସେମାନଙ୍କ ପାଇଁ ଭଲପାଇବା ସବୁ କଳଙ୍କିତ ହୋଇଯାଇଥାନ୍ତା। ମୋ ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଯାଇଥାନ୍ତା। ତୁ କଣ ସେୟା ଚାହୁଁ? " ହରିଶ ଯନ୍ତ୍ରବତ ମୁଣ୍ଡ ହଲେଇ ନା କଲା। ଶୁଣ ପୁଅ, ଆଜି ନହେଲେ କାଲି ସମସ୍ତେ ମୋ କଥା ବୁଝି ପାରିବେ, ମୁଁ ଥାଏ କି ନଥାଏ। ଆଉ ସେ ରଘୁନାଥ ହିଁ ସମସ୍ତଙ୍କୁ ପ୍ରବର୍ତ୍ତାଇବ ମୋ ଇପ୍ସିତ ରାସ୍ତାରେ ଚାଲିବା ପାଇଁ--ତା ଆଖିରୁ ସ୍ଵାର୍ଥର ପରଳ ବାହାରି ଗଲା ପରେ। ଏହା ନିଶ୍ଚିତ ହେବ" -- ମୋହନ ସାର କହିଲେ।

ହରିଶର ମୁହଁରେ ଭାଷା ନଥିଲା। ସେ ତା ବାପାଙ୍କ ବାକ୍ ବୈତରଣୀରେ କୂଳଛଡ଼ା ନାଆ ଭଳି ଭାସି ଚାଲିଥିଲା। "ହଉ ଛାଡ଼ ସେ କଥା। ଯିଏ ଯେମିତି କରିବ, ସେମିତି ଫଳ ପାଇବ; ଆମର ସେଥିରେ କଣ ଅଛି?" କଥାର ମୋଡ଼ ବଦଳେଇବା ପାଇଁ ସାର କହିଲେ। "ମୋ ବୋହୂ କେମିତି ଅଛି ? ତାକୁ କହିବୁ ମୋ ପାଇଁ ଛୁଇଁବଡ଼ି ବେସର କରିବ, ମୁଁ ଗଲାଦିନ ଖାଇବି। ବଡ଼ି କିଣିନେବୁ ଘରକୁ ଗଲା ବେଳେ, ହେଲା?" ହରିଶ- "ଆଜ୍ଞା। ସେ ଆସିବ ବୋଲି କହୁଥିଲା। ତା ଦେହ ଟିକେ ଭଲ ନାହିଁ ତ। ମୁଁ ମନା କଲି--କହିଲି ଏକାଥରେ ସନ୍ଧ୍ୟାରେ ଖାଇବା ନେଇ ଆସିବାକୁ"। ମୋହନ ସାର (ବ୍ୟସ୍ତ ହୋଇ)-" କଣ ହୋଇଛି ତାର?" ହରିଶ(ଟିକେ ଲାଜେଇ)-"ନା ବାପା କିଛି ନାହିଁ... ଆକ୍ଚୁଆଲି.....ଆପଣ...ଜେଜେ ହବାକୁ ଯାଉଛନ୍ତି"। ମୋହନ ସାର(ଆଖି ଛଳ ଛଳ କରି)-" ହେ ଭଗବାନ !! ମୋ ପିଲାମାନଙ୍କୁ ଆଶୀର୍ବାଦ କର।"

*****

ସନ୍ଧ୍ୟା ୭.୩୦ । ହରିଶ ହସ୍ପିଟାଲ ବାହାରେ ଟିକେ ବୁଲୁଛି। ବାପାଙ୍କ କଥା ସବୁ ମନେପଡ଼ି ଯାଉଛି ତାର। ପ୍ରକୃତରେ ସେ କେତେ ଭାଗ୍ୟବାନ ଯେ ସେ ଏପରି ମହାତ୍ମାଙ୍କ ପୁଅ ହୋଇ ଜନ୍ମ ହୋଇଛି। ଘରୁ ଅନିତା ଫୋନ କଲା -" କଣ କରୁଛ? ବାପା କେମିତି ଅଛନ୍ତି? ମୁଁ ଖାଇବା ବନଉଛି, ଆଉ ଅଧଘଣ୍ଟା ପରେ ବାହାରିବି। ବାବା(ହରିଶ ର ଶ୍ୱଶୁର) ଆସିଗଲେଣି, ଆମେ ସାଙ୍ଗ ହେଇକି ଯିବୁ"। ଏହି କଥାସମୟରେ ହରିଶ ଫୋନରେ କଲ ୱେଟିଙ୍ଗ ଆସିଲା। ହରିଶ ଆଣି ଦେଖିଲା ହସ୍ପିଟାଲ ନମ୍ବର। " ଅନିତା ଟିକେ ରଖ, ହସ୍ପିଟାଲରୁ କଲ ଆସୁଛି"-ହରିଶ କହିଲା। ଅନିତା ଫୋନ କାଟିଲା । ହରିଶ- "ହାଲୋ"। ସେପଟୁ-" ହରିଶ ବାବୁ ! ଆପଣଙ୍କ ବାପା ସିରିୟସ। ଜଲଦି ଆସନ୍ତୁ।" ହରିଶ ଦୌଡ଼ିଲା।

