ଅଜଣା ଆତ୍ମୀୟତା
ଅଜଣା ଆତ୍ମୀୟତା
ଅଜଣା ଆତ୍ମୀୟତା
ରାଜୀବ ଗୋପାଳ ସ୍ଵାଇଁ
''ପେଡ଼ା, ପେଡ଼ା, ଖୁଆ ପେଡ଼ା, ନିଅ ଖାଇକି ଦେଖ... ପେଡ଼ା ପେଡ଼ା, ଖୁଆ ପେଡ଼ା ।'' ମୁଣ୍ଡରେ ଶୀତଦିନିଆ ଟୋପିଟେ ଲଗେଇ ଯେଉଁ ଲୋକଟି ଏମିତି ଡାକୁଥିଲା, ତାକୁ ମୁଁ ଥରୁଟେ ନିରେଖି ଦେଖିଲି । ପଛଆଡୁ କୁଜ ଥିବା ପଞ୍ଚଷଠି-ସତୁରି ବର୍ଷୀୟ ବୁଢ଼ାଲୋକଟିଏ । ବ୍ଲୁ କଲରର ଲୋଚାକୋଚା ପଲିଷ୍ଟର ପଞ୍ଜାବୀ ଆଉ ଧଳା ଲୁଗା ପିନ୍ଧିଛି । ଅଳ୍ପ ଅଳ୍ପ ସଫେଦ୍ ଦାଢ଼ି । ମୁହଁରେ ଲିଭୁନଥିବା ସ୍ମିତହାସ୍ୟ । ଟ୍ରେନ ଭିତରେ ତା କୁଜ ଉପରେ ଅନେକଙ୍କ ନଜର । ତଥାପି ସେ ହସି ହସି ଡାକୁଥାଏ - ''ପେଡ଼ା, ପେଡ଼ା, ଖୁଆ ପେଡ଼ା...'' ସେ ପ୍ରତି ସିଟ୍ ପାଖରେ ଠିଆ ହୋଇ କ'ଣ ସବୁ କହୁଥିଲା ଆଉ ହସି ହସି ଆଉଗୋଟିଏ ସିଟ୍ ପାଖକୁ ଚାଲିଯାଉଥିଲା । ମୋର ଅନୁସନ୍ଧିତ୍ସା ବଢ଼ିଲା । କେହି ପେଡ଼ା କିଣୁ ନାହାନ୍ତି, ତଥାପି ସେ ହସୁଛି , ଚିରାଚରିତ ଭାବରେ ଡାକୁଛି, କଥା ହେଉଛି। ମୁଁ ଜାଣିବା ପାଇଁ ଚାହୁଁଥିଲି କ'ଣ ସେ କହୁଛି । ମୋ ପାଖକୁ ସେ ନିଶ୍ଚୟ ଆସିବ । ଅପେକ୍ଷା କଲି ।
ସମୟ ଆସିଲା ସେ ମୋ ପାଖରେ ଛିଡ଼ା ହୋଇଥିଲା । -''ଖୁଆ ପେଡ଼ା ନିଅ ବାବୁ !!'' ମୁଁ ତାକୁ ନିରବରେ ଚାହିଁଲି, ଯେମିତି ଗୋଟେ ପ୍ରଶ୍ନିଳ ଦୃଷ୍ଟି । ସେ ହସୁଥିଲା- ''ଖାଇବା ପରେ ଆଉ ପୂର୍ବରୁ କେତେ ଡାଏବେଟିସ୍ ଅଛି ? ଏ ନିଆଁଲଗା ବେମାରି ଆମ ବେପାର ବୁଡ଼େଇଲା । ଏବେ ଏବେ ଶହେରେ ଷାଠିଏ...। କିଛି ହେବନି, ଥରେ ଖାଇ ଦେଖନ୍ତୁ ।ଡରୁଛନ୍ତି କି ?'' ମୁଁ ହସିଲି- ''ଘରେ ଆଉ କିଏ ଅଛନ୍ତି ?'' ସେ ମୋ ଅପ୍ରତ୍ୟାଶିତ ପ୍ରଶ୍ନରେ ଅପ୍ରସ୍ତୁତ ହୋଇପଡ଼ିଲା । ତା କଥା ଓ ହସ ହଜିଯାଇଥିଲେ । -''ସବୁ ଅଛନ୍ତି, ପୁଣି କେହି ବି ନାହାନ୍ତି । ଏଇ ଶିକାରେ କୋଡ଼ିଏ ବର୍ଷ ଧରି ଯେଉଁମାନଙ୍କ ପାଇଁ ଟ୍ରେନରୁ ଟ୍ରେନ ବୁଲିଲି, ସେମାନେ ବୁଝିଲେନି ।'' ମୁଁ ଯାହା ପାଇଁ ଅନୁସନ୍ଧିତ୍ସା ନେଇ ବସିଥିଲି, ତା'ର ଉତ୍ତର ମିଳିସାରିଥିଲା । ମୁଁ ଛଅଟା ଖୁଆ ପେଡ଼ା କିଣି ପକେଟରେ ରଖିଲି । ଯଦିଓ ଜାଣିଥିଲି ଚିନ୍ମୟୀ ଏମିତି ଟ୍ରେନ୍ ରେ ମିଳୁଥିବା ଖାଦ୍ୟକୁ ପସନ୍ଦ କରେନି । ଗୋଟେ ପାଟିରେ ଭାଙ୍ଗି କହିଲି- ''ବହୁତ ମିଠା !!'' ବୁଢ଼ାର ହାତଟି ଅଜ୍ଞାତରେ ମୋ ମୁଣ୍ଡ ଉପରେ ବୁଲିଆସିଥିଲା । ଅବଶ୍ୟ ବଗି ଶେଷ ବେଳକୁ ବୁଢ଼ାର ଆଉ ଖୁଆ ପେଡ଼ା ନଥିଲା । ମୁଁ ତାକୁ ଚାହିଁ ହସୁଥିଲି । ଆଖିରେ ତା'ର ସମୁଦ୍ର ଥିଲା କି କ'ଣ !!!
ମାତୃକୁଟୀର, କୁରୁଣ୍ଟି, ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧
*****