ସାଧବପୁଅ ଓ ବୋଇତ ବନ୍ଦାଣ ଉତ୍ସବ
ସାଧବପୁଅ ଓ ବୋଇତ ବନ୍ଦାଣ ଉତ୍ସବ
ଆମ ଐତିହ୍ୟ,ପରମ୍ପରାକୁ ପୁଣିଥରେ ମାନେପକାଇବାର ସମୟ ବୋଧେ ଆସିଥିଲା।
କାର୍ତ୍ତିକ ପୂର୍ଣ୍ଣିମା, ବୋଇତ ବନ୍ଦାଣ ଉତ୍ସବ। ରଙ୍ଗବେରଙ୍ଗ ପୋଷାକ ଓ ଗହଣାରେ ସାଧବ ପୁଅ ବୋହୁ ବେଶରେ ସଜ୍ଜିତ କିଛି ପୁରୁଷ,ମହିଳା ଅପେକ୍ଷା କରିଥାନ୍ତି ମୁଖ୍ୟଅତିଥିଙ୍କ ଆଗମନକୁ। ମନ୍ତ୍ରୀ ଉଦଘାଟନ କରିବେ ଉତ୍ସବକୁ।
ବୋଇତ ବନ୍ଦାଣ ଉତ୍ସବ ର ଆୟୋଜନ ଦେଖି ଆଖି ଝଲସି ଯାଉଥାଏ।ଆଜିଠୁ ଦଶ ଦିନ ବାଲିଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ। ଉତ୍ସବର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ଥାଆନ୍ତି। ସାମ୍ବାଦକ ମାନେ ଫଟ ଉଠାଇବାରେ ବ୍ୟସ୍ତ। ପୋଲିସବାଲା ଭିଡ଼ ସମ୍ଭାଳିବାରେ ଲାଗିଥାନ୍ତି।
ମୁଁ ଦେଖୁଥିଲି ଖାସ ଏଇ ଉତ୍ସବ ପାଇଁ ନିର୍ମିତ ଏକ ଵ୍ୟୟଵହୁଳ ବିରାଟ ସଦୃଶ୍ୟ ତୋରଣ ଓ ନଈ ପାଣିରେ ଭାସୁଥିବା ଏକ ସୁସଜ୍ଜିତ ବୋଇତକୁ।"କେତେ ଟଙ୍କା ଖର୍ଚ୍ଚ ହୋଇଥିବ ? "ଅନ୍ୟମନସ୍କ ଭାବେ ମୋ ପାଟିରୁ ବହାରିପଡ଼ିଲା
- "ଏଇ ଗେଟ ପାଇଁ କୋଡିଏ ଲକ୍ଷ ଓ ବୋଇତ ପାଇଁ ସ୍ଥାନୀୟ ମନ୍ତ୍ରୀଙ୍କ ନିଜସ୍ୱ ମାଛ ଧରା ଟ୍ରଲରକୁ ଏମିତି ରୁପ ଦେବାପାଇଁ ପାଞ୍ଚ ଲକ୍ଷ ବ୍ୟୟ ହୋଇଛି ବୋଲି ଭିତିରିଆ ଖବର ମିଳିଛି।"ପାଖରେ ଠିଆହୋଇଥିବା ଭଦ୍ରବ୍ୟକ୍ତି ଧୀର ସ୍ୱରରେ କହିଲେ।
-"ଯାହାହେଉ ଓଡ଼ିଶାର ଐତିହ୍ୟ, ପୂର୍ବ ନୌବାଣିଜ୍ୟ ପରମ୍ପରାକୁ ମନେପକାଇବା ପାଇଁ ସରକାରଙ୍କ ଏ ପ୍ରୟାସ ପ୍ରଶଂସନୀୟ ।"
"ସର୍କସ ବା ପ୍ରହସନ କୁହନ୍ତୁ।ଏଇ ଟଙ୍କାରେ କେତେ ଗାଁକୁ ବିଜୁଳି,ରାସ୍ତା ହେବ କିମ୍ବା ଆମ୍ବୁଲାନ୍ସ ତ କିଣାଯାଇପାରିବ। ଏ ବୋଇତ,ସାଧବପୁଅ ସବୁ ଏକ କୌତୁକ ପୋଷାକ ପ୍ରତିଯୋଗିତା ଭଳି ଲାଗେ ମୋତେ।"
ଯଦିଓ ଲୋକଟା ଅପ୍ରିୟ ସତ କହୁଥିଲା,ତଥାପି ମୋତେ ଲାଗିଲା ହୁଏତ ସେ ବିରୋଧୀ ଦଳର ସମର୍ଥକ ହୋଇଥାଇପାରେ।
ଟିକିଏ ଆଗକୁ ଯାଇ ସେଇ ସାଧବ ପୁଅ,ବୋହୁ ମାନଙ୍କ ସହ ସେଲ୍ଫି ନେଲି ଅନ୍ୟମାନଙ୍କ ଭଳି। ଜଣେ ସରକାରୀ ବାବୁଙ୍କ କୃପାରୁ ପାସଟେ ମିଳିଥିବାରୁ ମୁଁ ଭିତର କର୍ଡନ ରେ ଥିଲି।
ସୁଯୋଗ ଦେଖି ସେଇ ସାଧବପୁଅ ବେଶଧାରୀ ଲୋକଙ୍କୁ ପଚାରିଲି, "ଆପଣ ମାନେ କଣ ସତରେ ସାଧବ ପୁଅ "?