*****

ମୋହନ ସାର ଥିବା କ୍ୟାବିନରେ ଦୁଇ ଚାରି ଜଣ ଅଭିଜ୍ଞ ଡାକ୍ତର, ନର୍ସ ଅଛନ୍ତି। ସି.ପି.ଆର୍. ଚାଲିଛି। କେତେ କଣ ଯନ୍ତ୍ରପାତି ଲାଗିଛି। କେଇ ଘଡ଼ି ପୂର୍ବରୁ ନିଜ ଜୀବନର ଦର୍ଶନ, ସଙ୍ଘର୍ଷ ବିଷୟରେ ବୁଝାଉଥିବା ମଣିଷଟା ନିଶ୍ଚଳ, ବାକଶୁନ୍ୟ ହୋଇ ପଡ଼ିଛି ଖଟିଆରେ। ହରିଶ ନିର୍ବାକ ହୋଇ ଚାହିଁ ରହିଥାଏ। ମୁଖ୍ୟ ଡାକ୍ତର-"ସିଷ୍ଟର ! ଆଇ.ସି.ୟୁ. ରେଡି କରନ୍ତୁ। କ୍ୱିକ୍ । ଭେଣ୍ଟିଲେଟର ଫାଙ୍କା ଅଛି ତ ? ଜଲ୍ଦି ପେସେଣ୍ଟକୁ ସିଫ୍ଟ କରିବା। ୱି ଡୋଣ୍ଟ ହାଭ ଟାଇମ୍ ।" "(ହରିଶ କୁ ଦେଖି) ଆରେ ହରିଶ ବାବୁ ତାଙ୍କ କଣ୍ଡିସନ କ୍ରିଟିକାଲ ଅଛି। ମାସିଭ ହାର୍ଟ ଆଟାକ୍। ସେ କୋମାରେ। କିଛି କହି ହଉନି। ୱି ଆର୍ ଟ୍ରାଇଙ୍ଗ ଆୱାର ଲେଭେଲ ବେଷ୍ଟ। ରେଷ୍ଟ ଆର୍ ଅପନ୍ ଗଡ଼୍।"

ହରିଶ ମୁକ ପାଲଟି ଯାଇଥାଏ। କିଛି କହିପାରୁନଥାଏ ସେ କେବଳ ମୁଣ୍ଡ ହଲାଇବା ଛଡ଼ା। ଅନିତାର ଫୋନ ଆସିଲା। ଫୋନ ଉଠାଇ ହରିଶ କାନ୍ଦୁଥାଏ। ଅନିତା -" ଆରେ କଣ ହେଲା ? ପ୍ଲିଜ କୁହ। ନ କହିଲେ କେମିତି ଜାଣିବି। ( ଭୟ ଓ କାନ୍ଦ କାନ୍ଦ ହୋଇ) ବାପା ଠିକ ଅଛନ୍ତି ତ ?" ହରିଶର ଫୋନ ସ୍ୱିଚଅଫ୍ ହୋଇଗଲା। ବ୍ୟାଟେରୀ ଡାଉନ।

*****

ଅନିତା ଟିକେ ପରେ ଆସି ପହଁଚିଲା, ସାଙ୍ଗରେ ତା ବାବା। ହାତରେ ଟିଫିନ କ୍ୟାରିଅର। ମୋହନ ସାର ଆଡ଼ମିଟ ହେଇ ରହିଥିବା କ୍ୟାବିନ ଖାଲି ପଡ଼ିଛି। ପାଖ ରୁମ୍ ର ଜଣେ ଆଟେଣ୍ଡାଣ୍ଟ କହିଲେ ଯେ ସେ ଆଇ.ସି.ୟୁ. କୁ ସିଫ୍ଟ ହୋଇଛନ୍ତି। ଅନିତା ବ୍ୟସ୍ତ ବିବ୍ରତ ହୋଇ ଦୌଡ଼ିଲା ଆଇ.ସି.ୟୁ. ଆଡ଼େ। ତା ପଛରେ ତା ବାବା।

