Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others Tragedy

3  

Lopamudra Mishra

Others Tragedy

ନିର୍ବାକ

ନିର୍ବାକ

3 mins
7.7K


*ନିର୍ବାକ:- କେତୋଟି ଦୃଶ୍ୟ *

ଲୋପାମୁଦ୍ରା ମିଶ୍ର

ପ୍ରଥମ ଦୃଶ୍ୟ :-

କୁକୁରଟା ର କଣ ହେଇଛି କେଜାଣି କାଲି ରାତି ରୁ ଖାଲି ଭୋ ଭୋ ହେଉଛି l ଖୁବ ଜୋର ରେ ଭୁକିଚାଲିଛି l ସେ ବିକଟାଳ କୁକୁର ଭୁକା ବାସ୍ତବିକ ଭୀଷଣ ବିରକ୍ତିକର l ଭୃତ୍ୟମାନେ କୁକୁର କୁ ବାବୁଙ୍କ ଗେଟ ବାହାରକୁ ନେଇ ଛାଡ଼ି ଦେଇଆସିଲେ l ତଥାପି ଶାନ୍ତି ନାହିଁ l ମଣିଷ ଟିକେ ଶୋଇବି ପାରୁନାହିଁ l ଭୁକl ବିଲକୁଲ ବନ୍ଦ ହେଉନାହିଁ l ପାଗଳ ହେଇଗଲାଣି ବୋଧେ l ଏଥର ଆଉ ତାର ରକ୍ଷା ନାହିଁ l ଢାଏଁ ଢାଏଁ ଗୁଳି ଦୁଇଟା ବାଜିଲା l ଭୁକl ଏକବାର ବନ୍ଦ l କୁକୁରର ଭୁକିବା ବନ୍ଦ, ଘରେ ଚୋରୀ ଡକାୟତି ଆରମ୍ଭ l

ଦ୍ୱିତୀୟ ଦୃଶ୍ୟ :-

କମଳାର ଛୁଆଟା ଭାରି ଭୋକିଲା l ଭୋକରେ ରାହା ଧରିଛି l ଘର ମାଲିକାଣୀଙ୍କ ମୁଣ୍ଡ ବିନ୍ଧା ହେଲାଣି l ଅସହ୍ୟ ସେ କ୍ରନ୍ଦନ l ନା ଆଉ ସହି ହୁଏନି l "ଏ ଛୁଆ ର କାନ୍ଦ ବନ୍ଦ କରା ନହେଲେ ଏଘରୁ କାମ ଛାଡ଼", ମାଲିକାଣୀ ଙ୍କ କଡ଼ା ତାଗିଦ l "ମାଆ ଛୁଆ ଟା ଭୋକିଲା l ଟିକେ କିଛି ମୁହଁରେ ଦେବାକୁ ମିଳିଲେ.. ",କମଳାର ଧୀର ନିବେଦନ l

"କିଛି ମିଳିବନି ଏବେ l ଆଗ କାମ ସାରେ " l

ଭୋକିଲା କାନ୍ଦୁରା ପିଲାର ଗାଲରେ ଦୁଇଟି ଶକ୍ତ ଚାପୁଡ଼ା l ଶିଶୁଟିର କଅଁଳିଆ ମୁହଁ ରେ ଦଶ ଆଙ୍ଗୁଳି ର ଛାପ l କମଳାର ଆଲୁରୁ ବାଲୁରୁ କେଶ, ଘର୍ମlକ୍ତ ଦେହ,ଅସ୍ତବ୍ୟସ୍ତ ମାତୃତ୍ୱ ଓ ମାଲିକାଣୀଙ୍କ ଚିକଚିକ ବାସନ କୁସନ, ଚକଚକିଆ ଘର ଚଟାଣ l

ମାଡ ଖାଇ ନିର୍ବାକ ପଡିଥିବା ଶିଶୁର ପାଟିରେ ଦୁଃଖିନୀ ମାଆ ବାସି ରୁଟି ଗେଞ୍ଜିଲା ବେଳକୁ ଛୁଆଟି ଭୋକରେ କାନ୍ଦି କାନ୍ଦି ହାତ ଆଙ୍ଗୁଠି ପାଟିରେ ଗେଞ୍ଜି ଚୁପ ହୋଇ ଶୋଇପଡିଛି l

ଦୃଶ୍ୟ ୩ :-

ଶାଶୁ, ଶ୍ୱଶୂର, ନଣନ୍ଦ, ଦିଅର, ସ୍ୱାମୀ, ପିଲା ସମସ୍ତଙ୍କ କଥା ବୁଝିସାରିଲା ପରେ ନିଜ ବିଷୟରେ ଚିନ୍ତା କରିବାକୁ ସମୟ ପାଏନାହିଁ ସରିତା l ଯେତେବେଳେ ଯିଏ ଯାହା କହନ୍ତି ଚୁପ ଚାପ ମାନିନେଇ ସେହି ଅନୁସାରେ କାମ କରି ଯାଏ l

ସ୍ୱାମୀ --ଆଜି କଣ ଏତେ ଡେରି ଯାଏଁ ଶୋଇଛ?

ସରିତା --ଆଜି ପା ରବିବାର l

ସ୍ୱାମୀ --ରବିବାରରେ ତୁମର କଣ ଯାଏ? ମୋର ଅଫିସ ବନ୍ଦ ତଥାପି ମୁଁ ଉଠିସାରିଲିଣି, କିନ୍ତୁ ତୁମେ ବେଡରେ ପଡ଼ିଛ? ଯାଅ ଜଲଦି ଚା ' ବନେଇ କରି ଆଣ l

ସରିତା --ବୋଉଙ୍କୁ କୁହ l ମୋ ଦେହ ଭଲ ଲାଗୁନି l ନହେଲେ ନିଜେ ବନେଇ ପିଅ ଆଉ ମୋ ପାଇଁ ଵି ଗୋଟେ କପ ଆଣିବ l

ଶାଶୂ --ସରିତା ! ଆଜି କଣ ନିଦ ଭାଙ୍ଗିବନି କି?