ସ୍ମିତହସି ସେମାନଙ୍କ ଭିତରୁ ଜଣେ କହିଲା," ଆମ ପୂର୍ବପୁରୁଷ ସାଧବ ଥିଲେ।ଆମ ଗାଁ ରେ ପରା ତଅପୋଇ ଗାଁ।
ଖୁଦୁରୁକୁଣୀ ପୂଜା ତ ଶୁଣି ଥିବେ। ଏବେ ନୌବାଣିଜ୍ୟ ନାହିଁ।ନିଜ ବ୍ୟବସାୟ ନେଇ ଆମେ ବ୍ୟସ୍ତ। କର୍ପୁର ଉଡ଼ି ଯାଇଛି,କନା ପଡିଛି।"
- " ସରକାର ଯଦି ବୋଇତରେ ଆପଣ ମାନଙ୍କୁ ଓଡିଶା ବାହାରକୁ ବ୍ୟବସାୟ କରିବାକୁ ପଠାଇବେ , ଯିବେ "? ପଚାରିଲି ମୁଁ।
ନିରାସକ୍ତ ଭାବେ ସେ କହିଲେ," ସରକାରଙ୍କ ଯୋଗୁ ଆମେ ଓଡିଶା ବାହାରେ ହିଁ ଅଛୁ।"
- "ଆଛା ! ଓଡ଼ିଶାରୁ କଣ ସବୁ ନେଉଛନ୍ତି ଏବେ ବ୍ୟବସାୟ ପାଇଁ ?"
ମୁଖ୍ୟଅତିଥି ଆସିଯାଇଥିବାରୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଶଙ୍ଖ,ହୁଳୁହୁଳି ଶବ୍ଦରେ ଉଛୁଳି ପଡୁଥିଲା ସ୍ଥାନ।ମନ୍ତ୍ରୀ ବୋଇତ ଓ ସାଧବ ପୁଅଙ୍କୁ ବନ୍ଦାଉ ଥିଲେ। ମନେମନେ ଭାବୁଥିଲି ଏଇ ଓଡ଼ିଆ ସାଧବ ପୁଅ ଏବେ କି ବେପାର କରୁଥିବ ?
ସନ୍ଧ୍ୟାରେ ରେଳଷ୍ଟେସନରେ ଜଣେ ବନ୍ଧୁଙ୍କୁ ଛାଡ଼ିବାକୁ ଯାଇ କିଛି ଲୋକଙ୍କୁ ଦେଖି ଚିହ୍ନା ଚିହ୍ନା ଲାଗିଲା। ମୁଣ୍ଡରେ ବାସନ କୁସନ,ଲୁଗାପଟା ମୁଣ୍ଡାଇ ଦୌଡ଼ୁଥିଲେ ଅନେକ ଲୋକ ଟ୍ରେନରେ ବସିବାକୁ।
ମୁଁ ବି ପଛେ ପଛେ ଚାଲିଲି। ଅଣସଂରକ୍ଷିତ ବଗିରେ ଚଢ଼ିଲେ ସେମାନେ। ଚିହ୍ନି ପାରିଲି ମୁଁ।
ଏମାନେ ତ ସକାଳର ସେଇ ସାଧବ ପୁଅବୋହୂ !!
-"ଆପଣମାନେ କୁଆଡେ ଯାଉଛନ୍ତି ବ୍ୟବସାୟ କରିବାକୁ ?"
-"ଆମେ ସବୁ ଦାଦନ । ଦାଦନ ଖଟିବାକୁ ଯାଉଛୁ।"
ହତବାକ ହୋଇଯାଇଥିଲି ମୁଁ।ଟ୍ରେନ ଚାଲିବା ଆରମ୍ଭ କରିଦେଇଥିଲା।ଏକବିଂଶ ଶତାବ୍ଦୀରେ ଓଡ଼ିଆ ସାଧବମାନଙ୍କୁ ନେଇ ଯାଉଥିବା ବୋଇତ, ଷ୍ଟେସନ ଛାଡ଼ିଦେଇଥିଲା। ବନ୍ଦାଣ ପାଇଁ ହୁଳୁହୁଳି, ଶଙ୍ଖ ଶବ୍ଦ କିଛି ଶୁଭୁ ନଥିଲା। ଆଉ କେଉଁଠି ବୋଧେ କିଛି ଉତ୍ସବ ଉଦଘାଟନ ହେଉଥିବ।