*****

(ଆଇ.ସି.ୟୁ. ବାହାରେ ଗୋଟେ କଣକୁ ଆଉଜି ହରିଶ ଠିଆ ହୋଇଛି। ଆଖି ଲାଲ ପଡ଼ିଯାଇଛି କାନ୍ଦି କାନ୍ଦି। ହୃଦସ୍ପନ୍ଦନ ବଢ଼ି ବଢ଼ି ଯାଉଛି) ଅନିତା-" ବାପା?" ହରିଶ ଆଇ.ସି.ୟୁ. ଭିତରକୁ ହାତ ବଢ଼େଇ ଦେଲା। ହରିଶ ଶ୍ୱଶୁରଙ୍କୁ ପାଦଛୁଇଁ ପ୍ରଣାମ କରନ୍ତେ ଦୁଇ ବୁନ୍ଦା ଲୁହ ତାଙ୍କ ପାଦରେ ଖସି ପଡ଼ିଲା। ଶ୍ୱଶୁର-" ପୁଅ, ଆପଣ ଏମିତି ଅଧର୍ଯ୍ୟ ହେଲେ ହେବ, ସବୁ ଠିକ ହେଇଯିବ, ଧର୍ଯ୍ୟ ଧରନ୍ତୁ"। ଅନିତା ଆଇ.ସି.ୟୁ. କାଚ କବାଟ ପାଖକୁ ଯାଇ ଭିତରକୁ ଚାହିଁଲା। ଭେଣ୍ଟିଲେଟର ଚାଲିଛି। ମୋହନ ସାର ନିରବ ନିଶ୍ଚଳ। କେବଳ କୋଉ ଟିକେ ଫାଙ୍କ ବାଟେ ଲୁଚି ଲୁଚି ଚାଲି ଆସୁଥାଏ ଆଇ.ସି.ୟୁ. ଭିତର ଯନ୍ତ୍ରନିଃସୃତ ଅଲକ୍ଷଣା କୁଁ-କୁଁ ଟୁଁ-ଟୁଁ ଶବ୍ଦ।

*****

ରାତି ୯.୩୦ । ଜଣେ ଡାକ୍ତର ଆସିଲେ। "ହରିଶ ବାବୁ ! ୱି ଆର୍ ସରି। ଆମେ ବହୁତ ଚେଷ୍ଟା କଲୁ। କିନ୍ତୁ କିଛି ଲାଭ ହେଲାନି। ସାର ଇଜ୍ ନୋ ମୋର୍ ।" ହରିଶ ପାଦ ତଳୁ ମାଟି ଖସି ଯାଉଥିଲା। ମୁଣ୍ଡରେ ସତେ ଯେମିତି ପୂରା ହସ୍ପିଟାଲଟା ଖସି ପଡ଼ିବ । କି ଦାରୁଣ ଏ ମୁହୂର୍ତ୍ତ !! ସେ ସ୍ଥାଣୁ ପାଲଟି ଯାଇଥିଲା। ଅନିତା ପାଟିକୁ ରୁମାଲ ରେ ଚାପି କାନ୍ଦ ରୋକିବାକୁ ଚେଷ୍ଟା କରୁଥିଲା। ତା ବାବା ସେଠାରେ ପଡ଼ିଥିବା ଚେୟାରରେ ଲଥ୍ କିନା ବସି ପଡ଼ିଲେ। "ହରିଶ ବାବୁ..ହରିଶ ବାବୁ !!" ଡାକ୍ତରଙ୍କ ଡାକରେ ହରିଶ ପ୍ରକୃତିସ୍ଥ ହେଲା। " ଆସନ୍ତୁ ଭିତରକୁ ଆସନ୍ତୁ। ଆପଣଙ୍କ ବାପାଙ୍କୁ ଶେଷଥର ପାଇଁ ଦେଖି ନିଅନ୍ତୁ। ଫର୍ମାଲିଟିଜ ପୂରା କରି ବଡି ନେଇ ଯାଆନ୍ତୁ।" ହରିଶ ଭାବୁଥାଏ ତା ବାପା କେତେ ଜଲ୍ଦି 'ବାପା' ରୁ 'ବଡି' ହେଇଗଲେ।

