Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

srutakirti Tripathy

Others

2  

srutakirti Tripathy

Others

ପ୍ରତିଶ୍ରୁତି

ପ୍ରତିଶ୍ରୁତି

1 min
3.1K


ଭାରାକ୍ରାନ୍ତ ମନ ଏବଂ ଅବସନ୍ନ ଶରୀରକୁ ନେଇ କୋଠରୀରେ ପ୍ରବେଶ କଲି । ଜମା ଇଚ୍ଛା ହେଲାନି କିଛି କରିବାକୁ । ଭାବିଲି ଟିକେ ବାହାରେ ବୁଲି କି ଆସିଲେ କାଳେ ମନ ପରିବର୍ତ୍ତନ ହୋଇଯିବ । ଲୁଗା ବଦଳାଇ ବାହାରି ପଡିଲି କିଛି ସମୟ ଚାଲିବା ପାଇଁ । ରାତି ନଅ ଟା ହୋଇଯାଇଥିବାରୁ ରାସ୍ତା ଘାଟରେ ବେଶି ଗହଳି ନ ଥିଲା ଲୋକଙ୍କର । ସମୁଦ୍ର କୂଳରେ ପହଂଚି ଖାଲି ପାଦରେ ବାଲୁକା ରାଶି ଉପରେ ଚାଲିବାକୁ ଆରମ୍ଭ କଲି । ଆକାଶରେ ରୂପା ଥାଳି ପରି ଜହ୍ନ ହସୁଥାଏ । ସମୁଦ୍ରର ଶୀତଳ ପବନ ଆସି ଦେହକୁ ଆଉଁଷି ଦେଉଥାଏ । ଲହଡୀ ଗୁଡିକ ପାଦକୁ ଛୁଇଁ ଫେରିଯାଉଥାଏ ଆଉ ମୁଁ ରୋମାଂଚିତ ହୋଇଉଠୁଥାଏ । ମନେହେଲା ପୁଣି ଯେମିତି ମୋର ପିଲା ଦିନ ଫେରିଆସିଛି । ଇଚ୍ଛା ହଉଥାଏ ଦଉଡି ଯାଇ ବାଲୁକା ସ୍ତୁପ ତୋଳିବା ପାଇଁ ।

ନିର୍ଜନ ବେଳାଭୂମିରେ କେବଳ ମୁଁ ଓ ମୋର ସାଥୀ ଲହଡୀ ଗୁଡିକ ଅନେକ ସମୟ ଯାଏ ବ୍ୟସ୍ତ ରହିଲୁ ବାଲିଘର ତିଆରି କରିବା ଓ ଭାଙ୍ଗିବାରେ । ଏମିତି ରାତି ଟା ମଧ୍ୟ ଅତିକ୍ରାନ୍ତ ହୋଇଯାଇଥାନ୍ତା, ହଠାତ ଲାଇଫ ଗାର୍ଡ ଆସିକି ମୋତେ ସାଷ୍ଟାମ କରେଇଲା,, -"ମାଡାମ ରାତି ଢେର ହେଲାଣି, ଏମିତି ଏକୁଟିଆ ଆପଣଙ୍କର ଏଠାରେ ରହିବା ଠିକ ହଉନାହିଁ । ସେ ପଟେ ନିଶାଶକ୍ତ ଲୋକଙ୍କର ଅଡ୍ଡା ଜମିଲାଣି । ଆପଣ ଫେରିଯିବା ହିଁ ଉଚିତ ହବ । "

ବାଧ୍ୟ ହୋଇ ସମୁଦ୍ରକୁ ବିଦାୟ ଦେଇ କି ଆସିଲି ପୁଣି ସେହି ସିମେଣ୍ଟ, କଂକ୍ରିଟ୍ ର ଚାରି କାନ୍ଥ ଭିତରକୁ । କର୍ତ୍ତବ୍ୟର ଶିକୁଳିରେ ବନ୍ଧା ମଣିଷ ଟିଏ ମୁଁ । ସତେ କି ଜଣେ ବନ୍ଦି ଯାଯାବର । ହେଲେ ଜହ୍ନ ଠିକ ପୂର୍ବଭଳି ଝଟକୁଥାଏ ଆକାଶରେ, ବୋଧେ ମୋତେ ପ୍ରତିଶ୍ରୁତି ମାଗୁଥାଏ ପୁଣି କାଲି ରାତିରେ ଆସିବା ପାଇଁ ।


Rate this content
Log in