କାଣ୍ଡନାଳ,କେଞ୍ଚୁଆ ଓ କୁଲିବେଙ୍ଗ
କାଣ୍ଡନାଳ,କେଞ୍ଚୁଆ ଓ କୁଲିବେଙ୍ଗ
ଦିନେ ସକାଳୁ ସକାଳୁ ଗାଁ ମୁଣ୍ଡରେ ଥିବା ପଡ଼ିଆର ଧୂଳି ଉପରେ କେଞ୍ଚୁଆଟିଏ କଅଁଳ ଖରାରେ ଗଡୁଥିଲା ବେଳେ ଅନତି ଦୂରରେ ଏକ ଧଣ୍ଡସାପ ଗୋଟେ କୁଲିବେଙ୍ଗ କୁ ଗୋଟାପଣ ଗିଳି ଦେବାର ଦେଖି ମନେମନେ ଭାବିଲା,"ସାପ ଆଉ ମୋ ଭିତରେ ପ୍ରଭେଦ କଣ ଯେ, ମୁଁ ବି ଆକୃତିରେ ସାପପରି ଲମ୍ବା। ବରଂ ସାପର ଗୋଟେ ମୁଣ୍ଡ ଥିଲାବେଳେ ମୋର ଦୁଇଦୁଇଟା ମୁଣ୍ଡ। ସାପର ଦୈର୍ଘ୍ୟ ସ୍ଥିର ,ଅଥଚ, ମୁଁ ଚାହିଁଲେ ନିଜର ଦୈର୍ଘ୍ୟକୁ ବଢ଼େଇ ପାରେ। ତେବେ,ସାପଟି କୁଲିବେଙ୍ଗ ଗିଳି କ୍ଷୁଧା ନିବାରଣ କରୁଥିବା ବେଳେ ମୁଁ କାହିଁକି ମାଟି ଖାଇ ଜୀବନ ଅତିବାହିତ କରୁଛି ! ଏହା ମୋର ନିର୍ବୋଧତା ଭିନ୍ନ ଅନ୍ୟ କିଛି ନୁହେଁ। ସେ ଯାହା ହେଉନା କାହିଁକି,ବିଳମ୍ବରେ ହେଉପଛେ, ଆଜି ମୋର ଜ୍ଞାନୋଦୟ ହେଇଛି। ଏଣିକି ମୁଁ ମଧ୍ୟ ସାପ ପରି କୁଲିବେଙ୍ଗ ଗୋଟା ଗିଳିବି।"
କିଛିଦିନ ପରେ ଦିନେ ମଧ୍ୟାହ୍ନ ସମୟରେ ସେଇ ପଡ଼ିଆରେ ଗୋଟେ କାଣ୍ଡନାଳ ସାପ ଏକ କୁଲିବେଙ୍ଗ ପଛରେ ଗୋଡାଉଥିଲା। ବେଙ୍ଗଟି ପ୍ରାଣ ବିକଳରେ ଡେଇଁ ଡେଇଁ ସାପଠାରୁ ଦୂରକୁ ଚାଲିଯିବାକୁ ଚେଷ୍ଟା କଲାବେଳେ କିଛି ଦୂରରୁ କେଞ୍ଚୁଆ ତାକୁ ଦେଖିଦେଇ ଭାରି ଖୁସି ହେଇଗଲା। ଭାବିଲା, "ଏତେ ଦିନକେ ସୁଯୋଗ ମିଳିଛି ଯେତେବେଳେ ହାତଛଡା ନକରି ବେଙ୍ଗଟିକୁ ନିଶ୍ଚୟ ଗୋଟା ଗିଳିବି।"
କୁଲିବେଙ୍ଗ ଟି ତାରି ଆଡକୁ ଆସୁଥିବାର ଦେଖି କେଞ୍ଚୁଆ ଅତ୍ୟଧିକ ଖୁସି ହେଇଗଲା। ମନେମନେ ଭାବିଲା, "ଏ କୁଲିବେଙ୍ଗ ର ବୁଦ୍ଧି ଭ୍ରଷ୍ଟ ହେବା ସହିତ ତା'ର ଭାଗ୍ୟ ମଧ୍ୟ ବାମ ହେଇଅଛି। ଅନ୍ୟଥା, ଖାଦ୍ୟ ହେଇ ଖାଦକ ଆଡକୁ ଆସୁଛି କାହିଁକି ? ତତ୍ ସଙ୍ଗେସଙ୍ଗେ ଆଜି ମୋର ପଞ୍ଚମ ବୃହସ୍ପତି ଯୋଗ ରହିଛି ନିଶ୍ଚୟ।"