*****

ଆଇ.ସି.ୟୁ. ଭିତରେ ହରିଶ, ଅନିତା ଓ ଅନିତାର ବାବା। ସମସ୍ତେ ଭୋ ଭୋ କାନ୍ଦୁଛନ୍ତି, ହରିଶ ବ୍ୟତୀତ। ହରିଶ ବାକ୍- ଶ୍ରବଣବିହୀନ ମଣିଷଟିଏ ପରି ଅପଲକ ନୟନରେ ଚାହିଁ ରହିଥାଏ। ମୋହନ ସାରଙ୍କ ମର ଶରୀର ଖଟିଆରେ ପଡ଼ିଛି। ଭେଣ୍ଟିଲେଟର ଖୋଲା ହୋଇ ଯାଇଛି। ଡେଥ ରିପୋର୍ଟ ଲେଖା ହେଉଛି। " No spontaneous respiration, no audible heart sounds, BP- not recordable, Pupils dilated, not reacting to light, Corneal reflex absent. Patient succumbed on 30.01.18 at 9.30 PM." ଏମିତି ଅନେକ କିଛି ଡାକ୍ତରୀ ଶବ୍ଦ ଓ ବାକ୍ୟ ଯାହା ଗୋଟେ ଶରୀରକୁ ପ୍ରାଣହୀନ ବୋଲି ପ୍ରମାଣ କରିବ। ଗୋଟେ ମଣିଷକୁ ନିର୍ଜୀବ ବୋଲି ସ୍ୱୀକାର କରିବାରେ ସାହାଯ୍ୟ କରିବ ସେ ଛାଡ଼ି ଯାଇଥିବା ତାର ସବୁ ସମ୍ପର୍କୀୟମାନଙ୍କୁ। ହରିଶ ପାଇଁ ସେ ସବୁ ଧାଡ଼ିମାନେ କିଛି ମହତ୍ତ୍ଵ ରଖୁ ନଥିଲେ, କାରଣ ସେ ତା ବାପାଙ୍କର ମୃତ୍ୟୁକୁ ଗ୍ରହଣ କରି ପାରୁନଥିଲା। କେବେଳ ଗୋଟିଏ ବାକ୍ୟ ତା କାନରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା--ତା ବାପାଙ୍କ ମୃତ୍ୟୁ ତାରିଖ ୩୦ ଜାନୁଆରୀ ୨୦୧୮।

*****

ଘର ମଣ୍ଡପରେ ମୋହନ ସାରଙ୍କ ଶବ। ସେ ଜାଗା ଜନାକୀର୍ଣ୍ଣ । ସତେ ଯେମିତି କେଉଁ ମହୋତ୍ସବ ଚାଲିଛି। କେତେ କିଏ ଆସୁଥାନ୍ତି ଶେଷ ଦର୍ଶନ ପାଇଁ। ଚାରିଆଡ଼େ କାନ୍ଦର ଦାରୁଣ ଗୁଞ୍ଜରଣ। କୋକେଇ ବନ୍ଧା ଚାଲିଛି। କିଏ କହୁଥାଏ ସାରଙ୍କୁ ସ୍ୱର୍ଗଦ୍ୱାର ନେବା, କିଏ କହୁଥାଏ ସାର ସବୁଠାରୁ ଅଧିକ ଗାଁକୁ ଭଲପାଉଥିଲେ, ଏଇ ଗାଁ ଥିଲା ତାଙ୍କର ଜନ୍ମ ଭୂମି, କର୍ମ ଭୂମି; ଅତଏବ ତାଙ୍କୁ ଗାଁରେ ସତ୍କାର କଲେ ତାଙ୍କ ଆତ୍ମା ଖୁସି ପାଇବ। (ହଠାତ ଭିଡ଼ ଭିତରୁ ଜଣେ କେହି କଇଁ କଇଁ କାନ୍ଦି ଦୌଡ଼ି ଆସିଲା ଓ ମୋହନ ସାରଙ୍କ ଶବ ପାଖରେ ବସି ପଡ଼ିଲା ତାଙ୍କ ପାଦକୁ ଧରି)। ପାଖରେ ଥିବା ଦୁଇ ଚାରି ଜଣ ଏକ ସଙ୍ଗରେ - " ଆରେ ରଘୁନାଥ !! ତୁ କୁଆଡ଼େ ଯାଇଥିଲୁ ? କୋଉଠି ଥିଲୁ ?" ରଘୁନାଥ କାହାରିକୁ ଉତ୍ତର ନଦେଇ ମୋହନ ସାରଙ୍କ ପାଦକୁ ଧରି କାନ୍ଦୁଥିଲା। ରଘୁନାଥ-"ମୋତେ କ୍ଷମା କରନ୍ତୁ ସାର। ମୋ ଲାଗି ଆପଣଙ୍କର ଆଜି ଏ ଅବସ୍ଥା। ମୁଁ ଆପଣଙ୍କୁ ଅପମାନିତ କଲି, ଆଘାତ ଦେଲି; ହେଲେ ଆପଣ ମୋତେ ରକ୍ଷା କଲେ। ଆପଣଙ୍କ ଭିତରେ ମୁଁ ମୋ ବାପା, ଗୁରୁ, ମାର୍ଗଦର୍ଶକ ଦେଖିଛି ସାର। ଆପଣଙ୍କ ଲାଗି ପାଠ ପଢ଼ି ପାରିଛି। ଏ ସଂସାରକୁ ବୁଝି ପାରିଛି, ହେଲେ ଆପଣଙ୍କୁ ବୁଝି ପାରିଲିନି ସାର (ଭୋ ଭୋ ହୋଇ କାନ୍ଦି ଉଠିଲା)। ଆପଣ ଠିକ ଥିଲେ ସାର। ମୁଁ ନୀଚ୍ଚ, ଅଧମ ଆପଣଙ୍କ ଭଳି ଭଗବାନଙ୍କ ହୃଦୟକୁ କଷ୍ଟ ଦେଲି। ମୋତେ ଧର୍ମ ସହିବନି ସାର। ନର୍କରେ ପଡ଼ିବି ମୁଁ। ମୁଁ ଆଜି ଆପଣଙ୍କ ପାଦ ଛୁଇଁ ଶପଥ କରୁଛି ସାର, ବଞ୍ଚିଥିଲା ଯାଏଁ ଆପଣ ଦେଖାଇଥିବା ରାସ୍ତାରେ ଚାଲିବି। ଆପଣ ଏଇ ଗାଁର ଲୋକମାନଙ୍କ ପାଇଁ ଦେଖିଥିବା ସ୍ୱପ୍ନକୁ ମୁଁ ସାକାର କରିବି; ସେଥିପାଇଁ ଦରକାର ପଡ଼ିଲେ ଜୀବନ ଦେବାକୁ ବି ପଛେଇବି ନାହିଁ।" ହରିଶ ଦୂରରୁ ସବୁ ଦେଖୁଥିଲା। ତା ବାପାଙ୍କ କଥା ସବୁ ମନେ ପଡ଼ି ଯାଉଥାଏ। ସେ ବୁଝି ପାରୁଥିଲା ତା ବାପା ହାରି ନଥିଲେ, ବରଂ ଟିକେ ଡେରିରେ ହେଉ ପଛେ ସବୁଦିନ ପାଇଁ ଜିତି ଯାଇଥିଲେ। ହେଲେ ସେ ନିଜକୁ ବୁଝେଇ ପାରୁନଥିଲା ଯେ ସେ ବାପଛେଉଣ୍ଡ ହୋଇଯାଇଛି ନୀତି ଅନୀତିର ଏ ଲଢ଼େଇ ଭିତରେ।