ସରିତା --ନାଇଁ ବୋଉ l ପ୍ରଥମେ ଗୋଟେ କପ ଚା' ଆଣିଦିଅନ୍ତୁ ନା l

ସ୍ୱାମୀ --ତୁମର ତ କମ ସାହସ ନୁହେଁ l

ସରିତା --କଣ ଏମିତି ଗୋଟେ ବଡ କଥା ଟେ କହିଦେଲି ଯେ ସେଥିପାଇଁ ସାହସ ଦରକାର ? ଏଇକଥା ତ ତୁମେମାନେ ସବୁଦିନ ମତେ କୁହ l ତୁମେ ସାହସ କରି କହିପାରିବ ମୁଁ କାହିଁକି ନୁହେଁ ? ମୋର ଵି ଇଚ୍ଛା ଅଛି ବେଡରୁ ଉଠୁ ଉଠୁ ଚା' କପଟେ ପିଇବା ପାଇଁ l ଯାଅ ଗୋଟେ ଦିନ ହେଲେ କେହି ଜଣେ ବନେଇ ଆଣ ମୋ ପାଇଁ l

ଶାଶୁ --ବୋହୂ ! ତୋ ପାଟିରେ ଲଗାମ ରହୁନି l

ସରିତା --ମୋ ପାଟିରେ ଲଗାମ ଲଗେଇବା ଏତେ ଆବଶ୍ୟକ କଣ ପାଇଁ ? ତୁମମାନଙ୍କର ତ କୋଉଠି ଲାଗିନି?

ସ୍ୱାମୀ --ଚୁପ କରି ଉଠି ଯାଅ କିଚେନକୁ l ବେଶୀ ଯୁକ୍ତି କଲେ ଭଲ ହେବନି l ତୁମକୁ ନିର୍ବାକ କରେଇବା ମତେ ଠିକ ଜଣା l

ସରିତା --ମୁଁ ମୁକ ନୁହେଁ l ନିର୍ବାକ ହେବିନି l

ସରିତାର ଗାଲ,ପିଠି ଓ ସମଗ୍ର ଶରୀରରେ ନିର୍ମମ ପ୍ରହାର l ଲୁହ ଲହୁ ଏକାକାର l ନିର୍ବାକ ସରିତା ପାଟିରେ ତାଲା ଲଗେଇ ଜରରେ ଥରି ଥରି ଚଟାଣରେ ଲୋଟି ପଡିଛି l

ଦୃଶ୍ୟ ଚାରି :-

କଥା କହେ ତାଙ୍କ କଲମ l ଅନେକ ଯାତନା, ଦୁଃଖ, କ୍ଳେଶ ଓ ଶୋଷଣ ସବୁ ଶବ୍ଦର ରୂପ ପାଇ ଲୋକଙ୍କ ହୃଦୟ କୁ ବିଦାରି ପକାଏ l ତାଙ୍କ କଲମ ଲଢେ ହିଂସାତ୍ମକ ଧାର୍ମିକ ମନୋଭାବ ବିରୁଦ୍ଧରେ, ଅନ୍ଧବିଶ୍ୱାସ ବିରୁଦ୍ଧରେ, ସମାଜ ର କୁସଂସ୍କାର ବିରୁଦ୍ଧରେ, ଅମାନବୀୟ ପ୍ରଥା ବିରୁଦ୍ଧରେ ଓ ମାନବିକତା ର ସର୍ବାଙ୍ଗୀନ ମଙ୍ଗଳ ଉଦ୍ଦେଶ୍ୟରେ l କିଛି ଲୋକଙ୍କୁ ସେହି ସମାଜ ସୁଧାରକଙ୍କ କଲମ ର ବାଣୀ ଖୁବ କଷ୍ଟ ଦେଲା l ଅସହ୍ୟବୋଧ ହେଲା l ସେ କଲମ ନିଶ୍ଚୟ ତାଙ୍କ ଶୋଷଣର ଅନ୍ତ ଘଟେଇବା l ସେମାନେ ଚିନ୍ତା କଲେ, "ଲୋକଙ୍କୁ ସଚେତନ କରାଇ ତାଙ୍କ ଆଖିରୁ ଅନ୍ଧପୁଟୁଳି ଖୋଲିଦେଲେ ଆଉ କି ବେପାର ଚାଲିପାରିଵ ?"

କଲମ କୁ ନିର୍ବାକ କରିବାର ଯୋଜନା ପ୍ରସ୍ତୁତ l କ୍ରାନ୍ତିକାରୀ କଲମଟି ଦେଶଦ୍ରୋହର କଳଙ୍କ ମୁଣ୍ଡେଇଲା l ବିପ୍ଲବୀ ର ଛାତିରେ ପାଖଣ୍ଡି ର ଗୁଳି l ନକ୍ସଲ କୁ ମାରି ପୁଲିସ ଗର୍ବରେ ନିଶ ମୋଡ଼ୁଛି l ନିର୍ବାକ ବିପ୍ଲବୀ ର ନିସ୍ତେଜ ଶରୀର ରାସ୍ତାର ଧୂଳି କୁ ଲାଲ କରି ପଡ଼ିରହିଛି l

ଜଣେ କ୍ରାନ୍ତିକାରୀ ର କଲମ ଚାଲିବା ବନ୍ଦ ହେଲା, ଥମି ଆସିଥିବା ଶୋଷଣ ଜୋର ଧରିଲା l

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଯାଜପୁର


Rate this content
Log in