ଏହିପରି ଭାବି, କୁଲିବେଙ୍ଗ ଆଉଟିକେ ନିକଟତର ହେବାକ୍ଷଣି ତାକୁ ଗୋଟା ଗିଳିବା ପାଇଁ ମନ ସ୍ଥିର କରି ପ୍ରସ୍ତୁତ ରହିବା ଭିତରେ କୁଲିବେଙ୍ଗଟିର ଆଖି କେଞ୍ଚୁଆ ଉପରେ ପଡ଼ିଲା। ବେଙ୍ଗଟି ସକାଳୁ କିଛି ଖାଦ୍ୟ ନ ଖାଇ ଥିବାରୁ ଅତ୍ୟନ୍ତ କ୍ଷୁଧାର୍ତ୍ତ ଥିଲା। ତେଣୁ, ଡେଇଁବା ପାଇଁ ତା ଦେହରେ ପର୍ଯ୍ୟାପ୍ତ ବଳ ନଥିଲା। କ୍ଷଣକ ମଧ୍ୟରେ ସେ ଭାବିନେଲା," ଯଦି ସାପ କବଳରୁ ବର୍ତ୍ତିଗଲି ତେବେ ଥକି ଯାଇଥିବା ହେତୁ ଆଜି ଆଉ ଖାଦ୍ୟ ଯୋଗାଡ଼ କରିବା ସମ୍ଭବ ହେବନାହିଁ, ସାରାଦିନ ଉପାସରେ କାଟିବାକୁ ପଡିବ। ତେଣୁ, କାଳ ବିଳମ୍ବ ନକରି ସାମ୍ନାରେ ଥିବା କେଞ୍ଚୁଆଟିକୁ ଟକ କରି ଗିଳିଦେଇ ଆଗକୁ ଯିବା ବୁଦ୍ଧିମାନ ର କାମ ହେବ। ଦେହକୁ ବଳ ମଧ୍ୟ ମିଳିଯିବ।"
ତେଣୁ, କୁଲିବେଙ୍ଗ ଟି ସେଇ ଡେଇଁବା ଭିତରେ ଲମ୍ବା ଜିଭକୁ ବଢ଼େଇ କେଞ୍ଚୁଆଟିକୁ ଉଦରସ୍ଥ କରିନେଇ କିଛିବାଟ ଆଗକୁ ଯାଇଛି କି ନାହିଁ କାଣ୍ଡନାଳ ସାପଟି ତାକୁ ଧରି ଗୋଟାପଣ ଗିଳିଦେଲା। ସାପ ପେଟ ଭିତରେ କିଛି ସମୟ ଭିତରେ କୁଲିବେଙ୍ଗଟି ମୃତ୍ୟୁ ବରଣ କଲା ପରେପରେ କେଞ୍ଚୁଆ ଶ୍ୱାସରୁଦ୍ଧ ହେବାସହ ସାରା ଶରୀରରେ ଭୀଷଣ ଯନ୍ତ୍ରଣା ଅନୁଭବ କଲାବେଳେ ଭାବୁଥିଲା "ସମ୍ଭବତଃ , ଅଭ୍ୟସ୍ତ ନଥାଇ ଜୀବନରେ ପ୍ରଥମ ଥର ଏତେ ବଡ଼ କୁଲିବେଙ୍ଗଟାକୁ ଗୋଟା ଗିଳିଦେଇ ଥିବା କାରଣରୁ ଏମିତି ଲାଗୁଛି, ଆଗକୁ ଅଭ୍ୟାସରେ ପଡିଗଲେ ସବୁ ସହଜ ହେଇଯିବ।"ଏମିତି ଭାବିବାର ପର ମୁହୂର୍ତ୍ତରେ କେଞ୍ଚୁଆର ପ୍ରାଣ ଚାଲିଗଲା।
ନୀତିଶିକ୍ଷା : ନିଜକୁ ଭଲଭାବେ ନଜାଣି ସାମର୍ଥ୍ୟ ବହିର୍ଭୁତ ପ୍ରାପ୍ତି ଲାଳସା ପ୍ରଦର୍ଶନ କରିବାଠୁଁ ମୁର୍ଖତା ଆଉକିଛି ନାହିଁ।
-------------©------------
ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)
ହରସିଂହ ପୁର,ପିରହାଟ ବଜାର,ଭଦ୍ରକ
ଓଡ଼ିଶା-୭୫୬୧୩୧
ମୋ:୯୯୩୭୫୪୮୪୩୧
୯୪୩୮୬୭୦୧୨୦