ଆଖିରୁ ଲୁହ ପୋଛି ପୋଛି ରଘୁନାଥ ଠିଆ ହେଲା। (କୋହ ଭରା କଣ୍ଠରେ) " ଭାଇମାନେ କହିବାକୁ ଜିଭ ଲେଉଟୁନି କି ସାର ଆମ ଗହଣରେ ଆଉ ନାହାନ୍ତି ବୋଲି। ସେ ଏଇ ଗାଁ ପାଇଁ ଯାହା କରିଛନ୍ତି ଆଜି ପର୍ଯ୍ୟନ୍ତ କେହି କରି ନଥିଲେ କି ଆଗକୁ କେହି କରିପାରିବେନି। ତାଙ୍କ ଶୂନ୍ୟସ୍ଥାନ ପୂରଣ ହୋଇପାରିବନି। ମୁଁ କିଛି ସମୟ ପାଇଁ ତାଙ୍କୁ ଭୁଲ ବୁଝିଥିଲି। ତାହା ମୋ ଅଜ୍ଞତା ଥିଲା। ହେଲେ ମୁଁ ଆଜି ବୁଝିଛି ତାଙ୍କ ବିଶାଳ ହୃଦୟକୁ; ଯୋଜନବ୍ୟାପୀ ଦୂରଦୃଷ୍ଟିକୁ। ଆଜି ଆସନ୍ତୁ ତାଙ୍କ ପାର୍ଥିବ ଶରୀର ଆଗରେ ଶପଥ କରିବା କି ତାଙ୍କ ପ୍ରଦର୍ଶିତ ରାସ୍ତାରେ ଶେଷନିଃଶ୍ବାସ ତ୍ୟାଗ କଲା ଯାଏଁ ଚାଲିବା। ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା। ଏଇ ଗାଁ ପାଇଁ ସେ ଦେଖିଥିବା ସମସ୍ତ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରାଣପଣେ ଲାଗି ପଡ଼ିବା। ସାରଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ମୁଁ କିଛି ଚିନ୍ତା କରିଛି। ଆପଣମାନେ ସମ୍ମତି ଦେଲେ ଆମେ ସେ ଦିଗରେ ପଦକ୍ଷେପ ନେବା।" (ଭିଡ଼ ଭିତରୁ ସମୂହ ସ୍ୱରରେ) " ଏଥିରେ କିଛି କହିବାର ନାହିଁ। ମୋହନ ସାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯାହା କରିବ ଆମେ ରାଜି।" ରଘୁନାଥ ଆରମ୍ଭ କଲା-" ଆମ ଗାଁକୁ ସଂଯୋଗ କରୁଥିବା ରାସ୍ତାଟିର ନାଁ ମୋହନ ଦାଶ ମାର୍ଗ ହେବ। ସାରଙ୍କ ଇଚ୍ଛା ଅନୁସାରେ ଆମ ଗାଁ ରେ ଗୋଟିଏ ହାଇସ୍କୁଲ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆ ହେବ। ସେହି ହାଇସ୍କୁଲର ନାମ ମୋହନ ଦାଶ ହାଇସ୍କୁଲ ରଖାଯିବ ଏବଂ ଗାଁ ବଜାର ଛକରେ ସାରଙ୍କର ଗୋଟିଏ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପିତ ହେବ। ଏ ସବୁ ପାଇଁ ସରକାରୀ ଓ ବେସରକାରୀ ସ୍ଥରରେ ପୂର୍ଣ୍ଣପ୍ରାଣ ଉଦ୍ୟମ କରାଯିବ; କଣ କହୁଛନ୍ତି?" " ସମସ୍ତେ କରତାଳି ଦେଇ ତାକୁ ସମର୍ଥନ ଜଣାଇଲେ। ରଘୁନାଥ-" ଦେଖନ୍ତୁ ନା, ସାର ଥିଲେ ବାପୁଙ୍କ ପରେ ଆଉ ଜଣେ ବାପୁ---- ନହେଲେ ତାଙ୍କ ତିରୋଧାନ ଦିବସ ଆଜି ଜାନୁଆରୀ ୩୦ ତାରିଖ ହୋଇ ନଥାନ୍ତା।" ପଛରୁ ଶୁଭୁଥାଏ-"ମୋହନ ସାର କି ଜୟ", "ମୋହନ ସାର ଆମର ରହେ" ଆଦି ସ୍ଲୋଗାନ।

*****

ହରିଶ ଆଗକୁ ଆସିଲା। କାନ୍ଦି କାନ୍ଦି ଆଖି ଫୁଲି ଯାଇଛି। "ରଘୁନାଥ ! ମୁଁ ବାପୁ ନୁହେଁ.. ମୋ ବାପା ଚାହେଁ; ଦେଇ ପାରିବୁ ??" ସମସ୍ତେ ଚୁପ ହୋଇଗଲେ। ରଘୁନାଥ ମୁଣ୍ଡ ନୁଆଁଇ ଦୋଷୀ ଭଳି ଠିଆ ହୋଇଥାଏ। ହରିଶ ପୁଣି ଆରମ୍ଭ କଲା-" ମୋ ବାପା ତୁମମାନଙ୍କ ପାଇଁ କଣ ଥିଲେ ଜାଣିନି; ତାଙ୍କ ମୃତ୍ୟୁ ପରେ ତାଙ୍କ ପ୍ରତି ତୁମମାନଙ୍କର ଭକ୍ତି ଓ ଭଲ ପାଇବା କେତେ ସତ କେତେ ମିଛ ଜାଣିବାରେ ଆଗ୍ରହ ନାହିଁ ମୋର। ହେଇଥାଇପାରେ ତୁମେମାନେ ବାପୁଙ୍କ ପରି ଆଉ ଜଣେ ବାପୁଙ୍କୁ ହରେଇଲ; କିନ୍ତୁ ମୁଁ ହରେଇଲି ମୋ ବାପାଙ୍କୁ। ମୋ ବାପାଙ୍କୁ ହରେଇ ତୁମେମାନେ ନୁହଁ ମୁଁ ହେଲି ବାପଛେଉଣ୍ଡ। ତାଙ୍କୁ ମନେ ରଖିବା ପାଇଁ ତୁମେମାନେ ତାଙ୍କ ନାଁ ରେ ରାସ୍ତା, ସ୍କୁଲ, ମୂର୍ତ୍ତି ଯେତେ ଯାହା କଲେ ମଧ୍ୟ ଆମ ଘରେ ତାଙ୍କ ଅନୁପସ୍ଥିତିର କଷ୍ଟକୁ କେହି ଲାଘବ କରି ପାରିବେ ନାହିଁ। ଆସ ଦେଖିବ ମୋ ବାପା ବସୁଥିବା ଆରାମ ଚେୟାରଟା ଆମ ଘରେ କେମିତି ଖାଲି ପଡ଼ିଛି। ସେ ଶୋଉଥିବା ପଲଙ୍କ, ସେ ପିନ୍ଧୁଥିବା ଧୋତି ପଞ୍ଜାବୀ ଆସ ଦେଖିବ କେମିତି ଲୁହ ଗଡ଼ଉଛନ୍ତି, ତାଙ୍କ ଅବର୍ତ୍ତମାନରେ। ମୋ ବାପାଙ୍କ ନୀତି ଆଦର୍ଶ ତୁମପାଇଁ ବେଦବାଣୀ ହୋଇଥାଇ ପାରେ, ହେଲେ ମୋ ପାଇଁ ତାଙ୍କ କଥା ସବୁ ବେଦ ପୁରାଣର ଉର୍ଦ୍ଧ୍ବରେ--ମୁଁ ତାଙ୍କ କଥା ବ୍ୟତୀତ ସେ ସବୁକୁ ପଢ଼େନି କି ଶୁଣେନି। ଏବେ ମୋତେ ସେ ସବୁ କିଏ କହିବ? ତୁମେ ହୁଏତ ତାଙ୍କ ଦେଖାଇବା ରାସ୍ତାରେ ଚାଲିବ, ତାଙ୍କ ସୁକ୍ଷ୍ମ ଇଙ୍ଗିତକୁ ଅନୁସରଣ କରି; ମୁଁ କଣ କରିବି-- ତାଙ୍କ ଆଙ୍ଗୁଠି ଧରି ଆଜିପର୍ଯ୍ୟନ୍ତ ଚାଲୁଥିଲି। ମୁଁ ଆଜି ଦିଗହରା ହୋଇଯାଇଛି। ମୋତେ ଆଗକୁ କିଛି ଦିଶୁନି। ନିଜ କୋହକୁ ସମ୍ବରଣ କରି ପାରିଲାନି ହରିଶ; ତା କାନ୍ଦରେ ଗଛପତ୍ର କାନ୍ଦି ଉଠିଲେ। ରଘୁନାଥ ତାକୁ କୁଣ୍ଢେଇ ଭୋ ଭୋ କାନ୍ଦିଲା। ରଘୁନାଥ-" ମୋତେ କ୍ଷମା କରିଦିଅ ଭାଇ, କ୍ଷମା କରିଦିଅ। ମୁଁ କେବେ ଏସବୁ ଚାହିଁ ନଥିଲି।" " ଆଉ ଡେରି କରିବାନି। ଶବ ବେଶୀ ସମୟ ପକେଇବାନି। ସଂକୀର୍ତ୍ତନ କରି ସାରା ଗାଁରେ ଶୋଭାଯାତ୍ରା ପରେ ଶବସତ୍କାର କରିବା।"--ପଛରୁ କିଏ ଜଣେ କହୁଥିଲା। ରଘୁନାଥ ହରିଶକୁ କୁଣ୍ଢେଇ ନେଇ ବସେଇଲା -- " ଭାଇ, ଆଉ ଡେରିକରିବାନି"। ହରିଶ ର ଶ୍ୱଶୁର-" ପୁଅ ! ସବୁ ଯୋଗାଡ଼ ସରିଲାଣି। ଯିବା ଏଥର।" ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଚାରିଜଣ ଶବ କାନ୍ଧେଇଲେ। " ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ, ମୋହନ ସାର ଅମର ରହେ", ଇତ୍ୟାଦି ଧ୍ୱନି କ୍ରମଶଃ ଦୂରେଇ ଦୂରେଇ ଯାଉଥିଲା ଶବ ଶୋଭାଯାତ୍ରା ଆଗକୁ ବଢ଼ିବା ସହ। ସମସ୍ତଙ୍କ ଆଖିରେ ଲୁହ। ଗାଁ ଦାଣ୍ଡ କାନ୍ଦରେ ଫାଟି ପଡ଼ୁଥିଲା। ଅନିତା କାନ୍ଦି କାନ୍ଦି ଆଣି ଦାଣ୍ଡରେ ଗୋବର ପାଣି ପକେଇଲା।

*****

କିଛି ଦିନ ପରେ..... ଅନିତା ହସ୍ପିଟାଲରେ। ତାର ଗର୍ଭ ଯନ୍ତ୍ରଣା ଆରମ୍ଭ ହେଲାଣି। ସେ ଲେବର୍ ରୁମରେ। ପାଖରେ ଡାକ୍ତର, ନର୍ସ ସମସ୍ତେ ଅଛନ୍ତି। ଡାକ୍ତର କହୁଛନ୍ତି ଆଉ ଅଳ୍ପ ସମୟ ଡେଲିଭରି ପାଇଁ। ନର୍ମାଲ ହେବ। ସି.ଏସ୍. ଦରକାର ହେବନି। ବାହାରେ ହରିଶ ନିରୀହ ଶିଶୁଟିଏ ପରି ଖାଲି ଏପଟ ସେପଟ ହେଉଥାଏ। ତା ହୃଦସ୍ପନ୍ଦନ ବଢ଼ି ଚାଲିଥାଏ। ପାଣି ପରେ ପାଣି ପିଉଥାଏ ସେ। ଏଇ ହସ୍ପିଟାଲରେ କିଛି ଦିନ ପୂର୍ବେ ତା ବାପାଙ୍କୁ ଶେଷ ଥର ଭେଟିଥିଲା ସନ୍ତାନ ଭାବରେ; ଆଜି ଈଶ୍ୱର ଚାହିଁଲେ ତା ସନ୍ତାନକୁ ପ୍ରଥମ ଥର ଭେଟିବ ବାପା ଭାବରେ। ଓଃ କି ଛଟପଟ ମୁହୂର୍ତ୍ତ। ବୋଧହୁଏ ଅନିତା ଠାରୁ ବେଶୀ କଷ୍ଟ ପାଉଥିଲା ସେ--ତା ହାତରେ ଥିଲେ ସେ ସଙ୍ଗେ ସଙ୍ଗେ ଶିଶୁଟିକୁ ଜନ୍ମକରେଇ ଅନିତାକୁ ଧରି ଦୌଡ଼ି ପଳାନ୍ତା ଘରକୁ। ଆଉ ସହି ହଉନି। ଏତେ କୋଳାହଳ ଭିତରେ ସେ ଏତେ ଏକୁଟିଆ ଓ ଏକାନ୍ତ ଅନୁଭବ କରୁଥିଲା ଯେ ନିଜ ହୃଦସ୍ପନ୍ଦନ ନିଜେ ଶୁଣି ପାରୁଥିଲା ବିନା କୌଣସି ଷ୍ଟେଥୋସ୍କୋପ୍ ର ସାହାଯ୍ୟ ନେଇ।

ଅନିତା ବାପଘରୁ ସମସ୍ତେ ଆସିଥାନ୍ତି।ଖବର ପାଇ ରଘୁନାଥ ଓ ଗାଁରୁ ଦୁଇ ତିନି ଜଣ ବି ଆସି ପହଞ୍ଚିଲେଣି। "କଂଗ୍ରାଚୁଲେସନ ହରିଶ ବାବୁ"-ଜଣେ ସିଷ୍ଟର ଆସି କହିଲେ। ହରିଶ ଚମକି ପଡ଼ିଲା। ସମସ୍ତେ ସିଷ୍ଟରଙ୍କ ପରବର୍ତ୍ତୀ କଥା ଶୁଣିବାକୁ ପାଖକୁ ଚାଲି ଆସିଲେ।ସିଷ୍ଟର-"ପୁଅଟିଏ ହୋଇଛି। ଭାରି ସୁନ୍ଦର। ମା ଛୁଆ ଦୁହେଁ ସୁସ୍ଥ ଅଛନ୍ତି। ଆଉ ଟିକେ ପରେ ଆପଣମାନେ ଯାଇ ଦେଖିବେ। ଜଲ୍ଦି ମିଠା ଆଣିକି ଆସନ୍ତୁ"। ହରିଶ ଯନ୍ତ୍ରବତ ସିଷ୍ଟରଙ୍କ କଥା ଶୁଣୁଥିଲା। ତା ପାଟିରୁ ଭାଷା ବାହାରୁ ନଥିଲା। ଲେବର୍ ରୁମ ପାଖ ୱେଟିଙ୍ଗ ରୁମ ଟି.ଭି. ରୁ ଶୁଭୁଥିଲା ସନ୍ଧ୍ୟା ସମାଚାର--"ଆଜି ଅକ୍ଟୋବର ୨ ତାରିଖ। ସାରା ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଲାଲ ବାହାଦୁର ଶାସ୍ତ୍ରୀଙ୍କର ଜୟନ୍ତୀ ପାଳିତ ହୋଇଯାଇଛି......." "ହ୍ଵାଟ୍ ଏ କୋଇନସିଡେନ୍ସ !!"- ହରିଶ ଅଜାଣତରେ କହି ପକେଇଲା। ରଘୁନାଥ(ହସି ହସି)-" ଦେଖିଲ ହରିଶ ଭାଇ, ଆଜି ଗାନ୍ଧୀ ଜୟନ୍ତୀ। ଆମ ବାପୁ ଓ ତୁମ ବାପା ପୁଣି ଥରେ ଆସିଲେ। ମୁଁ ଜାଣିଥିଲି ସାର ଆମକୁ ଓ ଏ ଗାଁକୁ ଛାଡ଼ି କୋଉଠି ରହି ପାରିବେନି।" ହରିଶ ଆଖି ବନ୍ଦ କରି ତା ବାପାଙ୍କୁ ପ୍ରଣାମ କଲା ଓ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିଲା। ତା ଆଖିରୁ ବହୁଥିବା ଆନନ୍ଦାଶ୍ରୁକୁ ଯେତେ ଲୁଚେଇବାକୁ ଚାହିଁଲେ ବି ଲୁଚେଇ ପାରୁନଥିଲା ସେ। ଭିତରୁ ନବଜାତକଟିର କୁଆଁ କୁଆଁ ରାଵରେ ଚତୁର୍ଦିଗ ଉଲ୍ଲସି ଉଠୁଥିଲା। ସମସ୍ତେ ମନ ଭିତରେ ଶିଶୁଟିର ନାମକରଣରେ ଲାଗିପଡ଼ିଥିଲେ।

(ସମାପ୍ତ)

ଫ୍ରାନସିସ ଶତପଥୀ


Rate this content
Log in

Similar oriya story from Inspirational